Tuesday, May 23, 2017

ମାଆ: ଆତ୍ମନେପଦୀ


ଜ୍ୟୋତି ନନ୍ଦ 


ଆମେରିକୀୟ ସାମାଜିକ କର୍ମୀ ଆନା ଜାର୍ଭେସ୍ (୧୮୬୪-୧୯୪୮)



ଗୋଟିଏ ଅତି ସାଧାରଣ ମାଆ।

ତାହାର କଥା ଏଇଲେ।

ଏଇଠେ।

ସେଇ ମାଆଟି ସୌଭାଗ୍ୟବଶତଃ ଗାୟକ ନଚିକେତା (ଚକ୍ରବର୍ତ୍ତୀ) ଙ୍କର "ବୃଦ୍ଧାଶ୍ରମ"ବୋଲି ଗୋଟିଏ ଲୋତକସ୍ରାବୀ ବଙ୍ଗଳା ଗୀତ ରହିଛି ବୋଲି ଜାଣିନାହିଁ । ସେହି ଗୀତଟିରେ ରହିଥିବା ଯେଉଁ କାହାଣୀଟି ଆମକୁ କନ୍ଦାଇବାର କ୍ଷମତା ରଖେ ତାହା ଏହି ପରି । ଗୋଟିଏ ମାଆର ବର୍ତ୍ତମାନର ଠିକଣା ହେଉଛି ବୃଦ୍ଧାଶ୍ରମ । ପୁଅ,ବୋହୁ ଆଉ ଆଲସେସିଆନ୍, ଏତିକିକୁ ନେଇ ସେ ଆଗରୁ ରହୁଥିବା ଘରଟିରେ ସ୍ଥାନାଭାବ ହେବାରୁ ମାଆଟି ଏବେ ସେଇଠେ । ମାଆର ଇଚ୍ଛା ସେ ଦୀର୍ଘ ଦିନ ବଞ୍ଚିବ । ସେ ଏବେ ନିୟମିତ ହିସାବ କରୁଛି ଯେ ଆଉ ତିରିଶ ବର୍ଷ ପରେ ତାହାର ପୁଅର ବି ଗୋଟିଏ ବୃଦ୍ଧାଶ୍ରମର ଆବଶ୍ୟକତା ପଡିବ । ସେତେବେଳେ ଯାଇ ଏଇ ବୃଦ୍ଧାଶ୍ରମରେ ମାଆ ଆଉ ପୁଅ ଗୋଟିଏ ଘରେ ଏକାଠି ଆନନ୍ଦ ରେ ରହିପାରିବେ । ସେଇ ଦିନଟିର ସ୍ୱପ୍ନ ନେଇ ମାଆଟି ବଞ୍ଚୁଛି ।

ଏଇ ଭଳି ଏକ ସ୍ୱପ୍ନର କାରୁଣ୍ୟକୁ ସହିଲା ଭଳି ଦମ୍ଭିଲା ଛାତି ଆମ ମାନଙ୍କ ଭିତରୁ ଅଧିକାଂଶଙ୍କର ନାହିଁ । ଏଇ ଭଳି ଏକ ସ୍ୱପ୍ନ ସହିତ ବଞ୍ଚିବାକୁ ପଡିପାରେ ବୋଲି ଜାଣିନଥିବା ଆମର ସାଧାରଣ ମାଆଟି ସେହି ଦୃଷ୍ଟିରୁ ଭାଗ୍ୟବତୀ ଥିଲା । ଶେଷ ଯାଏଁ ପୁଅ ବୋହୁ ନାତି ନାତୁଣୀ ସେଇ ମାଆଟିକୁ ଘେରିକରି ରଖିଥିଲେ ଗୋଟିଏ ସୁରକ୍ଷା-ଚକ୍ରରେ । ବାହାରେ ଅବଶ୍ୟ ସଜାଗ ଯମଦୂତମାନେ ଅପେକ୍ଷା କରି ରହିଥିଲେ।

ଯମଦୂତ ମାନେ ଦିନେ ସଫଳ ହେଲେ । ସେଇ ସାଧାରଣ ମାଆଟିର ଯେଉଁ ପୁଅଟି ବାହାଘର ଆଦିରେ ବେଳେବେଳେ ପଦକୁ ପଦ ଯୋଡି ରଙ୍ଗୀନ ଆଶୀର୍ବାଦ ଗୀତିକାଟିମାନ ଲେଖିପାରୁଥିଲା, ସେ ସବୁଠୁ ଫିକା ସାଦା ପଦଟିଏ ଲୁହଭର୍ତ୍ତି କଲମରେ ଲେଖିଥିଲା,

ଆଷାଢ କୃଷ୍ଣପକ୍ଷ ଅଷ୍ଟମୀ ତିଥି,
ବୋଉ ଡାକଟି ଆମ ହୋଇଲା ଇତି।

କବିତାମାନ ଏମିତିରେ ଚମତ୍କାର ବ୍ଲଟିଂପେପର୍ । ସେମାନେ ମହାକାଳ ଭଳି ଶୋଷିନେଇ ପାରନ୍ତି ସବୁ ଆବେଗ, ହରାଇବସିବାର ଆର୍ତ୍ତି।
ମାଆଟି ସାଧାରଣ ହେଉ କି ଅସାଧାରଣ, ସବୁ ମାଆଛେଉଣ୍ଡଙ୍କର ଆଖି ଲୁହରେ ଟଳମଳ । ସେହି ଲୁହକୁ ଧରି ରଖିବାରେ ପୃଥିବୀର ଘୋର ଅଶ୍ୱସ୍ତି ସବୁବେଳେ । ତେଣୁ ଆଖି ଦୁଇଟିମାନ ନିଜ ଅସହାୟତାରେ ନିଜେ ଦେଖାଯାଇଆନ୍ତି ଅଶ୍ରୁସଜଳ ।

ପୃଥିବୀର କୋଟିକୋଟି ମାଆଙ୍କ ପରି ମାଆଟିଏ ସେ । ଅବଶ୍ୟ ତାହା ବିଷୟରେ କହିଲା ଭଳି ସେମିତି କିଛି ନାହିଁ । କହିଲା ଭଳି ଯଦି କିଛି ଥାଆନ୍ତା, ତାହା ହେଲେ ତାହାକୁ ଅଧିକ ରଙ୍ଗିନ କରାଯାଇପାରନ୍ତା । ଦୁଃଖର କଥା, ସେମିତି ରଙ୍ଗିନ କଲା ଭଳି ଉପାଦାନ କିଛି ନାହିଁ । ତେଣୁ ତାହାର ସାଧାରଣ କଥାକୁ ଲେଖୁଲେଖୁ ଯଦି କିଛି ଆଶ୍ଚର୍ଯ୍ୟ ବାହାରି ଆସେ, ତେବେ ସୁନ୍ଦର । ସେଇମିତି ମାଆର କିଛି ସୁନ୍ଦରପଣ ଖୋଜିବା ପାଇଁ ଏଇସବୁ ଆବୁରୁଜାବୁରୁ ଗପ ଯୋଡିବାର ବଡ ଇଚ୍ଛା ।

ଆମ ମାଆ ମାନେ ବିଧାତାପୁରୁଷର ଏକ ବିଶେଷ ଆନନ୍ଦ ମୂହୁର୍ତ୍ତର ଫଳଶ୍ରୁତି । ସେଇଥି ପାଇଁ ସେମାନେ ସବୁବେଳେ ରୂପରେ ଗୁଣରେ ସୁନ୍ଦରୀ । ତଥାପି କେହି କେବେ ସାଧାରଣ ମାଆଟିଏର କାହାଣୀ ଶୁଣିବାକୁ ଚାହାଁନ୍ତି ନାହିଁ । ସମସ୍ତେ ଯେତେ ଯେତେ ମାଆଙ୍କ ସଂସ୍ପର୍ଶରେ ରହିଛନ୍ତି, ସେମାନେ ସମସ୍ତେ ଅସାଧାରଣ । ଅସାଧାରଣ କଥାରେ ସମସ୍ତଙ୍କର ଦୃଢ ବିଶ୍ଵାସ ଓ ଆକର୍ଷଣ ।

ଆମେ ଆମର ବ୍ୟକ୍ତିଗତ ଜୀବନରେ ସାଧାରଣତଃ ଦୁଇଟି ମାଆର ସମ୍ପର୍କରେ ଆସିଥାଉ । ଗୋଟିଏ ହେଉଛନ୍ତି ଦେବୀ ମାଆ, ଯାହାଙ୍କୁ ଆମେ "ମନ୍ତ୍ରହୀନ ଆଉ କ୍ରୀୟାହୀନ" ବୋଲି ନେହୁରା ହୋଇ ହାତଯୋଡି ଆରାଧନା କରୁ, ଆମକୁ ଯାବତୀୟ ବିପଦରୁ ତାରିବା ପାଇଁ । ଆଉ ଆରଜଣଙ୍କ ଆମର ମାନବୀ ମାଆ, ଯିଏ ଆମକୁ ଜନ୍ମ ଦେଇଛି ଓ ପାଳିଛି । ଆମେ ସବୁବେଳେ ଦେବୀ ମାଆର ସମାନ ଉଚ୍ଚାରେ ଥିବା ଆସନ ଗୋଟିକରେ ବସାଇବାକୁ ଚେଷ୍ଟା କରୁ ଆମର ମାନବୀ ମାଆକୁ । ସେଇ କଥାଟି କ'ଣ ଏତେ ସହଜ ? ଦେବୀ ମାଆଟି ତାହାର ଦେବୀତ୍ୱ ଆଉ ମାତୃତ୍ୱ ର ଅଲୌକିକ ସମାହାରରେ ଆମର ପୂଜ୍ୟା । ଦେବୀ ଭିତରେ ମାଆଟିକୁ ଆରୋପିତ କରି, ଆମେ ସନ୍ତାନମାନେ ଏକ ପ୍ରକାର ନିଶ୍ଚିନ୍ତ ଓ ଭୟଶୂନ୍ୟ । ଦେବୀ ମାଆ ଭିତରେ ଆମେ ଆମର ନିଜ ଜନ୍ମ କଲା ମାନବୀ ମାଆର ରୂପକୁ ବେଳେବେଳେ ଦେଖିନେବାରେ ଆମର ସନ୍ତୋଷ । ସେଇ ଟିକକରେ ଆମେ ଖୁସି ।

ଆମ ପୃଥିବୀକୁ ଅନେକେ "ବୀରଭୋଗ୍ୟା ବସୁନ୍ଧରା" ବୋଲି କହିଥାନ୍ତି । ବୀର ମାନଙ୍କର ନେତୃତ୍ୱରେ ଆମଭଳି ଅ-ବୀର ମାନଙ୍କର ଥାଟପଟାଳି କାଳକୁ କାଳ ଚାଲିଛି । ଆମର ଏହି ଐତିହାସିକ-ସନ୍ତୁଷ୍ଟି ଯେତେ ବୀର ମାନଙ୍କର ଜୈତ୍ର-ବାନାକୁ ସବୁ ସମୟରେ ଫରଫର କରି ଲହରାଉଛି । ସେଇ ପ୍ରସଙ୍ଗରେ ପ୍ରଶ୍ନ ଉଠୁଛି, ବୀରପ୍ରସବିନୀ ମାଆର । ବୀରପ୍ରସବିନୀ ମାଆଟିର ସ୍ଥାନ ଦେବୀ ମାଆ ମାନଙ୍କର ସ୍ଥାନ ସହିତ ସମାନ । ସେମାନେ ଅନ୍ୟ ସବୁ ମାନବୀ ମାଆଙ୍କର ସମତୁଲ ନୁହଁନ୍ତି । ଏଠାରୁ ଉର୍ଦ୍ଧ୍ୱରେ କୁଆଡ଼େ ସେମାନଙ୍କର ଅବସ୍ଥିତି ।

ତେଣୁ ମାଆମାନଙ୍କର ଯଦି ଗୋଟିଏ ସମାଜତାତ୍ତ୍ୱିକ ବର୍ଗୀକରଣ କରାଯାଏ, ତେବେ ସଭା ଉପରେ ରହିବେ ଦେବୀ ମାଆ । ତାହା ତଳକୁ ବୀର ପ୍ରସବିନୀ ମାଆ । ଆଉ ସବା ତଳକୁ ଆମମାନଙ୍କର ସାଧାରଣ ମାଆମାନେ । ଏଇ ଭଳି ମାଆମାନଙ୍କର ଏକ ବର୍ଗୀକରଣକୁ ଅନେକ ନାପସନ୍ଦ କରି ପାରନ୍ତି । କିଏ ନିଜର ମାଆକୁ ନ୍ୟୁନ କରି ଦେଖିବାକୁ ଚାହିଁବ ? କିନ୍ତୁ ମାଆର ପରିଚୟ ତାହାର ସନ୍ତାନର ପରିଚୟର ବଳରେ । ଆଉ ସନ୍ତାନର ପରିଚୟ ତାହାର ନିଜର ସାମାଜିକ ସଂସ୍ଥାନରେ ରହିଛି ।

ସମାଜର ସେଇ ନିହାତି ତଳ ସ୍ତରର ମାଆଟି ପାଖରେ ବୀର ପ୍ରସବ ନକରି ପାରିବାର ହତାଶା ବା ସ୍ୱପ୍ନଭଙ୍ଗ ରହିଥାଇ ପାରେ । କିନ୍ତୁ, ସେଇ କଥାଗୁଡିକ ମାଆ ଆଉ ତାହାର ସନ୍ତାନ ଭିତରେ ବିଭେଦକ ରେଖା ଟାଣିପାରେ ନାହିଁ । ମାଆ ପାଇଁ ତାହାର ସମସ୍ତ ସନ୍ତାନ ଅପଦାର୍ଥ ନୁହଁନ୍ତି ବା ଅପଦାର୍ଥ ହୋଇପାରିବେ ନାହିଁ । ସବୁ କେବଳ ରାହୁ କାଳର ପ୍ରଭାବ ଯୋଗୁ ଉପଯୁକ୍ତ ସୁଯୋଗର ଅଭାବରେ ଗ୍ରସ୍ତ । କହିବାକୁ ଗଲେ ନିଜ ଭିତରେ ଆକାଶେ ସ୍ୱପ୍ନ ନେଇ ଆମଭଳି ଅ-ବୀର ମାନଙ୍କର ମାଆମାନେ ଶେଷ ଶଯ୍ୟାରେ ଶୋଇଯାଆନ୍ତି । ନିଜର ସ୍ୱପ୍ନ ସହିତ ଏଇଭଳି ବିଶ୍ୱସ୍ତ ଅନ୍ତରଙ୍ଗତା ମାଆମାନଙ୍କ ବ୍ୟତୀତ ଅନ୍ୟ କାହା ପାଖରେ ଦେଖାଯାଏ ନାହିଁ । ସେହି ସ୍ୱପ୍ନ ନିଜର ସନ୍ତାନକେନ୍ଦ୍ରିତ କେବଳ ।

ମାଆଟିଏ ତାହାର ସନ୍ତାନକୁ ଭଲପାଇବାର ଗୋଟିଏ ଶାରୀରିକ କାରଣ ଦିଆଯାଇପାରେ । ନିଜ ଶରୀର ଭିତରେ ମାଆଟି ଅତି ଯତ୍ନରେ ଆମକୁ ଗଢେ । ଆମେ ପ୍ରଥମେ ଧବଳ ବର୍ଣ୍ଣ ହେଉ, ତାହାପରେ ମୀନ ରୂପ ନେଉ, ତାହାପରେ ହାଡ ଖଞ୍ଜା ହୋଇଯାଏ, ଆମର ମାୟାବୀ ଜୀବର ଏଇ ମେଦପିଣ୍ଡରେ । ମାଆଟି ଆମ ସହିତ ଏକ ସଙ୍ଗୋପିତ ଶାରୀରିକତା ଅନୁଭବ କରିଥାଏ ଏଇ ବିସ୍ତୃତ ସଂରଚନାର ପ୍ରକ୍ରି୍ୟାରେ । ଏଇ ଅନୁଭବଟି ମାଆ ସହିତ ଶେଷଯାଏଁ ରହିଥାଏ । ତେଣୁ ସନ୍ତାନ ମାଆର ଏକ ଶାରୀରିକ ସମ୍ପ୍ରସାରଣ କହିଲେ, ସେମିତି କିଛି ଭୁଲ ହୋଇଯିବନାହିଁ ।

ଜନ୍ମ ସମୟରେ ମାଆ ପ୍ରସବ ଯନ୍ତ୍ରଣା ଭୋଗିଥାଏ । ସେଇ ଯନ୍ତ୍ରଣାର ତୀବ୍ରତା ମାଆ ଆଉ ସନ୍ତାନ ଭିତରର ନିବିଡ ସଂପର୍କର ଏକ ଗୁରୁତ୍ୱପୂର୍ଣ୍ଣ ସୂଚକ । ସେଇ ଯନ୍ତ୍ରଣାର ତୀବ୍ରତାକୁ ଏମିତି ବୁଝାଯାଇ ପାରେ । ବେଳେବେଳେ ଅସୁବିଧା ହେଲେ ମାଆର ପ୍ରବେଶଦ୍ଵାରରେ ଶଲ୍ୟକ୍ରିୟା କରି ସନ୍ତାନକୁ ପୃଥିବୀକୁ ଆଣିବାର ସୁଯୋଗ କରାଯାଇଥାଏ । ସେତେବେଳେ ସେହି ଶଲ୍ୟକ୍ରିୟାଟି ବିନା ନିଶ୍ଚେତକରେ ହୋଇଥାଏ । ଏହାକୁ "ଏପିସିଓଟୋମି" ବୋଲି ଡାକ୍ତରୀ ଭାଷାରେ କହିଥାଆନ୍ତି । ନିଜ ଗୋପନ ଅଙ୍ଗରେ ସିଧାସଳଖ ଛୁରୀ ଚାଲିବାର କଷ୍ଟ ଠାରୁ ଅଧିକ କଷ୍ଟ ପ୍ରସବବେଳେ ସହୁଥିବା ମାଆଟି ସମସ୍ତ ବେଦନାର ଫଳଶ୍ରୁତି ନିଜ ସନ୍ତାନକୁ ସେହି କାରଣରୁ ଅଧିକ ଭଲ ପାଇଥାଏ ।

ପୃଥିବୀର ସବୁ ମାନବୀ ମାଆଙ୍କର କାହାଣୀ ଏଇଭଳି ।

ସମସ୍ତ ମାଆ ମାନଙ୍କୁ ଯୁକ୍ତିରେ ଏକାଠି ରଖିଦେଇ ଆମେ ଆମର ଅପଦାର୍ଥପଣକୁ କୌଣସି ବିରାଡିଟିଏ ନିଜ ମଇଳାକୁ ଘୋଡାଇବା ଭଳି ଚେଷ୍ଟା କରିପାରୁ, କିନ୍ତୁ ସେଥିରେ ମାଆଟିର କିଛି ଯାଏ ଆସେ ନାହିଁ । ଯୁକ୍ତି ଦରକାର ଆମର ସୁରକ୍ଷିତ ହୋଇ ରହିବା ପାଇଁ, ମାଆ କିନ୍ତୁ ତାହାର ବିଶ୍ୱାସରେ ଅଟଳ ।

ବେଳେବେଳେ ଆମର ସାଧାରଣ ମାଆଟିକୁ ଦେବୀ କରିବା ପାଇଁ ଇଚ୍ଛା ହୁଏ । ମାଆ ପାଇଁ କାନ୍ଦିବାକୁ ଇଚ୍ଛା ହୁଏ । ଫଟୋରୁ କର୍ପୂର ଚନ୍ଦନ ମାଳ ଓହ୍ଲାଇ ଆଣିବାକୁ ଇଚ୍ଛା ହୁଏ । ଇଚ୍ଛା ହୁଏ କହିବା ପାଇଁ, ପୁରୀ କ'ଣ ଏମିତି ଏକ ସହର ଯେ ତାହା ତୁ ସେଇଠେ ହିଁ ଚିରକାଳ ରହିବା ପାଇଁ ଯୋଗ୍ୟ ? ଆ, ଆମେ ସବୁ ଏଇଠେ ଅଛୁ, ଆ । ହଁ ,ତୁ ଯେଉଁ ଗେହ୍ଲା ପୁଅକୁ ଧରି ସେଇଠେ ବୁଲୁଚୁ  ତାକୁ ଧରି ଆ । ବଡ ବଦମାସ ସେଇଟା । ମୁହଁ ବୁଲେଇଲେ ଚମ୍ପଟ ମାରିବ । ଜାଣିନୁ ? ଆ ।

ସେଇ ଜାଗାରେ କାହାଣୀ ଭିତରକୁ ଆସେ ଗୋଟିଏ ଚରିତ୍ର । ନାଆଁ ତା'ର ଆନା ଜାର୍ଭେସ୍ ।

ହଁ, ଆନା ଜାର୍ଭେସ୍ ।


ଆମେ ଯେମିତି ଆମ ମାଆକୁ ଭଲପାଉ ଆନା ଜାର୍ଭେସ୍ ମଧ୍ୟ ସେମିତି ତାହାର ମାଆକୁ ଭଲ ପାଉଥିଲା ।

କିନ୍ତୁ କଥା କ'ଣ କି ଆମେରିକାର ୱେଷ୍ଟ୍ ଭର୍ଜିନିଆର ଗ୍ରାଫ୍ଟନ୍ ସହରର ବାସିନ୍ଦା ଆନା ଜାର୍ଭେସ୍ ର ନିଜ ମାଆକୁ ଭଲପାଇବା ପଛରେ ଯେଉଁ ପାଗଳପଣ ରହିଥିଲା ତାହା ଆମର ପ୍ରାୟ ନଥାଏ ।

ଆନା ଜାର୍ଭେସ୍ ର ସମୟ ପ୍ରଥମ ବିଶ୍ୱଯୁଦ୍ଧର ଯଥେଷ୍ଟ ପୂର୍ବର କଥା । ଅର୍ଥାତ ୧୯୦୮ ଖ୍ରୀ.ଅ.ର କଥା । ଆନାର ମାଆ ତିନି ବର୍ଷ ଆଗରୁ ସ୍ୱର୍ଗବାସୀ ହୋଇ ସାରିଥାଆନ୍ତି । ମାଆ କହିବାକୁ ଗଲେ ଅବିବାହିତା ଶିକ୍ଷୟତ୍ରୀ ଆନାର ମାତା, ବଂଧୁ ଓ ସବୁ କିଛି ଥିଲେ । ଆନା ତାହାର ମାଆଙ୍କ ବ୍ୟତୀତ ଅନ୍ୟ କାହାରି ସାହଚର୍ଯ୍ୟ ଲୋଡୁ ନଥିଲା । ପାଖପଡିଶା ଦୁଇଜଣଙ୍କୁ ଦୁଇ ଭଉଣୀ ବୋଲି ମଜାରେ କହୁଥିଲେ ।

ମାଆ ଚାଲିଗଲା ପରେ ଆନା ଏକେଲା ହୋଇଗଲା । କିନ୍ତୁ ସେ ଏକେଲା ହୋଇଯାଇଛି ବୋଲି କେହି କହିଲେ ସେ ସେହି କଥାକୁ ସ୍ୱୀକାର କରୁ ନଥିଲା । ତା ପାଖରେ ସବୁ ବେଳେ ମାଆ ଅଛି ଆଉ ଦୁଇ ଜଣ ଯାକ ଏକା ସାଙ୍ଗରେ ରାତ୍ରିଭୋଜନ କରନ୍ତି ବୋଲି, ସେ ସମସ୍ତଙ୍କୁ ପ୍ରମାଣ ଦେଖାଉଥିଲା । ଏହି କଥାରେ କେହି ହସିଦେଲେ ସେ ଖୁବ୍ ବିରକ୍ତ ହୋଇଯାଉଥିଲା ।

ଆନା ଜାର୍ଭେସ୍ ର ଗୋଟିଏ ଲକ୍ଷ୍ୟ । ସେ ତାହାର ସ୍ୱର୍ଗବାସୀ ମାଆକୁ ବିଶ୍ୱବିଖ୍ୟାତ ହେବା ନିଜ ଚକ୍ଷୁରେ ଦେଖିବ । ସେଇଥି ପାଇଁ ସେ ପ୍ରତି ବର୍ଷ ନିଜ ମାଆର ମୃତ୍ୟୁବାର୍ଷିକୀରେ ବିରାଟ ଏକ ସଭାର ଆୟୋଜନ କରୁଥିଲା ଚର୍ଚ୍ଚର ପରିସର ମଧ୍ୟରେ । ଆମେରିକାର କଙ୍ଗ୍ରେସର ସବୁ ସଦସ୍ୟଙ୍କୁ ଦେଖା ମଧ୍ୟ କରୁଥିଲା ।

ଶେଷରେ ଆନା ଜାର୍ଭେସ୍ ସଫଳ ହେଲା । ୧୯୧୪ ମସିହାର ମଇ ମାସର ନଅ ତାରିଖ ଦିନ, ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ୱିଡ୍ରୋ ୱିଲସନ୍ କଙ୍ଗ୍ରେସ୍ ରେ ଗୋଟିଏ ସଞ୍ଜୁକ୍ତ ବିଜ୍ଞପ୍ତିରେ ଦସ୍ତଖତ କରିଥିଲେ । ସେହି ଘୋଷଣାନାମା ଅନୁସାରେ ପ୍ରତି ମଇ ମାସ ଦ୍ୱିତୀୟ ରବିବାର ଦିନଟିକୁ, ସମସ୍ତ ଜନସାଧାରଣ ମାଆମାନଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ଓ କୃତଜ୍ଞତାର ନିଦର୍ଶନ ହିସାବରେ ପାଳନ କରିବେ ।

ତାହା ପରଠାରୁ ପୃଥିବୀରେ ମଇ ମାସର ଦ୍ୱିତୀୟ ରବିବାରଟି ମାତୃ ଦିବସ ହିସାବରେ ପାଳନ ହୋଇ ଆସୁଛି । ସାମାଜିକ ଗଣମାଧ୍ୟମରେ ଏଇ ଦିନଟି ଯେମିତି ଗୋଟିଏ ମହାପର୍ବ । ସମସ୍ତେ ନିଜ ନିଜ ମାଆକୁ ସମଗ୍ର ପୃଥିବୀରେ ପରିଚିତ କରିବାର ଆନନ୍ଦରେ ଉତଫୁଲ୍ଲିତ । ଏଇ ମହାଆନନ୍ଦର ଅଂଶୀଦାର ହେବା କମ୍ ସୌଭାଗ୍ୟର କଥା ନୁହେଁ । ଆନା ଜାର୍ଭିସ୍ ଭଳି ଆମେ ଆମ ମାଆକୁ ବିଶ୍ୱବିଖ୍ୟାତ କରିପାରିଲୁ !

କାହାଣୀଟି ସେଇଠେ ଶେଷ ହୋଇନାହିଁ । ଆନାର ମାତୃପ୍ରେମର କାହାଣୀ ଖୁବ୍ ଦୁଃଖର ।

ମାତୃଦିବସର ଘୋଷଣା ପରେ ଆନା ବହୁତ ଖୁସି ହୋଇଯାଇଥିଲା । ଯାହାହେଉ ଏତେ ଦିନ ପରେ ତାହାର ସମସ୍ତ ଶ୍ରମ ସାର୍ଥକ ହେଲା । ସେ ଏକାନ୍ତରେ ତା'ର ମାଆକୁ କହୁଥିଲା, ଦେଖ ତୋତେ ଏବେ ପୃଥିବୀର ସମସ୍ତେ ଚିହ୍ନିବେ । ତୋହରି ନାଆଁରେ ପୃଥିବୀର ମାତୃ ଦିବସ । କ'ଣ ଖୁସି ତ ?

ତାହା ପର ଠାରୁ ଅସ୍ୱାଭାବିକ ଘଟଣା ଘଟିବାକୁ ଲାଗିଲା ।

ମାତୃଦିବସର ଆୟୋଜନରେ ବେପାରବଣିଜର ପ୍ରାଧାନ୍ୟ ବିଷୟଟିକୁ କିଛି ବାଣିଜ୍ୟିକ ପ୍ରତିଷ୍ଠାନ ଉପଲବ୍ଧି କଲେ । ବିଶେଷ କରି ଫୁଲ, କାର୍ଡ୍ ଆଉ ଚକୋଲେଟ୍ ବେପାର ସହ ସଂଶ୍ଲିଷ୍ଟ ପ୍ରତିଷ୍ଠାନଗୁଡ଼ିକ ଏହି ବାତ୍ସରିକ ଦିବସଟିରେ ସୁନେଲି ସୁଯୋଗର ଅନୁସନ୍ଧାନ କରିବାରେ ଲାଗିଲେ । ସେମାନେ ସେଇ ଦିବସରେ ଗୋଟିଏ ଅଖ୍ୟାତ ସାଧାରଣ ମାଆର ସୂଚନା ଦେବାକୁ ଇଚ୍ଛା କଲେ ନାହିଁ । କାରଣ ଏହା ସେମାନଙ୍କର ସେଦିନର ବେପାରକୁ ଆଦୌ ପୁଷ୍ଟ କରିବ ନାହିଁ । ତେଣୁ ଆନାର ମାଆଙ୍କର ନାଆ ବିସ୍ମୃତିର ଗର୍ଭକୁ ଚାଲିଗଲା ।

ବେପାର ଆଗରେ ଆନା ଜାର୍ଭେସ୍ ର ଆବେଗ ମୂଲ୍ୟହୀନ ହେଲା । ତଥାପି ମାତୃ ଦିବସ ଦିନ ଆନା ନିଜର ସାଧାରଣ ମାଆଟି ପାଇଁ ଚର୍ଚ୍ଚରେ ସଭା କରୁଥିଲା । ପାଞ୍ଚ ଶହ ଇଷତ ଲାଲ ସୁବାସିତ "କାର୍ନେସନ୍" ଫୁଲ୍ ବରାଦ ଦେଉଥିଲା । ମାଆର ପ୍ରିୟ ଫୁଲ "କାର୍ନେସନ୍" ଗୀର୍ଜାଘରକୁ କୁ ଆସିଥିବା ବନ୍ଧୁମାନଙ୍କୁ ଗୋଟିଏ ଗୋଟିଏ କରି ଉପହାର ଦେଉଥିଲା ସେ । କ୍ରମଶଃ "କାର୍ନେସନ" ବଳକା ରହୁଥିଲା ।ବନ୍ଧୁମାନଙ୍କର ଉପସ୍ଥିତି କମିବାରେ ଲାଗୁଥିଲା । ଗଭୀର ବିଷାଦରେ ଆନା ଜାର୍ଭେସ୍ ଖରାପ ଭାଷାରେ ହାଣ୍ଡବିଲ୍ ଲେଖି ବାଣ୍ଟୁଥିଲା ।ସେଥିରେ ଲେଖାଥିବା କଥାଗୁଡିକ ପ୍ରାୟ ଏହିଭଳି: ଚୋର, ତସ୍କର, ଖଣ୍ଟ ମାନେ ନିଜର ଲୋଭ ପାଇଁ ଉଇ ଭଳି ଚରିଯିବାକୁ ବସିଛନ୍ତି, ଏମିତି ଏକ ପବିତ୍ର ଦିନଟିକୁ ।

ମାତୃ ଦିବସଟି କ୍ରମଶଃ ଦୁର୍ବିସହ ହୋଇ ପଡୁଥିଲା ଆନା ଜାର୍ଭେସ୍ ପାଇଁ । ଗୋଟିଏ ଘର ଭିତରେ କବାଟ କିଳି ସେ ଚିତ୍କାର କରୁଥିଲା ବେଳେବେଳେ । ପାଖ ପଡୋଶୀ ଯେତେ ଡାକିଲେ ବି, ସେ କବାଟ ଖୋଲୁ ନଥିଲା ଜମା ।

ସବୁଠୁ ବେଶି କଷ୍ଟ ପାଇଥିଲା ସେ ୧୯୩୦ ମସିହାରେ । ସେଥର ଆମେରିକାର ଡାକ ବିଭାଗ ମାତୃ ଦିବସ ପାଇଁ ଏକ ସ୍ମାରକୀ ଡାକଟିକଟଟିଏ ପ୍ରଚଳନ କରିବାର ନିଷ୍ପତ୍ତି ନେଇଥିଲେ । ଆନା ନିଜ ମାଆଙ୍କ ଛବି ସହ ଆବେଦନ କରିଥିଲା । କିନ୍ତୁ ଡାକ ବିଭାଗ ହ୍ୱିସଲର୍ ବୋଲି ଜଣେ ଆମେରିକୀୟ ଚିତ୍ରଶିଳ୍ପୀଙ୍କର ମାଆଙ୍କ ଛବିଟିକୁ ସେହି ସ୍ମାରକୀ ଡାକଟିକଟ ପାଇଁ ମନୋନୀତ କରିଥିଲେ । ଏହାର ପ୍ରତିବାଦ ପାଇଁ ସେ ତତ୍କାଳୀନ ରାଷ୍ଟ୍ରପତି ରୁଜଭେଲଟ୍ ଙ୍କ ସାକ୍ଷାତ ଭିକ୍ଷା କରିଥିଲା । ମାତ୍ର ତାହା ସମ୍ଭବ ହୋଇନଥିଲା । ତାହା ପରେ ସେ ବେଳେ ବେଳେ ରାସ୍ତାକୁ ଆସେ । ହାତରେ ତାହାର ଦୁଇଟି ଛବି, ଗୋଟିଏ ତା 'ନିଜ ମାଆର । ଆରଟି ଚିତ୍ରଶିଳ୍ପୀ ହ୍ୱିସଲର୍ ଙ୍କ ମାଆଙ୍କର । ଲୋକଙ୍କୁ ଡାକି କହୁଥିଲା ଆନା ଜାରଭେସ୍, କୁହ - ଏଇ ଦୁଇ ଜଣଙ୍କ ଭିତରୁ କିଏ ସୁନ୍ଦର ?

ଶେଷକୁ ସେ ଆଉ ବାହାରକୁ ବାହାରେ ନାହିଁ । ଲୋକମାନଙ୍କ ସହ ଆଦୌ ସମ୍ପର୍କ ନାହିଁ । ଘରେ ହାତରେ ତାହାର ଛୋଟ ରେଡିଓଟିଏ ।ରେଡିଓ ର କେଉଁ ସୁଦୂର ତରଙ୍ଗରେ ମାଆର କଣ୍ଠ ସ୍ୱର ଶୁଭେ । କୁନି ଝିଅଟିଏ ପାଲଟିଯାଏ ଆନା ଜାର୍ଭେସ୍ ।

ଶେଷରେ ଏଇ କୁନି ଝିଅଟିର ସ୍ଥାନ ହେଲା ଗୋଟିଏ ସାନିଟାରିଅମ୍ ରେ । ସେ ଜାଣେନାହିଁ, ତାହାର ସମସ୍ତ ଖର୍ଚ୍ଚ ସେଇମାନେ ମିଶି ତୁଲାଉଥିଲେ, ଯେଉଁମାନଙ୍କୁ ସେ ଏକଦା ଚୋର, ଖଣ୍ଟ, ତସ୍କର ବୋଲି ଗାଳି ଦେଉଥିଲା । ସେଇ ଫୁଲବାଲା, କାର୍ଡବାଲା ଆଉ ଚକୋଲେଟ୍ ବାଲା ମାନେ ।

ମାତୃଦିବସର ଆନନ୍ଦରେ ଆନା ଜାର୍ଭେସ୍ ର କଥା କ'ଣ ଭଲ ଲାଗିଥାଆନ୍ତା କାହାକୁ ?


ଶେଷରେ ଆଉ ଗୋଟିଏ ଦୁଃଖର କଥା ।

ଏଇଟି ମଧ୍ୟ ଆଉ ଗୋଟିଏ ମାଆର କାହାଣୀ । ଏମିତି ଏକ ମାଆ ଆଉ ଦ୍ୱିତୀୟ ଥର ପୃଥିବୀକୁ ନ ଆସୁ । ଆପଣମାନେ ନିଶ୍ଚିତ ମୋ ସହିତ ସହମତ ହେବେ । ଇତିହାସ ଏଇଭଳି କିଛି ନିଷ୍ଠୁର ସତ୍ୟ ସହିତ ସର୍ବଦା ବିରାଜମାନ ।

ଆମେ ଏଇ ମଇ ୧୪ ତାରିଖ ଦିନ ମହା ସମାରୋହରେ ମାତୃଦିବସ ପାଳନ କରିଥିଲୁ । ଠିକ୍ ସେଇ ଦିନ, ଅର୍ଥାତ ମଇ ୧୪, ୧୯୩୯ ଦିନ ପେରୁର ମାଆଟିଏ ତାହାର ସନ୍ତାନକୁ ଜନ୍ମ ଦେଇଥିଲା । ସେଇ ମାଆଟିର ନାଆଁ, ଲିନା ମେଦିନା ।

ଲିନା ମେଦିନାକୁ ଯେତେବେଳେ ଡାକ୍ତରଖାନାରେ ଭର୍ତ୍ତି କରାଗଲା, ସେତେବେଳେ ମୂଖ୍ୟ ଡାକ୍ତର ଜେରାଡୋ ଲୋଜାଡା ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ । ତାଙ୍କର ତିରିଶ ବର୍ଷର ଅଭିଜ୍ଞତାରେ ସେ ଏଇ ଭଳି ଘଟଣା ଦେଖି ନଥିଲେ । ସମସ୍ତ ପରୀକ୍ଷା ପରେ ସେ ନିଶ୍ଚିତ ହେଲେ ଯେ, ଲିନା ମେଦିନା ସନ୍ତାନ ସମ୍ଭବା ।

ପେରୁର ଲିନା ମେଦିନା ହେଲା ପୃଥିବୀର ସବୁଠାରୁ କମ୍ ବୟସର ନଥିଭୂକ୍ତ ମାଆ । ମାଆ ହେଲାବେଳକୁ ତାହାର ବୟସ ମାତ୍ର ପାଞ୍ଚ ବର୍ଷ । ସେ ଗୋଟିଏ ପୁତ୍ରସନ୍ତାନକୁ ଜନ୍ମ ଦେଇଥିଲା । ସେଇ ପୁଅଟି ପ୍ରାୟ ଚାଳିଶ ବର୍ଷ ବଞ୍ଚିଥିଲା । ବଞ୍ଚିଥିବା ଯାଏଁ ତାହାକୁ ଲିନା ମେଦିନାର ଭାଇ ବୋଲି ଲୋକେ ଭାବୁଥିଲେ ।

ଲିନା ମେଦିନା ର ସେହି ସନ୍ତାନର ପିତାଙ୍କ ନାମ କେହି ଜାଣିନାହାନ୍ତି ।

ଏଇ କାହାଣୀକୁ ଅଧିକ ବିସ୍ତାର କରିବାକୁ ଇଚ୍ଛା ନାହିଁ । ଏହା ପଛରେ ଆଦୌ କୌଣସି ଦୈବିକ ଅଲୌକିକତା ନାହିଁ । ଯେଉଁ ପାଶବିକତାଟି ଜଳଜଳ କରି ଦିଶୁଛି, ତାହା ଆମର ସମସ୍ତ ପୁରୁଷାକାରକୁ ଧିକ୍କାର କରୁଛି ।

ସବୁ କଥାର ପ୍ରମାଣ ନଥାଏ । ଜେଲରୁ ତାକୁ ଛାଡି ଦିଆଗଲା, ପ୍ରମାଣ ଅଭାବରୁ ।

ପାପ କ'ଣ ,ଶରୀର କ'ଣ, ଜାଣି ନଥିବା ସେଇ ପାଞ୍ଚ ବର୍ଷ ବୟସର କୁନି ଝିଅଟି କେମିତି ହାତ ବଢାଇ ଦେଖାଇ ପାରିବ ମୂର୍ତ୍ତିମନ୍ତ ପ୍ରମାଣକୁ , ନିଜର ବାପକୁ ?

ଏଇ ଭଳି ନିଜ ଲେଖାକୁ ଦେଖିଲେ ବି ଘୃଣା ଆସୁଛି ।

କିନ୍ତୁ, କୁନି ମାଆ ଲିନା ମେଦିନା ମୋର ପ୍ରିୟ ।

ସବୁ ସମୟ ପାଇଁ ପ୍ରିୟ ।

2 comments:

  1. ଜ୍ୟୋତି ବାବୁ
    ହୃଦୟସ୍ପର୍ଶୀ...!

    ମା...!

    ଏଇ ଜଣକ...ଏଇ ପଦକ...ଏଇ ଜନ୍ମକ...!!
    ଯଥେଷ୍ଟ...!!!

    -ପ୍ରଭୂ

    ReplyDelete
  2. ବେଦନା ଓ ପୁଲକର ସହାବସ୍ତାନ-ଚମକ୍ତାର

    ReplyDelete