Wednesday, May 31, 2017

ଯେଉଁ ଦେଶରେ ବାସୁକୀ ପାଣି ଦିଏ


ମେଣ୍ଢାର ଦେଶ


ଗୋପୀନାଥ ମହାନ୍ତି 


ପ୍ଲାଟିପସର ଚିତ୍ର (୧୮୬୩ ମସିହା)
ଏଚ୍.ସି. ରିଖ୍ଟର୍ ଙ୍କର ବହି ଦ ମାମାଲ୍ସ୍ ଅଫ୍ ଅଷ୍ଟ୍ରେଲିଆ ପୁସ୍ତକରୁ ଆହୃତ
ଚିତ୍ରକର - ଜନ୍ ଗୋଲ୍ଡ୍ (୧୮୦୪-୧୮୮୧)

ନିଉଜିଲାଣ୍ଡ ପାଖରେ ଗୋଟିଏ ମହାଦେଶ ଅଛି, ସେ ସବୁ ମହାଦେଶଠାରୁ ସାନ । ତାର ଅଧିକାଂଶ ହେଉଛି ମରୁଭୂମି । ପୂର୍ବ ପାଖେ ଗୋଟାଏ ପର୍ବତ ଅଛି । ଦୁଇ ଚାରିଟା ଛୋଟ ଛୋଟ ନଈ ଅଛି । ସମୁଦ୍ର ଓ ପାହାଡ଼ ମଝିରେ ଅଳ୍ପ ସ୍ଥାନ ଅଛି, ଯେଉଁଠି ବର୍ଷା ହୁଏ, ପୂର୍ବ ପାଖେ ଲୋକେ ରହନ୍ତି । ପାହାଡ଼ ପଶ୍ଚିମକୁ ଅନେକ ଦୂର ପର୍ଯ୍ୟନ୍ତ ଘାସଭୂଇଁ ଅଛି, ସେଥିରେ ମେଣ୍ଢା ଚରନ୍ତି । ଲକ୍ଷ ଲକ୍ଷ ମାଣ ଘାସଭୂଇଁ ଚାରିକଡ଼ରେ ତାରର ବାଡ଼ ଦିଆ ହେଇଛି । ତାହାରି ଭିତରେ ମେଣ୍ଢା ରହନ୍ତି । ଯେତେ ଦୂର ଆଖି ଯିବ ଖାଲି ମେଣ୍ଢାଙ୍କ ରାଜ୍ୟ । କାଳେ ଠେକୁଆ ଆସି ଘାସ ଖାଇଯିବେ ବୋଲି ତାରର ଜାଲିରେ ତାରର କଣ୍ଟା ଦିଆଯାଇଛି । ବେଳେ ବେଳେ “କୀ” ଚଢେ଼ଇ ବୋଲି ଗୋଟାଏ ବଡ଼ ଚଢେ଼ଇ ଜୀଅନ୍ତା ମେଣ୍ଢାମାନଙ୍କୁ ମାରି ଖାଇଯାଏ । ଏ ମେଣ୍ଢାମାନଙ୍କର ଖୁବ୍ ବଡ଼ ବଡ଼ ରୁମ । ରୁମକଟା ସମୟ ହେଲେ ମେଣ୍ଢାମାନଙ୍କୁ ଫାର୍ମକୁ ଅଣାହୁଏ, ତାଙ୍କ ରୁମ (ଉଲ୍)କୁ ଲୋକେ କଇଁଚିରେ ନୋହିଲେ ବିଜୁଳି କଳରେ କାଟି ପକାନ୍ତି । ତା ପରେ ମେଣ୍ଢାମାନଙ୍କୁ ଛାଡ଼ି ଦିଅନ୍ତି । ଉଲ୍ କୁ ସଫା କରାଯାଇ କଳରେ ବୁଣାଯାଏ । ଏଥିରୁ ଗରମ କନା, ମୋଜା ପ୍ରଭୃତି ହୁଏ । ମେଣ୍ଢା ଛଡ଼ା ଲକ୍ଷ ଲକ୍ଷ ଗାଇ ଗୋରୁଙ୍କୁ ମଧ୍ୟ ଏଠି ଛାଡ଼ି ଦିଆ ଯାଇଛି । ସେମାନେ ଅରଣା ହୋଇ ବୁଲିଲା ପରି ଏଠି ବୁଲାନ୍ତି । ବେଳେ ବେଳେ ସତକୁ ସତ ବଣୁଆ ହୋଇ ଯାଆନ୍ତି, ତାଙ୍କୁ ଅଡେ଼ଇ ଆଣିବା କାଠିକର ପାଠ ହୁଏ । ଏଠି ଗାଇ ଓ ମେଣ୍ଢା ରଖୁଆଳିମାନେ ଘୋଡ଼ା ଚଢ଼ି ପଶୁ ଜଗନ୍ତି । 

ବଡ଼ ଜଙ୍ଗଲରେ ଡେ଼ଙ୍ଗା ଡେ଼ଙ୍ଗା ଇଉକ୍ୟାଲିପ୍ଟସ୍ ଗଛ ହୁଏ । ସିଧା ସିଧା ଏତେ ଉଚ୍ଚକୁ ବଢ଼ିଯାଏ ଯେ, ଇଉକ୍ୟାଲିପ୍ଟସ୍ ଜଙ୍ଗଲରେ ପଶିଲେ ଭାରି ସୁନ୍ଦର ଦିଶେ, ସତେ କି କେତେ ଗୁଡ଼ାଏ ଉଚ୍ଚ ଉଚ୍ଚ ଖୁଣ୍ଟ ଏକାଠି ପୋତା ହୋଇଛି ।

ତା ଛଡ଼ା ଅଧିକାଂଶ ସ୍ଥାନରେ ବୁଦିବୁଦିକିଆ ଜଙ୍ଗଲ । ମହାଦେଶର ଦକ୍ଷିଣରେ ଚାରିଅଡ଼କୁ ସମାନ ହୋଇ ଖାଲି ଏ ବୁଦାର ଜଙ୍ଗଲ ଧୀରେ ଧୀରେ ବଡ଼ ଜଙ୍ଗଲରେ ମିଶି ଯାଇଛି, କେଉଁଠି ଫାଙ୍କା ଫାଙ୍କା, କେଉଁଠି ବା ଗହଳ । ଏହି ଜଙ୍ଗଲରେ ଅଷ୍ଟ୍ରେଲିୟାର ବୁଦାଲୋକେ ରହିଛନ୍ତି । ସେମାନେ ଚାରିଆଡେ଼ ବ୍ୟାପି ଥିଲେ । ବର୍ତମାନ ଅଷ୍ଟ୍ରେଲିୟାରେ ସାହେବମାନେ ଘର କଲେଣି । ବୁଦା ଜଙ୍ଗଲ ଏ ପାଖେ ଯେପରି ବଡ଼ ଜଙ୍ଗଲରେ ମିଶି ଯାଇଛି, ସେ ପାଖେ ସେପରି ଘାସ ଭୂଇଁରେ ମିଶି ଯାଇଛି । ଏଠି ପଲ ପଲ କଙ୍ଗାରୁ ଚରନ୍ତି । ଏମାନଙ୍କ ଲାଙ୍ଗୁଡ଼ ବଡ଼ ଟାଣ, ଏମାନେ ଲାଙ୍ଗୁଡ଼କୁ ବାଡ଼ି ପରି ଭରା ଦେଇ ସିଧା ଠିଆ ହୋଇ ପଡନ୍ତି । ଚାଲିଲାବେଳେ ଡେ଼ଇଁ ଡେ଼ଇଁ ଚାଲନ୍ତି । ଏମାନଙ୍କୁ ଶିକାର କରିବାକୁ ଗଲାବେଳେ ଯଦି କଙ୍ଗାରୁ ପଳାଇ ନ ପାରେ ତେବେ କୌଣସି ଗୋଟିଏ ସ୍ଥାନରେ ସିଧା ହୋଇ ବସି ପଡ଼ି ଦାନ୍ତ ଦେଖାଏ ଓ ପଛ ଗୋଡ଼ର ବଡ଼ ବଡ଼ ନଖରେ ଆଘାତ କରି କୁକୁରମାନଙ୍କର ଅନ୍ତବୁଜୁଳି ବାହାର କରି ପକାଏ ।

ଠାଏ ଠାଏ ପଲ ପଲ ଏମୁ ଚଢେ଼ଇ ଚରୁଥିବାର ଦେଖାଯାଏ । ଏ ଚଢେ଼ଇମାନେ ଆକାରରେ ଭାରି ବଡ଼ । ଏମାନଙ୍କର ଲମ୍ବା ଲମ୍ବା ଗୋଡ଼, ତହିଁରେ ବିଜୁଳିପରି ଦଉଡ଼ି ପଳାନ୍ତି, କିନ୍ତୁ ଏମାନଙ୍କର ପକ୍ଷୀ ନାହିଁ, ଏମାନେ ଉଡ଼ି ପାରନ୍ତି ନାହିଁ । ଶିକାରୀ କୁକୁର ବେଳେ ବେଳେ ଏମାନଙ୍କ ଲାଞ୍ଜକୁ କାମୁଡ଼ି ଧରନ୍ତି ।
ଏ ଦେଶରେ ବଣୁଆ କୁକୁର ଅଛନ୍ତି; ସେମାନଙ୍କୁ ଡ଼ିଙ୍ଗୋ କୁହାଯାଏ । ସେମାନେ ଗଧିଆପରି ଭୀଷଣ । 

ଏ ଦେଶରେ ପ୍ଲାଟିପସ୍ ବୋଲି ଗୋଟାଏ ପ୍ରକାର ବଣୁଆ ହଂସ ଅଛନ୍ତି ।

ଏହି ଦେଶରେ ଯେଉଁ ବଣୁଆ ଲୋକ ଅଛନ୍ତି, ସେମାନଙ୍କର ରଙ୍ଗ ମାଟିଆ, ସ୍ଥାନକୁ ସ୍ଥାନ ସେମାନଙ୍କ ଚେହେରାରେ ଫରକ ପଡେ଼ । ସେମାନେ ଗଛ ଛେଲିରେ ତିଆରି ଛୋଟ ଛୋଟ କୁଡି଼ଆରେ ରହନ୍ତି, ସେ କୁଡ଼ିଆକୁ କହନ୍ତି “ଗୁଣ୍ୟାଃ” ।

ଏ ଦେଶରେ ବେଶୀ ଜନ୍ତୁ ନ ଥିଲେ । ତେଣୁ ଯାହା ମିଳେ ସବୁ ଏମାନେ ଖାଆନ୍ତି । ଗୋଧି, ଝିଟିପିଟି, ସାପ, ବେଙ୍ଗ, ପିମ୍ପୁଡ଼ି ଏହିସବୁ ଏମାନଙ୍କର ଖାଦ୍ୟ । ଭାଗ୍ୟଥିଲେ କଙ୍ଗାରୁ ବା ଅପୋସମ୍ ପରି ବଡ଼ ଜନ୍ତୁ ବା ଏମୁ ପରି ବଡ଼ ଚଢେ଼ଇ ଏମାନଙ୍କ କପାଳକୁ ଯୁଟେ । 

ଏ ଲୋକମାନେ ପିଠିରେ ଓ ଦେହର ଚାରିଆଡେ଼ ରଙ୍ଗରେ ଚିତ୍ର କରିଥାଆନ୍ତି । ଏମାନେ ଲଙ୍ଗଳା ଲୋକ, ପୂର୍ବେ ମଣିଷ ଖାଉଥିଲେ ।

ଅନ୍ୟାନ୍ୟ ବଣୁଆ ଜାତିର ଲୋକଙ୍କ ତୁଳନାରେ ଏମାନଙ୍କର ବୁଦ୍ଧି-ଶୁଦ୍ଧି କମ୍ । ଗଣିବାକୁ ପଡ଼ିଲେ ଏମାନଙ୍କର ବୁଦ୍ଧି ଭ୍ରମ ହୋଇଯାଏ । ଏମାନେ ଯେଁ ବର୍ଛା, ପଥର ଓ ହାଡ଼ର ଖଣ୍ଡା ପଭୃତି କରନ୍ତି ସେ ସବୁ ଅତି ନିରସା । ଏକମାତ୍ର ବିଚକ୍ଷଣ ଆୟୁଧ ହେଉଛି ବୁମ୍ରାଙ୍ଗ୍ । ଏ ଗୋଟିଏ ହାଲୁକା ଅସ୍ତ୍ର, ଦେଖିବାକୁ ଗୋଟିଏ ଅର୍ଦ୍ଧ-ଚନ୍ଦ୍ର ପରି । ଏ ଅସ୍ତ୍ର ଫୋପାଡ଼ିଲେ ସିଧା ଯାଏ ନାହିଁ, ଉଡ଼ିଲା ପରି ଯାଏ, ତେଣୁ ଏହା ଅତି ବିଚକ୍ଷଣ ।

ଯେଉଁ ବୁମ୍ରାଙ୍ଗ୍ ମାରି ଦେଇ ହାତକୁ ଫେରିଆସେ ସେ ଗୋଟାଏ ଖେଳନା ମାତ୍ର । ତହିଁରେ କେବଳ ଛୋଟ ଚଢେ଼ଇ ମରନ୍ତି ।

କିନ୍ତୁ ଏମାନେ ଜଙ୍ଗଲ ଭିତରେ ଖାଦ୍ୟ ଖୋଜି ବୁଲି ବୁଲି ଏମାନଙ୍କର ଇନ୍ଦ୍ରିୟ-ଶକ୍ତି ବଡ଼ ବିଚକ୍ଷଣ ହୋଇଯାଇଛି, ଦେଖିଲେ ଲୋକ ଆଶ୍ଚର୍ଯ୍ୟ ହୋଇଯିବ । ଏମାନଙ୍କ ଘ୍ରାଣଶକ୍ତି ଓ ଦୃଷ୍ଟିଶକ୍ତି ଅତିଶୟ ତୀକ୍ଷ୍ଣ । ଗୋଟାଏ ଘୋଡ଼ା ଟାପୁର ଖୋଜ ଦେଖିଲେ ଏମାନେ କହିଦେବେ, କେତେ ସମୟ ହେଲା ସେବାଟେ ଘୋଡ଼ା ଯାଇଛି, ଆଉ ଘୋଡ଼ାଟାର ଆକାର କିପରି । 

ଗୋଟାଏ ଗାତ ଦେଖିଲେ ଏମାନେ କହିଦେବେ, ଯେ ସେ ଗାତ ଖୋଳିଛି ସେ କିପରି ଧରଣର କେଉଁ ଜାତିର ଲୋକ । ବୁଦା ଜଙ୍ଗଲ ଭିତରେ ବାଟ ଖୋଜିବା ବଡ଼ ଅସୁବିଧା, କାରଣ ଚାରିଆଡ଼ର ସବୁ ବୁଦା ଏକାପରି ଦିଶେ, କିନ୍ତୁ ଏ ଲୋକମାନେ ଅତି ସୁନ୍ଦର ଭାବେ ବାଟ ବାରି ପାରନ୍ତି ଓ କୌଣସି ଲୋକ ଚାଲି ଯାଇଥିଲେ ତାକୁ ଖୋଜି ବାହାର କରିପାରନ୍ତି । ପିଲାଦିନୁ ପୁଅ ଝିଅ ସମସ୍ତେ କେବଳ ଖେଳଭିତରେ ଏସବୁ ଶକ୍ତି ଅଭ୍ୟାସ କରିଥାଆନ୍ତି, କାରଣ ତାରି ଉପରେ ସେମାନଙ୍କର ଖାଦ୍ୟ ଖୋଜି ଗୋଟାଇ ନେବା ନିର୍ଭର କରେ ।

“ସମୁଦ୍ର-ଗାଇ” ବୋଲି ଗୋଟାଏ ବଡ଼ ମାଛ ଅଛି, ଏ ଲୋକମାନେ ସେ ମାଛକୁ ବର୍ଛାରେ ନୋହିଲେ ଧନୁଶରରେ ମାରନ୍ତି । ତହିଁରୁ ଖାଦ୍ୟ ଓ ତେଲ ପାଆନ୍ତି । ଏମାନେ ବଡ଼ ଅଦ୍ଭୁତ ଉପାୟରେ ମାଛ ମାରନ୍ତି । ଗୋଟାଏ ଡ଼ଙ୍ଗା ବା ପଥରରେ ଠିଆହୋଇ ପାଣି ଭିତରକୁ ବର୍ଚ୍ଛା କେଞ୍ଚି ମାଛ ମାରନ୍ତି । ନେହିଲେ ଛୁରି ଧରି ପାଣି ଭିତରେ ବୁଡ଼ି ବୁଡ଼ି ମାଛ ଶୀକାର କରନ୍ତି ।

ଏ ଲୋକମାନେ ଭାରି ଅନ୍ଧ-ବିଶ୍ୱାସୀ । ଏମାନଙ୍କର ଧାରଣା ଯେ, ଦେଢ଼ଶହ ମାଇଲ ଲମ୍ବା ଗୋଟାଏ କଳା ସାପ ଅଛି, ସେ ହେଉଛି ସାପ-ଦେବତା, ସବୁ ସାପଙ୍କର ପୂର୍ବପୁରୁଷ । ତାର ନାମ ୱେଲ୍ଲୁଙ୍କୁଆ । ତାର କାମ ହେଉଛି ଏମାନଙ୍କୁ ପାଣି ଯୋଗାଇବା, କିନ୍ତୁ ସେ ବରାବର କାମରେ ଖଇଚା କରେ । ତେଣୁ ଏ ଲୋକମାନେ ତାକୁ ସନ୍ତୋଷ କରିବାପାଇଁ ବରାବର ପୂଜା କରନ୍ତି ।

ଏମାନେ ଭାବନ୍ତି ଯେ, ଗୁଣି-ଗାରେଡ଼ି କଲେ ଏମାନଙ୍କର ସବୁ ସିଦ୍ଧି ହେବ । ଯେତେବେଳେ ଅଧରାତିରେ ଜହ୍ନ ଆଲୁଅ ପଡ଼ିଥାଏ, ଚାରିଆଡ଼ ଶୂନଶାନ୍, ସେତେବେଳେ ଏମାନେ ମଶାଲ ଜାଳି ଗୁଣି କରିବା ପାଇଁ “କାରୋବୋର୍” ବା ସଭା କରନ୍ତି । ଏପରି ସଭାକୁ କେହି ସ୍ତ୍ରୀ ବାଳକ ଆସି ପାରିବେ ନାହିଁ । ପିଲା ଯେତେବେଳେ ଯବାନ୍ ହୋଇଯାଏ ସେତେବେଳେ ତା ପାଇଁ ମଧ୍ୟ ଏମାନେ “କାରୋବୋର୍” କରନ୍ତି । ତା ଛଡ଼ା ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ଖାଇବା ପାଇଁ ପ୍ରତ୍ୟେକ ଲୋକ ଭିନ୍ନ ଭିନ୍ନ ପ୍ରକାର କିମିଆ କରନ୍ତି । ଦେହରେ ସାପର ଛବି ଆଙ୍କି ନିଜକୁ ସାପ ପରି ସଜାଇ ଏମାନେ ସାପ-କିମିଆ କରନ୍ତି, ତହିଁରେ କୁଆଡେ଼ ଖାଇବାପାଇଁ ପ୍ରଚୁର ସାପ ମିଳିବେ । ମୁଣ୍ଡ ଉପରେ ପୁରୁଷେ ଉଚ୍ଚ କାଠ, ଚଢେ଼ଇ ପର ଓ ମଣିଷ ବାଳର ଦେଉଳିଆ ମୁକୁଟ ପିନ୍ଧି ଏମାନେ ଏମୁ କିମିଆ କରନ୍ତି, ତହିଁରେ କୁଆଡେ଼ ଏମୁ ଚଢେ଼ଇ ବେଶୀ ମିଳିବେ । ଗୋଟାଏ ବଡ଼ ଖୁଣ୍ଟତଳେ ଚିତ୍ର-ବିଚିତ୍ର ହୋଇ ଏମାନେ ପିମ୍ପୁଡ଼ି କିମିଆ କରନ୍ତି, ତହିଁରେ କୁଆଡେ଼ ପ୍ରଚୁର ପିମ୍ପୁଡ଼ି ମିଳିବେ ।

ବି.ଦ୍ର. - ଏହି ଲେଖାଟି ଶ୍ରୀ ଗୋପୀନାଥ ମହାନ୍ତି କୃତ ପିଲାଙ୍କ ଭୂଗୋଳ ପାଠ୍ୟପୁସ୍ତକ 'ଭୌଗଳିକ କାହାଣୀ'ରୁ ଆହୃତ ।

No comments:

Post a Comment