Wednesday, May 24, 2017

ମହିମା ଭକ୍ତି କବିତା - 'କ୍ଷମା କର ଅପରାଧ'


ସନ୍ଥ କବି ଭୀମ ଭୋଇ



ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

କ୍ଷମା କର ଅପରାଧ ।

ଛପନ କୋଟି ଜୀବଙ୍କୁ ସମ୍ପାଦ ଯେ । ଘୋଷା ।

ପ୍ରକୃତିରେ ଜୀବ ପଡି ଭବାର୍ଣ୍ଣବେ ଭକ୍ଷୁ ଅଛି ମାଂସ ମଦ
ଏହାଙ୍କର ଦୋଷ ଧଇଲେ କି ହେବ ଗୁରୁ ତ ପରମ ଆଦ୍ୟ ଯେ ।୧।

ଜଙ୍ଗମ ହୋଇ ଏ କିଛି ନ ଜାଣନ୍ତି ବେଦ ପୁରାଣର ଭେଦ
ୟାଙ୍କୁ କୋପ କଲେ କି କାର୍ଯ୍ୟ ହୋଇବ ମନେ ନ କର ବିଷାଦ ଯେ ।୨।

ସ୍ଥାବରମାନେ ଯେ କିପରି ଜାଣିବେ ପରଂବ୍ରହ୍ମର ସମ୍ବାଦ
ସଂହାରଣ କଲେ କି ଯଶ ରହିବ ଚକ୍ରରେ ମ କର ଛେଦ ଯେ ।୩।

କୀଟପଖାନି କିସ ନାମ ଜାଣନ୍ତି ଲୁଚନ୍ତି ବିଳର ମଧ୍ୟ
ଅଜ୍ଞାନୀ ପ୍ରାଣୀକି କିମ୍ପାଇଁ ନାଶିବ ଆପେ ବୁଝି ହୁଅ ବୋଧ ଯେ ।୪।

ପତଙ୍ଗ ଜାତି ଯେଉଁ ଭକ୍ତି ଜାଣନ୍ତି ଆକାଶରେ ତାଙ୍କ ନାଦ
ନିର୍ଦ୍ଦୋଷୀ ଜନଙ୍କୁ ଛାଡିକରି ସ୍ୱାମୀ ଅସାଧ୍ୟକୁ କର ସାଧ୍ୟ ଯେ ।୫।

ଭାସି ଯାଇଛନ୍ତି କୂଳେ ନ ଲାଗନ୍ତି ଅଗାଧ ସାଗର ହ୍ରଦ
ଭଣେ ଭୀମହୀନ ପାମର ଅଜ୍ଞାନ ଧ୍ୟାୟି ଏକାକ୍ଷର ପାଦ ଯେ ।୬।

No comments:

Post a Comment