Friday, May 05, 2017

ମହିମା ଭକ୍ତି କବିତା - 'ଯାଇଁ ଶରଣ ମାଗ'


କବି - ଭୀମ ଭୋଇ


ପାତାଳ ଲୋକର ପାରମ୍ପାରିକ ଚିତ୍ରଣ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଯାଇଁ ଶରଣ ମାଗ।

ଗୁରୁପାଦ ବିନ୍ଦେ ହୋଇଲେ ଯୋଗ୍ୟ । ଘୋଷା ।

ଏକା ଜଣକର ନୁହଁନ୍ତି ଠାକୁର
ଅଛି ସବୁରି ଭାଗ ।
କୋଠ ଲୋକ ହେବ ଅନ୍ତର ନୋହିବ
ଯେଉଁମାନେ ଭଜୁଥିବେଟି ଆଗ ।୧।

ଦୟା ଯେବେ ହେବ ଏ ପିଣ୍ଡ ରହିବ
ଚାରିଯୁଗରେ ଥିବ ।
ଯା’ର ମନ ଇଚ୍ଛା ଅଛି ଯେଉଁ ବାଞ୍ଛା
ନିଶ୍ଚେ ପରାପତ ତାହାଙ୍କୁ ହେବ ।୨।

ମହା ଘୋର କଥା କରିବେ କରତା
କହିଲେ ଅସମ୍ଭବ
ଦିନୁ ଦିନୁ ଦେଖ ତିନି ତ୍ରଇଲୋକ୍ୟ
ମାଡିଯିବେ ଭକ୍ତ ଏ ଚଉଦିଗ ।୩।

ଅପୂର୍ବ କାହାଣୀ ହେବ ଏ ମେଦିନୀ
ବେନି ଡୋଳେ ଦେଖିବ ।
ଅଲେଖ ମହିମା ଯେବେ ନ ଭଜିବ
ରବି ତଳେ କାହିଁ ମିଳିବ ଠାବ ।୪।

ଦେଉଅଛି ଡାକ ତିନିପୁର ଯାକ
ଚେତାରେ ଯେ ଧରିବ ।
ସାଧିଲେ ସୁଜ୍ଞାନ ରହିବ ବିହନ
ବ୍ରହ୍ମଅଙ୍ଗ ଲୋକ ସେ ବୋଲାଇବ ।୫।

କଳିକ୍ଷୟ ଯିବ ଧର୍ମ ପ୍ରକାଶିବ
ହେଲାଣି ସତ୍ୟ ଶୁଭ ।
ଗୁରୁପାଦ ଧ୍ୟାୟି ଭଣେ ଭୀମ ଭୋଇ
କବିକୃତ ପଦ ଯୋଗ୍ୟ ହୋଇବ ।୬।

No comments:

Post a Comment