Thursday, May 11, 2017

ନୋଟବନ୍ଦୀ ନା ଅର୍ଥନୀତିମେଧ ଯଜ୍ଞ

ନୋଟବନ୍ଦୀ ପରେ ଟଙ୍କା କାଢ଼ିବା ପାଇଁ ଏଟିମ୍ ମେସିନ ଆଗରେ ଲମ୍ବା ଲାଇନ


ଭାରତର ଏବେର ପ୍ରଧାନମନ୍ତ୍ରୀ ଯେତେବେଳେ ନୋଟବନ୍ଦୀ ବିଷୟରେ ଭାଷଣବାଜି କରୁଛନ୍ତି, ସେତେବେଳେ ଅନେକ ସମୟରେ ସେ ନୋଟ ଅଚଳିକରଣକୁ ଦୁର୍ନୀତି ବିରୁଦ୍ଧରେ ଏକ ମହାଯଜ୍ଞ ବୋଲି ଚିତ୍ରିତ କରୁଛନ୍ତି । ଯଦି ଆମେ ଏହିପରି ଭାଷାର ବ୍ୟବହାରକୁ ମୁହୂର୍ତ୍ତକ ପାଇଁ ଗ୍ରହଣ କରିନେବା, ତାହା ହେଲେ ପଚାରିବା ଯୋଗ୍ୟ ପ୍ରଶ୍ନଗୁଡ଼ିକ ହେଲା, ଏହି ଯଜ୍ଞ କେଉଁ ଉଦ୍ଦେଶ୍ୟରେ କରାଯାଇଛି, ଏଥିରେ ଯଜମାନ କିଏ, ପୁରୋହିତ ଭୁମିକାରେ କିଏ ଅବତୀର୍ଣ୍ଣ, ଏବଂ ହୋମରେ ଆହୁତି କାହାର ଦିଆଯାଉଛି ଓ କାହିଁକି ।

ଅନେକ ବିଜ୍ଞ ଲୋକଙ୍କୁ ନୋଟବନ୍ଦୀର ପ୍ରଭାବ କଅଣ ବୋଲି ଯଦି ଆପଣ ପଚାରିବେ, ତାହା ହେଲେ ଆପଣଙ୍କୁ ଶୁଣିବାକୁ ମିଳିବ ଯେ ଏ ବିଷୟରେ କିଛି କହିବା ପାଇଁ ଆମକୁ ଆଉ ଅନେକ ସମୟ ଅପେକ୍ଷା କରିବାକୁ ପଡ଼ିବ । ହେଲେ ଆପଣ ଯଦି ପଚାରିବେ ଯେ କେତେ ସମୟ, ତାହା ହେଲେ ଆପଣଙ୍କୁ ତାହାର କିଛି ଉତ୍ତର ବୋଧ ହୁଏ ମିଳିବ ନାହିଁ । ଅର୍ଥନୀତିଜ୍ଞ ଜନ୍ ମେନାଡ୍ କିନ୍ସ୍ ଙ୍କ ଅନୁସାରେ ଦୀର୍ଘ ମିୟାଦରେ ଆମେ ସମସ୍ତେ ପରଲୋକ ଗମନ କରିସାରିଥିବା । ଏଣୁ ଆମକୁ ନୋଟ ଅଚଳିକରଣର ପ୍ରଭାବ ବିଷୟରେ ଭାବିବାକୁ ଆରମ୍ଭ କରିବାକୁ ହିଁ ପଡ଼ିବ ।

ଏହାର ଉତ୍ତର ଏହିକ୍ଷଣି ସିଧାସଳଖ ନ ଦେଇ ଆମେ କିଛି ପରିସଂଖ୍ୟାନକୁ ଦେଖିବା ଆସନ୍ତୁ । ନଭେମ୍ବର ଆଠ ଦୁଇ ହଜାର ଷୋହଳ ମସିହାର ନୋଟ ଅଚଳିକରଣର ଘୋଷଣା ଏକା ମାଡ଼କେ ଦେଶର ଅର୍ଥନୀତିରୁ ଶତକଡ଼ା ୮୬ ଭାଗ ମୂଲ୍ୟର ନଗଦ କାଗଜ ଟଙ୍କା ବାହାର କରିନେଲା । ଅନେକ ଅର୍ଥନୀତିଜ୍ଞମାନଙ୍କ ମତରେ ନୋଟବନ୍ଦୀ ଦେଶର ସାତ ଭାଗରୁ ଛଅ ଭାଗ ନଗଦ କାଗଜ ଟଙ୍କା କାଢ଼ିନେଇ ଦେଶର ଅର୍ଥ ବ୍ୟବସ୍ଥାକୁ ଅସୁସ୍ଥ କରି ପକାଇଛି । କିନ୍ତୁ ଆପଣ କହିପାରନ୍ତି, ଦେଶରୁ କଳା ଟଙ୍କା ହଟାଇବା ପାଇଁ ଏହା ଜରୁରୀ ଥିଲା । କିନ୍ତୁ ପ୍ରଶ୍ନ ହେଲା ଏହି ପଦକ୍ଷେପ ଦେଶରୁ କଳାଟଙ୍କା ହଟାଇପାରିଛି କି । ଆଠ ନଭେମ୍ବରରେ ପ୍ରଧାନମନ୍ତ୍ରୀ ଜାତି ଉଦ୍ଦେଶ୍ୟରେ ଦେଇଥିବା ଭାଷଣ ଅନୁସାରେ, ନୋଟବନ୍ଦୀର ଉଦ୍ଦେଶ୍ୟ ଥିଲା ଦେଶରୁ କଳା ଟଙ୍କା ଲୋପ କରିବା ତଥା ଜାଲ ନୋଟ କାରବାରକୁ ଧୂଳିସାତ କରିବା ।

ସରକାର ଆଶା (ଅବଶ୍ୟ ଏହି ଆଶାର ଭିତ୍ତି କଅଣ ତାହା ଜଣାନାହିଁ) କରୁଥିଲେ ଯେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ କରି ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କାର କଳାଧନ ଧ୍ୱ‌‌ଂସ ହୋଇଯିବ ଓ ଏହା ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଲେଉଟିବ ନାହିଁ । ମାତ୍ର ଅନେକ ଆକଳନ ଭିତ୍ତିରେ ଏହା ଜଣାଯାଉଛି ଯେ ୧୫.୪ ଲକ୍ଷ କୋଟି ମୂଲ୍ୟର ଟଙ୍କା ଅଚଳ ହୋଇଥିବାବେଳେ ଏ ପର୍ଯ୍ୟନ୍ତ ୧୪.୯ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟାଙ୍କଗୁଡ଼ିକୁ ଫେରି ଆସିଛି । ଯଦିଓ ଏ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ ଏହି ବିଷୟକ କୌଣସି ଚୁଡ଼ାନ୍ତ ପରିସଙ୍ଖ୍ୟାନ ଜାରି କରି ନାହାନ୍ତି । ଅର୍ଥାତ ମାତ୍ର ଚାଳିଶି ହଜାର କୋଟି ମୂଲ୍ୟର ଅଚଳ ନୋଟ ବ୍ୟବସ୍ଥାର ବାହାରେ ରହିଯାଇଛି । ଏସବୁ ଟଙ୍କା ଯେ ଅସତ ଉପାୟରେ ଅର୍ଜିତ ଧନ, ତାହା ବିଶ୍ୱାସ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ । ଅର୍ଥାତ, କଳା ଟଙ୍କା ଉପରେ ନୋଟ ଅଚଳିକରଣର କୌଣସି ପ୍ରଭାବ ପଡ଼ିନାହିଁ । ମାତ୍ର ସେଣ୍ଟର୍ ଫର୍ ମନିଟରିଙ୍ଗ୍ ଇଣ୍ଡିଆନ୍ ଇକନମି ଅନୁସାରେ ନୋଟବନ୍ଦୀ ସମୁଦାୟ କାରବାର ଖର୍ଚ୍ଚ ହେଲା ୧.୨୮ ଲକ୍ଷ କୋଟି ।

ଅର୍ଥାତ ନୋଟବନ୍ଦୀକୁ ଲାଗୁ କରିବା ପାଇଁ ୧.୨୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯଦି ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଫେରି ନଆସିଥିବା ସମୁଦାୟ ଚାଳିଶି ହଜାର କୋଟି ଟଙ୍କା କଳାଧନ ହୋଇଥାଏ, ତାହା ହେଲେ ମଧ୍ୟ ସରକାର ୪୦ ଟଙ୍କାର ଚୋରି ଧରିବା ପାଇଁ ୧୨୮ ଟଙ୍କା ଖର୍ଚ୍ଚ କଲେ ବୋଲି ଆମେ ଅନୁମାନ କରିପାରିବା । ଏହା କିପରି ପ୍ରକାରର ଅର୍ଥନୈତିକ ନିଷ୍ପତ୍ତି ତାହା ବିଚାର୍ଯ୍ୟ । ଆମେ ଏଠାରେ କହିରଖିବା ଉଚିତ ହେବ ଯେ ପୃଥିବୀର ଅନ୍ୟ କୌଣସି ବଡ଼ ଅର୍ଥନୀତି ଥିବା ଦେଶ କଳା ଟଙ୍କାକୁ ରୋକିବା ପାଇଁ ନୋଟବନ୍ଦୀ ପରି ଅର୍ଥନୀତିମେଧ କରୁଥିବା ପଦକ୍ଷେପ ଉଠାଇ ନାହାନ୍ତି, ଯଦିଓ ସେଗୁଡ଼ିକରେ ନଗଦ ଟଙ୍କାର ବ୍ୟବହାର ଆମ ଅପେକ୍ଷା ଯଥେଷ୍ଟ କମ ।

ଏହା ଭିତରେ ଅନେକ ସହରରେ ଆୟକର ବିଭାଗର ଚଢ଼ଉରେ କୋଟି କୋଟି ଟଙ୍କାର ନୂଆ ୨୦୦୦ ଟଙ୍କିଆ ନୋଟରେ ସଞ୍ଚିତ ଆୟ ବହିର୍ଭୂତ ସମ୍ପତ୍ତି ଧରା ପଡ଼ିଛି । ଆମେ ଭୁଲି ଯାଉ ଯେ ଦୁର୍ନୀତି ଗୋଟିଏ ଘଟଣା ନୁହେଁ, ଏହା ଏକ ପ୍ରକ୍ରିୟା । ତୃଣମୂଳ ସ୍ତରର ଆର୍ଥିକ ଓ ରାଜନୈତିକ ସ୍ତରରେ ମୌଳିକ ପରିବର୍ତ୍ତନ ବିନା, ଦୁର୍ନୀତି ଦୂର ହେବା ଅସମ୍ଭବ । ଅନ୍ୟାନ୍ୟ ନାନାଦି ଘଟଣା ଛଡ଼ା, ୨୬ ନଭେମ୍ବର ୨୦୧୬ରେ ହାଇଦରାବାଦରୁ ୨୨୨, ୩୧୦ ଟଙ୍କା ମୂଲ୍ୟର, ୨୬ ଡ଼ିସେମ୍ବର ୨୦୧୬ରେ ଗୁଜୁରାଟରେ ୨୬ ଲକ୍ଷ ମୂଲ୍ୟର, ୪ ଫେବ୍ରୁଆରୀ ୨୦୧୭ରେ ଓଡ଼ିଶାରୁ ୨୭.୪୬ ଲକ୍ଷ ଟଙ୍କାର ନୂଆ ୫୦୦ ଓ ୧୦୦ ଟଙ୍କିଆ ଜାଲ କାଗଜ ଟଙ୍କା ଜବତ ହୋଇସାରିଲାଣି । ଅର୍ଥାତ ନୂଆ କାଗଜ ଟଙ୍କା ଜାଲ ନୋଟ କାରବାରକୁ ରୋକିବାରେ ମଧ୍ୟ ସକ୍ଷମ ହୋଇପାରିନାହିଁ ।

ଯଦି ନୋଟବନ୍ଦୀ ତାହାର ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇ ପାରି ନାହିଁ, ଏବେ ଦେଖିବା ଏହା କିପରି ଭାବରେ ଅର୍ଥନୀତି ଉପରେ ପ୍ରଭାବ ପକାଇଛି । ୨୦୧୬ ମସିହାର ଅକ୍ଟୋବରରେ ସେବା କ୍ଷେତ୍ରର ପର୍ଚେସିଙ୍ଗ୍ ମ୍ୟାନେଜର୍ସ୍ ଇଣ୍ଡେକ୍ସ୍ (ପି.ଏମ୍.ଆଇ.) ଅକ୍ଟୋବର ମାସରେ ୫୪.୫ ଥିଲା ବେଳେ ନୋଟବନ୍ଦୀ ଯୋଗୁଁ ତାହା ପର ମାସ ନଭେମ୍ବରରେ ଏହା ୪୬.୭କୁ ଖସିଗଲା । ସେହିପରି ମ୍ୟାନୁଫ୍ୟାକ୍ଚରିଙ୍ଗ୍ କ୍ଷେତ୍ରର ପି.ଏମ୍.ଆଇ. ଅକ୍ଟୋବର ମାସରେ ୫୪.୪ରୁ ନଭେମ୍ବରରେ ୫୨.୩ କୁ ଖସିଛି । ସେହିପରି ଅଣୁ-ବିତ୍ତ (ମାଇକ୍ରୋ-ଫାଇନାନ୍ସ୍) କ୍ଷେତ୍ରରେ ୨୦୧୬ ମସିହାର ଅକ୍ଟୋବର–ଡ଼ିସେମ୍ବର ତ୍ରୈମାସିକରେ ୠଣର ସଂଖ୍ୟାରେ ଶତକଡ଼ା ଛବିଶି ଭାଗ ତଥା ୠଣର ପରିମାଣରେ ଶତକଡ଼ା ଷୋହଳ ଭାଗ ହ୍ରାସ ଦେଖା ଦେଇଛି । ୨୦୧୬-୧୭ ମସିହାର ଆର୍ଥିକ ଅଭିବୃଦ୍ଧି ଶତକଡ଼ା ଛଅ ତଳକୁ ଖସିଯାଇପାରେ । ଏହା କେବଳ ଏହି ବର୍ଷର କଥା ନୁହେଁ । ନୋଟବନ୍ଦୀ ମାଡ଼ରେ ବିକଳାଙ୍ଗ ହୋଇଥିବା ଅର୍ଥନୀତି ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହି ହାରରେ ହିଁ ଅଭିବୃଦ୍ଧି ହାସଲ କରିବ ବୋଲି ସେଣ୍ଟର୍ ଫର୍ ମନିଟରିଙ୍ଗ୍ ଇଣ୍ଡିଆନ୍ ଇକନମିର ଏକ ଆକଳନ କହୁଛି । ଏଠାରେ ଉଲ୍ଲେଖ କରିବା ଉଚିତ ଯେ ଗତ ଦଶନ୍ଧି ଧରି ଅର୍ଥନୀତିର ହାରାହାରି ବାର୍ଷିକ ଅଭିବୃଦ୍ଧି ହାର ଶତକଡ଼ା ସାତ ଭାଗ ରହିଆସିଛି । ସରକାର ଅବଶ୍ୟ ଏହା ଭିତରେ ‘ସବୁକିଛି ଠିକ ଚାଲିଛି’ର ଚିତ୍ର ପରିବେଷଣ କରିବା ପାଇଁ ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ବିଷୟକ କିଛି ପରିସଂଖ୍ୟାନ ଜାରୀ କରିଛନ୍ତି । କିନ୍ତୁ ଆମେ ମନେ ରଖିବା ଉଚିତ ଯେ ସରକାର ଜାରୀ କରିଥିବା ସଂଖ୍ୟାଗୁଡ଼ିକ ତତ୍କାଳିକ ମାତ୍ର । ଆଉ କିଛି ମାସ ପର୍ଯ୍ୟନ୍ତ ଆମ ଆଗରେ ଏହି ବିଷୟରେ ଚିତ୍ର ସ୍ପଷ୍ଟ ହେବାର ସମ୍ଭାବନା ନାହିଁ ।

ନୋଟବନ୍ଦୀ ଯୋଗୁଁ ପୁଞ୍ଜିନିବେଶ ମଧ୍ୟ ତଡ଼ିତ ବେଗରେ ହ୍ରାସ ପାଇଛି । ବର୍ତ୍ତମାନର କେନ୍ଦ୍ର ସରକାରଙ୍କର ଅର୍ଥନୈତିକ ପରିଚାଳନାର ପ୍ରଥମ ନଅଟି ତ୍ରୈମାସିକରେ ହାରାହାରି ପୁଞ୍ଜିନିବେଶ ୨.୩୬ ଲକ୍ଷ କୋଟି ରହିଆସିଛି । ମାତ୍ର ନୋଟବନ୍ଦୀର ପ୍ରଭାବରେ ଗତ ୨୦୧୬ ମସିହାର ଶେଷ ତ୍ରୈମାସିକରେ ଏହା ପାଖାପାଖି ଅଧା, ଅର୍ଥାତ ୧.୨୫ ଲକ୍ଷ କୋଟିକୁ ଖସି ଆସିଛି । ଖାଉଟି ସାମଗ୍ରୀର ବିକ୍ରୀ ଏହି ସମୟରେ କୋଡ଼ିଏରୁ ଚାଳିଶି ଭାଗ ପର୍ଯ୍ୟନ୍ତ ହ୍ରାସ ପାଇଛି । ସୂଚନା ପ୍ରଯୁକ୍ତି ବିଦ୍ୟା, ଯାନବାହାନ, ପରିବହନ, କପଡ଼ା ଉଦ୍ୟୋଗ, ଚମଡ଼ା ଶିଳ୍ପ ଆଦି ନାନାଦି ଛୋଟ ବଡ଼ କଳକାରଖାନା ବନ୍ଦ ହେବାର ଓ ଲୋକେ ବେକାର ହେବାର ଖବର ଆମେ ନିଇତି ପଢ଼ିବାକୁ ପାଉଛୁ ।

ଭାରତର କ୍ଷୁଦ୍ର ଓ ଅନୌପଚାରିକ କ୍ଷେତ୍ର ଯାହା ଉତ୍ପାଦନର ପଇଁଚାଳିଶ ଭାଗ ଓ କର୍ମସଂସ୍ଥାନର ଅଶି ଭାଗ ଯୋଗାଏ, ମୂଳତଃ ନଗଦ ଟଙ୍କା ଉପରେ ନିଜର କାରବାର ପାଇଁ ନିର୍ଭରଶୀଳ । ଏହା କେବେ ବି ନୋଟବନ୍ଦୀର ମାଡ଼ରୁ ଉଧୁରି ପାରିବ କି ନାହିଁ, ସେଥି ପ୍ରତି ସନ୍ଦେହ ରହିଛି । ଅନୌପଚାରିକ କ୍ଷେତ୍ର ନିଜର ସଜ୍ଞା ଅନୁସାରେ ସରକାରୀ ହିସାବ ପତ୍ରର ବାହାରେ । ଅର୍ଥାତ ଅର୍ଥନୀତିର ହିସାବରେ ସେଗୁଡ଼ିକର ଗଣତି ହୁଏ ନାହିଁ । ଏହି କ୍ଷେତ୍ରରେ ଯାହା ଅର୍ଥନୈତିକ ବିପତ୍ତି ଓ ଧ୍ୱଂସ ନୋଟବନ୍ଦୀ ଯୋଗୁଁ ସଙ୍ଗଠିତ ହୋଇଛି, ତାହା ବିଷୟରେ ସଠିକ ଆକଳନ ସରକାରୀ ପରିସଙ୍ଖ୍ୟାନ ଓ ହିସାବରୁ ଆମକୁ କେବେ ହେଁ ମିଳି ପାରିବ ନାହିଁ ।

ଯଦି ନୋଟବନ୍ଦୀର ଅର୍ଥନୈତିକ ପ୍ରଭାବ ଯଦି ଏତେ ଖରାପ, ତାହା ହେଲେ ସରକାର କାହିଁକି ଏପରି ନିଷ୍ପତ୍ତି ନେଲେ ? ଭାରତର ଗଣତନ୍ତ୍ର ବିଷୟରେ ଏହା ଆମକୁ କଅଣ କହୁଛି ? ଘଟଣାବଳୀରୁ ଯାହା ଜଣା ପଡ଼ୁଛି, ଏହି ପ୍ରକ୍ରିୟାରେ ରିଜର୍ଭ ବ୍ୟାଙ୍କଙ୍କର ବିଶେଷ କିଛି ଭୂମିକା ନଥିଲା । ଆମର ଜାତୀୟ କେନ୍ଦ୍ରୀୟ ବ୍ୟାଙ୍କଙ୍କର ସ୍ୱାୟତତ୍ତାର ହନନ ଏହି ପ୍ରକ୍ରିୟାରେ ହୋଇଅଛି । ଏହା ଛଡ଼ା, କେନ୍ଦ୍ର ସରକାର କ୍ୟାବିନେଟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ଅଣଦେଖା କରି ଏହି ନିଷ୍ପତ୍ତି ନେଇଥିବାରୁ, ଭାରତର ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାର ସ୍ୱାସ୍ଥ୍ୟ ପାଇଁ ଏପରି ଏକ ପଦକ୍ଷେପ ଭଲ ନୁହେଁ ନିଶ୍ଚୟ ।

ମହାଭାରତରେ ସଙ୍ଗଠିତ ନାନାଦି ବିତ୍ପାତ ମଧ୍ୟରୁ ଖାଣ୍ଡବ ବନ ଦହନ ଥିଲା ଅନ୍ୟତମ । ଗୋଟିଏ ନୂତନ ରାଜଧାନୀ ଗଢ଼ିବା ପାଇଁ ନାନା ଜୀବଜନ୍ତୁ ରହୁଥିବା ସମଗ୍ର ଅରଣ୍ୟଟିରେ ଅଗ୍ନିସଞ୍ଜୋଗ କରାଯାଇଥିଲା ଓ ଲକ୍ଷ ଲକ୍ଷ ଜୀବଙ୍କର ହତ୍ୟା କରାଯାଇଥିଲା । ପାଣ୍ଡବଙ୍କର ଏହି ହିଂସାର ଫଳ ଶେଷକୁ ତାଙ୍କର ଉତ୍ତରପୁରୁଷଙ୍କୁ ଭୋଗିବାକୁ ପଡ଼ିଥିଲା । ପ୍ରଧାନମନ୍ତ୍ରୀଙ୍କର ନୋଟବନ୍ଦୀ ମହାଯଜ୍ଞରେ ବଳିପଡ଼ିଥିବା ଶତାଧିକ ଜୀବନ ଓ ଲକ୍ଷାଧିକ ଜୀବିକା ଯୋଗୁଁ କେଉଁ ଅପଦେବତାଙ୍କର ତୁଷ୍ଟି ହେଲା ଓ ଭବିଷ୍ୟତରେ ଏହାର ଫଳ କଅଣ ହେବ, ସେକଥା କିଏ ବା କହିପାରିବ । 

ବି.ଦ୍ର. - ଏହି ଲେଖାଟି ସାମାନ୍ୟ ଭିନ୍ନ ରୂପରେ ଦୈନିକ ସମାଜର ୬ ମଇ ୨୦୧୭ର ତାରିଖର ସଂସ୍କରଣର ସମ୍ପାଦକୀୟ ପୃଷ୍ଠାରେ ପ୍ରକାଶିତ ହୋଇଥିଲା । 

No comments:

Post a Comment