Saturday, May 27, 2017

ଗରମ ଦେଶର ମରୁଭୂମି


ଗୋପୀନାଥ ମହାନ୍ତି 



ଦକ୍ଷିଣ ଆଫ୍ରିକାର ନାମିବ ମରୁଭୂମି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ପୃଥିବୀର ଉପର ଅଧକ ଓ ତଳ ଅଧକରେ ଏପରି ଯାଗା ଅଛି ଯେଉଁଠି ପୃଥିବୀର ପାଞ୍ଚ ହଜାର ଫୁଟ ଉପରେ ଆସୁଥିବା ହାଲୁକା ପବନ ତଳକୁ ଓହ୍ଲାଇ ଆସେ । ଏ ସ୍ଥାନରେ ପବନ ଥମି ଯାଇଛି । ଏଠାକୁ ବାହାର ସମୁଦ୍ରରୁ କୌଣଶି ବାମ୍ଫ ମିଶା ପବନ ଆସେ ନାହିଁ । ତେଣୁ ଏଠି ବର୍ଷା ହୁଏ ନାହିଁ ।  ତେଣୁ ଏ ସ୍ଥାନ ମରୁଭୂମି । 

ପୃଥିବୀର ଉପର ଅଧକରେ ସାହାରା, ଆରବ, ପାରସ୍ୟ, ଭାରତ ମରୁଭୂମି ଓ ଉତ୍ତର ଆମେରିକାର ମେକ୍ସିକୋ ମରୁଭୁମି ରହିଛି । ପୃଥିବୀର ତଳ ଅଧକରେ ଦକ୍ଷିଣ ଆଫ୍ରିକାର କାଲାହାରି ମରୁଭୁମି, ଅଷ୍ଟ୍ରେଲିଆ ମଝିରେ ଥିବା ବିଶାଳ ମରୁଭୂମି, ପେରୁ ଚିଲ୍ଲିି ଦେଶ (ଦକ୍ଷିଣ ଆମୋରିକାରେ) ମାନଙ୍କର ମରୁଭୂମି ଅଛି ।

ଏ ଅ଼ଞ୍ଚଳରେ ଖାଲି ବାଲି । ଶହ ଶହ ହଜାର ହଜାର କ୍ରୋସ ପର୍ଯ୍ୟନ୍ତ ବାଲି ପଡ଼ିଛି । ପଥର ସବୁ ଦିନରେ ହଠାତ ତାତି ଯାଏ ରାତି ହଠାତ ଥଣ୍ଡା ହୋଇଯାଏ । ଗରମ ସଙ୍ଗେ ସଙ୍ଗେ ଥଣ୍ଡା ହେଲେ ପଥର ସବୁ ଫାଟିଯାଏ ଘୁଙ୍ଗାବାଲି ହୋଇଯାଏ । ଏଠି ଭାରି ଖରା ତେଜ । ତେଣୁ ଲୋକେ ମୁଣ୍ଡରେ ବଡ଼ ବଡ଼ ପଗଡ଼ି ବାନ୍ଧନ୍ତି । 

ଏ ବାଲିର ପତନ ସବୁଠି ସମାନ ନୁହେଁ । କେଉଁଠି ପାହାଡ଼ ପରି ଉଚ୍ଚ କେଉଁଠି ଖାଲ । ବିଶାଳ ସାହାରା ମରୁଭୁମିରେ ଏହିପରି ସବୁ ଖାଲଢ଼ିପ ରହିଛି । ଏଠି ଖାଇବାକୁ ନ ମିଳିବାରୁ ଲୁଚି ଲୁଚି ମରୁଭୁମିର ମଣିଷ-ମାରୁ ଚୋର ବୁଲୁଥାଆନ୍ତି । ସେମାନେ ମଣିଷକୁ ମାରି ଜିନିଷପତ୍ର ଛଡ଼ାଇ ନିଅନ୍ତି । ଚାରିଆଡ଼େ ତ ବାଲି ଏଠି ବାଟ ମିଳେ ନାହିଁ । ଲୋକେ ରାତିରେ ତାରାକୁ ଦେଖି ବାଟ ସୁମାରି କରି ଶିଖନ୍ତି । ତେଣୁ ଏମାନେ ଆକାଶର ନକ୍ଷତ୍ର ବିଷୟରେ ବହୁତ କଥା ଜାଣନ୍ତି । 

ମରୁଭୂମିରେ ସ୍ଥାନେ ସ୍ଥାନେ ପାଣି ମିଳେ । ପାଣିପାଖ ଦେଖି ଲୋକେ ତମ୍ବୁ ପକାଇ ଘର କରି ରହିଥାଆନ୍ତି । ବାଲିରେ ଓଟ ଛଡ଼ା ଅନ୍ୟ ଜନ୍ତୁ ଚଳିପାରିବେ ନାହିଁ । ଏତେ କଷ୍ଟ ସହିପାରିବେ ନାହିଁ । ବାଲିରେ ଗୋଡ଼ ଦବିଯିବ । ଓଟର ଗୋଡ଼ ଦବିଯାଏ ନାହିଁ । ଓଟ ଥରେ ପାଣି ପିଇଲେ ଅନେକ ସମୟ ବିନା ପାଣିରେ ରହିପାରେ । ତା ପେଟ ଭିତରେ ପାଣି ସାଇତି ରଖିବା ପାଇଁ ଥଳି ଅଛି । ତେଣୁ ଓଟ ଏହି ଲୋକମାନଙ୍କର ଆଶ୍ରା । ସମୁଦ୍ର ପରି ବାଲି ତହିଁରେ ପାରି ହେବାକୁ ଯାହାଜ ପରି ଓଟ । ଏହି ଲୋକମାନେ ଓଟର ବାଳକୁ ବୁଣି ତହିଁରେ ତମ୍ବୁ ତିଆରି କରନ୍ତି । ଦରକାର ପଡ଼ିଲେ ଓଟକୁ ମାରି ତା ପେଟରୁ ପାଣି ବାହାର କରି ପିଅନ୍ତି । ଓଟର ମାଂସକୁ ଖାଆନ୍ତି । 

ପାଣିପାଖ ଦେଖି ଲୋକେ ବସତି କରିଥାଆନ୍ତି । ପାଣି ଶୁଖିଗଲେ ଏମାନଙ୍କର ମରଣ ଦଶା ପଡେ଼ । ଅନ୍ୟ ପାଣି ଯାଗା ଖୋଜିବାକୁ ବାହାରି ପଡ଼ନ୍ତି । ସେଠି ତାଳ ଖଜୁରି ହୁଏ । ତାଳ, ଖଜୁରି ଓ ଓଟ ଦୁଧ ସେମାନଙ୍କର ଖାଦ୍ୟ । ଏ ଦେଶରେ ଏତେ କଷ୍ଟ ପଡ଼ିବାରୁ ଲୋକେ ପରକୁ ଆଶ୍ରା ଦେବାକୁ ଭାରି ତତ୍ପର । କିଏ କେଉଁ ଦୂରରୁ ଖରାତାତିରେ ଶିଝି ଶିଝି ଆସିଛି ତାକୁ ଆଶ୍ରା ନଦେଲେ କିପରି ହେବ । ପାଣି ପାଖ ଭୁଇଁକୁ ଓଏସିସ୍ କୁହନ୍ତି । ସାହାରା ମରୁଭୂମିରେ ଓଏସିସ୍ ସବୁ ବିଞ୍ଚି ହୋଇ ପଡ଼ିଛି । ବାଲିର ଦେଶକୁ ପାରି ହେବାକୁ ହେଲେ ଗୋଟିଏ ଓଏସିସ୍ ରୁ ଆଉ ଗୋଟେ ଓଏସିସ୍ ଯାଏ ଚାଲସବାକୁ ହୁଏ । ଲୋକେ ଓଟ ଉପରେ ପର୍ବତ ପରି ଜିନିଷ ଲଦି ଦିଅନ୍ତି; ଓଟମାନଙ୍କୁ ୟା ପଛକୁ ତା ପଛ ଲଗାଇ ଦଳ ବାନ୍ଧି ବାହାରି ପଡ଼ନ୍ତି । ବାଟରେ ବେଳେ ବେଳେ ତୋଫାନ ଉଠେ । ଲୋକେ ଯେଉଁଠି ତମ୍ବୁ ପକାଇ ଆଶ୍ରା କରିଥାନ୍ତି, ସେଠି ସବୁ ତମ୍ବୁ ଛିଣ୍ଡି ଫାଟି ଉଡ଼ିଯାଏ । ବାଲିର ପାହାଡ଼ ସବୁ ବୁଲିବୁଲିକା ଆକାଶକୁ ଉଠିଯାଏ; ଲୋକଙ୍କୁ ପୋତି ପକାଏ । ଲୋକେ ଭୁଇଁରେ ମୁହଁକୁ ତଳକୁ କରି ଶୋଇ ପଡ଼ଥାନ୍ତି । ବାଲି କେତେବେଳେ ଲୋକ, ଓଟ ସମସ୍ତଙ୍କୁ ପୋତିପକାଏ ।

ମରୁଭୂମିରେ ତାଳ, ଖଜୂରି ଓ ନାଗଫେଣୀ ପରି କଣ୍ଟା ଗଛ ହୁଏ । ଗୋଟାଏ ଗୋଟାଏ କଣ୍ଟା ଗଛ ବେଳେ ବେଳେ ତାଳଗଛ ପରି ଉଚ୍ଚ ହୁଏ । ତହିଁରେ ପତ୍ର ନାହିଁ । କେବଳ ନାଗଫେଣି ବା କଣ୍ଟା ସିଜୁପରି ଥୁଣ୍ଟା ଥୁଣ୍ଟା । ଚେର ଅତି ତଳକୁ ଯାଇ ପାଣି ଖୋଜେ । ବେଳେ ବେଳେ ଗୋଟିଏ ଗୋଟିଏ ଗଛ ପାଣି ସଞ୍ଚି ରଖିଥାନ୍ତି, ଶୋଷି ଲୋକେ ତହିଁରୁ ପାଣି କାଢ଼ି ପିଅନ୍ତି ।

ବି.ଦ୍ର. - ଶ୍ରୀ ଗୋପୀନାଥ ମହାନ୍ତି କୃତ ପାଠ୍ୟପୁସ୍ତକ 'ଭୌଗଳିକ କାହାଣୀ'ରୁ ସଙ୍ଗୃହିତ । 

No comments:

Post a Comment