Tuesday, May 09, 2017

ଓଡ଼ିଶାରେ ସଙ୍ଗୀତ ଶିକ୍ଷା


କୃଷ୍ଣପ୍ରସାଦ ବସୁ


ଭୈରବୀ ରାଗିଣୀ (କଳାକାର - ମୁହମ୍ମଦ, ୧୭୨୧ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ପୂର୍ବ ପ୍ରବନ୍ଧରେ ଆମ୍ଭେମାନେ ବ୍ୟକ୍ତ କରିଥିଲୁ ଯେ ଏ ପ୍ରକାର ଶୋଚନୀୟ ଅଜ୍ଞତାରୁ ମୁକ୍ତ ହେବାର ଏକମାତ୍ର ଉପାୟ ନବ ଯୁଗର ବାଳକ ବାଳିକା ବିଦ୍ୟାର୍ଥୀଙ୍କ ମଧ୍ୟରେ ଅଳ୍ପ ବହୁତ ସଙ୍ଗୀତର ଚର୍ଚ୍ଚା ବା ଆଲୋଚନା ପ୍ରବେଶ କରାଇବା ଏବଂ ଗ୍ରାମେଗ୍ରାମେ ଥିବା ଯାତ୍ରାଦଳର ଓସ୍ତାଦ୍-ମାନଙ୍କୁ ଉତ୍ସାହିତ କରି ଶୁଦ୍ଧା ରୀତି ଓ ବୈଜ୍ଞାନିକ ପ୍ରଣାଳିମାନ ଶିଖାଇବା । 

ଆଜି ପୁଣି ସେହି ସମ୍ପର୍କରେ ନାନା କଥାର ଆଲୋଚନା କରିବାକୁ ଯାଉଛୁଁ...ଉଦ୍ଦେଶ୍ୟ ତ୍ରୁଟିଗୁଡ଼ିକ ଦେଖାଇଦେଇ ତତ୍ପରେ ତହିଁର ପ୍ରତି ବିଦାନର ଉପାୟ ନିର୍ଦ୍ଦେଶ କରିବୁଁ ଏବଂ ଧାରାବାହିକ ରୂପେ ମୌଳିକ ସୂତ୍ର ଓ ଶୁଦ୍ଧ ସ୍ୱର ଗ୍ରାମ ପ୍ରକାଶ କରିବୁଁ - 

ଆମର ବର୍ତ୍ତମାନ ରୁଚି କେଣିକି, ବିଚାର କଲେ ଦେଖିବେ ଆମେ ସଙ୍ଗୀତଠାରୁ ବର୍ତ୍ତମାନ କୋଳାହଳର ଅଧିକତର ସମାଦର କରୁଅଛୁଁ---ଶୁଦ୍ଧ ସଙ୍ଗୀତର ମାଧୁର୍ଯ୍ୟ ଭୋଗ କରିବାର ସୌଭାଗ୍ୟରୁ ବହୁକାଳ ବଞ୍ଚିତ ହୋଇ, କେଉଁଟା ସଙ୍ଗୀତ ଓ କେଉଁଟା କୋଳାହଳ ଆମେ ବାରି ପାରୁ ନ ଥାଇଁ---ଏବଂ କୋଳହଳକୁ ସଙ୍ଗୀତର ସ୍ଥାନରେ ସ୍ଥାପନ କରୁଛୁଁ । ଧରନ୍ତୁ ଦୋଳ ଯାତ୍ରା କଥା---ଠାକୁରଙ୍କ ମେଲଣ ।    ତେଲିଙ୍ଗି ଅଛି...ଢୋଲ ଅଛି...କୀର୍ତ୍ତନ ଅଛି...ଗୋଟିପୁଅ ନାଚ ଅଛି...କରତାଳ, ବଡ଼କାଠ, ବାଣରୁସୁଣି, ଷଣ୍ଢ, ବଗ, ବର କନିଆ, ବାଡ଼ିଆ, କୁସ୍ତି, କେତେକଣ ଆୟୋଜନ ରହିଛି...କିନ୍ତୁ ବ୍ୟବସ୍ଥାଟି ହୋଇଛି ବିଚିତ୍ର ରକମର.. ସବୁ ଏକତ୍ର ଚାଲିଛି...ଘୋ ଘୋ.. ହୋ ହୋ...ନା ମହୁରି ଶୁଭିଲା, ନା ଢୋଲିଆର କାରିଗରି ଦେଖାଗଲା, ନା ତେଲିଙ୍ଗି ସାନାଇର ମାଧୁରି ପାଇଲୁଁ, ନା କୀର୍ତ୍ତନ ଭଜନ ହେଲା---ଏତେ ଅର୍ଥବ୍ୟୟ ଏତେ ଆୟୋଜନର ଫଳ କଣ---କୋଳାହଳ ତ...ଏଥି ପରିବର୍ତ୍ତେ ପଣେ ଖଣ୍ଡେ ଘଣ୍ଟ ବାଡ଼େଇ ଥିଲେ ତ ଭଲ ହୋଇଥାନ୍ତା...ଅନ୍ତତଃ ମାଙ୍କଡ଼ ଘଉଡ଼େଇବା ଟିଣର ଅଭାବ ନଥିଲାତ ।... କାହିଁକି ସଭିଙ୍କୁ ନୀରବ ରଖି ପୃଥକପୃଥକ ଭାବରେ ଜଣ ଜଣଙ୍କର କୃତିତ୍ୱ ବା ଯୋଗ୍ୟତା ଦେଖାଇଥିଲେ କି କ୍ଷତି ହୁଅନ୍ତା ଅବା ।--- ଏହି ପ୍ରକାର ଦଶା ସର୍ବତ୍ର ।

କଳା ବିଦ୍ୟା ମାତ୍ରହିଁ ଅନୁଶୀଳନ ସାପେକ୍ଷ...ଶୁଦ୍ଧ ସଙ୍ଗୀତର ମର୍ମ ବୁଝିବା ବଡ଼ ସହଜ ନୁହେଁ...ସଂସାରରେ ଭଲ ଦରବ ବିକାଏ ନାହିଁ; ମନ୍ଦ ମଧ୍ୟ ବିକାଏ ନାହିଁ, କିନ୍ତୁ ଭଲ ବୋଲି ଭ୍ରମ ହେଉଥିବ । ଏ ପ୍ରକାର ମନ୍ଦ ଦ୍ରବ୍ୟର ଆଦର ସମଧିକ, ବିକ୍ରୀ ମଧ୍ୟ ବହୁତ... ଅବଶ୍ୟ ଗୋଟାଏ ନକଲି ଦ୍ରବ୍ୟ ଅଧିକ ଦିନ ଚଳେ ନାହିଁ...ନକଲି ପଛେ ନକଲି ଦ୍ରବ୍ୟ ଉଦ୍ଭାବନ କରି ବାହାର କରିବାକୁ ହେବ, ନୋହିଲେ ବଣିଜ ଚଳେ ନାହିଁ---ମୋରାଲିଟି ଓ ୟୁଟିଲିଟି ଏ ଦୁହିଙ୍କ ମଧ୍ୟରୁ କେଉଁଟା ଗ୍ରହଣୀୟ ତାହା ଯେପରି ମୀମାଂଶା କରିବା କଠିନ...ସଙ୍ଗୀତ କ୍ଷେତ୍ରରେ ଠିକ ସେହିପରି । କିଛିକାଳ ଏହିପ୍ରକାର  ନକଲି ଦ୍ରବ୍ୟର ମୋହରେ ପଡ଼ି ଯାଇ ଆମେ ଅସଲ ଦ୍ରବ୍ୟକୁ ସମ୍ପୂର୍ଣ୍ଣରୂପେ ଭୁଲି ଗଲୁଣି । ସଙ୍ଗୀତ ମଧ୍ୟରୁ ଆମେ କେଉଁ ପ୍ରକାର ସଙ୍ଗୀତକୁ ଧରିବୁଁ ବିଚାର କରି ପାରୁ ନାହୁଁ--- ଧ୍ରୁପଦ, ଖିଆଲ, ଠୁଂରି କି ଆଧୁନିକ ନାଟ୍ୟ ସଙ୍ଗୀତରେ ଭାସିବୁଁ...ଆଧୁନିକ ସଙ୍ଗୀତ ଶୁଣିବାକୁ ସରଳ ପରି ଜଣାଯାଏ, କିନ୍ତୁ ରାଗରାଗିଣୀ ସ୍ୱର ବିଜ୍ଞାନରେ ପ୍ରଚୁର ଦକ୍ଷତା ନଥିଲେ ଆଧୁନିକ ସ୍ୱର ରଚନା କରିବା ବଡ଼ କଠିନ...ଆପଣଙ୍କ ରୁଚି ଯେଣିକି ହେଉ, ପାଲା ହେଉ, କୀର୍ତ୍ତନ ହେଉ, ଧ୍ରୁପଦ, ଖିଆଲ, ଠୁଂରି, କଣ୍ଡରାବଇଷମ ଭିକାରିଙ୍କ ଗୀତ ହେଉ...ଯାହା ହେଉ ମନା ନାହିଁ...ମାତ୍ର କଣ୍ଠସ୍ୱର, ତାଳ, କାନ, ଓ ଆବେଷ୍ଟନୀର କ୍ଷେତ୍ରକୁ ବିଚାର କରିବା ଲାଗି ଧ୍ୟାନ ଧାରଣା ତିଆରି ରଖିବାକୁ ହେବ...ଏବଂ ଏହି ସମସ୍ତ ଉପକରଣ ତିଆରି କରିବାର ଏକମାତ୍ର ଉପାୟ ସ୍ୱରସାଧନା ଓ ତାଳସାଧନା; ଏବଂ ଏହି ବିଧି-ବନ୍ଧନ, କୌଶଳ ଓ ଦକ୍ଷତା ଶିକ୍ଷା ଦେବା ପାଇଁହିଁ ଧ୍ରୁପଦ ଓ ଖିଆଲର ସର୍ଜ୍ଜନା...ଧ୍ରୁପଦ, ଖିଆଲ ଆଦି ମାର୍ଗ ସଙ୍ଗୀତରେ ସୁଦକ୍ଷ ଶିଳ୍ପି ନ ହୋଇ କେହି ଜଣେ ଭଲ ଗାୟକ ହୋଇଛନ୍ତି ଏ ପ୍ରକାର ଦୃଷ୍ଟାନ୍ତ ଅତି ବିରଳ...କି ଅନ୍ଧ କୃଷ୍ଣବାବୁ, ଶଚୀବର୍ମା, ପଙ୍କଜ ମଲ୍ଲିକ, ମୃଣାଳ ବାବୁ, ଜ୍ଞାନ ବାବୁ, ଯାହାଙ୍କୁ ଦେଖନ୍ତୁ ସେମାନେ ମାର୍ଗ ସଙ୍ଗୀତର ଖିଅାଲ, ଠୁଂରି ଇତ୍ୟାଦିରେ ଦକ୍ଷ ହୋଇଥିବାରୁ ଆଧୁନିକ ନାଟ୍ୟ ସଙ୍ଗୀତ ସେମାନଙ୍କ କଣ୍ଠରେ ଯେ ରୂପ ଧାରଣ କରୁଛି ଅନ୍ୟତ୍ର ସେ ରୂପ ମିଳେ ନାହିଁ । କିନ୍ତୁ ଏହି ମାର୍ଗ ସଙ୍ଗୀତର ଶିକ୍ଷା ଏତେ ଲୁପ୍ତ ହୋଇଛି ଯେ ଯେବେ ଏହିପରି ଉଦାସୀନ ଭାବ ଆଉ କିଛିକାଳ ରହେ, ତେବେ ଏ ସମସ୍ତ ମହାମୂଲ୍ୟ ବସ୍ତୁ, ଅଳିକ କାହାଣିରେ ପରିଗଣିତ  ହେବା ବିଚିତ୍ର ନୁହେଁ । ଆମ୍ଭେମାନେ ଚମ୍ପୁର ଯେଉଁ ଗୀତ ସବୁକୁ ଏତେ ଉଚ୍ଚସ୍ଥାନ ଦେଉଁ ତାହା ହିଁ ଖିଆଲ...ତେବେ ଖିଆଲ ଗୀତକୁ ପ୍ରକାଶ କରିବାର ତ୍ରୁଟି ଯୋଗୁଁ ଆମର ସେ ଗୀତ ଗୁଡ଼ିକ ଯଥାଯୋଗ୍ୟ ଯଥାଯୋଗ୍ୟ ସମାଦାର ପାଉ ନାହିଁ । (କ୍ରମଶଃ) 

ବି.ଦ୍ର. - ଏହି ଲେଖାଟି ପ୍ରଥମେ ମାସିକ ସାହିତ୍ୟ ପତ୍ରିକା 'ଡଗର'ର ଷଷ୍ଠ ସଂଖ୍ୟାରେ ୧୯୩୭ ମସିହାରେ ପ୍ରକାଶିତ ହୋଇଥିଲା । 

No comments:

Post a Comment