Wednesday, May 31, 2017

ନିଃସଙ୍ଗତା, ଶୁଭ ଜନ୍ମଦିନ


ଜ୍ୟୋତି ନନ୍ଦ 


'ସିଏନ୍ ଆନୋସ୍ ଦି ସୋଲେଦାଦ୍' ର ପ୍ରଥମ ସଂସ୍କରଣର ମଲାଟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଶୁଭ ଜନ୍ମଦିନ ନିଃସଙ୍ଗତା ।

ଆଜି ତମକୁ ପଚାଶ ବର୍ଷ ବୟସ ହେଲା ।

ଅବଶ୍ୟ ଜନ୍ମ ହେଲା ବେଳକୁ ତମର ନିଜର ବୟସ ଶହେ ବର୍ଷ ଥିଲା । ତମକୁ ଲୋକେ ଚିହ୍ନିଥିଲେ "ଶହେ ବର୍ଷର ନିଃସଙ୍ଗତା" ବୋଲି ।ସେଇ ଶହେ ବର୍ଷକୁ ମୁଁ ହିସାବକୁ ନେଉନାହିଁ ।

୧୯୬୭ ମେ ମାସ ତିରିଶ ତାରିଖ ଦିନ ବୁଏନସ୍ ଆଇରେସ୍ ର ସୁଦାମେରିକା ବୋଲି ଗୋଟିଏ ପ୍ରକାଶନୀ ସଂସ୍ଥା ତରଫରୁ ତମର ଜନ୍ମ ।ଜନ୍ମ ହେବାପରେ ତମକୁ ପ୍ରଥମେ ଦେଖିଲା ପରେ ମେକ୍ସିକୋର ପ୍ରଖ୍ୟାତ ଔପନ୍ୟାସିକ କାର୍ଲୋସ୍ ଫୁୟେନ୍ତେସ୍ ଙ୍କ ମନ୍ତବ୍ୟ ଥିଲା, ଲାତିନ୍ ଆମେରିକାର "ଦୋନ କିହୋତେ" ପଢିଲି । ଏହାର ପ୍ରତିଧ୍ୱନୀ ଶୁଣାଗଲା କବି ପାବଲୋ ନେରୁଦାଙ୍କ କଥାରେ । ସେ କହିଥିଲେ, ସ୍ପେନୀୟ ସାହିତ୍ୟ ଜଗତରେ "ଦୋନ୍ କିହୋତେ" ପରେ ସମ୍ଭବତଃ ଶ୍ରେଷ୍ଠ ସାହିତ୍ୟ କୃତି ।

ତମର ଜନ୍ମ ହେବାର ମାତ୍ର ପନ୍ଦର ଦିନ ଭିତରେ ତମର ସମସ୍ତ ପ୍ରଥମ ସଂସ୍କରଣର ଯମଜ ଭାଇମାନଙ୍କୁ ଲୋକେ ଭଲ ପାଇ ନିଜ ଘରକୁ ନେଇଗଲେ । ବାହାର ଲୋକ ମାନେ କ'ଣ ତମର ପ୍ରଥମ ଜନ୍ମ କୁ ଦେଖିଥିଲେ କି ? ନାହିଁ, ସେମାନଙ୍କୁ ସେହି ସୁଯୋଗ ମିଳିନଥିଲା ।ସେଇ ବୁଏନସ୍ ଆଇରେସ୍ ର ଲୋକମାନେ ତମର ପ୍ରଥମ ଜନ୍ମର ଭାଇ ସମସ୍ତଙ୍କୁ ରଖିପାରିଲେ । ଅନ୍ୟ କେହି ଦେଖି ପାରିଲେ ନାହିଁ ।ତମର ଜନ୍ମ ପରେ ଜନ୍ମର ଆବଶ୍ୟକତା ପଡିଲା ପୃଥିବୀରେ । କାରଣ ଲୋକମାନେ ତମକୁ ପସନ୍ଦ କଲେ ।

ନିଃସଙ୍ଗତା, ତମର ଜନ୍ମ ପରେ ଜନ୍ମ ହେଲା । ତମେ ପୃଥିବୀର ଭାଷା ସବୁକୁ ଗୋଟିକ ପରେ ଗୋଟିଏ କହିବାରେ ଲାଗିଲ ।

ତଥ୍ୟ ଅନୁସାରେ ତମେ ଏଯାଏଁ ପୃଥିବୀର ଚଉରାଳିଶ ଗୋଟି ବିଭିନ୍ନ ଭାଷାରେ କଥା କହି ଜାଣିଛ । ହଁ ସର୍ଭାନ୍ତିସ୍ ଙ୍କ ଦୋନ୍ କିହୋତେ ପରେ ତମେ ପୃଥିବୀର ବହୁଭାଷୀ । ତମର ଯମଜ ଭାଇମାନଙ୍କ ସଂଖ୍ୟା ଆନୁମାନିକ ପାଞ୍ଚ କୋଟିରେ ପହଞ୍ଚିବ ।

ତମକୁ ଜନ୍ମ ଦିନର ଶୁଭେଚ୍ଛା ନିଃସଙ୍ଗତା ।

ତମକୁ ଜଣେ କର୍ଣ୍ଣେଲ୍ ମାର୍କେଜ୍ ପୂରାପୁରି ଲେଖିଥିଲେ । ତାଙ୍କୁ ବି ଅନେକ ଶୁଭେଚ୍ଛା । (ସେ କିନ୍ତୁ ଅନ୍ୟତ୍ର "କର୍ଣ୍ଣେଲ୍ ଙ୍କୁ କେହି ଚିଠି ଲେଖେନା" ବୋଲି ଲେଖିଥିବାରୁ, ତାଙ୍କୁ ଶୁଭେଚ୍ଛା ଜଣାଇ ଚିଠିଟିଏ ଲେଖିବାର ଇଚ୍ଛା ଥିଲେ ବି, ଲେଖି ପାରୁନି ।)

ନିଃସଙ୍ଗତା, ତୁମର ଜନ୍ମଦିନରେ ମୋ ଭାଷାରେ ତମକୁ ଅଳ୍ପ କିଛି କହିବାକୁ ଚେଷ୍ଟା କରୁଛି । ଆଗରୁ ତମେ ଯଦି ମୋ ଭାଷା ଜାଣ, ତେବେ ବେଶ୍ ଭଲ।

ଜନ୍ମଦିନ ପାଇଁ କିଛି ନମୁନା ଅନୁବାଦ 

ଶହେ ବର୍ଷର ନିଃସଙ୍ଗତା/ଗାବ୍ରିଏଲ୍ ଗାର୍ସିଆ ମାର୍କେଜ୍


ଗାବ୍ରିଏଲ୍ ଗାର୍ସିଆ ମାର୍କୁଏଜ୍ (୧୯୨୭-୨୦୧୪)

ବହୁ ବର୍ଷ ପରେ, ଫାୟାରିଂ ସ୍କୋୟାର୍ଡର ସାମ୍ନାରେ ଛିଡା ହୋଇ କର୍ନେଲ ଅରେଲିୟାନୋ ବୁୟେନ୍ଦିଆର ମନେପଡିଯିବ ସେଇ ଦୂର ଅପରାହ୍ନର କଥା, ଯେଉଁଦିନ ତା'ର ବାପା ତାହାକୁ ବରଫ ଚିହ୍ନେଇବା ପାଇଁ ନେଇ ଯାଇଥିଲା । ସେତେବେଳେ ମାକୋନ୍ଦୋ ପ୍ରାଗୈତିହାସିକ ଅଣ୍ଡାଟିଏ ଭଳି ପ୍ରକାଣ୍ଡ, ମସୃଣ ଆଉ ସାଦା ପଥର ର ପାଖରେ ବହି ଯାଉଥିବା କାକଚକ୍ଷୁ ନଦୀ କୂଳରେ ଶୁଖିଲା ଇଟାରେ ତିଆରି କୋଡିଏଟି ଘରର ଗୋଟିଏ ଗାଆଁ । ସେତେବେଳେ ପୃଥିବୀଟି ଦେଖିବାକୁ ଗଲେ ଏତେ ନୂଆ ଯେ, ଅନେକେ ଅପକ୍ଷାରେ ଥିଲେ ନିଜ ନିଜର ନାମକରଣର ଆଉ ସେମାନଙ୍କର ଉଲ୍ଲେଖ କରିବାକୁ ହେଲେ ଆଙ୍ଗୁଠିର ଈଶାରାରେ ବୁଝାଇ ଦେବାକୁ ହେଉଥିଲା । ପ୍ରତି ବର୍ଷ ମାର୍ଚ୍ଚରେ ପୁରୁଣା ଛିଣ୍ଡା ସାର୍ଟଟିଏ ପିନ୍ଧା ଗୋଟିଏ ଜିପସି ପରିବାର ଗାଆଁ ପାଖରେ ତମ୍ବୁ ଟାଣୁଥିଲା, ଆଉ ବଂଶୀ ଓ ଖୋଳ-କରତାଳରେ ଦେଖାଇ ଚାଲୁଥିଲା ତାହାର ସାଙ୍ଗରେ ଥିବା ଯେତେକ ନିତ୍ୟନୂତନ ଆବିଷ୍କାର । ପ୍ରଥମ ଥର ସେମାନେ ଆଣିଥିଲେ ଚୁମ୍ବକ । ମେଲକିଆଦସ୍ ବୋଲି ନିଜର ପରିଚୟ ଦେଇ ଅଖାଡୁଆ ନିଶଦାଢି ଥିବା ବେଶ୍ ପତଳା ଜିପସି ଜଣେ ଆରମ୍ଭ କରେ ତା' ନିଜ ଭାଷାରେ ମେସିଦୋନିଆର ଆଲକେମିଙ୍କର ଅଷ୍ଟମାଶ୍ଚର୍ଯ୍ୟର ଏକ ଗଣ ପ୍ରଦର୍ଶନୀ । ଲୋକଟି ଘରକୁ ଘର ଯାଇ ଦୁଇଟି ଧାତୁପିଣ୍ଡ ଦ୍ୱାରା ଟାଣି ଆଣୁଥାଏ ବାଲତି, କଡେଇ ଆଉ ଲୁହା ଲସ୍କରର ଜିନିଷ ଆଉ ଜିନିଷ ଗୁଡିକ ଟାଣି ହୋଇ ଆସୁଥାନ୍ତି । ଏପରିକି ଆଡିକାଠର ପେଚ ଆଉ କଣ୍ଟା ମାନେ ବି ଓଟାରି ହୋଇ ଆସିବା ପାଇଁ କଁ କଁ ହେଉଥାନ୍ତି । ବହୁ ଦିନ ଆଗରୁ ବେପତ୍ତା ହୋଇ ଯାଇଥିବା ଜିନିଷଗୁଡିକ ଯେଉଁ ଜାଗାରେ ବେଶି ଖୋଜା ଯାଉଥିଲା, ସେଇଠାରୁ ବାହାରି ଆସି ମେଲକିଆଦେସ୍ ର ଯାଦୁ ପଛରେ ଛୁଟିବା ସମସ୍ତଙ୍କୁ ତାଜୁବ କରି ଦେଉଥାଏ । କର୍କଶ ଗଳାରେ ଜିପସି ଘୋଷଣା କରେ, "ସବୁ ଜିନିଷର ନିଜସ୍ୱ ପ୍ରାଣ ରହିଛି, ଏହା ହେଉଛି କେବଳ ଏହାର ଆତ୍ମାକୁ ଜାଗରିତ କରିବାର କଥା।"

ହୋସେ ଆର୍କାଦିଓ ବୁୟେନ୍ଦିଆ, ଯାହାର ଲଗାମଛଡା କଳ୍ପନା ନିକଟରେ ସବୁ ସମୟରେ ହାର୍ ମାନିଯାଏ ପ୍ରକୃତିର ଯେତେ ଖାମଖିଆଲ୍,ଏପରିକି ଯେତେ ଅଲୌକିକ କଥା ଆଉ ଯାଦୁର ଭେଳିକି, ସେ ମନେ କରେ ଯେ ଏଇ ଅକାମୀ ଆବିଷ୍କାରକୁ କାମରେ ଲଗାଇ ପୃଥିବୀର ପେଟ ଭିତରୁ ସୁନା ସବୁକୁ ଟାଣି ଅଣାଯାଇ ପାରେ । ମେଲକିଆଦେସ୍ ଭଲମଣିଷ, ସେ ତାହାକୁ ହୁସିଆର କରିଦିଏ,"ଏଇ ଜିନିଷ ଦ୍ୱାରା ସେ କାମ ହେବ ନାହିଁ ।"

କିନ୍ତୁ ହୋସେ ଆର୍କାଦିଓ ବୁୟେନ୍ଦିଆର ସେତେବେଳେ ଜିପସୀ ମାନଙ୍କର ସତ୍ୟତାରେ ବିଶ୍ୱାସ ନଥିଲା ବୋଲି, ନିଜର ଗୋଟିଏ ଖଚ୍ଚର ଆଉ ହଳେ ଛେଳି ବଦଳରେ ସେ ସେହି ଚୁମ୍ବକ-ପିଣ୍ଡ ଦୁଇଟିକୁ କିଣିନେଇଥାଏ । ନିଜ ସାମାନ୍ୟ ଗୃହସ୍ଥାଳୀର ସମ୍ପତ୍ତିକୁ ଆଉ ଟିକିଏ ବଢେଇବା ପାଇଁ ଏଇ ଜନ୍ତୁ ମାନଙ୍କ ଉପରେ ଭରସା କରୁଥିବା ତାହାର ସ୍ତ୍ରୀ ଉରସୁଲା ଇଗୁୟାରାନ୍ ବି ତାକୁ ବାରଣ କରି ପାରି ନଥିଲା ।

"ଶିଘ୍ର ଆମର ଏତେ ସୁନା ହୋଇଯିବ ଯେ ସାରା ଘରଟାକୁ ସୁନାରେ ଛାଉଣୀ କରି ସାରିଲା ପରେ ବି ଆହୁରି ଯଥେଷ୍ଠ ରହିଥିବ ।" ସ୍ୱାମୀ ଉତ୍ତର ଦିଏ ।

ବେଶ୍ କିଛି ଦିନ ବେଦମ ପରିଶ୍ରମ କରେ ସେ ତାହାର ଧାରଣାର ସାରବତ୍ତାକୁ ପ୍ରମାଣ କରିବା ପାଇଁ । ଇଲାକାର ପ୍ରତି ଇଞ୍ଚ ଜାଗା, ଏପରିକି ନଈର ତଳ ଅଞ୍ଚଳକୁ, ସେ ଚାଷ କରି ସାରି ଲୁହାପିଣ୍ଡ ଦୁଇଟିକୁ ଘୋଷାରେ ମେଲକଆଦେସ୍ ର ଯାଦୁ ମନ୍ତ୍ର ଉଚ୍ଚାରଣ କରି ।ଏଥିରେ କେବଳ ସେ ପାଇଥିଲା ଲାଉ ଖୋଳ ଭଳି ଫମ୍ପା, ପଥରରେ ଭର୍ତ୍ତି ପଞ୍ଚଦଶ ଶତାବ୍ଦୀର ଗୋଟିଏ ବର୍ମ । ବର୍ମଟି କଳଙ୍କି ଧରିଚି ଚାରିପଟ । ହୋସେ ଆର୍କାଦିଓ ବୁୟେନ୍ଦିଆ ଆଉ ତାହାର ଅଭିଯାନର ଚାରିଜଣ ସଙ୍ଗୀ ଯେତେବେଳେ ବର୍ମଟିକୁ ଖୋଲି ପାରିବାକୁ ସକ୍ଷମ ହେଲେ, ଦେଖିଲେ, ଚୁନ ହୋଇଯାଇଥିବା କଙ୍କାଳଟିଏ, ବେକରେ ତାହାର ତମ୍ବାର ଲକେଟଟିଏ, ଲକେଟରେ ସ୍ତ୍ରୀଲୋକର କେଶ ।

ମାର୍ଚ୍ଚ ମାସରେ ଫେରି ଆସନ୍ତି ଜିପସିମାନେ ।ଏଥର ସେମାନେ ଆଣିଛନ୍ତି ଗୋଟିଏ ଦୂରବୀଣ ଆଉ ବଡ ଢୋଲ ଆକାରର ଗୋଟିଏ ଯବକାଚ, ଆମଷ୍ଟରଡାମ୍ ର ଇହୁଦୀମାନଙ୍କର ସର୍ବଶେଷ ଆବିଷ୍କାର ହିସାବରେ ଏଗୁଡିକୁ ସେମାନେ ଦେଖାଉଥିଲେ । ଗାଆଁର ଆର ମୁଣ୍ଡରେ ଗୋଟିଏ ଜିପସି ରମଣୀକୁ ସେମାନେ ବସାଇରଖୁଥିଲେ, ଆଉ ଦୂରବୀଣଟିକୁ ରଖିଥିଲେ ନିଜ ତମ୍ବୁର ଦୁଆର ନିକଟରେ । ପାଞ୍ଚ "ରିଅଲ୍" ଦର୍ଶନୀର ବିନିମୟରେ ଦୂରବୀଣରେ ଆଖି ରଖି ଲୋକମାନେ ସେଇ ଜିପସି ରମଣୀକୁ ଯେମିତି ମାତ୍ର ଗୋଟିଏ ହାତର ତଫାତରେ ଦେଖିଲା ଭଳି ଦେଖି ପାରୁଥିଲେ । ମେଲକିଆଦେସ୍ ଘୋଷଣା କରେ," ବିଜ୍ଞାନ ଦୂରତ୍ୱକୁ ଶେଷ କରିଦେଲା ବୋଲି ଜାଣ ।ଶୀଘ୍ର ଲୋକେ ନିଜ ଘରୁ ନ ବାହାରି ଦେଖିପାରିବେ ପୃଥିବୀର କ'ଣ କେଉଁଠି ଘଟୁଛି ।"


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ଆହୁରି ଅନେକ ରୂପ ତମର ରହିଛି ନିଃସଙ୍ଗତା ।

ତମକୁ ଧରିବା କ'ଣ ଏତେ ସହଜ ?

No comments:

Post a Comment