Tuesday, May 23, 2017

ଗଡ଼ଜାତି ଅରଣ୍ୟର ଜୀବନ


କେଦାର ମିଶ୍ର 


୧୯୦୧ ମସିହାର ଇମ୍ପିରିଆଲ୍ ଗ୍ୟାଜେଟିଅରରୁ ଉଦ୍ଧୃତ ଗଡ଼ଜାତର ମାନଚିତ୍ର
ଫଟୋ କ୍ରେଡ଼ିଟ  - ୱିକିମିଡ଼ିଆ କମନ୍ସ୍

‘ସାରା ଦେଶକୁ ପାହାଡ଼ ଘେରି ରହିଛି ଓ ଅସୁମାରି ପର୍ବତମାଳା ଦ୍ୱାରା ଏହା ଖଣ୍ଡ ଖଣ୍ଡ ହୋଇ ଅନେକ ରାଜ୍ୟରେ ପରିଣତ ହୋଇଛି । ପାହାଡ଼ ଏପାଖେ ରହୁଥିବା ଲୋକ ସେପାଖର ରାଜା ବା ଜାହାଙ୍ଗୀର ବିଷୟରେ କିଛି ଜାଣନ୍ତି ନାହିଁ । ସେମାନେ କେବଳ ନିଜର ରଜାକୁ ଚିହ୍ନନ୍ତି । ଏହିପରି ଅସଙ୍ଖ୍ୟ ରାଜ୍ୟ ପରମ୍ପରାନୁକ୍ରମେ ଏହି ଦେଶରେ ରହିଛି । ‘ଜାହାଙ୍ଗୀର’ ର ଅର୍ଥ ଯିଏ ସାରା ପୃଥିବୀକୁ କବଳିତ କରିଛି, କିନ୍ତୁ ବାସ୍ତବରେ ତାଙ୍କ ଘୋଷିତ ରାଜ୍ୟର ପ୍ରାୟ ଅଧା ଭାଗ କେବଳ ତାଙ୍କର ଶାସନାଧୀନ ଥିଲା । ବାକି ଅଂଚଳରେ ବିଦ୍ରୋହୀମାନେ ଥିଲେ ରଜା ।’ ସପ୍ତଦଶ ଶତାବ୍ଦୀର ପ୍ରଥମ ଭାଗରେ ଜଣେ ପର୍ତ୍ତୁଗୀଜ୍ ପରିବ୍ରାଜକଙ୍କର ଭ୍ରମଣ ବୃତ୍ତାାନ୍ତର କିୟଦଂଶ ଇଏ । ଐତିହାସିକ ଦୃଷ୍ଟିକୋଣରୁ ଭାରତ କେବେ ବି ଏକ ଶାସନାଧୀନ ନଥିଲା । ଏପରିକି ମୋଗଲ ଶାସନକାଳରେ ମଧ୍ୟ ପାଞ୍ଚ ହଜାରରୁ ଅଧିକ ରାଜ୍ୟ ଓ ରାଜା ଭାରତବର୍ଷରେ ରହିଥିଲେ ବୋଲି ଆଉ ଜଣେ ରୋମୀୟ ପରିବ୍ରାଜକ ‘ମାନୁସି’ ତାଙ୍କର ଟିପାଖାତାରେ ଉଲ୍ଲେଖ କରିଛନ୍ତି । ଭାରତବର୍ଷ ଯେ ପୁଞ୍ଜା ପୁଞ୍ଜା ରାଜା ଓ ରାଜ୍ୟର ସମାହାର ଥିଲା - ଏକଥା ନିରାଟ ସତ୍ୟ ।
 
ପାହାଡ଼, ଜଙ୍ଗଲ ଘେରା ଏଇ ସବୁ ଛୋଟ ଛୋଟ ରାଜ୍ୟମାନଙ୍କୁ ‘ଜଙ୍ଗଲ ରାଜ୍ୟ’ ବୋଲି ଆମ ସମୟର ଜଣେ ପ୍ରଖ୍ୟାତ ଜର୍ମାନ ଗବେଷକ ବୁର୍ଖାଡର଼୍ ସ୍ନିପେଲ୍ କହିଛନ୍ତି । ଆମ ଦେଶୀଭାଷାରେ ଗଡ଼ଜାତ । ଆମ ରାଜ୍ୟରେ ଗଡ଼ଜାତ ଶବ୍ଦଟି ଆସ୍ତେ ଆସ୍ତେ ବ୍ୟାବହାରିକ ଜୀବନରୁ ଲୋପ ପାଇବାକୁ ବସିଲାଣି । ଦେଶ ମିଶ୍ରଣ ପରେ ଗଡ଼ଜାତର ଗୁରୁତ୍ୱ ପ୍ରାୟତଃ ଲୋପପାଇଛି । ହେଲେ ‘ଗଡ଼ଜାତିଆ’ ଶବ୍ଦଟି ଶାସନୀ ଅଞ୍ଚଳରେ ଏକପ୍ରକାର ଗାଳି ଏବଂ ପୂର୍ବତନ ଗଡ଼ଜାତ ଅଞ୍ଚଳରେ ଗୌରବସୂଚକ ଅର୍ଥରେ ବ୍ୟବହୃତ ହୋଇଥାଏ । ଗୋଟିଏ ଶବ୍ଦ ଏ ପ୍ରକାର ସ୍ଥାନ ଭେଦରେ ଦୁଇଟି ଅର୍ଥ ବହନ କରିବା କୌତୁହଳର ବିଷୟ । 

ଗଡ଼ଜାତ ବୋଇଲେ ଆମର ସାଧାରଣ ଧାରଣାଟି ହେଉଛି -

ଏକ ପ୍ରକାର ବଣ ପାହାଡ଼ ଘେରା ଅନ୍ଧାରୀ ମୂଲକ । ଯେଉଁଠି ଅଗାଣ୍ଡିଆ ରାଜା ପାଳଚୁଣ୍ଟା ମନ୍ତ୍ରୀର ମନ୍ତ୍ରଣାରେ ରାଜ୍ୟଶାସନ କରନ୍ତି । ରାଜାଙ୍କ ସ୍ତୁତି, ପ୍ରାର୍ଥନା, ଉପାସନା ଓ ନିଜ ରାଜ୍ୟର ସୀମିତ ପରିଧିକୁ ପୃଥିବୀ ମନେ କରିବାକୁ ଗଡ଼ଜାତି ପ୍ରଜାମାନେ ପରମ ଓ ଚରମ କର୍ତ୍ତବ୍ୟ ବୋଲି ଭାବନ୍ତି । ଏହିସବୁ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ବ୍ୟବସ୍ଥା ବୋଲି କିଛି ନଥାଏ । 

କାଁ ଭାଁ କେତୋଟି ଗଡ଼ଜାତକୁ ବାଦ ଦେଲେ ଏ କଥାଟି ଅନେକାଂଶରେ ସତ୍ୟ । 

ସ୍ୱାଧୀନତା ପ୍ରାପ୍ତି ଓ ବୃହତ୍ତର ଓଡ଼ିଶା ଗଠନର ପଚିଶ ବର୍ଷ ପରେ ସୋନପୁର ଗଡ଼ଜାତରେ ମୋର ଜନ୍ମ । ଜନ୍ମରୁ ଆଜିଯାଏଁ ଗଡ଼ଜାତି ଜୀବନର ବିଚିତ୍ର ଅନୁଭବ କେବେ କେବେ ବିହ୍ୱଳ, ପୁଣି କେବେ ବିମର୍ଷ କରିଛି ମୋତେ । ଗଡ଼ଜାତର ବଣୁଅାଁ ଅନ୍ଧାର ବେଶ୍ କାବ୍ୟିକ ବୋଲି ଜଣେ ବରିଷ୍ଠ କବି ଥରେ ଭାଷଣ ପ୍ରସଙ୍ଗରେ କହିଥିଲେ । ଏହି କାବ୍ୟିକ ଅନ୍ଧାର ଭିତରେ ଶୋଷଣ, କଷଣ, ଅବହେଳା ଓ ଅଶିକ୍ଷାର ପରିବେଶ ଯେ ଜମାରୁ କାବ୍ୟିକ ନୁହେଁ, ଏକଥା ଆମେ ଭଲଭାବରେ ଜାଣିଛୁ । 

ପୂର୍ବ ଉଲ୍ଲିଖିତ ପର୍ତ୍ତୁଗୀଜ୍ ପରିବ୍ରାଜକ ଜଣଙ୍କ ଜାହାଙ୍ଗୀରଙ୍କୁ କହିଥିଲେ, ‘ସମତଳ ଭୂମି ଓ ଖୋଲାରାସ୍ତା ଅଞ୍ଚଳର ଶାସକ’ । ସୁତରାଂ ଭାରତୀୟ ଇତିହାସ କେବଳ ସମତଳ ଭୂମି ଓ ଖୋଲାରାସ୍ତାର ଇତିହାସ । ଦୁର୍ଗମ ମାଳ ଅଞ୍ଚଳର ଜନଜୀବନ, ସେମାନଙ୍କର ସଂସ୍କୃତି, ଭାଷା ଓ ପରମ୍ପରା, ସେଠିକାର ଶାସନ ଓ ଶାସକମାନଙ୍କ ବିଷୟରେ ଆମ ଇତିହାସ ପ୍ରାୟତଃ ନୀରବ । ଓଡ଼ିଶାରେ ବି ସେଇ ସମାନ କଥା । ଗଡ଼ଜାତ ଏବଂ ମୋଗଲବନ୍ଦୀର ବିଭାଜନ ରେଖା ଆମ ଇତିହାସରେ ସୁସ୍ପଷ୍ଟ । ଉପକୂଳ ଓ ସମତଳ ଅଞ୍ଚଳର ଇତିହାସକୁ ସମଗ୍ର ଓଡ଼ିଶାର ଇତିହାସ ବୋଲି ଆମେ ବିଚାରି ଆସିଛୁ । ଓଡ଼ିଶାର ଗଡ଼ଜାତମାନଙ୍କ ବିଷୟରେ ଆମ ଇତିହାସରେ ଜାଗା ନାହିଁ । ବୃହତ୍ତର ଓଡ଼ିଶା ଗଠନ ପରେ ଗଡ଼ଜାତର ଅସ୍ତିତ୍ୱ ପୁରାପୁରି ମିଳେଇଯାଇଛି । ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟର ସୁରକ୍ଷା ଲାଗି ଗଡ଼ଜାତ ରାଜାମାନଙ୍କର ଅବଦାନ ସର୍ବାଧିକ । ପ୍ରଜାଙ୍କଠାରୁ ଜବରଦସ୍ତ ଖଜଣା ଅସୁଲ କରି, ସେଇ ରାଜସ୍ୱରେ ଭାଷା, ସଂସ୍କୃତି ଓ ସାହିତ୍ୟର ସୁରକ୍ଷା ଲାଗି ରାଜାମାନେ ପ୍ରୟାସ କରିଛନ୍ତି ।

ଆମ ସୋନପୁର ରାଜାଙ୍କ କୀର୍ତ୍ତିକଳାପ  ବିଷୟରେ ସ୍ଥାନୀୟ ଗବେଷକମାନେ ବହୁ ବଡ଼କଥା କହିଥାନ୍ତି । ଯଥା, ସେ କଲିକତା ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା -ସାହିତ୍ୟବିଭାଗ ଖୋଲିଥିଲେ, ରେଭେନ୍ସା କଲେଜରେ ‘ସୋନପୁର ଚେୟାର’ ପ୍ରତିଷ୍ଠା କରିଥିଲେ ଇତ୍ୟାଦି ଇତ୍ୟାଦି । କିନ୍ତୁ ଚଉଦ କୋଶ ପରିମିତ ସୋନପୁର ଗଡ଼ଜାତରେ ଗୋଟିଏ ବି କଲେଜ ନଥିଲା । କେବଳ ରାଜଧାନୀରେ ଏକ ମାତ୍ର ଉଚ୍ଚ ବିଦ୍ୟାଳୟ ରହିଥିଲା । ବୃହତ୍ତର ଭାଷା-ସଂସ୍କୃତିର ସୁରକ୍ଷା ଆଳରେ ସ୍ଥାନୀୟ ପ୍ରଜାଙ୍କୁ ଶୋଷଣ ଏବଂ ଅବହେଳା ଥିଲା ଗଡ଼ଜାତି ପ୍ରଶାସନର ଏକ ପ୍ରମୁଖ ଗୁଣ । ସ୍ୱଭାବତଃ ‘ରାଜଭକ୍ତ’ ଗଡ଼ଜାତି ପ୍ରଜାମାନେ ଏ ପ୍ରସଙ୍ଗରେ ସଚେତନ ହେବାକୁ ଅନୁଚିତ ମନେକରନ୍ତି । 

ତେଣୁ ଭାରତବର୍ଷର ଜାତୀୟ ଇତିହାସ ଅପେକ୍ଷା ସ୍ଥାନୀୟ ଇତିହାସର ଗୁରୁତ୍ୱ ବେଶି ବୋଲି ଏବେ କୁହାଯାଉଛି । ‘ଜାତୀୟ ସ୍ରୋତ’ ଆପାତତଃ ଏକ ନବୀନ ଚେତନା ଓ ଏହି ଜାତୀୟ ସ୍ରୋତଟି ବହୁ ଆଞ୍ଚଳିକ ଉପସ୍ରୋତର ମିଶ୍ରଣ ମାତ୍ର । ସେହି ଦୃଷ୍ଟିରୁ ଓଡ଼ିଶାରେ ମଧ୍ୟ ଆମର ଇତିହାସ କେବଳ ମୁଖ୍ୟସ୍ରୋତର କଥା କହୁଛି । ଏହି ସ୍ରୋତର ଉତ୍ସ ଅନୁସନ୍ଧାନ ପାଇଁ କୌଣସି ବିଧିବଦ୍ଧ ଉଦ୍ୟମ ଆମର ନାହିଁ । ସେଥିପାଇଁ ଗଡ଼ଜାତର ଇତିହାସ ବୋଲି କିଛି ନାହିଁ । କେବଳ ସମତଳ ଓ ଖୋଲା ସଡ଼କର କଥା କହିବାରେ ଆମେ ସନ୍ତୁଷ୍ଟ । 

ଏବେ ଏବେ ଆମର ବୁଦ୍ଧିଜୀବୀମାନେ ଏହି କଥା ବୁଝିବା ଆରମ୍ଭ କଲେଣି । ଏବେ ଶୁଣାଯାଉଛି, ଇତିହାସ ପରି ସାହିତ୍ୟରେ ମଧ୍ୟ ସବୁବେଳେ ସୁଗମ ଜନଜୀବନର କଥା କୁହାଯାଇଛି । ଓଡ଼ିଶାର ବ୍ୟାପକ ଗଡ଼ଜାତି ଜୀବନଶୈଳୀ ବିଷୟରେ ଆମର ସାହିତ୍ୟ ବା କାହିଁ ? ଅବଶ୍ୟ ମୋ ପରି 'ଗଡ଼ଜାତିଆ' ଲେଖକଙ୍କ ସଙ୍ଖ୍ୟା ଓଡ଼ିଶାରେ‌ ଆଦୌ କମ୍ ନୁହେଁ ! 

୧୮୭୭ ମସିହାରେ ‘ନବସମ୍ବାଦ’ରେ କବିବର ରାଧାନାଥ ରାୟ ତାଙ୍କର ‘ଭ୍ରମଣକାରୀର ପତ୍ର’ରେ ଲେଖିଥିଲେ - ‘ପ୍ରାଚୀନ କାଳରେ ଗଡ଼ଜାତ ଯେପରି ଥିଲା, ଆଠଗଡ଼ ସେଥିରୁ ସମୁନ୍ନତ ମନେହେଲା ନାହିଁ । ପ୍ରତ୍ୟୁତ  ମୋଗଲବନ୍ଦୀର ସଭ୍ୟତା ପ୍ରଦୀପର ଅଧଃଛାୟା ପ୍ରାୟ ବୋଧ ହେଲା ।’ ରାଧାନାଥଙ୍କର ଏଇ ଉକ୍ତି ଅବତାରଣା କରିବା ପଛରେ ନିହିତ ଉଦ୍ଦେଶ୍ୟଟି ହେଲା, ଗଡ଼ଜାତ ଓ ମୋଗଲବନ୍ଦୀର ବିଭାଜନରେଖାକୁ ଆଉ ଟିକେ ସ୍ପଷ୍ଟ କରାଇଦେବା । ଓଡ଼ିଆ ନବଜାଗରଣର ଯୁଗରେ ଗଡ଼ଜାତି ପ୍ରଜାମାନେ ତାଙ୍କରି ଅନ୍ଧାର ଭିତରେ ହିଁ ମାଟି କାମୁଡ଼ି ପଡ଼ିରହିଥିଲେ - ଏକଥା କେହି ଚିନ୍ତା କରିନାହାନ୍ତି । ଗଡ଼ଜାତି ରଜାମାନଙ୍କଠାରୁ ସୁଖସ୍ୱାଚ୍ଛନ୍ଦ୍ୟ ଲାଭ ଓ ସେମାନଙ୍କଠାରୁ ଆର୍ଥିକ ସାହାଯ୍ୟ ଲାଭ ଆଶାରେ ପ୍ରାୟ ଓଡ଼ିଆ ବୁଦ୍ଧିଜୀବୀ ସେମାନଙ୍କ ତୋଷାମଦରେ ମୁଖର ହୋଇପଡ଼ିଛନ୍ତି । ଗଡ଼ଜାତର ଅନ୍ଧାର ଅପେକ୍ଷା ରାଜପ୍ରାସାଦର ରାଜକୀୟ ଆଲୋକ ସେମାନଙ୍କୁ ବେଶି ପ୍ରଲୁବ୍ଧ କରିଛି । 

୧୮୯୬ ମସିହା ‘ଓଡ଼ିଆ ଓ ନବସମ୍ବାଦ’ରେ ପ୍ରକାଶିତ ରାଧାନାଥଙ୍କର ‘ବାମଣ୍ଡା’ ଲେଖାରୁ ଆଉ କିଛି ଉଲ୍ଲେଖ କରୁଛି । ‘ସାଧାରଣତଃ ଗଡ଼ଜାତ-ରାଜବୃନ୍ଦର ରୁଚି ଦେଖି ଅନେକ ସମୟରେ ଆଶ୍ଚର୍ଯ୍ୟାନ୍ୱିତ ହେବାକୁ ହୁଏ । ନିର୍ଜନବାସ, ସ୍ୱାସ୍ଥ୍ୟକର ବାୟୁସେବନ ଏବଂ ସୁନ୍ଦର ପ୍ରାକୃତିକ ଦୃଶ୍ୟଦର୍ଶନର ସୁବିଧା ଏମାନଙ୍କର ଯେପରି ଅଛି ଓଡ଼ିଶାରେ ଏପରି ସୁବିଧା ଆଉ କାହାରି ନାହିଁ ।’ ଗଡ଼ଜାତି ରଜାମାନଙ୍କ ପ୍ରତି ଆମ ବୁଦ୍ଧିଜୀବୀମାନଙ୍କର ଆଗ୍ରହ ଓ ଅନ୍ଧାରମଗ୍ନ ଗଡ଼ଜାତବାସୀଙ୍କ ପ୍ରତି ଅନାଗ୍ରହର କାରଣ ସୁସ୍ପଷ୍ଟ । ସାହିତି୍ୟକ ପ୍ରତିଷ୍ଠା ଲାଗି ସାମାଜିକ ଦାୟବଦ୍ଧତା ଅପେକ୍ଷା ରାଜ୍ୟନୁଗତ୍ୟ ଯେ ବେଶି ଲୋଡ଼ା, ଏଇ କୌଶଳଟି ଆମର ଆଧୁନିକ ଲେଖକମାନେ ବେଶ୍ ଶିଖିଥିଲେ । 

ଦୀନକୃଷ୍ଣ ଦାସଙ୍କ ପରି ସତ୍ତାଦ୍ରୋହୀ ପଦ ‘କବି ଯା କରେ ମୁର୍ଖକୁ ସ୍ତୁତି’ ଲେଖି ତଳିତଳାନ୍ତ ହୋଇ ମରିବାର ସତ୍ସାହସ ଓଡ଼ିଆ ଲେଖକର ମରିସାରିଥିଲା । ‘ନବଜାଗରଣ ପର୍ବରେ ଯେଉଁ ଜାତୀୟ ଚେତନା ଓ ଅସ୍ମିତାବୋଧର କଥା କୁହାଯାଉଥିଲା, ତାହା ଅତ୍ୟନ୍ତ ସଙ୍କୀର୍ଣ୍ଣ ଓ ଅପୂର୍ଣ୍ଣାଙ୍ଗ, ଏହା ମୁଁ ଦୃଢ଼ତାର ସହ କହିବି ।‘ଉକ୍ରଳୀୟ ଭାଷା ଓ ସଂସ୍କୃତି’ ବୋଲି ଯେଉଁ ଡକରାଟି ସେତେବେଳେ ଶୁଭିଲା, ତା’ର ସୀମା କେବଳ ମୋଗଲବନ୍ଦୀ ଅଞ୍ଚଳ  । ଗଡ଼ଜାତର ରାଜାମାନଙ୍କର ଉପସ୍ଥିତି ଓ ମତାମତକୁ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣଙ୍କର ମତାମତ ବୋଲି ଧରିନିଆଗଲା । ଫଳରେ ‘ଓଡ଼ିଆ ପରିଚୟ’ ସହିତ ‘ଗଡ଼ଜାତି ପରିଚୟ’ ମିଶିବାର ଅବକାଶ ରହିଲା ନାହିଁ । ବରଂ ଆଜି ପର୍ଯ୍ୟନ୍ତ ପୁରୁଣା ରାଜ୍ୟର ପରିଚୟକୁ ନେଇ ଅସ୍ମିତାବୋଧର ଏକ ବିକଳାଙ୍ଗ ସ୍ୱରୂପ ଗଡ଼ଜାତ ଅଞ୍ଚଳରେ  ରହି ଆସିଛି । 

ଗଡ଼ଜାତି ରାଜା ଓ ପ୍ରଜାମାନଙ୍କର ସମ୍ପର୍କ ଶୋଷକ ଓ ଶୋଷିତର । ତଥାପି ରାଜା ଯେ ପ୍ରଜାର ପ୍ରଭୁ, ଏଇ ନୀତିବାକ୍ୟରୁ ଗଡ଼ଜାତ ପ୍ରଜାଏ ବିଚ୍ୟୁତ ହୋଇନାହାନ୍ତି । ପ୍ରଜାମଣ୍ଡଳ ଆନ୍ଦୋଳନ ମାଧ୍ୟମରେ କେତେକ ଗଡ଼ଜାତରେ ବିଦ୍ରୋହର ପଦଧ୍ୱନୀ ଶୁଭିଥିଲେ ମଧ୍ୟ, ତାହା କେବଳ ପଦଧ୍ୱନୀ ମାତ୍ର । ପ୍ରଜାମଣ୍ଡଳ ଆନ୍ଦୋଳନର ଜଣେ ପ୍ରଖ୍ୟାତ କର୍ମୀ, ସୋନପୁରର ସ୍ୱର୍ଗତ ସତ୍ୟାନନ୍ଦ ହୋତା, ଥରେ କହିଥିଲେ, ‘ଆମେ ଗଡ଼ଜାତିଆ ସବୁବେଳେ କର୍ମୀ; ମୋଗଲବନ୍ଦୀଆ ନେତା’ । ସ୍ୱାଭାବିକ ଭାବରେ ମୋଗଲବନ୍ଦୀ ଅଞ୍ଚଳରେ ଶିକ୍ଷାର ବିକାଶ ଘଟୁଥିଲା । ଏଇ ଅଞ୍ଚଳର ଶିକ୍ଷିତ-ସମ୍ଭ୍ରାନ୍ତ ନେତୃବର୍ଗ ନିଜର ନେତୃତ୍ୱ ପ୍ରତିଷ୍ଠା ପାଇଁ ଗଡ଼ଜାତିଆଙ୍କର ସ୍ଥାନୀୟ ନେତୃତ୍ୱକୁ କର୍ମୀତ୍ୱର ବନ୍ଧନୀରେ ବାନ୍ଧି ରଖିଲେ । ଫଳତଃ ବୃହତ୍ତର ଓଡିଶା  ଗଠନ ଓ ଦେଶ ସ୍ୱାଧୀନତା ପରେ ଗଣତାନ୍ତ୍ରିକ ପଦ୍ଧତିରେ ମଧ୍ୟ ଗଡ଼ଜାତ ଅଞ୍ଚଳର ପ୍ରତିନିଧିତ୍ୱ ରାଜାରାଜୁଡ଼ାଙ୍କ ହାତରେ ହିଁ ନ୍ୟସ୍ତ ରହିଲା । ରାଜାନୁଗତ ଗଡ଼ଜାତି ଚେତନାରେ ଗଣତନ୍ତ୍ରର ଆଦର୍ଶ କିଛି ବି ହଲଚଲ ସୃଷ୍ଟି କରିପାରିଲା ନାହିଁ । 

ପ୍ରଜାମଣ୍ଡଳ ଆନ୍ଦୋଳନର ଇତିହାସ ଆଜି ପର୍ଯ୍ୟନ୍ତ ବିଧିବଦ୍ଧ ଭାବରେ ସଙ୍କଳିତ ହୋଇଛି କି ? ଓଡ଼ିଶାରେ ସ୍ୱାଧୀନତା ଆନ୍ଦୋଳନର କଥା ଉଠିଲା ବେଳେ ବାଜିରାଉତ, ରଘୁ-ଦିବାକରଙ୍କୁ ବାଦ ଦେଲେ ଆଉ କେଉଁ ଗଡ଼ଜାତି ସଙ୍ଗ୍ରାମୀଙ୍କ ବିଷୟରେ ଆମେ ଜାଣିଛୁ ? ସାରଙ୍ଗଧର ଦାସଙ୍କ ଭୂମିକାକୁ ସ୍ୱାଧୀନୋତ୍ତର ଓଡ଼ିଶାରେ ଖର୍ବ କରି ପ୍ରସ୍ତୁତ କରାଯାଇ ନାହିଁ କି ? ତୋଷାମଦକାରୀ ଓ ରାଜାଙ୍କ ଚାଟୁକାରଙ୍କ ହାତରେ ଗଡ଼ଜାତି ପ୍ରଜାଙ୍କର ଗଣତାନ୍ତ୍ରିକ ଭାଗ୍ୟ ଆଜି ବି ନିର୍ଦ୍ଧାରିତ ହେଉଛି । ରାଜାନୁଗତ ପ୍ରଜାସୁଲଭ ମନୋଭାବର ପ୍ରତିଫଳନ ସ୍ୱରୂପ ସ୍ୱାଧୀନତାର ଷାଠିଏ ବର୍ଷ ପରେ ମଧ୍ୟ ରାଜବଂଶମାନେ ଗଡ଼ଜାତର ପ୍ରତିନିଧିତ୍ୱ କରିଆସୁଛନ୍ତି । ରାଜାସାହେବ, ଟିକାୟତ ସାହେବ, ଲାଲ୍ ସାହେବମାନଙ୍କର ହାତରେ ଆମର ଗଣତନ୍ତ୍ର ସୁରକ୍ଷିତ ବୋଲି ଆମେ ଆଜି ବି ଭାବୁଛୁ । ପିଲାବେଳେ ରାଜଭକ୍ତିର ବହୁ ବିଚିତ୍ର ଦୃଶ୍ୟ ମୋର ମନେଅଛି । ଥରେ ମଞ୍ଚ  ଉପରୁ ଭାଷଣ ଦେଉ ଦେଉ ଅତ୍ୟନ୍ତ ଭାବପ୍ରବଣ କୁଜି ନେତା ଜଣେ କହି ପକାଇଲେ, ‘ଆମର ରାଜା ଆମ ପାଇଁ ଦେବତା । ସେ ଯଦି ତାଙ୍କ କୁକୁରକୁ ଭୋଟ ଦେବା ପାଇଁ କହିବେ, ଆମେ ତାଙ୍କୁ ନିଶ୍ଚୟ ଭୋଟ ଦେବୁ ।’  ମଞ୍ଚସ୍ଥ ରାଜା ସଗର୍ବରେ ହସୁଥିଲେ ଓ ସାମ୍ନାରେ ଗଣତନ୍ତ୍ର ଶାସନରେ ଅଛନ୍ତି ବୋଲି ଜାଣିପାରିଥିବା ପ୍ରଜାମାନେ ତାଳି ମାରୁଥିଲେ । 

ଚାଟୁକାରିତା ଓ ତୋଷାମଦିରେ ପାରଙ୍ଗମ ଲୋକଚରିତ୍ର ସହଜେ ବଦଳେ ନାହିଁ । କିନ୍ତୁ ସଚେତନ ଓ ଶିକ୍ଷିତ ବୁଦ୍ଧିଜୀବୀ ଚାଟୁକାର ହେଲେ କଥା ସଇଲା । ‘ଦରବାର’କୁ ବିଦ୍ରୁପ କରି କବିତା ଲେଖୁଥିବା କବି ଯେତେବେଳେ ରାଜାମାନଙ୍କର ସ୍ତବପାଠ କରିବା ଆରମ୍ଭ କରନ୍ତି, ତାହା ସାହିତ୍ୟ ପାଇଁ କଦାପି ଶୁଭଙ୍କର ନୁହେଁ । କେଉଁ କାରଣରୁ ଆମର ନବଯୁଗର ସୂତ୍ରଧରମାନେ ରାଜାନୁଗତପ୍ରାଣ ଥିଲେ ସେ ବିଷୟରେ ଆମେ କେବେ କିଛି ଚିନ୍ତା କରିନାହୁଁ । ଆଦର୍ଶସ୍ଥାନୀୟ ଚରିତ୍ରମାନେ ଯେ କେବେ କିଛି ଭୁଲ କରନ୍ତି ନାହିଁ, ଏପରି ଏକ ବିଚିତ୍ର ଧାରଣା ଆମର ରହିଛି । କିନ୍ତୁ ପ୍ରତ୍ୟେକ ମହାପୁରୁଷ ଭିତରେ ସାଧାରଣ ମଣିଷଟିଏ ଥାଏ, ଯିଏ କି ଭୁଲ କରିବାକୁ ବାଧ୍ୟ ।

No comments:

Post a Comment