Tuesday, May 23, 2017

ମହିମା ଭକ୍ତି କବିତା - 'କରୁଅଛି ମୁଁ ବିନତୀ'



ସନ୍ଥ କବି ଭୀମ ଭୋଇ


ଯୁକ୍ତରାଜ୍ୟ ଆମେରିକାର ମୋହାୱେ ମରୁଭୂମିରେ ମେଘମାଳା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

କରୁଅଛି ମୁଁ ବିନତୀ ।

ଶୂନ୍ୟ ଅଭୟ ପୟର ଚିନ୍ତି ଯେ । ଘୋଷା ।

ଲଗାଇଛି ଲୟେ, ଗୁରୁ ପଦ୍ନ ପାୟେ
ନ ଜାଣଇ ଦିବାରାତି ।
କଳିଯୁଗେ ମୁଁ ତ, ନର ଅଙ୍ଗେ ଜାତ
ଅଟେ ଅଳପ ଶକତି ଯେ ।୧।

ନାନା କର୍ମ କରି, ଚେତା ନ ସୁମରି
ନୁହଇ ଗୁରୁ ଭକତି ।
ଅନୁକ୍ଷଣେ ମୋତେ, ସୁସ୍ଥ ନାହିଁ ଚିତ୍ତେ
ବିଷୟା ଧନ୍ଦାରେ ମାତି ଯେ ।୨।

ନ ପଶେ ହୃଦୟେ, ନ ଭେଦଇ କାୟେ
ନାହିଁ ମୋର ଜ୍ଞାନ ଗତି ।
କାଳ ଖଡ୍ଗ କାଟି, ପକାଉଛି ବାଣ୍ଟି
ମନ ପଚିଶ ପ୍ରକୃତି ଯେ ।୩।

ନିଶବଦ ଘରୁ, ଉଦେ ହେଲେ ଗୁରୁ
ବିଜେ କଲେ ଏ ଧରିତ୍ରୀ ।
ସଂସାର ସାଗରେ, ଦିଗ ଦିଗାନ୍ତରେ
କଳି ଘୋଟିଅଛି ପୃଥ୍ୱୀ ଯେ ।୪।

ଦେଖ ଦେଖ ପ୍ରଭୁ, ପାପ କର୍ମ ଯୋଗୁଁ
ହୋଇଲାଣି ଅପକୀର୍ତ୍ତି ।
ଏ ପିଣ୍ଡ ବ୍ରହ୍ମାଣ୍ଡ, ଯେମନ୍ତେ ରହିବ
ଭାରା ଛେଦି କର ସ୍ଥିତି ଯେ ।୫।

ଅଶେଷ ଭୁବନ, ଶୁଣ ସର୍ବଜନ
ଡାକ ଦେଉଅଛି ନିତି ।
ଭଣେ ଭୀମହୀନ, ପାମର ଅଜ୍ଞାନ
ଗୁରୁ ପାଦେ ଦେଇ ମତି ଯେ ।୬।

No comments:

Post a Comment