Sunday, May 14, 2017

ହେମନ୍ତ ଦାସଙ୍କୁ ମନେ ପକେଇ


କେଦାର ମିଶ୍ର 


ପୁରୀର ବଡ଼ ଦାଣ୍ଡ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ

- ବାବୁ ତୁ କ’ଣ ଆଉ ସିନେମାରେ କାମ କରୁନୁ ?

- ନାଇଁରେ, ମୁଁ ବୁଢ଼ା ହୋଇଗଲିଣି ତ ? ସେଥି ପାଇଁ ସେମାନେ ମୋତେ ଆଉ ଖୋଜୁନାହାନ୍ତି । ଯା’ ହେଉ, ତୁ ମୋତେ ମନେରଖିଛୁ ।

ଅନେକ ବର୍ଷ ତଳେ ପୁରୀ ବଡ଼ଦାଣ୍ଡରେ ଜଣେ ରିକ୍ସାବାଲା ଓ ସ୍ୱର୍ଗତ ଅଭିନେତା ହେମନ୍ତ ଦାସଙ୍କ କଥୋପକଥନର କିଛି ଅଂଶ ଇଏ । ହେମନ୍ତ ଦାସଙ୍କୁ ଚିହ୍ନିଥିବା ରିକ୍ସାବାଲା ଓ ରିକ୍ସାବାଲାକୁ ଭଲପାଉଥିବା ହେମନ୍ତ ଦାସଙ୍କୁ ନେଇ ଯେଉଁ ପୃଷ୍ଠଭୂମି ନିର୍ମାଣ ହୋଇଛି, ସେଥିରେ ଆମ ଜୀବନବୋଧ ଓ କଳାପକ୍ଷର ଏକ ବିଚିତ୍ର ଦିଗର ସଙ୍କେତ ମଧ୍ୟ ରହିଛି । ଶିଳ୍ପୀ ଓ କଳାକାରର ଦେଶ ବୋଲି ଛାତି ବାଡେ଼ଇବାରେ ଆମ ଗୌରବବୋଧର କୌଣସି ସୀମା ନାହିଁ । ବାସ୍ତବ ଜୀବନରେ କଳାର ଅମର୍ଯ୍ୟାଦା ଏବଂ ଶିଳ୍ପୀକୁ ଅବହେଳା ତାଙ୍କର ଉପେକ୍ଷିତ ଜୀବନ କାହାଣୀ କେବଳ ନୁହେଁ, ତାହା ପ୍ରତ୍ୟେକ ଓଡ଼ିଆ କଳାକାରର ଉପେକ୍ଷା ଓ ଅବହେଳାର ଅନ୍ୟତମ ଦୃଷ୍ଟାନ୍ତ ମାତ୍ର ।

ହେମନ୍ତ ଦାସଙ୍କ ଅଭିନୟକୁ ଆମ ଚଳଚ୍ଚିତ୍ର ଜୀବନର ସେହି ବିନ୍ଦୁ ବୋଲି ଆମେ କହିପାରିବା, ଯୋଉଠି ଗୋଟିଏ ପ୍ରଜନ୍ମର ପୂର୍ଣ୍ଣଛେଦ ପଡ଼ିଲା । ରଙ୍ଗମଞ୍ଚ ଏବଂ ଚଳଚ୍ଚିତ୍ରର ଅନ୍ତିମ ମହାନାୟକ ସିଏ । ଅଭିନୟରେ ନିଖୁଣ ଓଡ଼ିଆ ଭାବ, ସଂଳାପ, ଉଚ୍ଚାରଣରେ ନିପଟ ଓଡ଼ିଆପଣ ଏବଂ ଚାହାଣୀ-ଚଳଣୀ ଓ ନିତାନ୍ତ ସାଧାରଣ ଓଡ଼ିଆ ମଣିଷର ପ୍ରତିନିଧି । କ୍ରମଶଃ ମାଙ୍କଡ଼ମାନଙ୍କର ସହର ପାଲଟି ଯାଉଥିବା ଆମ ଚଳଚ୍ଚିତ୍ରର ପରଦା ଭିତରେ ହେମନ୍ତ ବାବୁଥିଲେ ଓଡ଼ିଆ ମଣିଷର ସ୍ୱପ୍ନ ଓ ସଙ୍ଘର୍ଷର ପ୍ରତିନିଧି । ସେ ଅଭିନୟ ଜଗତର ଏମିତି ଏକ ପିଢ଼ିରୁ ଆସିଥିଲେ, ଯେଉଁଠି ଜାଗତିକ ସଫଳତାର କୌଣସି ଅର୍ଥ ନଥିଲା । ଅଭିନୟର ନିଶା ଘାରିଥିଲା ବୋଲି ସେମାନେ ‘ଷ୍ଟାର୍’ ହେବାର ମୋହରେ ପଡ଼ିନଥିଲେ । ବେପାରୀ ବା ବଜାରୀ ହେବା କଳାର ଲକ୍ଷ୍ୟ ନୁହେଁ - ସେଠି ଜୀବନ ଓ ପ୍ରେମ ହିଁ ସବୁଠୁ ବଡ଼ କଥା । ଏଇ ପ୍ରେମ ସେମାନଙ୍କୁ ବାଇଆ କରିଥିଲା । ମଞ୍ଚ ଓ ପରଦାରେ ସେମନେ ନିଜ ଜୀବନକୁ ଢାଳି ପକେଇଥିଲେ । ଉଚ୍ଚଶିକ୍ଷିତ, ସ୍ୱଚ୍ଛଳ ପରିବାରରୁ ଆସିଥିବା ଅନେକ ଯୁବକ ସେତେବେଳେ କଳାକାର ହେବାର ନିଶାରେ ସ୍ୱେଚ୍ଛାରେ ଦାରିଦ୍ର୍ୟକୁ ଗ୍ରହଣ କରିଥିଲେ ।

ହେମନ୍ତ ଦାସଙ୍କ କଥା ସହ ମନେପଡ଼ୁଛି ସାମୁଏଲ ସାହୁ(ବାବି)ଙ୍କ କଥା । ଇଞ୍ଜିନିୟର ନହୋଇ ବାବି ବାବୁ ଅଭିନେତା ହୋଇଥିଲେ । ପରିଣତିରେ ତାଙ୍କୁ ଯାହା ଭୋଗିବାକୁ ପଡ଼ିଥିଲା, ତା’ର ଇତିହାସ ଆମେ ସଭିଏଁ ଜାଣୁ । କଳା ଓ ଜୀବନର ନିଶା ଆଗରେ ଦାରିଦ୍ର୍ୟର କୌଣସି ମାନେ ନଥାଏ । କଳାକାର ଜାଣେ, ସେ ତା’ର ମାଟି ଓ ମଣିଷର ପ୍ରତିନିଧି । ତେଣୁ ମାଟିରେ ଲୋଟିବାକୁ, ମଣିଷ ସହ ଏକାକାର ହେବାକୁ ସେ ଜୀବନସାରା ସଙ୍ଘର୍ଷ କରୁଥାଏ । ଦରଗଢ଼ା ସ୍ୱପ୍ନମାନଙ୍କୁ, ଭାଙ୍ଗି ଯାଉଥିବା ଅଭିଳାଷ ଓ ଦଦରା ସଙ୍କଳ୍ପକୁ ନେଇ ଶିଳ୍ପୀର ଅଭିଯାତ୍ରା । ଶିଳ୍ପୀ ସବୁବେଳେ ନିଶାରେ ଥାଏ । ନିଶାରେ ଥିବା ମଣିଷ ଜୀବନର ଅସଲ ସତ୍ୟକୁ ବୟାନ କରିପାରେ । ଆମ ପାଇଁ ଏହି ନିଶାଗ୍ରସ୍ତ ଶିଳ୍ପୀମାନେ ହିଁ ସତ୍ୟର ଆବିଷ୍କାରକ । ବିଡ଼ମ୍ବନାର କଥା ହେଲା, ସେମାନଙ୍କୁ ଆମେ ସହଜରେ ଚିହ୍ନିପାରୁନା ।

ବିଫଳତାର କଥା ଉଠୁଛି ଯେତେବେଳେ, ହେମନ୍ତ ଦାସଙ୍କ ବିଫଳତା କଥା ବି ଉଠୁ । ଫକୀର ମୋହନଙ୍କ ‘ପେଟେଣ୍ଟ ମେଡ଼ିସିନ୍’ଠୁ ନେଇ ‘ସୁଲୋଚନା’ ସିନେମା କରିବା ଲାଗି ତାଙ୍କର ଦୀର୍ଘବର୍ଷର ପ୍ରୟାସ ମରିବା ଯାଏ ସଫଳ ହେଲାନାହିଁ । ବାବୁ ଚନ୍ଦ୍ରମଣିଙ୍କୁ ଚଳଚ୍ଚିତ୍ରରେ ଦେଖିବାର ଓ ଦେଖାଇବାର ଅଧୁରାସ୍ୱପ୍ନ ଆଖିରେ ନେଇ ହେମନ୍ତ ଦାସ ଚାଲିଗଲେ । ମରିବା ଆଗରୁ କହିଥିଲେ, ବିଫଳତାକୁ ନେଇ ଭାବିଲେ କେବଳ ଅନୁଶୋଚନା ହିଁ ସାର ହେବ । ସତ୍ କଳାକାର କେବେ ବି ସଫଳତା ଓ ବିଫଳତାକୁ ନେଇ ଚିନ୍ତା କରେନି । ତା’ ପାଇଁ ସ୍ୱପ୍ନ ହିଁ ସବୁଠୁ ବଡ଼ । ଗୋଟେ ସ୍ୱପ୍ନକୁ ନେଇ ସେ ବଞ୍ଚେ । ତାକୁ ସାକାର କରିବା ଲାଗି ସଙ୍ଘର୍ଷ ଭିତରେ ପରାଜୟକୁ ସେ ଅସ୍ୱୀକାର କରେ । ପରାଜୟକୁ ଅସ୍ୱୀକାର କରିବା କମ୍ ବିଜୟ ନୁହେଁ ।

ହେମନ୍ତ ଦାସଙ୍କୁ ରିକ୍ସାବାଲା ଯେଉଁ ପ୍ରଶ୍ନ ପଚାରିଥିଲା, ସେ ପ୍ରଶ୍ନର ଉତ୍ତର ଆସନ୍ତାକାଲି ଆଉ କେଉଁ କଳାକାର ହୁଏତ ଦେବେନାହିଁ । ହୁଏତ, ଏମିତି ପ୍ରଶ୍ନଟିଏ ପଚାରିବାକୁ ରିକ୍ସାବାଲାଟିଏ ଯେ ମିଳିବ, ସେ ସମ୍ଭାବନା ମଧ୍ୟ ଦିଶୁନାହିଁ । ଚଳଚ୍ଚିତ୍ର ଯେଉଁଠି ଚକ୍ ଚକ୍ ବେପାର, ସେଠି ହେମନ୍ତ ଦାସମାନେ ବୁଢ଼ା ହୋଇ ଉପେକ୍ଷା ଭୋଗିବାକୁ ଓ ଚୁପଚାପ ମରିଯିବାକୁ ବାଧ୍ୟ । ମୃତ୍ୟୁ ଗୋଟେ ନାଟକର ଯବନିକା ପତନ ନୁହେଁ, ତାହା ଗୋଟିଏ ନୂତନ ଇତିହାସର ଅୟାମାରମ୍ଭ ମାତ୍ର । ହେମନ୍ତ ଦାସଙ୍କ ଜୀବନ ଗୋଟେ ଲମ୍ବା ଇତିହାସ, ଓ ସେମିତି ମୃତ୍ୟୁ ବି ଗୋଟିଏ ନୂଆ ନାଟର ଉଦଘୋଷଣା ।

ବି.ଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ର ୧୬-୩୧ ମଇ ସଙ୍ଖ୍ୟାରେ ୨୦୧୦ ମସିହାରେ ପ୍ରକାଶିତ ହୋଇଥିଲା ।

1 comment:

  1. For every Odia who has little consciousness, would adore Hemant Das as an artist. He was a born artist, a natural artist. Your article is just brilliant! Thanks

    ReplyDelete