ସମଶୀତଳ ଦେଶର ଘାସଭୂଇଁ
ଗୋପୀନାଥ ମହାନ୍ତି
![]() |
ପୂର୍ବ କାଜାକସ୍ଥାନର ଆଲ୍ତିନ ଏମିଲ ଜାତୀୟ ଉଦ୍ୟାନର ସମଶୀତଳ ତୃଣଭୂମି ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଉଷ୍ଣ-କଟିବନ୍ଧର ବାହାରେ ସମଶୀତଳ ଦେଶର ଘାସ-ଭୂଇଁ । ଦକ୍ଷିଣ ଆଫ୍ରିକାର ପଶ୍ଚିମ ଅର୍ଦ୍ଧର ଭେଲଡ଼, ଦକ୍ଷିଣ ଆମେରିକାର ଦକ୍ଷିଣ-ପଶ୍ଚିମରେ ଥିବା ପମ୍ପାସ୍, ଅଷ୍ଟ୍ରେଲିୟାର ଦକ୍ଷିଣ-ପଶ୍ଚିମରେ ଥିବା ‘ଡ଼ାଉନସ୍’, ଉତ୍ତର ଆମେରିକାର ମଝିରେ ଥିବା ପ୍ରେୟାରି, ଇଉରୋ୍ପର ଠିକ ମଝିରେ ଲମ୍ବା ହୋଇ ପୂର୍ବରୁ ପଶ୍ଚିମକୁ ଯାଇଛି ଯେଉଁ ଋଷିଆ ଓ ସାଇବେରିଆର ଷ୍ଟେପିସ୍ ଭୂଇଁ, ସେହି ଧାଡ଼ିରେ ଚିନ ଦେଶର ପୂର୍ବକୁ ଯାଇଛି ଯେଉଁ ମଙ୍ଗୋଲିଆର ଷ୍ଟେପିସ; ଏ ସବୁ ବିରାଟ ଦେଶ ଘାସଭୂଇଁ । ଆମ ସମୁଦାୟ ଭାରତବର୍ଷ, କୁମାରୀକାଠାରୁ ହିନ୍ଦୁକୁଶ ପର୍ଯ୍ୟନ୍ତ ଓ ବେଲୁଚିସ୍ଥାନଠାରୁ ଆସାମ ପର୍ଯ୍ୟନ୍ତ କେବଳ ଢେ଼ଉ ପରି ପଡ଼ିଥିବା ଉଠିଥିବା ଘାସରେ ପୂର୍ଣ ହେଲେ ଯେପରି ଦିଶନ୍ତା, ଉତ୍ତର ଆମେରିକାର ବିରାଟ ପ୍ରେୟାରି ଘାସ ଭୂଇଁ ସେହିପରି । ଆକାରରେ ଭାରତବର୍ଷଠାରୁ ବଡ଼ ହେବ । ଷ୍ଟେପିସ ତ ଗୋଟାଏ ମହାଦେଶରୁ ଆରମ୍ଭ ହୋଇ ଆଉ ଗୋଟାଏ ମହାଦେଶର ଶେଷପର୍ଯ୍ୟନ୍ତ ଲମ୍ବିଯାଇଛି ।
ଶୀତଦିନେ ଉତ୍ତର ଗୋଲାର୍ଦ୍ଧର ଘାସଭୂଇଁରେ ବରଫ ଜମାଟ ବାନ୍ଧିଯାଏ । ସବୁଆଡେ଼ ଶୁନଶାନ ହୋଇ ପଡ଼ି ରହେ ବିରାଟ ବରଫର ପଡ଼ିଆ । ଦକ୍ଷିଣ ଗୋଲାର୍ଦ୍ଧରେ କ୍ୱଚିତ ବରଫ ପଡେ଼ । ବସନ୍ତ ଆସିଲେ ବରଫ ତରଳେ ସାମାନ୍ୟ ବର୍ଷା ମଧ୍ୟ ହୁଏ । ଭୂଇଁ ଘାସର ଫୁଲରେ ପୂରିଯାଏ । ଉଚ୍ଚ ନୀଚ୍ଚ ଭୂଇଁରେ ସବୁଜ ଘାସ ଠିକ ଢେ଼ଉ ପରି ଦିଶେ କିନ୍ତୁ ଏ ଘାସ ଗରମ ଦେଶର ଘାସ ପରି ଏତେ ଉଚ୍ଚ ହୁଏ ନାହିଁ ।
ବସନ୍ତ ଯାଏ, ଖରା ଆସେ, ଚାରିଅଡେ଼ ଘାସ ମଉଳି ଆସେ, ଅତି ଖରା ପଡ଼ିଗଲେ ଘାସ ଖରାରେ ପୋଡ଼ି ଯାଏ । ଚାରି ଆଡ଼ର ବିଶାଳ ପଡ଼ିଆ ଲଣ୍ଡା ହୋଇଯାଏ । ଗରମ ଦେଶର ଘାସଭୂଇଁ ପରି ଏଠି ଅନ୍ୟ କୌଣସି ପ୍ରକାର ଗଛ ନ ଥାଏ, ଖାଲି ଘାସ । ତେଣୁ ଅତି ଖରା ହେଲେ ଚାରି ଆଡେ଼ ହତଶ୍ରୀ ଦିଶେ ।
ଏଠି ସେହି ଦୁଇ ପ୍ରକାର ଜନ୍ତୁ, ଯେଉଁମାନେ ଘାସ ଖାଆନ୍ତି ଆଉ ଯେଉଁମାନେ ସେ ଜନ୍ତୁମାନଙ୍କୁ ଖାଆନ୍ତି । ଲୋକେ ଏଠି ଶିକାର କରି ବଞ୍ଚୁଥିଲେ, ପ୍ରେୟାରି ଦେଶର ନାଲିମଣିଷମାନେ ଛୋଟ ହରିଣ ଶିକାର କରି ବଞ୍ଚୁଥିଲେ । ତା ପରେ ଲୋକେ ପଶୁ ପାଳିଲେ । ପ୍ରଥମେ ଘୋଡ଼ା ଘାସ ଖାଇ ଦୂରକୁ ଚାଲି ଯାଆନ୍ତି । ତା ପରେ ସେ ଭୂଇଁରେ ଗୋରୁ ଗାଇ ଚରନ୍ତି । ଶେଷରେ ଯାହା ଥାଏ, ତାକୁ ମେଣ୍ଢାମାନେ ପୋଛି ପାଛି ଖାଇ ଯାଆନ୍ତି । ପଶୁ ପାଳକମାନଙ୍କୁ ଗୋଠ ଘେନି ଏଠୁ ସେଠିକୁ ବୁଲିବାକୁ ହୁଏ । ଶହ ଶହ ପଶୁ ଘେନି ଶହ ଶହ କୋଶ ବୁଲିବାକୁ ହୁଏ ବୋଲି ଏମାନେ ଭଲ ଘୋଡ଼ାସବାର ହୁଅନ୍ତି ଓ ପ୍ରତି ନୂଆ ସ୍ଥଳକୁ ନିଜର ଘର କରି ନିଅନ୍ତି । ଏମାନଙ୍କୁ ବୁଲିବାକୁ ହୁଏ ବୋଲି ଏମାନଙ୍କର ସ୍ଥାୟୀ ଘର ନାହିଁ । ପଶୁ ଏମାନଙ୍କର ଖାଦ୍ୟ, ପଶୁର ଛାଲ ଏମାନଙ୍କର ପୋଷାକ, ପଶୁ ଏମାନଙ୍କର ଧନ । ଏମାନେ ଦେଶ ସବୁ ଜୟ କରିଛନ୍ତି । ମଙ୍ଗୋଲ ରାଜା କୁବଲାଇ ଖାଁଙ୍କର ରାଜ୍ୟ ଇଉରୋପଠାରୁ ଏସିଆ ଶେଷ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଏମାନେ ସାହସୀ ହୁଅନ୍ତି, ଖୋଲା ପଡ଼ିଆରେ ବୁଲି ବୁଲି ସ୍ୱାଧୀନତା-ପ୍ରିୟ ହୁଅନ୍ତି, କଷ୍ଟ ସହି ସହି କଷ୍ଟସହିଷ୍ନୂ ଓ ଭାଗ୍ୟବିଶ୍ୱାସୀ ହୁଅନ୍ତି । ଷ୍ଟେପିସର ଖିର୍ଗିଜ ଓ ମଙ୍ଗୋଲିୟାର ମଙ୍ଗୋଲ ଏହି ଦେଶର ଲୋକ ।
ଏ ଘାସ ଭୂଇଁ ବର୍ତ୍ତମାନ ସଫା ହୋଇ ଗହମ କ୍ଷେତ ହେଲାଣି । ପ୍ରେୟାରି ଭୂଇଁ ଆମେରିକାର ଗହମ ଭଣ୍ଡାର । ଆମେରିକାରେ ଏ ଘାସ ଭୂଇଁରେ ପଶୁପାଳନ ହୁଏ । ଏଠି ମେଣ୍ଢାମାନେ ସୂନ୍ଦର ବଢ଼ନ୍ତି । ଆଫ୍ରିକା ଓ ଅଷ୍ଟ୍ରେଳିୟାରେ ଏ ଘାସ ଭୂଇଁରେ ଲକ୍ଷ ଲକ୍ଷ ମେଣ୍ଢା ବଢ଼ନ୍ତି । ଗୋରୁ, ମେଣ୍ଢା, ଘୁସୁରି ହଣାା ହୋଇ ବିଦେଶକୁ ପଠାଯାଆନ୍ତି । ସେମାନଙ୍କର କୌଣସି ଅଂଶ ନଷ୍ଟ ହୁଏ ନାହିଁ, ସବୁ କାମରେ ଲାଗେ । ବରଫରେ ମୁର୍ଦ୍ଦାର ସଢେ଼ ନାହିଁ, ତେଣୁ ଅଷ୍ଟ୍ରେଲିୟାରୁ ବରଫରେ ବନ୍ଦ ହୋଇ ଘୁସୁରି ମାଂସ ଇଉରୋପକୁ ଜାହାଜରେ ପଠାଯାଏ । ଚମଡ଼ାରୁ ଜୋତା ହୁଏ ।
ଉତ୍ତର ଆମେରିକାର ପ୍ରେଆରି ଅଞ୍ଚଳର ବ୍ୟବସାୟ ହେଉଛି ମାଂସ ବ୍ୟବସାୟ ଓ ଜୋତା ବ୍ୟବସାୟ । ସେଥିରେ ସେମାନେ ପୃଥିବୀର ଚାରିଆଡ଼ୁ ଟଙ୍କା ଗୋଟାଇ ପକାନ୍ତି ।
ବି.ଦ୍ର. - ଏହି ଲେଖାଟି ଶ୍ରୀ ଗୋପୀନାଥ ମହାନ୍ତି କୃତ ପିଲାଙ୍କ ଭୂଗୋଳ ପାଠ୍ୟପୁସ୍ତକ 'ଭୌଗଳିକ କାହାଣୀ'ରୁ ଆହୃତ ।
No comments:
Post a Comment