Wednesday, May 10, 2017

ସବୁଜ ନୋବେଲ୍‍ ଓ ଲୋହିତ ସାହିତ୍ୟ 


ଅସିତ ମହାନ୍ତି 


'ଖୀରସ୍ତାନୀ ବଦାନ୍ୟତାର ଦେବଦୂତ' ଶୀର୍ଷକ ମୂର୍ତ୍ତି (୧୮୯୩)
ଇରୋସ୍ ନାମରେ ଲଣ୍ଡନର ପିକାଡ଼େଲି ସର୍କସ୍ ଠାରେ ସ୍ଥିତ ସ୍ଥାପତ୍ୟ
ଆଲୁମିନିଅମରେ ନିର୍ମିତ ପୃଥିବୀର ପ୍ରଥମ ପ୍ରତିମା ଭିତରୁ ଗୋଟିଏ

""ବନ୍ଧୁଗଣ ! ମୁଁ ଜାଣେନା ସୁଦୂର ଭବିଷ୍ୟତରେ ସେମାନଙ୍କର ପରିବର୍ତ୍ତିିତ ଜୀବନଧାରାକୁ କିପରି ଅାକଳନ କରାଯାଇପାରିବ । ମାତ୍ର ମୁଁ ବହୁ ସମୟରେ ଚିନ୍ତା କରେ, ମୋର ପ୍ରାଣରୁ ବଳି ପ୍ରିୟ ନିୟମଗିରିରେ ବାସ କରୁଥିବା ଅାଦିବାସୀଙ୍କର ଭବିଷ୍ୟତର ରୂପରେଖ । ଏହିପରି ଚିନ୍ତା କରୁକରୁ ଦିନେ ଦେଖିଲି- ସୁଦୂର ଭବିଷ୍ୟତର, ପଚାଶବର୍ଷ ଅାଗକାର ଦୃଶ୍ୟ - କିଞ୍ଚିତ୍‍ ସ୍ୱପ୍ନରେ, କିଞ୍ଚିତ୍‍ ଅବଚେତନର ଚିତ୍ତରେ । ତାହାକୁ ନେଇ ଲିପିବଦ୍ଧ କରିଥିଲି ଘଟଣାକ୍ରମର ଏକ କାହାଣୀ ଧାରା । ... ସେ କାହାଣୀରେ ଲେଖିଥିଲି- ପ୍ରାୟ ପଚାଶବର୍ଷ ଅାଗକୁ (ପ୍ରାୟ ୨୦୩୦ ବେଳକୁ) ନିୟମଗିରି ପାହାଡ଼ରୁ ଅାଦିବାସୀମାନେ କେବଳ ହଜିଯାଇ ନଥିବେ - ବିସ୍ମୃତ ହୋଇଯାଇଥିବେ ।''

୧୯୮୦ ମସିହାରେ, ଏକ ସାକ୍ଷାତ୍‍-ଅାଲୋଚନା ଅବସରରେ ନିଜ ଗପ "ଅଲୋଡ଼ା' ବାବଦରେ ସୁରସିଂହ ପଟ୍ଟନାୟକ ଓ ଅନ୍ୟମାନଙ୍କୁ ଏକଥା କହିଥିଲେ, ଓଡ଼ିଶାର ପ୍ରଥମ ଜ୍ଞାନପୀଠ ବିଜେତା ସାହିତ୍ୟିକ ଗୋପୀନାଥ ମହାନ୍ତି । ସୁରସିଂହ ଗୋଟିଏ ସମ୍ୱାଦପତ୍ରରେ ପ୍ରକାଶିତ ତିନିଟି ଲେଖାରେ ତାହା ଲିପିବଦ୍ଧ କରିଛନ୍ତି । ସେହି ଘଟଣାର ପ୍ରାୟ ଦୁଇ ବର୍ଷ ପୂର୍ବରୁ, ୧୯୭୮ ମସିହା ପୂଜା ସଂଖ୍ୟା "ସମାବେଶ'ରେ ଗୋପୀନାଥଙ୍କ "ଅଲୋଡ଼ା' ଗପ''ଟି ପ୍ରକାଶ ପାଇଥିଲା । ତାହାର ପ୍ରଥମ ଧାଡ଼ି ଥିଲା- "ଜଣା ନାହିଁ ସେମାନେ କୁଅାଡ଼େ ଗଲେ ।'' ଏବଂ ଯେଉଁ ଧାଡ଼ିରେ ଗୋପୀନାଥ ଗଳ୍ପର ଉପସଂହାର ଅାଙ୍କିଥିଲେ, ତାହା ହେଉଛି- ""ଅାଉ ସେ ଅଞ୍ଚଳ ଚିହ୍ନି ହେଲା ନାହିଁ ।''

ସେଦିନ, ଲେଖକୀୟ ଅନ୍ତର୍ଦୃଷ୍ଟିରେ ପ୍ରାୟ ପଚାଶ ବର୍ଷ ପରର ନିୟମଗିରିକୁ ଦେଖିଥିଲେ ଭବିଷ୍ୟଦ୍ରଷ୍ଟା ଗୋପୀନାଥ ।  ନିୟମଗିରିରେ ଯେ ରହିଛି ମୂଲ୍ୟବାନ ବକ୍ସାଇଟ୍‍ର ବିପୁଳ ଭଣ୍ଡାର, ତାହା ବୋଧହୁଏ ସେ ଯାଏ ଭଲଭାବେ ଜଣା ନଥିଲା । କିନ୍ତୁ ଦ୍ରଷ୍ଟାପଣରେ ଗୋପୀନାଥ ଦେଖିଥିବା ନିୟମଗିରିର ପରବର୍ତ୍ତୀ ପଚାଶ ବର୍ଷର ଘଟଣାକ୍ରମ ଥିଲା ଏମିତି -

""ପ୍ରଚୁର ଫଳ ଅାଉ ଶସ୍ୟ ଉତ୍ପାଦନରେ ଫାଟିପଡ଼ୁଥିବା ଝରଣା ଅାବରିତ ନିୟମଗିରି ପାହାଡ଼ରେ ବାହାରିଲା ତମ୍ୱା ଅାଉ କ୍ରୋମିୟମ୍‍ - ଦୁଷ୍ପ୍ରାପ୍ୟ ଧାତୁ ଯୋଡ଼ିଏ । ସୁଖ ଅାଉ ଶାନ୍ତିରେ ଜୀବନ ବିତାଉଥିବା ସେହି ଡଙ୍ଗ୍ରିଆ କନ୍ଧଙ୍କର ଫଳପ୍ରସୂ ଅଞ୍ଚଳଟିକୁ ଖଣି ଖୋଳିବା ପାଇଁ ପଟ୍ଟା ଦିଅାଗଲା । କନ୍ଧମାନେ ଓଜର ଅାପତ୍ତି କଲେ, ଶୋକ କଲେ; ହେଲେ କିଏ ଶୁଣୁଚି ତାଙ୍କ କଥା ! ଖଣିମାନ ଲମ୍ୱିଗଲା । କୁଅାଡ଼େ ଉଭେଇଗଲା ଫଳ ଚାଷ, ତୋଟା, କ୍ଷେତବାଡ଼ି, ଗାଁ ଗଣ୍ଡା । ଡଙ୍ଗ୍ରିଅା କନ୍ଧ ସବୁ ଛତର ଛାଉଳ ହୋଇଗଲେ । କିଛି ଅଳ୍ପ କନ୍ଧ ପାହାଡ଼ ତଳ ଟାଙ୍ଗର ଭୂଇଁରେ ରହିଲେ, ବାକି କୁଲିକାମ କରିବେ ବୋଲି ଦୂରକୁ ବାହାରିଗଲେ । ଛାଇଗଲା ପାହାଡ଼ଯାକ ଖଣି, ଖାଦାନ । ପାହାଡ଼ ତଳର ଢାଲୁ ଅଞ୍ଚଳ କରେକରେ, ବିଷମ କଟକ ଅାଉ ମୁନିଗୁଡ଼ା ଅାବରିତ କରି କଳକାରଖାନା ଅାଉ ଫ୍ୟାକ୍ଟ୍ରିଟିମାନ ଲମ୍ୱିଗଲା । ପାଞ୍ଚ ଲକ୍ଷ ଜନବସତି ଘେନି ବିଷମକଟକ ମହାନଗରୀ, ଯହିଁରେ ଓଡ଼ିଅା ମାତ୍ର ପଚାଶ ହଜାର ଅାଉ ଡଙ୍ଗ୍ରିଅା କନ୍ଧ ତହିଁ ମିଳିବା ଦୁଃସ୍ୱପ୍ନ ପ୍ରାୟ ।''

କେବଳ ଏତିକି ନୁହେଁ, ନିୟମଗିରିର ପଚାଶ ବର୍ଷ ପରର ସେହି ଅାଶଙ୍କିତ ଭବିଷ୍ୟତର ଚିତ୍ର ଅଙ୍କା ହୋଇଥିବା "ଅଲୋଡ଼ା' ଗପ ସମ୍ପର୍କରେ ଗୋପୀନାଥ ସେଦିନ ଅାହୁରି ମଧ୍ୟ କହିଥିଲେ -

""ଧାଡ଼ିଧାଡ଼ି ଫ୍ୟାକ୍‍ଟ୍ରୀର ଉଚ୍ଚ ଚିମିନି ବାଟେ ଘଡ଼ିବାଣ ଫୁଟିଲା ପରି ନିଅାଁ ଝୁଲ ଛାଟି ହେଉଥାଏ । ଗରମରେ ଛଟପଟ ଲାଗେ । ପବନରେ ଧୂଳି ଧୂଅାଁର ବହଳ ପୁଟ । ନିଃଶ୍ୱାସ ନେବାକୁ ପବନ ଓଜନ ଲାଗେ । ପର୍ବତଟା ଦିଶେ ଅଲକ୍ଷଣା, ହତଶ୍ରୀ । ସ୍ଥାନେ ସ୍ଥାନେ ଖଣି, ଖାଦାନର ବିରଟ ହାଉଁ । ନାଲିଚା ଘା' ପରି ।''

"ଅଲୋଡ଼ା' ଗପର ଘଟଣାକ୍ରମ କିନ୍ତୁ ଏତିକିରେ ସରେନାହିଁ । ଗୋପୀନାଥ ଲେଖନ୍ତି- ନିୟମଗିରିର ପୂର୍ବ ପଟୁ ତମ୍ୱା ଓ କ୍ରୋମିୟମ୍‍ ଦୁଷ୍ପ୍ରାପ୍ୟ ଧାତୁ ଯୋଡ଼ିଏ ବାହାରିଲା ପରେ, ପଶ୍ଚିମ ପଟୁ ବାହାରିଥିଲା ନିୟମଗିରି ପର୍ବତକୁ ଓ କନ୍ଧଙ୍କୁ ଗୁ¨ କରିଦେବା ପରି ବିଷ୍ଫୋରକ ଦ୍ରବ୍ୟ । ତାହାର ବର୍ଣ୍ଣନା କରିବା ସହିତ ସେ କହିଛନ୍ତି- ତଥାପି ନିୟମଗିରିର ପଶ୍ଚିମ ପଟରେ ପ୍ରଚୁର ଫଳ ଚାଷ ହେଉଥିଲା । ସେସବୁ ସହିତ ଭୁର୍ଶୁଙ୍ଗ ପତ୍ର, ଛତୁ, ବାଉଁଶ କରଡ଼ି, ପନିପରିବା ଓ ଘରଲିପା ନାଲିମାଟି ଅାଣି ସେମାନେ ପାହାଡ଼ ତଳେ ବିକୁଥିଲେ । ସେହି ଘରଲିପା ନାଲିମାଟି ଅତି ଚିକ୍କଣ । ଶୁଖିଲାରେ ବୋଳିଦେଲେ ଦିଶେ ତେଲ ଜିକିଜିକି ହେଲା ପରି ।

ଦିନେ ଅତି ଶରଧାରେ ସେଇ ମାଟିରୁ ଦି' ପୁଡ଼ିଅା କିଣି ନେଇଥିଲେ ଜଣେ ବିଦେଶୀ ପରିବ୍ରାଜକ । ତାଙ୍କର ଜଣେ ପରମାଣୁ-ବିଜ୍ଞାନୀ ବନ୍ଧୁ ସେଥିରୁ ପୁଡ଼ିଅାଟିଏ ନେଇ ପରୀକ୍ଷା କରି ଦେଖିଥିଲେ, ସେଥିରେ ଅଛି ଅତି ଦୁଷ୍ପ୍ରାପ୍ୟ ଅାଣବିକ-ଶକ୍ତି ଉତ୍ପାଦନକାରୀ ଧାତୁ ଦ୍ରବ୍ୟ । 

ତା'ପରେ ସେ ନେଇ ଗବେଷଣା କରାଗଲା ଏବଂ ଗବେଷଣାରୁ ଜଣାପଡ଼ିଲା ଯେ ନିୟମଗିରିରେ ରହିଛି ସେହି ବିରଳ ଧାତୁର ବିରାଟ ଭଣ୍ଡାର । ତା'ପରେ ନଈବଢ଼ିର ଶେଷ ଅାଗୁଳ ପରି ଥିବା ବନ୍ଧଟି ଭାଙ୍ଗିଗଲା । ମାଡ଼ିଅାସିଲା, ପ୍ରଳୟ ପରି ଘୋଟିଗଲା, ଯାନ୍ତ୍ରିକ ସଭ୍ୟତା । ଅାଉ, ସେ ଅଞ୍ଚଳକୁ ଚିହ୍ନି ହେଲା ନାହିଁ ।

"ଅଲୋଡ଼ା' ଗପର ବର୍ଣ୍ଣନା ପରି, ନିୟମଗିରିରେ ଅବଣ୍ୟ ଅାଣବିକ ଶକ୍ତି ଉତ୍ପାଦନକାରୀ ଅତି ଦୁଷ୍ପ୍ରାପ୍ୟ ଧାତୁ ଦ୍ରବ୍ୟ ନାହିଁ- କିନ୍ତୁ ସେଠାରେ ଅଛି ଦୁର୍ମୂଲ୍ୟ ବକ୍ସାଇଟ୍‍ର ବିଶାଳ ଭଣ୍ଡାର । ଏହି ଖଣିଜ କଳାହୀରା ଭାବରେ ଖ୍ୟାତ । ପ୍ରଥମ ବିଶ୍ୱଯୁଦ୍ଧ ପର ଠାରୁ ଏହାର ଚାହିଦା ବିଶ୍ୱସମୁଦାୟରେ ବିଶେଷ ଭାବରେ ବୃଦ୍ଧି ପାଉଛି । କାରଣ ଯୁଦ୍ଧ ସାମଗ୍ରୀ ତଥା ଯୁଦ୍ଧ ଜାହାଜ, ଉଡ଼ାଜାହାଜ, ବୋମା ନିର୍ମାଣ ଅାଦିରେ ବକ୍ସାଇଟ୍‍ରୁ ପ୍ରାପ୍ତ ଅାଲୁମିନିୟମର ହିଁ ବ୍ୟାପକ ବ୍ୟବହାର କରାଯାଏ ।

ଅାଜିଠୁଁ ପ୍ରାୟ ଚାଳିଶ ବର୍ଷ ତଳେ, "ଅଲୋଡ଼ା' ଗପରେ ନିୟମଗିରିର ପାହାଡ଼ ଓ ଡଙ୍ଗ୍ରିଅା କନ୍ଧଙ୍କର ଯେଉଁ ପରିଣତି ଗୋପୀନାଥ ଅାଙ୍କିଥିଲେ, ସେପରି ପରିଣତି ଅବଶ୍ୟ ନିୟମଗିରିରେ ଏଯାଏ ଘଟିନାହିଁ - କିନ୍ତୁ ସେପରି ଘଟିବାର ଅାଶଙ୍କା ଅାଗରୁ ଥିଲା ଓ ଏବେ ମଧ୍ୟ ଅଛି । କାରଣ ସେଠାରେ ପ୍ରଚୁର ପରିମାଣରେ ବକ୍ସାଇଟ୍‍ ଗଚ୍ଛିତ ଅଛି ବୋଲି ଜଣାପଡ଼ିବା ପରେ, ତାହାକୁ ହାସଲ କରିବାପାଇଁ ଚାଲିଛି ଶିଳ୍ପ-ପୁଞ୍ଜିପତିମାନଙ୍କର  ପ୍ରବଳ ଷଡ଼ଯନ୍ତ୍ର ।

ଗୋପୀନାଥଙ୍କ ଭବିଷ୍ୟବାଣୀ ଅନୁରୂପ ପ୍ରଥମ ଘଟଣା ଘଟିଥିଲା ୨୦୦୩ରେ - ଯେଉଁଦିନ ଶିଳ୍ପ-ପୁଞ୍ଜିପତି ବେଦାନ୍ତ ସଂସ୍ଥା ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷର କଲେ ଓଡ଼ିଶାର ନବୀନ ସରକାର । ସେଦିନ ଲାଞ୍ଜିଗଡ଼ ପାଦଦେଶରେ ବାର୍ଷିକ ନିୟୁତ ଟନ୍‍ କ୍ଷମତାସମ୍ପନ୍ନ ଏକ ଅାଲୁମିନିୟମ୍‍ ବିଶୋଧନାଗାରର ନିର୍ମାଣ ପାଇଁ ବାଟ ଫିଟିଲା । ତା' ପରଠାରୁ ଦୀର୍ଘ ପ୍ରାୟ ବାର ବର୍ଷ ଧରି ସେ ନେଇ ଯେଉଁ ବିବାଦୀୟ ସ୍ଥିତି ରହି ଅାସିଛି, ତାହା ଅନେକଙ୍କୁ ଜଣା । କିନ୍ତୁ ସେହି ପ୍ରଥମ ଘଟଣା ପରେ ପରେ ହିଁ ଲିଙ୍ଗରାଜ ଅାଜାଦ୍‍ ଓ ପ୍ରଫୁଲ୍ଲ ସାମନ୍ତରା ପ୍ରମୁଖଙ୍କ ନେତୃତ୍ୱରେ ପରିଚାଳିତ ଡଙ୍ଗ୍ରିଅା କନ୍ଧଙ୍କ ଅାନ୍ଦୋଳନ ସାରା ବିଶ୍ୱର ଜନବାଦୀ ସଙ୍ଗ୍ରାମ ଇତିହାସରେ ଏକ ନୂଅା ଅଧ୍ୟାୟ ଯୋଡ଼ିଲା । ସାରା ଦେଶରେ ପ୍ରଥମ କରି, ବାରଟି ଯାକ ଗ୍ରାମସଭାରେ ନିୟମଗିରିର କନ୍ଧମାନେ ସେ ଅଞ୍ଚଳ ଉପରେ ନିଜର ଅଧିକାର ଦୃଢ଼ଭାବେ ସାବ୍ୟସ୍ତ କଲେ । ଏହା ଫଳରେ ରାଜନୀତି, ପ୍ରଶାସନ ଓ ନ୍ୟାୟାଳୟ - ସବୁ ସ୍ତରରେ ଚଳାଯାଉଥିବା ଦୀର୍ଘ ବର୍ଷର ମାରପେଞ୍ଚ ବିଫଳ ହୋଇଗଲା ।

ଏ ପ୍ରସଙ୍ଗରେ ଅାଉ ଏକ ଉଲ୍ଲେଖନୀୟ ଘଟଣା ହେଉଛି, ୨୦୧୦ ଜୁଲାଇ ମାସର ଶେଷ ଭାଗରେ ଲଣ୍ଡନରେ ଅନୁଷ୍ଠିତ ଏକ ବିକ୍ଷୋଭ । ବ୍ରିଟିଶ ବେଦାନ୍ତର ଏକ ବାର୍ଷିକ ସାଧାରଣ ଅଧିବେଶନ ସେଠାରେ ଅନୁଷ୍ଠିତ ହେଉଥିବାବେଳେ, ହଲିଉଡ଼୍‍ର ଚର୍ଚ୍ଚିତ ଚଳଚ୍ଚିତ୍ର "ଅବତାର'ର କଳାକାରମାନେ ସେଠାରେ ଏକ ବେଦାନ୍ତ ବିରୋଧୀ ବିକ୍ଷୋଭ କଲେ । କାରଣ, ଡେଭିଡ଼୍‍ କାମେରୁନ୍‍ଙ୍କ ଏହି ଚଳଚ୍ଚିତ୍ରରେ ନା'ଭି ନାମକ ଏକ ଜନଜାତିର କଥା କୁହାଯାଇଛି- ଯେଉଁମାନେ ନିୟମଗିରିର ଡଙ୍ଗ୍ରିଆ କନ୍ଧଙ୍କ ପରି ସମଦଶାର ଶିକାର ହୋଇଛନ୍ତି । ତେଣୁ ଚଳଚ୍ଚିତ୍ରର ଚରିତ୍ରଙ୍କ ପରି ମୁହଁରେ ନୀଳ ରଙ୍ଗ ମାଖି, "ଅବତାର'ର କଳାକାରମାନେ ସେଦିନ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନଙ୍କର ନାରା ଥିଲା - ଏହି ଡଙ୍ଗ୍ରିଅାମାନେ ହିଁ ସତସତିକା "ଅବତାର' । "ବେଦାନ୍ତର ବିକାଶ, ଡଙ୍ଗ୍ରିଅାଙ୍କ ବିନାଶ' । 

ନିୟମଗିରିରେ ଚାଲିଥିବା ଡଙ୍ଗ୍ରିଅା କନ୍ଧଙ୍କ ଏହି ଦୀର୍ଘ ସଙ୍ଗ୍ରାମର ପୁରୋଧା ଭାବରେ, ଗତ ଏପ୍ରିଲ୍‍ ୨୪ ତାରିଖ ଦିନ ସାନ୍‍ଫ୍ରାନ୍‍ସିସ୍କୋର ଅପେରା ହାଉସ୍‍ଠାରେ ଓଡ଼ିଶାର ପ୍ରଫୁଲ୍ଲ ସାମନ୍ତରାଙ୍କୁ ପ୍ରଦାନ କରାଯାଇଛି "ଗୋଲ୍‍ଡ଼ମ୍ୟାନ୍‍ ପରିବେଶ ପୁରସ୍କାର'?" ।

ଏହି ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ତୃଣମୂଳ ସ୍ତରରେ ପରିବେଶ ସୁରକ୍ଷା ପାଇଁ କାମ କରୁଥିବା ବ୍ୟକ୍ତିମାନଙ୍କୁ ଛଅଟି ଭୌଗୋଳିକ କ୍ଷେତ୍ର ଅନୁସାରେ ଏହି ବିଶ୍ୱସ୍ତରୀୟ ପୁରସ୍କାର ଦିଅାଯାଇଥାଏ । ଏଥି ପାଇଁ ଏହାକୁ ନୋବେଲ୍‍ ପୁରସ୍କାର ସହ ତୁଳନା କରାଯାଇ "ଗ୍ରୀନ୍‍ ନୋବେଲ୍‍' (ସବୁଜ ନୋବେଲ୍‍) ଭାବରେ ଅଭିହିତ କରାଯାଉଛି । ଯେଉଁ ଛଅଟି ଭୌଗୋଳିକ କ୍ଷେତ୍ର ପାଇଁ ଏହି ପୁରସ୍କାର ଦିଅାଯାଏ, ସେଥି ମଧ୍ୟରୁ ଏସିଅା ମହାଦେଶ ଗୋଟିଏ । ସାମନ୍ତରା ଏସିଅା ମହାଦେଶ ପାଇଁ ଏ ବର୍ଷ ଏହି ପୁରସ୍କାର ପାଇଛନ୍ତି । ଏହାର ଅର୍ଥ ରାଶି ୧ ଲକ୍ଷ ୭୫ ହଜାର ଅାମେରିକୀୟ ଡଲାର ।

୧୯୯୦ ମସିହାରେ ରିଚାର୍ଡ଼ ଏନ୍‍. ଗୋଲ୍‍ଡ଼ମ୍ୟାନ୍‍ ଓ ତାଙ୍କ ପତ୍ନୀ ରୋଡ଼ା ଏଚ୍‍. ଗୋଲ୍‍ଡ଼ମ୍ୟାନ୍ ଙ୍କ ଦ୍ୱାରା ଏହି ପୁରସ୍କାରର ପ୍ରବର୍ତ୍ତନ ହୋଇଥିଲା । ଏହି ୨୮ ବର୍ଷ ଭିତରେ, ପ୍ରଫୁଲ୍ଲ ସାମନ୍ତରାଙ୍କ ବ୍ୟତୀତ ଅାଉ ମାତ୍ର ତିନି ଜଣ ଭାରତୀୟ ଏହି ପୁରସ୍କାର ପାଇଛନ୍ତି । ସେହି ତିନି ଜଣ ହେଉଛନ୍ତି- ନର୍ମଦା ବଚାଓ ଅାନ୍ଦୋଳନର ନେତ୍ରୀ ମେଧା ପାଟକର (୧୯୯୨), ଶିଳ୍ପ-ପ୍ରଦୂଷଣ ବିରୋଧୀ ଅାନ୍ଦୋଳନର ନେତା ମହେଶ ଚନ୍ଦ୍ର ମେହେଟା (୧୯୯୬) ଓ କୋଇଲା ଖଣିର କୁପ୍ରଭାବ ବିରୋଧୀ ଅାନ୍ଦୋଳନର ନେତା ରମେଶ ଅଗ୍ରଓ୍ୱାଲ୍‍ (୨୦୧୪) ।  ଜଣାଯାଇଛି ଯେ ପାରାଦୀପ ଅଞ୍ଚଳରେ ପୋସ୍କୋ ବିରୋଧୀ ଅାନ୍ଦୋଳନର ନେତା ଅଭୟ ସାହୁ ମଧ୍ୟ ଏ ବର୍ଷ ଏହି ପୁରସ୍କାରର ଚୂଡ଼ାନ୍ତ ପର୍ଯ୍ୟାୟରେ ଥିଲେ । କିନ୍ତୁ  ଅାଦିମ ଜନଜାତି ଅଧ୍ୟୁଷିତ ଏକ ଗୁରୁତ୍ୱପୂର୍ଣ୍ଣ ଜୈବମଣ୍ଡଳ ଦୃଷ୍ଟିରୁ, ନିୟମଗିରିର ପରିବେଶ ସୁରକ୍ଷା ପାଇଁ ପ୍ରଫୁଲ୍ଲ ସାମନ୍ତରା ଚୂଡ଼ାନ୍ତ ବିଜୟୀ ହେଲେ ।

ତେବେ ଶ୍ରୀ ସାମନ୍ତରା କେବଳ ଜଣେ ସଙ୍ଗ୍ରାମୀ ନେତା ନୁହନ୍ତି - ସେ ଜଣେ କବି, ଲେଖକ ଓ ସମ୍ପାଦକ । "ସବୁରି ଉପରେ ମଣିଷ ସତ୍ୟ' (୧୯୯୭), "ମାଟି ମଣିଷର କବିତା' (୨୦୦୭) "ଜବାବ ଦିଅ' (୨୦୧୧) ଶୀର୍ଷକରେ ତାଙ୍କର ତିନିଟି କବିତା ସଙ୍କଳନ ପ୍ରକାଶିତ ହୋଇସାରିଛି । "ଜବାବ ଦିଅ'କୁ ସେ ଉତ୍ସର୍ଗ କରିଛନ୍ତି "ଭିଟାମାଟିର ସୁରକ୍ଷାପାଇଁ ସଙ୍ଗ୍ରାମରତ ମା', ଭଉଣୀ, ଭାଇ ତଥା ବାଳକବାଳିକାମାନଙ୍କ ହାତରେ'' । ତାହାର ମୁଖବନ୍ଧରେ ସେ ଲେଖିଛନ୍ତି, "ଅାଜି ବିଶ୍ୱବ୍ୟାପୀ ମଣିଷ ସମାଜପାଇଁ ଉଗ୍ର ଅାଧୁନିକ ବିକାଶ ବଡ଼ ସଙ୍କଟ ରୂପେ ଠିଅା ହୋଇଛି । ଏହି ବିକାଶ ନାମରେ ବିନାଶର ନିଅାଁ ସାଧାରଣ ମାଟିର ମଣିଷଙ୍କ ଜୀବନ ଓ ଜୀବିକାକୁ ଛାରଖାର କରିଦେଉଛି । ପ୍ରକୃତିଦତ୍ତ ଜମି, ଜଳ, ଜଙ୍ଗଲ ଓ ବାୟୁକୁ ପୁଞ୍ଜିର ଧାରୁଅା ଛୁରିରେ ଖିନ୍‍ଭିନ୍‍ କରିଦିଅାଯାଉଛି । ତହିଁରୁ ସହସ୍ରଗୁଣ ନୂଅା ପୁଞ୍ଜିର ମୁନାଫା ସୃଷ୍ଟି ହେଉଛି । ତାହା ଅନେକ ଲୋକଙ୍କ ରକ୍ତକୁ ପାଣି କରି ମାତ୍ର ଅଳ୍ପ କେତେକଙ୍କ ପ୍ରାଚୁର୍ଯ୍ୟ ପାଇଁ ନିୟୋଜିତ । ପୁଞ୍ଜି ଜରିଅାରେ ପୁଞ୍ଜିର ପାହାଡ଼ ତୋଳିବା ପାଇଁ ସବୁଜ ବନାନୀ, ଚିରସ୍ରୋତା ନଦୀ, ଝରଣା ଓ ଅନ୍ନଦାତ୍ରୀ ମାଟି ମା'ମାନଙ୍କୁ ହତ୍ୟା କରାଯାଉଛି ।'' 

ଏଇଥି ପାଇଁ ହିଁ ଅାମ ଦେଶ ଓ ଅାମ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଜମି, ଜଳ ଓ ଜଙ୍ଗଲର ସୁରକ୍ଷା ଏବଂ ତା' ଉପରେ ମାଟିର ମଣିଷମାନଙ୍କର ଅଧିକାର ସାବ୍ୟସ୍ତ ପାଇଁ ପ୍ରତିରୋଧ ଓ ସଙ୍ଗ୍ରାମ । ତେଣୁ ପ୍ରଫୁଲ୍ଲ ବାବୁ ନିଜ କବିତା ବିଷୟରେ ଲେଖିଛନ୍ତି, "ମୁଁ ଯେଉଁ ଧ୍ୱନି ଶୁଣିଛି, ତାକୁ ପରିପ୍ରକାଶ କରିବାପାଇଁ ପ୍ରତିଧ୍ୱନିଟିଏ ଉପସ୍ଥାପନ କରିବାକୁ ଚେଷ୍ଟା କରିଛି ।''

ଶ୍ରୀ ସାମନ୍ତରାଙ୍କର ଏହି ପ୍ରଚେଷ୍ଟାର ଅାଉ ଏକ ପରିଣତି ହେଉଛି ପ୍ରାୟ ୩୬୦ ପୃଷ୍ଠାର ପ୍ରବନ୍ଧ ପୁସ୍ତକ "ବିନାଶ ବାଟରେ ବିକାଶର ରାଜନୀତି' (୨୦୦୮) । ଲୋକସଭାର ପ୍ରାକ୍ତନ ବାଚଷ୍ପତି ରବି ରାୟ ଏହାର ମୁଖବନ୍ଧରେ କହିଛନ୍ତି, "ଶ୍ରୀ ପ୍ରଫୁଲ୍ଲ ସାମନ୍ତରା 'ବିକାଶର ରାଜନୀତି' ବହିଟି ଲେଖିବା ଦ୍ୱାରା ଓଡ଼ିଶା ରାଜନୀତିକ ସାହିତ୍ୟର ବେଶ୍‍ ଏକ ଅଭାବ ପୂରଣ କରିବାପାଇଁ ସଫଳ ହୋଇପାରିଛନ୍ତି । ଭାରତ ସରକାର ଓ ରାଜ୍ୟ ସରକାରମାନେ ମିଶି ବିକାଶ ଅାଳରେ ଯେଉଁ ଧ୍ୱଂସଲୀଳା କରି ଚାଲିଛନ୍ତି, ତା'ର ଯେତେ ନିନ୍ଦା କଲେ ବି ତା' କମ୍‍ ହେବ ।... ଶ୍ରୀ ସାମନ୍ତରା ଓଡ଼ିଶାରେ ଚାଲିଥିବା ଜନ ଅାନ୍ଦୋଳନଗୁଡ଼ିକ ସହ ସକ୍ରିୟ ରୂପେ ଜଡ଼ିତ ଥିବାରୁ ଏ ସମ୍ପର୍କରେ ଏକ ନିଖୁଣ ଚିତ୍ର ଦେବାରେ ବେଶ୍‍ ସଫଳ ହୋଇପାରିଛନ୍ତି । ବ୍ରିଟିଶ୍‍ ସାମ୍ରାଜ୍ୟବାଦ ବିରୁଦ୍ଧରେ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ଯେଉଁ ଅାନ୍ଦୋଳନ ଚାଲିଥିଲା ତା' ଫଳରେ ୧୯୪୭ ମସିହା  ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନ ହେଲା । ଅାଜି ଯେତେବେଳେ ବିଦେଶୀ ବହୁରାଷ୍ଟ୍ରୀୟ କମ୍ପାନୀମାନେ ଦେଶରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ଅାମ ଦେଶର ଜଳ, ଜଙ୍ଗଲ ଓ ଜମିକୁ ଅକ୍ତିଅାର କରି ଚାଲିଛନ୍ତି, ସେତେବେଳେ କ'ଣ ଅାମେ ନିରବଦ୍ରଷ୍ଟା ହୋଇ ରହିବା ?''

କିନ୍ତୁ ପରିତାପର ସହ ଲକ୍ଷ୍ୟ କରାଯାଏ ଯେ ପ୍ରଫୁଲ୍ଲ ସାମନ୍ତରାଙ୍କ ପୁସ୍ତକ ପ୍ରସଙ୍ଗରେ ପୂର୍ବତନ ବାଚଷ୍ପତି ରବି ରାୟ ଏହି ପ୍ରଶ୍ନ ପଚାରିଥିବା ବେଳେ, ଏହାର ଉତ୍ତର ଅାଜିର ଅଳ୍ପ କିଛି ଯୁବ କବିଙ୍କ କବିତା ଭିନ୍ନ ଅନ୍ୟ ବରିଷ୍ଠମାନଙ୍କ ଲେଖନୀରୁ ପ୍ରାୟ ମିଳେ ନାହିଁ । ଅଙ୍ଗୁଳିମେୟ ଯୁବ କବି ବିଭିନ୍ନ ସାମାଜିକ ଓ ରାଜନୈତିକ ପ୍ରସଙ୍ଗରେ ସ୍ୱର ଉଠାଇବାର ଦେଖାଯିବା ବେଳେ, ଏସବୁ ବାବଦରେ ବରିଷ୍ଠମାନେ ପ୍ରାୟ ନିରବ । ବରଂ ଏସବୁକୁ "ଲୋହିତ ସାହିତ୍ୟ' କହି ସେମାନଙ୍କ ମଧ୍ୟରୁ ଅନେକେ ନାକ ଟେକନ୍ତି ।

କିନ୍ତୁ ଲାଲ୍‍ ବା ଲୋହିତ ହେଉଛି ରକ୍ତର ରଙ୍ଗ, ନିଅାଁର ରଙ୍ଗ । ଏହା ପ୍ରେମ, ଅାବେଗ ଓ ଅଭିଳାଷ ଏବଂ କ୍ରୋଧ, ବିଦ୍ରୋହ ଓ ମାନସିକ ଦୃଢ଼ତାର ପ୍ରତୀକ ରଙ୍ଗ । ଏଇ ରଙ୍ଗ ହିଁ ଅଙ୍କା ହୋଇଛି ଗୋପୀନାଥ ମହାନ୍ତିଙ୍କ "ପରଜା'ରେ । ତାଙ୍କର "ଅଲୋଡ଼ା' ଓ ନିୟମଗିରିର ଅନ୍ୟ ଗପ "ଟଡ଼ପା'ରେ ।

ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି ଏକ ଜାତୀୟ ସ୍ତରର କବି ସମ୍ମିଳନୀ । ଯାହା ଜଣାଯାଏ, ସେହି କବି ସମ୍ମିଳନୀରେ ଅାମ ସମୟର ଜଣେ ବରିଷ୍ଠ କବି 'ନିୟମଗିରି'କୁ ନେଇ ଏକ କବିତା ପଢ଼ିଥିଲେ । ସେଥିରେ ସେ ଶୁଣାଇଥିଲେ ନିୟମଗିରିର ନିଜ ସ୍ୱର । ନିୟମଗିରି ସେଥିରେ କହୁଛି- ମତେ ଅମୁକ ଦିଅ... ମୁଁ ତୁମକୁ ଅାଲୁମିନିୟମ୍‍ ଦେବି, ମତେ ସମୁକ ଦିଅ... ମୁଁ ତୁମକୁ ଅାଲୁମିନିୟମ୍‍ ଦେବି, ମତେ ଢମୁକ ଦିଅ... ମୁଁ ତୁମକୁ ଅାଲୁମିନିୟମ୍‍ ଦେବି ।

କି କବିତା ଇଏ ? କାହା ପାଇଁ ଏ କବିତା ? ନିୟମଗିରିର କନ୍ଧଙ୍କ ସୁରକ୍ଷା ପାଇଁ ନା ଶିଳ୍ପ-ପୁଞ୍ଜିପତିଙ୍କ ମୁନାଫା ପାଇଁ ? ଯେଉଁ ବକ୍ସାଇଟ୍‍ ବା ଅାଲୁମିନିୟମ୍‍ କୁ ପୁଞ୍ଜିବାଦୀ ଶିଳ୍ପପତିଙ୍କ ହାତରେ ଟେକି ନ ଦେବା ପାଇଁ ଦୀର୍ଘ ପ୍ରାୟ ଚଉଦ ବର୍ଷ ଧରି ନିୟମଗିରି ସଙ୍ଗ୍ରାମ କରୁଛି - ସେଇ ବକ୍ସାଇଟ୍ କୁ ଅଳ୍ପ କିଛି ପ୍ରାପ୍ତିର ବିନିମୟରେ କ'ଣ ଏତେ ସହଜରେ ଟେକି ଦେବ ନିଜେ ନିୟମଗିରି ? ଟେକି ଦେଲେ, ଗୋପୀନାଥଙ୍କ ଭାଷାରେ - ସେ ଅଞ୍ଚଳକୁ ଅାଉ ଚିହ୍ନିହେବ ତ ? 

ଚାଲାକିରେ ଭରା ଏପରି ଫମ୍ପା ଶବ୍ଦ ଭିତରେ ସଙ୍ଘର୍ଷର ଉଷ୍ମା ନଥାଏ । କାରଣ ସଙ୍ଘର୍ଷ ହେଉଛି ଅନ୍ତରର ଅାବେଗ - ଯାହା ସାହିତ୍ୟର ଶବ୍ଦ ଭିତରକୁ ସଞ୍ଚରି ଅାସେ । ଅାମର ବରିଷ୍ଠ କବିଙ୍କ କବିତାରେ ସେହି ଲୋହିତ ସ୍ୱାକ୍ଷର ନଫୁଟୁ - କିଛିି ଚିନ୍ତା ନାହିଁ । କିନ୍ତୁ ଏମିତି ଚାଲାକି କବିତା ନଲେଖି ଅନ୍ତତଃ ନିରବ ରହି ସେମାନେ ନିୟମଗିରିର ସବୁଜିମାକୁ ସମ୍ମାନ ଜଣାନ୍ତୁ !

ବି.ଦ୍ର. - ଏହି ଲେଖାଟି ଦୈନିକ ସମ୍ପାଦରେ ପୂର୍ବ ପ୍ରକାଶିତ ।

No comments:

Post a Comment