Friday, May 26, 2017

ଖଣ୍ଡିଏ ବିସ୍କୁଟ: କାହାଣୀ ବନାମ ଭୟାବହତା


ଜ୍ୟୋତି ନନ୍ଦ 


ଫଟୋ କ୍ରେଡ଼ିଟ -  http://familyfoodiefun.blogspot.in


ଏଠାରେ ଯେଉଁ ବିସ୍କୁଟ ଖଣ୍ଡିକର ଆଲୋକଚିତ୍ର ସଂଲଗ୍ନ କରାଯାଇଛି ତାହା ବର୍ତ୍ତମାନ ପୃଥିବୀର ସବୁଠାରୁ ଦାମିକା ବିସ୍କୁଟ । ଏହା ସ୍ପିଲେର୍ ଏବଂ ବେକରର "ପାଇଲଟ" ବିସ୍କୁଟ।

ଏହି ବିସ୍କୁଟ ଖଣ୍ଡିକ ନିକଟରେ ଅବିଶ୍ୱାସକର ଭାବରେ ଗୋଟିଏ ନିଲାମରେ ପନ୍ଦର ହଜାର ପାଉଣ୍ଡ ମୂଲ୍ୟ ରେ ବିକ୍ରି ହୋଇଯାଇଛି ।

ଏଇ ବିସ୍କୁଟ ଖଣ୍ଡିକ ଏକ ଐତିହାସିକ ଦୁର୍ଘଟଣାର ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀ । ୧୯୧୨ ମସିହା ଏପ୍ରିଲ୍ ମାସର ପନ୍ଦର ତାରିଖରେ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ନୌକାଡୁବି ଘଟଣା ଘଟିଥିଲା । ଏଇ ଦୁର୍ଘଟଣାର ଶିକାର ହୋଇଥିଲା ସେ ସମୟର ସବୁଠାରୁ ବ୍ୟୟବହୁଳ, ସବୁଠାରୁ ବିଳାସପୂର୍ଣ୍ଣ ଓ ସେ ସମୟରେ ସବୁଠାରୁ ସୁରକ୍ଷିତ ବୋଲି ବିଚାର କରାଯାଉଥିବା ଆର୍. ଏମ୍. ଏସ୍. ଟାଇଟାନିକ ବୋଲି ଏକ ଜାହାଜ । ଇତିହାସର ଏଇ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାରେ ପନ୍ଦର ଶହରୁ ଅଧିକ ବ୍ୟକ୍ତିଙ୍କର ଅକାଳରେ ସଲିଳ ସମାଧି ଘଟିଥିଲା ।

ଟାଇଟାନିକ୍ ଦୁର୍ଘଟଣାର ସମ୍ମୁଖୀନ ହେବା ଖବର ପାଇବା ପରେ ସହାୟତା କରିବା ପାଇଁ ଏସ୍ ଏସ୍ କାର୍ପାଥିଆ ବୋଲି ଆଉ ଗୋଟିଏ ଜାହାଜ ଦୁର୍ଘଟଣା ସ୍ଥଳକୁ ଯାଇଥିଲା । ସେହି ଉଦ୍ଧାରକାରୀ ଜାହାଜର ଜଣେ ସଦସ୍ୟ ଜେମସ୍ ଫେନୱିକ୍ ଏହି ବିସ୍କୁଟ ଖଣ୍ଡିକ ପାଇଥିଲେ । କ୍ୟାମେରାରେ ଫଟୋ ଉଠାଇ ସାରିଲା ପରେ ନେଗେଟିଭ୍ ସବୁକୁ ଯେଉଁ ଖାମରେ ଭର୍ତ୍ତିକରି ରଖାଯାଇଥାଏ, ସେଇ ଭଳି ଗୋଟିଏ କୋଡାକ୍ ଖାମ୍ ରେ ଜେମସ୍ ଫେନୱିକ୍ ଦୁର୍ଘଟଣା ସ୍ଥଳରୁ ପାଇଥିବା ଏଇ ବିସ୍କୁଟ ଖଣ୍ଡିକ ସହ ନିଜ ମନ୍ତବ୍ୟକୁ ଆଉ ଖଣ୍ଡିଏ ଚିରକୁଟରେ ଲେଖି ଏକାଠି ରଖି ଦେଇଥିଲେ । ଜେମସ୍ ଫେନୱିକ୍ ଙ୍କ ମନ୍ତବ୍ୟଟି ଏହିପରି ଥିଲା - 'ଏପ୍ରିଲ୍ ୧୯୧୨ ଟାଇଟାନିକ୍ ଲାଇଫ ବୋଟ୍ ରୁ ଖଣ୍ଡିଏ "ପାଇଲଟ୍" ବିସ୍କୁଟ୍ ।'

ପ୍ରତ୍ୟେକ ଦୁର୍ଘଟଣାର ଏକ ବିଚିତ୍ର ଆକର୍ଷଣ ରହିଛି । ଆମେ ଦୁର୍ଘଟଣାଗ୍ରସ୍ତ ହୋଇନାହୁଁ ବୋଲି ଆମ ପାଖରେ କୌଣସି ଅନୁଭବର ଭୟାବହତାର ଚିହ୍ନବର୍ଣ୍ଣ ନଥାଏ । ନିଖୁଣ ରହିଚୁ ବୋଲି ଆମେ ଆମର ସୁଆଦିଆ ଜୀବନକୁ ସେହି ବାହାର ଦୁର୍ଘଟଣାଟିକୁ ଟିକି ନିଖି ଦେଖି ପରଖି ଉପଭୋଗ କରୁଥାଉ ।

ତାହା ଛଡା ଏମିତିରେ ବିଚାର କଲେ ପ୍ରତ୍ୟେକ ଦୁର୍ଘଟଣା ଆମ ମାନଙ୍କ ଜୀବନରେ କୌଣସି କାହାଣୀର (ହଁ କେବଳ କାହାଣୀର ଆଉ ଏଇ କଥାରେ ଯଦି କବିମାନେ ଦୁଃଖିତ ହେବେ ତେବେ ମୁଁ ଦୁଃଖିତ କାରଣ କବିମାନେ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ମୁଁ ଜାଣେ।) କେତେ ଗଭୀର ସଞ୍ଜୁକ୍ତି ରହିଛି ତାହାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚକ । ଆମ ବାହାରେ ଯେ କୌଣସି ଦୁର୍ଘଟଣା ଘଟିଲେ, ପ୍ରଥମେ ଆମର ଆବଶ୍ୟକ ହୋଇଥାଏ ସେହି ମହାର୍ଘ କାରଣଟି, ଯେଉଁଥିପାଇଁ ଏହି ଦୁର୍ଘଟଣାଟି ଘଟିଗଲା । ଦୁର୍ଘଟଣାର କାରଣଟି ମିଳିଗଲେ ଆମେ ସନ୍ତୁଷ୍ଟ । ଭୟାବହତା ପର କଥା ।

କାରଣ ଖୋଜିବା କଥାଟିକୁ ମୁଁ କାହାଣୀର ସ୍ୱରୂପ ବୋଲି ଭାବେ । ଚରିତ୍ରର ମୁଣ୍ଡ ଉପରେ ସମସ୍ୟାର କୁମ୍ଭାରଚକଟିଏ କୁ ଅତି ସୁନ୍ଦର ଭାବରେ ଘିରିଘିରି କରି ଘୁରୁଥିବାର ଆକର୍ଷଣ ତିଆରି କରି ଥୋଇ ରାଜରାସ୍ତାରେ ତାହାକୁ ଛାଡିଦିଏ ଆମର କଥାକାର । ତାହାଠାରୁ ନିରାପଦ ଦୂରତ୍ୱରେ ଚାଲିଥାଏ ସେ ନିଜେ । ତାହାର ମୁଣ୍ଡରେ ରହିଛି ଗୋଟିଏ କ୍ୟାମେରା । ଯାହା କିଛି ଅଭିଲା ଦେଖିବ ଡେରି କରିବ ନାହିଁ, ତତକ୍ଷଣାତ୍ ବାନ୍ଧି ପକେଇବ ସେଇ କ୍ୟାମେରାରେ । ଆମର କଥାକାରର ସେଇ କ୍ୟାମେରା ଟି ଆଦ୍ୟନ୍ତ "ହ୍ୱାଇ" ରେ ତିଆରି ।

ଟାଇଟାନିକର ଭୟାବହତା ଅନେକ ବହି ଆଉ ଚଳଚ୍ଚିତ୍ରକୁ ଜନ୍ମ ଦେଇଛି । ଏହି ଭୟାବହ କାହାଣୀ ସବୁ ଆମର ବି ଖୁବ୍ ପସନ୍ଦ । ଐତିହାସିକ ଦୁର୍ବିପାକକୁ ଅତିକ୍ରମ କରି ନିଜ ସ୍ଥିତି ଏବେବି ସାବ୍ୟସ୍ତ କରୁଥିବା ଏଇ "ପାଇଲଟ୍" ବିସ୍କୁଟ ଖଣ୍ଡିକ ବି ତାହାର ଗୋଟିଏ ଉଲ୍ଲେଖଯୋଗ୍ୟ ପୃଷ୍ଟା ।

ସବୁ ଯୁକ୍ତିର ପ୍ରତିଯୁକ୍ତି ଅଛି । ସବୁ ବିଚାରର ଆଣ୍ଟିଥେସିସ୍ ଯେମିତି । ଅନେକ ସମୟରେ ଲାଗେ ମଣିଷ ର ସାଦୃଶ୍ୟ ରହିଛି କେବଳ ଗୋଟିଏ ଭୂତ ସହିତ । କାରଣ ମଣିଷ ଓ ଭୂତ ଉଭୟଙ୍କୁ ଗୋଟିଏ ମେସିନ୍ ରେ ଭର୍ତ୍ତି କରିବା ସମ୍ଭବ ନୁହେଁ ।

ତେଣୁ ଏ ସାମାନ୍ୟ ବିସ୍କୁଟ ଖଣ୍ଡିକରୁ କାହାଣୀର ଭୟାବହତା କେତେ, ସେ ବିଚାର ଆପଣମାନଙ୍କର ।

No comments:

Post a Comment