Monday, May 15, 2017

କବିତା କାହା ପାଇଁ ?


କେଦାର ମିଶ୍ର


ବାଘର ମୂର୍ତ୍ତି - ବସ୍ତରର ଲୋକକଳା (ଭାରତ ଭବନ ସଙ୍ଗ୍ରହାଳୟ, ଭୋପାଳ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍



ସେ ଲୋକ ଯିଏ ନିୟମଗିରି ପାହାଡ଼ର ଟିପି ଉପରେ ରହେ ଓ ନିଜ ପାହାଡ଼କୁ କମ୍ପାନୀର ଲୋଲୁପ ଆଖିରୁ ବଞ୍ଚେଇବା ଲାଗି ଶପଥ ନେଉଥାଏ -  ତା’ ଲାଗି ମୋ କବିତାର ମାନେ କ’ଣ ? କବିତା କଥା ଛାଡ଼ନ୍ତୁ, ସେ ମୋ କବିତାର ଭାଷା ମଧ୍ୟ ବୁଝିପାରେନା । ଓଡ଼ିଶାରେ କୋଟିଏରୁ ଅଧିକ ଲୋକ ଅଛନ୍ତି ଯେଉଁମାନେ ଓଡ଼ିଆ ଭାଷା ବୁଝନ୍ତି ନାହିଁ । ଅଥଚ ସରକାରୀ କାଗଜପତ୍ରରେ ସେମାନଙ୍କୁ ଓଡ଼ିଆ ବୋଲି ବିନା ଦ୍ୱିଧାରେ ଘୋଷଣା କରିଦିଆଯାଏ । ସେମାନଙ୍କର ଧର୍ମ, ଜାତି, ଭାଷା ଓ ସଂସ୍କୃତିକୁ ମୁଖ୍ୟଧାରାର ଓଡ଼ିଆ ସଂସ୍କୃତି ଗୋଟେ ପ୍ରକାର କବଳିତ କରିରଖିଛି । ଉପନିବେଶବାଦ ବିରୋଧରେ ଆମେ ଯେଉଁମାନେ ସ୍ୱର ଉତ୍ତୋଳନ କରିଥାଉ, ଆମେ ସ୍ୱୟଂ ଉପନିବେଶ ତିଆରି କରିବାକୁ ଆରମ୍ଭ କରୁ । ଜାତି ଓ ଗୋଷ୍ଠୀ ଭିତ୍ତିରେ ପଚାଶ ଭାଗ ଲୋକ ବାକି ପଚାଶ ଭାଗ ଲୋକଙ୍କର ଉପନିବେଶ ପାଲଟିଯାଆନ୍ତି । କହିବା ବାହୁଲ୍ୟ ସେ ଲୋକମାନେ ଆମ ଜନଜୀବନରେ ଆଦିବାସୀ ଓ ଦଳିତଭାବରେ ପରିଚିତ । ଓଡ଼ିଆ କବିତାର ଜଣେ କବିଭାବରେ ମୁଁ ବାରମ୍ବାର ନିଜକୁ କାଠଗଡ଼ାରେ ଠିଆ କରାଇ ନିଜକୁ ପ୍ରଶ୍ନ ପଚାରେ - ମୋ କବିତାର ସମ୍ପୃକ୍ତି ଓ ଆବଶ୍ୟକତା କ’ଣ ? ଅନ୍ଧାର ଭିତରେ ସଢ଼ୁଥିବା ମଣିଷର ଭାଗ୍ୟକୁ ଧରି ରଖିବାରେ ମୋ କବିତା କେତେ ଦୂର ସମର୍ଥ ?

କବିତାର ଆନନ୍ଦ ବନାମ ଖଣିଜ ଖୁସି - ଭାରତୀୟ କବିତାର ମହାର୍ଘ୍ୟ ପରମ୍ପରାର ଅଂଶବିଶେଷ ଭାବେ ମୋ ଭାଷାର କବିତାର ଐତିହ୍ୟ ମଧ୍ୟ ସତ୍ୟ-ଶିବ ଓ ସୁନ୍ଦରର ଭିତ୍ତି ଉପରେ ପ୍ରତିଷ୍ଠିତ । ସାରଳା ଦାସଙ୍କଠାରୁ ଆରମ୍ଭ କରି ଦେବେନ୍ଦ୍ର ଲାଲ୍ ଙ୍କ ପର୍ଯ୍ୟନ୍ତ ଆଠ ଶହ ବର୍ଷର କାବ୍ୟ ପରମ୍ପରାରେ ଜୀବନାନନ୍ଦର ସନ୍ଧାନ ଲାଗି ବ୍ୟଗ୍ରତା, ଆମ କବିତାର ମୁଖ୍ୟ ଚାଳିକା ଶକ୍ତି ରୂପେ କାମ କରିଛି । ଜୀବନର ଆନନ୍ଦ ଓ କବିତାର ଆନନ୍ଦକୁ ନେଇ ଆମର କାବ୍ୟପୁରୁଷମାନେ ଚିନ୍ମୟାନନ୍ଦର ପରିକଳ୍ପନା କରିଛନ୍ତି । କବିତାର ଗୁଢ଼ ଓ ସୂକ୍ଷ୍ମକଳା ଭିତରକୁ ପଶିବା ଲାଗି ଯେଉଁ କଳାବୋଧର ଆବଶ୍ୟକତା, ସେଥିରୁ ପ୍ରାୟ ସବୁ ସାଧାରଣ ମଣିଷ ବଞ୍ଚିତ । କବିତା ଏକ ଅସାଧାରଣ ବୌଦ୍ଧିକ ପ୍ରକ୍ରିୟା - ସୁତରାଂ ଏହା ସାଧାରଣ ମଣିଷ ଲାଗି କୌଣସି କାମର ନୁହଁ ବୋଲି ମୁଁ ଯଦି କହେ - ତେବେ ମୋ ବକ୍ତବ୍ୟ ସହଜରେ ଗ୍ରହଣୀୟ ହେବ ନାହିଁ - ସେ କଥା ମୁଁ ଭଲ ଭାବରେ ଜାଣେ ।

ଜଗତିକରଣ ପରବର୍ତ୍ତୀ ଓଡ଼ିଶାର ଜୀବନରେ କବିତାକୁ ନେଇ ପ୍ରାସଙ୍ଗିକତା ଓ ସମ୍ପୃକ୍ତିର ପ୍ରଶ୍ନ ଆହୁରି ଜଟିଳ ଲାଗୁଛି । ଜଗତୀକରଣ ବିଷୟରେ ଯେଉଁ ସବୁ ସଂଜ୍ଞା ଓ ସ୍ୱରୂପ ଆମର ପଣ୍ଡିତମାନେ ନିର୍ଦ୍ଧାରଣ କରୁଛନ୍ତି, ତା’ର କୌଣସି ଅର୍ଥ ସାଧାରଣ ମଣିଷ ବୁଝେନାହିଁ । ଜଗତିକରଣ ଆଜି ଓଡ଼ିଶାର ଦଳିତ ଓ ଆଦିବାସୀଙ୍କ ଲାଗି ଗୋଟେ ଭୟଙ୍କର ଅପଶବ୍ଦ । ସେମାନେ ବର୍ଷ ବର୍ଷ ଧରି ଯେଉଁ ପ୍ରକୃତି ସହ ଏକାତ୍ମ ହୋଇ ବଞ୍ଚୁଥିଲେ, ସେଇଠୁ ସେମାନଙ୍କୁ ଉତଖାତ କରି ବିସ୍ଥାପିତ କରାଯାଉଛି । ବିକାଶ ଓ ଶିଳ୍ପାୟନ ଲାଗି ରାଷ୍ଟ୍ର ପ୍ରାୟୋଜିତ ଅର୍ଥନୈତିକ ଅଭିଯାନରେ ପଚିଶ ଲକ୍ଷରୁ ଅଧିକ ଆଦିବାସୀ ଓ ଦଳିତ ଆଜି ନିଜର ଜୀବିକା ହରାଇଛନ୍ତି । ଜଗତୀକରଣର ଆକ୍ରମଣରେ ସେମାନଙ୍କର ଜଗତ ଆଜି ବିପର୍ଯ୍ୟସ୍ତ । 

ବାସ୍ତୁହରା-ବିସ୍ଥାପିତ ମଣିଷଲାଗି ଆମ କବିତା କ’ଣ କରିପାରିବ? ରାଷ୍ଟ୍ରର ଅବହେଳା ଓ ଶୋଷଣ ବିରୋଧରେ ଆଜି ଓଡ଼ିଶାର ହଜାର ହଜାର ଆଦିବାସୀ ଆନ୍ଦୋଳନ କରୁଛନ୍ତି । ସଶସ୍ତ୍ର ଓ ଅହିଂସ, ଉଭୟ ଉପାୟରେ ଏହି ପ୍ରତିବାଦ ଜାରି ରହିଛି । ବହୁଦେଶୀୟ କମ୍ପାନୀ ଓ ପୋଲିସର ଆକ୍ରମଣକୁ ସାମ୍ନା କରୁଥିବା ମଣିଷମାନଙ୍କ ଲାଗି ଆମ କବିତାର କି ଆବଶ୍ୟକତା ରହିଛି ? ମୁଁ ଜାଣେ, କବିତା ବନ୍ଧୁକ କି ତଲୁଆର ହୋଇପାରିବ ନାହିଁ । ଏପରିକି କବିତା ପ୍ରତିବାଦର ସ୍ଲୋଗାନଟିଏ ମଧ୍ୟ ହୋଇପାରିବ ନାହିଁ । କବିତା କୌଣସି ପ୍ରତିବାଦି ଆନ୍ଦୋଳନର ମୁଖପତ୍ର ମଧ୍ୟ ନୁହେଁ । ତେବେ କବିତା, କୋଟି କୋଟି ମଣିଷର ବିସ୍ଥାପିତ ହେବାର ବେଦନାକୁ ଅଣଦେଖା କରିପାରିବ କି ? ସାଧାରଣ ମଣିଷ ଭିତରେ ଯେଉଁ ଅସନ୍ତୋଷର ନିଅାଁ ଜଳୁଛି, ସେ ନିଅାଁରୁ କବିତାର ମୁକ୍ତି କାହିଁ ?

ଓଡ଼ିଶାରେ କାମ କରୁଥିବା ଏକ ବହୁଦେଶୀୟ କମ୍ପାନୀର ବିଜ୍ଞାପନ କହୁଛି - ସେ ଓଡ଼ିଶା ଲାଗି 'ଖଣିଜ ଖୁସି' ଆଣିଦେବ । ରାଜ୍ୟର ବଣ-ପାହାଡ଼ ଘେରା ଏକ ବିସ୍ତୃତ ଇଲାକାରେ ଖଣି ଖନନ ଲାଗି ଏହି କମ୍ପାନୀକୁ ସୁଯୋଗ ଦିଆଯାଇଛି । ଓଡ଼ିଶାର ତଥାକଥିତ 'ଖଣିଜ ଖୁସି' ଲାଗି ଲକ୍ଷାଧିକ ମଣିଷଙ୍କୁ ବଳି ଚଢ଼ାଇବା ଲାଗି ପ୍ରସ୍ତୁତ ଥିବା ସରକାରକୁ ଆମ କବିମାନେ କେମିତି ଗ୍ରହଣ କରିବେ । କବିତାରେ ଆନନ୍ଦର ଉତ୍ସବ ପାଳୁଥିବା କବିମାନେ ସହଜରେ ଏ ପ୍ରକାର ପ୍ରତିବାଦକୁ ଗ୍ରହଣ କରନ୍ତି ନାହିଁ । ସେମାନଙ୍କ ମତରେ କବିତା ଏତେ ସବୁ ଝମେଲା ଭିତରକୁ ପଶିବ କାହିଁକି ? 

କବିତାର ଆନନ୍ଦ ଓ ସାଧାରଣ ମଣିଷର ନିର୍ଯାତିତ ଜୀବନ ଭିତରେ ଗୋଟେ ବାରୁଦବିଛା ସୀମାନ୍ତ ରହିଛି । ଆମ ସମୟର ସବୁକବି ସେହି ସୀମାନ୍ତରେ ଠିଆହୋଇଛୁ । ସୀମାନ୍ତରେ ଠିଆହୋଇ ଶୋଷକ ଓ ଶୋଷିତର ଦ୍ରଷ୍ଟା ରୂପରେ କବିତାକୁ ଆଜି ତା’ର ନୂଆ ଭୂମିକା ବାଛିବାକୁ ପଡ଼ିବ । କାବ୍ୟିକ ନ୍ୟାୟ ଓ ସାମାଜିକ ନ୍ୟାୟର ସନ୍ଦର୍ଭରେ କବିତା ସତର ଗୁଣଗାନ କରେ ଓ ଖଳମାନଙ୍କର ନିନ୍ଦାଗାନ କରେ । (କ୍ୱଚିତ ନିନ୍ଦା ଖଳାଦିନାଂ ସତାଂ ଗୁଣକୀର୍ତ୍ତନଂ) । ଏହି ଅବଧାରଣା ଉପରେ ହିଁ କାବ୍ୟିକ ନ୍ୟାୟର ପ୍ରତିଷ୍ଠା । କାବ୍ୟିକ ନ୍ୟାୟ ମାଧ୍ୟମରେ ସାଧାରଣ ଜୀବନରେ ସର୍ବୋଦୟର ପରିକଳ୍ପନା କରିଆସୁଥିବା ଆମେ କବିମାନେ, ସାମାଜିକ ସ୍ତରରେ କ୍ରମଶଃ ଏକ ଘରିକିଆ ହୋଇପଡ଼ୁଛୁ କାହିଁକି ? 

କବିତା କ୍ରମେ କ୍ରମେ ଏକ ସଙ୍ଖ୍ୟାଲଘୁ କଳା ପାଲଟିଯାଉଛି ଓ ଏହି ସଙ୍ଖ୍ୟାଲଘୁତ୍ୱକୁ ନେଇ ଆମେ ବେଶ୍ ଗୌରବାନ୍ୱିତ । ବୃହତ୍ତର ଜନଜୀବନ ସହ ଆମର କୌଣସି ସମ୍ପୃକ୍ତି ନାହିଁ । ନିଜକୁ ସୁରକ୍ଷିତ ରଖିବାର ସ୍ୱାର୍ଥପର କଳାଟି ଆମେ କବିମାନେ ବେଶ୍ ଭଲଭାବରେ ଜାଣିଛୁ । ତେଣୁ ଆମ କବିତା ନିଜ ସୀମା ଭିତରେ ବେଶ୍ ସୁରକ୍ଷିତ ଓ ଉଲ୍ଲସିତ । ଏ ପ୍ରକାର ସ୍ୱାର୍ଥପରତା ବିରୋଧରେ ପାଟି ଫିଟେଇବା ଲାଗି ନୂଆ ପ୍ରଜନ୍ମର କବିମାନେ ପ୍ରୟାସ କରୁଛନ୍ତି । ନବେ ପରବର୍ତ୍ତୀ ଓଡ଼ିଆ କବିତାରେ ଯେଉଁ ତରୁଣମାନେ କଲମ ଚାଳନା କରୁଛନ୍ତି, ସେମାନେ କାବ୍ୟିକ ନ୍ୟାୟର ଅବଧାରଣାକୁ ଆହୁରି ବ୍ୟାପକ ଦୃଷ୍ଟିରେ ଦେଖୁଛନ୍ତି ଓ ସେହି ଅନୁସାରେ ଲେଖୁଛନ୍ତି । 

ସାମାଜିକ ନ୍ୟାୟ ଓ ସମତା ଲାଗି ଓଡ଼ିଆ କବିତାରେ ନୂଆ ଏକ ସଙ୍ଘର୍ଷର ଭୂମି ତିଆରି ଚାଲିଛି । ସାଧାରଣ ମଣିଷର ପୀଡ଼ା ଓ ଦ୍ରୋହ ଭିତରୁ ନୂଆ ଓଡ଼ିଆ କବିତାର ଜନ୍ମ । ପ୍ରାୟ ଯୁବ ଓଡ଼ିଆ କବି ସାଧାରଣ ଜୀବନର ବୈଷମ୍ୟ ଓ ଦାରିଦ୍ର୍ୟ ଭିତରୁ ଆସିଛନ୍ତି । ତେଣୁ ସେମାନଙ୍କ କବିତାରେ ସାମାଜିକ ନ୍ୟାୟ ଲାଗି ବ୍ୟାକୁଳତାର ସ୍ୱର ଅତ୍ୟନ୍ତ ତୀବ୍ର ଓ ସ୍ପଷ୍ଟ । ଯଦିଓ ଏସବୁ କବିତାକୁ ‘ଖବରକାଗଜି’ କହି ପ୍ରତ୍ୟାଖ୍ୟାନ କରିବାରେ ଆମର ଆଲୋଚକମାନେ ଅବହେଳା କରୁନାହାନ୍ତି, ତଥାପି କବିତାରେ ନୂଆ ସ୍ୱରର ଅଭିଯାତ୍ରା ଅବ୍ୟାହତ ରହିଛି ।

ମଣିଷ ଜାତିର ମୁକ୍ତି, ନ୍ୟାୟ ଓ ସର୍ବୋଦୟ ଲାଗି କବିତାର ଯେଉଁ ବ୍ୟାକୁଳତା, ସେତକ ସୂଚାଇବାକୁ ଯାଇ ପ୍ରାୟ ଦେଢ଼ ଶହ ବର୍ଷ ତଳେ ଓଡ଼ିଶାର ଜଣେ ଆଦିବାସୀ କବି ତଥା ଭାରତୀୟ ସନ୍ଥ ପରମ୍ପରାର ଜଣେ ମହାନାୟକ ଭୀମଭୋଇ ଲେଖିଥିଲେ, 

ଏକ ଖଣ୍ଡ ହାଡ଼ ବୁନ୍ଦାଏ ରୁଧିର ଫୁଟେ
ମାଉଁସ ଜାଣଇ
ତେଣୁ କରି ସିନା ପ୍ରାଣୀଙ୍କ ବିକଳ
ସହି ନପାରୁଛି ମୁହିଁ ।

ଏକ ଖଣ୍ଡ ହାଡ଼, ବୁନ୍ଦାଏ ରୁଧିର ଓ ଫୁଟେ ମାଉଁସରେ ତିଆରି ସାଧାରଣ ଜୀବନର ସାଧାରଣ କଥା କହିବା ଲାଗି ଦ୍ୱନ୍ଦ୍ୱ ଭିତରେ ବ୍ୟାକୁଳତା ହିଁ ଆଜିର କବିତାର ସବୁଠୁ ବଡ଼ ଆହ୍ୱାନ ।

ବି.ଦ୍ର. - ଏହି ଲେଖାଟି ପ୍ରଥମେ ଭାରତ ଭବନ, ଭୋପାଳଠାରେ ଆୟୋଜିତ ଏକ ସର୍ବଭାରତୀୟ କବି ସମ୍ମିଳନୀ ‘କବି ଭାରତୀ’ରେ ୨୦୧୦ ମସିହାରେ ଅଭିଭାଷଣ ଭାବରେ ପଠିତ ହୋଇଥିଲା । ପରେ ଏହା ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ର ୧-୧୫ ଅଗଷ୍ଟ ସଙ୍ଖ୍ୟାରେ ୨୦୧୧ ମସିହାରେ ପ୍ରକାଶିତ ହୋଇଥିଲା ।

1 comment: