Tuesday, May 23, 2017

 ଓକ୍ଟାଭିଓ ପାଜ୍‌ ବିରଚିତ କବିତା 'ଏଲିଫାଣ୍ଟା ଦ୍ୱୀପରେ ରବିବାର'  


ଅନୁବାଦ - ଗୋର୍ବାଚୋଭ୍


୧୯୦୫ ମସିହାରେ ଏଲିଫ୍ୟାଣ୍ଟା ଗୁମ୍ଫାର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଅଭିଶାପ


ଅସଂସ୍କୃତ ଲୋକଙ୍କ ହାତରେ ବିକୃତ,
ସେଇ ମହାନ୍ ସ୍ଥାପତ୍ୟର ପାଦ ତଳେ,

ପର୍ଯ୍ୟଟକ ମାନେ ଜମା କରିଥିଲେ
କେତେ କିସମର ଅଳିଆ ଗଦା,
କୁଆ ଆଉ କୁକୁରଙ୍କ ଭୋଜି ପାଇଁ ।


ମୁଁ  ଅଭିଶାପ ଦେଉଥିଲି,
ସେଇ ଲୋକମାନେ ଯେମିତିକି ଅଳିଆ ଗଦାରେ
ଥରେ ନୁହଁ, ଦୁଇଥର ନୁହଁ
ଶହେ ଥର ଜନ୍ମ ନିଅନ୍ତୁ ।

ପୁଣି ଅନ୍ୟମାନଙ୍କ ପରି ନର୍କରେ,
ମୂର୍ତ୍ତି ବିକୃତକାରୀଙ୍କ ଦେହରୁ କଞ୍ଚା ମାଂସ କଟାଯାଉ
ଅୟୁତ କାଳ ଧରି ।

ପ୍ରାର୍ଥନା


ଶିବ ଓ ପାର୍ବତୀ:
ଆମେ ତୁମକୁ ପୂଜା କରୁ,
ଈଶ୍ୱର ଭାବରେ ନୁହେଁ–
ମଣିଷ ଭିତରେ ଥିବା ଦେବତ୍ୱର ପ୍ରତୀକ ରୂପେ ।

ମଣିଷ ଯା' ନୁହେଁ
ଅଥଚ ଯା' ସୃଷ୍ଟି କରେ ପୁଣି
କଠିନ ପରିଶ୍ରମର ଦଣ୍ଡ ଭୋଗି ସାରିଲା ପରେ,
ଯା’ ହେବ –
ତୁମେ ସେଇ ସଂରଚନା, ତାହାରି ପ୍ରତୀକ ।

ହେ ଶିବ:
ତୁମର ଚାରିଭୁଜ ଚାରୋଟି ନଦୀ,
ଚାରୋଟି ଜଳଉତ୍ସ ।

ତୁମର ସଂପୂର୍ଣ୍ଣ ଅସ୍ତିତ୍ୱ ଗୋଟିଏ କଳକଳ ନିର୍ଝର:
ଯହିଁରେ ସ୍ନାନ କରନ୍ତି ସୁନ୍ଦର ପାର୍ବତୀ,
ଯହିଁରେ ଦୋହଲି ଦୋହଲି ଭାସି ବୁଲନ୍ତି ଡଙ୍ଗାଟିଏ ପରି,
ସୂର୍ଯ୍ୟ କିରଣ ଖେଳିବୁଲେ ସମୁଦ୍ରରେ ଓ ଢେଉ ଭାଙ୍ଗେ:
ବୋଧେ ଶିବଙ୍କର ମହାଧରରେ ହସର ପ୍ରକାଶ ।

ଆଉ ସମୁଦ୍ର ପାଣିରେ ପାର୍ବତୀ ପାଦ ଥାପିଲେ
ସମୁଦ୍ର ଜଳି ଉଠେ । ଝଟକେ ନୂଆ ତେଜରେ ।

ହେ ଶିବ, ହେ ପାର୍ବତୀ:
ମୁଁ ଆଉ ମୋ’ ସ୍ତ୍ରୀ,
ତୁମକୁ କିଛି ମାଗୁ ନାହୁଁ । କେବେ ମାଗୁନା,
ଯା’ ଆର ଜଗତରୁ ଆସେ ।

ଆମେ କେବଳ ମାଗୁ:
ସମୁଦ୍ର ଦେହରେ ଆଲୁଅ ଝଟକୁ,
ଆନନ୍ଦେ ଉଜ୍ଜ୍ୱଳ ଆଲୁଅ ନାଚୁ, 
ସୁପ୍ତ ଭୂଇଁ ଆଉ ସମୁଦ୍ର ଉପରେ ।।

No comments:

Post a Comment