Wednesday, May 03, 2017

ଲୋକସଙ୍ଗୀତ ହେଉଛି ମାନବିକତାର ସଙ୍ଗୀତ : ପଣ୍ଡିତ ହରିପ୍ରସାଦ ଚୌରାଶିଆ

ଉପସ୍ଥାପନା କେଦାର ମିଶ୍ର

ଏହି ଫଟୋଟି କବି କେଦାର ମିଶ୍ରଙ୍କ ସୂତ୍ରରୁ ମିଳିଅଛି
ଚିତ୍ରୋତ୍ତଳକଙ୍କର ପରିଚୟ ଜଣା ନାହିଁ
ଆମକୁ ଜଣାଇଦିଆଗଲେ ଫଟୋ କ୍ରେଡ଼ିଟ ଦିଆଯିବ 

ଅନ୍ଧାର ଭିତରେ କେଉଁଠି ନିଖୋଜ ବୃନ୍ଦାବନର ଠିକଣା । ବୃନ୍ଦାବନ, ଯେଉଁଠି ଅହରହ ବାଜୁଥାଏ ବଂଶୀ । ଯେଉଁଠି ଆତ୍ମା ନାଚୁଥାଏ ଉନ୍ମାଦିନୀ ଗୋପିକା ପରି । ସେଠି ଜୀବନର ଏକମାତ୍ର ପରିଚୟ ମୂର୍ଚ୍ଛନା । ସେଠି ସବୁ ତପସ୍ୟାର ମୋକ୍ଷ ବିନ୍ଦୁ ସମାହିତ ଥାଏ ରାଗରେ । ଅନନ୍ୟ ବଂଶୀର ଗୁରୁକୂଳ ବୃନ୍ଦାବନ । ସେହି ବୃନ୍ଦାବନର ଅଧିଷ୍ଠାତା ଗୁରୁ ପଣ୍ଡିତ ହରିପ୍ରସାଦ ଚୌରାଶିଆ । ଆମେ ଘାଟିକିଆ ଜଙ୍ଗଲର ଅଧା ଅନ୍ଧାର ଓ ଅଧା ଆଲୋକ ଭିତରେ ଖୋଜି ବୁଲୁଛୁ ବୃନ୍ଦାବନର ଠିକଣା । ଭୁବନେଶ୍ୱରର ଉପକଣ୍ଠରେ କେଇ ବର୍ଷ ତଳେ ପଣ୍ଡିତ ହରିପ୍ରସାଦ ଚୌରାଶିଆ ପ୍ରତିଷ୍ଠା କରିଛନ୍ତି ଏହି ଗୁରୁକୂଳ ।
ଭାରତୀୟ ବଂଶୀ ବାଦନ ପରମ୍ପରାର ଶିଖର ପୁରୁଷ ତଥା ଭାରତୀୟ ସଙ୍ଗୀତ ଜଗତର ଅନନ୍ୟ ଜ୍ୟୋତିଷ୍କ, ପଣ୍ଡିତ ହରିପ୍ରସାଦ ଚୌରାଶିଆଙ୍କ ସହ ସାକ୍ଷାତକାରକୁ ନେଇ ମନ ଭିତରେ ଯେତିକି ଉତ୍ତେଜନା, ସେତିକି ଆଗ୍ରହ । ହେଲେ ଆମେ ବାଟବଣା । ରାସ୍ତା ଧରି ଯେଉଁଠି ପହଞ୍ଚୁଛୁ, ସେଇଠି ଆଗକୁ କେବଳ ଅନ୍ଧାର । କୌଣସି ଘର ଦିଶୁନାହିଁ । ୮ଟା ୩୦ରେ ଗୁରୁଜୀଙ୍କ ସହ ଆମର ଦେଖା ହେବାର ଥିଲା । ସମୟ ଗଡ଼ି ଯାଉଛି । ବୃନ୍ଦାବନର ଠିକଣା ମିଳୁନାହିଁ । ଅନେକ ଗୋଲକଧନ୍ଦାରେ ଘୂରିଲା ପରେ ବୃନ୍ଦାବନର ଠିକଣା ମିଳିଲା । ପଣ୍ଡିତଜୀ ଆମକୁ ଅପେକ୍ଷା କରିଛନ୍ତି । ବଡ଼ କଷ୍ଟ ଲାଗିଲା, ଯାହାଙ୍କୁ ଶୁଣିବା ଲାଗି ଓ ଯାହାଙ୍କର ପାଦ ଛୁଇଁବା ଲାଗି ହଜାର ହଜାର ହୃଦୟ ଉଦବେଳିତ, ତାଙ୍କୁ ଆମ ଲାଗି ଅପେକ୍ଷା କରିବାକୁ ପଡ଼ିଲା । ହେଲେ ପଣ୍ଡିତଜୀ ତାଙ୍କର ଗଭୀର ଆତ୍ମୀୟତାରେ ଆମକୁ ପାଛୋଟି ନେଲେ । ସେଇଠୁ ଆରମ୍ଭ ହେଲା ପ୍ରଶ୍ନୋତ୍ତରର ପର୍ବ ।
ପ୍ରଶ୍ନ : ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ଆପଣଙ୍କର କୌଣସି ପାରିବାରିକ ପରମ୍ପରା ନଥିଲା । ଆପଣଙ୍କ ବାପା ଚାହୁଁଥିଲେ ଆପଣ କୁସ୍ତିରେ ସଫଳତା ପାଆନ୍ତୁ । ହେଲେ, ଆପଣ ସଙ୍ଗୀତକୁ ନିଜର ଜୀବନ ଓ ଜୀବିକା ଭାବରେ ବାଛିଲେ । ଏ ସମ୍ପର୍କରେ ଟିକେ ବିସ୍ତୃତ ଭାବରେ ସୂଚନା ଦେବେ କି ?
ପଣ୍ଡିତଜୀ- ଆପଣ ଠିକ୍ କହିଛନ୍ତି । ବାପା ଥିଲେ କଡା ମିଜାଜର ଲୋକ । ଆମ ପରିବାରରେ ସଙ୍ଗୀତର ସେମିତି କିଛି ପରମ୍ପରା ନଥିଲା । ତେବେ ଆମର ଘରପାଖରେ ରହୁଥିବା ପଣ୍ଡିତ ଭୋଳାନାଥଙ୍କଠାରୁ ମୁଁ ପ୍ରାରମ୍ଭିକ ଭାବରେ ବଂଶୀବାଦନ ଶିଖିଲି । ଗାଇବା ଓ ବଂଶୀ ବଜାଇବା ଦୁଇଟା ଯାକ ଏକାସାଙ୍ଗରେ ଶିଖୁଥିଲି । ସେଇଟା ପୁଣି ବାପାଙ୍କୁ ଲୁଚାଇ ଲୁଚାଇ । ଟିକେ ବଡ଼ ହେଲା ପରେ ସଙ୍ଗୀତକୁ ନେଇ ଆଗ୍ରହ ବଢିଲା, ସେତେବେଳେ ଅଲ୍ ଇଣ୍ଡିଆ ରେଡ଼ିଓ କଟକରେ ଚାକିରି ପାଇଁ ଦରଖାସ୍ତ ଦେଲି ଓ ପାଇଗଲି କଟକ ମୋ ସଙ୍ଗୀତ ଜୀବନରେ ଗୋଟେ ନୂଆ ମୋଡ଼ ଆଣିଦେଲା । 
ସେତେବେଳେ କଟକରେ ଏକ ବିରାଟ ସାଂସ୍କୃତିକ ବିପ୍ଲବ ଚାଲିଥାଏ । ନିମାଇଁ ହରିଚନ୍ଦନ, ସିଂହାରୀ ଶ୍ୟାମସୁନ୍ଦର କର, ବାଳକୃଷ୍ଣ ଦାସ, ପଣ୍ଡିତ ଭୁବନେଶ୍ୱର ମିଶ୍ର ପ୍ରମୁଖ ସଙ୍ଗୀତ କ୍ଷେତ୍ରରେ ଏକ ଚମତ୍କାର ପରିମଣ୍ଡଳ ସୃଷ୍ଟି କରିଥାନ୍ତି । ସେତେବେଳେ ଷ୍ଟେସନ ଡାଇରେକ୍ଟର ଥାନ୍ତି ପି.ଭି. କୃଷ୍ଣମୂର୍ତ୍ତି । ସେ ମହାଶୟ ମୋତେ ବହୁତ ଉତ୍ସାହିତ କରିଛନ୍ତି । କଟକରେ ଆମେ ସେତେବେଳେ ବହୁତ ସଙ୍ଗୀତ ସମାରୋହରେ ଗୀତ ବାଦ୍ୟ କରିଛୁ । ମୁଁ ଓଡ଼ିଶୀ ନୃତ୍ୟରେ ବହୁ ଶିଳ୍ପୀଙ୍କ ସାଙ୍ଗରେ ବଜାଇଛି । ଗୋଟେ ସମୟ ଥିଲା, ଯେତେବେଳେ କେଉଁ ନୃତ୍ୟାଙ୍ଗନା ସାଙ୍ଗରେ ବଜାଇବି, ତାକୁ ନେଇ ଗୋଟେ ପ୍ରକାର ପ୍ରତିଯୋଗିତା ଚାଲିଲା । ସଂଯୁକ୍ତା ପାଣିଗ୍ରାହୀ, କୁମକୁମ ମହାନ୍ତିଙ୍କ ପରି ବହୁତ ବଡ଼ ନୃତ୍ୟାଙ୍ଗନାଙ୍କ ସାଙ୍ଗରେ ମୁଁ ସେତେବେଳେ ବଜାଇଛି । ଭୁବନେଶ୍ୱର ବାବୁଙ୍କ ସଙ୍ଗେ ମିଶି କିଛି ସିନେମାରେ ମ୍ୟୁଜିକ ମଧ୍ୟ କରିଛୁ । କଟକ ଗୋଟେ ପ୍ରକାର ମୋଲାଗି ସଙ୍ଗୀତର ନୂଆ ଅଧ୍ୟାୟ ଖୋଲିଥିଲା । ତାପରେ ମୋର ବଦଳି ହେଲା ବମ୍ବେକୁ ।
ପ୍ରଶ୍ନ- କୁହାଯାଏ ବମ୍ବେରେ ଆପଣ ଅନ୍ନପୂର୍ଣ୍ଣା ଦେବୀଙ୍କଠାରୁ ସଙ୍ଗୀତ ଶିଖିବା ପରେ ଆପଣଙ୍କର ବାସ୍ତବ ଶାସ୍ତ୍ରୀୟ ପ୍ରତିଭା ଉନ୍ମୋଚିତ ହୋଇଥିଲା । ଅନ୍ନପୂର୍ଣ୍ଣା ଦେବୀ କାହାକୁ ଶିଖାଇବାକୁ ଆଗ୍ରହୀ ନଥିଲେ । କେବଳ ଆପଣଙ୍କ କ୍ଷେତ୍ରରେ ତାର ବ୍ୟତିକ୍ରମ ହୋଇଥିଲା ବୋଲି ଶୁଣାଯାଏ । ଏ ସମ୍ପର୍କରେ ଆମକୁ କିଛି କୁହନ୍ତୁ ?
ପଣ୍ଡିତଜୀ- ବମ୍ବେ ଯିବା ପର୍ଯ୍ୟନ୍ତ ମୁଁ ବିଧିବଦ୍ଧ ଭାବରେ ସଙ୍ଗୀତର କଳାକୌଶଳ ଜାଣି ନଥିଲି । ବଜଉଥିଲି, ସମସ୍ତେ କହୁଥିଲେ ବଢିଆ ବଜାଉଛି । ବହୁତ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହିତ ବମ୍ବେରେ କାମ କରିଛି । ତେବେ ବଂଶୀକୁ ନେଇ ଜଣେ ଏକକ ଶିଳ୍ପୀ ଭାବରେ ପରିଚୟ ତିଆରି କରିବାର ଆଗ୍ରହ ସେପର୍ଯ୍ୟନ୍ତ ମୋର ନଥିଲା । ସେତେବେଳେ ମୋତେ ମୋର ଜଣେ ବନ୍ଧୁ କହିଥିଲେ ସଙ୍ଗୀତ ଶିଖିବା ଲାଗି । କାହାପାଖରୁ ଶିଖିବି ? କେମିତି ଶିଖିବି ? ମୁଁ କିଛି ଜାଣୁନଥାଏ । କେହି ଜଣେ କହିଲା, ଅନ୍ନପୂର୍ଣ୍ଣା ଦେବୀଙ୍କ ପାଖକୁ ଯିବା ପାଇଁ । ଅନ୍ନପୂର୍ଣ୍ଣା ଦେବୀ କଡ଼ା ମିଜାଜର ଗୁରୁତାଙ୍କ ପାଖକୁ କେହି ଯିବାକୁ ସାହସ କରନ୍ତି ନାହିଁ । ଅନେକ ଥର ଯାଇ ତାଙ୍କ ପାଖରୁ ଫେରିଛି । ଶେଷରେ ମୋତେ ସେ ତାଙ୍କର ଶିଷ୍ୟ ଭାବରେ ଗ୍ରହଣ କଲେ । 
ଆଜି ପର୍ଯ୍ୟନ୍ତ ସେ ମୋର ଗୁରୁ ଓ ମାତାଙ୍କର ପାଦ ତଳେ ବସି ଯାହା ଶିଖିଛି, ସେଇଟା ଆଜି ପର୍ଯ୍ୟନ୍ତ ମୋର ସମ୍ବଳ । ତାଙ୍କ ପରି ସୁରବାହାର୍ ବଜାଇବା ଲୋକ ପୃଥିବୀରେ ବିରଳ । ତାଙ୍କ ପାଖରୁ ମୁଁ ଶିଖିଲି ଗୁରୁ ଶିଷ୍ୟର ପରମ୍ପରା କଣ । ଗୁରୁ ଶିଷ୍ୟଠାରୁ କିଛି ଆଶା କରେ ନାହିଁ । ମୋର ଗୁରୁଙ୍କୁ ମୋଜୀବନରେ କିଛି ଦେଇନାହିଁ । ତାଙ୍କଠୁ ଅନେକ କିଛି ପାଇଛି । ଆଜି ମୁଁ ଯାହା ହେଇଛି, ତାହା ହେଉଛି ଗୁରୁଙ୍କର ଅବଦାନ ।
ପ୍ରଶ୍ନ : ଯଦିଓ ଆପଣ ଶାସ୍ତ୍ରୀୟ ସଙ୍ଗୀତର ଜଣେ ଧୂରୀଣ ଶିଳ୍ପୀ, ତଥାପି ଆପଣଙ୍କର ପଲ୍ଲୀ ସଙ୍ଗୀତ ପ୍ରତି ଗଭୀର ଆକର୍ଷଣ ଦୃଶ୍ୟମାନ ହୋଇଥାଏ । ଅନେକ ସମୟରେ ଆପଣ ଲୋକ ସଙ୍ଗୀତକୁ ଯଥେଷ୍ଟ ମହତ୍ତ୍ୱ ଦେଇଥାନ୍ତି । ଏହାର କାରଣ କ?
ପଣ୍ଡିତଜୀ- ସେଇଟା ହିଁ ତ ଆମର ମୁଖ୍ୟ ସଙ୍ଗୀତ । ଆଗେ ମ୍ୟୁଜିକ କଣ ଥିଲା ! ଗାଁ ଗହଳିରେ ଲୋକେ ଚାଷବାସ କରି ଘରକୁ ଆସୁଥିଲେ । ପରିବାର ଭିତରେ ଗୀତ ଗାଉଥିଲେ, ନାଚ କରୁଥିଲେ । ଏହା ତ ହେଉଥିଲା । ସେମାନେ କଣ କ୍ଲାସିକାଲ୍ ବା ଗଜଲ୍ ଗାଉଥିଲେ କି ? ଣ ଗାଉଥିଲେ ? ଗାଁ ଗହଳରେ ଲୋକସ୍ୱର ହିଁ ଥିଲା । ସେଇଟା ହିଁ ଓରିଜିନ୍ ଅଫ ମ୍ୟୁଜିକ୍ସେଇଟା ଆଜି ବଜାଇଲେ ଆଜିର ଆଧୁନିକ ଲୋକମାନେ ବି ଖୁସି ହେଉଛନ୍ତି । ଲୋକ ସଙ୍ଗୀତ ହେଉଛି ମାନବିକତାର ସଙ୍ଗୀତ । ସେଇଟା ଆମେ କାହିଁକି ଭୁଲିଯିବା । ମୁଁ ଯେଉଁଠିକୁ ଯାଏ କ୍ଲାସିକାଲ୍ ବଜାଏ । କ୍ଲାସିକାଲ୍ ଜାଣିଛି, କ୍ଲାସିକାଲ୍ ଶିଖିଛି , ତେଣୁ ବଜାଉଛି । କିନ୍ତୁ ପଲ୍ଲୀ ଗୀତ ସମସ୍ତଙ୍କ ପାଖରେ ପହଞ୍ଚିଥାଏଏପରିକି ଯେଉଁମାନେ ସଙ୍ଗୀତର ବ୍ୟାକରଣ ବୁଝୁନାହାନ୍ତି, ସେମାନଙ୍କ ପାଖରେ ବହୁତ ଆଗ୍ରହ ଅଛି, ସେଇ ତରୁଣ ପିଲାମାନେ ମଧ୍ୟ ବସି କରି ତାକୁ ଶୁଣୁଛନ୍ତି ଓ ଭଲପାଉଛନ୍ତି ।
ପ୍ରଶ୍ନ- ବମ୍ବେ ଫିଲ୍ମ ଶିଳ୍ପର ସିନେମାଗୁଡ଼ିକରେ ଆପଣ ପାଶ୍ଚାତ୍ୟ ଓ ପ୍ରାଚ୍ୟ ସଙ୍ଗୀତର ଫ୍ୟୁଜନ ପ୍ରସ୍ତୁତ କରିଥାନ୍ତି । ଚାନ୍ଦିନୀ, ଲମହେ ଓ ସିଲସିଲା ଇତ୍ୟାଦି ଚଳଚ୍ଚିତ୍ରରେ ଆପଣ ଏବଂ ଶିବକୁମାର ଶର୍ମାଙ୍କ ସଙ୍ଗୀତ ସିନେ ସଙ୍ଗୀତକୁ ଗୋଟିଏ ନୂଆ ଧାରା ଦେଇଛି । ଏ ସମ୍ପର୍କରେ ଟିକିଏ ବିସ୍ତୃତ ଭାବରେ କହିବେ କି ?
ପଣ୍ଡିତଜୀସିନେମାରେ ଚରିତ୍ରର ଦାବି ଅନୁଯାୟୀ ଗୀତ କରାଯାଏ । ଚାନ୍ଦନୀସିନେମାରେ ଓ ମାଇଁ ଚାନ୍ଦିନୀ...’ ଭଳିଆ ଗୀତ ଦରକାର ଥିଲା । ଯେଉଁ ସ୍କ୍ରିପ୍ଟ ରେ ଯାହା ଦରକାର, ସେଇଟା କରିବା ସଙ୍ଗୀତ ନିର୍ଦ୍ଦେଶକ ଭାବରେ ଆମର ଦାୟିତ୍ୱ । ସେଇଠି ଶ୍ରୀଦେବୀ ଥିଲେ, ତେଣୁ ନାଚ ଗୀତର ଆବଶ୍ୟକତା ଥିଲା, ସେହି ଚରିତ୍ରରେ ଯଦି ନିରୂପା ରାୟ ଥାନ୍ତେ, ତାହେଲେ ସଙ୍ଗୀତ ଅଲଗା ହୋଇଥାନ୍ତା । ଯେମିତିକା ସ୍କ୍ରିପ୍ଟ୍ ଓ ଷ୍ଟୋରୀ ଡିମାଣ୍ଡ୍ କରିଛି, ସେମିତି ସଙ୍ଗୀତ ମୁଁ କରିଛି । 
ଧରନ୍ତୁ ଯେମିତି ମୋ ଶରୀର ଅଛି, ସେମିତି ପୋଷାକ ମୁଁ ପିନ୍ଧିବି । ମୁଁ ମୋଟା ଲୋକ, ପତଳା ଲୋକଙ୍କର ଲୁଗା କେମିତି ପିନ୍ଧିବି । ପିନ୍ଧିଲେ ଅଜବ ଲାଗିବି ନାହିଁ କି ? ସେମିତି ପତଳା ଲୋକ ମୋଟା ଲୋକଙ୍କ ଲୁଗା ପିନ୍ଧିଲେ ଅଦ୍ଭୁତ ଦିଶିବେ  । ସେହି ଭଳି ସିନେମାରେ ଷ୍ଟୋରୀର କେଉଁ ମ୍ୟୁଜିକ ସୁଟ୍ କରିବା, ସେଇଟା ଗୁରୁତ୍ୱପୂର୍ଣ୍ଣ । ଅମିତାଭ ବଚ୍ଚନଙ୍କ ହୋରୀ ଗୀତ ଅଲଗା ପ୍ରକାର ହେଲା । ରଙ୍ଗ ବରସେ୍.... ସେଇ ଗୀତକୁ ଯଦି ପାଶ୍ଚାତ୍ୟ ଢଙ୍ଗରେ କରିଥାନ୍ତି, ସେଇଟା ଆଦୌ ଭଲ ଲାଗିନଥାନ୍ତା । ହୋଲି ହେଉଛି ଭାରତର ଗୋଟେ ଗୁରୁତ୍ୱପୂର୍ଣ୍ଣ ଉତ୍ସବ । ତାକୁ ନେଇ ଅନେକ ସଙ୍ଗୀତ ଓ ନୃତ୍ୟର ପରମ୍ପରା ଆମର ରହିଛି । ସେହି ଦେଶୀ ପରମ୍ପରାରୁ ଆଣି ଗୀତକୁ ତିଆରି କରାଗଲା । ଆଜି ସେଇ ଗୀତଟା ପ୍ରସିଦ୍ଧ ହୋଇଗଲା । ସେହି ଗୀତ ନ ବାଜିଲେ ଆଜି କେହି ଆଉ ହୋଲି ପାଳୁ ନାହାନ୍ତି ।
ପ୍ରଶ୍ନ : ଆପଣ ଅମିତାଭ ବଚ୍ଚନଙ୍କୁ ଗୀତ ଗାଇବାକୁ କେମିତି ବାଛିଲେ ?
ପଣ୍ଡିତଜୀ- ସେ ନିଜେ କହିଲେ ମୁଁ ଗାଇବି । ମୁଁ କହିଲି, ହଉ । ସେ ରାତି ଦୁଇଟାରେ ଆସି ମେହେନତ କରି ରିଆଜ କଲେ । ତାଙ୍କ ଗଳାକୁ ଗୀତଟି ସାଜିଲା । ଗୀତଟି ଟପ୍ ହୋଇଗଲା । ତାପରେ ତାଙ୍କ ପଛରେ ଲୋକ ପଡ଼ିଗଲେ ଗୀତ ଗାଇବା ପାଇଁ । ତାପରେ ଜିସ୍କି ବିୱି ଲମ୍ବି ଜିସ୍କି ବିୱି ମୋଟୀ ...ଇତ୍ୟାଦି ବହୁ ଗୀତ ଗାଇଲେ । କିନ୍ତୁ ଏହି ଗୀତଟି କ୍ଲାସିକ୍ ହୋଇ ରହିଗଲା । ଆମ ପିଲାମାନେ ଓ ପିଲାମାନଙ୍କର ପିଲାମାନେ ମଧ୍ୟ ତାକୁ ଶୁଣିବେ । “ରଙ୍ଗ୍ ବରଷେ୍” ସବୁ ହୋଲିରେ ରଙ୍ଗ ବରଷଉ ଥିବ ।
ପ୍ରଶ୍ନ : ଅନ୍ୟ ସିନେମା ଗୀତ ଯଥା ଲମହେ, ସିଲସିଲା ଓ ଚାନ୍ଦିନୀ, ଇତ୍ୟାଦି ବିଷୟରେ କିଛି କୁହନ୍ତୁ ?
ପଣ୍ଡିତଜୀକେତେଗୁଡ଼େ ସିନେମା ଆମେ କରିଛୁ । ଯେମିତିକି ସିଲସିଲା, ଫାସଲେ, ବିଜୟ, ଚାନ୍ଦିନୀ, ଲମହେ, ପରମ୍ପରା ....ଗୁଡାଏ ପିକଚର୍ ମୁଁ କରିଛି । ତାପରେ ମୁଁ ବଲିଉଡ୍ ମ୍ୟୁଜିକ୍ ଛାଡିଦେଲି । ଦୁନିଆରେ ଅନେକ ଜିନିଷ ଅଛି କରିବାକୁ । ଗୁରୁକୁଳ ଆମ ପରମ୍ପରାର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଂଶ । ଆମେ ସେଇ ବିଷୟରେ ଶୁଣିଛୁ, କିନ୍ତୁ କିଛି ଦେଖିନୁ । ନିଜ ଘରେ ଗୁରୁ ଶିଷ୍ୟମାନଙ୍କ ସାଙ୍ଗରେ ରହୁଥିଲେ । ଶିଷ୍ୟମାନେ ଗୁରୁଙ୍କ ସେବା କରିବେ, ସଙ୍ଗୀତ ଶିଖିବେ, ସଂସ୍କୃତ ଶିଖିବେ । ମୁଁ ଭାବିଲି ମୁଁ ସେମିତି ଗୋଟେ ଗୁରୁକୂଳ ତିଆରି କରିବି । ଫିଲ୍ମ ଇଣ୍ଡ୍ରଷ୍ଟି ଛାଡ଼ି ଗୁରୁକୂଳ ଗଢିବାରେ ସମୟ ଦେଲି । ଏବେ ମୁମ୍ବାଇରେ ଗୋଟେ ଗୁରୁକୂଳ ଅଛି, ଭୁବନେଶ୍ୱରେ ବି ଅଛି ।
ପ୍ରଶ୍ନ : ଆପଣ ବେଳବେଳେ ମଜାରେ କୁହନ୍ତି ଯେ କୃଷ୍ଣ ଭଗବାନଙ୍କର ଭଳିଆ ଆପଣ ବଂଶୀ ବଜାଇ ପାରିଲେ ନାହିଁ ?
ପଣ୍ଡିତଜୀତାଙ୍କ ଭଳିଆ ମୁଁ କାହିଁକି, କୌଣସି ମଣିଷ ବଜାଇ ପାରିବ ନାହିଁ । ହରିପ୍ରସାଦ କେବେ ଶ୍ରୀକୃଷ୍ଣ ହୋଇପାରିବେନି । ସେମିତି ଶ୍ରୀକୃଷ୍ଣ ମଧ୍ୟ କେବେ ହରିପ୍ରସାଦ ହୋଇପାରିବେନି । (ଏତକ କହି ଗୁରୁଜୀ ବେଶ୍ ମନଖୋଲା ହସ ହସିଥିଲେ ।) ମୁଁ ଆପଣ ହୋଇପାରିବିନି କି ଆପଣ ବି ମୋଭଳିଆ ହୋଇପାରିବେ ନାହିଁ । ଭଗବାନ ସମସ୍ତଙ୍କୁ ସୁନ୍ଦର କରିଛନ୍ତି । ସାରା ପୃଥିବୀ ହେଉଛି ସୁନ୍ଦର । କୃଷ୍ଣଙ୍କର ନାଁ ଶୁଣି ହଜାର ହଜାର ଗୋପୀ ପାଗଳୀ ହେଉଥିଲେ । ମୀରା ବି ଥିଲେ, ରାଣୀମାନେ ବି ଥିଲେ । ମୁଁ ଆଜ୍ଞା ଯଦି ସେଇଆ କରିବି, ତାହେଲେ ମୋତେ ଜେଲ୍ ଯିବାକୁ ପଡ଼ିବ । ଯାହାହେଉ ଭଗବାନ କୃଷ୍ଣଙ୍କ ସମୟରେ କୋର୍ଟ କଚେରୀ ନଥିଲା । (ନିଜ ରସିକତାରେ ଆହୁରି ହସିଲେ ଗୁରୁଜୀ ।
ଆପଣଙ୍କୁ ଆଉ ଗୋଟିଏ କଥା କହୁଛି । ସଙ୍ଗୀତ ଖାଲି ମଣିଷମାନେ ଶୁଣନ୍ତି ନାହିଁ । ପଶୁପକ୍ଷୀ, କୀଟପତଙ୍ଗ ଓ ବୃକ୍ଷଲତାମାନେ ମଧ୍ୟ ସଙ୍ଗୀତ ଶୁଣନ୍ତି । କାଲିଫର୍ଣ୍ଣିଆରେ ଏକ କ୍ୟାମ୍ପସରେ ୧୦୦ଟି ଗାଈ ଥିଲେ । ତାହାର ଯେ ତତ୍ତ୍ୱାବଧାରକ, ସେ ସଙ୍ଗୀତକୁ ନେଇ ଗାଈମାନଙ୍କ ସହ ଏକ୍ସପରିମେଣ୍ଟ୍ କଲେ । ସଙ୍ଗୀତ ବାଜୁଥିବା ପର୍ଯ୍ୟନ୍ତ ଗାଈ ମନଯୋଗ ସହକାରେ କ୍ଷୀର ଦେଉଥାଏ । ସଙ୍ଗୀତ ବନ୍ଦ ହୋଇଗଲେ ଗାଈର କ୍ଷୀର ଦେବା ବନ୍ଦ ହୋଇଯାଏ । ସେହି ସକାଶେ ଗାଈକୁ ମ୍ୟୁଜିକ୍ ଶୁଣାଇଲେ । ଯେଉଁ ଗାଈ ଦୁଇ ଲିଟର କ୍ଷୀର ଦେଉଥିଲା, ସେ ଦଶ ଲିଟର କ୍ଷୀର ଦେଲା । ସେ କ୍ଷୀରର ସ୍ୱାଦ ମଧ୍ୟ ଅଲଗା ହେଲା । ମୁଁ ମୋର ନିଜ ଗୁରୁକୂଳରେ ଗଛଲତାଙ୍କ ସହ ସଙ୍ଗୀତର ସମ୍ପର୍କକୁ ଅନୁଭବ କରିଛି । ବମ୍ବେରେ ବଗିଚା କରିବାକୁ ଜାଗା ନାହିଁ । ଅଳ୍ପ ଟିକେ ମାଟିରେ ଏତେ ବଡ଼ ବଡ଼ ଗଛ କେମିତି ହେଲା । ଆମ ଗୁରୁକୂଳରେ ବେଶ୍ ମୋଟା ମୋଟା ଗଛ । ଆପଣ ନିଜେ ଦେଖିଲେ କହିବେ ଏସବୁ ହେଲା କେମିତି । ଗଛଲତା ବି ବେଶ୍ ଭଲ ସଙ୍ଗୀତ ଶୁଣିପାରନ୍ତି ।
ପ୍ରଶ୍ନ : ଆପଣ ଏତେ ଜାଗା ବୁଲିଛନ୍ତି, ଏତେ ଜାଗାରେ ସଙ୍ଗୀତ ସହ ଆପଣଙ୍କର ସମ୍ପର୍କ ରହିଛି । ସବୁ ରାଜ୍ୟର ସବୁ ଜାଗାର ସଙ୍ଗୀତ ସହିତ ଆପଣଙ୍କର ସମ୍ପର୍କ ରହିଛି । ଆପଣଙ୍କର କେଉଁ ଜାଗାରେ ସଙ୍ଗୀତ ସବୁଠୁ ଅଧିକ ପସନ୍ଦ ?
ପଣ୍ଡିତଜୀଭାରତର ଯେତେ ପ୍ରକାର ସଙ୍ଗୀତ ଅଛି, ସେତେ ବିବିଧତା ଆଉ କେଉଁଠି ନାହିଁ । ବଂଶୀ ହେଉଛି ଭାରତର । ବଂଶୀ କେଉଁଠି ମିଳିବ ନାହିଁ । ବାଉଁଶ ଗଛ ନାହିଁ । ସେମାନେ କଣ କରିଥାନ୍ତି ଷ୍ଟିଲ୍, ସିଲିଭର୍, ଗୋଲ୍ଡ୍ ନେଇ କରନ୍ତି । କିନ୍ତୁ ବାମ୍ବୋ (ବାଉଁଶ) ନେଇ ନୁହେଁ । ମୁଁ ଦେଖିଲି ଆମର ସଙ୍ଗୀତର ଯେଉଁ ମୂଲ୍ୟ ବାହାରେ ଅଛି, ତାହା ଅନ୍ୟ କେଉଁଥିର ନାହିଁ । ସେଇ ସଙ୍ଗୀତ ସେମାନଙ୍କୁ ଏତେ ଆକର୍ଷିତ କଲା, ସେମାନେ ଆସି କରି ଆମଠୁ ଶିଖିଲେ। ଦେଖନ୍ତୁ । ମୋ ଗୁରୁକୂଳରେ ଦୁନିଆର ଏତେ ଲୋକ । ଏଇଠି ସେ ଆସି ରହିବାକୁ ଚାହୁଁଛନ୍ତି । ତଳେ ବସି କଣ୍ଟା ଚାମୁଚ ଫୋପାଡ଼ି ହାତରେ ଖାଉଛନ୍ତି । ସଙ୍ଗୀତ ସକାଶେ ସେମାନେ ସବୁ ଛାଡ଼ିଦେଇଛନ୍ତି ।
ପ୍ରଶ୍ନ : ଶେଷ ପ୍ରଶ୍ନ ପଚାରିବି । ଆପଣ ଓଡ଼ିଶାରେ ବାହା ହେଲେ, ଆପଣ ଓଡ଼ିଶାରୁ ବୋହୂ ନେଇଛନ୍ତି ଏବଂ ଏବେ ଓଡ଼ିଶାରେ ରହୁଛନ୍ତି । ସେହି ଦୃଷ୍ଟିରୁ ଓଡ଼ିଶୀ ସଙ୍ଗୀତକୁ ପରବର୍ତ୍ତୀ ସମୟରେ ନୂଆକରି ଗଢିବାରେ ଆପଣଙ୍କର ବହୁତ ବଡ ଅବଦାନ ସମସ୍ତେ ଆଶା କରୁଛନ୍ତି । ଏ ସମ୍ପର୍କରେ ଆପଣ କଣ କହିବେ ?
ପଣ୍ଡିତଜୀଆଶା ତ ବହୁତ କରୁଛନ୍ତି । ହେଲେ ସୁବିଧା କଣ କରୁଛନ୍ତି ? ସୁବିଧା ନ ଦେଲେ କେମିତି କରିବି । କେମିତି ଆସିବି, ସରକାର କିଛି ସାହାଯ୍ୟ କରୁନାହାନ୍ତି । ମୋ ଗୁରୁକୂଳରେ ସବୁ ଛାତ୍ର ମାଗଣାରେ ରୁହନ୍ତି । ଗୁରୁକୂଳର ପରମ୍ପରା ସେଇଆ । ପଇସା ନେଇ ଶିକ୍ଷାଦାନ କରିବାର କୌଣସି ଅର୍ଥ ନାହିଁ । ମୋ ପାଇଁ ପିଲାଙ୍କୁ ତାଲିମ ଦେବା ହେଉଛି ଗୋଟେ ପ୍ରକାରର ସାଧନା । ତେବେ ଗୁରୁକୂଳକୁ ଚଳାଇବା ଲାଗି ଅନେକ କିଛି ଆବଶ୍ୟକତା ରହିଛି । ଶିକ୍ଷକମାନଙ୍କୁ ଦରମା ଦେବାକୁ ପଡ଼ିବ । ଜିନିଷପତ୍ର କିଣିବାକୁ ପଡ଼ିବ । ସଙ୍ଗୀତର ଆସବାବପତ୍ର ରହିବ । ସେସବୁ ଆସିବ କେଉଁଠୁ ? ବମ୍ବେରୁ ମୁଁ ନିୟମିତ ଆସିବି କେମିତି ? ମୁଁ ଏକଥା ମଧ୍ୟ କହୁନାହିଁ ଯେ ସରକାର ସବୁ କରିବେ । ସରକାର ଜାଗା ଦେଇଛନ୍ତି । କିନ୍ତୁ ମୁଁ ଘର କରିଛି । ତେବେ ସମାଜରେ ଯେଉଁମାନେ ଧନୀ ଓ ବଡ଼ କମ୍ପାନୀ ସବୁ ଅଛନ୍ତି, ସେମାନଙ୍କର ଆମ ସଂସ୍କୃତି ପ୍ରତି କିଛି ଦାୟିତ୍ୱବୋଧ ରହିବା ମଧ୍ୟ ଦରକାର ।  

No comments:

Post a Comment