Wednesday, May 10, 2017

ମହିମା ଭକ୍ତି କବିତା - 'ନର ଦେହେ ପାଇଛ ଜନ୍ମ'


ସନ୍ଥ କବି ଭୀମ ଭୋଇ


ସନ୍ଥ କବି ଭୀମ ଭୋଇ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ନର ଦେହେ ପାଇଛ ଜନ୍ମ
ଏତେବେଳେ ଡାକ ମହିମା ନାମ । ଘୋଷା ।


କାଳଚକ୍ର ବ୍ରହ୍ମାଣ୍ଡରେ ଫେରିଲାଣି
ଅଦୃଷ୍ଚ କରମ ହେଉଛି ବାମ ।
ଏକ ପ୍ରଭୁ ବିନୁ ଏ ମାନବ ତନୁ
ରଖିବାକୁ କେହି ନୁହନ୍ତି କ୍ଷମ ।୧।


ମିଛ କଥାକୁ ପସରା କରିଅଛ
ସରିଲାଣି ଦେଖ ସକଳ କାମ ।
ଦିନ ନ ସରି ଅପମୃତ୍ୟୁ ହେଉଛି
ବିଅର୍ଥରେ ବାନ୍ଧି ନେବଟି ଯମ ।୨।


ଅଗ୍ନୀ ଅଙ୍ଗୀକାର ପୁରୁଷ ଅଟନ୍ତି
ତାଙ୍କ ତୁଲେ କେହି ନୁହନ୍ତି ସମ ।
ଚାରି ତୀର୍ଥ ଆସି ଶର୍ଣାଗତ ପଶି
ଶ୍ରୀଚରଣ ତଳେ ସେ ଚଉଧାମ ।୩।


ଯେ ଆଶ୍ରିତ ହେବ ଗୁରୁଧର୍ମ ନେବ
ଆକାଶକୁ ଚାହିଁ କର ନିୟମ ।
ନ ଧରିଲେ ରଟି ଗଣ୍ଠି ଯିବ ଫିଟି
ପଶ୍ଚାନ୍ତେ ପାଇବ ପଥ ଶରମ ।୪।


ସପ୍ତ ବ୍ରହ୍ମାଣ୍ଡକୁ ସାତ ଥର ହୋଇ
ଫେରି ଆସିଲାଣି ଅଲେଖ ଧର୍ମ ।
ଜାଣି ଶୁଣି କରି ଚିତ୍ତରେ ନ ଧରି
ମାୟାରେ କିମ୍ପାଇଁ ହେଉଛ ଭ୍ରମ ।୫।


ଅକ୍ଷରେ ନ ବସେ ରୂପରେ ନ ଦିଶେ
ସେ ପ୍ରଭୁଙ୍କୁ ନ ପାଇଲେଟି ଗମ୍ୟ ।
ଆତ୍ମଜ୍ଞାନୀ ହେଲେ ତେବେ ଯାଇଁ ମିଳେ
ଭଣେ ଭୀମ ଭୋଇ ପାମର ହୀନ ।୬।

No comments:

Post a Comment