ଇଣ୍ଟର୍ନେଟ୍ ଓ ବଳଦଗାଡ଼ି ବିରୁଦ୍ଧରେ ଏକ ଘୋଷଣାପତ୍ର - ୪
କିଶନ ପଟ୍ଟନାୟକ
କପିରାଇଟ - ବାଣିମଞ୍ଜରୀ ଦାସ
![]() |
ଢାକାରେ ସାଇକଲ ରେକେସା ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଗାନ୍ଧୀଜୀଙ୍କର
ଚରଖାନୀତିକୁ ବହୁତ ସମାଲୋଚନା
କରାଯାଏ । କରାଯିବା ଉଚିତ ମଧ୍ୟ
। ଗାନ୍ଧିବାଦୀ ନୀତିରେ ଉନ୍ନତିର
ଆବଶ୍ୟକତା ଅଛି ଓ ତାହା ଆଲୋଚନା
ସମାଲୋଚନା ମାଧ୍ୟମରେ ହୋଇପାରିବ
। କିନ୍ତୁ ଆଧୁନିକ ପ୍ରଯୁକ୍ତି
ବିଦ୍ୟା ବିଷୟରେ ଗାନ୍ଧୀଙ୍କର
ଯେଉଁ ବ୍ୟବହାରିକ ଆପତ୍ତି ଥିଲା ତାହାର
ଖଣ୍ଡନ ଆଧୁନିକତାବାଦୀ ମାନେ
କରିପାରି ନାହାନ୍ତି । ଏସିଆ ଓ
ଆଫ୍ରିକାର ଦେଶମାନେ ସ୍ୱାଧୀନ
ହେବାର ବହୁପୂର୍ବରୁ ଗାନ୍ଧୀ
ଦୃଢ଼ତାର ସହ କହିଥିଲେ ଯେ ଆଧୁନିକ
ପ୍ରଯୁକ୍ତି ବିଦ୍ୟା ଏହି ଦେଶମାନଙ୍କୁ
ସମୃଦ୍ଧ କରିପାରିବ ନାହିଁ ।
ପୃଥିବୀର ସବୁ ଦେଶ ଓ ସବୁ ଲୋକଙ୍କୁ
ୟୁରୋପ ଓ ଆମେରିକାର ଜୀବନ ସ୍ତରକୁ
ନିଆଯିବାର ଅର୍ଥ ହେଉଛି ଯେ ପୃଥିବୀ
ପୃଷ୍ଠରୁ
ଉପନିବେଶବାଦକୁ ହଟେଇ ମହାକାଶରେ
ଥିବା ଗ୍ରହ ନକ୍ଷତ୍ରକୁ ଯାଇ
ସେଠାରେ ପୃଥିବୀର ଉପନିବେଶ ସ୍ଥାପନ
କରିବା ।
ଗାନ୍ଧିଜୀ ତାଙ୍କ ନିଜ
ଭାଷାରେ ଠିକ୍ ଏହି କଥା କହିଛନ୍ତି
। କେବଳ ଉପନିବେଶବାଦ ମାଧ୍ୟମରେ
ହିଁ ଧନର ଏପରି ଏକତ୍ରୀକରଣ ସମ୍ଭବ
। ଏହାର ଅନ୍ୟ ଏକ ତାତ୍ପର୍ଯ୍ୟ
ହେଉଛି ଯେ ବିଶ୍ୱରୁ ଯଦି ଆର୍ଥିକ
ଉପନିବେଶବାଦକୁ ପୂରାପୂରି ହଟେଇ
ଦିଆଯିବ,
ତା’ହେଲେ
ୟୁରୋପ-ଆମେରିକାର
ସମୃଦ୍ଧି ଭୁଷୁଡ଼ି ପଡ଼ିବ ।
କଳ୍ପନା କରନ୍ତୁ ଯେ ଏସିଆ,
ଆଫ୍ରିକା
ଓ ଲାଟିନ-ଆମେରିକାର
ଦେଶମାନେ ଆଉ ପାଶ୍ଚାତ୍ୟ ଦେଶୀୟ
କମ୍ପାନୀମାନଙ୍କର ଜିନିଷଗୁଡ଼ିକୁ
କିଣିବେ ନାହିଁ,
କିମ୍ବା
ନିଜର କଞ୍ଚାମାଲ ସେମାନଙ୍କୁ ବିକ୍ରୟ
କରିବେ ନାହିଁ । ତାହା ହେଲେ ତାଙ୍କର
କେଉଁ ବିଜ୍ଞାନ ସେଠିକାର ପ୍ରଚଳିତ
ସମୃଦ୍ଧି ଓ ଜୀବନସ୍ତରକୁ ରକ୍ଷା
କରିବ ?
ଆମେ
ଆଧୁନିକତାବାଦୀମାନେ ଯଦି ଗାନ୍ଧୀଙ୍କର
ଉପରୋକ୍ତ ଯୁକ୍ତିର ଖଣ୍ଡନ କରିପାରିବା
ନାହିଁ,
ତାହା ହେଲେ
ତର୍କ ଅନୁଯାୟୀ ଆମକୁ କହିବାକୁ
ହେବ ଯେ ଆଧୁନିକ ପ୍ରଯୁକ୍ତି
ବିଦ୍ୟା ହେଉଛି ଏକ ସାମ୍ରାଜ୍ୟବାଦୀ
ବିଜ୍ଞାନର ପରିଣାମ ମାତ୍ର ।
ଅଣସାମ୍ରାଜ୍ୟବାଦୀମାନେ ଏହାର
ସିଧା ଲାଭ ଉଠାଇପାରିବେ ନାହିଁ
। ସାମ୍ରାଜ୍ୟବାଦର ଆବଶ୍ୟକତାଗୁଡ଼ିକୁ
ପୂରା କରିବା ପାଇଁ ବିଭିନ୍ନ
ବୈଜ୍ଞାନିକ କୌଶଳଗୁଡ଼ିକର ଉଦ୍ଭାବନ
ହେଉଛି,
ତେଣୁ
ଏକ ସାମ୍ରାଜ୍ୟବାଦୀ ଓ ଉପନିବେଶବାଦୀ
ସମ୍ପର୍କର ଢାଞ୍ଚା ଭିତରେ ହିଁ ଏହାକୁ
କାର୍ଯ୍ୟକାରୀ କରାଯାଇପାରିବ ।
ଗୋଟିଏ ନିର୍ଦ୍ଧିଷ୍ଟ ପରିସ୍ଥିତି
ବା ଉଦ୍ଦେଶ୍ୟକୁ ନେଇ ତିଆରି
ହୋଇଥିବା ପ୍ରଯୁକ୍ତିବିଦ୍ୟା
ଏକ ଭିନ୍ନ ପରିସ୍ଥିତି ବା ଉଦ୍ଦେଶ୍ୟର କାର୍ଯ୍ୟକୁ ସମ୍ପାଦିତ କରିପାରିବ
ନାହିଁ । ନିମ୍ନଲିଖିତ ଉଦାହରଣଟି
ଏହାକୁ ସ୍ପଷ୍ଟ କରିଦେଇପାରିବ
।
ସାଇକେଲ୍ ଚାଳିତ ରିକ୍ସା ଏକ
ନିର୍ଦ୍ଧିଷ୍ଟ ପରିସ୍ଥିତିରୁ
ଉପୁଜିଥିବା ପ୍ରଯୁକ୍ତିବିଦ୍ୟା
। ଗରିବ ଦେଶର ଛୋଟ ସହର ମାନଙ୍କରେ
ବାସ କରୁଥିବା ମଧ୍ୟବିତ୍ତ ଭଦ୍ରଲୋକଙ୍କ
ପାଇଁ ଏହା ଉଦ୍ଧିଷ୍ଟ । ଏହାକୁ
ପ୍ରଚଳିତ କରାଇବା ସକାଶେ ଏପରି
ଏକ ସମାଜ ଦରକାର ଯେଉଁଠି ମଧ୍ୟବିତ୍ତଙ୍କ
ପାଖେ ପାଖେ ଗୋଟିଏ ଅତି ଦରିଦ୍ର
ଶ୍ରେଣୀ ରହିଥିବ । ଯଦି କେବେ ଏହି
ଭେଦ ସମାପ୍ତ ହୋଇଯିବ ତାହା ହେଲେ
ରିକ୍ସାର ପ୍ରଚଳନ ବନ୍ଦ ହୋଇଯିବ
। ପ୍ରଯୁକ୍ତିବିଦ୍ୟା ସମସ୍ତଙ୍କୁ
ସମାନ ଭାବରେ ଉପକୃତ କରେ ନାହିଁ
। ଜଣକୁ ଭଦ୍ରଲୋକ କରାଏ,
ଅନ୍ୟ
ଜଣକୁ ରିକ୍ସାବାଲା କରାଏ । ଉଭୟଙ୍କର
ବୈଷମ୍ୟ ଉପରେ ରିକ୍ସା ତିଷ୍ଠି ରହିଛି । ଆଧୁନିକ ପ୍ରଯୁକ୍ତି
ବିଦ୍ୟା ଠିକ ଏହି ରିକ୍ସା ପରି
। କେତେକ ଦେଶକୁ ବିକଶିତ ଓ ଶିଳ୍ପୋନ୍ନତ
କରିଛି,
ଅନ୍ୟ ସମସ୍ତଙ୍କୁ
‘ବିକାଶଶୀଳ’ କରି ରଖିଛି ।
ଆମେ
ପ୍ରତିଦିନ ଖବରକାଗଜରେ ପଢ଼ୁଛୁ
ଯେ ଧନୀ ଓ ଶିଳ୍ପୋନ୍ନତ ଦେଶମାନେ
ଗରିବ ବିକାଶଶୀଳ ଦେଶମାନଙ୍କରେ
ବଜାର ଖୋଜୁଛନ୍ତି । ଯେଉଁଠି
ପ୍ରଚୁର କଞ୍ଚା ମାଲ ଓ ମାନବ ଶ୍ରମ
ଶସ୍ତାଦାମରେ ମିଳିପାରୁଛି,
ଯେଉଁମାନେ
ନିଜର ବିକାଶ ପାଇଁ ଆଧୁନିକ
ଯନ୍ତ୍ରପାତି ଚାହାନ୍ତି,
ଯେଉଁଠି
ବିଦେଶରୁ ଭୋଗ୍ୟ ବସ୍ତୁମାନ କିଣି
ନିଜ ଜୀବନ ସ୍ତରକୁ ବଢ଼ାଇ ଚାଲିଥିବା
ଏକ ନବ୍ୟଧନିକ ଶ୍ରେଣୀ ଓ ନବ୍ୟ-ମଧ୍ୟବିତ୍ତ ଶ୍ରେଣୀ ସୃଷ୍ଟି ହେଲେଣି,
ଏହିପରି
ଦେଶମାନେ ୟୁରୋପ-
ଆମେରିକାର
ଦୃଷ୍ଟିରେ ଉକ୍ରୃଷ୍ଟ ବଜାର ବୋଲି
ପରିଗଣିତ ହେଉଛନ୍ତି ।
ୟୁରୋପ-ଆମେରିକା
ହେଉଛନ୍ତି ଧନର ସମ୍ରାଟ ଓ ସାରା
ଦୁନିଆର ବଜାର ଉପରେ ତାଙ୍କର
ଆଧିପତ୍ୟ ଅଛି । ସେସବୁର ପରିଚାଳନା
ଓ ନିୟନ୍ତ୍ରଣ ପାଇଁ ଯେତେ ନୂଆ
ନୂଆ ପ୍ରଯୁକ୍ତିବିଦ୍ୟାର ଉଦ୍ଭାବନ
ହେଉଛି,
ତାହା
ଆମେ କରିପାରିବା ନାହିଁ । କାରଣ
ଆମର ଏତେ ବଡ଼ ବଜାର ନାହିଁ କିମ୍ବା
ଏତେ ଧନ ନାହିଁ । ତେଣୁ ଆଧୁନିକ
ପ୍ରଯୁକ୍ତିବିଦ୍ୟାର ବ୍ୟବହାର
କରିବାକୁ ହେଲେ ଆମକୁ ମୁଖ୍ୟତଃ
କିଣିବାକୁ ପଡ଼ିଥାଏ । ତେଣୁ ଆମର
ମୋଟ ଯନ୍ତ୍ରପାତି ଧନୀ ଦେଶ
ତୁଳନାରେ ବହୁତ କମ । ଆମେରିକାରେ
ମୁଣ୍ଡପିଛା ଯେତିକି ଯନ୍ତ୍ରପାତି
ଆମ ଦେଶରେ ତାହାର ଶହେ ଭାଗରୁ
ଗୋଟିଏ ଭାଗ ମଧ୍ୟ ହେବନାହିଁ ।
ଆଧୁନିକ ଯନ୍ତ୍ରର ବହୁଳତା ଯଦି
ଉନ୍ନତିର ଲକ୍ଷଣ ହୁଏ,
ତାହା ହେଲେ
ଆମେ କେବେ ମଧ୍ୟ ୟୁରୋପ-ଆମେରିକା
ଭଳି ‘ଉନ୍ନତ’ ହୋଇପାରିବା ନାହିଁ
। ଆମେ ସାଇକେଲ ରିକ୍ସାର ଭଦ୍ରଲୋକ
ହୋଇପାରିବା ନାହିଁ ।
No comments:
Post a Comment