Saturday, October 15, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ମନ୍ତ୍ର ୧୧



ସୂର୍ଯ୍ୟ (ଗୁଇଦୋ ବୋନାଦିଙ୍କର ଲିବର ଆସ୍ତ୍ରୋନୋମୀ:୧୫୫୦)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ସୂର୍ଯ୍ୟାଲୋକେ ଦୃଷ୍ଟିଶକ୍ତି ପ୍ରକାଶେ ନୟନ
ପ୍ରତି ପ୍ରାଣୀ ନେତ୍ରେ ନିତି ବିଭାସେ ତପନ ।

ଦୃଷ୍ଟିଦୋଷେ ମନ-ନେତ୍ର ହୁଏ ବିଚଳିତ
ସହସ୍ରାଂଶୁ କେବେ କିନ୍ତୁ ନ ହୁଏ ଦୁଷିତ ।

ଏକ ଆତ୍ମା ସର୍ବଭତେ ବିରାଜିତ ତଥା
କର୍ମ ଫଳାଫଳେ ତାକୁ ନ ଲାଗଇ ବ୍ୟଥା । 

ଲୋକ ସୁଖ ଦୁଃଖେ ଆତ୍ମା ନ ହୁଏ କ୍ଷୋଭିତ
ଆକାଶ ସମାନ ଆତ୍ମା ସଙ୍ଗ ବିରହିତ ।

ଜଳାଶୟ କଳ୍ପେ ନର ସିକତା ପ୍ରାନ୍ତରେ 
ନୀଳାକାଶ ଦେଖେ ଦୂର ମଳିନ ପଥରେ ।

ରଜ୍ଜୁ ଦେଖି ସର୍ପ ବୋଲି ପାଏ ମନେ ଭୟ
ଶୌକ୍ତିକେ ରଜତ ବୋଲି କରେ ସୁନିଶ୍ଟୟ ।

ବୁଦ୍ଧିଦୋଷେ ଘଟଇ ଏ ଦୃଷ୍ଟି ବିପର୍ଯ୍ୟୟ
ରଜ୍ଜୁ ଆଦି ଦିଶେ ଯେବେ ଯାଏ ଭ୍ରମ କ୍ଷୟ ।

ବିପରୀତ ବୁଦ୍ଧି ଯୋଗେ ଦୃଷ୍ଟି ବିପରୀତ
ବୁଦ୍ଧିଦୋଷେ ରଜ୍ଜୁ ଆଦି ନ ହୁଏ ଦୁଷିତ ।

ନଚିକେତ, ଏହିପରି ଆତ୍ମଗତି ଜାଣ
ସୁଖ ଦୁଃଖ ଆଦି ସବୁ ଅବିଦ୍ୟା ଭିଆଣ ।

ସୁଖ ଦୁଃଖ ଲିିପ୍ତ ନୁହେ ଆତ୍ମା ନିର୍ବିକାର
ପ୍ରକାଶେ ଏ ସତ୍ୟ ଗଲେ ଅବିଦ୍ୟା ଅନ୍ଧାର । (ନ.ଉ. ୨।୨। ୩୩) 

No comments:

Post a Comment