Saturday, October 01, 2016

ଗୋପୀନାଥ ମହାନ୍ତିଙ୍କ ଲିଖିତ ଭୂଗୋଳ ପାଠ - ୩


କାଳିମାଟି କଥା



ଟାଟାନଗର ରେଳ ଷ୍ଟେସନ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 


ଓଡ଼ିଶାରୁ ଏତେ ଲୋକ କାଳିମାଟିରେ କାମ କରନ୍ତି ଯେ, ପ୍ରତ୍ୟେକ ଓଡ଼ିଶାବାସୀର କେହି ନା କେହି ବନ୍ଧୁବାନ୍ଧବ ଖୋଜିଲେ କାଳିମାଟିରେ ଥିବେ । ଏ କାଳିମାଟି ଅତି ବଡ଼ ସହର । ଏଠି ପ୍ରାୟ ଲକ୍ଷେ ଲୋକ ରହନ୍ତି । ତାହାର କାରଣ, ଏଠି ପୃଥିବୀ ପ୍ରସିଦ୍ଧ ଟାଟା ଲୁହା କାରଖାନା ଅଛି । ଏ କାରଖାନା ଏତେ ବଡ଼ କାରଖାନା ଯେ, ଏ କେବଳ ଏହାର ଜିନିଷପତ୍ର ନେବା ଆଣିବା କରି ଗାଡ଼ି ଭଡ଼ାରେ ରେଳବାଇ କମ୍ପାନୀ ବର୍ଷକୁ କୋଟିଏ ଟଙ୍କା ରୋଜଗାର କରେ । ଏଥିରେ ଚଉତିରିଶ ହଜାର ଲୋକ କାମ କରନ୍ତି । କାରଖାନା ଭିତରେ ଜିନିଷପତ୍ର ନେବା ଆଣିବା ପାଇଁ ଯେତେ ରେଳଲାଇନ୍ ପଡ଼ିଛି, ତାକୁ ସିଧା କରି ପକାଇଦେଲେ ଶହେ ମାଇଲ ପର୍ଯ୍ୟନ୍ତ ଲମ୍ବିଯିବ । 

କିନ୍ତୁ ପୂର୍ବେ ଏଠି ଥିଲା ଗୋଟିଏ ସାକ୍ଚି ବୋଲି ଜଙ୍ଗଲ ଗାଁ । ୧୯୦୭ ସାଲରେ ଟାଟା ଏଠି ଜମି କିଣିଲେ; ଦୁଇବର୍ଷ ପରେ କାରଖାନା ଖୋଲିଲେ । ୧୯୧୧ ସାଲରେ ଢଳା ଲୁହା ତିଆରି କଲେ । ତା’ର ଦୁଇବର୍ଷ ପରେ ଇସ୍ପାତ ତିଆରି ହେଲା, ଯାହା ବି ଭାରତବର୍ଷରେ ଏହା ପୂର୍ବେ କେତେ ତିଆରି ହୋଇ ନଥିଲା । ବର୍ତ୍ତମାନ ଏଠି ଅନେକ ପ୍ରକାର ଲୁହା ଓ ଲୁହାପଦାର୍ଥ ତିଆରି ହେଉଛି । ଟାଟା କମ୍ପାନୀକୁ ଛାଡ଼ିଦେଲେ ଅନ୍ୟାନ୍ୟ ଅନେକ ଛୋଟ ବଡ଼ ହୋଇ କମ୍ପାନୀ କାରଖାନା ଖୋଲିଛନ୍ତି । ଟାଟା କମ୍ପାନୀକୁ ପୃଥିବୀରେ କିଏ ନ ଚିହ୍ନେ, ଏପରି ନୁହେଁ ।

ଏ ସ୍ଥାନରେ ସହର ବଢ଼ିବାର କାରଣ ଅଛି । ଏଠିକା ମାଟି ଉପରେ ମଜବୁତ୍ କୋଠା ଗଢ଼ା ହୋଇପାରେ । ଏଠି ଦୁଇଟି ନଦୀ, ସୁବର୍ଣ୍ଣରେଖା ଓ ଖୋରଖାଇ ଏକାଠି ମିଶିଛନ୍ତି । ସେ ଦୁଇ ନଦୀଙ୍କ ସଙ୍ଗମ ସ୍ଥଳୀର ତ୍ରିକୋଣ ଭୂମି ଉପରେ ଏ ସହର । ନଦୀ ଶୁଖେ ନାହିଁ, ତେଣୁ ଜଳକଷ୍ଟ ନାହିଁ ।

ଲୁହା କାରଖାନା ପାଇଁ ଲୁହାମାଟି ଓ ପଥର କୋଇଲା ଦରକାର । ଏ ଉଭୟ ପଦାର୍ଥ ଏଠୁ ଅଳ୍ପ ଦୂରରେ ମିଳେ, - ଓଡ଼ିଶାର ଲୁହା ଓ ବିହାରର କୋଇଲା । ତେଣୁ ଏଠି ଏ ସହର ବଡ଼ ହୋଇପାରିଛି । ବର୍ତ୍ତମାନ ଏ ସହରର କ୍ଷେତ୍ରଫଳ ପଚିଶ ବର୍ଗ ମାଇଲ । ଆହୁରି ବଢ଼ିବାକୁ ସ୍ଥାନ ପଡ଼ିରହିଛି ।

ବେଙ୍ଗଲ ନାଗପୁର ରେଳବାଇରେ ଯାଇ ଟାଟାନଗର ଷ୍ଟେସନରେ ଓହ୍ଲାଇବ, - ଏହାକୁ କହନ୍ତି କାଳିମାଟି । ଅନ୍ଧାର ରାତିରେ ବିଜୁଳି ଆଲୁଅ ଓ ତତଲା ଆଲୁଅରେ ଏ ଗୋଟିଏ ପରୀ ରାଇଜ ପରି ଦିଶେ । ଷ୍ଟେସନରୁ ଦେଢ଼ ମାଇଲ୍ ଦୂରରେ ସହରଟି ପଡେ଼ । ଦୂରରେ ଜଙ୍ଗଲ । ଅତି ସୁନ୍ଦର ଆଧୁନିକ ସହର, ପରିଷ୍କୃତ ପରିଚ୍ଛନ୍ନ ଯେପରି, ବଗିଚା ଓ ପାର୍କରେ ପୂର୍ଣ୍ଣ ହୋଇଛି ସେହିପରି । ସଭ୍ୟ ଦେଶମାନଙ୍କର ଅତି ଆଧୁନିକ ନଗର-ଗଠନ-ପ୍ରଣାଳୀରେ ଏ ସହର ବସା ହୋଇଛି । ମଝିରେ ପ୍ରଧାନ ରାସ୍ତା, ତହିଁରୁ ଅନେକ ସାନ ସାନ ରାସ୍ତା ଯାଇଛି । ରାସ୍ତା ଉପରେ ଆଲକାତ୍ରା ଦିଆ ହୋଇ ମରାମତି ହୋଇ ରହିଛି । ନାଳ ଓ ନର୍ଦ୍ଦମା ବ୍ୟବସ୍ଥା ଅତି ସୁନ୍ଦର । ଚାରିଆଡେ଼ ପାଣିକଳ ଓ ବିଜୁଳି ଆଲୁଅ । 

ଘରଗୁଡ଼ିକ କମ୍ପାନୀ ତିଆରି କରିଛନ୍ତି । ଧାଡ଼ି ଧାଡ଼ି ହୋଇ ଘର; ଅନେକ ଗୁଡ଼ିଏ ପଡ଼ା ରହିଛି । ରହିବା ଘରକୁ ଛାଡ଼ି ଦୋକାନ, ବଜାର, ଅଫିସ, ଡାକ୍ତରଖାନା, ସ୍କୁଲ ଘର, ଖେଳଘର ଏପରି ଅନେକ ରହିଛି । ପୃଥିବୀର ନାନା ଜାତିର ଲୋକ ଏଠି ଥାନ୍ତି; ସାହେବ, ଆମେରିକାନ୍, ପଞ୍ଜାବୀ, ଓଡ଼ିଆ, ନେପାଳୀ, ମାନ୍ଦ୍ରାଜୀ, ଏହିପରି ଅନେକ ଜାତି । କ୍ରମେ ଟାଟା କମ୍ପାନୀ ଅଧିକ ଅଧିକ ଭାରତୀୟ ଲୋକ ନିଯୁକ୍ତ କରୁଛନ୍ତି; କିନ୍ତୁ ବିଶେଷଜ୍ଞ ଉଚ୍ଚ କର୍ମଚାରୀମାନଙ୍କ ଭିତରୁ ଅଧିକାଂଶ ଆମେରିକାନ୍ ।

ସହରଠାରୁ କିଛି ଦୂରରେ ଟାଟା ଲୁହା କାରଖାନା । ଏଠି ମଧ୍ୟ ଗୋଟିଏ ସହର । ଲୁହା ତିଆରି ପାଇଁ ବିରାଟ ବିରାଟ ଚୁଲି ଉପରୁ ଆକାଶି ଚିମିଣିମାନଙ୍କରୁ ଭସ୍ ଭସ୍ ଧୂଅାଁ ବାହାରି ଆକାଶକୁ ଢାଙ୍କି ଦେଉଛି । ଏ ଚୁଲିକୁ ‘ବ୍ଲାଷ୍ଟ ଫର୍ଣ୍ଣେଶ୍’ କହନ୍ତି । ଏଥିରେ ଲୁହାମାଟି, ଗେଙ୍ଗୁଟି ଓ କୋଇଲା ଦିଆହୋଇ ତତା ହୁଏ । ତାତିରେ ଲୁହାମାଟିରୁ ଲୁହା ତରଳି ବାହାରି ପଡେ଼ । ଏ ତରଳା ଲୁହାକୁ ଗୋଟିଏ ସ୍ଥାନରେ ତଳେ ଢାଳି ଦିଅନ୍ତି । ଏ ଲୁହା ଏତେ ତାତିଥାଏ ଯେ, ଏଥିରୁ ଯେଉଁ ବିରାଟ ନିଅାଁ ହୁଳା ଆଲୁଅ ବାହାରେ, ତାହା ରାତିରେ ତିନି ମାଇଲ୍ ଦୂରକୁ ସୁଦ୍ଧା ଦିଶେ । କମ୍ପାନୀଙ୍କର ପାଞ୍ଚଟି ବ୍ଲାଷ୍ଟ ଫର୍ନେଶ୍ ଅଛି ।

ଚାରିଆଡେ଼ ଖାଲି କଳକବଜା ଜିନିଷ ବୋଝାଇ ହୋଇ ରେଳଗାଡ଼ି ଡବାସବୁ ଝଣ ଝଣ୍ ହୋଇ ଚାଲିଛି । କାରଖାନାର ଯନ୍ତ୍ର ଚାଲିବା ଶବ୍ଦରେ ଆକାଶ କମ୍ପିଯାଉଛି । ଲୁହା ଆଉଟା ଆଉଟି ହେଉଥିବାରୁ ଅତିଶୟ ତାତିଥାଏ; ଏ ନିଅାଁ ଆଉ ନିଭେ ନାହିଁ, ଦିନରାତି କାର୍ଯ୍ୟ ଚାଲିଥାଏ । ପ୍ରତି ଆଠଘଣ୍ଟାରେ ଲୋକେ ବଦଳି ହୁଅନ୍ତି । ସଦାବେଳେ କାମ । କଳକବଜାରେ ବିଜୁଳି କାମ ଲାଗିଛି; ତେଣୁ ଟାଟା କମ୍ପାନୀଙ୍କର ଦୁଇଟି ବଡ଼ ବଡ଼ ବିଜୁଳି କାରଖାନା । 

ଏଠି ଇସ୍ପାତ ତିଆରି ହୁଏ । ଯେଉଁ ଚୁଲିରେ ଇସ୍ପାତ ତିଆରି ହୁଏ, ସେଥିରେ ଢଳା ଲୁହା ଅଜଡ଼ା ହୁଏ । କପି କଳ ଲଗାଇ ବଡ଼ ବଡ଼ ବାଲଟିରେ ତରଳ ଢଳା ଲୁହାକୁ ଉପରକୁ ଉଠାଇ ଚୁଲିରେ ଢାଳନ୍ତି । ଯଦି ବାଲଟି ଛିଣ୍ଡିବା ତଳେ ଠିଆ ହୋଇଥିବା ଲୋକେ ପୋଡ଼ିହୋଇ ମରିଯିବେ । କଳକବଜାର କାରଖାନାରେ ଅସାବଧାନ ହେଲେ ପଦେ ପଦେ ମରଣ । ତାହାଛଡ଼ା ଦୈବ ଦୁର୍ଘଟଣା ତ ଅଛି । ଲୋକଙ୍କୁ ସାବଧାନ ହୋଇ କାର୍ଯ୍ୟ କରିବାକୁ ଉପଦେଶ ଦିଆହୋଇ ଚାରିଆଡେ଼ ଲେଖା ହୋଇଛି । କଳ କବଜା ଦ୍ୱାରା ସବୁ ହୁଏ, କେବଳ କଳ ଚଳାଇବା କଥା । ପ୍ରତ୍ୟେକ ଲୋକ ନିଜ ସ୍ଥାନରେ ରହି ନିଜର କାର୍ଯ୍ୟଟି କରିଦିଏ । ଏଥିରେ ଟିକିଏ ସମୟ ଡେରି ହୋଇଗଲେ ବା ଅସାବଧାନ ହେଲେ ନିଜର ଓ ଅନ୍ୟାନ୍ୟଙ୍କର ବିପଦ ।

ନାନା ପ୍ରକାର ଲୁହା ଓ ଲୁହାର ଜିନିଷ, କଡ଼ି, ବର୍ଗା, ଲୁହା ନଳ, ମାଲଗାଡ଼ିର ଡବା ପ୍ରଭୃତି ଅନେକ ପ୍ରକାର ଜିନିଷ ଏଠି ଆପେ ଆପେ ଯନ୍ତ୍ରରେ ତିଆରି ହୁଏ । ଲୁହା ତିଆରି କାର୍ଯ୍ୟରେ ଅନେକ ପଦାର୍ଥ ବ୍ୟବହୃତ ହୁଏ । ଲୁହା ବାହାରିଗଲେ ଚୁଲିରେ ଯେଉଁ ଖଦିରା ବା ସ୍ଲାଗ୍ ରହେ, ତାହାକୁ ଗୋଟିଏ ପୋଖରୀ ଭିତରେ ଗଡ଼ାଇ ପକାନ୍ତି । ତହିଁରୁ ସୁଦ୍ଧା ଅନେକ ପ୍ରକାର ପଦାର୍ଥ ତିଆରି ହୁଏ । ଲୁହା କାରଖାନାର ଏହା ମଧ୍ୟ ଗୋଟିଏ ବିଶେଷତ୍ୱ ଯେ, ଏଠି ଆନୁସଙ୍ଗିକ ପଦାର୍ଥ ସୁଦ୍ଧା କାମ ଦିଏ । ଧୂଅାଁକୁ ଅନେକ ସମୟରେ ଉପରକୁ ଛାଡ଼ି ନଦେଇ ତାଉ ଦେବାକୁ ବ୍ୟବହାର କରନ୍ତି । ନାନାପ୍ରକାର ଦ୍ରାବ ଓ ସାର ଲୁହା କାରଖାନାର ଆନୁସଙ୍ଗିକ ଉତ୍ପାଦନ ।

ଏତେ ବଡ଼ ଟାଟାନଗର ସହର ଯାହାଙ୍କ ନାମ ଅନୁସାରେ ହୋଇଛି, ସେ ହେଉଛନ୍ତି ପରଲୋକଗତ ଜାମସେଦଜି ନସେରୱନଜି ଟାଟା । ସେ ବମ୍ବେଇର ଜଣେ ପାର୍ସି କ୍ରୋଡ଼ପତି । ଯାହାଙ୍କର ଜନ୍ମ ହୋଇଥିଲା ଭାରତର ଶିଳ୍ପର ଉନ୍ନତି କରିବା ପାଇଁ । ବମ୍ବେଇରେ ବିରାଟ ପୃଥିବୀବିଖ୍ୟାତ ତାଜମହଲ ହୋଟେଲ, ଜଳ-ବିଦ୍ୟୁତ କାରଖାନା, ଅନେକ କପା-କଳ ଓ ଟାଟା ଲୁହା-କାରଖାନା ଜାମସେଦଜି ଟାଟା ଗଢ଼ିଥିଲେ । 

ଏତେ ବଡ଼ ଲୁହା କାରଖାନା ଚାଲିଛି, ଆମରି ଗରିବ ଓଡ଼ିଶା ଦେଶର ସମ୍ପତ୍ତିରେ, ଯଦିଚ ଟାଟା ଓଡ଼ିଶା ପାଇଁ କିଛି କରିନାହାନ୍ତି । ଯେଉଁଠି ଟାଟା କାରଖାନା ବସିଛି, ସେ ସ୍ଥାନ ଓଡ଼ିଶା ବିଚ୍ଛିନ୍ନ ଅଞ୍ଚଳ ସିଂହଭୂମି । ଏ କାରଖାନାକୁ ଲୁହାମାଟି ଯୋଗାଉଛି, ମୟୂରଭଞ୍ଜର ଗୋରୁମହିଷାଣି ପାହାଡ଼ ଓ ବାଦାମ ପାହାଡ଼ । ଟାଟାନଗରରୁ, ଏଠାକୁ ରେଳ ଲାଇନ୍ ଯାଇଛି । ଲୁହା ମାଟି ଆଣିବା ପାଇଁ ପାହାଡ଼ ଉପରକୁ ଅନେକ ରେଳ ଲାଇନ୍ ବଙ୍କେଇ ବଙ୍କେଇ ଯାଇଛି । ଉପରେ କୁଲିମାନେ ଲାଗି ବିରାଟ ବିରାଟ ଲୁହା ପଥରକୁ ଭାଙ୍ଗି ଗୁଣ୍ଡା କରୁଛନ୍ତି । ତା’ପରେ ମାଲଗାଡ଼ି ବୋଝାଇ ହୋଇ ତଳକୁ ଘଡ଼ ଘଡ଼ କରି ଗଡ଼ିଆସୁଛି । କୋଡ଼ିଏ ବର୍ଷ ପରେ ଏ ଲୁହାଖଣି ସରିଯିବ, ତା’ପରେ ଟାଟା କାରଖାନା କେନ୍ଦୁଝରରୁ ଲୁହା ଆଣିବେ । ସେଠି ପୃଥିବୀର ସବୁଠାରୁ ବଡ଼ ଲୁହାଖଣି ଅଛି ବୋଲି ବିଶାରଦମାନେ କହନ୍ତି । ଆମ ଗଡ଼ଜାତମାନଙ୍କରେ ଏତେ ସମ୍ପତ୍ତି ରହିଛି, ତହିଁରେ ଅନ୍ୟଲୋକେ କ୍ରୋଡ଼ପତି ହେଉଛନ୍ତି, କିନ୍ତୁ ଆମେ ଯେଉଁ ଗରିବକୁ ସେହି ଗରିବ ।

ଉତ୍ସ - ୨୦୧୪ ମସିହାର ପୂଜା ସଂଖ୍ୟା ମଲ୍ଲିକା । ଅତିଥି ସମ୍ପାଦନା - କମଳାକାନ୍ତ ମହାପାତ୍ର ।

No comments:

Post a Comment