ଇଣ୍ଟର୍ନେଟ୍ ଓ ବଳଦଗାଡ଼ି ବିରୁଦ୍ଧରେ ଏକ ଘୋଷଣାପତ୍ର - ୧୨
କିଶନ ପଟ୍ଟନାୟକ
କପିରାଇଟ - ବାଣିମଞ୍ଜରୀ ଦାସ
ସ୍ଥାପତ୍ୟ - ଇଣ୍ଟର୍ନେଟ ମେସେଞ୍ଜର (ହୋଲନ, ଇସ୍ରାଏଲ) କଳାକାର - ବକି ଶ୍ୱାର୍ତ୍ଜ୍ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଆଧୁନିକ
ପ୍ରଯୁକ୍ତିବିଦ୍ୟାକୁ ପ୍ରତ୍ୟାଖ୍ୟାନ
କରିବା ଉଦ୍ଦେଶ୍ୟ ନୁହେଁ ଯେ ସବୁ
ଆଧୁନିକ ଯନ୍ତ୍ରକୁ ଫିଙ୍ଗିଦେବା
ବା ଧ୍ୱଂସ କରିଦେବା । କେହି ଏହା
କରିପାରିବେ ନାହିଁ । ଆଧୁନିକ
ପ୍ରଯୁକ୍ତିବିଦ୍ୟାର ଦର୍ଶନ ଓ
ପଦ୍ଧତି ହେଉଛି ଭୁଲ । ସବୁଠାରୁ
ମାରାତ୍ମକ ଭୁଲ ହେଉଛି କେନ୍ଦ୍ରୀକରଣ
ବା ଏକତ୍ରିକରଣର ପଦ୍ଧତି । ଯେଉଁ
ପ୍ରଯୁକ୍ତିବିଦ୍ୟାଗୁଡ଼ିକ
ଅନିବାର୍ଯ୍ୟ ଭାବରେ କେନ୍ଦ୍ରିକରଣ
ଓ ଧ୍ୱଂସ ଅଭିମୁଖୀ ସେଗୁଡ଼ିକୁ
ସମ୍ପୂର୍ଣ୍ଣ ତ୍ୟାଗ କରିବାକୁ
ପଡ଼ିପାରେ । ଭୋଗ ବିଳାସର
ପ୍ରଯୁକ୍ତିବିଦ୍ୟାକୁ ମଧ୍ୟ
ସମ୍ପୂର୍ଣ୍ଣଭାବେ ତ୍ୟାଗ କରିବା
ଉଚିତ । ଅନ୍ୟାନ୍ୟ ଯନ୍ତ୍ରଗୁଡ଼ିକର
କେବଳ ଆଭିମୁଖ୍ୟ ବଦଳାଇବାକୁ ହେବ
।
ଗୋଟିଏ ଯୁଗର ଜ୍ଞାନ,
ବିଜ୍ଞାନ
କିମ୍ବା ପ୍ରଯୁକ୍ତିବିଦ୍ୟା
ପୂର୍ବ ଯୁଗର ସବୁ ଜ୍ଞାନ,
ସବୁ
ବିଜ୍ଞାନ ଓ ସବୁ ପ୍ରଯୁକ୍ତିକୁ
ସମାପ୍ତ କରିଦିଏ ନାହିଁ । ଏବେ
ମଧ୍ୟ ଆମେ ଅଗ୍ନି,
ଚକ୍ର
ଓ କୃଷିର ବ୍ୟବହାର କରୁଛୁ । ଏଗୁଡ଼ିକ
ହେଉଛି ପ୍ରାଚୀନତମ ପ୍ରଯୁକ୍ତିବିଦ୍ୟା
। ତେଣୁ ଆମେ ଯଦି ଏକ ବିକଳ୍ପ
ପ୍ରଯୁକ୍ତିବିଦ୍ୟାର ଯୁଗ ପ୍ରବର୍ତ୍ତନ
କରିବାକୁ ଚାହୁଁଛୁ,
ତାହା ହେଲେ
ପ୍ରଚଳିତ ଯନ୍ତ୍ରଗୁଡ଼ିକରୁ କେତେ
ଗୁଡ଼ିଏ ଯନ୍ତ୍ରକୁ ଭବିଷ୍ୟତ
ପାଇଁ ବାଛି ନେଇପାରିବା । କେଉଁ
ଯନ୍ତ୍ରକୁ ବାଛିବା,
କାହାକୁ
ଛାଡ଼ିବା,
ଏଥିପାଇଁ
ଆମେ ଗୋଟିଏ ଆୟୋଗ ଗଠନ କରିବା ।
ଏହା ହେଉଛି ଏକବିଂଶ ଶତାବ୍ଦୀର
ଏଜେଣ୍ଡା-କାର୍ଯ୍ୟସୂଚୀ
ଘୋଷଣା ।
‘ଇଣ୍ଟର୍ନେଟ’
ଓ ବୈଶ୍ୱିକ ସହର (ଗ୍ଲୋବାଲ୍
ଭିଲେଜ୍) କୁ
କେନ୍ଦ୍ର କରି ଏକବିଂଶ ଶତାବ୍ଦୀର
ଯେଉଁ ବୈଜ୍ଞାନିକ ଚିତ୍ର ପ୍ରସ୍ତୁତ
କରାଯାଉଛି,
ତାହା
ଏକ ଭୟାବହ କଳ୍ପନା । ଜ୍ଞାନ ଓ
ସୂଚନାର ବିବିଧତା ନଷ୍ଟ କରିବ
ଇଣ୍ଟର୍ନେଟ । ଯେପରି ଭାବରେ ସାଧାରଣ
ଗାଣିତିକ ବୁଦ୍ଧିକୁ ଚପେଇ ଦେଇ
୨୦୦୦ ମସିହାକୁ ଏକବିଂଶ ଶତାବ୍ଦୀ
ବୋଲି ପ୍ରଚାରିତ କରାଯାଉଛି,
ସେହିପରି
ଭାବରେ ଭାଷା ଉପରେ ଧର୍ଷଣ କରି
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ
ଏକା ଅଙ୍କରେ ବ୍ୟବହାର କରି ମଣିଷ
ଉପରେ ଅନାବଶ୍ୟକ ସୂଚନା ବର୍ଷଣ
କରିବାର ପ୍ରଯୁକ୍ତିବିଦ୍ୟା
ପ୍ରସ୍ତୁତ ହେଉଛି । ଏହାର ପରିଣତି
ଇଣ୍ଟର୍ନେଟ ଓ ବୈଶ୍ୱିକ ସହର ।
ଇଂରାଜୀରେ ଏହାକୁ ‘ଗ୍ରାମ’ କହିବା
ମଧ୍ୟ ଏକ ଧର୍ଷଣ । ସୂଚନା ଓ ପରିବହନର ସଘନ ବ୍ୟବହାର ଏପରି
ଭାବରେ ହେବ ଯେ କମ୍ପ୍ୟୁଟରର
ଅଧିକତମ ବ୍ୟବହାର କରିପାରୁଥିବା
ଲୋକମାନେ ଆଉ ଭୌଗୋଳିକ ପଥଗୁଡ଼ିକର
ବ୍ୟବହାର କରିବେ ନାହିଁ । ସେମାନଙ୍କର
ଯାତାୟାତ କମିଯିବ,
ଯାହା
ଯାତ୍ରା ହେବ ତାହା ଅତି ତୀବ୍ର
ଗତିର ହେବ । ବିକାକିଣା,
ଆଲୋଚନା,
ମନୋରଞ୍ଜନ,
ସାହିତ୍ୟ,
କଳା
ସବୁକିଛି କାର୍ଯ୍ୟ ଇଲେକଟ୍ରୋନିକ ମାର୍ଗରେ କରିହେବ । ଏହି ବିଶେଷ
ସୁବିଧାଯୁକ୍ତ ଲୋକଙ୍କର ଏକ ଅଲଗା
ସଂସାର ହେବ । ଆଧୁନିକ ପ୍ରଯୁକ୍ତିବିଦ୍ୟା
ଏପରି ଏକ ‘ସ୍ୱର୍ଗ’ ନିର୍ମାଣ
କାର୍ଯ୍ୟରେ ଲାଗିଛି । ଏକପାଖିଆ,
ଆଂଶିକ
ଓ ବିବିଧତାବିହୀନ ଗଦା ଗଦା ସୂଚନାକୁ
ଆଧାର କରି ଯେତେବେଳେ ବିଶ୍ୱ-ବ୍ୟବସ୍ଥାକୁ
ପରିଚାଳିତ କରାଯିବ,
ତାହାର
ପରିଣାମ ଭୟାବହ ହୋଇପାରେ ।
ମାନଚିତ୍ରର
ଅନ୍ୟପାଖ ହେଉଛି ଯେ ବିଦ୍ରୋହୀ
ବୈଜ୍ଞାନିକମାନଙ୍କର ଅନେକ ଗୋଷ୍ଠି କାର୍ଯ୍ୟରତ ଅଛନ୍ତି । ସେମାନେ
ଆମର ସବୁ ସମାଲୋଚନା ସାଙ୍ଗରେ
ସହମତ ହୋଇ ନପାରନ୍ତି । କିନ୍ତୁ
ରାଷ୍ଟ୍ରର କ୍ଷମତା ଓ ଅର୍ଥ କ୍ଷମତାର
ପରିସର ବାହାରେ ସେମାନେ ବିଜ୍ଞାନକୁ
ମାନବତା ସାଙ୍ଗରେ, ଅର୍ଥାତ ସାଧାରଣ
ମଣିଷ ସାଙ୍ଗରେ ଯୋଡ଼ିବା ପାଇଁ
ନାନାବିଧ କଳ୍ପନା,
ପ୍ରୟୋଗ ଓ ଅଧ୍ୟୟନ କରୁଛନ୍ତି । ଏକ
କ୍ଷୀଣ ଧାର ହେଲେ ମଧ୍ୟ ଏହା ଏକ
ସମାନ୍ତରାଳ ଧାରା ।
ଆଗାମୀ
ଶତାବ୍ଦୀ ନିର୍ଣ୍ଣାୟକ ହୋଇପାରେ
। ଖଣିଜ ପଦାର୍ଥ ଭଳି ଅନେକ ରକମର
ପ୍ରାକୃତିକ ସମ୍ପଦକୁ ନିଃଶେଷ
କରିଦେବା ପରେ ନୂଆ ନୂଆ ଚରାଭୂଇଁ
ଯଦି ହସ୍ତଗତ ନହେଲା,
ତାହା ହେଲେ
ପ୍ରଯୁକ୍ତିବିଦ୍ୟା ପାଇଁ ଏକ
ସଙ୍କଟର ସମୟ ଆସିବ । କିମ୍ବା
ପୃଥିବୀର ଜନବହୁଳ ଦେଶମାନେ
ପ୍ରଚଳିତ ପ୍ରଯୁକ୍ତିବିଦ୍ୟାର
ବ୍ୟର୍ଥତାକୁ ଅନୁଭବ କରି ଏକ
ସମାନ୍ତରାଳ ବିଜ୍ଞାନର ଧାରା
ବିକଶିତ କରିବା ପାଇଁ ଏକାଠି ହୋଇ ଅଣ୍ଟାଭିଡ଼ି ବାହାରିବେ । ଏହାହିଁ
ବିଶ୍ୱାସ ।
No comments:
Post a Comment