Wednesday, October 05, 2016

ବଡ଼ମୁଳର କାହାଣୀ



ପୁଷ୍ପାଞ୍ଜଳି ଶତପଥି ଓ ସାଥୀ


ବ୍ରାହ୍ମଣୀ ଓ ମହାନଦୀର ରେଖାଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ବଡ଼ମୂଳ ଅନୁଗୁଳ ଜିଲ୍ଲାର ଗୋଟିଏ ଗାଁ । ଏଥିର ଅଧିବାସୀମାନେ ଡେରେଜଙ୍ଗ ଜଳଭଣ୍ଡାରର ବୁଡ଼ି ଅଞ୍ଚଳର ଲୋକେ । ୧୯୬୦ ମସିହାରେ ଡେରେଜଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ମାଥିଲି ଓ ଲିଙ୍ଗରା ନଦୀ ଦୁଇଟି ଉପରେ ଆରମ୍ଭ ହେଲା । ଏହି ନଦୀ ଦୁଇଟି ଡେରେଜଙ୍ଗ ପ୍ରକଳ୍ପର ତଳମୁଣ୍ଡକୁ ଆଉ କିଛି ବାଟ ପରେ ସମ୍ମିଳିତ ହୁଅନ୍ତି ତଥା କିଛି ଦୂର ପରେ ବ୍ରାହ୍ମଣୀର ଦକ୍ଷିଣ ଦିଗର ଶାଖା ନଦୀ ଭାବରେ ଯୋଗ ଦିଅନ୍ତି । ଡେରେଜଙ୍ଗ ସ୍ୱାଧିନତା ପରବର୍ତ୍ତୀ ସମୟର ପ୍ରଥମ ମଧ୍ୟମ ଜଳସେଚନ ଯୋଜନା ଅଟେ । ପ୍ରକଳ୍ପର କାମ ୧୯୭୭-୭୮ ମସିହାରେ ପୂର୍ଣ୍ଣ ହେଲା । ଏହି ଜଳସେଚନ ପ୍ରକଳ୍ପ ଦ୍ୱାରା ଖରିଫ୍ ୠତୁରେ ୭୯୦୦ ହେକ୍ଟାର୍ ରୁ ଉର୍ଦ୍ଧ୍ୱ ତଥା ରବି ୠତୁରେ ୨୦୦ ହେକ୍ଟାର୍ ପାଖାପାଖି ଚାଷ ଜମି ଜଳସେଚିତ ହେଉଅଛି । ଅନୁଗୁଳ ସହର ପାଖରେ, ନଗର ଠାରୁ ମାତ୍ର ସାତ କିଲୋମିଟର ଦୂରରେ, ଅବସ୍ଥିତ ହୋଇଥିବାରୁ ଏହି ଜଳସେଚନ ପ୍ରକଳ୍ପର ଜଳଭଣ୍ଡାରଟି ଗୋଟିଏ ପର୍ଯ୍ୟଟନ ସ୍ଥଳ ଭାବରେ ମଧ୍ୟ ନଗରବାସୀମାନଙ୍କ ଦ୍ୱାରା ବ୍ୟବହୃତ ହେଉଛି ।

ମାତ୍ର ଏହି ପ୍ରକଳ୍ପ ଯୋଗୁଁ ଯେଉଁମାନେ ଜମି ହରାଇଲେ, ଉଦ୍ବାସ୍ତୁ ହେଲେ, ସେମାନେ ପ୍ରକଳ୍ପ ଶେଷ ହେବାର ଚାଳିଶି ବରଷ ପରେ ମଧ୍ୟ ଯେଉଁ ତିମିରେ କୁ ସେଇ ତିମିରେ । ବଡମୂଳ ଗାଁ ଓ ତାହାର ଅଧିବାସୀମାନେ ଏହାର ଏକ ପ୍ରକୃଷ୍ଟ ଉଦାହରଣ ଅଟନ୍ତି । ପ୍ରକଳ୍ପର କାମ ଜୋର ଧରିବା ପରେ ୧୯୬୮ ମସିହାରେ ଡେରେଜଙ୍ଗ, ପୋଡ଼ାଖମନ ଓ ମାଧିଆମୁଣ୍ଡା, ଏହି ତିନୋଟି ଗାଁକୁ ପ୍ରକଳ୍ପ ପ୍ରଭାବିତ ଭାବରେ ଘୋଷଣା କରାଗଲା । ଏହି ତିନୋଟି ଗାଁ ପ୍ରସ୍ତାବିତ ଜଳଭଣ୍ଡାର ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଜଳମଗ୍ନ ହେବ ବୋଲି ଜଣାପଡିଲା । ଏହି ତିନୋଟି ଗାଁକୁ ବିସ୍ଥାପିତ କରିବା ପାଇଁ ନୋଟିସ୍ ଜାରି କରାଗଲା । ପୋଡ଼ାଖମନ ଓ ମାଧିଆମୁଣ୍ଡା ଗାଁ ଦୁଇଟିର ବିସ୍ଥାପିତ ଲୋକମାନଙ୍କୁ ଆଖପାଖର ରାଜସ୍ୱ ଜମିରେ ଥଇଥାନ କରାଗଲା । ହେଲେ ପାଖରେ ଉପଯୁକ୍ତ ଜମିର ଅଭାବରୁ ଡେରେଜଙ୍ଗ ଗାଁର ଲୋକଙ୍କୁ ସିମିଳିପଥର ସଂରକ୍ଷିତ ଜଙ୍ଗଲର ଦୁର୍ଗାପୁର ରେଞ୍ଜ୍ ରେ ପୁନର୍ବାସିତ କରିବା ପାଇଁ ନିଷ୍ପତ୍ତି ନିଆଗଲା । ଯେହେତୁ ୧୯୮୦ ମସିହାର ଜଙ୍ଗଲ ସଂରକ୍ଷଣ ଆଇନି ସେ ସମୟ ପର୍ଯ୍ୟନ୍ତ ଲାଗୁ ହୋଇନଥିଲା, ତତ୍କାଳିନ ଉପମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପବିତ୍ରମୋହନ ପ୍ରଧାନଙ୍କର ନେତୃତ୍ତ୍ୱରେ ଜଙ୍ଗଲ ଜମି ସଫା କରି ଏହି ଲୋକଙ୍କୁ ବାସସ୍ଥାନ ଯୋଗାଇ ଦେବା ପାଇଁ ସରକାର ତରଫରୁ ପଦକ୍ଷେପ ନିଆଗଲା ।

ଡେରେଜଙ୍ଗ ଗ୍ରାମରୁ ବିସ୍ଥାପିତ ୧୫୩ଟି ଅଣ-ତଫସିଲଭୁକ୍ତ ପରିବାରଙ୍କର ବସ୍ତି ବର୍ତ୍ତମାନର ବଡ଼ମୂଳ ଗାଁର ରୂପ ନେଇଅଛି । ଗାଁଟି ସଦରମହକୁମା ଅନୁଗୁଳଠାରୁ ପାଖାପାଖି ତିରିଶ କିଲୋମିଟର ଦୂରରେ ଅବସ୍ଥିତ । ଏହି ଗାଁଟି ଏବେ ମଧ୍ୟ ବହୁତ ପଛୁଆ । ଗାଁକୁ ପଡ଼ିଥିବା ଗମନାଗମନ ପାଇଁ ରାସ୍ତାଟି ଏ ପର୍ଯ୍ୟନ୍ତ ପକ୍କା ହୋଇପାରିନାହିଁ । ଗାଁର ବିଦ୍ୟାଳୟଟିରେ ମାତ୍ର ଅଷ୍ଟମ ପର୍ଯ୍ୟନ୍ତ ପଢ଼ିବାର ବ୍ୟବସ୍ଥା ଅଛି । ଗାଁରେ ସାପକାମୁଡ଼ା ଯୋଗୁଁ ଅନେକ ଲୋକ ମୃତ୍ୟୁବରଣ କରନ୍ତି । କେବଳ ୧୯୭୮ ମସିହାରେ ଗୋଟିଏ ବରଷରେ ୧୫ ଜଣ ଲୋକ ସାପକାମୁଡ଼ାରେ ମରିଥିଲେ । ଗାଁରେ ପିଇବା ପାଣିର ବିଶେଷ ସୁବିଧା ନାହିଁ । ଏହିସବୁ କାରଣ ଯୋଗୁଁ ଏହାମଧ୍ୟରେ ପାଖାପାଖି ୧୦୦ ଜଣ ଲୋକେ ଗାଁରୁ ଅନ୍ୟତ୍ର ଚାଲିଯାଇଅଛନ୍ତି । ଏବେ ବଡମୂଳ ଗାଁରେ ପଞ୍ଚାଅଶୀଟି ପରିବାର ବସବାସ କରୁଛନ୍ତି । ଗାଁଟିର ସମୁଦାୟ ଜନସଂଖ୍ୟା ଚାରିଶହରୁ ଉର୍ଦ୍ଧ୍ୱରେ । ଗାଁଟିର ଅଧିକାଂଶ ଲୋକ ଦିନମଜୁରିଆ ଭାବରେ ନହେଲେ ଚାଷବାସ କରି ଜୀବିକାନିର୍ବାହ କରନ୍ତି । ସରକାରୀ ସୂତ୍ରରୁ ଜଣାପଡ଼େ ଯେ ଗାଁର ଲୋକଙ୍କୁ ଚାଷ ପାଇଁ ୨୪୭.୦୫ ହେକ୍ଟାର୍ ଜମି ତଥା ଘରବାଡ଼ି ପାଇଁ ୧୨୫.୨୮୩ ହେକ୍ଟାର୍ ଜମି ଯୋଗାଇ ଦିଆଯ।ଇଛି । ସଂରକ୍ଷିତ ଜଙ୍ଗଲ ଭିତରେ ଅବସ୍ଥିତ ହୋଇଥିବାରୁ ଏହି ଜମିର ମାଲିକାନା ଏ ପର୍ଯ୍ୟନ୍ତ ନିୟମିତୀକରଣ ହୋଇନାହିଁ । ଜମିର ମାଲିକାନା ଏ ପର୍ଯ୍ୟନ୍ତ ଲୋକଙ୍କ ନାଁରେ ହୋଇନଥିବାରୁ ଲୋକେ ଅନେକ ଅସୁବିଧା ଭୋଗୁଛନ୍ତି । ଦୁଇ ପୁରୁଷ ଧରି ଭୋଗଦଖଲ କରିସାରିଲା ପରେ ମଧ୍ୟ ଦେଶର ତଥାକଥିତ ବିକାଶ ପାଇଁ ଭିଟାମାଟି ହରାଇଥିବା ଲୋକେ ଏ ପର୍ଯନ୍ତ ନିଜର ଭୁମ୍ୟାଧିକାରରୁ ବଞ୍ଚିତ ଅଛନ୍ତି । ଲୋକେ ରାଜସ୍ୱ ବିଭାଗକୁ ଚିଠି ଲେଖିଲେଖି ଓ ବିଭାଗୀୟ କର୍ମକର୍ତ୍ତାଙ୍କୁ ଭେଟିଭେଟି ଥକି ଗଲେଣି ।

ଜମି ଉପରେ ଅଧିକାର ସାବ୍ୟସ୍ତ କରିବା ପାଇଁ ଓ ନିଜର ଅଧିକାରର ନିୟମିତୀକରଣ ପାଇଁ ଲୋକେ ଅନେକ ବର୍ଷ ହେଲାଣି ଉଦ୍ୟମ ଜାରି ରଖିଛନ୍ତି । ୧୯୭୭ ମସିହାରେ ବଡ଼ମୂଳର ଗ୍ରାମବାସୀମାନେ ମୂଖ୍ୟମନ୍ତ୍ରୀ, ଉଚ୍ଚ ନ୍ୟାୟାଳୟର ମୂଖ୍ୟ ବିଚାରପତି, ରାଜସ୍ୱମନ୍ତ୍ରୀ, ଅନୁଗୁଳର ଜିଲ୍ଲା ଜଙ୍ଗଲ ଅଧିକାରୀ, ତଥା ତହସିଲଦାରଙ୍କୁ ଭେଟି ଏ ବିଷୟରେ ଜ୍ଞାପନ ପ୍ରଦାନ କରିଛନ୍ତି । ମାତ୍ର ଏହା ଫଳରେ ସମସ୍ୟା ସମାଧାନ ହେବା ଦିଗରେ କିଛି ଅଗ୍ରଗତି ହେଲା ନାହିଁ । ୨୦୦୮ ମସିହାରେ ତହସିଲଦାରଙ୍କ ଦ୍ୱାରା ଗ୍ରାମବାସୀଙ୍କୁ ଜଣାଇଦିଆଗଲା ଯେ ଉକ୍ତ ଭୂମି ଜଙ୍ଗଲ ଜମି ହୋଇଥିବାରୁ ଜଙ୍ଗଲ ସଂରକ୍ଷଣ ଆଇନିର ପ୍ରାବଧାନଗୁଡ଼ିକ ଯୋଗୁଁ ଏହି ଜମିର ନିୟମିତୀକରଣ ହୋଇପାରିବ ନାହିଁ । ଯେହେତୁ ଜଙ୍ଗଲ ସଂରକ୍ଷଣ ଆଇନି ୧୯୮୦ ମସିହାରେ ଲାଗୁ ହେଲା, ଏହିସବୁ ଘଟଣାକୁ ଦେଖି ଏହା କୁହାଯାଇପାରେ ଯେ ଯଦି ଜିଲ୍ଲା ପ୍ରଶାସନ ଲୋକାଭିମୁଖୀ ହୋଇଥାଆନ୍ତା ତାହାହେଲେ ୧୯୬୦ ଓ ୧୯୭୦ ଦଶକରେ ହିଁ ଏହି ବିସ୍ଥାପିତ ଲୋକଙ୍କର ଭୂମ୍ୟାଧିକାରର ନିୟମିତୀକରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଉଠାଇପାରିଥାଆନ୍ତା । କାରଣ ସେହି ଦଶକଗୁଡ଼ିକରେ ଜଙ୍ଗଲ ସଂରକ୍ଷଣ ଆଇନିର ପ୍ରାବଧାନଗୁଡିକର କଟକଣା ନଥିଲା, ଯେହେତୁ ଆଇନି ସେ ପର୍ଯ୍ୟନ୍ତ ଲାଗୁ ହୋଇ ନ ଥିଲା ।


ଓଡ଼ିଶା ସରକାରଙ୍କର ଜଙ୍ଗଲ ବିଭାଗର ସଚିବ ୨୦..୨୦୦୭ ରେ ଅନୁଗୁଳ ଜିଲ୍ଲାପାଳଙ୍କୁ ଲିଖିତ ଏକ ଚିଠିରେ ଏହା ଦର୍ଶାଇଥିଲେ ଯେ ୨୩୦.୯୮୭୪ ହେକ୍ଟାର୍ ଜଙ୍ଗଲ ଜମି ବଡ଼ମୂଳର ଗ୍ରାମବାସୀମାନଙ୍କର ଭୂମ୍ୟାଧିକାରର ନିୟମିତୀକରଣ ପାଇଁ ପ୍ରଥମ ସ୍ତରୀୟ ଭାବରେ ନିର୍ବାଧିତ କରିଦିଆଯାଇଅଛି । ସଚିବ ଏଣୁ ଅନୁଗୁଳ ଜିଲ୍ଲାପାଳଙ୍କୁ ଏହି ଚିଠିରେ ଦ୍ୱିତୀୟ ସ୍ତରୀୟ ନିର୍ବାଧନର ପ୍ରକ୍ରିୟା ଆରମ୍ଭ କରିବା ନିମନ୍ତେ ସମପରିମାଣର ରାଜସ୍ୱ ଜମି ସ୍ଥିରିକୃତ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ରାଜ୍ୟ ପ୍ରଶାସନର ଏହା କହିବାରଥିଲା ଯେ ପ୍ରଥମ ସ୍ତରୀୟ ନିର୍ବାଧନ ପ୍ରକ୍ରିୟା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ବଡ଼ମୂଳର ନିବାସୀମାନେ ଏଥି ମଧ୍ୟରେ ୨୦୧୦-୧୧ ମସିହାରେ ଜଙ୍ଗଲ ଅଧିକାର ଆଇନି ଅନ୍ତର୍ଗତ ଉପଖଣ୍ଡ ସ୍ତରୀୟ କମିଟିରେ ମଧ୍ୟ ନିଜର ଅଧି୍କାର ସମ୍ପର୍କିତ ଦାବୀ ଉପସ୍ଥାପିତ କରିସାରିଛନ୍ତି । ଏହି ଦାବୀ ମଧ୍ୟ ଖାରଜ ହୋଇଗଲା କାରଣ ଗ୍ରାମର ନିବାସୀମାନେ ତଫସିଲଭୁକ୍ତ ଜନଗୋଷ୍ଠୀର ନୁହନ୍ତି । ଏଥି ମଧ୍ୟରେ ରାଜ୍ୟ ପ୍ରଶାସନର ରାଜସ୍ୱ ସଚିବ ମାମଲାର ତଦନ୍ତ ନିମନ୍ତେ ପଦକ୍ଷେପ ଉଠାଇଛନ୍ତି ଓ ଏକ ରିପୋଟ୍ ମଧ୍ୟ ଏହା ଉପରେ ଜାରୀ ହୋଇଛି । ଯଥା ଶୀଘ୍ର ଜିଲ୍ଲା ଓ ରାଜ୍ୟ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଇ ବଡ଼ମୂଳର ଦରିଦ୍ର ଅଧିବାସୀମାନଙ୍କୁ ନ୍ୟାୟ ଦେବା ଜରୁରୀ ଅଟେ । ନିଜର କୌଣସି ଦୋଷ ନଥାଇ ଜିଲ୍ଲା ଓ ରାଜ୍ୟ ପ୍ରଶାସନର ଭୁଲ ଯୋଗୁଁ ବଡ଼ମୂଳରେ ବାସ୍ତୁହରା ଲୋକେ ନିଜର ଜମି ଉପରେ ଅଧିକାର ପାଇପାରୁନାହାନ୍ତି । ଏହି ଅନ୍ୟାୟର ଯଥାଶୀଘ୍ର ପ୍ରତିକାର ଆବଶ୍ୟକ ।  

ବି.ଦ୍ର. ଏହି ଲେଖାଟି ଦୈନିକ ଧରିତ୍ରୀର ୧୪ ସେପ୍ଟେମ୍ବର ୨୦୧୬ ସଂଖ୍ୟାର ସମ୍ପାଦକୀୟ ପୃଷ୍ଠାରେ  ଛପା ହୋଇଥିଲା । 

No comments:

Post a Comment