Friday, October 28, 2016

ଇଣ୍ଟର୍ନେଟ୍ ଓ ବଳଦଗାଡ଼ି ବିରୁଦ୍ଧରେ ଏକ ଘୋଷଣାପତ୍ର - ୮



କିଶନ ପଟ୍ଟନାୟକ



କପିରାଇଟ - ବାଣିମଞ୍ଜରୀ ଦାସ 


ସେଣ୍ଟ ରୋଲେକ୍ସ କେମିକାଲ ୱର୍କସ ର ଚିତ୍ରର ଫଟୋ
କଳାକାର - ଡ଼ି.ଓ. ହିଲ୍ (୧୮୩୧)


ଉପରୋକ୍ତ ଦ୍ୱନ୍ଦ୍ୱର ଆଉ ଏକ ଉଦାହରଣ ହେଉଛି ପରିବେଶ ଆନ୍ଦୋଳନ । ଗତ ଦୁଇ ତିନି ଦଶକ ମଧ୍ୟରେ ପରିବେଶ ଆନ୍ଦୋଳନକାରୀମାନେ ପରିବେଶର ଧ୍ୱଂସ ପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟାକୁ ଦାୟୀ କରିଛନ୍ତି । ଆଧୁନିକ ଶିଳ୍ପ ବ୍ୟବସ୍ଥାର ସେମାନେ ଅନେକ ସମାଲୋଚନା କରିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ସେମାନେ ଏହି ପ୍ରଯୁକ୍ତିବିଦ୍ୟାର ମୁଖ୍ୟ ଧାରାକୁ ବିରୋଧ କରନ୍ତି ନାହିଁ । ଏହି ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ଶିଳ୍ପ-ବ୍ୟବସ୍ଥାର ସେମାନେ ବିରୋଧୀ ନୁହନ୍ତି । ଗୋଟିଏ ଗୋଟିଏ ନିର୍ଦ୍ଧିଷ୍ଟ କାରଖାନା ବା ଶିଳ୍ପ ଆଖପାଖର ପରିବେଶ ନଷ୍ଟ କରିବ ବୋଲି ସେମାନେ ଘୋର ପ୍ରତିବାଦ କରନ୍ତି । 

ବିଭିନ୍ନ ପରିବେଶ ଆନ୍ଦୋଳନକାରୀ ସମୂହମାନଙ୍କୁ ଯୋଡ଼ିକରି ଦେଖିଲେ ଜଣାପଡ଼ିବ ଯେ ପ୍ରଚଳିତ ଶିଳ୍ପ ବ୍ୟବସ୍ଥା ଓ ପ୍ରଯୁକ୍ତିବିଦ୍ୟାର ଧାରାକୁ ବିରୋଧ କରିବା ଦରକାର । କିନ୍ତୁ ସେମାନେ ବିକଳ୍ପ କଥା ଚିନ୍ତା କରିପାରନ୍ତି ନାହିଁ । ବିକାଶଶୀଳ ଦେଶମାନଙ୍କର ଅଧିକାଂଶ ପରିବେଶ ଆନ୍ଦୋଳନକାରୀ ସଙ୍ଗଠନ ସରକାରୀ କିମ୍ବା ବିଦେଶୀ ଅନୁଦାନ ବହୁ ପରିମାଣରେ ପାଆନ୍ତି । ସେମାନଙ୍କର ଜୀବନର ସ୍ତର ବହୁତ ଉଚ୍ଚରେ । ତେଣୁ ବୋଧହୁଏ ପ୍ରଚଳିତ ବ୍ୟବସ୍ଥାର ପ୍ରତ୍ୟକ୍ଷ ବିରୋଧ କରିବା ସେମାନଙ୍କ ପାଖରେ ସମ୍ଭବ ନୁହେଁ । 

ଦିଲ୍ଲୀର ଗୋଟିଏ ପ୍ରସିଦ୍ଧ ପରିବେଶ ଆନ୍ଦୋଳନକାରୀ ସଙ୍ଗଠନ ମୋଟରଗାଡ଼ି ଓ ଦୁଇଚକିଆ ଯାନମାନଙ୍କର ଅଧିକ ସଂଖ୍ୟା ଓ ତହିଁରୁ ନିର୍ଗତ ଧୂଳିଧୂଅାଁ ଯୋଗୁଁ ଦିଲ୍ଲୀ ସମ୍ପୂର୍ଣ୍ଣ ପ୍ରଦୂଷିତ ହେଉଛି ବୋଲି ପ୍ରଚାର ଆରମ୍ଭ କରିଥିଲେ । ଦିଲ୍ଲୀରେ ବେମାରୀ ଓ ମୃତ୍ୟୁର ସଂଖ୍ୟା ଏଥିଯୋଗୁଁ ଉଲ୍ଲେଖନୀୟ ଭାବରେ ବଢ଼ିଥିବାର ତଥ୍ୟଗତ ପ୍ରମାଣ ସେମାନେ ଖବରକାଗଜ ଓ ଟେଲିଭିଜନ ମାଧ୍ୟମରେ ପ୍ରଚାର କଲେ । ଶେଷରେ ଦିଲ୍ଲୀ ସରକାରଙ୍କୁ ବାଧ୍ୟ ହୋଇ ଆଇନ କରିବାକୁ ପଡ଼ିଲା ଯେ ପୁରୁଣା ଗାଡ଼ି ମୋଟର ସ୍କୁଟର ଆଦିକୁ ରାସ୍ତାରେ ଚାଲିବା ପାଇଁ ଅନୁମତି ଦିଆଯିବ ନାହିଁ, କାରଣ ପୁରୁଣାମାନେ ହିଁ ବେଶୀ ପ୍ରଦୂଷଣ କରନ୍ତି । କିନ୍ତୁ ପରିବେଶ ଆନ୍ଦୋଳନକାରୀମାନେ କେବେ ମଧ୍ୟ କହିଲେ ନାହିଁ ଯେ, ଦିଲ୍ଲୀରେ ଗାଡ଼ିମୋଟର ସଂଖ୍ୟାକୁ ଅଧା କିମ୍ବା ଏକ ତୃତୀୟାଂଶ ପର୍ଯ୍ୟନ୍ତ କମେଇ ଦିଆଯାଉ । 

ସବୁ ଗାଡ଼ି ପ୍ରଦୂଷଣ କରନ୍ତି । କଲିକତା, ମାନ୍ଦ୍ରାଜ ଓ ବମ୍ବେଇର ଗାଡ଼ି ସଂଖ୍ୟା ମିଶାଇଲେ ଯାହା, ଏକା ଦିଲ୍ଲୀରେ ତାଠାରୁ ବେଶୀ ଗାଡ଼ି ଚାଲିଛି । ରାସ୍ତାଗୁଡ଼ିକରେ ମଣିଷ ଚାଲିବାର ଜାଗା ନଥାଏ । ନିର୍ଦ୍ଧିଷ୍ଟ ସମୟମାନଙ୍କରେ ଏକ ବିଭତ୍ସ ଦୃଶ୍ୟ ରାସ୍ତାମାନଙ୍କରେ ଦେଖାଯାଏ । ପେଁ ପାଁ ଧଡଧଡର କୁତ୍ସିତ ରଡ଼ି ଆକାଶ ଓ ପବନକୁ କମ୍ପାଇ ଦିଏ । ଯାହାପାଖରେ ନିଜର ଶୀତତାପ ନିୟନ୍ତ୍ରିତ ନୂଆ ମୋଟର ଗାଡ଼ି ନଥାଏ ସେ ନିଜକୁ ବୋଝେଇ ମାଲର ଗୋଟିଏ ଅଂଶ ବୋଲି ଧାରଣା କରେ । ମୋଟରଗାଡ଼ିଗୁଡ଼ିକର ସଂଖ୍ୟାକୁ କମେଇଦେଲେ ପବନ କେତେ ସ୍ୱଚ୍ଛ, ରାସ୍ତା କେତେ ଖୋଲା ଓ ଆକାଶ କେତେ ସୁନ୍ଦର ଦିଶନ୍ତା । କିନ୍ତୁ ଆମ ବନ୍ଧୁମାନେ କେବଳ ପୁରୁଣା ଗାଡ଼ିମାନଙ୍କୁ ହଟେଇବା ଆନ୍ଦୋଳନ କଲେ । ମାଲିକମାନେ ନୂଆ ମୋଟରଗାଡ଼ି କିଣନ୍ତୁ । 

ଦେଶବ୍ୟାପୀ ଏହା କଦାପି ସମ୍ଭବ ନୁହେଁ । ଦିଲ୍ଲୀରୁ ପୁରୁଣା ଗାଡ଼ି କାନପୁରକୁ ଯିବ ଓ କାନପୁରର ପୁରୁଣାଗାଡ଼ି କଟକକୁ ଆସିବ । ମୋଟରଗାଡ଼ିକୁ ଉତ୍ସାହିତ କରାଯାଉଛି । ବିକାଶଶୀଳ ଦେଶମାନଙ୍କରେ ଏତେ କ୍ରୟ ଶକ୍ତି ନାହିଁ ଯେ ସମସ୍ତେ ନୂଆ ଗାଡ଼ି ବ୍ୟବହାର କରିବେ । ନୂଆ ସ୍କୁଟରଟିଏ ମଧ୍ୟ କିଣିହୁଏ ନାହିଁ । ଆଇନ କଲେ ମଧ୍ୟ କାର୍ଯ୍ୟକାରୀ ହେବ ନାହିଁ । ତେବେ ଯେଉଁମାନଙ୍କର ଆର୍ଥିକ ଅବସ୍ଥା ଭଲ ସେମାନେ ଆଇନ ଫଳରେ ପୁରୁଣା ଗାଡ଼ି ବିକ୍ରି କରିଦେବେ । ସଞ୍ଜୋଗର ଗୋଟିଏ ତ୍ରିଭୁଜ ସୃଷ୍ଟି ହେଲା । ପୁରୁଣା ଗାଡ଼ି ବନ୍ଦ କରିବା ପାଇଁ ଆଇନ ହେଲା  । 

ପଞ୍ଚମ ବେତନ ଆୟୋଗର ସୁପାରିଶ ପରେ ଦରମା ହୁ ହୁ ହୋଇ ବଢ଼ିଲା । ବିଦେଶୀ କମ୍ପାନୀମାନେ ଉଦାରୀକରଣ ନୀତିଦ୍ୱାରା ଆକୃଷ୍ଟ ହୋଇ ଭାରତରେ ଗୁଡ଼ିଏ ନୂଆ ବ୍ରାଣ୍ଡ ଓ ମଡେ଼ଲର ମୋଟରଗାଡ଼ି ଉତ୍ପାଦନ ଆରମ୍ଭ କରିସାରିଥିଲେ । ପ୍ରଫେସରମାନେ ମାରୁତି କିଣିଲେ, ଅଫିସରମାନେ ଏଷ୍ଟିମ୍ କିଣିଲେ । ଧନୀ ଲୋକମାନଙ୍କୁ ମାରୁତିରେ ଚଢ଼ିବାକୁ ଲାଜ ଲାଗିଲା । ତେଣୁ ସେମାନେ ସବୁଠୁ ଦାମିକା ଗାଡ଼ିର ବରାଦ କଲେ । ବ୍ୟଙ୍ଗାତ୍ମକ ଭାବରେ ଆମେ କହିପାରିବା ଯେ ପରିବେଶ ଆନ୍ଦୋଳନ ମୋଟରଗାଡ଼ି ଓ ସ୍କୁଟର କମ୍ପାନୀମାନଙ୍କର ବିକ୍ରି ବଢ଼ାଇଦେଲା । ସତେ ଯେପରି ଏହା ହେଉଛି ସଂସାରର ଲୀଳା । ଗୋଟିଏ ଭଲ ଉଦ୍ଦେଶ୍ୟ ଏକ ମନ୍ଦ ଉଦ୍ଦେଶ୍ୟ ସାଙ୍ଗରେ ଯୋଡ଼ି ହୋଇଯାଉଛି ।
ଉପରୋକ୍ତ ଉଦାହରଣରୁ ପରିବେଶ ଆନ୍ଦୋଳନକାରୀମାନଙ୍କର ଦୃଷ୍ଟିକୋଣ ସ୍ପଷ୍ଟ ହୋଇଯାଉଛି । ସେମାନେ ପ୍ରଚଳିତ ପ୍ରଯୁକ୍ତିବିଦ୍ୟା କିମ୍ବା ତାହା ଉପରେ ଆଧାରିତ ବିକାଶ ପ୍ରଣାଳୀକୁ ଅସ୍ୱୀକାର ନକରି ଭାବୁଛନ୍ତି ଯେ ସତର୍କତା ଅବଲମ୍ବନ କଲେ, କିମ୍ବା ଯନ୍ତ୍ରମାନଙ୍କରେ ସାମାନ୍ୟ ସୁଧାର କରିଦେଲେ ପରିବେଶ ସୁରକ୍ଷିତ ହୋଇଯିବ । ଅସଲ କଥା ସେମାନେ ପରିବେଶ ବ୍ୟତୀତ ଅନ୍ୟାନ୍ୟ ଦିଗକୁ ପରୀକ୍ଷା କରୁନାହାନ୍ତି । ଗୋଟିଏ ପଟେ ଯେଉଁ ଯନ୍ତ୍ର ପରିବେଶ ଧ୍ୱଂସ କରୁଛି, ସେହି ଯନ୍ତ୍ର ଗରିବ ଶ୍ରେଣୀର ଆର୍ଥିକ ଶୋଷଣ କରୁଛି ଓ ସେହି ଯନ୍ତ୍ର ସମାଜ ଓ ସଂସ୍କୃତିକୁ ବିଭତ୍ସ କରିପକାଉଛି ।

No comments:

Post a Comment