Thursday, October 06, 2016

ବସନ୍ତପୁରରେ ନିରୁଦ୍ଦିଷ୍ଟ ବସନ୍ତ


ପୁଷ୍ପାଞ୍ଜଳି ଶତପଥି ଓ ସାଥୀ 


ସମ୍ବଲପୁର ଦୁର୍ଗରୁ ମହାନଦୀର ଦୃଶ୍ୟ, ୧୮୨୫
ଅଜଣା କଳାକାର
ଗିଲବର୍ଟ ସଙ୍ଗ୍ରହର ଅଂଶ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 


୧୯୪୬ ମସିହାରେ ହିରାକୁଦ ପ୍ରକଳ୍ପର ପରିପୂରକ ଜଳଭଣ୍ଡାର ଚିପିଲିମା ପାଇଁ ବସନ୍ତପୁର ପଞ୍ଚାୟତର ଛଅଟି ଗାଁ - ବସନ୍ତପୁର, ସାହାଜବାହାଲ, ଗଡ଼ମୁଣ୍ଡା, ସତୀଜୋର୍, ରେଙ୍ଗାଲ୍ ପାଲି ଓ ତାଲ୍ ପଦର୍ - ରେ ସାଢେ ସାତ ହଜାର ଏକର ଜମି ଅଧିଗ୍ରହଣ କରାଗଲା । କ୍ଷତିପୁରଣ ଭାବରେ ମାଣେ ଚାଷ ଜମି ପାଇଁ ଶହେ ଟଙ୍କା ଓ ଘର ପିଛା ହଜାରେ ଟଙ୍କା ଭାବରେ ନାମକୁ ମାତ୍ର ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥିଲା । ହିରାକୁଦ ପ୍ରକଳ୍ପ ତଥା ଚିପିଲିମା ଜଳଭଣ୍ଡାର ପାଇଁ କାମ ଯେତେବେଳେ ଆରମ୍ଭ ହେଲା, ସେତେବେଳେ ଚିପିଲିମା ପ୍ରକଳ୍ପର ପ୍ରାରୂପ ବଦଳାଇଦିଆଗଲା । ଏଣୁ, ଅଧିଗ୍ରହିତ ସାଢ଼େ ସାତ ହଜାର ଏକର ଜମିରୁ ମାତ୍ର ପାଞ୍ଚଶହ ଏକର ମୂଳ ଉଦ୍ଦେଶ୍ୟ ଲାଗି ବ୍ୟବହୃତ ହେଲା । ଏହି ପରିବର୍ତ୍ତିତ ଯୋଜନାରୁ ଆହୁରି ଏକ ଲାଭ ଏହା ହେଲା ଯେ, ଲୋକଙ୍କୁ ନିଜର ବାସସ୍ଥାନରୁ ଉତ୍ଖାତ ହେବାକୁ ପଡ଼ିଲା ନାହିଁ । ଏହି ପାଞ୍ଚଶହ ଏକରରୁ ୧୨୧.୯୦ ଏକର ଜମି ବସନ୍ତପୁର ମଉଜାର ଥିଲା । ବାକିତକ ଜମି ପଞ୍ଚାୟାତର ଅନ୍ୟ ଗ୍ରାମଗୁଡ଼ିକରୁ ଅଧିଗୃହିତ ହୋଇଥିଲା । ବାକିତକ ସାତହଜାର ଏକର ଜମି କାମରେ ଲାଗିଲା ନାହିଁ । ମାତ୍ର ସରକାର ସେହି ଜମି ନିୟମ ଅନୁସାରେ ସେହି ଜମିକୁ ମୂଳ ମାଲିକମାନଙ୍କୁ ଫେରସ୍ତ କଲେନାହିଁ । ଏହି ଜମିର ମାଲିକ ଜଳସମ୍ପଦ ବିଭାଗ ପାରମ୍ପରିକ ଜମିଦାରଙ୍କ ଭଳି ଆଚରଣ କରି ଜମି ଉପରୁ ମାଲିକାନା ଛାଡ଼ିଲେ ନାହିଁ ।

ଏହି ଗ୍ରାମର ଅଧିବାସୀମାନେ ନିଜର ଜମି ଫେରି ପାଇବା ପାଇଁ ଦାବୀ ଉପସ୍ଥାପିତ କଲେ । ଅତିରିକ୍ତ ଥିବା ଉଦ୍ବୃତ୍ତ ସାତ ହଜାର ଜମିର ମାଲିକାନା କିନ୍ତୁ ସରକାର ଛାଡ଼ିବା ପାଇଁ ଅରାଜି ହେଲେ । ଛୋଟ ଛୋଟ ଜମିଖଣ୍ଡରେ ବାର୍ଷିକ ଲିଜ୍ ନେଇଁ ଚାଷ କରିବା ପାଇଁ ସରକାର ମୂଳ ଅଧିବାସୀମାନଙ୍କୁ ଅନୁମତି ଦେଲେ । ଏହି ପରିସ୍ଥିତିରେ ସରକାର ୧୯୬୨-୬୩ ମସିହାରେ ଅଧିଗ୍ରହିତ ଜମିରେ ଗୋଟିଏ ଗୋଶାଳା ନିର୍ମାଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କଲେ । ମାତ୍ର ସ୍ଥାନୀୟ ଲୋକେ ଏହାର ସଙ୍ଗଠିତ ବିରୋଧ କରିବାରୁ କାମ ବିଶେଷ ଆଗେଇପାରିଲା ନାହିଁ । ଶେଷକୁ ସରକାର ୧୯୬୮ ମସିହାରେ ୪୪୭.୪୬ ଏକର ଜମି ଏହି ଗୋଶାଳାକୁ ଦାନ କଲେ । କେନ୍ଦ୍ରିୟ ଗୋପ୍ରଜନନ କ୍ଷେତ୍ରର ଅଧିକାରୀମାନେ ଏହି ଜମିକୁ ଘେରାଇଦେଲେ । ସରକାର ପୂର୍ବର ବାର୍ଷିକାଲ ଲିଜ୍ କୁ ମଧ୍ୟ ବାତିଲ କରିଦେଲେ । ଏହା ଦ୍ୱାରା ଜନଅସନ୍ତୋଷ ତଥା ବିରୋଧ ବଢ଼ିବାରେ ଲାଗିଲା । ଲୋକମାନଙ୍କର ଅବସ୍ଥା ମଧ୍ୟ ଦିନକୁ ଦିନ ଖରାପ ଆଡ଼କୁ ଗତି କରିବାକୁ ଲାଗିଲା । ଏହି ପରିସ୍ଥିତିରେ ପ୍ରଖ୍ୟାତ ସାମ୍ୟବାଦୀ ନେତା ଓ ଶିଳ୍ପୀ ଶ୍ରୀ ପ୍ରସନ୍ନ ପଣ୍ଡାଙ୍କର ଆବାହନରେ ଗଣ ଆନ୍ଦୋଳନ ତେଜ ଧରିଲା । ଏହି ଆନ୍ଦୋଳନର ପ୍ରଭାବ ଯୋଗୁଁ ସରକାର ପୁଣି ଆଉଥରେ ଲିଜ୍ ରେ ଜମି ଦେବାକୁ ଆରମ୍ଭ କଲେ । ଏଥର ଜମିର ପରିମାଣ ମଧ୍ୟ ବଢ଼ିଲା । ଏହା ବୃଦ୍ଧି ପାଇ ଏଥର ୯୫୦ ଏକର ହେଲା । ୧୯୮୯-୯୦ ମସିହାରେ ଓଡ଼ିଶା ରାଜ୍ୟ ବିଧାନସଭାର ସରକାରୀ ଆସ୍ୟୁରାନ୍ସ୍ କମିଟିଙ୍କର ସଭାପତି ବସନ୍ତପୁର ପଞ୍ଚାୟତରେ ନିଜ ଜମି ଭୋଗଦଖଲ କରୁଥିବା ଚାଷୀମାନଙ୍କୁ ମାଲିକାନା ଫେରସ୍ତ କରିବା ସପକ୍ଷରେ ମତ ଦେଲେ । ମାତ୍ର ସରକାର ଏହି ବୈଧାନିକ କମିଟିର ସଭାପତିଙ୍କର ମତକୁ ଖାତିର କଲେ ନାହିଁ । ବରଂ ୧୯୯୧ ମସିହା ପାଖାପାଖି ଜମି ନିଜ ସରକାର ଦ୍ୱାରା ଅଧିକୃତ ନିଜର ଜମିକୁ ନିଜ ଅକ୍ତିଆରକୁ ନେଇ ଚାଷ କରୁଥିବା ଲୋକଙ୍କ ଉପରେ ସରକାର ନାନା ଜୋରିମାନା ଜାରିକରିବା ମଧ୍ୟ ଆରମ୍ଭ କଲେ ।

ଏହି ଗୋଶାଳା ଛଡ଼ା ସରକାର ନାନାଦି ଅନୁଷ୍ଠାନକୁ ବସନ୍ତପୁର ପଞ୍ଚାୟତର ଜମି ଦାନ କରିଆସୁଛନ୍ତି । ବସନ୍ତପୁର ପଞ୍ଚାୟତରେ ଓ.ୟୁ..ଟି. ର ସ୍କୁଲ୍ ଅଫ୍ ଏଗ୍ରିକଲ୍ଚର୍ ଓ ସ୍କୁଲ୍ ଅଫ୍ ହର୍ଟିକଲ୍ଚର୍ ନିର୍ମାଣ କରିବା ପାଇଁ ସରକାର ଜମି ପ୍ରଦାନ କରିଅଛନ୍ତି । ରାଜ୍ୟର ଦ୍ୱିତୀୟ ସୈନିକ ବିଦ୍ୟାଳୟ ମଧ୍ୟ ଏହି ଅଧିଗ୍ରହିତ ଜମି ଉପରେ ନିର୍ମାଣ ହେଉଅଛି । ଭାରତୀୟ ପ୍ରବନ୍ଧନ ପ୍ରତିଷ୍ଠାନ (ଆଇ. ଆଇ. ଏମ୍.) ର ସ୍ଥାୟୀ ପରିସର ମଧ୍ୟ ବସନ୍ତପୁରର ଅଧିକୃତ ଜମିରେ ନିର୍ମିତ ହେବ ବୋଲି ଯୋଜନା ଅଛି । ଆଇ.ଆଇ.ଏମ୍.ର ପ୍ରସ୍ତାବିତ ସ୍ଥାୟୀ ପରିସର ପାଖରେ ହିଁ ଗଙ୍ଗାଧର ମେହେର ଏକକ ବିଶ୍ୱବିଦ୍ୟାଳୟ ତଥା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ନିମନ୍ତେ ଯଥାକ୍ରମେ ପଚାଶ ଓ ପଚିଶି ଏକର ଜମି ସରକାର ଯୋଗାଇ ଦେଇଛନ୍ତି ।

ଏହି ବୃତ୍ତାନ୍ତରୁ ଏହା ସ୍ପଷ୍ଟ ହୋଇଯିବା କଥା ଯେ ସରକାର ଜମି ତାହାର ମୂଳ ଅଧିକାରୀମାନଙ୍କୁ ଫେରାଇବା ପାଇଁ ଚାହୁଁନାହାନ୍ତି । ଏଥି ଦ୍ୱାରା ଯେ ଆଇନିର ଉଲ୍ଲଙ୍ଘନ ହେଉଛି ଓ ସାଧାରଣ ଜନତାଙ୍କର ଭୂମ୍ୟାଧିକାରର ହନନ ହେଉଛି, ତାହା ସରକାର ସ୍ୱୀକାର କରିବା ପାଇଁ ରାଜି ନୁହନ୍ତି । ବରଂ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ଏହି ଜମିକୁ ସମ୍ବଲପୁର ସହର ପାଖରେ ସୁବିଧାଜନକ ଭାବରେ ଅବସ୍ଥିତ ଏକ ଜମି ବ୍ୟାଙ୍କ୍ ଭାବରେ ଦେଖୁଛନ୍ତି ଯାହାକୁ ମନଇଚ୍ଛା ଯେ କୌଣସି ଅନୁଷ୍ଠାନକୁ ଯେ କୌଣସି ସମୟରେ ଯୋଗାଇ ଦିଆଯାଇପାରିବ । ସରକାରୀ କଳର ଅଧିକାରୀମାନଙ୍କର ମତ ହେଲା ଯେ ଯେହେତୁ ବସନ୍ତପୁର ପଞ୍ଚାୟତର ଜମି ମାଲିକମାନଙ୍କୁ କ୍ଷତିପୁରଣ ମିଳିସାରିଛି, ସେହି ଜମିର ମାଲିକ ବର୍ତ୍ତମାନ ସରକାର ଓ ସେ ଏହି ଜମି ସହିତ ଯାହା ଚାହିଁବେ, ତାହା କରିପାରିବେ । ମାତ୍ର ନିୟମ ଅନୁସାରେ ଯଦି କୌଣସି କାରଣରୁ ଅଧିଗ୍ରହିତ ଗୋଟିଏ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେହି କାମରେ ଲାଗିପାରିଲା ନାହିଁ, ତାହାହେଲେ ସେହି ଜମିର ମାଲିକାନା ମୂଳ ଅଧିକାରୀମାନଙ୍କ ପାଖକୁ ଫେରସ୍ତ ଆସିବା କଥା । ମାତ୍ର ଓଡ଼ିଶା ସରକାର ବସନ୍ତପୁରର କ୍ଷେତ୍ରରେ ସେପରି କୌଣସି ପଦକ୍ଷେପ ନେଇନାହାନ୍ତି । ଫଳରେ ତିନି ପୁରୁଷରୁ ଅଧିକ ହେଲାଣି, ଲୋକେ ଅସ୍ଥିରତା ଓ ଦୁଃଶ୍ଚିନ୍ତାରେ କାଳାତିପାତ କରୁଛନ୍ତି । ବିସ୍ଥାପିତ ନ ହୋଇ ମଧ୍ୟ ବିସ୍ଥାପନର ଦୁଃଖ ଭୋଗୁଛନ୍ତି ।

ମାତ୍ର ଏହି ଦୁଃଖ କେବଳ ବସନ୍ତପୁର ପଞ୍ଚାୟତର ଅଧିବାସୀମାଙ୍କର ନୁହେଁ । କୋରାପୁଟ୍ ରେ ହାଲ୍ ର କାରଖାନା ପାଇଁ ଅଧିଗ୍ରହଣ କରାଯାଇଥିବା ଜମିରେ, ଗୋପାଳପୁରରେ ଟାଟାର ଇସ୍ପାତ କାରଖାନା ପାଇଁ ଅଧିଗ୍ରହଣ କରାଯାଇଥିବା ଜମିରେ, ତଥା ରାଉରକେଲା ଇସ୍ପାତ କାରଖାନା ପାଇଁ ଅଧିକୃତ ଜମିକୁ ନେଇ ଆମେ ସେଇ ଏକା ପ୍ରକାରର ଅସୁବିଧାଟିମାନ ଦେଖିବାକୁ ପାଇବା । ଏଥି ମଧ୍ୟରେ ବସନ୍ତପୁରର ଭୂମି ସମସ୍ୟାକୁ ନେଇ ଆଉ ଗୋଟିଏ ଭୂମି ଆନ୍ଦୋଳନ ଦାନା ବାନ୍ଧିବାର ଦେଖାଗଲାଣି । ସରକାରଙ୍କର ଭୂମିକ୍ଷୁଧା ଆଗରେ ଛଅଟି ଗାଁର ଗରୀବ ଖଟିଖିଆ ଲୋକଙ୍କର ଭୂମ୍ୟାଧିକାର ବଳିପଡ଼ିବା ଅନୁଚିତ ।

ବି.ଦ୍ର. ଏହି ଲେଖାଟି ଏକ ଭିନ୍ନ ଶୀର୍ଷକରେ ଦୈନିକ ଧରିତ୍ରୀର ୪ ଅକ୍ଟୋବର ୨୦୧୬ ସଂଖ୍ୟାର ସମ୍ପାଦକୀୟ ପୃଷ୍ଠାରେ  ଛପା ହୋଇଥିଲା । 

No comments:

Post a Comment