Tuesday, October 25, 2016

ଇଣ୍ଟର୍ନେଟ୍ ଓ ବଳଦଗାଡ଼ି ବିରୁଦ୍ଧରେ ଏକ ଘୋଷଣାପତ୍ର - ୨



କିଶନ ପଟ୍ଟନାୟକ



କପିରାଇଟ - ବାଣିମଞ୍ଜରୀ ଦାସ 


ଟାଇକୋ ବ୍ରାହେ ଙ୍କର ସେକଷ୍ଟାଣ୍ଟର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 


ବଳଦଗାଡ଼ି ଯୁଗରେ ସବୁ ଦେଶର କିଛି ଲୋକ ବହୁତ ଆରାମ ଓ ବିଳାସରେ ରହୁଥିଲେ । ଆଜି ଯେପରି ପ୍ରତ୍ୟେକ ଛୋଟ ଇଲାକାରେ ଗୋଟିଏ ଗୋଟିଏ ଧନୀ ପରିବାର ଦେଖିବାକୁ ମିଳନ୍ତି ସେତେବେଳେ ମଧ୍ୟ ପ୍ରତ୍ୟେକ ଛୋଟ ଇଲାକାରେ ଜଣେ ସାମନ୍ତ ରହୁଥିଲେ । ସେମାନେ ଭୋଗ ବିଳାସରେ ଦିନ କାଟୁଥିଲେ । ମଧ୍ୟଯୁଗରେ ଭୋଗର ପରିମାଣ ବହୁତ ବଢ଼ିଗଲା । ତେଣୁ ଏବେ ମଧ୍ୟ କେଉଁଠାରେ ବିଳାସର ଆଧିକ୍ୟ ଦେଖିଲେ ଆମେ ତାକୁ ସାମନ୍ତୀ ବା ମୋଗଲକାଳୀନ ବୋଲି କହୁ । ମଝିମଝିକିଆ ଲୋକମାନେ ଥିଲେ ଯେଉଁମାନେ ମର୍ଯ୍ୟାଦାର ସହିତ ଜୀବନ ଅତିବାହିତ କରିପାରୁଥିଲେ । ବଡ଼ ଭାଗ ଲୋକ ଦୁଃଖ କଷ୍ଟରେ ଚଳୁଥିଲେ । ଏବେ ମଧ୍ୟ ପୃଥିବୀର ବଡ଼ ଭାଗ ଲୋକେ ଦୁଃଖ କଷ୍ଟରେ ଚଳୁଛନ୍ତି । ପୃଥିବୀର ଏକ ତୃତୀୟାଂଶ ଲୋକ ଏପରି ଅମାନବୀୟ ସ୍ଥିତିରେ ରହିଛନ୍ତି ଯେ ପ୍ରାଚୀନ ସଭ୍ୟତାମାନଙ୍କରେ ଏତେ ସଂଖ୍ୟାରେ କାଙ୍ଗାଳ ଲୋକ ଥିଲେ ବୋଲି ଅନୁମାନ କରିହୁଏ ନାହିଁ । 

ଏହା ସତ୍ୟ ଯେ ନାନାବିଧ ଔଷଧ ଓ ଚିକିତ୍ସାର ଆବିଷ୍କାର ହୋଇଛି । କିନ୍ତୁ ଏତେ ବେଶୀ ବେମାରୀ ଏତେ ବ୍ୟାପକ ଭାବରେ କେବେ ଦେଖାଦେଇ ନଥିଲା, ଯାହା ଆଜି ଘଟୁଛି । ଏପରି କୌଣସି ଦିନ ନାହିଁ ଯେଉଁଦିନ ଆଫ୍ରିକା ବା ଦକ୍ଷିଣ ଏସିଆରେ ମହାମାରୀ ଲାଗି ନରହିଛି । ବିଜ୍ଞାନର ଜୟଗାନ କରିବା ପାଇଁ ଆମେ ଔଷଧ ଦୋକାନକୁ ଦେଖାଇବା, ନା ମଣିଷ ଜୀବନର ସ୍ଥିତିକୁ ଦେଖାଇବା ? ଆପଣ କହିପାରନ୍ତି, ଏଥିରେ ବିଜ୍ଞାନର ଦୋଷ ନାହିଁ । ମଣିଷର ଦୋଷ, ସମାଜର ଦୋଷ । ତାହା ହିଁ ହେଉ । କିନ୍ତୁ ଏହି କଥାଟିକୁ ଶିକ୍ଷିତ ଲୋକମାନେ କହିପାରିବେ ନାହିଁ । ‘ଆଧୁନିକ ବିଜ୍ଞାନ ମାଧ୍ୟମରେ ମନୁଷ୍ୟ ତା’ର ସମାଜକୁ ସୁଖପ୍ରଦ ଓ ଯୁକ୍ତିଯୁକ୍ତ କରିପାରି ନାହିଁ’ - ଏହି କଥାକୁ ଯଦି କିଛି ବିଦ୍ୟାଳୟର ପାଠ୍ୟପୁସ୍ତକ ମାନଙ୍କରେ ଲେଖାଯାଇ ପାରିବ, କିମ୍ବା ଶିକ୍ଷିତ ଲୋକମାନେ ସ୍ପଷ୍ଟଭାବରେ ଏହି କଥାକୁ କହିପାରିବେ, ତାହା ହେଲେ ବିଜ୍ଞାନ ବିଷୟକ ଆମର ଚେତନା ବଦଳିଯିବ । ଆଧୁନିକ ସଭ୍ୟତା ସମ୍ବନ୍ଧରେ ସତ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଉଦ୍ଘାଟିତ ହେବ ।

ଆଧୁନିକ ବିଜ୍ଞାନ ମଣିଷ ସମାଜକୁ କେତେ ପ୍ରଭାବିତ କରିଛି ସେ ବିଷୟରେ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଅନେକ ପାଠ ଓ ପ୍ରବନ୍ଧ ପଢ଼ନ୍ତି । ‘ବିଜ୍ଞାନ ଓ ସମାଜ’, ‘ଆଧୁନିକ ଶିଳ୍ପ ଓ ମନୁଷ୍ୟ ଜୀବନ’ ଆଦି ଶିରୋନାମାରେ ସନ୍ଦର୍ଭମାନ ପଢ଼ିବା ଶୁଣିବା ପରେ ପ୍ରତ୍ୟେକ ଶିକ୍ଷିତ ଲୋକର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଷୟରେ ଏକ ଧାରଣା ବଦ୍ଧମୂଳ ହୋଇଯାଏ ଯେ ବୃହତ ଶିଳ୍ପ ଓ ନଗର ଜୀବନର କେତେକ ଅସଙ୍ଗତି ଯୋଗୁଁ ମାନସିକ ଦୁଶ୍ଚିନ୍ତା ବଢ଼ିଛି ସତ, କିନ୍ତୁ ମୋଟ ଉପରେ ମନୁଷ୍ୟ ସମାଜର କାର୍ଯ୍ୟ ଅଧିକ ଯୁକ୍ତିସଙ୍ଗତ ହୋଇଛି ଓ ଭୌତିକ ସୁଖସୁବିଧା ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିଛି, ଯାହା ଆଗରୁ କେବେ ନଥିଲା । ସମାଜଶାସ୍ତ୍ରରେ ବଡ଼ ବଡ଼ ପଣ୍ଡିତମାନେ ମଧ୍ୟ ଏକଥା ଲେଖିଛନ୍ତି ଯେ ସମାଜ ଓ ଜୀବନ ଅଧିକ ଯୁକ୍ତିସଙ୍ଗତ ଓ ନ୍ୟାୟସଙ୍ଗତ ହୋଇପାରିଛି । ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଏହିସବୁ ଧାରଣା ବିକାଶଶୀଳ ଦେଶମାନଙ୍କରେ ପ୍ରଚାରିତ ହୋଇସାରିଥିଲା । ସେତେବେଳେର ଉଦାରବାଦୀ ଓ ପ୍ରଗତିଶୀଳ ନେତା ଓ ଚିନ୍ତକମାନେ ଏହା ଉପରେ ବିଶ୍ୱାସ ରଖି ଭାବୁଥିଲେ ଯେ ଆମ ଦେଶଟିମାନ ଔପନିବେଶିକ ଦାସତ୍ୱରୁ ମୁକ୍ତ ହୋଇଯିବା ପରେ ଆଧୁନିକ ବିଜ୍ଞାନର ବାଟ ଧରି ୟୁରୋପୀୟ ଦେଶମାନଙ୍କ ପରି ସଭ୍ୟ ଓ ସମୃଦ୍ଧ ହୋଇଯିବେ । ଏପରି ଭାବିବା ପଛରେ ସେମାନଙ୍କର ବିଶ୍ୱାସ ଥିଲା ଯେ ୟୁରୋପ ଆମେରିକାର ଅଦ୍ଭୁତପୂର୍ବ ସମୃଦ୍ଧି କେବଳ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ସମ୍ଭବ ହୋଇଛି ।

ଆଜି ମଧ୍ୟ ଉଚ୍ଚଶିକ୍ଷିତ ଲୋକମାନଙ୍କ ମୁଣ୍ଡ ଭିତରେ ଏହି ଧାରଣା ଅପରିର୍ବିତ ରହିଛି । ସାରା ଦୁନିଆରେ ବିଜ୍ଞାନ ସଙ୍କ୍ରାନ୍ତରେ ଲୋକମାନଙ୍କର ବୁଦ୍ଧି ଗୋଳମାଳିଆ ଅବସ୍ଥାରେ ଅଛି । ଯଦି କୌଣସି ଭାରତୀୟ ବିଶ୍ୱବିଦ୍ୟାଳୟ ପ୍ରଫେସର୍ଙ୍କୁ ପଚାରିବା - ‘ଭାରତ, ପାକିସ୍ତାନ କିମ୍ବା ବଙ୍ଗଳାଦେଶ କ’ଣ ୟୁରୋପ, ଆମେରିକା ପରି ସମୃଦ୍ଧ ହୋଇପାରିବ ?’ ସେ ଭାରି ଅଡ଼ୁଆରେ ପଡ଼ିଯିବେ । ମୁଣ୍ଡ ଭିତରର ବୁଦ୍ଧି ଅନୁସାରେ ସେ କହନ୍ତି, ‘ହଁ’ । କିନ୍ତୁ ଚାରିଆଡ଼ର ବାସ୍ତବତାକୁ ମନେପକେଇ ସେ ଦ୍ୱିଧାରେ ପଡ଼ିଯିବେ । ବିଜ୍ଞାନ ଓ ବିକାଶର ଅନ୍ତଃସମ୍ବନ୍ଧ ବିଷୟରେ ବିଶ୍ୱବିଦ୍ୟାଳୟରୁ ମିଳିଥିବା ଶିକ୍ଷା ଓ ସଞ୍ଚାର ମାଧ୍ୟମ ଦ୍ୱାରା ଅହରହ ପ୍ରଚାରିତ ଚଟପଟିଆ ଜ୍ଞାନଗୁଡ଼ିକ ଦ୍ୱାରା ପ୍ରଭାବିତ ହୋଇ ସେ ଭାବିବେ ଯେ ବିଜ୍ଞାନ ଦ୍ୱାରା ଏହା ସମ୍ଭବ । ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରି ଭାରତ ଅଚିରେ ଏକ ଆର୍ଥିକ ମହାଶକ୍ତି ହୋଇଯିବ ନାହିଁ କାହିଁକି ? ଅନ୍ୟ ଆଡେ଼ ପୃଥିବୀର ନଗ୍ନ ବାସ୍ତବତାକୁ ମନେପକାଇ ସେ ଅଟକିଯିବେ ଓ ଥଙ୍ଗେଇ ଥଙ୍ଗେଇ କହିବେ, ‘ଆମେରିକା ହୋଇପାରିବ ନାହିଁ ତ କ’ଣ ହେଲା, ଦକ୍ଷିଣ କୋରିଆ ଭଳି ହୋଇପାରିବ ନିଶ୍ଚୟ’ ।


ପ୍ରଥମ କଥା, ଦକ୍ଷିଣ କୋରିଆ ହୋଇପାରିବ କି ? କିନ୍ତୁ ଧରାଯାଉ ଦକ୍ଷିଣ କୋରିଆ ଭଳି ହେବାଟା ସମ୍ଭବ ଓ ଏହା ଏକ ବ୍ୟବହାରିକ ଲକ୍ଷ୍ୟ । ତେବେ ଜାଣିବା କଥା ଯେ ଦକ୍ଷିଣ କୋରିଆ ଆମେରିକାର ପାଖାପାଖି ଜିନିଷ ନୁହେଁ । ଆମେରିକାର ପ୍ରତି ବ୍ୟକ୍ତିର ଆୟ ତିରିଶ ହଜାର ଡଲାର ହେବା ବେଳକୁ ଦକ୍ଷିଣ କୋରିଆର କେବଳ ଆଠ ହଜାର ଡଲାର । ଦ୍ୱିତୀୟ ପ୍ରଶ୍ନ ଉଠିବ ଯେ ଦକ୍ଷିଣ କୋରିଆ କାହିଁକି ଆମେରିକା ଭଳି ହୋଇପାରୁ ନାହିଁ ? ଭାରତ କାହିଁକି ବା ଦକ୍ଷିଣ କୋରିଆକୁ ଆଦର୍ଶ ରୂପେ ଗ୍ରହଣ କରିବ ? କାହିଁକି ଆମେରିକା ବା ବିଲାତର ସମୃଦ୍ଧିକୁ ଆଦର୍ଶ ରୂପେ ନେବନାହିଁ ? ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଗଲେ କେତେଗୁଡ଼ିଏ ସତ୍ୟର ଦର୍ଶନ ମିଳିପାରିବ । କିନ୍ତୁ ବିଶ୍ୱବିଦ୍ୟାଳୟର ପାଠରେ କିମ୍ବା ସାର ମାଧ୍ୟମରେ ଏହି ପ୍ରଶ୍ନଗୁଡ଼ିକୁ ପଚାରିବା ମନା ।

No comments:

Post a Comment