Wednesday, October 12, 2016

ଦକ୍ଷିଣ ଆଫ୍ରିକୀୟ କବି - ଭୋନାନି ବିଲା (୧୯୭୨ - )


ଦକ୍ଷିଣ ଆଫ୍ରିକାର ପ୍ରସ୍ତର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 


ଭୋନାନି ବିଲାଙ୍କର ଜନ୍ମ ଗୋଟିଏ ଗରିବ ପରିବାରରେ, ୧୯୭୨ ମସିହାରେ; ଉପରେ ଚାରି ଭାଉଣୀ, ତଳେ ତିନି । ଇସ୍କୁଲ୍ ଯିବା ପାଇଁ ତାଙ୍କୁ ଦୈନିକ ଚଉଦ କି.ମି. ବାଟ ଚାଲିବାକୁ ପଡ଼ୁଥିଲା । ବିଦ୍ୟାଳୟ ଶିକ୍ଷା ପରେ ସେ ତିଭୁମ୍ବେନୀ କଲେଜ ଅଫ ଏଜୁକେଶନ ରେ ଉଚ୍ଚଶିକ୍ଷା ଲାଭ କଲେ । ସେ ତିମ୍ବିଲା କବିତା ପ୍ରଜେକ୍ଟ୍ ଉଦ୍ୟୋକ୍ତା ଏହି ପ୍ରଜେକ୍ଟ୍ ଦ୍ୱାରା ନାନା କବିତା ବହି ତଥା ତିମ୍ବିଲା ନାମକ ଏକ ସାହିତ୍ୟ ପତ୍ରିକା ପ୍ରକାଶ ପାଇଅଛି । ଏହି ପ୍ରକ୍ରିୟାରେ ଅନେକ ଦଳିତ, ନିଷ୍ପେଷିତ କବିମାନଙ୍କର କବିତା ଛପାଯାଇ ପାରିଛି । ବିଲା କବିତା ଲେଖିବା ଛଡ଼ା ନିଜ କବିତାଗୁଡ଼ିକୁ ମଞ୍ଚ ଉପରେ ପ୍ରଦର୍ଶିତ ମଧ୍ୟ କରନ୍ତି । ବର୍ଣ୍ଣବୈଷମ୍ୟବାଦ ପରର ଦକ୍ଷିଣ ଆଫ୍ରିକୀୟ ସମାଜର ନାନା ଅନ୍ୟାୟ ଓ ବ୍ୟଭିଚାର ବିରୁଦ୍ଧରେ ତାଙ୍କର କବିତା ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱର ।


ଖୋଳ (ସାହସୀ ଚୋଙ୍ଗୋ ନିମନ୍ତେ)

କାଳର କଳଙ୍କ ଫେଡ଼ି, ଦେହ ଧରି ବଞ୍ଚି ରହ,
ଗିଲା ଥାନରେ କିଏ ଶୁଏ ଧନ ମତେ କହ ?

ହଁସାକୁ ଧର ଜାବୁଡ଼ି, କୋମଳ ପତରେ ମୋଡ଼ି,
ପୀରତି ରସ ନିଗାଡ଼ି, ଅନ୍ତର୍ଗତେ ମଜ୍ଜି ରହ ।

ଭୂଇଁକୁ ଖୋଳି ଶକତେ, ଅଦେଖା ସପନ ମତେ,
ମୁହଁଗନ୍ଧ ଜାକି ଧରି, ଙ୍ଘିଯା ଖଣ୍ଡ ପ୍ରଳୟ ।

ଅଳପ ଗହୀରେ ଖୋଳି, ଅସ୍ତ୍ରଶସ୍ତ୍ର ପରିହରି,
ମାଟିରେ ପାଦ ଥାପିବା ପାଇଁ ଥାଉ ତୋର ଲୟ ।

ପୀରତି ଗହୀର ଗାତ, ଶୁଣ ମୋ ମନର ମିତ,
ଜାଣିନୁ ତା ଗର୍ଭଧ୍ୱଂସ ଇତିହାସ ପରିଚୟ ।


କହଇ ଭୋନାନି ବିଲା, ଶୁଣରେ କାଳିଆ ପିଲା,
ମାଦଳ ଶବଦ ତାଳ ଫେଡ଼ିବ ତୋର ସଂଶୟ ।

ବି.ଦ୍ର. : ଏହି କବିତାଟିର ମୂଳ ରୂପ ଏକ ଇଂରାଜୀ ପଦ୍ୟ କବିତାର । ମାତ୍ର ଏକ ‘ପର୍ଫର୍ମାନ୍ସ୍ କବିତା’ ହୋଇଥିବାରୁ ଏହାର ରୂପାନ୍ତର ଏକ ଛନ୍ଦବଦ୍ଧ ଭଜନ/ କୀର୍ତ୍ତନ ଆକାରରେ କରିବାକୁ ଚେଷ୍ଟା କରାଯାଇଛି । ଭଣିତା କବି ଭୋନାନି ବିଲାଙ୍କ ନାମରେ ହୋଇଛି । ଏହି କବିତାଟି ଦୈନିକ ସଞ୍ଚାରର ସାହିତ୍ୟ ପୃଷ୍ଠାରେ ୦୯ ଅକ୍ଟୋବର ୨୦୧୬ରେ ପ୍ରକାଶିତ ହୋଇଥିଲା ।

No comments:

Post a Comment