Tuesday, October 25, 2016

ଇଣ୍ଟର୍ନେଟ୍ ଓ ବଳଦଗାଡ଼ି ବିରୁଦ୍ଧରେ ଏକ ଘୋଷଣାପତ୍ର - ୩



କିଶନ ପଟ୍ଟନାୟକ



କପିରାଇଟ - ବାଣିମଞ୍ଜରୀ ଦାସ 


ଲୁଡାଇଟମାନେ କଳ ତନ୍ତ ଭାଙ୍ଗୁଥିବାର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

୧୯୫୦ରୁ ୧୯୭୦ ମଧ୍ୟରେ ପୃଥିବୀର ଅଧିକାଂଶ ଦେଶକୁ, ପ୍ରାୟ ସବୁ ଗୁରୁତ୍ୱପୂର୍ଣ୍ଣ ଦେଶଗୁଡ଼ିକୁ, ରାଜନୈତିକ ସ୍ୱାଧୀନତା ମିଳିଯାଇଥିଲା । ୧୯୫୦ ଦଶନ୍ଧିରୁ ଏସିଆ, ଆଫ୍ରିକା ଓ ଲାଟିନ୍ ଆମେରିକାର ନବ-ସ୍ୱାଧୀନ ଦେଶମାନେ ଆଧୁନିକ ବିଜ୍ଞାନ ସାହାଯ୍ୟରେ ନିଜର ସମାଜକୁ ସମୃଦ୍ଧ କରିବା ପାଇଁ କାର୍ଯ୍ୟରତ ଅଛନ୍ତି । ସେମାନେ ସଞ୍ଯୁକ୍ତ ଭାବରେ କୌଣସି ବିକାଶ ଯୋଜନା ଚଳାଉ ନାହାନ୍ତି କିମ୍ବା ପରସ୍ପର ମଧ୍ୟରେ ଆର୍ଥିକ ନୀତି ସମ୍ବନ୍ଧୀୟ ପରାମର୍ଶ ଆଲୋଚନା କରୁନାହାନ୍ତି । ବରଂ ପ୍ରତ୍ୟେକ ନିଜର ବୁଦ୍ଧିରେ ଚାଲୁଛନ୍ତି ଓ ନିୟମିତ ଭାବରେ ୟୁରୋପ ଓ ଆମେରିକାର ବିଶେଷଜ୍ଞମାନଙ୍କୁ ହିଁ ପରାମର୍ଶ କରୁଛନ୍ତି । ଆଶ୍ଚର୍ଯ୍ୟର କଥା ଏହି ଯେ ବିଭିନ୍ନ ପରିସ୍ଥିତିରୁ ବାହାରିଥିବା ଏହି ପଛୁଆ ରାଷ୍ଟ୍ରମାନେ ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରିବା ପରେ ସମାନ ରକମର ଅଧିକ ବିପତ୍ତି ଓ ସଙ୍କଟ ଭିତରେ ପଡ଼ିଛନ୍ତି । 

କୌଣସି ରାଷ୍ଟ୍ର ୟୁରୋପ-ଆମେରିକାର ସମକକ୍ଷ ହୋଇନାହାନ୍ତି । ‘ଏସିଆର ବ୍ୟାଘ୍ର’ ବୋଲି ଦକ୍ଷିଣ କୋରିଆ, ମାଲେସିଆ ଓ ତାଇୱାନ୍ ଭଳି ଯେଉଁ ଚାରି ପାଞ୍ଚଟି ଦେଶର ଉଦାହରଣ ଦିଆଯାଏ, ସେଗୁଡ଼ିକ ୟୁରୋପ-ଆମେରିକାର ଧନୀ ଦେଶମାନଙ୍କ ତୁଳନାରେ କିଛି ନୁହନ୍ତି । ଅବଶ୍ୟ ମଧ୍ୟ-ଆଫ୍ରିକା ବା ଦକ୍ଷିଣ-ଏସିଆର ଦେଶମାନଙ୍କ ତୁଳନାରେ ସେମାନଙ୍କୁ ସମୃଦ୍ଧ ବୋଲି କୁହାଯିବ । ଏହି ଆପେକ୍ଷିକ ସମୃଦ୍ଧି କେତେକ ରାଜନୈତିକ ଓ କୂଟନୈତିକ କାରଣରୁ ସମ୍ଭବ ହେଲା । ୧୯୪୫ ମସିହା ପରେ ସୋଭିଏତ ତଥା ଚୀନ ଦେଶର ସାମ୍ୟବାଦ ବିଶ୍ୱର ଧନୀ ପୁଞ୍ଜିବାଦୀ ଦେଶମାନଙ୍କ ମନରେ ଏକ ଆତଙ୍କ ସୃଷ୍ଟି କରିଥିଲା । ଏସିଆର ଅନ୍ୟ ଦେଶମାନଙ୍କୁ ସାମ୍ୟବାଦୀ ପ୍ରଭାବର କବଳରୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଧନୀ ସାମ୍ରାଜ୍ୟବାଦୀ ଦେଶମାନେ ପୂର୍ବ-ଏସିଆର ଉପରୋକ୍ତ ଦେଶମାନଙ୍କୁ ବିଶେଷ ଭାବରେ ସାହାଯ୍ୟ କଲେ । ଏହି ଦେଶମାନଙ୍କର ବାଣିଜ୍ୟରେ ଅଭିବୃଦ୍ଧି ପାଇଁ ବିଶେଷ ଧ୍ୟାନ ଦେଲେ । ଜାପାନ ୧୯୪୫ ମସିହା ଆଗରୁ ଏକ ମହାଶକ୍ତି ଓ ସାମ୍ରାଜ୍ୟବାଦୀ ଦେଶଭାବରେ ଉଠିସାରିଥିଲା । କିନ୍ତୁ ପଶ୍ଚିମର ଧନୀ ଦେଶମାନେ ଜାପାନକୁ ମଧ୍ୟ ଅଭିବୃଦ୍ଧିରେ ସହଯୋଗ କଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧର ପରାଜିତ ‘ଶତ୍ରୁ’ ଦେଶ ହୋଇଥିଲେ ସୁଦ୍ଧା, ଯୁଦ୍ଧ ପରବର୍ତ୍ତୀ କାଳରେ ଆମେରିକାର ସହଯୋଗରେ ଜାପାନ ଏକ ଆର୍ଥିକ ମହାଶକ୍ତିରେ ପରିଣତ ହେଲା । 

ତେଣୁ ଯେଉଁ ଉଦାରୀକରଣର ବିକାଶ ପଦ୍ଧତିକୁ ଭାରତ ଆଜି ଅନୁସରଣ କରୁଛି, ସେଇ ପଦ୍ଧତିରେ ଜାପାନ କିମ୍ବା ଏସିଆର ‘ବ୍ୟାଘ୍ର’ ମାନେ ସମୃଦ୍ଧ ହେଲେ ବୋଲି କହିବା ଭୁଲ ହେବ । ଆଧୁନିକ ବିଶ୍ୱର ଯେଉଁ ଦେଶମାନେ ସମୃଦ୍ଧ କିମ୍ବା ଆର୍ଥିକ ମହାଶକ୍ତି ବୋଲାଉଛନ୍ତି, ସେମାନଙ୍କର ଏକ ସାମ୍ରାଜ୍ୟବାଦୀ ପଟ୍ଟଭୂମି ଅଛି । ଏବେ ମଧ୍ୟ ଆର୍ଥିକ କ୍ଷେତ୍ରରେ ସେମାନେ ବିକାଶଶୀଳ ଦେଶମାନଙ୍କୁ ଉପନିବେଶ ପରି ବ୍ୟବହାର କରୁଛନ୍ତି । ତେଣୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଯେକୌଣସି ଦେଶ ଧନୀ ଓ ଶିଳ୍ପୋନ୍ନତ ହୋଇପାରିବ ବୋଲି ଯେଉଁ ପ୍ରଚଳିତ ଧାରଣା ଅଛି, ତାହା ଠିକ୍ ନୁହେଁ । ଆଧୁନିକ ବିକାଶ ପଦ୍ଧତି କହିଲେ ଆର୍ଥିକ କ୍ଷେତ୍ରରେ ଅତ୍ୟାଧୁନିକ ଯନ୍ତ୍ରବିଦ୍ୟାର ପ୍ରୟୋଗ । ଯେଉଁ ଦେଶର ନିଜସ୍ୱ ପୁଞ୍ଜି ନାହିଁ, ସେ ଧନୀ ଦେଶରୁ ଋଣ ନେଉ, କିମ୍ବା ବିଦେଶୀ କମ୍ପାନୀମାନଙ୍କୁ ଡାକି ଆଣୁ, ଏହାହିଁ ଆଧୁନିକ ବିକାଶ ପଦ୍ଧତି । 

ଗତ ଅର୍ଦ୍ଧଶତାବ୍ଦୀ ଧରି ବିକାଶଶୀଳ ଦେଶମାନେ ଆର୍ଥିକ କ୍ଷେତ୍ରରେ ବିଜ୍ଞାନର ଏତାଦୃଶ ପ୍ରୟୋଗ କରିବା ଫଳରେ କେତେ ଲାଭ କ୍ଷତି ହୋଇଛି, ତାହାର ବିଧିବଦ୍ଧ ସମୀକ୍ଷା ହୋଇନାହିଁ । କିନ୍ତୁ ସଞ୍ଜୁକ୍ତ ରାଷ୍ଟ୍ର ସଙ୍ଘ (ୟୁ.ଏନ୍.ଓ.)ର ମାନବୀୟ ବିକାଶ ସର୍ବେକ୍ଷଣର ରିପୋଟ ଆଜିକାଲି ପ୍ରତିବର୍ଷ ପ୍ରକାଶିତ ହେଉଛି । ଏହାକୁ ଅନୁଧ୍ୟାନ କଲେ ଜଣାପଡ଼ିବ ଯେ ଆଧୁନିକ ବୈଜ୍ଞାନିକ କୌଶଳରୁ ପାରୁ ପର୍ଯ୍ୟନ୍ତ ବ୍ୟବହାର କରିବାର ଚେଷ୍ଟା କରି ସେମାନେ କେଉଁ ଅବସ୍ଥାରେ ପହଞ୍ଚିଛନ୍ତି । କ୍ଷୁଧା ଓ ବାସହୀନ ଲୋକମାନଙ୍କର ସଂଖ୍ୟା ପ୍ରାଚୀନ ଓ ମଧ୍ୟଯୁଗ ତୁଳନାରେ ବଢ଼ିଛି । ଜୀବନଧାରଣ ଓ ଜୀବିକା ଦୃଷ୍ଟିରୁ ପୃଥିବୀର ଏକ ତୃତୀୟାଂଶ ଲୋକ ଅସହାୟ । ପ୍ରାଚୀନ ଓ ମଧ୍ୟଯୁଗ ମାନଙ୍କରେ ୧୫-୨୦ ବର୍ଷରେ କେବେ ଥରେ ମହାମାରୀ କିମ୍ବା ନିରବଚ୍ଛିନ୍ନ ଅନାବୃଷ୍ଟି ଆସିଲେ ଲୋକମାନେ କୀଟପତଙ୍ଗ ପରି ମରୁଥିଲେ । କିନ୍ତୁ ପ୍ରତିଦିନ, ଜୀବନ ଯାକ ଅଧାଖିଆ ହୋଇ ବାସହୀନ ହୋଇ ରହୁଥିବା ଲୋକଙ୍କର ସଂଖ୍ୟା ଅନେକ ପ୍ରାଚୀନ ବା ମଧ୍ୟଯୁଗୀୟ ସଭ୍ୟତା ତୁଳନାରେ ଆଜି ବହୁତ ବେଶୀ ।

ତେଣୁ ଏ କଥାରୁ ଠିକ୍ ଭାବରେ ବୁଝିବାକୁ ହେବ ଯେ ଆଧୁନିକ ବିଜ୍ଞାନ କାହାକୁ, କେଉଁଠାରେ, କିପରି ସୁଖ ଦେଇଛି । ଅଳ୍ପ କେତେକ ଦେଶକୁ ଓ ସବୁ ଦେଶର କେତେକ ଅଳ୍ପ ସଂଖ୍ୟକ ଗୋଷ୍ଠୀଙ୍କୁ ଆଧୁନିକ ବିଜ୍ଞାନ ନିଶ୍ଚୟ ଶକ୍ତିଶାଳୀ କରିଛି ଓ ସୁଖ ଦେଇଛି । ପୃଥିବୀଯାକର ଉପଯୋଗୀ ଓ ଉପଭୋଗ୍ୟ ଜିନିଷମାନଙ୍କୁ ତାଙ୍କ ପାଖରେ ଠୁଳ କରିଦେଇଛି । ବସ୍ତୁମାନଙ୍କର ଉପଭୋଗରୁ ସୁଖ ମିଳେ । ଆଉ ଗୋଟିଏ ପ୍ରକାରର ସୁଖ କ୍ଷମତାରୁ ମିଳିଥାଏ । ବିଶେଷ ପ୍ରୟୋଜନ ନହେଲେ ମଧ୍ୟ ଯିଏ ବହୁତ ଜିନିଷ ନିଜ ପାଖରେ ରଖିଥାଏ, ବଞ୍ଚିତ ଲୋକମାନଙ୍କ ସମକ୍ଷରେ ତାହାର ଏକ କ୍ଷମତା ସୃଷ୍ଟି ହୁଏ । ଏହି କ୍ଷମତା ଯୋଗୁଁ ସେ ଗର୍ବ ଓ ସନ୍ତୋଷ ଅନୁଭବ କରେ । ଏହା ହେଉଛି କ୍ଷମତାର ସୁଖ । ଯେଉଁ ଉପାୟରେ ଓ ଯେପରି ଭାବରେ ଆଧୁନିକ ପ୍ରଯୁକ୍ତି ବିଦ୍ୟା କେତେକ ଦେଶକୁ ବା କେତେକ ଶ୍ରେଣୀ ବିଶେଷଙ୍କୁ ଉପଭୋଗ ତଥା କ୍ଷମତାର ସୁଖ ଦେଇଛି, ସେହି ଉପାୟରେ ସବୁ ଲୋକଙ୍କ ପାଇଁ ସୁଖ କିମ୍ବା ସବୁ ଦେଶକୁ ଶକ୍ତି ସମ୍ପନ୍ନ କରାଯାଇପାରିବ ନାହିଁ । କାରଣ ଏହି ଯେ ପ୍ରଯୁକ୍ତିବିଦ୍ୟାର ମୁଖ୍ୟ କୌଶଳ ହେଉଛି ଠୁଳ କରିବା (କେନ୍ଦ୍ରୀକରଣ), ସୃଷ୍ଟି କରିବା ନୁହେଁ ।

No comments:

Post a Comment