Friday, October 28, 2016

ଇଣ୍ଟର୍ନେଟ୍ ଓ ବଳଦଗାଡ଼ି ବିରୁଦ୍ଧରେ ଏକ ଘୋଷଣାପତ୍ର - ୯



କିଶନ ପଟ୍ଟନାୟକ



କପିରାଇଟ - ବାଣିମଞ୍ଜରୀ ଦାସ 


ଚୀନ ଦେଶର ଗୁଆଙ୍ଗଝୋ ସହରର ସାର୍ବଜନୀନ ବସ ବ୍ୟବସ୍ଥା
ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍ 

ଏହିପରି ଚତୁର୍ଦିଗ ରୁ ଯଦି ପ୍ରଯୁକ୍ତିବିଦ୍ୟାର ସମୀକ୍ଷା ନକରାଯାଏ, ତାହେଲେ କେବଳ ପରିବେଶ ବିଷୟରେ ଚିନ୍ତା ବ୍ୟକ୍ତ କରି ପରିବେଶକୁ ମଧ୍ୟ ସୁରକ୍ଷିତ କରାଯାଇପାରିବ ନାହିଁ । ମୋଟରଗାଡ଼ିର ବର୍ତ୍ତମାନ ସଂଖ୍ୟାକୁ କମେଇବାର ବା ଅଧା କରିବାର ସ୍ପଷ୍ଟ ନୀତି ଗ୍ରହଣ ନକଲେ ଦିଲ୍ଲୀର ପ୍ରଦୂଷଣକୁ ରୋକିହେବ ନାହିଁ । କେତେ ପ୍ରକାରର ଯନ୍ତ୍ର ଅଛି ଯାହାର ବହୁଳତା ହେଉଛି ବିନାଶକାରୀ ଓ ସ୍ୱଳ୍ପତା ନିରାପଦ । ମୋଟରଗାଡ଼ିକୁ ହିଁ ଧରାଯାଉ । ମନୁଷ୍ୟ ଓ ପ୍ରଯୁକ୍ତିବିଦ୍ୟାର ଗୋଟିଏ ଅନୁପାତ ରହିବା ଦରକାର । ଦଶହଜାର ଲୋକଙ୍କ ବସତିରେ ଦୁଇ ତିନୋଟି ମୋଟର କାର ଯଥେଷ୍ଟ ହେବା ଉଚିତ । ଏହା ପଞ୍ଚାୟତ ଅଧିନରେ ରହିବ ଓ ବିଶେଷ ପରିସ୍ଥିତିରେ ଲୋକେ ଏହାକୁ ବ୍ୟବହାର କରିବେ । ଲୋକଙ୍କର ସାଧାରଣ ଦୈନନ୍ଦିନ କାର୍ଯ୍ୟ ପାଇଁ ସେମାନେ ବସ ଓ ସାଇକେଲ ବ୍ୟବହାର କରିବେ । ଉଚ୍ଚଶ୍ରେଣୀର ଲୋକେ କାହିଁକି ବସରେ ଯାତ୍ରା କରିବେ ନାହିଁ ? ସେମାନେ ଯଦି କରିବେ ତାହେଲେ ବସର ବ୍ୟବସ୍ଥା ବଢ଼ିଆ ହୋଇଯିବ ।

ପଚାଶ ବର୍ଷ ଧରି ଚୀନରେ ଏହିପରି ବ୍ୟବସ୍ଥା ଥିଲା
, ଏବେ ମଧ୍ୟ ଆଂଶିକ ଭାବରେ ରହିଛି । ଏଥିପାେଇଁ ଚୀନ ଭାରତଠାରୁ ବେଶୀ ସମୃଦ୍ଧ ହୋଇଛି । ଗତ ପଚାଶ ବର୍ଷ ଭିତରେ ଚୀନର ପ୍ରଯୁକ୍ତିବିଦ୍ୟା ନୀତି ଭାରତର ପ୍ରଯୁକ୍ତିବିଦ୍ୟା ନୀତିଠାରୁ ବିଲକୁଲ ଭିନ୍ନ ଥିଲା । ପ୍ରଫେସରମାନ ବିଶ୍ୱବିଦ୍ୟାଳୟକୁ ଓ ବଜାରକୁ ବସରେ ଯାଉଥିଲେ । ସେଥିପାଇଁ ଚୀନରେ ଭାରତ ଅପେକ୍ଷା ଶିକ୍ଷାର ପ୍ରସାର ବେଶୀ ହୋଇଛି । ପଞ୍ଚମ ବେତନ କମିଶନ ପରେ ଦିଲ୍ଲୀର ସବୁ ପ୍ରଫେସର ନୂଆ କାର କିଣିଲେଣି । ତେଣୁ ଭାରତରେ ଆଉ ଶିକ୍ଷାର ପ୍ରସାର ଘଟିବ ନାହିଁ । 

ଯଦି ଅଳ୍ପ କାର ରହିବ ତାହାର ପ୍ରଯୁକ୍ତିବିଦ୍ୟା ଅଲଗା ହେବ । ସେଥିରେ ଚାରିଜଣ ଆରାମରେ ବସିପାରିବେ ଓ ଗ୍ରାମ୍ୟ ସଡ଼କରେ ଚାଲିପାରିବ । ଛୋଟ ମାରୁତି ଗାଡ଼ି ହେଲା ଜଣକିଆ ମୋଟରଗାଡ଼ି । ଏହାର ଦର୍ଶନ ହେଉଛି ଜଣଙ୍କ ପାଇଁ ଗୋଟିଏ ଗାଡ଼ି । ୟୁରୋପ-ଆମେରିକାରେ ଜଣ ପ୍ରତି ବା ଦୁଇ-ତିନିଜଣରେ ଗୋଟିଏ ଗାଡ଼ି ସମ୍ଭବ ହୋଇପାରୁଛି । କିନ୍ତୁ ବିକାଶଶୀଳ ଦେଶମାନଙ୍କରେ ଏହା ବିଷମତା ସୃଷ୍ଟି କରେ । ଘରୁଆ ଡ୍ରାଇଭର ରଖି ବଡ଼ଗାଡ଼ିରେ ବସିବା ଧନୀ ଓ ମଧ୍ୟବିତ୍ତ ମଧ୍ୟରେ ବିଷମତା ସୃଷ୍ଟି କରେ । ଜଣକିଆ ଗାଡ଼ି ଉଚ୍ଚମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତ ମଧ୍ୟରେ ବିଷମତା ସୃଷ୍ଟି କରେ । ଏହା ତୁଳନାରେ ଟାକ୍ସି କମ ବିଷମତା ସୃଷ୍ଟି କରେ । ଏସବୁ ଅଲଗା ଅଲଗା ପ୍ରଯୁକ୍ତିର ଢାଞ୍ଚା ।

ପଣ୍ଡିତ ନେହେରୁଙ୍କ ସମୟରେ ଛୋଟ ମୋଟର ଗାଡ଼ି କଳ୍ପନା ଥିଲା । ଏହି ଯୋଜନାକୁ ଲୋକପ୍ରିୟ କରିବା ପାଇଁ କୁହାଗଲା ଯେ ପ୍ରଯୁକ୍ତିବିଦ୍ୟାରେ ସୁଧାର କରି ଛୋଟ ଓ ଶସ୍ତା ଗାଡ଼ି ଭାରତରେ ପ୍ରଚଳନ କରାଯିବ, ଏହା ହେବ ଜନତା ଗାଡ଼ି (ପିପୁଲସ କାର) । ସେହି ଯୋଜନାରୁ ବାହାରିଲା ମାରୁତି କାର । ଏହାକୁ ଜନତା ଗାଡ଼ି କହିବା, କିମ୍ବା ଅଳ୍ପ ଆୟବାଲାଙ୍କ କାର କହିବା ଭାରତର ଜନସାଧାରଣଙ୍କ ପ୍ରତି ଉପହାସ ।

ଇଞ୍ଜିନ ଚାଳିତ ସବୁ ଗାଡ଼ିକୁ ଅଟୋମୋବିଲ କୁହାଯାଏ । କିନ୍ତୁ ଯନ୍ତ୍ରର ଡିଜାଇନ୍ଗୁଡ଼ିକ ଅଲଗା ହେଉଥିବାରୁ ସୂକ୍ଷ୍ମ ଅର୍ଥରେ ସେଗୁଡ଼ିକୁ ଅଲଗା ଅଲଗା ପ୍ରଯୁକ୍ତିବିଦ୍ୟା ବୋଲି ମଧ୍ୟ କୁହାଯାଏ । ପ୍ରତ୍ୟେକର ଅଲଗା ‘ପେଟେଣ୍ଟ’ ହୁଏ । ଆମେ ଯେତେ ପ୍ରକାରର ଗାଡ଼ିର ଉଲ୍ଲେଖ କଲୁ, ସେଗୁଡ଼ିକର ଅଲଗା ଅଲଗା ସାମାଜିକ ପ୍ରଭାବ ଅଛି । ବସ, ଟାକ୍ସି ଓ ମାରୁତି କାର ସମାଜକୁ ଭିନ୍ନ ଭିନ୍ନ ଭାବରେ ପ୍ରଭାବିତ କରନ୍ତି । ବସ ସର୍ବସାଧାରଣଙ୍କର ବାହନ ହୋଇପାରିବ । ଏହା ବିଷମତା ସୃଷ୍ଟି କରେନାହିଁ । ମାରୁତି କାର ବା ବ୍ୟକ୍ତି କିମ୍ବା ପାରିବାରିକ ମାଲିକାନା ଉଦ୍ଦେଶ୍ୟରେ ତିଆରି ଗାଡ଼ି ବେଶୀ ବିଷମତା ସୃଷ୍ଟି କରେ । ଟାକ୍ସି ଉଦ୍ଦେଶ୍ୟରେ ତିଆରି ମୋଟର ଗାଡ଼ି ଅପେକ୍ଷାକୃତ କମ ବିଷମତା ସୃଷ୍ଟି କରିବ । ଉପରୋକ୍ତ ତିନୋଟି ଯାକର ମୂଳ ବୈଜ୍ଞାନିକ ସୂତ୍ର ଏକ ରକମର ହେଲେ ମଧ୍ୟ ସାମାଜିକ ଓ ବ୍ୟାପାରିକ ଉଦ୍ଦେଶ୍ୟ ଅଲଗା ରକମର । 

ତେଣୁ ପ୍ରଯୁକ୍ତିବିଦ୍ୟା କହିଲେ କେବଳ ବିଜ୍ଞାନକୁ ବୁଝାଏ ନାହିଁ । ବୈଜ୍ଞାନିକ ନିୟମକୁ କେଉଁ ସାମାଜିକ ବା ବ୍ୟାପାରିକ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ ତାକୁ ନେଇ ଏହା ଅଲଗା ଅଲଗା ହୋଇଯାଏ । ଯାତ୍ରୀବାହୀ ବସ ଓ ମାରୁତି କାର ଦୁଇଟି ଭିନ୍ନ ଜିନିଷ । ପରମାଣୁ ବୋମା ଓ ପରମାଣୁ ବିଦ୍ୟୁତର ଉତ୍ପାଦନ ପ୍ରଣାଳୀରେ ବହୁତ ସାମଞ୍ଜସ୍ୟ ଅଛି । ତେଣୁ ଗୋଟିଏ ଦେଶ ଯଦି ପରମାଣୁ ବିଜୁଳି ଉତ୍ପାଦନ କରୁଛି ତାହା ବିଷୟରେ ସନ୍ଦେହ ହୁଏ ଯେ ପରମାଣୁ ବୋମା ତିଆରି ମଧ୍ୟ ଚାଲିଥିବ । ବୋମା ଓ ବିଜୁଳି ଦୁଇଟି ଭିନ୍ନ ପ୍ରଯୁକ୍ତିବିଦ୍ୟା । ଅବଶ୍ୟ ଏ କ୍ଷେତ୍ରରେ କହିହେବ ନାହିଁ ଯେ ବୋମା ଧ୍ୱଂସକାରୀ ଓ ବିଜୁଳି ନିର୍ଦ୍ଦୋଷ । ପରମାଣୁ ବିଜୁଳି ଗୋଟିଏ ଅସ୍ତ୍ର ନୁହେଁ । ହେଲେ ତାହାର ଉତ୍ପାଦନ ପ୍ରଣାଳୀ ଏତେ ବିଷାକ୍ତ ଯେ ଶିଳ୍ପୋନ୍ନତ ଦେଶମାନେ ମଧ୍ୟ ଏହାକୁ ବନ୍ଦ କରିଦେବା ପାଇଁ ଚିନ୍ତା କରୁଛନ୍ତି ।

No comments:

Post a Comment