ଭାରତରେ ଶିଶୁ-କୈନ୍ଦ୍ରିକ ଶିକ୍ଷା
ବିଶ୍ୱଜିତ ଆପଟ
![]() |
ଭବିଷ୍ୟତର ବିଦ୍ୟାଳୟ ଫଟୋ କ୍ରେଡିଟ - ୱିକିମିଡ଼ିଆ କମନ୍ସ୍ |
ଭାରତାୟ
ଶିକ୍ଷା ବ୍ୟବସ୍ଥା ପାଠ୍ୟପୁସ୍ତକ-କୈନ୍ଦ୍ରିକ
ଓ ପରୀକ୍ଷା-କୈନ୍ଦ୍ରିକ
। ଏଥିରେ ବିଦ୍ୟାର୍ଥୀଙ୍କୁ
ପୁସ୍ତକଗତ ବିଦ୍ୟାକୁ ମୁଖସ୍ତକରି
ପରୀକ୍ଷା ଖାତାରେ ଢାଳିଦେବାକୁ
ପଡେ । ଶ୍ରେଣୀଗୃହରେ ଶିକ୍ଷକ
ଶିକ୍ଷୟତ୍ରୀଙ୍କର ଏକଛତ୍ରବାଦ
ଚାଲେ । ଏହି ପରିପ୍ରେକ୍ଷୀରେ
ଶିଶୁ-କୈନ୍ଦ୍ରିକ
ଶିକ୍ଷା ନିମନ୍ତେ ବର୍ତ୍ତମାନ
ଯେଉଁସବୁ ପଦକ୍ଷେପମାନ ନିଆଯାଉଛି,
ସେସବୁ
ଶିକ୍ଷାର ଗୁଣାତ୍ମକ ମାନ ବଢ଼ାଇବ
ବୋଲି ଆମେ ସମସ୍ତେ ଆଶା ବାନ୍ଧିଛୁ
। କିନ୍ତୁ ଟିକେ ନିରୀକ୍ଷଣ କଲେ
ଆମେ ଦେଖିବା ଯେ ଶିଶୁ-କୈନ୍ଦ୍ରିକ
ଶିକ୍ଷା ବୋଲି କୌଣସି ଗୋଟିଏ
ନିର୍ଦ୍ଦିଷ୍ଟ ଶୈକ୍ଷଣିକ ପ୍ରଣାଳୀ
ନାହିଁ । ଅଲଗା ଅଲଗା ଦାର୍ଶନିକ
ଉତ୍ସ ଦ୍ୱାରା ପ୍ରେରିତ ଭିନ୍ନ
ଭିନ୍ନ ଶୈକ୍ଷଣିକ ଶୈଳୀ ଯେଇଁ
ପ୍ରଗତିଶୀଳ,
ମାନବିକ
ଓ ଗଠନମୂଳକ ଶିକ୍ଷା ବ୍ୟବସ୍ଥାର
ଲକ୍ଷ୍ୟ ରଖିଲେ,
ତାହା
ଶିଶୁ-କୈନ୍ଦ୍ରିକ
ଶିକ୍ଷା ନାମରେ ବିଦିତ ହୋଇଛି ।
୧୯୬୦ ଓ ୭୦ ଦଶକର ବ୍ରିଟେନରେ
ଯେତେବେଳେ ଶିଶୁ-କୈନ୍ଦ୍ରିକ
ଆନ୍ଦୋଳନର ସୂତ୍ରପାତ ହେଲା,
ଶିକ୍ଷାଦାନର
ଲକ୍ଷ୍ୟ “ଶିଶୁର ସମ୍ପୂର୍ଣ୍ଣ
ବ୍ୟକ୍ତିତ୍ୱର ବିକାଶ” ବୋଲି
କୁହାଗଲା । ଶିଶୁ-କୈନ୍ଦ୍ରିକ
ଶିକ୍ଷାର ଲକ୍ଷ୍ୟ ରଖି ଏବେ ଯେଉଁ
ଉପକ୍ରମଗୁଡ଼ିକ ଭାରତରେ ଆରମ୍ଭ
ହୋଇଛି,
ସେସବୁ
ବିଦ୍ୟାଳୟ ସ୍ତରରେ ବେଳେ ବେଳେ
ଭାରି ଭିନ୍ନ ଭିନ୍ନ ସ୍ୱରୂପ ଧାରଣ
କରୁଛନ୍ତି । ଗଣତାନ୍ତ୍ରିକ
ପରିବେଶରେ ଶିକ୍ଷାଦାନ,
ପାଠ୍ୟକ୍ରମ
ଓ ବିଦ୍ୟାର ସୀମା ସରହଦକୁ ନେଇ
ଆମର ପୁରୁଣାକାଳିଆ ମନୋବୃତ୍ତିରେ
ପରିବର୍ତ୍ତନ,
ତଥା
ଶିଶୁ ଓ ଶିକ୍ଷକଙ୍କ ମଧ୍ୟରେ
ରହୁଥିବା ଭୟ ଉଦ୍ରେକ କଲାପରି
ବ୍ୟବଧାନ ହ୍ରାସ କରିବା ଆଦି
ବିଷୟରେ ଅବଶ୍ୟ ସବୁଠାରେ ଗୁରୁତ୍ୱାରୋପ
କରାଯାଉଛି । ଏସବୁ ବିଷୟର ଆଲୋଚନା
ବର୍ତ୍ତମାନ ଅଭିନବ ମନେହେଉଥିଲେ
ମଧ୍ୟ ଭାରତରେ ଏତାଦୃଶ ଦୃଷ୍ଚିକୋଣର
ଚର୍ଚ୍ଚା ବହୁ ବର୍ଷ ପୂର୍ବରୁ
ଆରମ୍ଭ ହୋଇଛି ।
ଇଂରେଜ
ଅଧୀନସ୍ଥ ଭାରତରେ ବିଦ୍ୟାଳୟର
ଶିକ୍ଷା ଉଚ୍ଚ ଜାତିର ଓ ଶ୍ରେଣୀର
ପୁରୁଷମାନଙ୍କ ମଧ୍ୟରେ ପ୍ରାୟ
ସୀମାବଦ୍ଧ ଥିଲା । ଔପନିବେଶିକ
ଶାସନ ପ୍ରଦତ୍ତ ଏହି ଶିକ୍ଷାର
ମୂଳ ଲକ୍ଷ୍ୟ ଥିଲା ସାମାଜିକ
ନିୟନ୍ତ୍ରଣ । ଏଣୁ ଏ କାଳର ଶୈକ୍ଷଣିକ
ପଦ୍ଧତି ମଧ୍ୟ ଶାସନ କଳ ଦ୍ୱାରା
ବହୁଳ ମାତ୍ରାରେ ନିୟନ୍ତ୍ରିତ
ହୋଇ ରହୁଥିଲା । ଶିକ୍ଷାଦାନ ଶିଶୁ
ମନରେ ଉତ୍ସୁକତା ଜାଗ୍ରତ କରାଇବାକୁ
ଅକ୍ଷମ ଥିଲା । ସ୍ୱାଧୀନତା ସଙ୍ଗ୍ରାମ
ସମୟରେ ଭାରତୀୟ ଦାର୍ଶନିକ ଓ
ଶିକ୍ଷାବିତମାନେ ଏକ ନୂତନ ଶିକ୍ଷା
ବ୍ୟବସ୍ଥାର ରୂପରେଖ କଳ୍ପନାରେ
ଲାଗିପଡିଲେ ।
ଯେଉଁମାନେ
ଭାରତୀୟ ଜାତୀୟତାର ପ୍ରଚ୍ଛଦରେ
ଥିବା ଭାରତୀୟ ଆଧ୍ୟାତ୍ମିକତା
ଓ ପାଶ୍ଚାତ୍ୟ ବସ୍ତୁବାଦୀ ସଭ୍ୟତା
ଭିତରେଥିବା ପାର୍ଥକ୍ୟକୁ ଭିତ୍ତିକରି
ଏକ ପୁନଃଉତ୍ଥାନବାଦୀ ଧାରାର
ଆବାହକ ଥିଲେ,
ସେମାନେ
ଶିକ୍ଷା ବ୍ୟବସ୍ଥାରେ ମଧ୍ୟ
ଆଧ୍ୟାତ୍ମିକତାର ଭୂମିକା ଉପରେ
ଜୋର ଦେଲେ । ସ୍ୱାମୀ ବିବେକାନନ୍ଦ
ଓ ଶ୍ରୀ ଅରବିନ୍ଦ ଘୋଷଙ୍କର ଶିକ୍ଷା
ଦର୍ଶନରେ ଆମେ ପୁନଃଉତ୍ଥାନବାଦୀ
ଜାତୀୟତା ଓ ଆଧୁନିକ ଶିକ୍ଷଣ
ବିଦ୍ୟା,
ଏ
ଉଭୟ ଆଦର୍ଶ ଦେଖିବାକୁ ପାଉ ।
କିନ୍ତୁ ଗାନ୍ଧିଜୀ ଓ ରବୀନ୍ଦ୍ରନାଥ
ଠାକୁରଙ୍କର ଦୃଷ୍ଟିକୋଣ ସ୍ୱାଧୀନ
ଭାରତର ଔଦ୍ୟୋଗୀକରଣର ସମ୍ଭାବନାଗୁଡିକୁ
ଆଖି ଆଗରେ ରଖି ପ୍ରସ୍ତୁତ ହୋଇଥିଲା
। ରବୀନ୍ଦ୍ରନାଥ ୟୁରୋପୀୟ ପରମ୍ପରାର
ଆଧୁନିକ ମାନବବାଦୀ ଶିକ୍ଷାରୁ
ଉପାଦାନ ସଙ୍ଗ୍ରହ କରି ଏକ ମୁକ୍ତିକାମୀ
ଶୈକ୍ଷଣିକ ପଦ୍ଧତିର ରଚନା କଲେ
। ଏହାର କେନ୍ଦ୍ରବିନ୍ଦୁ ଥିଲା
ଶୈଶବ । ଦାର୍ଶନିକ ଡେୱି ଓ ଶିକ୍ଷାବିତ
ମଣ୍ଚେସରିଙ୍କ ଆଦିଙ୍କ ଦ୍ୱାରା
ଅନୁପ୍ରାଣିତ ହୋଇ ସେ ଏପରି ଏକ
ଶିକ୍ଷା ଦର୍ଶନ ବାଢିଦେଲେ ଯେଉଁଥିରେ
ଶିକ୍ଷକଙ୍କ ମୂଳ କର୍ତ୍ତବ୍ୟଥିଲା
ଶିଶୁମାନେ ସୃଜନାତ୍ମକ କାର୍ଯ୍ୟକଳାପରେ
ବ୍ରତୀ ହୋଇପାରିବା ଭଳି ଏକ ପରିବେଶର
ବିକାଶ । ତାଙ୍କର ଆକ୍ଟିଭିଟି-ଭିତ୍ତିକ
ପାଠ୍ୟକ୍ରମରେ ଶିଶୁର ଉତ୍ସୁକତା,
ସୃଜନଶୀଳତା
ଓ ସ୍ୱୟଂଚାଳିତ ହେବାର କ୍ଷମତା
ପ୍ରତି ବିଶେଷ ଗୁରୁତ୍ୱ ରହିଥିଲା
।
ଗାନ୍ଧିଜୀଙ୍କ
ପ୍ରସ୍ତାବ ‘ନୟୀ ତାଲିମ୍’ ନାମରେ
ଜଣାଶୁଣା । ସେ ଆଞ୍ଚଳିକ ହସ୍ତକର୍ମ
ଓ ହସ୍ତଶିଳ୍ପ ମାଧ୍ୟମରେ ଶିକ୍ଷାଲାଭକୁ
ପ୍ରାଧାନ୍ୟ ଦେଲେ । ଏହି ପ୍ରସ୍ତାବ
ଇଂରେଜମାନେ ଚଳାଇଥିବା ଅତ୍ୟଧିକ
କେନ୍ଦ୍ରିଭୂତ ପାଠ୍ୟକ୍ରମ ଓ
ଶୈକ୍ଷଣିକ ପ୍ରଣାଳୀର ବିପରୀତ
ଥିଲା । ‘ନୟୀ ତାଲିମ୍’ ର ଶିକ୍ଷା
ପଦ୍ଧତି ବିଦ୍ୟାଳୟ ଶିକ୍ଷାକୁ
ଶିଶୁର ସାମାଜିକ ଜୀବନ ସହ ଯୋଡି
ପାରିଥିଲା । ଶିକ୍ଷକଙ୍କ ଦକ୍ଷତା,
ଆଞ୍ଚଳିକ
ବିଦ୍ୟା ଓ କର୍ମ ମାଧ୍ୟମରେ
ବିଦ୍ୟାର୍ଜନ ଥିଲା ଗାନ୍ଧୀଙ୍କ
ପ୍ରସ୍ତାବର ଆଧାରଶୀଳା । ଏହିସବୁ
ପ୍ରଗତିବାଦୀ ଶୈକ୍ଷଣିକ ପଦ୍ଧତିଗୁଡିକୁ
ନେଇ ମଧ୍ୟବିତ୍ତ ଓ ଉଚ୍ଚବର୍ଗୀୟ
ବ୍ୟକ୍ତିମାନଙ୍କ ପ୍ରୋତ୍ସାହନରେ
ବେସରକାରୀ ବିଦ୍ୟାଳୟ କିଛି
ଗଢିଉଠିଲା ।
ସରକାରୀ
ନୀତି ନିର୍ଦ୍ଧାରଣ ସ୍ତରରେ
ଶିଶୁ-କୈନ୍ଦ୍ରିକ
ଶିକ୍ଷା ସମ୍ବନ୍ଧୀୟ ଚିନ୍ତନର
ପ୍ରଥମ ସ୍ପଷ୍ଟ ସଙ୍କେତ ମିଳେ
୧୯୮୬ ମସିହାର ଜାତୀୟ ଶିକ୍ଷାନୀତିରେ
। ସ୍ୱାଧୀନତା ପରବର୍ତ୍ତୀ ତିନି
ଦଶକରେ ପ୍ରାଥମିକ ଶିକ୍ଷା ପ୍ରସାରିତ
ହୋଇଛି । ଯଦିଓ ୧୯୮୧ର ଜନଗଣନା
ତଥ୍ୟ ହିସାବରେ ସାକ୍ଷରତା ହାର
ମାତ୍ର ୪୩.୭
ପ୍ରତିଶତ ଥିଲା । ଏହି ପରିପ୍ରେକ୍ଷୀରେ
୧୯୮୬ର ଶିକ୍ଷାନୀତିରେ ପ୍ରାଥମିକ
ଶିକ୍ଷାକୁ ସାର୍ବଜନୀନ କରିବା
ପାଇଁ ଓ ଶିକ୍ଷାର ଗୁଣାତ୍ମକ ମାନ
ବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତ
ହୁଏ । ସେହି ଯୋଜନାରୁ ଜନ୍ମ ନିଏ
ଅପରେସନ୍ ବ୍ଲାକବୋର୍ଡ:
ବିଦ୍ୟାଳୟଗୁଡିକୁ
ସର୍ବନିମ୍ନ ସାଧନ ଯୋଗାଇ ଦେବାପାଇଁ
;
ତଥା
ଜିଲ୍ଲାସ୍ତରୀୟ ଶିକ୍ଷା ଓ ପ୍ରଶିକ୍ଷଣ
ସଂସ୍ଥା,
ଶିକ୍ଷକଙ୍କ
ପ୍ରଶିକ୍ଷଣ ପାଇଁ ।
ପ୍ରାଥମିକ
ଶିକ୍ଷାରେ ଶିଶୁ-କୈନ୍ଦ୍ରିକ
ଓ.
ଆକ୍ଟିଭିଟି-ଭିତ୍ତିକ
ଶୈଳୀ ଆପଣେଇ ନେବା ପାଇଁ ଶିକ୍ଷାନୀତି
ପରାମର୍ଶ ଦେଲେ । ଏହା ସହିତ ରହିଥିଲା
ଦଣ୍ଡମୁକ୍ତ ଶିକ୍ଷାଦାନ,
ଶିଶୁଙ୍କୁ
ପରୀକ୍ଷାରେ ପାସ୍-ଫେଲ୍
ର ଜଞ୍ଜାଳରୁ ମୁକ୍ତ କରିବା,
ମୂଲ୍ୟାଙ୍କନ
ବ୍ୟବସ୍ଥାରେ ସଂସ୍କାର ଆଣିବା,
ଶିଶୁଙ୍କ
ସୁବିଧା ଅନୁସାରେ ବିଦ୍ୟାଳୟ ସମୟ
ସାରଣୀ ପ୍ରସ୍ତୁତ କରିବା ଇତ୍ୟାଦି
ଆଲୋଚନା । ଏଥିରେ ମୁଖ୍ୟବିନ୍ଦୁଟି
ଏଇ ଯେ,
ଶିଶୁଙ୍କୁ
ଅବୋଧ ଓ ଅଜ୍ଞାନ ମନେକରି ଶିକ୍ଷାନୀତି
ପ୍ରସ୍ତୁତ କରିବା ପରମ୍ପରାରେ
ପୂର୍ଣ୍ଣଚ୍ଛେଦ ପକାଇ ଶିଶୁଙ୍କୁ
ଉତ୍ସୁକ ବିଦ୍ୟାର୍ଥୀ ରୂପେ କଳ୍ପନା
କରି ପ୍ରସ୍ତାବମାନ ପରିବେଷିତ
ହୋଇଥିଲା । ଜଣେ ବିଦ୍ୟାର୍ଥୀ
ନିଜ ସୁବିଧା ଅନୁସାରେ ଶିଖୁ,
ନିଜ
ବେଗରେ ଶିଖୁ ଓ ନିଜେ ଶିଖିବା
ଶିଖୁ;
ଏକଛତ୍ରବାଦୀ
ଶିକ୍ଷକଙ୍କ ଛାଟ ଅବା ବାର୍ଷିକ
ପରୀକ୍ଷାରେ ଫେଲ୍ ହେବା ଭୟରେ
ନୁହେଁ । କିନ୍ତୁ ଏହି ଶିକ୍ଷାନୀତିରେ
ଶିଶୁ-କୈନ୍ଦ୍ରିକ
ଶିକ୍ଷାର ତତ୍ତ୍ୱ-ଦର୍ଶନ
ବିଶେଷ କିଛି ନଥିଲା । କାରଣ ନୀତି
ନିର୍ଦ୍ଧାରକଙ୍କ ଲକ୍ଷ୍ୟ ଥିଲା
ବିଦ୍ୟାଳୟରେ ନାମଲେଖା ଓ ଉପସ୍ଥାନରେ
ବୃଦ୍ଧି ।
୧୯୯୮ରେ
ଜାତୀୟ ପାଠ୍ୟଚର୍ଯ୍ୟା ଖସଡ଼ା
ବା ଜା.ପା.ଖ.
(ନାଶନାଲ
କରୁକୁଲମ ଫ୍ରେମୱର୍କ)
ପ୍ରସ୍ତୁତ
କରାଗଲା । ଏଥିରେ
୧୯୮୬
ଶିକ୍ଷାନୀତିର ସିଦ୍ଧାନ୍ତଗୁଡିକୁ
କାର୍ଯ୍ୟକାରୀ କରିବା ନିମନ୍ତେ
ମାର୍ଗଦର୍ଶନ ରହିଥିଲା । ଶିଶୁଙ୍କୁ
ପାଠ୍ୟକ୍ରମ ପ୍ରସ୍ତୁତି ଓ ଶିକ୍ଷାଦାନ
ଯୋଜନାର କେନ୍ଦ୍ରରେ ରଖିପାରିଲେ
ହିଁ ଶିକ୍ଷା ଦ୍ୱାରା ଶିଶୁର
ବ୍ୟକ୍ତିତ୍ୱ ବିକାଶ ସମ୍ଭବ ହେବ,
ଏଇ
ବିଶ୍ୱାସ ସହିତ,
ଶିଶୁ
ପାଇଁ ଯଥୋଚିତ ସମ୍ମାନ ଓ ଶିଶୁର
ଆବଶ୍ୟକତା,
ଆଗ୍ରହ
ଓ ଦକ୍ଷତା ଇତ୍ୟାଦି ବିଷୟ ପ୍ରତି
ସଚେତନତା ସୃଷ୍ଟି କରାଗଲା
। ଏହା
ହେଉଛି ଶିଶୁ ପ୍ରତି ଏକ ମାନବିକ
ଦୃଷ୍ଟିକୋଣ । ଶିକ୍ଷାଦାନ ବେଳେ
ଶିଶୁ-କୈନ୍ଦ୍ରିକ
ହେବାର ଅର୍ଥ କଅଣ ତାହାର ମଧ୍ୟ
ବିସ୍ତୃତ ବର୍ଣ୍ଣନା ଜା.ପା.ଖ.
ରେ
ଦିଆଗଲା । ଶିକ୍ଷକଙ୍କୁ ସହାୟକର
ଭୂମିକା ତୁଲାଇବାକୁ ହେବ ।
ଶିକ୍ଷକଙ୍କ ଭାଷଣ ଓ ବିଦ୍ୟାର୍ଥୀଙ୍କ
ଘୋଷା ରେ ପରିବର୍ତ୍ତନ ଆଣିବାକୁ
ହେବ । ଶିଶୁର ସ୍ୱାଧୀନ ଚିନ୍ତାଧାରା,
ଉତ୍ସୁକତା,
ଯୋଜନା
କରିବାର ଓ ସମସ୍ୟା ସମାଧାନ
କରିବାର ଦକ୍ଷତା ହେବ ଶିକ୍ଷକଙ୍କର
ଫୋକସ୍ ।
ଜା.ପା.ଖ.
ଦ୍ୱାରା
ଶିଶୁ-କୈନ୍ଦ୍ରିକ
ଚିନ୍ତାଧାରା ପ୍ରସାରିତ ହୋଇଥିଲେ
ମଧ୍ୟ ଶିଶୁଠାରୁ ଆଶା କରାଯାଉଥିବା
ପରିଣାମ ସବୁ ପୂର୍ବ ପରି ସଂକୀର୍ଣ୍ଣ
ରହିଲା । ୧୯୯୧ରେ ମାନବ ସମ୍ବଳ
ବିକାଶ ମନ୍ତ୍ରଣାଳୟ ଦ୍ୱାରା
ପ୍ରକାଶିତ ହେଲା ମିନିମମ୍ ଲେଭେଲସ୍
ଅଫ୍ ଲର୍ଣ୍ଣିଙ୍ଗ୍ ଆଟ୍ ପ୍ରାଇମେରୀ
ଷ୍ଟେଜ୍ (ଏମ୍.ଏଲ୍,ଏଲ୍)
ଶୀର୍ଷକ
ଏକ ଦସ୍ତାବେଜ ଯେଉଁଥିରେ
ବିଦ୍ୟାର୍ଥୀମାନଙ୍କ ଠାରୁ ଆଶା
କରାଯାଉଥିବା ଦକ୍ଷତା ସବୁ ଶ୍ରେଣୀ
ଓ ବିଷୟ ଅନୁସାରେ ବିସ୍ତୃତ ଭାବେ
ଦିଆଯାଇଥିଲା । ଯଦିଓ ଏହି ଦସ୍ତାବେଜଟି
ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି
ପାଇଁ ଓ ବିଦ୍ୟାଳୟସ୍ତରରେ
ମାର୍ଗଦର୍ଶନ ଓ ଉତ୍ତରଦାୟିତ୍ୱ
ବଢାଇବା ପାଇଁ ଉଦ୍ଦିଷ୍ଟ ବୋଲି
କୁହାଗଲା,
ଏହାର
ଦୃଢ ଢାଞ୍ଚା ଶିଶୁ-କୈନ୍ଦ୍ରିକ
ଶିକ୍ଷା ଆଦର୍ଶର ବିରୋଧୀ ଥିଲା
।
ଏଣେ
୧୯୮୬ ଶିକ୍ଷିାନୀତି ପ୍ରଣୟନ
ପରବର୍ତ୍ତୀ ଆଲୋଚନାମାନଙ୍କରେ
ପାଠ୍ୟକ୍ରମର ଭାର କଥାଟି ମଧ୍ୟ
ପଦାକୁ ଆସିଲା । ଅଯଥା ବିସ୍ତୃତ
ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ
ଉପରେ ଅନାବଶ୍ୟକ ଗୁରୁତ୍ୱ ଶୈଶବକୁ
ଭାରାକ୍ରାନ୍ତ କରି ରଖିଥିଲା ।
୧୯୯୩ ରେ ପ୍ରକାଶିତ ୟଶପାଲ କମିଟି
ରିପୋର୍ଟ ‘ଲର୍ଣ୍ଣିଙ୍ଗ୍ ଉଇଦାଉଟ୍
ବର୍ଡନ୍’ ଏ ବିଷୟରେ ସବିଶେଷ
ଆଲୋଚନା ବାଢିଲେ । କେମିତି ଆମର
ତଥ୍ୟ ଦ୍ୱାରା ଭାରାକ୍ରାନ୍ତ
ପାଠ୍ୟପୁସ୍ତକ ସବୁ ଓ ତାହା ଉପରେ
ତଥ୍ୟ ସମ୍ବଳିତ ପରୀକ୍ଷାର ଜଞ୍ଜାଳ
ଏକ ଆନନ୍ଦବିହୀନ ଶିକ୍ଷାର ପରମ୍ପରା
ସୃଷ୍ଟି କରିଛି,
ଏହା
ଥିଲା ଏ ରିପୋର୍ଟ ର ମୁଖ୍ୟ ବିଷୟବସ୍ତୁ
।
ୟଶପାଲ
କମିଟି ଶ୍ରେଣୀଗୃହର କାରବାରରେ
ଆନନ୍ଦ ଓ ଅନୁସନ୍ଧାନ ମନୋବୃତ୍ତି
ଉପରେ ଧ୍ୟାନ ଦେବାପାଇଁ ଉପଦେଶ
ଦେଲେ । ଶିଶୁର ନିଜସ୍ୱ ପରିବେଶ,
ଅନୁଭବ,
ଭାବାବେଗ
ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।
ଏହା ହେଉଛି ଶିଶୁ ପ୍ରତି ଏକ
ଭାବାତ୍ମକ ଦୃଷ୍ଟିକୋଣ । ଅଥଚ
ଶିକ୍ଷା ପ୍ରଶାସନର ବୋଝରେ ଚାପି
ହୋଇ ରହିଥିବା ଶିକ୍ଷକ ଓ ଇଂରେଜ
କାଳରୁ ଚାଲି ଆସିଥିବା ଅଭ୍ୟାସ
ଓ ପରମ୍ପରା ସବୁ ୟଶପାଲ ରିପୋର୍ଟ
କାର୍ଯ୍ୟକାରୀ ହେବା ଦିଗରେ ସହାୟକ
ହେଲେ ନାହିଁ । ବରଂ ୨୦୦୦ ମସିହାରେ
ଭାଜପା ସରକାର ହିନ୍ଦୁତ୍ତ୍ୱ ର
ଢ଼ାଞ୍ଚାରେ ଏନ୍.ସି.ଏଫ୍
ର ପୁନର୍ଲିଖନ କରାଇଦେଲେ । ଏହି
ସଂସ୍କରଣର ପୃଷ୍ଠଭୂମିରେ ରହିଲା
ଜାତୀୟତା,
ତଥାକଥିତ
ଆଧ୍ୟାତ୍ମିକତା ଓ ନୈତିକତାର
ଉଦ୍ରେକ ପାଇଁ ଶିକ୍ଷାର ଭୂମିକା
। ଶିକ୍ଷାର ସାମାଜିକ ଲକ୍ଷ୍ୟ
ବଦଳି ଗଲା । କିନ୍ତୁ ଶିଶୁ-କୈନ୍ଦ୍ରିକ
ଶିକ୍ଷା ସମ୍ବନ୍ଧୀୟ ଆଲୋଚନା
ଅପରିବର୍ତ୍ତିତ ରହିଲା । ଅବଶ୍ୟ
ଏ ଆଲୋଚନା ଏତେ ସୂକ୍ଷ୍ମ ରୂପ ଧାରଣ
କରିସାରିଥିଲା ଯେ ଶିକ୍ଷା ବ୍ୟବସ୍ଥା
ଏଥିରୁ ପ୍ରେରଣା ପାଇବା ସମ୍ଭବପର
ହେଲାନାହିଁ ।
ଶିଶୁ-କୈନ୍ଦ୍ରିକ
ଆଦର୍ଶ ପ୍ରଥମ ଥର ପାଇଁ କିଛି
ମାତ୍ରାରେ ଯୋଜନାବଦ୍ଧ ହୋଇଥିଲା
ଡିଷ୍ଟ୍ରିକ୍ଟ ପ୍ରାଇମେରୀ
ଏଜୁକେଶନ୍ ପ୍ରୋଗ୍ରାମ୍ (ଡି.ପି.ଇ.ପି.)
।
ଏହି କାର୍ଯ୍ୟକ୍ରମ ବିଶ୍ୱ ବ୍ୟାଙ୍କ
ଓ ଆଉ କିଛି ଆନ୍ତର୍ଜାତୀୟ
ସଂସ୍ଥାମାନଙ୍କର ପୁଞ୍ଜି ଓ ଆଦେଶର
ନିୟନ୍ତ୍ରଣରେ ଥିଲା । ଆଞ୍ଚଳିକ
ସଂସାଧନ କେନ୍ଦ୍ର,
ଶିକ୍ଷକଙ୍କ
ପ୍ରଶିକ୍ଷଣ,
ଭିତ୍ତିଭୂମିର
ବିକାଶ ଇତ୍ୟାଦି ଏହି ଯୋଜନାର
ଅନ୍ତର୍ଗତ ଥିଲା । ଏହା ସହିତ
ଆକ୍ଟିଭିଟି-ଭିତ୍ତିକ
ଶିକ୍ଷାଦାନ ଓ ଆନନ୍ଦମୂଳକ ଶିକ୍ଷା
ଇତ୍ୟାଦି ଆଦର୍ଶ ମଧ୍ୟ ବିଭିନ୍ନ
ପ୍ରକଳ୍ପର ରୂପ ନେଲା । ପରବର୍ତ୍ତୀ
କାଳରେ ଏହି ପ୍ରକଳ୍ପଗୁଡ଼ିକୁ
ସର୍ବ ଶିକ୍ଷା ଅଭିଯାନରେ ସାମିଲ
କରାଗଲା । ଡି.ପି.ଇ.ପି
ର ମୂଖ୍ୟ ଚେଷ୍ଟା ଥିଲା ପାଠ୍ୟପୁସ୍ତକରେ
ପରିବର୍ତ୍ତନ ମାଧ୍ୟମରେ ଶିକ୍ଷା
ବ୍ୟବସ୍ଥାରେ ସଂସ୍କାର ଆଣିବା
। ତାହା ମଧ୍ୟ ଏମ୍.ଏଲ୍.ଏଲ୍.
କୁ
ଆଖି ଆଗରେ ରଖି । ଏଣୁ ଶିକ୍ଷକ,
ବିଦ୍ୟାର୍ଥୀ
ଓ ଶ୍ରେଣୀଗୃହ ମଧ୍ୟରେ ଥିବା ଜଟିଳ
ସମ୍ପର୍କଟି ସମ୍ପୂର୍ଣ୍ଣ ଅଣଦେଖା
ହୋଇଗଲା ।
ଡି.ପି.ଇ.ପି.
ର
ପ୍ରତିଶୃତି ଓ ପରିଣାମ ଭିତରେ
ଥିବା ବ୍ୟବଧାନକୁ କମାଇବା ପାଇଁ
ପୁନର୍ବିଚାରର ଆବଶ୍ୟକତା ପଡିଲା
। ଏଥିରୁ ଜନ୍ମ ନେଲା ୨୦୦୫ ମସିହାର
ଜା.ପା.ଖ.
।
ନୂତନ ଜା.ପା.ଖ.
ସମାଜ
ଗଠନର ସାମ୍ବିଧାନିକ ଆଦର୍ଶ
ଆପଣାଇଲା । ଏଥିରେ ପାଠ୍ୟକ୍ରମ
ସଂସ୍କାରରେ ଆସୁଥିବା ଢାଞ୍ଚାଗତ
ଓ ତତ୍ତ୍ୱଗତ ସମସ୍ୟାଗୁଡ଼ିକ
ଆଲୋଚିତ ହେଲା । ଏହି ବିଷୟଗୁଡିକ
ହେଲା ଶିକ୍ଷାର ସାମାଜିକ ସନ୍ଦର୍ଭ,
ଶିକ୍ଷାର
ପରିବେଶ,
ବିଦ୍ୟାର
ନିର୍ମାଣ,
ଶିଖିବାର
ପ୍ରକ୍ରିୟା,
ଶିକ୍ଷକଙ୍କ
ଶିକ୍ଷା,
ପରୀକ୍ଷା
ଢାଞ୍ଚା ଓ ଶିକ୍ଷା ପ୍ରଶାସନରେ
ସୁଧାର ଇତ୍ୟାଦି । ପୂର୍ବରୁ ଶିଶୁର
ଗ୍ରହଣଶୀଳତା ଉପରେ ଜୋର ଦିଆଯାଉଥିଲା
। ନୂତନ ଜା.ପା.ଖ.ରେ
ଶିଶୁକୁ ଜଣେ ସକ୍ରିୟ ଓ ସୃଜନଶୀଳ
ବ୍ୟକ୍ତି ରୂପରେ ଦେଖାଗଲା ।
ଶିଶୁ-କୈନ୍ଦ୍ରିକ
ଶିକ୍ଷାର ଅର୍ଥ ଶିକ୍ଷଣ ପ୍ରକ୍ରିୟାରେ
ଶିଶୁର ଅନୁଭବ,
ଶିଶୁର
ସ୍ୱର ଓ ଶିଶୁର ସକ୍ରିୟ ଅଂଶଗ୍ରହଣ
। ଶିଶୁର ମାନସିକ ବିକାଶ ଓ ଆଗ୍ରହକୁ
ଆଖି ଆଗରେ ରଖି ଶିକ୍ଷାଦାନ ଯୋଜନା
ପ୍ରସ୍ତୁତ କରିବାକୁ ହେବ ।
ବିଦ୍ୟାଳୟର ଶିକ୍ଷାକୁ ବିଦ୍ୟାଳୟ
ବାହାରେ ଶିଶୁର ଜୀବନ ସହ ଯୋଡିବାକୁ
ହେବ । ଘୋଷା ବିଦ୍ୟା ଓ
ପାଠ୍ୟପୁସ୍ତକ-କୈନ୍ଦ୍ରିକ
ନ ହୋଇ ଶିଶୁର ସାମଗ୍ରିକ ବିକାଶ
ଦିଗରେ ଧ୍ୟାନ ଦେବାକୁ ହେବ ।
ଜା.ପା.ଖ.
୨୦୦୫
ଶିଶୁ-କୈନ୍ଦ୍ରିକ
ଶିକ୍ଷା ଦିଗରେ ନୂଆ ଦୃଷ୍ଟିକୋଣ
ରଖିଛି ଓ ନୂଆ ସମ୍ଭାବନାର ଦ୍ୱାର
ଖୋଲିଦେଇଛି । ଏବେ ଶିକ୍ଷକଙ୍କର
ଭୂମିକାକୁ ପାଠ୍ୟକ୍ରମର ବନ୍ଧନରୁ
ମୁକୁଳାଇ,
ଶିଖିବା-ଶିଖେଇବାର
ପ୍ରକ୍ରିୟାରେ ଗୁରୁତର ଭାବେ
ଜଡିତ ଜଣେ ଜଣେ ଶିକ୍ଷାବିତ ରୂପେ
ପୁନର୍ଗଠନ କରିବାର ସମୟ ଆସିଛି
।