Sunday, April 30, 2017

ପର୍ବତରେ ଧର୍ମୋପଦେଶ - ୧୪


ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ଲିଙ୍କନ ପ୍ରଥମ ଥର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣରେ
ବ୍ୟବହାର କରିଥିବା ବାଇବେଲ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସେ ପର୍ବତରୁ ଓହ୍ଲାଇଲା ଉତ୍ତାରେ ଅପାର ଲୋକମାନେ ତାହାଙ୍କ ପଛେ ପଛେ ଗମନ କଲେ ।  ଆଉ ଦେଖ, ଜଣେ କୁଷ୍ଠୀ ଆସି ତାହାଙ୍କୁ ଭଜନା କରି କହିଲା, ହେ ପ୍ରଭୁ, ଯେବେ ଆପଣଙ୍କର ଇଚ୍ଛା ହୁଏ, ତେବେ ମୋତେ ପରିଷ୍କୃତ କରି ପାରନ୍ତି । ଯୀଶୁ ହାତ ବଢ଼ାଇ ତାହାକୁ ଛୁଇଁ କହିଲେ, ଆମ୍ଭର ଇଚ୍ଛା ଅଛି ପରିଷ୍କୃତ ହୁଅ; ସେହି କ୍ଷଣରେ ସେ ଆପଣା କୁଷ୍ଠରୁ ମୁକ୍ତ ହେଲା । ଅନନ୍ତର ଯୀଶୁ ତାହାକୁ କହିଲେ, ସାବଧାନ, ଏହା କାହାକୁ କୁହ ନାହିଁ; ମାତ୍ର ଯାଜକ ନିକଟକୁ ଯାଇ ଆପଣାକୁ ଦେଖାଅ, ପୁଣି ଲୋକମାନଙ୍କ ନିକଟରେ ପ୍ରମାଣ ଦେବା ନିମନ୍ତେ ମୋଶାଙ୍କ ଦ୍ୱାରା ନିରୂପିତ ନୈବେଦ୍ୟ ଉତ୍ସର୍ଗ କର ।

ଯୀଶୁ କଫର୍ନାହୁମ ନଗରରେ ପ୍ରବେଶ କଲାଉତ୍ତାରେ ଜଣେ ଶତସେନାପତି ତାହାଙ୍କ ନିକଟକୁ ଆସି ବିନତିପୂର୍ବକ କହିଲେ, ହେ ପ୍ରଭୁ, ମୋହର ଦାସ ପକ୍ଷାଘାତ ବ୍ୟାଧିରେ ପୀଡ଼ିତ ହୋଇ ଗୃହରେ ଶଯ୍ୟାଗତ ଅଛି । ଯୀଶୁ କହିଲେ, ଆମ୍ଭେ ଯାଇ ତାହାକୁ ସୁସ୍ଥ କରିବା । ସେହି ସେନାପତି ତାହାଙ୍କୁ କହିଲେ, ପ୍ରଭୋ, ଆପଣ ଯେ ମୋ ଗୃହକୁ ଆସିବେ, ଏପରି ଯୋଗ୍ୟ ମୁଁ ନୁହେଁ; କଥା ମାତ୍ର ଆଜ୍ଞା କରନ୍ତୁ, ତହିଁରେ ମୋହର ଦାସ ସୁସ୍ଥ ହେବ । ଯେହେତୁ ମୁଁ ନିଜେ ପରାଧୀନ ହେଲେ ହେଁ ମୋ ଅଧୀନରେ ଥୋକାଏ ସେନା ଅଛନ୍ତି । ଜଣକୁ ଯାଅ କହିଲେ ସେ ଯାଏ; ଅନ୍ୟକୁ ଆସ କହିଲେ ସେ ଆସେ, ଆଉ ମୋହର ଦାସକୁ ଏହି କର୍ମ କର କହିଲେ ସେ ତାହା  କରେ । ଯୀଶୁ ଏହା ଶୁଣି ଚମତ୍କୃତ ହୋଇ ଆପଣା ପଶ୍ଚାତ୍-ଗାମୀ ଲୋକମାନଙ୍କୁ କହିଲେ, ଆମ୍ଭେ ତୁମ୍ଭମାନଙ୍କୁ ସତ୍ୟ କହୁଁ, ଇଶ୍ରାୟେଲ ମଧ୍ୟରେହେଁ ଏଡ଼େ ବଡ଼ ବିଶ୍ୱାସ ପାଇ ନାହୁଁ । ଆଉ ଆମ୍ଭେ କହୁଁ, ଅନେକ ପୂର୍ବ ଓ ପଶ୍ଚିମରୁ ଆସି ଅବ୍ରହାମ ଇସ୍ହାକ ଓ ଯାକୁବ ସହିତ ସ୍ୱର୍ଗରାଜ୍ୟରେ ଏକତ୍ର ବସିବେ । ମାତ୍ର ରାଜ୍ୟର ସନ୍ତାନମାନେ ବାହାର ଅନ୍ଧକାରରେ ପକାଯିବେ; ସେହି ସ୍ଥାନରେ କ୍ରନ୍ଦନ ଓ ଦନ୍ତର କିତିମିତି ହେବ । ଏଉତ୍ତାରୁ ସେ ଶତସେନାପତିଙ୍କୁ କହିଲେ, ଯାଅ, ତୁମ୍ଭର ବିଶ୍ୱାସାନୁସାରେ ତୁମ୍ଭ ପ୍ରତି ଘଟୁ; ତହିଁରେ ସେହିକ୍ଷଣି ତାଙ୍କର ଦାସ ସୁସ୍ଥ ହେଲା ।

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ । 

No comments:

Post a Comment