Wednesday, April 26, 2017

ଶନିବାସରୀୟ ଇତିହାସ ଚର୍ଚ୍ଚା


ଜ୍ୟୋତି ନନ୍ଦ


ଓଡ଼ିଶା ରାଜ୍ୟ ନୌବାଣିଜ୍ୟ ସଙ୍ଗ୍ରହାଳୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ହର ସାର୍ (ହର ସାର୍ ମାନେ ଓଡିଶାର ବିଶିଷ୍ଟ କବି ହରପ୍ରସାଦ ଦାସ, ରାଇଜର ଏକମାତ୍ର କବି ଯାହାଙ୍କର ସହ ସର୍ବଦା ଚିନ୍ତକ ଶବ୍ଦଟି ସଞ୍ଜୋଜିତ ହୋଇ ରହିଥାଏ । ତେଣୁ ଶ୍ରୀଯୁକ୍ତ ଦାସ ନିଜର ମୌଳିକ ଚିନ୍ତନ ଯୋଗୁ କବି ଓ ଚିନ୍ତକ ଭାବରେ ଓଡିଶାରେ ବିଖ୍ୟାତ । ) ଙ୍କ ଶନିବାରିଆ ଇତିହାସ ପଢିଲି । ଏଇ ବିଶିଷ୍ଟ ସ୍ତମ୍ଭଟି ସମ୍ପର୍କ ରେ ମୋର କିଛି ଗମ୍ଭୀର ତାତ୍ତ୍ଵିକ ଅସହମତି ଅଛି । ସେଇ କଥାକୁ ଲେଖିବାକୁ ଚାହୁଁଛି ।

ଯଦି ଲେଖାଟି ଦୀର୍ଘ ହୋଇଯାଏ ତେବେ ଦୟାକରି ଭାବିବେ ନାହିଁ ଯେ ଆପଣ ମାନଙ୍କର ଧୈର୍ଯ୍ୟର ମୁଁ ଜଣେ ଅବସରକାଳୀନ ପରୀକ୍ଷକ । ଦୟାକରି ସହିନେବେ, ଆପଣମାନଙ୍କର ଉଦାରପଣରେ । ଅତିକଥନ ଦୋଷରେ ମୁଁ ସବୁବେଳେ ଅଭିଯୁକ୍ତ । ଏଠାରେ ଯାହା ଲେଖାଯିବ ତାହା ଜଣେ ପାଠକର ଗୋଟିଏ ଖବରକାଗଜର ସ୍ତମ୍ଭରେ ପ୍ରକାଶିତ ଲେଖ ଉପରେ ଏକ ପ୍ରତିକ୍ରିୟା । ଏହି ପାଠକୀୟ ପ୍ରତିକ୍ରିୟାଟିକୁ "ଏକାଡେମିକ" ବା ଶିକ୍ଷଣ ସ୍ତରରେ ସିମୀତ ରଖିବାକୁ (ଏହାକୁ ଯଦି କେହି ବନ୍ଧୁ ଦୟାକରି ପଢିବାର କଷ୍ଟ କରୁଥାନ୍ତି) ସେମାନଙ୍କୁ ଅନୁରୋଧ କରୁଛି ।
ଆମେ ଯେଉଁମାନେ ଏଇ ଭାଷାରେ କହୁ, ଲେଖୁ, ଏଇ ପ୍ରଦେଶରେ ଜନ୍ମିଛୁ, ଆମ ସମସ୍ତଙ୍କୁ ଉତ୍ତରାଧୀକାର ସୂତ୍ରରେ ଏକ ମହାନ ସଂସ୍କୃତି, ସାହିତ୍ୟ ଓ ଭୂଗୋଳ ମିଳିଛି । ଅତି ସରଳ ଭାବରେ କହିଲେ, ଆମେ ଏଇ ସମସ୍ତ ମହାନତାକୁ ଆମ ଜଗନ୍ନାଥଙ୍କ ନିର୍ମାଲ୍ୟ ଭଳି ପ୍ରତ୍ୟହ ସେବା କରି ପରମାର୍ଥ ପ୍ରାପ୍ତ ହେବାର ଆନନ୍ଦକୁ ଭୋଗିଥାଉ । ଆମର ଜଗନ୍ନାଥରେ ବିଶ୍ୱାସ, ନିର୍ମାଲ୍ୟରେ ବିଶ୍ୱାସ, ମହାନଦୀରେ ବିଶ୍ୱାସ, ଶୁକ୍ରୁଜାନୀ ଓ ସରବୁ ସାଓଁତା ରେ ବିଶ୍ୱାସ, ଅକ୍ଷୟ ମହାନ୍ତି ଓ ରଙ୍ଗବତୀରେ ବିଶ୍ୱାସ, ମଣ୍ଡା ପିଠା ଆଉ ପାତଲ୍-ଘଣ୍ଟା ରେ ବିଶ୍ୱାସ, ବମକାଇ ଆଉ ସୋନପୁରୀରେ ବିଶ୍ୱାସ, କର୍ଲାପାଟ ଆଉ ଠାକୁରମୁଣ୍ଡା ରେ ବି ବିଶ୍ୱାସ । ଏଇ ବିଶ୍ୱାସର ବିଶାଳ ପାଟଛତି ଧରି ଆମେ ସିଧା ସଳଖ ଓହ୍ଲାଇ ଆସିଛୁ ଆମ ମାଆର ପେଟରୁ ଏଇ ଜଗନ୍ନାଥ ସଡକକୁ ।
ସେଇ ମହାର୍ଘ ବିଶ୍ୱାସର ପଟୁଆର ସହ ଛାତି ଫୁଲାଇ ଆମେ ଚାଲିଥିବୁ ଆମର ଶେଷ ଯାତ୍ରା ପର୍ଯ୍ୟନ୍ତ ।
କିନ୍ତୁ ଆମ ଭଳି ରାଜପୁତ୍ରମାନଙ୍କର ପାଟଛତି, ଲାଟଲସ୍କର ଆଉ ଉତ୍ତରାଧୀକାରର ସୁନେଲି ରାଜପଣର ବିଶ୍ୱାସଟିକୁ ଯଦି କେହି କାଠଗଡାରେ ଛିଡାକରି, 'ତମର ସବୁ ତମ୍ବା ସନନ୍ଦକୁ ପେଡିରୁ ବାହାର କରି ନିଜ ଯୋଗ୍ୟତାର ପ୍ରମାଣ ଦେଖାଅ', ବୋଲି କହିଲେ ଆମେ କ୍ଷୁବ୍ଧ ହୋଇଯାଉ । ପ୍ରଶ୍ନ ସହ ସବୁବେଳେ ଅଶ୍ୱସ୍ତି ଜଡିତ । ଆମେ ଭଲ ପ୍ରଶ୍ନ ବୋଲି ତାହାକୁ କହିଥାଉ, ଯେଉଁ ପ୍ରଶ୍ନର ଉତ୍ତର ଦେବାରେ ଆମେ ଅଭ୍ୟସ୍ତ । ଅବା, ଆମେ କହିବା କଥାକୁ କିଏ ଯେମିତି ଆଗତୁରା ଜାଣିପାରି ଆମକୁ ନିସଙ୍କୋଚରେ ସେଇ କଥାଟିକୁ କହିବାର ସୁଯୋଗ ଟିଏ କରି ଦେଉଛି । ଏମିତିରେ କହିଲେ ଭଲ ପ୍ରଶ୍ନ ଆଦୌ ପ୍ରଶ୍ନ ନୁହଁ ।
ଆମେ ଯେତେବେଳେ କାହାର ଇତିହାସ ପଢିଥାଉ, ସେତେବେଳେ ଅସଲରେ ତାହାର ପରିବର୍ତ୍ତନର ଧାରାବାହିକତା କୁ ହିଁ ଦେଖିଥାଉ । ତେଣୁ ଇତିହାସ ମୂଖ୍ୟତଃ ପରିବର୍ତ୍ତନର ସୂଚନା ଦେଇଥାଏ । ଜଣକର ପରିବର୍ତ୍ତନ ସବୁବେଳେ ମନମୁତାବକ ଆଉ ସୁଖକର ହୋଇନଥାଏ । ଆମର ବ୍ୟକ୍ତିଗତ ଜୀବନରେ ଦେଖିଲେ, ପରିବର୍ତ୍ତନଗୁଡିକ ପ୍ରାୟତଃ ବାହ୍ୟ କାରଣମାନଙ୍କର ଯୋଗୁ ଘଟିଥାଏ । ବ୍ୟକ୍ତି ପାଇଁ ଆମେ ଇତିହାସକୁ ଯେମିତି ବୁଝିବା, ଗୋଟିଏ ଦେଶ ପାଇଁ ଇତିହାସ ଠିକ୍ ସେମିତି । ଆମ ପ୍ରଦେଶଟି କୌଣସି କାଳ ନିରପେକ୍ଷ ଦ୍ୱୀପଖଣ୍ଡଟିଏ ନୁହେଁ, ଯେ ଏହାର ଇତିହାସ "ସୁଇ ଜେନେରିସ୍" ବା ସ୍ୱୟଂଭୁ ହେବ । ଏହା ପୃଥିବୀର ଅନ୍ୟାନ୍ୟ ଅ଼ଞ୍ଚଳ ପରି ବାହ୍ୟ କାରଣ ଦ୍ୱାରା ପ୍ରଭାବିତ ହେବାକୁ ବାଧ୍ୟ ।
ଆମର ପ୍ରଦେଶର ବିଶ୍ୱାସ ବନାମ ଇତିହାସକୁ ଏକ ସଙ୍କଟ ରୂପରେ ହର ସାର୍ ତାଙ୍କର ଲେଖାରେ ସବୁବେଳେ ତେଜିବା କାମଟି କରିଆସିଛନ୍ତି । ତାଙ୍କର ମୌଳିକ ଚିନ୍ତନକୁ ତାଙ୍କର ଲେଖରୁ ମୁଁ ଯେତିକି ବୁଝିପାରେ (ତାଙ୍କ ଭଳି ଓଡିଶା ପ୍ରସିଦ୍ଧ ଚିନ୍ତକଙ୍କୁ ସଠିକ ବୁଝିବା ଆମ ଭଳି ଅପୋଗଣ୍ଡମାନଙ୍କ ନିମନ୍ତେ ସେତେ ସହଜ ନୁହେଁ), ତାହା ହେଉଛି ଯେ, ଓଡିଶାର ଗୌରବାଜ୍ଜଳ ଐତିହାସିକତାର ସଠିକ ଉପସ୍ଥାପନ କରାଯାଇନାହିଁ । ଏହା କେବଳ ଓଡିଆମାନଙ୍କର ଅଳ୍ପକେ ସନ୍ତୁଷ୍ଟ ଓ ଭଗବତ୍ ପ୍ରେମର ଜୀବନଯାପନ ଯୋଗୁ ଘଟିଅଛି ବୋଲି ହର ସାର୍ ଚରମ ଅସନ୍ତୁଷ୍ଟ ହୋଇ ବାରମ୍ବାର ଲେଖିଛନ୍ତି । 
ହର ସାର୍ ଙ୍କର ଅନ୍ୟ ଏକ କ୍ଷୋଭର କାରଣ ଓଡିଶାର ଐତିହାସିକ ମାନେ । ସେମାନଙ୍କର ହର ସାର୍ ଯେମିତି ଭାବନ୍ତି, ସେମିତି ଭାବିବାରେ ନିର୍ଘାତ ଅନାଗ୍ରହ । ଭାରତର ଇତିହାସରେ ଓଡିଶା ଇତିହାସ ପାଇଁ ଦୁଇ ତିନି ପୃଷ୍ଠାର ବରାଦ ରହିଲେ ସାର୍ ଙ୍କର ଘୋର ଆପତ୍ତି । ସାର୍ କଥା କଥାକେ ସ୍ଥାନୀୟତା ଆଉ କେନ୍ଦ୍ର କଥା ଉଠାନ୍ତି । ଅବଶ୍ୟ ଏଇ ଗୁରୁତ୍ୱପୂର୍ଣ୍ଣ କଥାକୁ ସାର୍ ଯଦି ଦୟାପରବଶ ହୋଇ ସରଳ ଭାବରେ ବୁଝାଇଦେବେ, ତେବେ ଆମେ ଉପକୃତ ହୋଇପାରିବୁ । କିଏ କେନ୍ଦ୍ର ଆଉ କିଏ ସ୍ଥାନୀୟ ? ଏହାର ବହି ଆକାରରେ ଐତିହାସିକ ଭାଗମାପଟି କେମିତି ସ୍ଥିର କରାଯିବ ? 
ଆମର ରାଜାକୈନ୍ଦ୍ରିକ ଇତିହାସରେ ଭୂ-ନିରୁପିତ ରାଜ୍ୟ ବ୍ୟବସ୍ଥାର ଆରମ୍ଭ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରୁ । ଷୋଡଶ ମହାଜନପଦରୁ ଆରମ୍ଭ ଏଇ ବ୍ୟବସ୍ଥାରେ ପାରସ୍ପରିକ ସନ୍ଧିବିଗ୍ରହ ଫଳରେ ରାଜ୍ୟର ଉତ୍ପତ୍ତି ଘଟିଲା । ନିଜକୁ ବେଶ୍ ନିରାପଦରେ ରଖି ହେବ ବୋଲି ସର୍ବସାଧାରଣ ବଡ ଭୂ-ନିରୂପିତ ରାଜ୍ୟର ବଶ୍ୟତା ସ୍ୱୀକାର କରିନେଲେ । ସେଇଠୁ ଭାରତବର୍ଷ କହିଲେ ଯେଉଁ ଧାରଣାଟି ଲୋକଙ୍କ ଭିତରେ ଥିଲା, ତାହା ପ୍ରକୃତ ଭୌଗୋଳିକ ରୂପ ନେଲା  ପାଟଳିପୁତ୍ରକୁ କେନ୍ଦ୍ର କରି, ଆଗ୍ରାକୁ କେନ୍ଦ୍ରକରି, ଦିଲ୍ଲୀକୁ କେନ୍ଦ୍ର କରି, କଲିକତାକୁ କେନ୍ଦ୍ର କରି, ଆଉ ଶେଷରେ, ପୁଣି ଦିଲ୍ଲୀକୁ କେନ୍ଦ୍ର କରି । ହର ସାର୍ ଯେତେ ଚକ୍ରାନ୍ତ ତତ୍ତ୍ୱ ଦେଖିଲେ ବି, ଖାରବେଳଙ୍କ ମହାନତାକୁ କାଶ୍ମୀରର ଲୋକେ ବା କନ୍ୟାକୁମାରୀର ଲୋକେ ଆଦୌ ପଢିବେ ନାହିଁ । ରଜାର ଯେଉଁ ଭୌଗଳିକ ଅଂଶବିଶେଷ ଉପରେ ପ୍ରତ୍ୟକ୍ଷ ବା ଅପ୍ରତ୍ୟକ୍ଷ ପ୍ରଭାବ ଥାଏ, ସେ ସେହି ଅଞ୍ଚଳର ଇତିହାସରେ ହିଁ କେବଳ ପ୍ରାସଙ୍ଗିକ । ହର ସାର୍ ତାଙ୍କର ସ୍ଥାନୀୟତାର ଗୋଳିଆ ଅବଧାରଣାରେ ଏଇ ପ୍ରାସଙ୍ଗିକତା କୁ ବି ଅସ୍ୱଚ୍ଛ କରିଦିଅନ୍ତି।
ଇତିହାସ ସବୁବେଳେ ହର ସାର୍ ଙ୍କ ଭଳି ଭଲ ପ୍ରଶ୍ନ ପଚାରେ ନାହିଁ । ଅତୀତ ସବୁ ସମୟରେ ଗୌରବାଜ୍ଜଳ ହୋଇ ରହିଥିବ, ସେମିତି ଧାରଣା ଠିକ୍ ନୁହଁ । ମୋର ବୃଦ୍ଧ ପ୍ରପିତାମହ ଯଦି ଜଣେ ଡକେଇତ ହୋଇ ଥାଆନ୍ତି, ତେବେ ସେଇଭଳି ଏକ ଐତିହାସିକ ସତ୍ୟ ସହ ମୋତେ ବଞ୍ଚିବାକୁ ପଡିବ ।ମିର୍ ଜାଫର୍ ମାନଙ୍କ ସହ ବଞ୍ଚିବା ବା ମନ୍ଦ ସହ "ନେଗୋସିଏଟ" କରିବାକୁ ହର ସାର୍ ତାଙ୍କ ଲେଖାରେ କେବେହେଲେ ପ୍ରସ୍ତୁତ ନୁହଁନ୍ତି । ତାଙ୍କ ପାଇଁ ସବୁ ରାସ୍ତା ଉଜ୍ଜଳ ହେବା ଆବଶ୍ୟକ । ସେଇଥିପାଇଁ ସାର୍ ବେଳେବେଳେ ଟର୍ଚ୍ଚଲାଇଟି ଚିପି ରାସ୍ତାକୁ ଉଜ୍ଜଳ କରିବାକୁ ଚାହାନ୍ତି । ଯଦି ସାର୍ ଦେଖିଲେ ଟର୍ଚ୍ଚଲାଇଟିରେ ବେଟେରି ନାହିଁ, ତେବେ ସାର୍ ରୋକଠୋକ କହିଦେବେ, ଏହା ଟର୍ଚ୍ଚଲାଇଟି ନିର୍ମାଣକାରୀର ଚକ୍ରାନ୍ତ, ଆମ ରାସ୍ତାକୁ ଅନ୍ଧାରରେ ରଖିବା ପାଇଁ। ଚକ୍ରାନ୍ତକାରୀ ମାନଙ୍କ ଦ୍ୱାରା ଆମର ଗୌରବାଜ୍ଜଳ ଅତୀତକୁ ମ୍ଳାନ କରିଦିଆଯାଇଛି ବୋଲି ଏକ ନିପୀଡନର ଅବବୋଧ ବା "ପରସିକ୍ୟୁସନ୍ କମ୍ପ୍ଲେକ୍ସ୍" ହର ସାର୍ ଙ୍କ ଲେଖାରେ ସୁସ୍ପଷ୍ଟ ।
ମୋଟ ଉପରେ କହିଲେ ଓଡିଶାର ଉଜ୍ଜଳ ଅତୀତ ଆଉ ତାହାକୁ ନିଷ୍ପ୍ରଭ କରିଦେବାର ଆନୁସଙ୍ଗିକ ଚକ୍ରାନ୍ତ ଏଇ ଦୂଇଟି ମୂଖ୍ୟ ବିନ୍ଦୁ ଉପରେ ହର ସାର୍ ଙ୍କର ପଚିଶ ବର୍ଷରୁ ଉର୍ଦ୍ଧ୍ୱକାଳର ସମ୍ବାଦ ପତ୍ରର ଲେଖ ସମୂହ ପର୍ଯ୍ୟବେସିତ ।
ଚିନ୍ତକ ସାର୍ ଓଡିଆ ଜାତିର ଜୀବନର "ଗାଥା" ଆଉ "ଚିନ୍ତା" ବୋଲି ଶୀର୍ଷକ ଗୁଡ଼ିକରେ ଗତ ପଚିଶ ବର୍ଷ ରୁ ଉର୍ଦ୍ଧ୍ୱ କାଳ ଧରି ଓଡିଶାର ଏକ ନମ୍ବର ସମ୍ବାଦପତ୍ରର ଶନିବାର ସଂସ୍କରଣ ରେ ଲେଖିଆସୁଛନ୍ତି । ଚିନ୍ତକ ମହାଶୟ ଅବଶ୍ୟ ଏହାକୁ ଇତିହାସର ପୁନର୍ଲିଖନ ଆଉ "ପ୍ରଥମ ପାଠ" ବୋଲି ତାଙ୍କର ସ୍ତମ୍ଭରେ କହୁଛନ୍ତି । ଯେହେତୁ ଓଡିଶା ଇତିହାସର ଧାରାବାହିକ ଘଟଣାକ୍ରମକୁ ନେଇ ସାର୍ ଟିପ୍ପଣି ଦିଅନ୍ତି ବୋଲି ଏହାକୁ ଇତିହାସ ରଚନାର ପର୍ଯ୍ୟାୟଭୁକ୍ତ କରାଯାଇଛି, କିନ୍ତୁ ଏହାକୁ ଓଡିଆ ଜାତିର ଜୀବନୀ ଗ୍ରନ୍ଥ ବୋଲି କହିଲେ ହୁଏତ ଅଧିକ ଠିକ୍ ହେବ । କାରଣ ଜୀବନୀରେ ଇତିହାସ ଭଳି କ୍ରମାନ୍ୱୟରେ ଘଟଣା ପ୍ରବାହ ଥାଏ । କିନ୍ତୁ ଇତିହାସର ପ୍ରାମାଣିକତାକୁ କୌଣସି ଜୀବନୀ ବା ଆତ୍ମଜୀବନୀରେ କେହି ଖୋଜନ୍ତି ନାହିଁ । 
ଇତିହାସରେ ରାଜା ମହାରାଜା ମାନେ ଥାଆନ୍ତି । ସେମାନଙ୍କର ଶାସନ କାଳକୁ ନେଇ ଇତିହାସର ଆବର୍ତ୍ତନ ସାଧାରଣତଃ ହୋଇଥାଏ । ଆଧୁନିକ କାଳର ଇତିହାସବିତ୍ ମାନେ ଶାସକ ଠାରୁ ଶାସନକୁ ଅଲଗା କରି ସମୟକୁ ତର୍ଜମା କରିବାକୁ ଆରମ୍ଭ କରିଛନ୍ତି । ମାତ୍ର ଜୀବନୀରେ ଯେଉଁ ଚରିତ୍ରଟିର ଜୀବନୀ ଲେଖାହେଉଛି, ବା ଯେଉଁ ଚରିତ୍ରଟି ନିଜେ ନିଜର ଜୀବନୀ ଲେଖୁଛି, ସେ କେବଳ ନିଜକୁ ବା ସେଇ ଚରିତ୍ରକୁ "ଜଷ୍ଟିଫାଇ" କରିବାରେ ଲାଗିଥାଏ । ହର ସାର୍ ଯେଉଁ ଇତିହାସ ଲେଖନ୍ତି ସେଥିରେ କେବଳ ଗୋଟିଏ ଲକ୍ଷ୍ୟ, ଓଡିଆ ଜାତିର ଅତୀତର ଜୟଗାନ । ଇତିହାସକୁ ନେଇ କେବଳ ଗର୍ବ କରାଯିବା କଥା ବୋଲି ସେ ଅନେକଥର ଏଇ ଲେଖଗୁଡିକରେ ଐକାନ୍ତିକ ଆବେଗର ସହ କହିଛନ୍ତି ।
ହର ସାର୍ ସମ୍ବାଦପତ୍ରରେ ଏହିଭଳି ଲେଖୁଥିବା ଇତିହାସ ସହ ମୋର ବୈଚାରିକ ଅସହମତି କଥା ଯାହା ଏଯାଏଁ କହିଲି, ତାହାକୁ ଆପଣମାନଙ୍କର ନିକଟରେ ଠିକ୍ ରେ କହିପାରିଛିକି ନାହିଁ ଜାଣି ନାହିଁ । ତାହା ଆପଣମାନେ ବିଚାର କରିବାର କଥା ।
ଏଇ ପ୍ରକାର ଲେଖ ସମୂହରେ ହର ସାର୍ ଯେଉଁ ଭଳି ଜଟିଳ ବାକ୍ୟ ବ୍ୟବହାର କରିଥାନ୍ତି, ତାହା ଆଉ ଯାହା ହେଉ ପଛକେ ଆଦୌ ପଠନୀୟ ନୁହଁ । ଏଥିରେ ସେ ଯେଉଁ ଜଟିଳ କଥାଗୁଡ଼ିକୁ କହିବାକୁ ଚାହିଁଥାନ୍ତି, ତାହା ଅଧିକତର ଜଟିଳ ଭାବରେ ଲେଖା ହୋଇଥାଏ ।ଫଳରେ "ଏବଭ ଦି ହେଡ୍" । କେତେଥର ସାର୍ ଜନପଦ/ଜନପଦୀୟ ବୋଲି ଲେଖିଥିବାର ଦେଖିଛି । ଓଡିଶାର ଅତୀତ ଇତିହାସ ପ୍ରସଙ୍ଗରେ ଜନପଦ ବୋଲି ସାର୍ ଯାହା ବାରମ୍ବାର ଲେଖିଛନ୍ତି, ତାହା ମୋ ପାଇଁ ସ୍ୱଚ୍ଛ ନୁହଁ । 
କୌଣସି ପ୍ରବନ୍ଧରେ ପାରାଗ୍ରାଫ୍ ରହିବାର ଆବଶ୍ୟକତା ରହିଛି, ପାଠକକୁ ଟିକିଏ ଅଟକିଯାଇ ପ୍ରସଙ୍ଗକୁ ଭାବିବା ପାଇଁ ସୁଯୋଗ ଦେବା ଉଦ୍ଦେଶ୍ୱରେ, ଯେପରି ବିଚରା ଟିକେ ଦମ ମାରିପାରିବ । ହର ସାର୍ କିନ୍ତୁ ତାଙ୍କର ଲେଖ ସମୂହରେ ପାରାଗ୍ରାଫ୍ ଦେବାପାଇଁ ସମ୍ପୂର୍ଣ୍ଣ କୁଣ୍ଠିତ । ତେଣୁ ଏହାକୁ ପଢିବା "ନାରଦର ଟାଣ ଚଣା ଚର୍ବଣ କରିବା" ଭଳି କଥା । ଏହି ଭଳି ଲେଖୁଥିବାରୁ, ବାକ୍ୟ ମାନଙ୍କ ମଧ୍ୟରେ ଅସଂଲଗ୍ନତା ଦେଖାଯାଏ । ଏହା ଛଡା ସାର୍ ଜଣେ ଉଚ୍ଚମାନର କବି ହୋଇଥିବାରୁ, ତାଙ୍କର ବାକ୍ୟରେ ମାତ୍ରାଧିକ ପ୍ରତୀକ ଆଉ ରୂପକର ପ୍ରୟୋଗ ଦେଖାଯାଏ । 
ପ୍ରବନ୍ଧ କେବଳ ନୁହେଁ, ସମସ୍ତ ସାହିତ୍ୟ କର୍ମ ଯୁକ୍ତି ଉପରେ ଆଧାରିତ । ସାହିତ୍ୟରେ ଯୁକ୍ତିହୀନତା କୌଣସି ପାଗଳର ପ୍ରଳାପ ଭଳି କଥା ନୁହଁ, ଏଇଠେ ଯୁକ୍ତିହୀନତାରେ ବି କିଛି ଯୁକ୍ତି ରହିଥାଏ । ପ୍ରବନ୍ଧ ରେ ଯେଉଁକଥା କୁହାଯିବ ତାହାପାଇଁ ସଠିକ ତର୍କଟି ପ୍ରସ୍ତୁତ କରିବା ଦରକାର । ସେଇ ତର୍କଟିକୁ କେହି ଗ୍ରହଣ କରିପାରନ୍ତି, ନ କରିପାରନ୍ତି ମଧ୍ୟ । କିନ୍ତୁ ପ୍ରବନ୍ଧର ଭାଷା ଯେ ପ୍ରତୀକ ଓ ଉପମା ପରିପୂର୍ଣ୍ଣ ହୋଇ ତର୍କକୁ କୁହୁଡିଆ କରି ରଖିବ, ସେଇମିତି ଲେଖାକୁ ମୁଁ ଇତିହାସ ବା ପ୍ରବନ୍ଧ କହିବି ନାହିଁ ।
ହର ସାର୍ ବଳରାମ ଦାସ (୧୪୯୭-୧୫୩୪)ଙ୍କର "ଲକ୍ଷ୍ମୀପୁରାଣ" ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଏହି ଛୋଟ ବହିଟି ସେ ସମୟରେ ଅସ୍ପୃଶ୍ୟତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିବା ଏକ ମୂଲ୍ୟବାନ ଗ୍ରନ୍ଥ । ଏହି ବହିର ଧାର୍ମିକ ସଂରଚନାର ମହନୀୟତାକୁ ଯେତେବେଳେ ଐତିହାସିକ ପୃଷ୍ଟଭୂମିରେ ମହିମାମଣ୍ଡିତ କରାଯାଏ, ସେତେବେଳେ ଏହାର ଏକ ସାହିତ୍ୟ ସଂରଚନା ଜନିତ ତୃଟି ଆହୁରି ଅନେକ ପ୍ରମାଦକୁ ପରବର୍ତ୍ତି କାଳରେ ଜନ୍ମ ଦେଇପାରେ । 
କହିବାର କଥା ହେଉଛି, ମତ୍ତ ବଳରାମ ଦାସ ଗଜପତି ପ୍ରତାପରୁଦ୍ରଦେବଙ୍କ ସମସାମୟିକ । ବାଲିରେ ତିନିରଥ ଗଢିଥିଲେ ସେ । କିନ୍ତୁ ତାଙ୍କର "ଲକ୍ଷ୍ମୀପୁରାଣ" ରେ ସୁଭଦ୍ରା ଚରିତ୍ରଟି କେଉଁଠି ? ବଡ ଦେଉଳରେ ଜଗନ୍ନାଥ ଓ ବଡ ଠାକୁରଙ୍କ ସହିତ ସୁଭଦ୍ରାଙ୍କ ଏକତ୍ର ସହାବସ୍ଥାନ ଆରମ୍ଭରୁ । ଜଗନ୍ନାଥ ଓ ବଡ ଠାକୁର ଲକ୍ଷ୍ମୀଛଡା ହୋଇ ବାହାରେ ଭିକ୍ଷା କରି ବୁଲିଲା ବେଳେ, ସ୍ୱତଃ ପ୍ରଶ୍ନ ଉଠିବ ଅଲିଅଳି ଭଉଣୀ ସୁଭଦ୍ରାର କଥା । ବଳରାମ ଦାସ ସମ୍ପୂର୍ଣ୍ଣ ଭୂଲି ଯାଇଛନ୍ତି ସୁଭଦ୍ରାକୁ ।ଏହାକୁ ମୁଁ ଏକ ସାହିତ୍ୟିକର ରଚନାତ୍ମକ ତୃଟି ବୋଲି ବିଚାର କରେ । ଯଦି ଏଇ ଗ୍ରନ୍ଥଟିକୁ ଆଧାର କରି ଜଣେ କେହି କେବେ କହେ ଯେ, ସେଇ ନିର୍ଦ୍ଧିଷ୍ଟ ସମୟରେ ବଡ ଦେଉଳରେ ଦୁଇ ମୂର୍ତ୍ତି ରହୁଥିଲେ ଜଗନ୍ନାଥ ଓ ବଳଭଦ୍ର, ସୁଭଦ୍ରା ପରେ ସଞ୍ଜୋଜିତ ହେଲେ, ତେବେ ସେହିଭଳି କଳ୍ପିତ ଇତିହାସକୁ ଆମେ କ'ଣ କହିବା ?
କେବଳ ଗୋଟିଏ ତଥ୍ୟକୁ ଆଧାର କରି ଐତିହାସିକ ସତ୍ୟ ବୋଲି ଏକ ନିଷ୍କର୍ଷ ରେ ପହଞ୍ଚିଯିବାର ଦୃଢତା ଭ୍ରମାତ୍ମକ ନିଶ୍ଚୟ । ଗୋଟିଏ ତଥ୍ୟ ସହିତ ଅନ୍ୟାନ୍ୟ ପାରିପାର୍ଶ୍ୱିକ ତଥ୍ୟର ଆବଶ୍ୟକତା ଥାଏ, ଗୋଟିଏ ସମୟକୁ ସଠିକ ଭାବରେ ବୁଝିବା ପାଇଁ । ହର ସାର୍ କିନ୍ତୁ ଗୋଟିଏ ତଥ୍ୟ ପାଇଗଲେ ବିହ୍ୱଳ । ଲିଖିତ ଇତିହାସ ଆରମ୍ଭ ହେବା ପରଠାରୁ ପୃଥିବୀ ସାରା ଆମେ ଅନେକ ଆତ୍ମପ୍ରଚାରର ହାଣ୍ଡବିଲ୍ ମାନ ଦେଖିଥାଉ । ଏଥିରେ ନିଜକୁ ପଚାଶ ବୋଲି କହୁଥିବା ଲୋକଟି ପ୍ରକୃତରେ କେତେ ହେବ ତାହା ଠିକ୍ କରିବା କଷ୍ଟକର ।
ହର ସାର୍ ଙ୍କ ଏଇ ଲେଖ ସମୂହକୁ "କ୍ରିଏଟିଭ୍ ନନ୍ ଫିକସନ୍" ବୋଲି କୁହାଯାଇପାରେ । କାରଣ ଏହା ନିଜର ପ୍ରାମାଣିକତା ପାଇଁ କୌଣସି ସହାୟକ ଗ୍ରନ୍ଥସୂଚୀ ବା ଉତ୍ସର ତାଲିକା ଏହା ଦେବାର ଆବଶ୍ୟକତା ମନେକରେ ନାହିଁ । ଏହା ଇତିହାସକୁ ନେଇ ଏକ ପ୍ରକାର ମୁକ୍ତ ଲେଖନ । ଯେହେତୁ ସାର୍ ଜଣେ ଚିନ୍ତକ, ତେଣୁ ସେ ଯାହା ଦେଖିଲେ ବା ପଢିଲେ, ତାହା ଉପରେ ସେ ମୌଳିକ ଭାବରେ ଚିନ୍ତା କଲେ ଓ ନିଜର ଚିନ୍ତାକୁ ସମ୍ବାଦପତ୍ରରେ ନିରବଚ୍ଛିନ୍ନ ଭାବରେ ଭବିଷ୍ୟତ ପାଇଁ ଲିପିବଦ୍ଧ କଲେ । ସାର୍ ଙ୍କର ଏହିଭଳି ଚିନ୍ତନ ସୃଜନଶୀଳ ସାହିତ୍ୟ ପାଇଁ ଅନୁକୂଳ । ସାହିତ୍ୟର କଳ୍ପନା ଓ ଇତିହାସର କଳ୍ପନା ଏକା କଥା ନୁହଁ । ଇତିହାସର କଳ୍ପନାରେ ବିମ୍ବ ନଥାଏ, ଥାଏ ବିଭିନ୍ନ ବାସ୍ତବ ସ୍ଥିତିର ତୁଳନାତ୍ମକ ଆକଳନ । ହର ସାର୍ ଙ୍କ ର ଲେଖ ସମୂହରେ କାହାକୁ କାହା ସହ ତୁଳନା କରିବା ପାଇଁ ଅନାଗ୍ରହ ରହିଛି ।
ସାର୍ ଏଇ ଜାତୀୟ ଲେଖ ଓଡିଶାର ବହୁଳ ପ୍ରସାରିତ ଏକ ସମ୍ବାଦପତ୍ରରେ ଗତ ପଚିଶ ବର୍ଷ ହେଲା ଲେଖି ଆସୁଛନ୍ତି । ଅଧିକାଂଶ ସମୟରେ ସାର୍ ଐତିହାସିକମାନଙ୍କୁ ଗାଳି ଦେବାକୁ ଭୂଲନ୍ତି ନାହିଁ । ତାଙ୍କର ଦୃଷ୍ଟିରେ ଓଡିଶା ଇତିହାସକୁ ନେଇ ଯେଉଁମାନେ କାମ କରନ୍ତି, ସେମାନେ ନିହାତି ନିଷ୍କର୍ମା ଓ ଅପଦାର୍ଥ । ଓଡିଶାରେ କିଛି ହୋଇନି ହୋଇନି ବୋଲି କହି ହର ସାର୍ ତାଙ୍କର ଶନିବାରର ଇତିହାସରେ ଗତ ପଚିଶ ବର୍ଷ ନେଲେଣି । 
ଏଇ ପଚିଶ ବର୍ଷର ସାରଙ୍କ ଇତିହାସ ବି ସୁଦୃଶ୍ୟ ହୋଇ ପ୍ରକାଶିତ । ଏହି ପୁସ୍ତକ ସବୁ ଓଡିଶା ଇତିହାସର କେଉଁ ସର୍ବନିମ୍ନ ମୌଳିକ ଆବଶ୍ୟକତାକୁ ପୂରଣ କରିଛି ସେ ବିଷୟରେ ମୋର ଆଦୌ ଧାରଣା ନାହିଁ । ମୁଁ ଏ ବିଷୟରେ ନିଶ୍ଚୟ ଜାଣିବାକୁ ଚାହିଁବି । କହିବାର କଥା ହେଉଛି, ଆମ ରାଜ୍ୟରେ ଇତିହାସ ଚର୍ଚ୍ଚା କରିବ କିଏ ? ଆମ ଭଳି କିଛି କର୍ମହୀନ ପେନସନଜୀବିଙ୍କୁ ବାଦ ଦେଲେ, ଇତିହାସର କେହେକେହି ଛାତ୍ର ବା ଇତିହାସ ଅଧ୍ୟାପନା ସହ ସମ୍ପୃକ୍ତ ବ୍ୟକ୍ତି ବିଶେଷ ଇତିହାସ ଚର୍ଚ୍ଚା କରନ୍ତି । କିନ୍ତୁ ବୃତ୍ତିଗତ ଅସୁରକ୍ଷା ସେମାନଙ୍କୁ ଯଥାଯୋଗ୍ୟ ଗବେଷଣାର କ୍ଷେତ୍ର ଟି ଯୋଗାଇ ଦେଇ ପାରୁନାହିଁ । ତାହାଛଡା ହର ସାର୍ ଙ୍କ ବ୍ରାଣ୍ଡ ଭାଲ୍ୟୁ, କୌଣସି ବାଙ୍କୋଇ କଲେଜର ଇତିହାସ ଅଧ୍ୟାପକ ପାଇଁ ସ୍ୱପ୍ନ ଠୁ ଅଧିକ ସ୍ୱପ୍ନ ବୋଲି ଯଦି କିଛି ଥାଏ, ତାହା ।
ହର ସାର୍ ଏଇ ଲେଖ ସମୂହରେ ବା ତାଙ୍କର ଶନିବାରର ଇତିହାସ ଚର୍ଚ୍ଚାରେ ଗୋଟିଏ ନିର୍ଦ୍ଦିଷ୍ଟ ପଦ୍ଧତିର ଅନୁସରଣ କରୁଥିବାର ମନେ ହୁଏ । ସାର୍ ପ୍ରଥମେ ଗୋଟିଏ ପରିକଳ୍ପନା ବା ହାଇପୋଥେସିସ୍ ଇତିହାସକୁ ନେଇ ତିଆରି କରି ପକାନ୍ତି । ପରିକଳ୍ପନାଟିଏ ସାଧାରଣତଃ ଯେ କୌଣସି ଗବେଷଣା ପାଇଁ ଗୁରୁତ୍ୱପୂର୍ଣ୍ଣ । ଜଣେ ଗବେଷକ ଏଇ ଭଳି ପରିକଳ୍ପନାରୁ ତାହାର ଗବେଷଣା ଆରମ୍ଭ କରିଥାଏ । ଗବେଷଣା ପରେ ଗବେଷକଟି ସିଦ୍ଧାନ୍ତରେ ପହଞ୍ଚେ ଯେ ତାହାର ପରିକଳ୍ପନାଟି ଠିକ୍ ନା ଭୁଲ୍ । ହର ସାର୍ ଙ୍କ ପରିକଳ୍ପନା ଗୁଡିକ ଆକସ୍ମିକ ଓ ନିରୁଦ୍ଦେଶ, ଅର୍ଥାତ ରାଣ୍ଡମ୍ । ଆଉ ତାହାକୁ ତାହାକୁ ସେ ନିଜେ ତତକ୍ଷଣାତ୍ ପ୍ରଶ୍ନ କରନ୍ତି ଏହିଭଳି ପରିକଳ୍ପନା କାହିଁକି କରାଗଲା ବୋଲି । 
କହିବାର କଥା ହେଉଛି ହର ସାର୍ ଙ୍କ ପରିକଳ୍ପନା ନିଜେ ହର ସାର୍ ଙ୍କ ତିଆରି । ଏହାର ସତ୍ୟତା ଉପରେ ଅନ୍ୟ କାହାରି କିଛି ଯାଏ ଆସେ ନାହିଁ । ଅନ୍ୟମାନଙ୍କ ର ଆଗ୍ରହ ନିଷ୍କର୍ଷଟି କ'ଣ, ସେଥିରେ ହର ସାର୍ ପରିକଳ୍ପନା କଲେ, ଆଉ ତାହା ପରେ ତାହାକୁ ଅତୀତଉ-ଜ୍ଜଳତା ଓ ନିପୀଡନ-ଅବବୋଧର ପ୍ରକୃଷ୍ଟସ୍ ର ଶେଜରେ ଶୁଆଇ, ଛୋଟ ହୋଇଥିଲେ ଭିଡନ୍ତି, ଆଉ ବଡ ହୋଇଥିଲେ ଛେଦନ୍ତି । ହର ସାର୍ ଙ୍କ ନିଜ ପରିକଳ୍ପନା ଓ ସେହି ପରିକଳ୍ପନାକୁ ବେଶି ଭାଗ ଅସ୍ୱୀକାର କରିବାର "ରାଣ୍ଡମ" ଆବେଗକୁ ତାଙ୍କ ଲେଖରେ ଲେଖନ୍ତି, କୌଣସି ପ୍ରଶ୍ନକୁ ଖାତିର୍ ନକରି । ଏପରି ବେପରୁଆ ଭାବରେ ଅନେକ କିଛି ସଫଳତାର ସହ ଲେଖାଯାଇ ପାରେ, ମାତ୍ର ଇତିହାସ ଅନେକ ବେପରୁଆ ମାନଙ୍କ ବିଷୟରେ ଲେଖିଲେ ବି ସବୁବେଳେ ସତର୍କ ବର୍ତ୍ତମାନ ସମୟରେ ।
ହର ସାର୍ ପ୍ରଖ୍ୟାତ କବି ଓ ଚିନ୍ତକ ବୋଲି ଆଗରୁ କହିଛି । ଏହା ସହିତ ସାର୍ ବର୍ତ୍ତମାନ ସମୟର ଓଡିଶାର ଜଣେ ବାଗ୍ମୀ । ଇଂରେଜୀରେ ହେଉ କି ଓଡିଆରେ ହେଉ, ସାର୍ ଙ୍କୁ ଶୁଣିବା ଏକ ବିରଳ ଅନୁଭବ । ପ୍ରତ୍ୟେକ ବାଗ୍ମୀର କସ୍ତୁରୀ ମୃଗ ଭଳି ଆତ୍ମମୁଗ୍ଧତା ରହିବାର ସମ୍ଭାବନା ରହିଛି । ବାଗ୍ମୀଟିଏ ନିଜର କହିବା ଚାତୁରିରେ ଅନ୍ୟକୁ ଯେତିକି ପ୍ରଭାବିତ କରେ, ନିଜେ ମଧ୍ୟ ତାହାଠାରୁ ଅଧିକ ପରିମାଣରେ ପ୍ରଭାବିତ ହୋଇଥାଇପାରେ । ସେ ନିଜର କହିବାର ଚାତୁରୀକୁ ଅଧିକ ସୁନ୍ଦର କରିବାକୁ ଲାଗେ । ଶବ୍ଦ ଚୟନ କରେ ।ଶ୍ରାବ୍ୟ-କଳ୍ପନା ବା "ଅଡିଟୋରୀ ଇମାଜିନେସନ" ତାହାପାଇଁ ମୂଖ୍ୟ । ଏଇ କ୍ଷେତ୍ରରେ କ'ଣ କୁହାଯିବ ଗୁରୁତ୍ୱପୂର୍ଣ୍ଣ ନହୋଇ, କେମିତି କୁହାଯିବ ତାହା ତାଙ୍କ ପାଇଁ ଗୁରୂତ୍ଵପୂର୍ଣ୍ଣ ହୋଇଥାଏ । ସେଇଥି ପାଇଁ ହର ସାର୍ ଙ୍କର ଏଇ ଜାତୀୟ ଲେଖାରେ କବିତା ଲେଖିବାର ବହୁଳ ସାମଗ୍ରୀ ରହିଥାଏ ।
ହର ସାର୍ ଏଇ ଶନିବାର ଏପ୍ରିଲ୍ ତା୨୨ରିଖ ଦିନ ତାଙ୍କର ଇତିହାସରେ ଜନୈକ ବିଜୟ ଚନ୍ଦ୍ର ମଜୁମଦାର୍ ଙ୍କର "ଟିପିକାଲ୍ ସିଲେକ୍ସନସ୍ ଫ୍ରମ୍ ଓରିୟା ଲିଟେରେଚର୍" ବହିକୁ ଉପାଦାନ ହିସାବରେ ଗ୍ରହଣ କରି ତାଙ୍କର ପ୍ରିୟ ନିପୀଡନ-ଅବବୋଧ ବା ପରସିକ୍ୟୁସନ-କମ୍ପ୍ଲେକ୍ସକୁ ଦୋହରାଇଛନ୍ତି । ସାର୍ ଙ୍କ କହିବା କଥା ହେଲା, ବିଜୟ ଚନ୍ଦ୍ର ତାଙ୍କର ଏହି ବହିଟି ମାଧ୍ୟମରେ ଓଡିଆ ଭାଷାକୁ ତଳିତଳାନ୍ତ କରିଦେବାର ଚକ୍ରାନ୍ତ କରିଥିଲେ । ବିଜୟ ଚନ୍ଦ୍ରଙ୍କ ସମୟ କାଳ ହେଉଛି ୧୮୬୧ ରୁ ୧୯୪୨ । ଆଉ ତାଙ୍କର ଏଇ "ଟିପିକାଲ୍ ସିଲେକସନ୍ସ ଫ୍ରମ୍ ଓରିୟା ଲିଟେରେଚର" ବହିଟି ବାହାରି ଥିଲା ତିନି ଖଣ୍ଡ ହିସାବରେ - ୧୯୨୧, ୧୯୨୩ ଓ ୧୯୨୫ ମସିହାରେ । ଏଇ ବହିଗୁଡିକ ସ୍ନାତକୋତ୍ତର ଓଡିଆ ପାଠ୍ୟକ୍ରମ ପାଇଁ ପ୍ରସ୍ତୁତ ହୋଇଥିଲା ।
ଜଣେ ଅନ୍ୟଭାଷୀ କୌଣସି ଏକ ନିର୍ଦ୍ଧିଷ୍ଟ ଭାଷାର ପାଠ୍ୟକ୍ରମଟିକୁ ପ୍ରସ୍ତୁତ କରି ପ୍ରଚଳନ କରି ତାହା ଦ୍ୱାରା ସେହି ଭାଷାକୁ ତଳିତଳାନ୍ତ କରିବାର ଚକ୍ରାନ୍ତ ଭଳି ଏକ ସନ୍ତ୍ରାସର ବିରଳ ଉଦାହାରଣ ପ୍ରସ୍ତୁତ କରିଛନ୍ତି ହର ସାର୍ ତାଙ୍କର ଲେଖରେ, ଗଲା ଏପ୍ରିଲ୍ ୨୨ ତାରିଖ ଶନିବାର ଦିନ। ଏହି ଚକ୍ରାନ୍ତ-ତତ୍ତ୍ୱ ଉପରେ ମୋର କିଛି କହିବାର ଅଛି ।
ବିଜୟ ଚନ୍ଦ୍ର ମଜୁମଦାର "ଟିପିକାଲ୍ ସିଲେକସନ୍ସ୍ ଫ୍ରମ୍ ଓରିୟା ଲିଟେରେଚର" ର ତିନୋଟି ଖଣ୍ଡ ପ୍ରସ୍ତୁତ କରିଥିଲେ କଲିକତା ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡିଆ ପାଠ୍ୟକ୍ରମ ପାଇଁ । ଏଥିରେ କ'ଣ ଲେଖା ସବୁ ସ୍ଥାନିତ ହୋଇଛି ମୁଁ ଜାଣେ ନାହିଁ । ହର ସାର୍ ଯେହେତୁ ଉପେନ୍ଦ୍ର ଭଞ୍ଜଙ୍କ ଲେଖା ରହିଛି ବୋଲି କହିଛନ୍ତି, ତେଣୁ ମୁଁ ଭାବୁଛି ଯେ ଏଥିରେ ଯାହା ଯାହା ଲେଖା ସଙ୍କଳିତ ହୋଇଥିବ, ତାହା ନିଶ୍ଚୟ ଓଡିଆ ମାନଙ୍କର ଦ୍ୱାରା ଲେଖାଯାଇଥିବ । ଓଡିଆ ଲେଖକ ମାନଙ୍କର କାଳ ଅନୁସାରେ ହୁଏତ ଏହା ସଜା ଯାଇଥାଇପାରେ । ଯଦି ଏଥିରେ ବଙ୍ଗଳା ଲେଖକଙ୍କର ଲେଖାର ଓଡିଆ ଅନୁବାଦ କରି ଦିଆଯାଇଥାନ୍ତା ପିଲାଙ୍କ ପଢିବା ପାଇଁ, ତେବେ ଆମେ ଏଥିରେ ସଙ୍କଳକଙ୍କର ମନ୍ଦ ଉଦ୍ଦେଶ୍ୟ ଦେଖିବାର କିଛି ଯଥାର୍ଥ୍ୟ ଥାଇ ପାରେ । ଏହା ଏମ୍ଏ ଶ୍ରେଣୀର ପାଠ୍ୟ ହୋଇଥିବାରୁ, ଯଦି ଏଥିରେ "ଟୁଉକୁ ମୂଷି" ଜାତୀୟ ପାଠ୍ୟ ରହିଥାଏ, ତେବେ ତାହା ନିଶ୍ଚୟ ଉଦ୍ଦେଶ୍ୟ ମନ୍ଦ । କିନ୍ତୁ ସେ ବିଷୟରେ ହର ସାର୍ କିଛି ନ ଲେଖିଥିବାରୁ ଆମେ ଭାବୁଛୁ ଯେ ଯାହା ପାଠ୍ୟ ଏଥିରେ ସନ୍ନିବେଶିତ କରାଯାଇଛି, ତାହା ଯଥାଯୋଗ୍ୟ । 
ହର ସାର୍ ଉଲ୍ଲେଖ କରାଯାଇଥିବା ସଙ୍କଳନ ଟିରେ ଯାହା କିଛି ମନ୍ଦ ଉଦ୍ଦେଶ୍ୟ ଆଉ ଚକ୍ରାନ୍ତ ଦେଖିଛନ୍ତି, ତାହା କେବଳ ବିଜୟ ଚନ୍ଦ୍ରଙ୍କର ଅଗ୍ରଲେଖରେ । ହୋଇପାରେ ସେ ମହାଶୟ କିଛି ବିବଦମାନ ପ୍ରସଙ୍ଗ କହିଛନ୍ତି, କିଛି ଅନୃତଭାଷଣ କରିଛନ୍ତି ଓଡିଆ ସାହିତ୍ୟ ସମ୍ପର୍କରେ । କିନ୍ତୁ ତାହାକୁ ନେଇ ମାତ୍ରାତିରିକ୍ତ ସମ୍ବେଦନଶୀଳତାର ଯବକାଚ ପକାଇ ବିଦ୍ୱେଷକୁ ଖୋଜିବାର ଆବଶ୍ୟକତା ନାହିଁ । କାରଣ ଏମ୍ଏ ଶ୍ରେଣୀର ଛାତ୍ର ମାନେ ଆଦୌ ଦୁଗ୍ଧପୋଷ୍ୟ ଶିଶୁ ନୁହଁନ୍ତି, ଯେ ଯିଏ ଯାହା କହିବ ତାହାକୁ ମାନିନେବେ ।
ବିଜୟ ଚନ୍ଦ୍ର ଏହି ସଙ୍କଳନଟି କରିବା ବେଳକୁ, ଅର୍ଥାତ୍ ୧୯୨୧ ସମୟକୁ, କାନ୍ତି ଭଟ୍ଟାଚାର୍ଯ୍ୟଙ୍କର "ଓଡିଆ ସ୍ୱତନ୍ତ୍ର ଭାଷା ନୁହେଁ " ବୋଲି ଯେଉଁ ଓଡିିଆ ଭାଷା ବିଦ୍ୱେଷୀ ଆନ୍ଦୋଳନଟି ୧୮୪୦ ରୁ ଆରମ୍ଭ ହୋଇଥିଲା, ତାହାର ଉପସମାପ୍ତି ୧୮୭୦-୭୨ରେ ହୋଇସାରିଥିଲା । ଓଡିଆ ଭାଷାର ସ୍ଵାତନ୍ତ୍ର୍ୟକୁ ପ୍ରତିବେଶୀ ବଙ୍ଗାଳୀମାନେ ତଥା ବ୍ରିଟିଶ ଶାସକମାନେ ଗ୍ରହଣ କରି ସାରିଥିଲେ । ତାହାଛଡା ୧୮୭୦ରୁ ୧୯୨୧ ମଧ୍ୟରେ ରାଧାନାଥ ଓ ଫକୀରମୋହନ ପ୍ରଭୃତି ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଲେଖାରେ ଓଡିଆ ସାହିତ୍ୟକୁ ସମୃଦ୍ଧ କରି ସାରିଥିଲେ ।ଏହା ଏମିତି ଏକ ସମୟ ଯେତେବେଳେ କି ଲୋକେ ଚୁଡାଚାଉଳ ବାନ୍ଧି କଟକର ହାଇକୋର୍ଟ ସାମ୍ନାରେ ପହଞ୍ଚିଥିଲେ ରାମଚନ୍ଦ୍ର ମଙ୍ଗରାଜର ଅଦାଲତି-ଭବିଷ୍ୟତ ଜାଣିବା ପାଇଁ । ଓଡିଆ ସାହିତ୍ୟର ଏହିଭଳି ପାଠକୀୟ ସୁବର୍ଣ୍ଣ ଯୁଗରେ ଏମ୍ଏ ପଢୁଥିବା ଛାତ୍ରମାନେ ଗୋଟିଏ ସାମାନ୍ୟ ଅଗ୍ରଲେଖ ଦ୍ୱାରା ପ୍ରଭାବିତ ହୋଇଯିବେ ବୋଲି ଭାବିବା ହାସ୍ୟାସ୍ପଦ ଲାଗେ । ହର ସାର୍ ବୃତ୍ତିରେ ଭାରତ ସରକାକଙ୍କର ବଡ ଉଚ୍ଚ ପଦବୀର ଅଧିକାରୀ ଥିଲେ । ଏଣୁ ଆମ ସାମାନ୍ୟ ଶିକ୍ଷକମାନଙ୍କ ଭଳି ପାଠପଢ଼ୁଆ ପିଲାଙ୍କ ସହ ତାଙ୍କର ବେଶୀ ସମ୍ପର୍କରେ ଆସିବାର ସୁଯୋଗ ଥାଇନପାରେ । ହେଲେ ଆମେ ବିଚରା ଶିକ୍ଷକମାନେ ଜାଣୁ ଯେ, ପିଲାଏ ତାଙ୍କର ପାଠ୍ୟପୁସ୍ତକର ଅଗ୍ରଲେଖକୁ କେତେ ପରିମାଣରେ ଗୁରୁତ୍ୟ ଦେଇଥାଆନ୍ତି ଓ ଏଗୁଡ଼ିକ ସେମାନଙ୍କୁ କେତେ ପରିମାଣରେ ପ୍ରଭାବିତ କରିଥାଏ ।
୧୯୨୧ ରେ ପ୍ରସ୍ତୁତ ଗୋଟିଏ ପାଠ୍ୟକ୍ରମ ଭିତରେ ହର ସାର୍ ଯେତିକି ଚକ୍ରାନ୍ତ ଖୋଜି ବିଚଳିତ ହୋଇଛନ୍ତି, ସମସାମୟିକ କୌଣସି ଓଡିଆ ସାହିତ୍ୟର ପାଠ୍ୟକ୍ରମକୁ ନେଇ ତାହାଠାରୁ ଅଧିକ ପରିମାଣରେ ସେ ନୀରବ । କୌଣସି ସାମାନ୍ୟତମ ବିବୃତି ତାଙ୍କର ନାହିଁ ଏ ବିଷୟରେ । କହିବାର କଥା ହେଉଛି, ଆଜିଠାରୁ ଶହେ ଦୁଇ ଶହ ବର୍ଷ ପରେ ଜଣେ ଯଦି ଆମ ସାହିତ୍ୟର ପାଠ୍ୟକ୍ରମକୁ ଦେଖେ, ପ୍ରାକ୍-ସ୍ନାତକ ସ୍ତର ପର୍ଯ୍ୟନ୍ତ ସାହିତ୍ୟରେ ସେ ଦେଖିବ ଐତିହାସିକ ଧାରାବାହିକତାର ଘୋର ଅଭାବ । ଆମ ପିଲାଏ ଜାଣନ୍ତି ନାହିଁ କେଉଁ ଲେଖକଟି ଆଗ, କିଏ ପଛ । ବିଜୟ ଚନ୍ଦ୍ରଙ୍କୁ ଝିଙ୍ଗାସିଲା ବେଳେ, ବର୍ତ୍ତମାନର ଐତିହାସିକ ଅବବୋଧର ଅଭାବ ତିଆରି କରିବା ପ୍ରକ୍ରିୟାକୁ ବି ଏକ ଚକ୍ରାନ୍ତ ବୋଲି କହିବା ଦରକାର।
ପାଠ୍ୟକ୍ରମରେ ଚକ୍ରାନ୍ତ ପରିପ୍ରେକ୍ଷୀରେ ମୁଁ ଆଉ ଗୋଟିଏ "ସିଲେକସନ୍" ପ୍ରତି ହର ସାର୍ ଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁବି । ବହିଟି ଇଂରେଜୀରେ ଲେଖା । ମୁଖବନ୍ଧରେ ମସିହା ଲେଖାହୋଇଛି ୧୮୭୨ । କିନ୍ତୁ ବହିଟି ଛପା ହୋଇଛି କଲିକତାର ବାପଟିଷ୍ଟ୍ ମିଶନ୍ ପ୍ରେସ୍ ଦ୍ୱାରା ୧୮୭୪ ମସିହାରେ । ବହିଟିର ଲେଖକ ହେଉଛନ୍ତି ଇସିବି ହାଲାମ୍ । ବହିର ନାଆଁ ହେଉଛି "ଓରିୟା ଗ୍ରାମାର୍ ଫର୍ ଇଂଲିଶ୍ ଷ୍ଟୁଡେଣ୍ଟସ୍ " । ଏଥିରେ କିଛି ନମୁନା ଓଡିଆ ଲେଖାର ସଞ୍ଜୋଜନ କରାଯାଇଛି । ଏହି ନମୁନା ଲେଖାରେ କିଛି ଅନୁବାଦ ଗପ ସହ ମୌଳିକ ଗପ ଅଛି । ପୟାର ଛନ୍ଦରେ ଓ ନବାକ୍ଷରୀ ଛନ୍ଦରେ ବିଭୂ ବନ୍ଦନା ସହ ଯୀଶୁ ବନ୍ଦନା ଟିଏ ଅଛି । ଏଥିରେ "ଚତୁର ବିନୋଦ" କି" ରୁଦ୍ରସୁଧାନିଧି", କି କୌଣସି ଓଡିଆ ଲେଖକର ନାଆଁ ନାହିଁ । ହାଲାମ୍ ଙ୍କ ମୁଖବନ୍ଧ ଅନୁସାରେ ଏଇ ନମୁନା ପ୍ରସ୍ତୁତ କରିଛନ୍ତି ଜନୈକ ବାବୁ ଗୋପାଳ ଚନ୍ଦ୍ର ପଟ୍ଟନାୟକଙ୍କ ସହ ଶ୍ରୀଯୁକ୍ତ ଫକୀର ମୋହନ ସେନାପତି ।
ବାହାର ପିଲାମାନଙ୍କ ପାଇଁ ଆମେ ନମୁନାଟିଏ ପ୍ରସ୍ତୁତ କଲା ବେଳେ, ଏହା ସବୁଠାରୁ ଉତ୍କୃଷ୍ଟ ହେବା ଆବଶ୍ୟକ । ଏଥିରେ ହର ସାର୍ କ'ଣ ବିଦ୍ୱେଷ ବା ଚକ୍ରାନ୍ତ ଦେଖିବେ ? କୌଣସି ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ ଶ୍ରେଷ୍ଠ ନୁହଁ,  ତୃଟିଶୂନ୍ୟ ନୁହଁ । ଆଉ ସେଇଥି ପାଇଁ ତାହା ବାରମ୍ବାର ପରିବର୍ତ୍ତିତ ହେଉଥାଏ ।
ଶେଷରେ ଶନିବାର ଇତିହାସରେ ବିଜୟ ଚନ୍ଦ୍ର ଉପେନ୍ଦ୍ର ଭଞ୍ଜଙ୍କର ଲାବଣ୍ୟବତୀର ନାୟକ ସିଂହଳ ଯାତ୍ରା ବିଷୟରେ ଉଠାଇଥିବା ପ୍ରଶ୍ନକୁ ହର ସାର୍ ଅସହିଷ୍ଣୁତା ଓ ବିଦ୍ୱେଷ କହି ଏଡାଇ ଯାଇଛନ୍ତି । ମୁଁ ସେହି ପ୍ରଶ୍ନଟିକୁ ଆଉଥରେ ଉଠାଇବାକୁ ଚାହିଁବି । ଭଞ୍ଜଙ୍କ ଲାବଣ୍ୟବତୀରେ ବୋଇତ ସିଂହଳ ଦ୍ୱୀପରେ ଲାଗିଲା, ସେଠାରେ ଥିବା ସାଧବ (?) ଯୁବତୀ ମାନେ ବୋଇତ ବନ୍ଦାଇ ଯିବାର ବର୍ଣ୍ଣନା ରହିଛି । ଏଇ ବର୍ଣ୍ଣନାର ଉଦାହାରଣ ଦେଇ ଆମେ ଆମର ନୌବାଣିଜ୍ୟ ଯଥେଷ୍ଟ ପ୍ରାଚୀନ ବୋଲି କହୁଛୁ । ଏଇ ବର୍ଣ୍ଣନା ବ୍ୟତିତ ହର ସାର୍ ଙ୍କ ଭଳି ଯେଉଁ ବିଶେଷଜ୍ଞମାନେ ଅଛନ୍ତି, ସେମାନେ ଭଞ୍ଜଙ୍କ ସିଂହଳ ଯାତ୍ରା ସମ୍ପର୍କିତ ଅଧିକ ତଥ୍ୟ ପ୍ରାମାଣିକତା ସହ ପ୍ରଦାନ କଲେ ଆମର ନୌବାଣିଜ୍ୟ ଇତିହାସର ପ୍ରାଚୀନତା ପ୍ରତିଷ୍ଠିତ ହୋଇ ପାରିବ । ନୌବାଣିଜ୍ୟ କ୍ଷେତ୍ରରେ ଦେଖବାକୁ ପଡିବ ଆମର ପଣ୍ୟଦ୍ରବ୍ୟ କ'ଣ ଥିଲା, ପୁଞ୍ଜି କ'ଣ ଥିଲା, ଆଉ କେଉଁ ଦ୍ରବ୍ୟ ଆମେମାନେ ଆଣି ଏଠାରେ ବଣିଜ କରୁଥିଲୁ । ଖାଲି ସିଂହଳ ଦ୍ୱୀପ ଲେଖିଦେଲେ ଯେମିତି ନୌଯାତ୍ରା ପ୍ରାମଣିକ ହେବନାହିଁ, ସେମିତି କୁହୁକ ମଣ୍ଡଳ ଚଡେଇ ଟିଏ ପ୍ରିୟତମା ପାଇଁ ପଂଜୁରୀରେ ଧରି ଆଣିଲେ ବଣିଜ କଥା ପ୍ରତିଷ୍ଠିତ ହେବନାହିଁ।ଏଇ ଇତିହାସ ସବୁବେଳେ ତଥ୍ୟାଶ୍ରୟୀ ଓ ସତ୍ୟାଶ୍ରୟୀ।
ହର ସାର୍ ଗୌରବାଜ୍ଜଳ ଇତିହାସ ବଖାଣ କଲାବେଳେ ଯେଉଁ ପାରସ୍ପରିକ ବିଦ୍ୱେଷଟି ସେଥିରୁ ଉପଜ ହିସାବରେ ବାହାରେ, ମୁଁ ତାହାର ପକ୍ଷଧର ନୁହଁ । ମୋ ରାଜ୍ୟର ଯେତିକି ଦୃଶ୍ୟମାନ ଇତିହାସ ମୁଁ ଅନ୍ୟମାନଙ୍କ ପରି ଦେଖିପାରେ, ଯେତିକି ଅଦୃଶ୍ୟ ଇତିହାସ ମୁଁ ଅନ୍ୟମାନଙ୍କ ପରି ଜାଣେ, ସେତିକି ମୋ ପାଇଁ ଯଥେଷ୍ଟ, ମୋର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ । 
ମୋର ଅଧିକ ଅତୀତରେ ପ୍ରୟୋଜନ ନାହିଁ ।

No comments:

Post a Comment