Monday, April 03, 2017

ଓଡ଼ିଆ ରେକଡ଼ର ଇତିହାସ - ୧

ଶ୍ରୀ କିରଣଚନ୍ଦ୍ର ଘୋଷ 


ଗ୍ରାମୋଫୋନ ସହ ଏଚଏମଭିର ଶ୍ୱାନ ନିପ୍ପର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ବେଶୀ ଦିନ କଥା ନୁହେଁ - ପାଞ୍ଚ ବର୍ଷ ଆଗତ କଥା । ସେତେବେଳେ ଓଡ଼ିଆ  ରେକଡ଼ ନଥିଲା କହିଲେ ଚଳେ । ଯେଉଁ ଗୋଟିଏ ଯୋଡ଼ିଏ ରେକଡ଼ ବାହାରି ଥିଲା 'ଏରୋଣ୍ଡୋଽପି  ଦୃମାୟତେ' ପରି ତାକୁ ଓଡ଼ିଆ ପ୍ରେମୀ ଖଣ୍ଡେ ଖଣ୍ଡେ କେତେବେଳେ କେମିତି ପାଖରେ ରଖିବାର ଦେଖାଯାଉ ଥିଲା । ସମସ୍ତେ ବଙ୍ଗାଳୀ ରେକଡ଼ କିଣିବାକୁ ବାଧ୍ୟ ହେଉଥିଲେ । ଶ୍ରୀଯୁକ୍ତ ମୋହନ ସୁନ୍ଦର ଦେବ ଓ ବାବୁ କାଳି ଚରଣ ପଟ୍ଟନାୟକ ସେହି ଯୁଗର ଗାୟକ । ଯେ ସମୟର ସଙ୍ଗୀତର ସ୍ୱରରେ ତାରତମ୍ୟ ଆଦୌ ପରିଲକ୍ଷିତ ହେଉନଥିଲା । ଏକ ପ୍ରକାରର ଗୋଟାଏ ଚିର ଅଭ୍ୟସ୍ତ ସ୍ୱର ଶୁଣିବାକୁ ଲୋକଙ୍କୁ ସେପରି ସୁଖକର ବୋଧ ହେଉନଥିଲା ।

ଓଡ଼ିଆ ରେକଡ଼ର ଇତିହାସରେ ଶ୍ରୀ ଗୌରାଙ୍ଗ ଚନ୍ଦ୍ର ଦାସଙ୍କର ଆବିର୍ଭାବ ଓ ତାଙ୍କର ଉଡ଼ିଯାଉଛି ଲୋଟଣୀ ପାରା - ଝୁମୁ ଝୁମୁ ଝୁମୁରୁ ଝୁମୁ ପ୍ରଭୃତି ଗୋଟାଏ ଯୁଗ ପ୍ରବର୍ତ୍ତନରେ ସାହାଯ୍ୟ କରିଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ଗୌରାଙ୍ଗ ବାବୁ ସେତେବେଳେ ରେକଡ଼ ଜଗତରେ ଶିଶୁ କିନ୍ତୁ ତାଙ୍କର ଏହି ସବୁ ଗୀତ ଏଚେ ଆଦର ହେବାକୁ ଲାଗିଲା ଯେ ବାଧ୍ୟ ହୋଇ ହିଜ୍ ମାଷ୍ଚରସ୍ ଭଏସ୍ କମ୍ପାନୀଙ୍କୁ ତାଙ୍କର ଚିରନ୍ତନ ରୀତି ବଦଳାଇବାକୁ ପଡ଼ିଲା । ନୂଆ ନୂଆ ଗୀତ ପାଇଁ ସେମାନେ ନୂତନ ନୂତନ ଆଟିଷ୍ଟ (ଗାୟକ) ଖୋଜି ବୁଲିଲେ । ଗୌରାଙ୍ଗ ବାବୁଙ୍କର ଏହି ଗୌରବରେ ଅନ୍ୟ ଜଣଙ୍କର ମଧ୍ୟ କୃତିତ୍ତ୍ୱଥିଲା । ସେ ହେଉଛନ୍ତି ଯାଜପୁରର ସଙ୍ଗୀତାଚାର୍ଯ୍ୟ ଶ୍ରୀ କୃଷ୍ଣପ୍ରସାଦ ବସୁ । ଏହାଙ୍କର ରଚନା ଓ ସଂଯୋଜନା ହିଁ  ଗୌରାଙ୍ଗ ବାବୁଙ୍କୁ ଯଶସ୍ୱୀ କରିଥିଲା । 

ଏହାଙ୍କପରେ ଉଲ୍ଲେଖ ଯୋଗ୍ୟ ଗାୟକ ହେଉଛନ୍ତି ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ । କଣ୍ଠ ମାଧୁର୍ଯରେ ସେ ଅନିନ୍ଦ୍ୟ । ସେଥି ପାଇଁ ଜନ ସମାଜରେ ଅତି ଅଳ୍ପ ସମୟ ମଧ୍ୟରେ ତାଙ୍କର ସୁଖ୍ୟାତି ବ୍ୟାପିଗଲା । ପ୍ରଥମ ସଙ୍ଗୀତରେ ସେ ଜଣାଇ ଦେଲେ ଯେ କେବଳ ପ୍ରାଚୀନ ଢାଞ୍ଚାରେ ଗାଇଲେ ଚଳେନାହିଁ  ତତ୍ ସଙ୍ଗେ ସଙ୍ଗେ କଣ୍ଠ ମାଧୁର୍ଯ୍ୟ ମଧ୍ୟ ଲୋଡ଼ା । ଗୌରାଙ୍ଗ ବାବୁ ନିମାଇଁଙ୍କ ମଧ୍ୟରେ ପାର୍ଥକ୍ୟ ଅଛି ଯଥେଷ୍ଟ । ଗୌରାଙ୍ଗ ବାବୁ ଉତ୍ତର ଭାରତୀୟ ସଙ୍ଗୀତର ଆଦର କରନ୍ତି, ମାତ୍ର ନିମାଇଁ ବାବୁ ଦକ୍ଷିଣ ଭାରତ ବା ଦ୍ରାବିଡ଼ୀ ସଙ୍ଗୀତାମୋଦୀ । ନିମାଇଁ ବାବୁ ଛାନ୍ଦ ଓ ଦକ୍ଷିଣୀ ଗୀତ ଗାଇ ଓଡ଼ିଶାର ସମ୍ମାନକୁ ଯେ ବହୁ ପରିମାଣରେ ବଢ଼ାଇ ଦେଇଛନ୍ତି ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।  ବାଣୀକଣ୍ଠଙ୍କର ଲଳିତ କଣ୍ଠରେ ଉତ୍କଳର ପୂଜ୍ୟ ବରେଣ୍ୟ ଦୀନକୃଷ୍ଣ, ଗୋପାଳକୃଷ୍ଣ, ଭଞ୍ଜ, ଅଭିମନ୍ୟୁଙ୍କର ରଚନା ଆଜି ପ୍ରକୃତରେ ଆତ୍ମ ବିସ୍ମୃତ ଓଡ଼ିଆକୁ ଚେତାଇ ଦେଇଛି । ନିମାଇଁ ବାବୁଙ୍କର 'ବିତଳକୁ ଆଲିଙ୍ଗନ' ରେକଡ଼ଟି ଯାହାର ନାହିଁ ତା ଘରେ ଗ୍ରାମଫୋନ ରଖିବା ଯଥାର୍ଥ ନୁହେଁ ବୋଲି ଲୋକେ ନିନ୍ଦା କରନ୍ତି । 

ନୀଳଗିରିର ବାବୁ ଗୋକୁଳାନନ୍ଦ ମହାନ୍ତି ଏହାଙ୍କର ସମସାମୟିକ । ବାବୁ ଜଗବନ୍ଧୁ ସାହୁ, ମିସ୍ ତୋଫାବାଲା, କୃଷ୍ଣ ପ୍ରସାଦ ବୋଷ ଓ ଲକ୍ଷ୍ମୀକାନ୍ତ ସାହୁ ପ୍ରଭୃତି ମଧ୍ୟ ଏହି ସମୟରେ ରେକଡ଼ ଗାୟକ ରୂପେ ପରିଚିତ ହୋଇଥିଲେ । କିନ୍ତୁ ଗୋକୁଳାନନ୍ଦ ମହାନ୍ତି ଓ ମାଷ୍ଟର ଲକ୍ଷ୍ମୀଧରଙ୍କ ଛଡ଼ା ଅନ୍ୟାନ୍ୟ କେହି ସେପରି କୃତକାର୍ଯ୍ୟ ହୋଇ ପାରିଲେ ନାହିଁ । ଗୋକୁଳି ବାବୁଙ୍କ ଗଳା ଯେ କେଡ଼େ ମଧୁର ତାହା ତାଙ୍କର ଗୋଟିଏ ପ୍ରସିଦ୍ଧ ଗୀତ 'ଦେ ମୋତେ ବାଇୟା କରି' ପ୍ରମାଣ କରିଦିଏ । ଗୀତର ରଚୟିତା ଓଡ଼ିଶାର ଅନ୍ୟତମ ଗୀତିକବି ଶ୍ରୀ ଲକ୍ଷ୍ମୀକାନ୍ତ ମହାପାତ୍ର । ଗୀତଟିର ଭାବ, ଭାଷା, ସ୍ୱର ଓ ସର୍ବୋପରି ଗାୟକଙ୍କର କଣ୍ଠସ୍ୱର ଗୀତଟିକୁ ଜନସମାଜରେ ଯଥେଷ୍ଟ ଆଦୃତ କରିଛି । 

ମା।ଷ୍ଟର ଲକ୍ଷ୍ମୀଧର ଯେଉଁ ଗୀତରେ ନାମ କରିଥିଲେ ସେ ହେଉଛି - 'ଚାହିଁ ଚାହିଁ ପଥ ତୁମରି ।' ନବୀନ ଗାୟକଙ୍କର କଣ୍ଠ ସ୍ୱର ଶ୍ରୋତାଙ୍କର ବଡ଼ ପ୍ରିୟ । ମିସ୍ ତୋଫାବାଲା ମଧ୍ୟ ମନ୍ଦ ଗାଇନାହାନ୍ତି । ତାଙ୍କର କୀର୍ତ୍ତନଟି ବେଶ୍ ହୋଇଛି । କୃଷ୍ଣବାବୁ କିନ୍ତୁ ଚେଷ୍ଟାକରି ନିଜେ ବିଫଳକାମ ହୋଇଛନ୍ତି । ତାଙ୍କର କଣ୍ଠସ୍ୱର ଆଦୌ ରେକଡ଼ର ଉପଯୋଗୀ ନୁହେଁ । ବାବୁ ଜଗବନ୍ଧୁ ସାହୁ ଚଳନୋପଯୋଗୀ ଗାଇଛନ୍ତି । ଲକ୍ଷ୍ମୀକାନ୍ତ ବାବୁଙ୍କର ରଚନାର ପ୍ରାଣସ୍ପର୍ଶୀ ଭାବ କେତେକାଂଶରେ ସଙ୍ଗୀତର ଦୋଷକୁ ଢାଙ୍କି ପକାଇଛି । ମନେ ହୁଏ ଲକ୍ଷ୍ମୀକାନ୍ତ ବାବୁଙ୍କର ସଙ୍ଗୀତ ଗୁଡ଼ିକ କୌଣସି ସୁଗାୟକ ଦ୍ୱାରା ଗୀତ ହୋଇଥିଲେ ଜନସାଧାରଣରେ ତାର ଆସନ ଖୁବ୍ ଉଚ୍ଚରେ ହୋଇଥାନ୍ତା ।  ଜଗବନ୍ଧୁ ବାବୁଙ୍କର ଦୋଷ ହେଉଛି ତାଙ୍କର ଗଳା କମ୍ପେ । 

(ପୁଣି ପର ସଂଖ୍ୟାରେ ଆଲୋଚିତ ହେବ)

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ଡଗର'ର ପ୍ରଥମ ଖଣ୍ଡ, ତୃତୀୟ ସଂଖ୍ୟାରେ, ୧୩୪୪ ସାଲ ବା ୧୯୩୭ ମସିହାରେ ପ୍ରକାଶିତ ହୋଇଥିଲା । 

No comments:

Post a Comment