Saturday, April 01, 2017

ମୋର ନିଜର ଦିନ


ଜ୍ୟୋତି ନନ୍ଦ



ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ (ସୁଭାସିସ ପାଣିଗ୍ରାହୀଙ୍କ ଆଲୋକଚିତ୍ର)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ଗ୍ରୀକ୍ ମାନଙ୍କର ବିଶ୍ୱାସ ଅନୁସାରେ ଏପ୍ରିଲର ସୃଷ୍ଟି ଲାଟିନ୍ ଶବ୍ଦ "ଏପେରିରେ" ରୁ ଯାହାର ଅର୍ଥ ହେଉଛି ବସନ୍ତର ପ୍ରବେଶ । ବସନ୍ତ ପ୍ରବେଶର ଏଇ ଆନନ୍ଦମୟ ମୁହୂର୍ତ୍ତରେ କଳାବିଦ୍ୟାର ଚରମ ଉତ୍କର୍ଷର ରାଜ୍ୟ ଉତ୍କଳର ଅଧିବାସୀ, ସାହସ ଶୌର୍ଯ୍ୟର ପ୍ରତିରୂପ କଳିଙ୍ଗବାସୀ ତଥା ସମସ୍ତ ପ୍ରକାର ଧର୍ମ ଜାତି ଏବଂ ବୈଷମ୍ୟ ତଥା ସମସ୍ତ ପ୍ରକାରର ବିଭେଦର ଉର୍ଦ୍ଧ୍ୱରେ ସହାବସ୍ଥାନ କରୁଥିବା ଏକ ଉଜ୍ଜ୍ୱଳ ଏକକ ଓଡିଶାର ଅଧିବାସୀ ହିସାବରେ ମୋର ଗର୍ବ ଆଉ ଆନନ୍ଦ ମୋ ଭଳି ଅନ୍ୟ ସମସ୍ତଙ୍କର ସହିତ ଭାଗ କରି ନେଉଛି ।

(ଏପ୍ରିଲ୍ ଏକ ନିଷ୍ଠୁରତମ ମାସ ବୋଲି କବିବାଣୀ ବିଶ୍ୱପ୍ରସିଦ୍ଧ ହୋଇଥିବା ବେଳେ ଆମ କବି ଗୁରୁପ୍ରସାଦ ଏହି ସମାନ ଏପ୍ରିଲ୍ ରେ ମେଘର ସମ୍ଭାବନା ଆଉ "ଏ ବର୍ଷାରେ ଆଶା ଅଛି ଆଶ୍ୱାସନା ଅଛି" ବୋଲି ସୁନ୍ଦର ଧାଡିଟିଏ ଉପହାର ଦେଇଛନ୍ତି। ଆଶା ଆଉ ଆଶ୍ୱାସନାକୁ ନେଇ ଆମେ ଆମର ଛୋଟ ଛୋଟ ପାଦରେ ଆଗେଇ ଚାଲିଛୁ ଏକ ବୃହତ ପଦପାତର ସ୍ୱପ୍ନ ସହ)
ଆଜି ଦିନଟି ମୋର । ମୋ ରାଜ୍ୟର । ମୋ ପାଇଁ ଆଜି ସବୁ ସଙ୍ଗୀତ ସବୁଜ ସଙ୍ଗୀତ ।
(ଗଲା କାଲି ତରୁଣ ପ୍ରତିଭାବାନ କବି କଥାକାର ନିଖିଳେଶ ଜନ୍ ବିମ୍ସ୍ ଙ୍କ ସମ୍ପର୍କରେ କିଛି କଥା ପଚାରୁଥିଲେ । ଆଦୌ କିଛି କହିପାରିଲି ନାହିଁ । ଇତିହାସର ଛାତ୍ର ହିସାବରେ ମୁଁ ସେମିତି ଅଧ୍ୟବସାୟୀ ବା ଉଜ୍ଜଳ ନୁହଁ । ପରିଶ୍ରମକାତର ଏଇ ଚରିତ୍ରଟି ଦରକାର ପଡିଲେ ନିହାତି ସୁବିଧାବାଦୀ ହିସାବରେ କୈଳାଶ, ଅମିୟ ଭଳି କିଛି ବନ୍ଧୁ ତଥା ମଣିଷ-ଅଭିଧାନଙ୍କ ସାହାଯ୍ୟ ଲୋଡିଥାଏ ।
ନିଖିଳେଶଙ୍କ ସହ କଥା ହେଲାବେଳେ ଓଡିଆ ସଂସ୍କୃତି ସମ୍ପର୍କରେ ଗୋଟିଏ କଥା ମୋ ମନକୁ ଆସିଥିଲା ଯାହା ମୁଁ ତାଙ୍କୁ କହିଥିଲି । ଆପଣମାନଙ୍କୁ ସେଇ କଥାଟି ଆଜି କହିବାକୁ ଇଛା ହେଉଛି ।
ସେଇ ଭଳି କଥାଟିଏ ଭାବି ନିଜେ କହିଲାଭଳି ଭାଜନ ମୁଁ ନୁହଁ । କଥାଟି ହେଉଛି ବାଗ୍ମୀପ୍ରବର ହୃଦାନନ୍ଦ ରାୟଙ୍କର । ହୃଦାନନ୍ଦ ରାୟ ଆମର ସାର୍ । ଏବେ ମୋ ଆଖି ଆଗରେ ଦେଖାଯାଉଛି ରେଭେନ୍ସାର କରିଡର୍, ଆଉ କିଛି ହଠାତ୍ ସମବେତ ଛାତ୍ର । ସମସ୍ତଙ୍କ ଆଖିଟିମାନ ଉତ୍ସାହରେ ଟଳଟଳ । ସେମାନଙ୍କର ମଝିରେ ଉପସ୍ଥିତ ଅଛନ୍ତି ପ୍ରଫେସର୍ ହୃଦାନନ୍ଦ ରାୟ । ସେ ସମୟରେ ଶିକ୍ଷା କେବଳ ଶ୍ରେଣୀଗୃହ ଭିତରେ ସୀମୀତ ନଥିଲା ।
ଆଜି କୌଣସି ବିଦ୍ୱେଷର କଥା କହିବି ନାହିଁ । କିନ୍ତୁ ଜଣେ "ରେଭେନ୍ସାଭିଆନ୍" ହିସାବରେ ଯେଉଁ ଗୌରବଟିକକ ମୁଁ ମୋ ଭିତରେ ଏଯାବତ୍ ସଯତ୍ନରେ ଲାଳନ କରି ଆସିଛି, ସେହି ଐତିହାସିକତାକୁ ଭିନ୍ନ ନାମକରଣ କରି ଛିଣ୍ଡାଇ ନେବାକୁ ପ୍ରୟାସରତ କୌଣସି ପଣ୍ଡିତଙ୍କୁ ମୋ ସାମର୍ଥ୍ୟ ଅନୁସାରେ ପ୍ରତିରୋଧ କରିବି ।
ହୃଦାନନ୍ଦ ସାର୍ ଏକଦା ଓଡିଆ ସଂସ୍କୃତିର ସ୍ୱରୂପକୁ ବୁଝାଇବାବୁ ଯାଇ କହିଥିଲେ, ଓଡିଆ ସଂସ୍କୃତି ହେଉଛି ନିଜେ ଭଲ ଖାଇବ, ଅନ୍ୟକୁ ଖୁଆଇବ; ଅନ୍ୟ କିଏ କେଉଁଠି ଖାଇବାର ଦେଖିଲେ ଆହ୍ଲାଦିତ ହେବ ।
ଏଇଥିରୁ ଯେଉଁ ଚରିତ୍ରଟିର ନିଷ୍କର୍ଷ ବାହାରିବ, ତାହା ଶୁଦ୍ଧ ସୁବର୍ଣ୍ଣ । ଏଇ ଶୁଦ୍ଧ ସୁବର୍ଣ୍ଣଟି ମୁଁ, ମୁଁ ଓଡିଆ।)
ମୋ ମୁଣ୍ଡରେ ଓଡିଆର ସ୍ୱରୂପଟିଏ ଆଗ ବସା ବାନ୍ଧିଲେ ସିନା ମୁଁ ଚାରିଆଡେ ଓଡିଶା କୁ ଦେଖି ପାରିବି । ସେଇଥିପାଇଁ ଯୋଗକୁ ଆଜିଭଳି ଦିନରେ ବହୁ ଆଗରୁ ଜନ୍ମିଥିଲେ ଜଣେ ମହାନ ଦାର୍ଶନିକ । ସେ କହିଥିଲେ, 'ମୁଁ ଭାବିଲି ବୋଲି ଦେଖିଲି ମୁଁ । ଆଇ ଥିଙ୍କ୍ ଦେଆରଫୋର୍ ଆଇ ଆମ୍ ।' ସେ ରେନେ ଡେକାର୍ତ୍ତେ। ତାଙ୍କର ଜନ୍ମଦିନ ସହିତ ଆମ ନିଜ ଦିନଟିର ସଞ୍ଜୋଗର ପ୍ରତୀକାତ୍ମକତାକୁ ନିଜ ବାଟରେ ବୁଝିବାକୁ ଆମେ ଚେଷ୍ଟାକରିବା ଉଚିତ ।
ବନ୍ଦେ ଉତ୍କଳ ଜନନୀ ।
(ଆଜିର ଏହି ଶେଷ ବନ୍ଧନୀଟି କୌଣସି ସୁଖର କଥା ନୁହଁ । ଏପ୍ରିଲ୍ ମାସଟିର ନାମକରଣ ହୋଇଛି ଜଣେ ଦେବୀଙ୍କର ନାଁ ଅନୁସାରେ । ସେ ଦେବୀ ହେଉଛନ୍ତି ଏପ୍ରିଲିସ୍ - ରୋମୀୟମାନଙ୍କର ଦୁର୍ଭାଗ୍ୟର ଦେବୀ । ତାଙ୍କର ଉପରେ ଚର୍ଚ୍ଚା ପରେ)

No comments:

Post a Comment