Sunday, April 02, 2017

ମଞ୍ଚ ଓ ବିଦ୍ୟାଳୟ ରୂପେ କଲିକତା : ଏକ ‘ବଙ୍ଗାଳୀ’ ସହରରେ ଓଡିଆ ଜୀବନ


ଅନୁବାଦକ - ବିଶ୍ୱଜିତ ଆପଟ


କଲିକତାର ଚଉରଙ୍ଗି ଛକ (୧୯୪୫ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ନାୟକ, ଯତୀନ୍ଦ୍ର କୁମାର (ସମ୍ପାଦକ) । ୨୦୧୦ । ଏ ୱାର୍ଲଡ୍ ଏଲ୍ସହ୍ୱେର୍ : ଇମେଜେସ୍ ଅଫ୍ କୋଲକାତା ଇନ୍ ଓରିଆ ଅଟୋବାୟୋଗ୍ରାଫିଜ୍ । ଭୁବନେଶ୍ୱର : ସ୍ନାତକୋତ୍ତର ଇଂରାଜୀ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ, ଗ୍ରାସରୁଟସ୍ ସହାୟତା ସହ । ୩୯୫ ଟଙ୍କା । ୧୮୬ ପୃଷ୍ଠା ।

ବହୁ ସଙ୍ଖ୍ୟକ ଓଡିଆଙ୍କ ପରି ମୋର ମଧ୍ୟ କଲିକତା ସହ ଏକ ବ୍ୟକ୍ତିଗତ ସମ୍ପର୍କ ରହିଛି । ଓଡିଆମାନେ ସବୁବେଳେ ହିଁ କାଲ୍କାଟା ବା କୋଲ୍କାତା ପରିବର୍ତ୍ତେ କଲିକତା ବୋଲି ହିଁ ଉଚ୍ଚାରଣ କରିଆସିଛନ୍ତି । କଲିକତା ଯେତିକି ବଙ୍ଗାଳୀ ବା ମାରୱାଡି ସହର, ସେତିକି ଓଡିଆ ସହର ମଧ୍ୟ । ତେଣୁ ପୀଢି ପରେ ପୀଢି ଓଡ଼ିଆମାନେ, ସେ ପ୍ରବାସୀ ହୁଅନ୍ତୁ ବା ଆଉ କେହି, ଏ ସହରକୁ ଯେଉଁ ନାମ ଦେଇଛନ୍ତି ମୁଁ ବି ସେଇ ନାମଟି ଏଠି ବ୍ୟବହାର କରିବି । ଏହି ଅଧମର ପ୍ରପିତାମହ, ଶ୍ରୀ ବାଳକୃଷ୍ଣ ରାଉତରାୟ, କଟକ ଜିଲ୍ଲାର ବଳଭଦ୍ରପୁର ଗାଁ’ର ନିବାସୀ ଥିଲେ । ସେ ଜଣେ କ୍ଷୁଦ୍ର ବ୍ୟବସାୟୀ ଥିଲେ ଓ କଲିକତାରେ କେଉଁଠାରେ ତାଙ୍କର ଗୋଟିଏ ଡାଲି ଚାଉଳ ଦୋକାନ ଥିଲା । କଲିକତାରେ ଠିକ କେଉଁଠାରେ ସେ ଦୋକାନଟି ଥିଲା, ତାହା ଅବଶ୍ୟ ମୋତେ ଜଣା ନାହିଁ । କାରଣ ମୁଁ ଛୋଟ ଥିଲା ବେଳୁ ହିଁ ମୋ ଜେଜେ ବାପା ସ୍ୱର୍ଗବାସୀ ହେଲେ, ଆଉ ମୋ ବୟସ୍କ ଜେଜେମାଆଙ୍କୁ ଏ କଲିକତା ବେପାର ବିଷୟରେ ମୋ ହେତୁ ହେଲା ବେଳକୁ ଆଉ ବିଶେଷ କିଛି ମନେପଡୁନଥିଲା । ସେ ଯାହା ହେଉ, ସ୍ୱାଧୀନତା ସମୟରେ ସେ ବେପାର ମାନ୍ଦା ପଡିଗଲା ଓ ମୋ ପରିବାର ପୁଣି ଫେରି ପୁରାପୁରି ଚାଷବାସରେ ହିଁ ମନ ଦେଲେ ।

ମୋ ପରିବାର କିଛି ସ୍ୱତନ୍ତ୍ର ନୁହେଁ । ଏବେ ଯେମିତି ପ୍ରାୟ ପ୍ରତ୍ୟେକ ମଧ୍ୟବିତ୍ତ ଓଡ଼ିଆ ପରିବାରର କେହି ଜଣେ ସଦସ୍ୟ ଦିଲ୍ଲୀ, ବମ୍ବେ, ବାଙ୍ଗାଲୋର ବା ମାଡ୍ରାସ ପରି କୌଣସି ଏକ ମହାନଗରରେ କାମ କରୁଛନ୍ତି, ଊନବିଂଶ ଓ ବିଂଶ ଶତାବ୍ଦୀ ବ୍ୟାପୀ ଅତି କମରେ ଛଅ ପୀଢିର ଓଡିଆଙ୍କ ପାଇଁ କଲିକତା ଥିଲା ଭାଗ୍ୟ ବଦଳେଇବାର ଏକ ସୁଯୋଗ । ସେ କାମଧନ୍ଦା ପାଇଁ ହେଉ ବା ଶିକ୍ଷାଲାଭ ପାଇଁ, ଓଡିଶାର ଶାନ୍ତ ଓ ସୁପ୍ତ ଗାଁ ଓ ସହରମାନଙ୍କରୁ ମୁକୁଳିବାର ବାଟ ଥିଲା କଲିକତା । କଲିକତା ଥିଲା ଔପନିବେଶିକ ମହାନଗରର ଏକ ଆଦ୍ୟରୂପ । ୧୯୧୧ ଯାଏଁ ଏହା ଥିଲା ବ୍ରିଟିଶ ସରକାରଙ୍କ ରାଜଧାନୀ ଓ ବ୍ରିଟିଶ ସାମ୍ରାଜ୍ୟର ଦ୍ୱିତୀୟ ସହର, ଯେଉଁଠାରେ ସୂର୍ଯ୍ୟ କେବେ ଅସ୍ତ ଯାଉ ନଥିଲା । କଲିକତାର ଗହଳ ଚହଳ ଓ ଚଞ୍ଚଳ ପରିବେଶ ଅନେକ ଓଡିଆଙ୍କ ପାଇଁ ବହୁ ଦିନ ଧରି ଆଧୁନିକତାର ସଂସ୍ପର୍ଶରେ ଆସିବାର ଉତ୍ସ ହୋଇ ରହିଥିଲା । ତେଣୁ ଓଡିଶାରେ ଆଧୁନିକ ବ୍ୟକ୍ତିତ୍ୱ ସୃଷ୍ଟିରେ ଏକ ବଙ୍ଗୀୟ ଛାପ ରହିଗଲା ।

ଏହି ସନ୍ଦର୍ଭରେ, ଆମ ସମୀକ୍ଷା ପରିସରକୁ ଆସିଥିବା ବହିଟି ଅନେକ ଗୁରୁତ୍ୱପୂର୍ଣ୍ଣ । ଏହି ବହି ହେଉଛି କଲିକତାର ବର୍ଣ୍ଣନା ଯୋଗାଉଥିବା ଓଡିଆ ଆତ୍ମଜୀବନୀଗୁଡିକର କେତେକ ଉଦ୍ଧୃତାଂଶର ଇଂରାଜୀ ଅନୁବାଦର ଏକ ସଙ୍କଳନ । ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଟ୍ରାନସଲେଟିଙ୍ଗ ଓଡିଶା’ ଶୀର୍ଷକ ପ୍ରକଳ୍ପ ଅନ୍ତର୍ଭୁକ୍ତ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା, ଯାହାର ଫଳଶ୍ରୁତି ହେଉଛି ଏହି ବହି । ବହିଟିରେ ଓଡିଆ ଆତ୍ମଜୀବନୀରୁ ପନ୍ଦରଟି ଉଦ୍ଧୃତାଂଶ ସ୍ଥାନ ପାଇଛି, ଯେଉଁଗୁଡିକ ମୁଖ୍ୟତଃ ବିଂଶ ଶତାବ୍ଦୀର କଲିକତାର ଏକ ଚିତ୍ରମାଳା ପରିବେଷଣ କରନ୍ତି । ଆତ୍ମଜୀବନୀ ଗୁଡିକ ମଧ୍ୟ ସତର୍କତାର ସହ ଚୟନ କରାଯାଇଛି । ଏଗୁଡିକର ଲେଖକମାନେ ମଧ୍ୟ ବିବିଧ: ରାଜନେତା, ଛାତ୍ର, ଜଣେ ନାଟକ ସହ ସମ୍ପୃକ୍ତ ତ ଆଉ ଜଣେ ପୁସ୍ତକ ଅନୁରାଗୀ । ଫଳସ୍ୱରୂପ କଲିକତାରେ ଥିବା ଓଡିଆଙ୍କର ବହୁବିଧ ଅନୁଭବମାନ ଆମ ଆଗକୁ ଆସିଛି ।

ସବୁଠାରୁ ରୋଚକ ଉଦ୍ଧୃତାଂଶଟି ପ୍ରସିଦ୍ଧ ଓଡିଆ ନାଟକ କଳାକାର ବୈଷ୍ଣବ ପାଣିଙ୍କ ଆତ୍ମଜୀବନୀରୁ ସଙ୍ଗୃହିତ ଓ ଜ୍ୟୋତିର୍ମୟୀ ମିଶ୍ର ଏହାକୁ ସୁନ୍ଦର ଭାବେ ଅନୁବାଦ କରିଛନ୍ତି । ଏଥିରେ ସହରଟିକୁ ଏକ ମଞ୍ଚ ରୂପେ ବର୍ଣ୍ଣନା କରାଯାଇଛି । ନାଟ୍ୟ ଜଗତର ଆଉ ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଗୋପାଳ ଦାଶଙ୍କ ସହ ବୈଷ୍ଣବ ପାଣିଙ୍କର ଭେଟ ହୁଏ ଓ ସେ ଶ୍ରୀଯୁକ୍ତ ଦାଶଙ୍କ ସହ ଏକ ପ୍ରତିସ୍ପର୍ଦ୍ଧାତ୍ମକ ପ୍ରଦର୍ଶନରେ ମାତି ଯାଆନ୍ତି । କିଛି ଦିନ ଭିତରେ ହିଁ ଶ୍ରୀଯୁକ୍ତ ଦାଶଙ୍କର ମୃତ୍ୟୁ ହୁଏ । କିନ୍ତୁ ଲେଖାଟି ପଢିବା ପରେ ମଞ୍ଚରୂପୀ ସହରର ଛବି ମନରେ ଲାଖିଯାଏ, ଯେଉଁଠାରେ ପ୍ରତିଦିନ ଲୋକେ ଯଶ ଓ ଖ୍ୟାତି ଅର୍ଜନ କରନ୍ତି, ତଥା ପ୍ରତିଦିନ ହିଁ ଲୋକଙ୍କର ପ୍ରତିଷ୍ଠା ଚୁରମାର ହେଉଥାଏ । ଅନ୍ୟ ଆତ୍ମଜୀବନୀଗୁଡିକରୁ ଉଦ୍ଧୃତାଂଶମାନଙ୍କରେ ମଧ୍ୟ ମୁଖାପିନ୍ଧା ଜୀବନର କଥା ଦେଖିବାକୁ ମିଳେ । ସ୍ୱାଧୀନତା ସଙ୍ଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ନିଜ ରାଜ୍ୟର ସରକାରୀ ଅଧିକାରୀଙ୍କ ଦ୍ୱାରା ଗିରଫ ହେବାରୁ ବର୍ତ୍ତିବା ପାଇଁ ଓଡିଶାରୁ ବଙ୍ଗଳା ଚାଲିଯାଆନ୍ତି ଓ କଲିକତାରେ ନିଜ ଉପସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଛାତ୍ରର ବେଶ ଧାରଣ କରନ୍ତି । ପବିତ୍ର ମୋହନ ପ୍ରଧାନଙ୍କ କ୍ଷେତ୍ରରେ ଆହୁରି ମୌଳିକ ରୂପାନ୍ତର ଘଟେ । ସମାନ କାରଣ ପାଇଁ ସେ ଏକ ଘରୋଇ ଚାକର ହୋଇ କଲିକତାରେ ରହନ୍ତି ଓ ଏହି ପ୍ରଦର୍ଶନରେ ଅନେକାଂଶରେ ସଫଳ ମଧ୍ୟ ହୁଅନ୍ତି ।

ଅନେକ ଓଡିଆଙ୍କ ପାଇଁ କଲିକତା ଏକ ଶୈକ୍ଷଣିକ ଭୂମି ସାଜିଥିବା ପରି ମନେ ହୁଏ । ଗୋବିନ୍ଦ ଦାସଙ୍କ ପାଇଁ ତ ଏହା ସ୍ପଷ୍ଟ । କଲିକତାର ପ୍ରେସିଡେନ୍ସି କଲେଜରେ ନାମ ଲେଖାଇଥିବା ଗୋବିନ୍ଦ ଦାସଙ୍କ ପାଇଁ ଏହା ସମ୍ଭ୍ରାନ୍ତ ବର୍ଗଙ୍କ ସାଂସ୍କୃତିକ ଓ ଶୈକ୍ଷଣିକ ଅଭ୍ୟାସବଳୀ ଶିଖିବାର ଏକ ସୁଯୋଗ ଥିଲା । ଅନ୍ୟ ଉଦ୍ଧୃତାଂଶଗୁଡିକରେ ଛାତ୍ରାବାସ ଓ ‘ମେସ୍’ ପରି ଅନୁଷ୍ଠାନଗୁଡିକ କେନ୍ଦ୍ରରେ ଥିବା ଦେଖିବାକୁ ମିଳେ । ପ୍ରଖ୍ୟାତ ସ୍ୱାଧୀନତା ସଙ୍ଗ୍ରାମୀ ତଥା ଶିକ୍ଷାବିତ ଗୋଦାବରୀଶ ମିଶ୍ର ଏ ବିଷୟ ଉପରେ କିଛି ଆଭାସ ଦିଅନ୍ତି । କଲିକତା ସହରର ଏକ ଶୂନଶାନ ଗଳିରେ (ପୃ. ୧୭) ଥିବା ଘର ନମ୍ବର ନଅରେ ଚାଲୁଥିବା ମେସ୍ ରେ ରହି ଅନେକ ଓଡିଆ ସାମୁହିକ ସୀବନ ଓ ଜାତୀୟ ଜୀବନ ଉପରେ ତାଲିମ ପାଇଥିଲେ । କିନ୍ତୁ ଏପରି ଶୈକ୍ଷିକ ଅନୁଷ୍ଠାନ ଓ ଆବାସିକ ସ୍ଥାନରେ ଜାଗା ପାଇବା ବି ସହଜ କଥା ନଥିଲା । ଚିକିତ୍ସା ବିଜ୍ଞାନର ଛାତ୍ର ତଥା ସାହିତ୍ୟିକ ବିକ୍ରମ ଦାସ ଉଭୟ କଲେଜ ଓ ଛାତ୍ରାବାସରେ ସ୍ଥାନ ପାଇବାର ଯନ୍ତ୍ରଣା କଥା ବର୍ଣ୍ଣନା କରିଛନ୍ତି । ଏହି କଥନିକାଗୁଡିକ ମୋଟାମୋଟି ଭାବେ ଆତ୍ମ-ନିର୍ମାଣର କଥା କୁହନ୍ତି । ଓଡିଆ କଳାକାର ଅସୀମ ବସୁ ‘ତରଙ୍ଗ’ ପତ୍ରିକାର ଚିତ୍ରକର ହେବାବେଳର ଅନୁଭବ ବଖାଣିଛନ୍ତି ଓ ଏହା କିପରି ତାଙ୍କ କଳାତ୍ମକ ବ୍ୟକ୍ତିତ୍ୱ ନିର୍ମାଣରେ ସହାୟକ ହେଲା, ତାହା ବର୍ଣ୍ଣନା କରିଛନ୍ତି । କଣ୍ଡୁରି ଚରଣ ଦାସ କିପରି ବାଳୁତ ଅବସ୍ଥାରେ କଲିକତା ଆସି ଧୀରେ ଧୀରେ ଜଣେ ସମ୍ପାଦକ ଓ ଜନପ୍ରିୟ ଉପନ୍ୟାସ ଲେଖକ ହେଲେ ତାହା ଦେଖାଇଛନ୍ତି ।
ସମୀକ୍ଷା ପରିସରରେ ଥିବା ବହିଟିର ଉପକ୍ରମଣିକା ଏକ ଅନୁଭବୀ ଲେଖା ଯେଉଁଥିରେ ସମ୍ପାଦକ ଡ. ନାୟକ ଓଡିଆଙ୍କର ଓ ଓଡିଶାର ସାମାଜିକ ଓ ସାଂସ୍କୃତିକ ଜୀବନରେ କଲିକତାର ମହତ୍ତ୍ୱ ଆଲୋତନା କରିଛନ୍ତି । ସହରଟି ପ୍ରତି ଓଡିଆଙ୍କର ଅବଦାନ ମଧ୍ୟ ସେ ସୂଚାଇଛନ୍ତି, ଯଦିଓ ସେତେ ବିଶଦ ଭାବରେ ନୁହେଁ । ଶ୍ରୀ କେ.କେ. ମହାପାତ୍ର ଏହି ବହିଟିର ଏକ ଅନ୍ତରଙ୍ଗ ଅନ୍ତକଥନରେ ଏଥିରେ ନିଆଯାଉଥିବା କଥନିକାଗୁଡ଼ିକୁ ଦେଖିବା ପାଇଁ ଆମ ନିମନ୍ତେ ଏକ ଢାଞ୍ଚା ନିର୍ମାଣ କରନ୍ତି । 

ଲେଖକମାନଙ୍କ ପରିଚୟ ଖୁବ ସଂକ୍ଷିପ୍ତରେ ଦିଆଯାଇଛି । ଅନୁବାଦ କରାଯାଇଥିବା ଆତ୍ମଜୀବନୀ ଗୁଡିକର ଲେଖକମାନଙ୍କ ମଧ୍ୟରୁ ଅଧିକାଂଶ ଓଡିଶାର ସମାଜ ଓ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ଯେଉଁ ପାଠକମାନେ ଓଡିଶାର ସାମାଜିକ ଓ ସାଂସ୍କୃତିକ ପରିବେଶ ସହ ପରିଚିତ ନୁହଁନ୍ତି, ତାଙ୍କ ପାଇଁ ବିସ୍ତୃତ ଲେଖକ ପରିଚୟ ଖୁବ ସହାୟକ ହୋଇଥାଆନ୍ତା । ଏହାକୁ ବାଦ ଦେଲେ ବହିଟି ଅତି ଶ୍ରଦ୍ଧାର, ସହ ଖୁବ ସୁନ୍ଦର ଭାବେ ସମ୍ପାଦିତ ହୋଇ ପ୍ରସ୍ତୁତ କରାଯାଇଛି । ଏହା ବହୁ ଲୋକଙ୍କ ଦ୍ୱାରା ପଠନ ଓ ଆଲୋଚନା ଯୋଗ୍ୟ ।

ସମୀକ୍ଷାର ପରିସରରେ ଥିବା ବହିଟି ପରି ବହିଗୁଡିକରୁ ଜଣାପଡେ କେଉଁଭଳି ପରିବେଶ ଗୁଡିକରୁ ଆଧୁନିକ ଓଡିଆ ଭାଷା ବିଗତ କେତୋଟି ଶତାବ୍ଦୀରେ ନିଜର ସ୍ଥାପତ୍ୟ ଅର୍ଜନ କରିଛି । କିନ୍ତୁ ବିଂଶ ଶତାବ୍ଦୀରେ ବାଙ୍ଗାଲୋର ବା ସୁରତ, ମାଡ୍ରାସ, ବମ୍ବେ ଇତ୍ୟାଦି ନଗରରେ ରହୁଥିବା ଓଡିଆ ଭାଷୀଙ୍କ ଜୀବନ ଓ ଭାଷା କେଉଁ ରୂପରେ ପ୍ରସ୍ଫୁଟିତ ହୋଇଛି, ତାହାର ବିବରଣୀ ଓଡିଆ ଭାଷାରେ ଏଯାବତ ଲେଖାଯାଇ ନାହିଁ । ଏବେ ଆମକୁ ଆମର ଭାଷାଗତ କଳ୍ପନାକୁ ଭୌଗଳିକ ପରିକଳ୍ପନାରୁ ପୃଥକ କରିବାକୁ ହେବ, ଓ ଭାରତୀୟ ରାଜ୍ୟ ଓଡିଶାର ବାହାରେ, ପୃଥିବୀ ଯାକ ଓଡିଆ ଭାଷା ଓ ଓଡିଆ ଭାଷୀଙ୍କ ଜୀବନ ଯେଉଁ ସବୁ ଅବତାର ଗ୍ରହଣ କରିଛି ସେସବୁକୁ ଆଲୋଚନାଭୁକ୍ତ କରିବାକୁ ହେବ । ସମୀକ୍ଷା ପରିସରରେ ଥିବା ବହିଟି ଏପରି ଏକ ସମ୍ଭାବିତ ପ୍ରକଳ୍ପର ପ୍ରଥମ ମାଇଲଖୁଣ୍ଟ । ଯଦି ଏହି ବହି ଓଡିଆ (ଆତ୍ମ)ଜୀବନୀ ସାହିତ୍ୟ ଉପରେ ଆମକୁ ପୁନଃକେନ୍ଦ୍ରିତ କରିବାରେ ସହାୟକ ହୁଏ ତେବେ ପୁସ୍ତକ ପ୍ରକାଶନ ଜନିତ ଶ୍ରମର ଉଚିତ ପ୍ରତିଦାନ ମିଳିବ ।

ବି.ଦ୍ର. - ଏହି ସମୀକ୍ଷାଟି ପ୍ରଥମେ ୨୦୧୪ ମସିହାରେ 'ମାର୍ଗ ଏସିଆ' ଇଂରାଜୀ ପତ୍ରିକାର ଦ୍ୱିତୀୟ ଖଣ୍ଡର ପ୍ରଥମ ସଂଖ୍ୟାରେ ପ୍ରକାଶ ପାଇଥିଲା । 

1 comment: