Wednesday, April 12, 2017

ଓଡ଼ିଆ ରେକଡ଼ର ଇତିହାସ - ୨


ଶ୍ରୀ କିରଣଚନ୍ଦ୍ର ଘୋଷ 



ଏଡ଼ିସନ ଫୋନୋଗ୍ରାଫ (୧୮୯୯ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ବର୍ତ୍ତମାନ ହିଜ ମାଷ୍ଟରସ ଭଏସ କମ୍ପାନୀର ନବୀନ ଗାୟକ ମାନଙ୍କ ସମ୍ଭନ୍ଧରେ ପଦେ ଅଧେ କହେଁ ।  ନୂତନ ଆର୍ଟିଷ୍ଟ ମାନଙ୍କ ଭିତରୁ କୁମାରୀ ପ୍ରତିମା ରାୟ ଚୌଧୁରୀ, ସୁକୁମାର ସାହୁ, ବାବୁ ରାସ ବିହାରି ପ୍ରଧାନ ଓ ବାବୁ କିରଣ ଚନ୍ଦ୍ର ଘୋଷ, ଗୁଣୀ-ସମାଜର ଦୃଷ୍ଟି ଆକର୍ଷଣ କରିଥିବାର ଜଣାଯାଏ ।  ଏମାନଙ୍କର ଏହି ଅଭିଯାନ କେତେଦୂର ସାଫଲ୍ୟ ମଣ୍ଡିତ ହୋଇଛି ସୁଧୀ ଶ୍ରୋତୃବର୍ଗମାନେହିଁ ତାହାର ଉତ୍କୃଷ୍ଟ ବିଚାରକ । ତେବେ ଏତିକି କୁହା ଯାଇ ପାରେ ଯେ ଏହି ସବୁଜ ଦଳର ସତେଜ ସଙ୍ଗୀତକୁ ଆଲୋଚନା କରିବାର ସମୟ ଆସିନାହିଁ । ମାତ୍ର କୁମାରୀ ପ୍ରତିମାଙ୍କର ଅଦ୍ଭୁତ ପ୍ରତିଭା ବଳରେ ଅତି ଅଳ୍ପ ସମୟ ମଧ୍ୟରେ ସେ ଓଡ଼ିଆ ରେକଡ଼ ରାଜ୍ୟରେ ଆଶାତୀତ ପ୍ରତିଷ୍ଠା ଲାଭ କରିଛନ୍ତି । 'ମୁଁ ପରା ଭିକାରୁଣୀ କୁଞ୍ଜ ଦ୍ୱାରେ ଓ ସନ୍ଧ୍ୟାରାଣୀ କି ଦେଲା ତୋତେ ମେଲାଣି" ତାଙ୍କର ଏହି ଦୁଇଟି ସଙ୍ଗୀତ ଯଥେଷ୍ଟ ଆଦୃତ ହେଉଛି । 

ଏଥର ଅନ୍ୟାନ୍ୟ କମ୍ପାନୀମାନଙ୍କର କଥା କୁହେଁ । ମେଗାଫୋନରେ ବାବୁ ବାଞ୍ଛାନିଧି ମହାନ୍ତି ଦେଇଛନ୍ତି ଜାତୀୟ ସଙ୍ଗୀତ । ବାବୁ ଅକ୍ଷୟ କୁମାର ଦାସ ଓ ବାବାଜୀ ଚରଣ ପୁଷ୍ଟି ମଧ୍ୟ ମେଗାଫୋନର ଆର୍ଟିଷ୍ଟ୍ ।  ବାଞ୍ଛାନିଧି ବାବୁ ଓ ଅକ୍ଷୟ ବାବୁଙ୍କର ଗୀତକୁ ଲୋକେ ଆଦର କରୁଛନ୍ତି । ବାଞ୍ଛାନିଧି ବାବୁଙ୍କର ରଚନା ପ୍ରକୃତରେ ଚିତ୍ତାକର୍ଷକ । କିନ୍ତୁ ଅକ୍ଷୟ ବାବୁ ରଚନା ଦିଗରେ ଟିକେ ଦୃଷ୍ଟି ଦେଇପାରିଲେ ଭଲ ହୁଅନ୍ତା । ଗାୟକ ଓ ଲେଖକ ଉଭୟ ହିସାବରେ କାମ କରିବାର ପ୍ରଲୋଭନ ଏଡ଼ି ପାରିଲେ ସେ ଅନ୍ତତଃ ଗୋଟିକରେ ନିପୁଣତା ନିଶ୍ଚୟ ଦେଖାଇ ପାରନ୍ତେ । ପୁଷ୍ଟିଙ୍କର ସଙ୍ଗୀତ ଶୁଣିବାର ଉପଯୋଗୀ ନୁହେଁ । ଏହି କମ୍ପାନୀ ପ୍ରକାଶିତ ବାବୁ କାଶୀନାଥ ସାହୁଙ୍କର ଗୀତ ଗୁଡ଼ିକ ମନ୍ଦ ହୋଇ ନାହିଁ ।

ହିନ୍ଦୁସ୍ଥାନରେ ଯେଉଁ ଦୁଇ ଜଣ ଗାଇଛନ୍ତି ତନ୍ମଧ୍ୟରୁ ରବୀନ୍ଦ୍ର ନାଥ ଘୋଷଙ୍କର ଗୀତ କେତେକାଂଶରେ ସାଫଲ୍ୟ ମଣ୍ଡିତ ହୋଇଛି । ମାତ୍ର ରେକର୍ଡ ଖଣ୍ଡିକର ଆଦର ସଙ୍ଗୀତ ଯୋଗୁଁ କିମ୍ବା ତତ୍ସଂଲଗ୍ନ ବାଦ୍ୟ ଯୋଗୁଁ ତାହା ବୁଝିବା କଠିନ ।  ରବିବାବୁଙ୍କର ଗଳା ଅସ୍ପଷ୍ଟ । 'ନ ଯିବି ମୁଁ ଯମୁନା ଗୀତଟି' ତାଙ୍କର ସ୍ୱର ଲାଳିତ୍ୟ ଯୋଗୁଁ ମଧୁର ଲାଗେ । 

ସେନୋଲା ସାଧାରଣତଃ ନାଟକ ହିଁ ବାହାର କରେ । ବାବୁ ରାଧା ମୋହନ କବିରାଜ ଯେଉଁ ଗୀତ ଦେଇଛନ୍ତି ତାର ସାଫଲ୍ୟ ସଂବଂଧରେ ଶ୍ରୋତାମାନେ ହିଁ କହିବେ । ଶ୍ରୀଯୁକ୍ତ ମନ ମୋହନ ସାବୁତଙ୍କର 'ଦାନାର ଯୋଗାଡ଼ କରରେ ଚାଷୀ' ଗୀତଟି ଭାଟିଆଲୀ ସ୍ୱରରେ ତାଙ୍କର ସ୍ଥୁଳ କଣ୍ଠରେ ମନ୍ଦ ଶୁଣାଯାଉନାହିଁ । ଲକ୍ଷ୍ମୀକାନ୍ତ ବାବୁଙ୍କର ଯେଉଁ ଜାତୀୟ ସଙ୍ଗୀତ ସେ ଗାଇଛନ୍ତି ତାହା ତେତେଦୂର ସାଫଲ୍ୟ ମଣ୍ଡିତ ହୋଇ ନାହିଁ । ବଂଶୀ ଶିକ୍ଷା ରେକଡ଼ଟି ଶୁଣିଲେ ଅନାବିଳ ଓଡ଼ିଆ ଭାଷାର ଲାଳିତ୍ୟ ବୁଝା ପଡ଼େ । ମାତ୍ର ତହିଁରେ ଦୁଇଟି ପୁରୁଷ ପିଲା ନ ଗାଇ ବାଳିକାଟିଏ ଯଦି ରାଧା ରୂପରେ ଗାଇଥାଆନ୍ତା ତେବେ ତାହା ଆହୁରି ସୁନ୍ଦର ଓ ସୁଶ୍ରାବ୍ୟ ହୋଅ ଥାନ୍ତା ।  

(ଏହା ପରେ ନାଟକ ସମ୍ବନ୍ଧରେ ଆଲୋଚିତ ହେବ)

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ଡଗର'ର ପ୍ରଥମ ଖଣ୍ଡ, ଚତୁର୍ଥ ସଂଖ୍ୟାରେ, ୧୩୪୪ ସାଲ ବା ୧୯୩୭ ମସିହାରେ ପ୍ରକାଶିତ ହୋଇଥିଲା ।

No comments:

Post a Comment