Saturday, April 29, 2017

ସେଇ ଦୁଇ "ଶୀର୍ଣ୍ଣ ଛାୟାମୂର୍ତ୍ତିି'ଙ୍କ କଥା


ଅସିତ ମହାନ୍ତି

\
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ପାଇକ ବିଦ୍ରୋହର ତୁଙ୍ଗ ନାୟକ କିଏ ? କିଏ ତାଙ୍କର ଅନ୍ତରଙ୍ଗ ଉପନାୟକ ? ଏହାର ଉତ୍ତର ସମସ୍ତଙ୍କୁ ଜଣା ଯେ ଏଇ ଦୁଇ ଦୁର୍ମଦ ସଙ୍ଗ୍ରାମୀ ହେଉଛନ୍ତି ବକ୍ସି ଜଗବନ୍ଧୁ ଓ ଦେଓ୍ୱାନ୍‍ କୃଷ୍ଣଚନ୍ଦ୍ର । ଓଡ଼ିଶାରେ ଇଂରେଜ ଶାସନ ବିରୋଧୀ ସଙ୍ଗ୍ରାମର ଇତିହାସରେ ଜୟୀ ରାଜଗୁରୁଙ୍କ ପରେ ଏହି ଦୁଇ ବୀର ଓଡ଼ିଅା ହିଁ ସେଦିନ ସବୁଠୁ ଚର୍ଚ୍ଚିତ ଥିଲେ । ସେଇଥିପାଇଁ ଅାଜି ପାଇକ ବିଦ୍ରୋହର ଦ୍ୱିଶତବାର୍ଷିକୀ ପାଳନ ଅବସରରେ ଜୟୀ ରାଜଗୁରୁଙ୍କ ସହିତ ଏହି ଦୁଇ ବିଦ୍ରୋହୀ ହିଁ ଅଧିକ ଚର୍ଚ୍ଚିତ ହେଉଛନ୍ତି । ସେହି ନିର୍ଦ୍ଦିଷ୍ଟ କାଳଖଣ୍ଡର ସଙ୍ଗ୍ରାମୀମାନଙ୍କୁ ଯଦି ନକ୍ଷତ୍ର ରୂପେ ନେଇ ଏକ ମାଳା କରାଯାଏ, ତେବେ ଏ ତିନିହେଁ ସେହି ନକ୍ଷତ୍ର-ମାଳାର ତିନି ଉଜ୍ଜ୍ୱଳ ଜ୍ୟୋତିଷ୍କ ଭାବରେ ପ୍ରତିଭାତ ହେବେ ।

କିନ୍ତୁ "ଓଡ଼ିଅା ଜାତିର ଜୀବନ ଚିନ୍ତା'ରେ ସ୍ତମ୍ଭକାର ହରପ୍ରସାଦ ଦାସ "ବକ୍ସି' ଓ "ଦେଓ୍ୱାନ୍‍'- ଏହି ଦୁଇ ଉଜ୍ଜ୍ୱଳ ଜ୍ୟୋତିଷ୍କଙ୍କୁ ଚିତ୍ରିତ କରିଛନ୍ତି "ଦୁଇ ଶୀର୍ଣ୍ଣ ଛାୟାମୂର୍ତ୍ତିି'  ଭାବରେ । ଯଦି ଏହା ତଥ୍ୟ ଓ ସତ୍ୟ ଅାଧାରିତ ହୋଇଥାଅାନ୍ତା, ତାହାକୁ ସ୍ୱୀକାର କରିନେବାରେ କାହାରି କୁଣ୍ଠା ନଥାନ୍ତା । କିନ୍ତୁ ଇତିହାସର ପୁନରାଲୋଚନା ନାମରେ, ଦନ୍ତକଥା ବା କିମ୍ବଦନ୍ତି ନିର୍ମାଣ ନାମରେ ସତ୍ୟ ଓ ତଥ୍ୟର ଅପଳାପ କରି ଯେଭଳି ଭାବରେ ଏହା କୁହାଯାଇଛି, ପାଇକ ବିଦ୍ରୋହର ଏ ଦ୍ୱିଶତବାର୍ଷିକୀ ଅବସରରେ ଏହାର ଅାଲୋଚନା ଅତ୍ୟାବଶ୍ୟକ ମନେହେଉଛି ।

ଓଡ଼ିଶାର ପାଇକ ପରମ୍ପରାକୁ ନେଇ ଓଡ଼ିଅା ଭାଷାରେ ସାହିତ୍ୟକୃତି ଓ ସାହିତ୍ୟିକ ସୂଚନାର ଅଭାବ ନାହିଁ । ଏପରିକି ସଂସ୍କୃତ ଭାଷାରେ ପରମଲକ୍ଷ୍ମୀ ରାଜଗୁରୁଙ୍କ "ବୀର ସପ୍ତପଦୀ' ପରି ଦୃପ୍ତ ପଦାବଳୀ ବି ଅାମର ଅଛି । ପରମଲକ୍ଷ୍ମୀ ରାଜଗୁରୁ ଗଜପତି ପ୍ରତାପରୁଦ୍ର ଦେବଙ୍କ ସଭାକବି ଥିଲେ । ସେ ଚାରିବିଦ୍ୟା, ଚାରିଶାସ୍ତ୍ର ଓ ଅଶ୍ୱାରୋହଣରେ ପାରଙ୍ଗମ ଥିଲେ । ରାଜଗୁରୁ ହେଲେ ହେଁ ଅସ୍ତ୍ରଶସ୍ତ୍ର ସଜ୍ଜିତ ହୋଇ ଅଶ୍ୱ ପୃଷ୍ଠରେ ସେ ସାରା ଭାରତ ତୀର୍ଥାଟନ କରିଥିଲେ । 

ପରମଲକ୍ଷ୍ମୀ ରାଜଗୁରୁଙ୍କ "ବୀର ସପ୍ତପଦୀ' ବିଷୟରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସୂଚନା ହେଉଛି, ୧୮୦୬ ମସିହାରେ ଯେତେବେଳେ ମେଦିନିପୁରର ବାଘିତୋଟାଠାରେ ଦୁଇଟି ବରଗଛର ଡାଳରେ ଗୋଡ଼ ଦୁଇଟି ବାନ୍ଧିଦେଇ ଜୟୀ ରାଜଗୁରୁଙ୍କୁ ନୃଶଂସ ଭାବରେ ଦୁଇ ଫାଳ କରି ଚିରି ଦିଅାଗଲା, ସେତେବେଳେ ମୃତ୍ୟୁକୁ ଅାଲିଙ୍ଗନ କରିବା ପୂର୍ବରୁ ସେ ଏହି "ବୀର ସପ୍ତପଦୀ' ଗାଇଥିଲେ ।

"ବୀର ସପ୍ତପଦୀ' ଅଜଣା, କିନ୍ତୁ  ଫାଶିଦିଅା ବରଗଛ ଅାଜି ବି ଓଡ଼ିଅାଙ୍କ ଶ୍ରୁତି ଓ ସ୍ମୃତିରେ ଅଛି । ଯେଉଁ ପଦଟି ଜୟୀ ରାଜଗୁରୁ ଗାଇଗାଇ ଦେଶ ପାଇଁ ପ୍ରାଣବଳି ଦେଲେ ବୋଲି କଥିତ, ସେଇ ପଦଟି ହେଉଛି- "ସୀମାନଂ ତାତଭୂମେ ରକ୍ଷିତଂ... ନିଧୟାପସୁତାନ୍‍ ଭାସୟନ୍ତି ।'' ଏହାର ଅର୍ଥ - ପିତୃଭୂମିର ସୀମାର ସୁରକ୍ଷା ପାଇଁ ଯେଉଁ ବୀରମାନେ ପ୍ରାଣପାତ ସଙ୍ଗ୍ରାମ କରନ୍ତି, ଜାତି ସେମାନଙ୍କୁ ସକୃତଜ୍ଞ ସ୍ମରଣ କରେ । ସେହି ବୀରମାନଙ୍କ ସ୍ମୃତିରେ କୁଳବଧୂ ତୁଳସୀ ଚଉରା ମୂଳେ ସଞ୍ଜଦୀପ ଜାଳେ ଏବଂ ସେହିମାନଙ୍କର ସ୍ମୃତିରେ ଜନସମୂହ ଦୀପ ଜାଳି ବୋଇତ ଭସାନ୍ତି ।

ସେହି "ବୀର ସପ୍ତପଦୀ'ରେ ବୀରଭୂମି ଖୋରଧାର ବର୍ଣ୍ଣନା ବି କିଛି କମ୍‍ ପ୍ରେରଣାପ୍ରଦ ନୁହେ । ତାହାର ""ଖୋର୍ଦ୍ଧା ଯା ବୀରଭୂମିଭୁର୍ବି... ସତତଂ ପ୍ରେରୟନ୍ତୀ''ରେ କୁହାଯାଇଛି - ଯେଉଁ ଖୋର୍ଦ୍ଧା ଧରାପୃଷ୍ଠରେ ବୀରଭୂମି ଭାବେ ଚିରଧନ୍ୟା ତଥା ଶ୍ରୀସମ୍ପନ୍ନା, ସେହି ଭୂମି ଅାମର ପୂର୍ବବର୍ତ୍ତୀ ତେଜସ୍ୱୀ ଓ ବାହୁବଳୀ ପିତୃପୁରୁଷଙ୍କ ବୀର୍ଯ୍ୟ ଦ୍ୱାରା ଅର୍ଜିତା ହୋଇ ଶୋଭାପାଉଛି । ମହୀ ତଳେ ବହୁଜନ ନିବାସମୟୀ କଳିଙ୍ଗ ମାଟିର ସ୍ୱାତନ୍ତ୍ର୍ୟ ରକ୍ଷାର ଦୀକ୍ଷା ନିମନ୍ତେ ଅାମମାନଙ୍କ ଭଳି ସ୍ଥିତପୁତ୍ରଗଣଙ୍କୁ ତାହା ସର୍ବଦା ପ୍ରେରିତ କରୁଅଛି ।''

ଏହା ହେଉଛି ବୀରଭୂମି ଖୋରଧା ଓ ତାର ବୀରପୁତ୍ରମାନଙ୍କର ଅାମପାଇଁ ଅଫୁରନ୍ତ ପ୍ରେରଣା । ସେହି ରକ୍ତଭିଜା ମାଟିର ନାୟକ ଓ ମହାନାୟକ ଥିଲେ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ ବା କୃଷ୍ଣଚନ୍ଦ୍ର ଦେଓ୍ୱାନଙ୍କ ପରି ଅନେକ ସଙ୍ଗ୍ରାମୀ । ସେମାନେ ଅାମ ପାଇକ ପରମ୍ପରାର ସହସ୍ର ବର୍ଷର ପ୍ରତିଭୂ । ଅଥଚ ନୂଅା "ଦନ୍ତ କଥା' ଓ "ସ୍ଥାନୀୟତାର ରୂପକଳ୍ପ' ନିର୍ମାଣ ନାମରେ ଅାମେ ବକ୍ସି ଜଗବନ୍ଧୁ ଓ ଦେଓ୍ୱାନ୍‍ କୃଷ୍ଣଚନ୍ଦ୍ରଙ୍କୁ କରିଦେଇଛୁ ଅାତ୍ମଗ୍ଳାନିରେ ମ୍ଳାନ "ଦୁଇ ଶୀର୍ଣ୍ଣ ଛାୟାମୂର୍ତ୍ତିି' !

ପ୍ରଥମେ "ସମ୍ୱାଦ' ପୃଷ୍ଠାରେ ପ୍ରକାଶିତ ଏବଂ ପରେ "ଓଡ଼ିଅା ଜାତିର ଜୀବନ ଚିନ୍ତା' ପୁସ୍ତକ (୨୦୧୫)ରେ ସଙ୍କଳିତ, "ବକ୍ସି ବଜାର, ଦେଓ୍ୱାନ ବଜାର' ଲେଖାରେ ହରପ୍ରସାଦ ଲେଖିଛନ୍ତି, ""ପାଇକ ବିଦ୍ରୋହ ଭଳି ଗୋଟିଏ ବିଶାଳ ଉଦ୍‍ବେଳନରେ ଅାନ୍ଦୋଳିତ ଏ ଜାତିର ଲୋକଜୀବନ ବୀର ବିଦ୍ରୋହୀଙ୍କୁ ନେଇ କୌଣସି ରୂପକଳ୍ପ ନିର୍ମାଣ କରିପାରିଲା ନାହିଁ । ଅର୍ଥାତ୍‍ ବକ୍ସି, ଦେଓ୍ୱାନ୍‍ ଓ ପାଇକ ନାୟକଙ୍କୁ ନେଇ କ୍ଷୀଣତମ କପୋଳକଳ୍ପନା ଓ ଲୋକୋକ୍ତି ନିର୍ମାଣରେ ଏ ସମାଜ ଅକ୍ଷମ ହେଲା । ''

ଏଇଥିପାଇଁ ହିଁ ବକ୍ସି ଓ ଦେଓ୍ୱାନଙ୍କୁ ନେଇ ସେ ଯୋଡ଼ିଦେଇଛନ୍ତି କଟକର "ବକ୍ସି ବଜାର' ଓ "ଦେଓ୍ୱାନ୍‍ ବଜାର' ସହିତ । କହିଛନ୍ତି, ""ଏ ବକ୍ସି ବଜାର ଓ ଦେଓ୍ୱାନ୍‍ ବଜାର' ନାଁ ପଡ଼ିଲା କେମିତି ?  ଥିଲେ କି ଜଣେ ବକ୍ସି ବା ଜଣେ ଦେଓ୍ୱାନ୍‍ ଏ ଇଲାକାରେ ?'' ଏହି ପ୍ରଶ୍ନ ସହିତ ସେ କଳ୍ପ-କାହାଣୀ ରଚନା କରି କହିଛନ୍ତି - ଅାଗରୁ ବକ୍ସି ବଜାର କି ଦେଓ୍ୱାନ୍‍ ବଜାର ନଥିଲା । ସେ ଦୁଇଟି ଅଞ୍ଚଳ ଥିଲା ମୁସଲମାନ ବସ୍ତି । କମ୍ପାନୀ ଶାସକ ଇଂରେଜ, ଧର୍ମର ଗୋଟି ଚଳାଇ ସେଇ ଦୁଇ ମୁସଲମାନ ଅଞ୍ଚଳରେ ରଖିଲେ ବକ୍ସି ଓ ଦେଓ୍ୱାନଙ୍କୁ । କୁଟୁମ୍ୱହୀନ ହୋଇ ନିର୍ବାସନରେ ସେଇଠି ରହିଲେ ଦୁହେଁ । ସେମାନଙ୍କୁ ନେଇ ବଢ଼ି ଉଠୁଥିବା ଲୋକଙ୍କ କୌତୂହଳ କାଳକ୍ରମେ ସେମାନଙ୍କ ଜୀବଦ୍ଦଶାରେ ତିଅାରି କଲା- ବକ୍ସି ବଜାର ଓ ଦେଓ୍ୱାନ ବଜାର । 

କିନ୍ତୁ ଏ କଳ୍ପ-କାହାଣୀ ବା ସ୍ଥାନୀୟ ରୂପକଳ୍ପ ନିର୍ମାଣର ଅାଧାର କ'ଣ ? ଏ ବାବଦରେ ଅନୁଧ୍ୟାନ କଲେ ଅାମ ଅାଖିରେ ପଡେ଼ କେଦାରନାଥ ମହାପାତ୍ରଙ୍କ "ଖୁରୁଧା ଇତିହାସ - ଖ୍ରୀଷ୍ଟାବ୍ଦ ୧୫୬୮-୧୮୧୭' । ଏହାର ପ୍ରଥମ ମୁଦ୍ରଣର ସମୟ ୧୯୬୯ । କେଦାରନାଥ ତାହାର "ଦ୍ୱାଦଶ ଅଧ୍ୟାୟ', "ଗଜପତି ମୁକୁନ୍ଦଦେବ (୧୭୯୮-୧୮୧୭)' ରେ "ବକ୍ସି ଜଗବନ୍ଧୁଙ୍କ ଶେଷ ଜୀବନ'ର ଅାଲୋଚନା ପ୍ରସଙ୍ଗରେ ଲେଖିଛନ୍ତି- ""ବକ୍ସି ମାସିକ ୧୫୦ ଟଙ୍କା ପେନ୍‍ସନ ପାଇ କଟକରେ ଅବସ୍ଥାନ କଲେ । କମିସନରଙ୍କ ବିନା ଅନୁମତିରେ ନିଜର ବାସସ୍ଥାନରୁ ଅନ୍ୟତ୍ର ଯିବାପାଇଁ ନିଷିଦ୍ଧ ହୋଇଥିଲା । କଟକରେ ତାଙ୍କର ବାସସ୍ଥାନ ଏ ପର୍ଯ୍ୟନ୍ତ "ବକ୍ସି ବଜାର' ଏବଂ ତାଙ୍କର ଗାଧୁଅା ପୋଖରୀ "ବକ୍ସି ପୋଖରୀ' ନାମରେ ଖ୍ୟାତ ।''

ଏଇ ହେଉଛି ହରପ୍ରସାଦ ଦାସଙ୍କର ତଥ୍ୟ-ସୂତ୍ର, ଯାହା ସେ ତାଙ୍କ ଲେଖାରେ ସୂଚିତ କରି ନାହାନ୍ତି । ଏହି ପ୍ରବଣତା ତାଙ୍କର ଚିରାଚରିତ । କିନ୍ତୁ କେଦାରନାଥ ମହାପାତ୍ର ବକ୍ସିଙ୍କର ଶେଷ ଜୀବନ ବାବଦରେ "ଓଡ଼ିଶା ହିଷ୍ଟୋରିକାଲ୍‍ ରିସର୍ଚ୍ଚ ଜର୍ନାଲ୍‍" ପ୍ରଥମ ଖଣ୍ଡ (ଜୁଲାଇ ୧୯୫୨)ରେ ପ୍ରକାଶିତ ସୁଧାକର ପଟ୍ଟନାୟକଙ୍କ ପ୍ରବନ୍ଧ ଉପରେ ହିଁ ନିର୍ଭର କରିଛନ୍ତି । ସୁଧାକର ପଟ୍ଟନାୟକ ଓ କେଦାରନାଥ ମହାପାତ୍ରଙ୍କର  ସେହି ସୂଚନାହୀନ ଧାଡ଼ିଟି ପରବର୍ତ୍ତୀ କାଳରେ, ବିଶେଷକରି "କଟକ ନଗର'ର "ବରଷ ହଜାର' ପାଳନ ବେଳେ ଅନ୍ୟ ଲେଖକ ଓ ଐତିହାସିକଙ୍କ ଦ୍ୱାରା ଚର୍ଚ୍ଚିତ ହୋଇଛି । 

ତେଣୁ "ଓଡ଼ିଶାର ସ୍ଥାନ ନାମ' ବାବଦରେ ଗବେଷଣା କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଏଚ୍‍.ଡି. ପାଇଥିବା ଡକ୍ଟର ଯଶୋବନ୍ତ ନାରାୟଣ ଧର ତାଙ୍କ "କଟକ ନଗର: ବାଉନ ବଜାର ତେପନ ଗଳି' (୧୯୯୯) ପୁସ୍ତକର "ବକ୍ସି ବଜାର' ଲେଖାରେ କହିଛନ୍ତି, "ବହୁ ବିଶିଷ୍ଟ ଐତିହାସିକ ଏହି ଭ୍ରମାତ୍ମକ କାହାଣୀକୁ ଦୋହରାଇଛନ୍ତି । ଏହାର ସଂଶୋଧନ ତୁରନ୍ତ ହେବା ଅାବଶ୍ୟକ ।'' ଏ ବାବଦରେ ଡକ୍ଟର ଧର ଲେଖିଛନ୍ତି - ଓଡ଼ିଶାର ସଂଜ୍ଞା ଓ ସ୍ଥାନ ନାମରେ ବ୍ୟବହୃତ "ବକ୍ସି' ଏକ ଯାବନିକ ଶବ୍ଦ । ଏହାର ମୂଳ ଫରାସୀ "ବଖ୍‍ସି' । ଏହାର ଅର୍ଥ ସେନାବାହିନୀଙ୍କୁ ଭତ୍ତା ପ୍ରଦାନ ପାଇଁ ନିଯୁକ୍ତ କର୍ମଚାରୀ । ଯାବନିକ ମୂଳ ସତ୍ତ୍ୱେ ଓଡ଼ିଶାରେ ଏହା ହିନ୍ଦୁମାନଙ୍କର ସଂଜ୍ଞା ଓ ଉପାଧି ରୂପେ ବ୍ୟବହୃତ ହୋଇଅାସିଛି । ବିଶେଷକରି ପାଇକ ବିଦ୍ରୋହ ପରେ ଏହା ଏକ ସମ୍ମାନିତ ଡାକ ନାମରେ ପରିଣତ ହୋଇଛି । ଅାତ୍ମସମର୍ପଣ ପରେ ବକ୍ସି କଟକରେ ରହିଲେ ୧୮୨୫ ମସିହା ମେ ମାସ ୨୭ ତାରିଖ ପରଠାରୁ । ଏହାର ସାତ ବର୍ଷ ପୂର୍ବର (୧୮୧୮ ମସିହାର) ଏକ ମାନଚିତ୍ରରେ "ବକ୍ସି ବଜାର'ର ଉଲ୍ଲେଖ ଅଛି । ଅନ୍ୟ ଏକ ଲେଖାରେ ମଧ୍ୟ ସେ କହିଛନ୍ତି, ବକ୍ସିଙ୍କ ଅାତ୍ମସମର୍ପଣର ୧୧ ବର୍ଷ ପୂର୍ବରୁ କଟକର ଅାକ୍ଟିଂ ମାଜିଷ୍ଟ୍ରେଟ୍‍ ମି. ଅାଇନ୍‍ସଲିଙ୍କର ଏକ ପତ୍ରରେ ବକ୍ସି ବଜାରର ନାମ ରହିଛି ।

ସେହିପରି "ଦେଓ୍ୱାନ୍‍ ବଜାର' । ବକ୍ସିଙ୍କ ପରେ ଦେଓ୍ୱାନ କୃଷ୍ଣଚନ୍ଦ୍ର ଅାତ୍ମସମର୍ପଣ କରିଥିଲେ ମଧ୍ୟ ତାଙ୍କୁ କଟକରେ ରଖାଯାଇଥିବାର କୌଣସି ତଥ୍ୟ ବା ପ୍ରମାଣ ମିଳେ ନାହିଁ । ଏ ବାବଦରେ ଡକ୍ଟର ହରେକୃଷ୍ଣ ମହତାବଙ୍କ "ହିଷ୍ଟ୍ରୀ ଅଫ ଓରିଶା ସେକେଣ୍ଡ୍ ଭଲ୍ୟୁମ" (ପୃ-୩୯୫)ରେ ଉଲ୍ଲେଖ ଅଛି - ମୁର୍ଶିଦ୍‍ କୁଲି ଜାଫର ଖାଁ କଟକ ସହରର ଦିଓ୍ୱାନ ବଜାର ମସ୍‍ଜିଦ୍‍ ନିର୍ମାଣ କରିଥିଲେ । ଦିଓ୍ୱାନ୍‍ ବଜାର ନାମକରଣ ମଧ୍ୟ ଏହି ଦିଓ୍ୱାନଙ୍କ ନାମାନୁସାରେ ହୋଇଛି ।''
କିନ୍ତୁ ଏ ବାବଦରେ ଅାଉ ଏକ ତଥ୍ୟ ମିଳେ ରେଭେନ୍‍ସା କଲେଜର ପୂର୍ବତନ ପ୍ରଫେସର ଅାଲତାଫ୍‍ ହୁସେନ୍‍ଙ୍କର "ଓଡ଼ିଶା ହିଷ୍ଟୋରିକାଲ୍‍ ରିସର୍ଚ୍ଚ ଜର୍ନାଲ୍‍"ର ଏକାଦଶ ଖଣ୍ଡରେ ୧୯୬୨ ମସିହାରେ ପ୍ରକାଶିତ ଏକ ଲେଖା "ମନୁମେଣ୍ଟସ୍ ଅଫ୍ ମୁସଲିମ୍ ରୁଲ୍ ଆଟ୍ କଟକ୍"ରୁ । ସେଥିରେ ସେ କହିଛନ୍ତି - ଅାଉରେଙ୍ଗଜେବଙ୍କ ରାଜତ୍ୱ କାଳରେ ରାଜପୁତ୍ର ଅାଜମ ବଙ୍ଗର ସୁବେଦାର ରୂପେ ନିଯୁକ୍ତ ହୋଇଥିଲେ । ଏହି ସମୟରେ ଦେଓ୍ୱାନ୍‍ ଥିବା ମିର୍‍ ଜାଫର ଦେଓ୍ୱାନ୍‍ ବଜାର ମସ୍‍ଜିଦ୍‍ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସମ୍ଭବତଃ ତାଙ୍କରି ନାମ ଅନୁସାରେ ଦେଓ୍ୱାନ ବଜାର ନାମିତ । ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଓଡ଼ିଶାରେ ମୋଗଲ-ମରହଟ୍ଟାଙ୍କ ରାଜତ୍ୱର ସମୟ ହେଉଛି - ୧୫୬୮-୧୮୦୩ । ସେଥିମଧ୍ୟରୁ ମୁସଲମାନ ଶାସନ ଥିଲା ୧୭୫୧ ପର୍ଯ୍ୟନ୍ତ । ଏଣୁ ଦେଓ୍ୱାନ୍‍ ବଜାର ମସ୍‍ଜିଦ୍‍ ଓ ଦେଓ୍ୱାନ୍‍ ବଜାର ନାମ ବକ୍ସି ଓ ଦେଓ୍ୱାନଙ୍କ କଥିତ କଟକ ଅବସ୍ଥାନ ଓ ପାଇକ ବିଦ୍ରୋହର ବହୁ ପୂର୍ବବର୍ତ୍ତୀ । 

ଏ ପ୍ରସଙ୍ଗରେ ବିଶେଷ ଉଲ୍ଲେଖନୀୟ ଯେ ଓଡ଼ିଅା ଲିପି ଓ ଭାଷାତତ୍ତ୍ୱର ବିଶିଷ୍ଟ ବିଦ୍ୱାନ ଡକ୍ଟର କୁଞ୍ଜବିହାରୀ ତ୍ରିପାଠୀ ମଧ୍ୟ ତାଙ୍କ ଲେଖା କଟକର ଶିଳାଲେଖରେ ଦେଓ୍ୱାନ୍‍ ବଜାର ମସ୍‍ଜିଦ୍‍ ବାବଦ ଏହି ତଥ୍ୟକୁ  ଗ୍ରହଣ କରିଛନ୍ତି  । 

ଅନ୍ୟ ସୂତ୍ରର ତଥ୍ୟ କହେ- ବକ୍ସି ଜଗବନ୍ଧୁଙ୍କ ଅନ୍ତରଙ୍ଗ, ବୀର ଦେଓ୍ୱାନ୍‍ କୃଷ୍ଣଚନ୍ଦ୍ର ଥିଲେ ଛତ୍ରମାଗଡ଼ର ଅଧିକାରୀ ଏବଂ ମୁକୁନ୍ଦଦେବଙ୍କ ଦେଓ୍‍ାନ୍‍ "ସୁପାତ୍ର ହରିହର'ଙ୍କ ପୁତ୍ର । ଅାତ୍ମସମର୍ପଣ ପରେ ତାଙ୍କୁ କଟକରେ ରଖାଯାଇନଥିଲା । ସେ ୧୦୦ ଟଙ୍କା ପେନ୍‍ସନ୍‍ ପାଇ ଖୋର୍ଦ୍ଧାର କୁରାଢ଼ମଲ୍ଲଠାରେ ରହିଥିଲେ । କୁରାଢ଼ମଲ୍ଲ ନିକଟସ୍ଥ ଅହ୍ମୁଣିଅା ତୋଟାରେ ଏବେ ମଧ୍ୟ ରହିଛି ତାଙ୍କର ଭଙ୍ଗା ଦୁର୍ଗର ମାଟିସ୍ତୂପ । (ଓଡ଼ିଶା ଓ ଓଡ଼ିଅା, ଡକ୍ଟର ଯଶୋବନ୍ତ ନାରାୟଣ ଧର, ୨୦୧୩, ପୃ-୨୧୪) । ଏଣୁ ବକ୍ସି ଓ ଦେଓ୍ୱାନ୍‍ଙ୍କ ନାମରେ ବକ୍ସି ବଜାର ଓ ଦେଓ୍ୱାନ୍‍ ବଜାରର ନାମକରଣ ତଥ୍ୟ ଓ ସତ୍ୟ ସମର୍ଥିତ ନୁହେ- କେବଳ କଳ୍ପ-ଗଳ୍ପ ।
କିନ୍ତୁ "ସ୍ଥାନୀୟତାର ରୂପକଳ୍ପ' ବା ଦନ୍ତକଥା ରଚନା କରିବାର ନିଶାରେ ହରପ୍ରସାଦ ଏ କଳ୍ପ-ଗଳ୍ପ କଥନରେ ଅାଉ ପାଦେ ଅାଗେଇ ଯାଇଛନ୍ତି । "ବକ୍ସି ବଜାର ଓ ଦେଓ୍ୱାନ୍‍ ବଜାର' ଲେଖାରେ କହିଛନ୍ତି, "ବକ୍ସି ଓ ଦେଓ୍ୱାନ୍‍ କଟକରେ ନିର୍ବାସନରେ ରହିଲେ ସିନା, କୌତୂହଳୀ ନାଗରିକ ବରାବର ସେହି ମୁସଲମାନ ବସ୍ତି ମୁଣ୍ଡରେ ଘଡ଼ିଏ ଅଟକିଲେ । ଚାପା ସ୍ୱରରେ କିଏ କହିଲା, ଏଠି "ବକ୍ସି ଅଛନ୍ତି' ଏଠି "ଦେଓ୍ୱାନ୍‍ ଅଛନ୍ତି' । ହୁଏତ କେବେ କେବେ ସେମାନେ ଦେଖିଥାଇ ପାରନ୍ତି ମୁଣ୍ଡ ପୋତି ଅାତ୍ମଗ୍ଳାନିରେ ନିଜକୁ ନ୍ୟୁନରୁ ନ୍ୟୁନତର କରି ଘଡ଼ିଏ ଦାଣ୍ଡକୁ ବାହାରିଥିବା ଯୋଡ଼ିଏ ଶୀର୍ଣ୍ଣ ଛାୟାମୂର୍ତ୍ତି । ହୁଏତ ସେମାନଙ୍କୁ ଦେଖିଥାଇ ପାରନ୍ତି ଲୋକେ, ପାଛୁଡ଼ା କାନିରେ ମୁହଁ ଲୁଚାଇ ତେଜରାତି ଦୋକାନରୁ ସଉଦା କଲାବେଳେ । ... ତାଙ୍କୁ ନେଇ ବଢ଼ିଉଠୁଥିବା କୌତୂହଳ କାଳକ୍ରମେ ସେମାନଙ୍କ ଜୀବଦ୍ଦଶାରେ ତିଅାରି କରିଥିବ ଯୋଡ଼ିଏ ବଜାର- ବକ୍ସି ବଜାର ଓ ଦେଓ୍ୱାନ୍‍ ବଜାର ।''

ଏଣୁ ଦନ୍ତକଥା ବା ସ୍ଥାନୀୟ ରୂପକଳ୍ପ ନିର୍ମାଣର ନିଶାରେ ଅାମେ ପାଇକ ବିଦ୍ରୋହର ଏଇ ଦୁଇ ଦୁର୍ମଦ ବୀରଙ୍କୁ ଅାଣି କୋଉଠି ପହଞ୍ଚାଇଦେଇଛୁ ? ଅାତ୍ମଗ୍ଳାନିରେ ନ୍ୟୁନରୁ ନ୍ୟୁନତର ହୋଇ, ମୁଣ୍ଡ ପୋତି, ପାଛୁଡ଼ା କାନିରେ ମୁହଁ ଲୁଚାଇ ସଉଦା କରୁଥିବା ତେଜରାତି ଦୋକାନରେ! ଏହା ଏ ଜାତି ପାଇଁ ଘୋର ଲଜ୍ଜାର ଦନ୍ତକଥା ନିର୍ମାଣ କରୁଛି । କାରଣ ହରପ୍ରସାଦ ଯେପରି କହିଛନ୍ତି- ବକ୍ସିଙ୍କୁ ବା ଦେଓ୍ୱାନଙ୍କୁ ଅାତ୍ମସମର୍ପଣ ପାଇଁ ସେପରି ବାଧ୍ୟ କରାଯାଇନଥିଲା, କିମ୍ୱା "ବିଷକ୍ରିୟାରେ ଅସାଡ଼ କରି' ଅାଣି କଟକରେ ଛାଡ଼ି ଦିଅାଯାଇନଥିଲା । ବକ୍ସି ଜଗବନ୍ଧୁଙ୍କ ଅାତ୍ମସମର୍ପଣ ବି ଥିଲା ଦର୍ପୋନ୍ନତ । ତାହା ଥିଲା ଇଂରେଜ କମ୍ପାନୀ ସରକାରର ପରାଜୟ । ବକ୍ସିଙ୍କର ବିଜୟ । କାରଣ ସବୁ ଉଦ୍ୟମରେ ବ୍ୟର୍ଥ ହେବା ପରେ ଇଂରେଜ ସରକାର ବକ୍ସିଙ୍କ ସହିତ ଅାପୋସ ମିଳାମିଶା କରି ତାଙ୍କୁ ପେନ୍‍ସନ୍‍ ଦେବାପାଇଁ ବାଧ୍ୟ ହୋଇଥିଲେ । 

ଜନୈକ ଇଂରେଜ ଅାର୍‍. ହଣ୍ଟର ଏ ବାବଦରେ ଲେଖିଛନ୍ତି, ""ଦେ (ବ୍ରିଟିଶ୍ ଅଥରିଟିଜ୍) ହାଡ଼୍ ଭର୍ଚୁଆଲି ହାଡ଼୍ ଟୁ ଆଡ଼ମିଟ୍ ଡିଫିଟ୍ ବାଏ ଅଫରିଙ୍ଗ୍ ହିମ୍ (ଜଗବନ୍ଧୁ) ପାର୍ଡନ୍ . ଦୋ ଜଗବନ୍ଧୁ ସରେଣ୍ଡର୍ଡ୍ ହିମସେଲ୍ଫ୍,, ହି ୱାଜ୍ ରିଏଲି ଦି ଭିକ୍ଟର୍ ଇନ୍ ଦି ଫାଇଟ୍ ବିଟୁଇନ୍ ହିମ୍ ଆଣ୍ଡ୍ ଦି ବ୍ରିଟିଶ୍ .'' ସେଇଥିପାଇଁ ଅବସରପ୍ରାପ୍ତ ଇତିହାସ ପ୍ରଫେସର ଅତୁଲ ଚନ୍ଦ୍ର ପ୍ରଧାନ ଏକ ଲେଖାରେ ଲେଖିଛନ୍ତି, ""ଜଗବନ୍ଧୁଙ୍କୁ କ୍ଷମା ଦେଇ ଇଂରେଜ କର୍ତ୍ତୃପକ୍ଷ ବାସ୍ତବରେ ପରାଜୟ ସ୍ୱୀକାର କଲେ । ଜଗବନ୍ଧୁ ଅାତ୍ମସମର୍ପଣ କଲେ ବି ଇଂରେଜଙ୍କ ସହ ଲଢେ଼ଇରେ ସେ ବିଜୟୀ ହୋଇଥିଲେ ।''

ଏଣୁ ବକ୍ସି ଓ ଦେଓ୍ୱାନ୍‍ ଅାଦୌ ଅାତ୍ମଗ୍ଳାନିରେ ମ୍ଳାନ ଓ ନ୍ୟୁନ ଦୁଇ ଶୀର୍ଣ୍ଣ ଛାୟାମୂର୍ତ୍ତିି ନୁହନ୍ତି । ସେ ଦୁହେଁ ଓଡ଼ିଶାର ପ୍ରଥମ ସ୍ୱାଧୀନତା ସଙ୍ଗ୍ରାମର ଦୁଇ ଉଜ୍ଜ୍ୱଳ ଜ୍ୟୋତିଷ୍କ । ପାଇକ ବିଦ୍ରୋହର ଏହି ଦ୍ୱିଶତବର୍ଷ ପାଳନ ଅବସରରେ ସେ ବିଭ୍ରାନ୍ତିରୁ ସମ୍ପୃକ୍ତ ଐତିହାସିକ ଓ ସ୍ତମ୍ଭକାରମାନେ ମୁକ୍ତ ହୋଇ ନିଜକୁ ସଂଶୋଧନ କରନ୍ତୁ ।

ବି.ଦ୍ର : ଏହି ଲେଖାଟି ଦୈନିକ ସମ୍ବାଦର ୨୪.୦୪.୨୦୧୭ ସଂସ୍କରଣରେ 'ସାହିତ୍ୟର ପାଣିପାଗ' ସ୍ତମ୍ଭର ଅଂଶ ଭାବରେ ପୂର୍ବପ୍ରକାଶିତ ହୋଇଥିଲା ।

No comments:

Post a Comment