Thursday, April 06, 2017

ବହି କଥା - ୧


ଜ୍ୟୋତି ନନ୍ଦ 


ୟୋହାନ୍ ଗୁଟେନବର୍ଗ୍ (୧୩୯୮-୧୪୬୮)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ବହି କହିଲେ ଆମେ ପ୍ରକୃତରେ କ'ଣ ବୁଝିବା?

ଦୁଇଟି ମଲାଟ ଭିତରେ ବନ୍ଦୀ ହୋଇ ରହିଥିବା କେତେଗୁଡିଏ ଛପା ଯାଇଥିବା ପୃଷ୍ଠାର ସାମଗ୍ରୀକ ସ୍ୱରୂପକୁ ଆମେ ସାଧାରଣରେ ବହିର ପୂର୍ଣ୍ଣ ରୂପ ବୋଲି କହିଥାଉ । ବେଳେ ବେଳେ ମଲାଟ ନଥାଇ କିଛି ମୁଦ୍ରିତ ପୃଷ୍ଠାକୁ ଏକାଠି ବନ୍ଧା ଯାଇଥିଲେ ବି ଆମେ ତାହାକୁ ବହି ବୋଲି କହିଥାଉ । ଏଇ ପ୍ରକାର ବହିଟି ଅବଶ୍ୟ ଖଣ୍ଡିଆ ବହି । କାରଣ କୌଣସି ଘରକୁ ପଶିବା ପାଇଁ ଆଗ ଯେମିତି ସୁନ୍ଦର କବାଟ ବୋଲି କଥାଟିକୁ ଆମେ ଭେଟୁ, ସେମିତି ପ୍ରତି ବହିର ପହିଲି କବାଟ ହେଉଛି ତାହାର ମଲାଟ । ବହିଟିର ମଲାଟ ନାହିଁ ମାନେ, କବାଟ ନଥିବା ଘର ଭଳି ତାହାର ଶିରି ବୋଲି କିଛି ନାହିଁ । ତଥାପି କବାଟ ନ ଥିବା ଘର ଯେମିତି ଏକ ଘର, ସେମିତି ମଲାଟ ନଥିବା ବହି ସେମିତି ବହି । କିନ୍ତୁ ଯେତେ ଦାମିକା ବର୍ମା ଶାଗୁଆନ କାଠରେ ରନ୍ଦା ମାରି, ଯେତେ ରନ୍ଧା ଲାଖ ଝୁଣା ରେ ପାଲିସି କରା ହୋଇଥିବା କବାଟଟି ଯଦି କେଉଁ ଘର ସହିତ ଯୋଡି ହୋଇନାହିଁ, ତେବେ ଘଟଣ ଦିଶିବ ନାହିଁ ଆଦୌ । ସେମିତି ଯେତେ ମରକ୍କୋ ଚମଡାରେ ବନ୍ଧେଇ କରାଯାଇ ଉପରେ ସୁନାପାଣିରେ ଲେଖନ କରାଯାଇଥିଲେ ବି, ଭିତରେ ଯଦି ପୃଷ୍ଠାଏ ବୋଲି ଛପା ପାଠ ନାହିଁ, ତେବେ ତାହା ଖାଲି ମଲାଟ, ଅଲୋଡା ମଲାଟ । ଆମର ଜାମାଯୋଡ ଚହଟଚିକଣ ସ୍ନୋ ପାଉଡର ଆଉ ଅତର ମଖା ଫୁଲ୍ ବାବୁଙ୍କ ଭଳି ଶୁନ-ବାବୁ । ଖାଲି ମଲାଟ କୁ ବହି କୁହାଯାଏ ନାହିଁ ।

ଏଇ ଗୌରଚନ୍ଦ୍ରିକାରୁ ଆମେ ଶିଖିଲେ ଯେ, ପ୍ରଥମରେ, ବହି କହିଲେ ଏକାଧିକ ଛପା ପୃଷ୍ଠାର ଏକ ସମାହାର । ଆଉ ସେହି ଛପାପୃଷ୍ଠା ଗୁଡିକ ପୁଣି କ୍ରମ ଅନୁସାରେ ଏକ ଦୁଇ ବୋଲି ଚିହ୍ନିତ ହୋଇଥିବା ଦରକାର । ଦ୍ୱିତୀୟରେ ଏହି ପୃଷ୍ଠାଗୁଡିକ ପୁଣି ଦୁଇଟି ମଲାଟ ମଝିରେ ସଂରକ୍ଷିତ ହୋଇ ରହିବା ଆବଶ୍ୟକ । ବହିଟିକୁ ପଢିବା ପାଇଁ ପାଠକଜଣକୁ ପ୍ରତିଟି ପୃଷ୍ଠାକୁ ଓଲଟାଇବାକୁ ପଡିବ ।ଏହି ପୃଷ୍ଠା ଓଲଟାଇବା କାମଟି ବାମରୁ ଡାହାଣକୁ ଅବା ଡାହାଣରୁ ବାମକୁ ହୋଇଥାଏ । ପୃଥିବୀର ଅଧିକାଂଶ ବହିକୁ ପଢିବାବେଳେ ବାମରୁ ଡାହାଣକୁ ପୃଷ୍ଠା ଓଲଟାଇବାକୁ ପଡିଥାଏ । ଅଳ୍ପ କିଛି ବହିକୁ ଡାହାଣରୁ ବାମକୁ ପୃଷ୍ଠା କ୍ରମାନ୍ୱୟରେ ଓଲଟାଇ ପଢାଯାଏ ।ଏହିଭଳି ପୃଷ୍ଟା ଓଲଟାଇ ପଢିବା ହେଉଛି ଗୋଟିଏ ବହିର ତୃତୀୟ ଆବଶ୍ୟକତା । ବହିର ଆକୃତି ସମ୍ପର୍କରେ ଶେଷ କଥାଟି ହେଉଛି ବହିର ଯେ କୌଣସି ଦୁଇଟି ପୃଷ୍ଠା ପାଖାପାଖି ବିନ୍ୟସ୍ତ ହେବା ବିଧେୟ । ଧରାଯାଉ ଗୋଟିଏ ଛପା ପୃଷ୍ଠା ପରେ ଯଦି ଗୋଟିଏ ସୁନ୍ଦର ଗୋଲାପ ଫୁଲର ଚାଙ୍ଗୁଡି ଆଉ ତାହାପରେ ଛପା ପୃଷ୍ଠାଏ ଓ ତାହାପରେ ସୁନାପାତର ପୃଷ୍ଠାଟିଏ ମଲାଟ ଭିତରେ ଏକାଠି ବନ୍ଧା ହୋଇ ଆମକୁ ଦିଆଯାଏ, ତେବେ ତାହା ଯେତେ ଦାମିକା ବା ସୁନ୍ଦର ଦିଶିଲେ ବି ତାହାକୁ ଅନ୍ୟ କ'ଣ କୁହାଯାଇ ପାରେ, ମାତ୍ର ବହି କୁହାଯାଇ ପାରିବ ନାହିଁ ।

ବହିର ଏହିଭଳି ଏକ ଆକୃତିର କଥା, ଆମେମାନେ ବେଶ୍ ଭଲଭାବରେ ଜାଣୁ । ଏଇ ପରି ଯେଉଁ ବହି ସହିତ ଆମେ ଖୁବ୍ ବେଶି ପରିଚିତ ତାହାର ଗୋଟିଏ ପରିଭାଷିକ ନାମ ଅଛି । ତାହାକୁ "କୋଡେକ୍ସ" ବୋଲି କୁହାଯାଏ ।

କୋଡେକ୍ସ ବ୍ୟତୀତ ଅନ୍ୟାନ୍ୟ ପାଠ୍ୟ-ପ୍ରକ୍ରିୟା ବି ସମ୍ଭବ । ଛାପାଖାନା ଉଦ୍ଭାବନ ହେବାପରେ ସିନା ପୃଷ୍ଠାମାନଙ୍କୁ ଛାପାଖାନାରେ ଛପା ଯାଇ କୋଡେକ୍ସ ବା ଆଜିର ଏଇ ବହିର ସୃଷ୍ଟି ହେଲା । କିନ୍ତୁ ତାହା ପୂର୍ବର କଥାକୁ ଦେଖାଯାଉ । ସେହି ପ୍ରାକ୍-ମୁଦ୍ରଣ ଶିଳ୍ପ ଯୁଗର ମଣିଷର ବି ପଠନ ଅଭ୍ୟାସ ଥିଲା । ସରଳ ଭାବରେ କହିଲେ ମଣିଷ କୌତୁହଳ ସହ ଜନ୍ମ ନେଇଛି । ସେଇ କୌତୁହଳରୁ ଚାରିଆଡକୁ ନିରେଖିବା, ନିରେଖିବାରୁ ପୁଣି ଅଧିକ କୌତୁହଳ ଆଉ ତାହାପରେ ପୁଣି ନିରେଖିବାରେ ମଣିଷର ଅଧିକ ମନୋନିବେଶ । ଏହା ଭିତରେ ମଣିଷ ଯେ ଅନ୍ୟ ସବୁ କାମ ସହିତ ଗୋଟିଏ ବିଚିତ୍ର କାମରେ ଜଡିତ ହୋଇ ପଢିଛି, ଯାହାକୁ କୁହାଯିବ ପାଠ ପଢା ।

ଆଦିମ କାଳରୁ, ଯଥା ଖାଦ୍ୟ-ଉତ୍ପାଦନ ପୂର୍ବର, ଖାଦ୍ୟ-ସଙ୍ଗ୍ରହ ଯୁଗରୁ ମଣିଷ ନିଜକୁ ସଂରକ୍ଷିତ କରି ରଖିବା ପାଇଁ ପରସ୍ପରର କୌଶଳର ସହଭାଗୀ ହୋଇ ରହି ଆସିଛି । ସେଇ ପାରସ୍ପରିକ କୌଶଳ -"ମୁଁ ଯାହା ଜାଣିଛି ତାହା ଅନ୍ୟର ଜାଣିବା ଦରକାର, ନହେଲେ ଏହା ହଜିଯାଇପାରେ" - ର ବିକଶିତ ରୂପଟି ହେଉଛି ଏଇ ଲେଖନକ୍ରିୟା ଓ ପାଠ୍ୟ-ପ୍ରକ୍ରିୟା ।

କୋଡେକ୍ସ ପୂର୍ବରୁ ପ୍ରାକ୍-ମୁଦ୍ରଣ ଯୁଗରେ ପୋଥି ବା ସ୍କ୍ରଲ୍ ର ନିରଙ୍କୁଶ ରାଜତ୍ୱ ଥିଲା । ତାହା କାଗଜରେ ଆଉ ହାତରେ ଲେଖା । ତାହାକୁ ଲୋକେ ଗୋଲକରି ଗୁଡାଇ ଯତ୍ନରେ ରଖୁଥିଲେ । ଏହାଛଡା ଆମେମାନେ ମିଶରୀୟ ସଭ୍ୟତାର ମାଟି-ଫଳକ ବା "କ୍ଲେ-ଟାବଲେଟ", ପାପିରସ୍ ଗଛର ବକଳ ରେ ଲେଖନ, ସିନ୍ଧୁନଦୀ ସଭ୍ୟତାର ସିଲ୍-ମୋହର, ମାୟା ସଭ୍ୟତାର ମାଳା-ବହି ବା "ବିଡ୍ ବୁକ୍" ଆଦିଙ୍କୁ ଦେଖିଛୁ । ଯଦିଓ ଏମାନଙ୍କର ମଧ୍ୟରୁ କୌଣସିଟି ବହି ବା କୋଡେକ୍ସ ନୁହଁନ୍ତି । ତଥାପି ବହିର ଇତିହାସ ଆଲୋଚନା କଲା ବେଳେ ସେମାନେ ଆଲୋଚନାର ପରିସର ଭିତରକୁ ଆସିବେ ।

ଏପରିକି ଖବରକାଗଜ, ପତ୍ରିକା, ହାଣ୍ଡବିଲ୍, ପୋଷ୍ଟର, ଲଟେରି ଟିକଟ, ବିଭିନ୍ନ ଧରଣର ବିଜ୍ଞାପନ, ରସିଦ ପ୍ରଭୃତି ଆମ ବହିର ଇତିହାସରେ ବିବେଚ୍ୟ । କାରଣ ଏହିଥିରୁ କୌଣସି ନିର୍ଦ୍ଦିଷ୍ଟ ଘଟଣା ବା କାହାଣୀର କ୍ରମବିକାଶ ସମ୍ପର୍କ ରେ ଜାଣିବାକୁ ମିଳିଥାଏ ।ତାହାଛଡା ଏଗୁଡିକ ମଧ୍ୟରୁ କିଛି ଆମର ବ୍ୟବହାରରେ ଆସିଥାନ୍ତି, ଯେମିତି ହାଣ୍ଡବିଲ୍, ରସିଦ ବା ଲଟେରି ଟିକଟ । ତାହାଛଡା ଏମିତି କଥାଟିକୁ ବୁଝିଲେ ହେବ ଯେ, ଧରାଯାଉ ଉପରଲିଖିତ ଛପାକାଗଜଗୁଡିକ କେବଳ ଗୋଟିଏ ଗୋଟିଏ ପୃଷ୍ଠା, ଅନ୍ୟତ୍ର ବିଛାଡି ହୋଇ ପଡିଛନ୍ତି । ମଲାଟ ଭିତରେ ବାନ୍ଧି ଦେଲେ ସେମାନେ ବହି ହୋଇ ଆମର ଉପକାର କରିବେ ।

ସଭ୍ୟତାର ବିକାଶରେ ଆମର ଏଇ କୋଡେକ୍ସ ର ଆବିର୍ଭାବ ନେଇ ସଂଶୟ ରହିଛି । ଖ୍ରୀଷ୍ଟୋତ୍ତର ଦ୍ୱିତୀୟ ଶତାବ୍ଦୀ ପରଠାରୁ ଖ୍ରୀଷ୍ଟିଆନ୍ ଜଗତରେ ଆଗରୁ ଗୋଲ୍ କରି ଗୁଡାଇ ରଖାଯାଉଥିବା ପୋଥି ବା ସ୍କ୍ରଲ୍ ର ସ୍ଥାନରେ ପାପିରସ୍ ରେ ଲିଖିତ କୋଡେକ୍ସର ପ୍ରଚଳନ ଆରମ୍ଭ ହେବା ଲକ୍ଷ୍ୟ କରାଯାଏ । ଏଇ କୋଡେକ୍ସର ସିଂହ ଭାଗ ବାଇବେଲ୍ ବା ଚର୍ଚ୍ଚ-ପିତା ମାନଙ୍କର ଜୀବନୀ ସଙ୍କାନ୍ତ (ହାଜିଓଗ୍ରାଫି) ହାତ ଲେଖା । ଯଦିଓ ସମସାମୟିକ ଗ୍ରୀକ୍ ସାହିତ୍ୟିକ ଓ ବୈଜ୍ଞାନିକ ରଚନା ସେତେବେଳେ ଅନେକ ପରିମାଣରେ ଗୋଲ୍ କରି ଗୁଡା ହୋଇ ରଖାଯାଉଥିବା ପୋଥି ବା ସ୍କ୍ରଲ୍ ରେ ଲେଖାଯାଉ ଥିଲା । ଖ୍ରୀଷ୍ଟୀୟ ଧର୍ମ ଓ ଧାରଣାକୁ ବିସ୍ତୃତ ଓ ବ୍ୟାପକ କରିବା ଲକ୍ଷ୍ୟରେ ସେମାନେ ହୁଏତ କୋଡେକ୍ସକୁ ତାଙ୍କର ପ୍ରକୃତ ମାଧ୍ୟମ ବୋଲି ବିବେଚନା କରୁଥିଲେ । କାରଣ ଗୁଡା ହେଉଥିବା ପୋଥି ବା ସ୍କ୍ରଲ୍ ତୁଳନାରେ କୋଡେକ୍ସରେ ସେମାନେ ଅଳ୍ପ ଜାଗାରେ ଅଧିକ ଲେଖି ତାହାକୁ ଭବିଷ୍ୟତ ପାଇଁ ସୁରକ୍ଷିତ ରଖିବାର ଉତ୍ତମ ବିକଳ୍ପଟି ପାଇଯାଇଥିଲେ ।

ପ୍ରାୟ ଖ୍ରୀଷ୍ଟୋତ୍ତର ଚତୁର୍ଥ ଶତାବ୍ଦୀ ଠାରୁ କୋଡେକ୍ସ ବା ଆମର ଏହି ପାଠ୍ୟ-ପ୍ରକ୍ରିୟାର ରୂପ ବହି ପାଶ୍ଚାତ୍ୟ ଜଗତରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଆରମ୍ଭ କଲା । ପରବର୍ତ୍ତୀ ହଜାରେ ବର୍ଷ କୋଡେକ୍ସର ଜୀବନରେ ଅନେକ ପରିବର୍ତ୍ତନର ସମୟ । ଏହି ସମୟରେ ଏହା ସହିତ ଚିତ୍ରକଳା ଜଡିତ ହୋଇଗଲା । ଚିତ୍ରକରମାନେ ନିଜର ଚିତ୍ରକଳାରେ ଯେଉଁ ନୂତନ ପରୀକ୍ଷା ନିରୀକ୍ଷା କରୁଥିଲେ, ତାହାକୁ ବିନା ସଂଶୟରେ ପ୍ରୟୋଗ କରିବାର ସୁଯୋଗ ପାଉଥିଲେ କୋଡେକ୍ସର ପାଣ୍ଡୁଲିପିକୁ ଅଳଙ୍କରଣ କରିବାରେ । ତେଣୁ କହିବାକୁ ଗଲେ, ଚିତ୍ରକରମାନେ ନିଜର ଚିତ୍ରରେ କରିଥିବା ପରୀକ୍ଷାର ତାତକ୍ଷଣିକ୍ ଦର୍ଶକୀୟ ପ୍ରତିକ୍ରିୟା ସମ୍ପର୍କରେ ଅବଗତ ହୋଇ ପାରୁଥିଲେ । ସକାରାତ୍ମକ ପ୍ରତିକ୍ରିୟା ସେମାନଙ୍କୁ ନିଜନିଜର ଚିତ୍ରରେ ଅଧିକ ପ୍ରୟୋଗଶୀଳ କରି ପାରୁଥିଲା । ଅନ୍ୟ ପକ୍ଷରେ କୋଡେକ୍ସର ପାଣ୍ଡୁଲିପି ନୂଆନୂଆ ଅଳଙ୍କରଣର ବୈଚିତ୍ର୍ୟରେ ଅଧିକ ସୁନ୍ଦର ଦିଶୁଥିଲା ।

ଏହାପରେ ମୁଁ ଯେଉଁ ମାନେ ଜାଣି ନାହାଁନ୍ତି ସେମାନଙ୍କୁ ଗୋଟିଏ ନୂଆ ଶବ୍ଦ ସହ ପରିଚିତ କରାଇବି । ଅନେକେ ଜାଣିଥିବେ ।ସେମାନେ ଦାନ୍ତ ଚାପି ହସ ରୋକି ଏହା ପଢି ପାରନ୍ତି । ଶବ୍ଦଟି ହେଲା "ଇନକୁନାବୁଲା" । ଶବ୍ଦଟି ୧୫୦୦ ଖ୍ରୀଷ୍ଟାବ୍ଦର ।କୋଡେକ୍ସର ଇତିହାସରେ ସେଇ ପନ୍ଦରଶହ ଖ୍ରୀଷ୍ଟାବ୍ଦରେ ଏକ ଅଦ୍ଭୁତ ପୂର୍ବ ବିପ୍ଳବ ଘଟିଲା । ଜର୍ମାନୀର ମାଇନସ୍ ସହରରେ ୟୋହାନ୍ ଗୁଟେନବର୍ଗ୍ ମୁଦ୍ରଣ ଯନ୍ତ୍ରର ଉଦ୍ଭାବନ କରିଥିଲେ । ସେ ମୁଭେବଲ୍ ଟାଇପ୍ ବା ଖଞ୍ଜା ଟାଇପ୍ ନିର୍ମାଣ କରି ମୁଦ୍ରଣ ପ୍ରକ୍ରିୟାକୁ ବ୍ୟାପକ କରିଥିଲେ । ଏହା ଫଳରେ ବହିର ବହୁଳ ପ୍ରସାର ସହ ଏହାର ଉତ୍ପାଦନ ଓ ବଣ୍ଟନ ବହୁଗୁଣ ବୃଦ୍ଧି ପାଇଥିଲା ।ସେହି ମୁଦ୍ରଣ ପ୍ରକ୍ରିୟାରେ କୋଡେକ୍ସର ସମସ୍ତ ମୂଳ ସର୍ତ୍ତ ଅକ୍ଷୁର୍ଣ୍ଣ ରଖାଯାଇଥିଲା ।

ପ୍ରଥମେ ଗୁଟେନବର୍ଗ ଶହେଟି ଶୀଷା ଅକ୍ଷର ବା ମୁଭେବଲ୍ ଟାଇପ୍ ତିଆରି କରିଥିଲେ । ସେଇ ଶହେଟି ଶୀଷା ଅକ୍ଷରର ସେ ଗୋଟିଏ ଚମତ୍କାର ନାମକରଣ କରିଥିଲେ, "ଗୁଟେନବର୍ଗ ଙ୍କ ସେନାବାହିନୀ" ବା "ଗୁଟେନବର୍ଗସ୍ ଆର୍ମି" । ଏହି ସେନାବାହିନୀ ଦ୍ୱାରା ତାଙ୍କର ବିଚିତ୍ର ବିଶ୍ୱ ବିଜୟ ଆରମ୍ଭ ହୋଇଥିଲା ।

ଗୁଟେନବର୍ଗ ପ୍ରକ୍ରିୟାର ଅନେକ ଆଗରୁ କିନ୍ତୁ ପ୍ରାଚ୍ୟ ଜଗତରେ ମୁଦ୍ରଣ ପ୍ରଚଳିତ ଥିଲା । ଏଗାରଶହ ଶତାବ୍ଦୀରେ ଚୀନ ଦେଶରେ ଟେରାକୋଟାର ଅକ୍ଷର ଓ ତେରଶହ ଶତାବ୍ଦୀରେ କୋରିଆରେ ଧାତବ ଅକ୍ଷର ମୁଦ୍ରଣ କାମରେ ବ୍ୟବହୃତ ହେଉଥିଲା । ଏହାର ବହୁ ପୂର୍ବରୁ ଅଷ୍ଟମ ଆଉ ନବମ ଶତାବ୍ଦୀରେ ଏଇ ଦୁଇ ଦେଶରେ କାଠକୁ ଖୋଳି ଅକ୍ଷର ତିଆରି କରି ଛାପା କାମ ବା "ଜାଇଲୋଗ୍ରାଫି" ହେଉଥିଲା ।

ତେଣୁ ଭ୍ରାମ୍ୟମାଣ ଅକ୍ଷର ଯେ ଗୁଟେନବର୍ଗଙ୍କ ଏକମାତ୍ର ଅବଦାନ, ତାହା ବିଚାରିବା ଠିକ୍ ନୁହଁ । କିନ୍ତୁ ଗୁଟେନବର୍ଗ ବହିର ପ୍ରସାରକୁ ଏକ ନୂତନ ଦିଗନ୍ତ ଦେଇଥିବା ହେତୁ ତାଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ । ବହିର ଇତିହାସରେ ଗୁଟେନବର୍ଗ ଗୋଟିଏ ବିଭେଦକ ରେଖା ଟାଣି ପାରିଛନ୍ତି । ତାଙ୍କ ପୂର୍ବରୁ ଅର୍ଥାତ୍ ୧୫୦୦ ଖ୍ରୀଷ୍ଟାବ୍ଦ ପୂର୍ବରୁ ଯେତେ ସବୁ ବହି ପ୍ରସ୍ତୁତ କରାଯାଇଥିଲା ସେଇ ସବୁକୁ ଚିହ୍ନିତ କରାଯାଇଛି ଗୋଟିଏ ଶବ୍ଦରେ  - ଇନକୁନାବୁଲା । ସେଇ ଶବ୍ଦଟି ଐତିହାସିକ ।

ବି.ଦ୍ର - ଏହି ଲେଖାଟି ଓଡିଶାର ପୁସ୍ତକ ଆନ୍ଦୋଳନର ମୂଖ୍ୟ ପୁରୋଧା ସ୍ୱର୍ଗୀୟ ବରେନ୍ଦ୍ରକୃଷ୍ଣ ଧଳଙ୍କର ଅମର ସ୍ମୃତି ପ୍ରତି ଏକ ଶ୍ରଦ୍ଧାଞ୍ଜଳୀ ଓ ତାଙ୍କର ଅବର୍ତ୍ତମାନରେ କାଲିଠାରୁ ଆରମ୍ଭ "ଭୁବନେଶ୍ବର ପୁସ୍ତକମେଳା - ୨୦୧୭" ପ୍ରତି ଶୁଭେଚ୍ଛା ।

No comments:

Post a Comment