Monday, April 24, 2017

ଓଡ଼ିଆ ରେକଡ଼ର ଇତିହାସ - ୩


ଶ୍ରୀ କିରଣଚନ୍ଦ୍ର ଘୋଷ 


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଏଥର ଓଡ଼ିଆ ନାଟକ ଯାହା ଗ୍ରାମୋଫୋନରେ ଦିଆ ହୋଇଛି, ସେ ସମ୍ବନ୍ଧରେ ପଦେ, ଅଧେ କହିବି । ହିଜ ମାଷ୍ଟରସ ଭଏସ କମ୍ପାନୀ ପ୍ରଥମେ ସାହାସ କରି ଓଡ଼ିଆ ନାଚକ ବାହାର କଲେ---ବାମନାବତାର । ଏହିଟା ଭଲ ଆଦର ପାଇଥିଲା । ତା ପରେ ବାହାରିଲା---ଧ୍ରୁବ ଚରିତ । ଏହା ମଧ୍ୟ ମନ୍ଦ ହୋଇ ନାହିଁ । ଏ ଦୁଇଟି ଯାକ ବାବୁ କୃଷ୍ଣ ପ୍ରସାଦ ବସୁଙ୍କ ରଚନା ।  ଏ କମ୍ପାନୀ ଏବେ "କୃଷ୍ଣଜନ୍ମ" ବାହାର କରିଛନ୍ତି । ଲେଖକ ବାବୁ ଅକ୍ଷୟ କୁମାର ଦାସ । ଏହିଟି କେତେ ଦୂର ଭଲ ବା ମନ୍ଦ ହୋଇଛି ତାହା ଗ୍ରାହକେ ବିଚାର କରିବେ । ମେଗାଫୋନ କମ୍ପାନୀ ଯେ ସବୁ ବାହାର କରିଛି, ତନ୍ମଧ୍ୟରୁ "କୋଣାର୍କ" ଉଲ୍ଲେଖ ଯୋଗ୍ୟ । ଅଶ୍ୱିନି ବାବୁଙ୍କର ଅମର ନାଟକ କୋଣାର୍କର ଯେ ଶେଷରେ ଏ ଦୁରବସ୍ଥା ହେବ ତାହା ସ୍ୱପ୍ନରେ କେହି ଭାବି ନଥିଲା । ରେକଡିଂ ତ ଭଲ ହୋଇ ନାହିଁ, ବରଂ ତରବର ହୋଇ ଆଟିଷ୍ଟ ବୃନ୍ଦ ସ୍କୁଲ ପିଲାଙ୍କ ଭଳି ଘୋଷାପାଠ ମୁଖସ୍ତ ବୋଲି ଯାଉଛନ୍ତି । ମନେହୁଏ କିଛି କାଟିକୁଟି ଦେଇଥିଲେ ଆହୁରି ଜମି ଥାଆନ୍ତା ।  

ମେଗାଫୋନର ଖଣ୍ଡିକିଆ ରେକଡ଼ ଧ୍ରୁବ ଓ ପ୍ରହ୍ଲାଦ କେତେକ ପରିମାଣରେ ସଫଳ ହୋଇଛି । ଏହାଙ୍କର କଳାପାହାଡ଼ ବାହାରିବ ଶୀଘ୍ର । ସେନୋଲାରେ ବାହାରିଛି "ଶ୍ରୀମନ୍ଦିର" । ଏହି ନାଟକଟି ସବୁଠାରୁ ଭଲ ହୋଇଛି । "କେଦାରଗୌରୀ" ମଧ୍ୟ ବେଶ ସଫଳ । 

ହିନ୍ଦୁସ୍ଥାନରୁ ବାହାରିଛି "ସୀତା ବିବାହ?" ଏହି ନାଟକଟି ଭଲ ହେବା ଦୂରେ ଥାଉ, ଓଡ଼ିଶାର ନାଟ୍ୟ କଳାକୁ ଜଗତ ସମକ୍ଷରେ ବଡ଼ ହୀନ କରି ପକାଇଛି । ଏଥିପାଇଁ ଶ୍ରୀଯୁକ୍ତ ମୋହନ ସୁନ୍ଦର ଗୋସ୍ୱାମୀ ଓ ବାବୁ ପ୍ରିୟନାଥ ଗାଙ୍ଗୁଲି ଦାୟୀ । 

ଆଉ ଗୋଟିଏ କଥା କହି ମୋର ବକ୍ତବ୍ୟ ଶେଷ କରିବି । ବିଗତ ଆଠବର୍ଷ ହେଲା ମୁଁ ଥିଏଟରଦଳ ସମ୍ପର୍କରେ ଥାଇ ଗୋଟାଏ କଥା ଲକ୍ଷ କରିଛି । କଥାଟା ମନକୁ ପୀଡ଼ା ଦିଏ । ଓଡ଼ିଆ ରେକଡର ଗାୟକମାନଙ୍କ ମଧ୍ୟରୁ ଅନେକ ଥିଏଟର ଦଳରେ ଥାଇ କ୍ଲାରିଓନେଟ ବଜାନ୍ତି । ଫଳରେ ତାଙ୍କ ଫୁସଫୁସରେ ଅତି ମାତ୍ରା ଆଘାତ ଲାଗି ତାକୁ ଦୁର୍ବଳ କରି ପକାଏ ଓ କଣ୍ଠ ନଳୀ ମଧ୍ୟରେ ବିରିବିରିକା (ଗ୍ରାନ୍ୟୁଲେସନ) ବାହାରି କଣ୍ଠ କର୍କଶ ହୁଏ ଓ ତାର ମଧୁରତା ନଷ୍ଟ ହୋଇଯାଏ । ଉନ୍ନତ ନାଟ୍ୟଦଳମାନଙ୍କରୁ ଏବେ ଅନ୍ୟଆଡ଼େ କ୍ଲାରିଓନେଟ ଉଠିଯାଇ ହାଡ଼ୀ ଡମଙ୍କ ହାତରେ ପଡ଼ିଲାଣି । ଓ ତାର ସ୍ଥାନ ଅଧିକାର କଲେଣି ବେହେଲା ପ୍ରଭୃତି ତାରଯନ୍ତ୍ର ! ଏବେବି ସମୟ ଅଛି । ଯେଉଁମାନେ ପ୍ରକୃତ ଗାୟକ ହେବାକୁ ଇଚ୍ଛା କରନ୍ତି ସେମାନେ ଯେପରି ବଂଶୀକୂ ପରିତ୍ୟାଗ କରନ୍ତି, ଏତିକି ମୋର ଶେଷ ଅନୁରୋଧ ।  

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ଡଗର'ର ପ୍ରଥମ ଖଣ୍ଡ, ପଞ୍ଚମ ସଂଖ୍ୟାରେ, ୧୩୪୪ ସାଲ ବା ୧୯୩୭ ମସିହାରେ ପ୍ରକାଶିତ ହୋଇଥିଲା ।

No comments:

Post a Comment