Friday, April 07, 2017

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ତୃତୀୟା ବଲ୍ଲୀ : ମନ୍ତ୍ର ୬


ଭିଏତନାମରେ ସୂର୍ଯ୍ୟୋଦୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ହେ ଚତୁର ନର, ତେଣୁ ହୁଅ ସାବଧାନ
ଆପଣା ଅନ୍ତରେ ସଦା କର ବ୍ରହ୍ମ ଧ୍ୟାନ ।

ସ୍ୱଚ୍ଛ ଶୁଦ୍ଧ କର ନିଜ ବୁଦ୍ଧି-ଦରପଣ
ଇଚ୍ଛା ଯଦି ପାଇବାକୁ ବ୍ରହ୍ମ ଦରଶନ ।

କ୍ଷିତି ଆପ ତେଜ ବାୟୁ ବ୍ୟୋମ ମହାଭୂତ
ପଞ୍ଚେନ୍ଦ୍ରିୟୁଁ ଏ ପଞ୍ଚର ସତ୍ୟାଂଶୁ ସମ୍ଭୁତ ।

ରାଜସ ଅଂଶରୁ ପାଣି ପାଦ ଆଦି ହୁଏ
ଜ୍ଞାନକର୍ମେନ୍ଦ୍ରିୟେ କିନ୍ତୁ ଆତ୍ମା ଯୁକ୍ତ ନୁହେ । 

ସ୍ୱପ୍ନେ ଜାଗରଣେ ଦେହେ ଇନ୍ଦ୍ରିୟ ନିଚୟ 
ଦିବସେ ଦିବସେ ଯାଏ ପ୍ରଳୟ ଉଦୟ ।

ଇନ୍ଦ୍ରିୟ ଉଦୟ ଅସ୍ତେ ଆତ୍ମ ଅବାଧିତ
ବୁଝନ୍ତି ଏ ଆତ୍ମତତ୍ତ୍ୱ କେବଳ ପଣ୍ଡିତ ।

ଆତ୍ମାର ନ ଘଟେ କେବେ ପ୍ରଳୟ ଉଦୟ
ସତତ ଜାଗ୍ରତ ଆତ୍ମା ଅକ୍ଷୟ ଅବ୍ୟୟ ।

ଆତ୍ମା ଇନ୍ଦ୍ରିୟର ବୁଝି ଏହି ଭେଦାଭେଦ
ତରନ୍ତି ବିବେକୀ ଜନେ ସର୍ବ ଶୋକ ଖେଦ । (ନ.ଉ. ୨।୩।୩୭)

No comments:

Post a Comment