Sunday, April 09, 2017

ପର୍ବତରେ ଧର୍ମୋପଦେଶ - ୧୨


ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ମାର୍ଟିନ ଲୁଥର ଅନୁଦିତ ବାଇବେଲ (୧୫୩୪)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଦୁର୍ଗମ ଦ୍ୱାର ଦେଇ ପ୍ରବେଶ କର, ଯେହେତୁ ସର୍ବନାଶର ଯେ ଦ୍ୱାର ସେ ବଡ଼, ଓ ତାହାର ଯେ ବାଟ ସେ ଫରଚା, ଆଉ ଅନେକେ ତହିଁରେ ଚାଲନ୍ତି । ପୁଣି ଜୀବନର ଯେ ଦ୍ୱାର ସେ ଦୁର୍ଗମ, ଓ ତାହାର ଯେ ବାଟ ସେ ସାନ, ଆଉ ଅଳ୍ପ ଲୋକ ତାହା ପାନ୍ତି ।
ଯେଉଁମାନେ ମେଣ୍ଢା ବେଶରେ ତୁମ୍ଭମାନଙ୍କ ନିକଟକୁ ଆସନ୍ତି, ମାତ୍ର ଅନ୍ତରେ ଦୁରନ୍ତ କେନ୍ଦୁଆ ବାଘ, ଏମନ୍ତ ଭଣ୍ଡ ଭବିଷ୍ୟଦ୍-ବକ୍ତାମାନଙ୍କଠାରୁ ସାବଧାନ ହୁଅ । ତୁମ୍ଭେମାନେ ସେମାନଙ୍କର ଫଳ ଦ୍ୱାରା ସେମାନଙ୍କୁ ଚିହ୍ନି ପାରିବ । ମନୁଷ୍ୟମାନେ କି କଣ୍ଟା ଗଛରୁ ଦ୍ରାକ୍ଷାଫଳ କିଅବା କାନକୋଳି ଗଛରୁ ଡିମିରି ଫଳ ତୋଳନ୍ତି ? ସେହି ପ୍ରକାରରେ ସବୁ ଉତ୍ତମ ଗଛ ଉତ୍ତମ ଫଳ ଫଳେ, ପୁଣି ସବୁ ମନ୍ଦ ଗଛ ମନ୍ଦ ଫଳ ଫଳେ । ଭଲ ଗଛ ମନ୍ଦ ଫଳ ଫଳି ନ ପାରେ, ପୁଣି ମନ୍ଦ ଗଛ ଭଲ ଫଳ ଫଳି ନ ପାରେ । ଆଉ ଯେ ସେ ଗଛ ଉତ୍ତମ ଫଳ ନ ଫଳେ, ସେ କଟା ହୋଇ ଅଗ୍ନିରେ ପକାଯାଏ । ଏନିମନ୍ତେ ତୁମ୍ଭେମାନେ ସେମାନଙ୍କର ଫଳ ଦ୍ୱାରା ସେମାନଙ୍କୁ ଚିହ୍ନିପାରିବ । 

ଆମ୍ଭମାନଙ୍କୁ ପ୍ରଭୁ ପ୍ରଭୁ କହନ୍ତି, ଏପରି ପ୍ରତିଜଣ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ଆମ୍ଭର ସ୍ୱର୍ଗସ୍ଥ ପିତାଙ୍କ ଇଷ୍ଟକ୍ରିୟା କରେ, ସେ ପ୍ରବେଶ କରିବ । ସେ ଦିନରେ ଅନେକେ ଆମ୍ଭଙ୍କୁ କହିବେ, ହେ ପ୍ରଭୋ, ହେ ପ୍ରଭୋ, ତୁମ୍ଭ ନାମରେ ଆମ୍ଭେମାନେ କି ଭବିଷ୍ୟଦ୍-ବାକ୍ୟ କହି ନାହୁଁ ?  ତୁମ୍ଭ ନାମରେ କି ଭୂତମାନଙ୍କୁ ଛଡ଼ାଇ ନାହୁଁ  ? ତୁମ୍ଭ ନାମରେ କି ନାନା ପ୍ରକାର ଆଶ୍ଚର୍ଯ୍ୟ କ୍ରିୟା କରି ନାହୁଁ ? ତେତେବେଳେ ଆମ୍ଭେ ସେମାନଙ୍କୁ ସ୍ପଷ୍ଟ କହିବୁଁ, ଆମ୍ଭେ ତୁମ୍ଭମାନଙ୍କୁ କେବେ ଜାଣି ନାହୁଁ; ହେ ଦୁଷ୍କର୍ମକାରୀ ସବୁ, ଆମ୍ଭ ନିକଟରୁ ଦୂର ହୁଅ । 
   
ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।

No comments:

Post a Comment