Tuesday, April 11, 2017

ପୁନେ ଚୁକ୍ତି -୨୦୧୭


ଜ୍ୟୋତି ନନ୍ଦ 


କସ୍ତୁରବା ଗାନ୍ଧୀ ଓ ମହାଦେବ ଦେଶାଇଙ୍କର ସମାଧିସ୍ଥଳ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ମହାରାଷ୍ଟ୍ରର ସହର ପୁନେ ।
ଏଠାରେ ଅନେକ ଐତିହାସିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।
ଏହି ଚୁକ୍ତିଟି ଆଦୌ ଐତିହାସିକ ନୁହଁ । ଇତିହାସର ପାଠ୍ୟକ୍ରମରେ ବି ଏହା ରହିବାର ନାହିଁ । ଖାଲି ଶୀର୍ଷକଟିକୁ ଟିକିଏ ଆକର୍ଷଣୀୟ କରିବାର ସାମୟିକ ଚେଷ୍ଟା ବୋଲି କହିଲେ କଥାଟି ସେତେ ଭୁଲ ହେବ ନାହିଁ । କହିବାକୁ ଗଲେ ଏହା ଗୋଟିଏ ନିହାତି ସାଧାରଣ ଲୋକର ଏକ ଅସାଧାରଣ ଘଟଣା ସହ ସମ୍ପୃକ୍ତି ।
ଆପଣମାନେ ଆଗରୁ ଏମିତି ଅନେକ ପୁନେ-ଚୁକ୍ତି କରିଥିଲେ,ଏବେ କରୁଛନ୍ତି, ଆଉ ଆଗକୁ ବି କରିବେ । ଆମ ନିଜ ନିଜ ପାଇଁ ଏହା ମନେରଖିଲା ଭଳି ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ହେଁ ବୃହତ୍ତର ସମାଜ ପାଇଁ ସେମିତି ସେତେ କିଛି ନୁହଁ ।
ସେଇ ପ୍ରସଙ୍ଗରେ ଇତିହାସ ସମ୍ପୃକ୍ତିକୁ ଚୁକ୍ତି ବୋଲି ବିଚାର କରିବା ସେମିତି ବଡ ଦୋଷାବହ କଥା ହେବ ନାହିଁ ।
ଏମିତିରେ କହିଲେ ଇତିହାସର କାଳ ଆଉ ଘଟଣାକୁ କେହି ବଦଳାଇ ପାରିବ ନାହିଁ । ଯିଏ ଯେତେ ଶକ୍ତିଶାଳୀ ହେଉ ପଛକେ, ସିଏ ନିଜ କାଳଖଣ୍ଡରେ ରାଜୁତି କରିପାରେ । ନିଜ କ୍ଷମତାର ଝଲମଲ ଜରି ପୋଷାକ ପିନ୍ଧି, ଶହ ଶହ ଚୁଙ୍ଗା ଦେଶ ସାରା ଫିଟିଙ୍ଗ୍ କରି ନିଜର ମିଛ କଥାକୁ ଶହ ଶହ ଥର ସେ ଏକା ପ୍ରଥମ ଥର ସତ କହୁଛି ବୋଲି କହି ପ୍ରଭାବୀ ବିଶ୍ୱାସଟିଏ ନିର୍ମାଣ କରିପାରେ ।  ଅନୁଗତ ଲସ୍କରମାନଙ୍କର ତଲବାରର ଶାଣର ମାର୍ଫତରେ ନିଜ ବେଲୁନରେ ସେ ଯେତେ ପବନ ଭର୍ତ୍ତି କରି ବାଆପାଣି ଖାଇ ଫୁଲୁଥାଉ ପଛକେ, ସେ ଇତିହାସ ଆଗରେ ଅସହାୟ । ଅସହାୟ କହିବାର ଅର୍ଥ ହେଉଛି, ସେହି ମହାମେଘବାହନ ଜଣକ ଇତିହାସର ଘଟିଯାଇଥିବା ଘଟଣା ପ୍ରବାହକୁ ବଦଳେଇପାରିବା ଭଳି ତ୍ରିକାଳେଶ୍ୱର ନୁହଁ । 

ସେ କେବଳ ଇତିହାସର ପୁନର୍ଲିଖନ କରିପାରେ । କିଛି ନିର୍ଦ୍ଦିଷ୍ଟ ବଛା ଘଟଣାକୁ ତାହାର ସାମଗ୍ରିକତାରୁ ତୋଳି ଆଣି ନିଜ ପାଇଁ ଆଗ ଐତିହାସିକ ଉତ୍ତରାଧିକାରର ଯୋଗ୍ୟତମ ପ୍ରତିନିଧିତ୍ୱର ଫୁଲହାରଟିଏ ଗୁନ୍ଥି ବସେ । ନିଜ କାଳଖଣ୍ଡରେ ସେ "ମୁଁ"ଟିକୁ ସେହି ପୌରାଣିକ "ବାବେଲର ସ୍ତମ୍ଭ" ସଦୃଶ ଉଚ୍ଚତାକୁ ବା ତାହାଠାରୁ ବି ଅଧିକ ସ୍ତରକୁ ନେଇପାରେ । ସେ ଇତିହାସ ଆଉ ପୁରାଣକୁ ଏକାଠି କକଟେଲ୍ କି ମକଟେଲ୍ କରି ନିଜର ଯଥାର୍ଥକୁ ଆଉ ଗ୍ରହଣଯୋଗ୍ୟତାକୁ ସୁସ୍ୱାଦୁ ଇତିହାସ ହିସାବରେ ପରିବେଷଣ କରିପାରେ । ଆମ ସାମଗ୍ରିକ ଚେତନାରେ ପୌରାଣିକ କାହାଣୀ ଆଉ ଚରିତ୍ର ମାନେ ଆମର "ଖାଲି ସିଲଟ" ବା "ଟାବୁଲା ରସା" ସମୟରୁ ଆମ ମୁଣ୍ଡରେ ଖେଳା-ଲୀଳା କରି ଆସୁଛନ୍ତି । ପଛନ୍ତେ ଯଦି କୌଣସି ପ୍ରାପ୍ତବୟସ୍କ ବିଚାର ବୋଧ ସେହି ଚରିତ୍ରକୁ ସନ୍ଦେହ କଲା, ତେବେ ସେମାନଙ୍କର ବାମ-ରତି ହେଲା ବୋଲି ପ୍ରଚାରତନ୍ତ୍ରରେ କହିପାରେ । ଫଳରେ ସୃଜନଶୀଳ ସନ୍ଦେହ ବନାମ ସମ୍ପୂର୍ଣ୍ଣ ସମର୍ପଣ-ଭିତ୍ତିକ ବିଶ୍ୱାସ ଏକ ଆଦର୍ଶବାଦ-ଭିତ୍ତିକ ଯୁଦ୍ଧରେ ପରିଣତ ହୋଇଯାଏ । ଏବଂ ସମର୍ପଣ ଭିତ୍ତିକ ବିଶ୍ୱାସକୁ ପ୍ରତିଷ୍ଠିତ କରିବାକୁ ହେଲେ ଇତିହାସର ପୁରାଣ-କରଣ ଓ ପୁରାଣର ଇତିହାସ-କରଣ ଜଣେ ଶାସକର ପ୍ରାଥମିକ ଅପରିହାର୍ଯ୍ୟ ଆବଶ୍ୟକତା । 

ଏହି ପ୍ରସଙ୍ଗରେ ପ୍ରସିଦ୍ଧ ପରୀ-କାହାଣୀର ଲେଖକ ହାନସ୍ ଆଣ୍ଡରସନ୍ ଙ୍କର ଗୋଟିଏ କଥାକୁ ନିଆଯାଇପାରେ । ସେ କହିଥିଲେ, ପିଲାଟିଏ ଜନ୍ମ ହେଲାପରେ ତାହାର ପ୍ରଥମ ପାର୍ଥିବ ହସଟି ହଜାର ଖଣ୍ଡର ଟୁକୁଡାରେ ବିଛାଡି ହୋଇ ପଡେ । ସେହି ହଜାର ଟୁକୁଡାରୁ ହଜାର ପରୀ ବାହାରି ଆସି ପିଲାଟିକୁ ଘେରି ବସିଥାନ୍ତି ସର୍ବଦା । ପରେ ପିଲାଟିର ବୟସ ବଢିବା ସହ ଯେତେବେଳେ ସେ ନିଜେ ସେହି ପରୀର ଅସ୍ତିତ୍ୱକୁ ସନ୍ଦେହ କରିବାକୁ ଆରମ୍ଭ କରେ, ସେତେବେଳେ ପରୀମାନୋ ଆମର ବତ୍ରିଶ-ସିଂହାସନର ପିତୁଳାଙ୍କ ଭଳି ଗୋଟିକ ପରେ ଗୋଟିଏ ମିଳାଇ ଯାଆନ୍ତି । ପରେ ଶରୀରର ଆବଶ୍ୟକତା ପା ଇଁ ପରୀମାନେ ପ୍ରାପ୍ତବୟସ୍କ ହୋଇଯାଆନ୍ତି । ଏବେ ଆମଭଳି ବୃଦ୍ଧମାନଙ୍କ ପାଇଁ ପରୀମାନେ କେବଳ ଶ୍ୱେତାମ୍ବରୀ, ମୃତ୍ୟୁ । କହିବାକୁ ଗଲେ ପରୀ-କାହାଣୀର ଏଇଭଳି ବିବର୍ତ୍ତନର ଦୁର୍ଦ୍ଦଶା ଘଟିଛି କେବଳ ସନ୍ଦେହ ଯୋଗୁ । ତେଣୁ ପରୀ କି ପୁରାଣ କି ଇତିହାସ-ପୁରାଣ ସମସ୍ତଙ୍କ ଉପରେ ଗଭୀର ବିଶ୍ୱାସ ରାଜା ପ୍ରତି ଏକନିଷ୍ଠ ସମର୍ପଣ ର ପ୍ରାଥମିକ ପର୍ଯ୍ୟାୟ । ସେଇଥିପାଇଁ " ମହତୀ ଦେବତା" ମାନେ "ନର ରୂପେଣ ତିଷ୍ଠତି" ବୋଲି ରାଜାମାନଙ୍କର ବିଷୟରେ କୁହାଯାଇଛି । କହିବା ବାହୁଲ୍ୟ, ଦେବତାମାନେ ସଂସ୍କୃତର ବ୍ୟାକରଣ ଦୃଷ୍ଟିରୁ ସ୍ତ୍ରୀ-ଲିଙ୍ଗ । ଦେବତାମାନଙ୍କ ଭଳି ରାଜାମାନେ ବି ସନ୍ଦେହକୁ ପସନ୍ଦ କରନ୍ତି ନାହିଁ । ସାମାନ୍ୟତମ ସନ୍ଦେହ ରେ ଜଣେ ଧର୍ମଦ୍ରୋହୀ ବା ରାଷ୍ଟ୍ରଦ୍ରୋହୀ ଭାବରେ କଥିତ ହୋଇ କକର୍ଥନା ଭୋଗିଥାଏ ।

କଥା ହେଉ ଥିଲେ ଶାସକର ଇତିହାସ ପ୍ରସଙ୍ଗରେ ଅସହାୟତାବୋଧ ବିଷୟରେ । ଶାସକ କେବଳ ନିଜ କାଳଖଣ୍ଡର ନିରଙ୍କୁଶ ଭୂମ୍ୟାଧୀପତି । ତାହାର ଆଗର ଘଟଣାକ୍ରମ ଓ ପଛର ଫଳଶ୍ରୁତି କେବେହେଲେ ତାହାର ନିୟନ୍ତ୍ରଣ ରେ ନଥାନ୍ତି, ଯଦିଓ ସମସ୍ତ କାଳକୁ ନିଜର କବଳରେ ରଖିବା ପାଇଁ ତାହାର ଅନନ୍ତ ଲୋଭ । "ମୋ ପରେ ପ୍ରଳୟ ବୋଲି ଯେତେ ହୁଙ୍କାର ଛାଡିଲେ ବି ସେଇ ପ୍ରଳୟର ଚିହ୍ନ ବର୍ଣ୍ଣ ନଥାଏ କେଉଁଠି। ସବୁ ରାଜା ମାନେ ଅଙ୍କକଷା ଅଭିନେତା ।
ରାଜା ଯେମିତି ଇତିହାସ ପଢେ, ପ୍ରଜାଙ୍କୁ ସେଇମିତି ଇତିହାସ ପଢାଇବାକୁ ଚାହେଁ । କିନ୍ତୁ ପ୍ରଜାଏ ନିଜ ବାଗରେ ଯେଉଁ ଇତିହାସ ପଢିବାକୁ ଆରମ୍ଭ କରନ୍ତି, ତାହା ରାଜାର କେବେହେଲେ ପସନ୍ଦ ନୁହଁ । ଅବଶ୍ୟ ପ୍ରଜା ମାନଙ୍କର ଭିତରେ ଦଳେ ଚାରଣ କବି ଥାଆନ୍ତି ।ସେମାନଙ୍କର ଇତିହାସ ପଢା ଭାରି ବିଚିତ୍ର । ସେମାନେ ରାଜାଟିଏ ଦେଖିଲେ ତାହାପାଖକୁ ଆଗ ଭିଡିଯିବେ । ଇତିହାସରୁ ବାଛିବାଛି, ସୁନ୍ଦର କଥାମାନଙ୍କୁ ପଦରେ ଫାନ୍ଦି, ରଜାକୁ ଶୁଣାଇବା ଫିକରରେ ଥିବେ । ରଜା ଯଦି ଥରେ ଶୁଣିଗଲା ତ ସେମାନଙ୍କର କଚେ ପୁଅ ବାର । କୁଣ୍ଡଳ ଆଉ ପାଟଯଥା ଥୟ ବୋଲି ଜାଣ ।
ସେ ଯାହା ହେଉ, ରଜା ବା ପ୍ରଜା ଯେଉଁ ପ୍ରକାରର ଇତିହାସ ପଢିଥାନ୍ତି, ତାହାକୁ ସମସାମୟିକ ଇତିହାସ ବୋଲି କୁହାଯାଏ । ଏମିତିରେ ଇତିହାସବିତ୍ ମାନେ ଇତିହାସକୁ ସମସାମୟିକ ଇତିହାସ ବୋଲି କହିଥାନ୍ତି । "ଅଲ୍ ହିଷ୍ଟୋରି ଇଜ୍ କଣ୍ଟେମ୍ପରାରି ହିଷ୍ଟୋରି" । ସବୁ ଇତିହାସକୁ ସମସାମୟିକ ଇତିହାସ ବୋଲି କହିବାର ଅର୍ଥ ହେଉଛି, ଆମେ ଯେତେବେଳେ କୌଣସି ସମୟର ଇତିହାସକୁ ପଢୁ, ସେତେବେଳେ ଆମର ବର୍ତ୍ତମାନରେ ସେଇ ସମୟର ପ୍ରାସଙ୍ଗିକତା ଅଛି ବୋଲି ପଢିଥାଉ । ନହେଲେ ଆମର ଇତିହାସ ବା ବିତିଯାଇଥିବା ଘଟଣାବଳୀକୁ ପଢିବାର ସେମିତି କ'ଣ ଆବଶ୍ୟକତା ଅଛି ? ଆମ ପାଖରେ ପଢିବା ପାଇଁ ଢେର୍ ଗପ କବିତା ଆଉ ପୁରାଣ ତ ରହିଛି, ତାହା ବାଦ୍ ଆଉ ଇତିହାସ କାହିଁକି ? ଇତିହାସକୁ ନିଜର ପ୍ରାସଙ୍ଗିକତାକୁ ବୁଝିବା ପାଇଁ ପଢାଯାଏ ।
ଆମର ଇତିହାସବୋଧଟି ଆମର ପ୍ରାସଙ୍ଗିକତା ବୋଧ ସହ ଜଡିତ ।
ଆଗରୁ ଉଲ୍ଲେଖ କରାଯାଇଥିବା ପୁନେ ଚୁକ୍ତି-୨୦୧୭ ବୋଲି ଗୋଟିଏ ସର୍ବସାଧାରଣ ର ଏକ ଅସାଧାରଣ ଇତିହାସ ସହ ସମ୍ପୃକ୍ତିର କଥା କୁହାଯାଇଛି, ତାହାର ମୂଳରେ ଏଇ ପ୍ରାସଙ୍ଗିକତା ର କଥାଟି କୁ ହିଁ ନିଆଯାଇଛି।
ପୁନେର ଗୋଟିଏ ବନ୍ଦୀଶାଳା ର କଥା କହିବି।
ବର୍ତ୍ତମାନ ଯଦି ଭାରତର ଅଧିକାଂଶଙ୍କୁ, ବିଶେଷ କରି ତରୁଣ ପ୍ରଜନ୍ମକୁ, ପଚରାଯାଏ ଯେ ପୁନେ ସହରକୁ ନେଇ ତମ ମନରେ ପ୍ରଥମେ ଯେଉଁ ଶବ୍ଦଟି ଆସୁଛି ତାହା କ'ଣ ହେବ ? ତେବେ, ଅଧିକାଂଶଙ୍କ ସ୍ୱତଃସ୍ଫୃର୍ତ୍ତ ଉତ୍ତର ହୁଏତ ମରାଠା(ଇତିହାସ) ବା ଶନିବାରୱାଡା (ସଞ୍ଜୟ ଲୀଳା ଙ୍କର "ବାଜିରାଓ ମସ୍ତାନୀ") ନହୋଇ ହେବ ୟେରୱାଡା । ୟେରୱାଡା ଏକ ବନ୍ଦୀଶାଳା । ନିକଟରେ ଅଭିନେତା ସଞ୍ଜୟ ଦତ୍ତ ସେହି ବନ୍ଦୀଶାଳାକୁ ଯିବା ଆସିବାର ଧାରାବାହିକ ଧାରାବିବରଣୀ ଦେଖିବା, ପରେ ସେ ସେଇଠୁ ମୁକୁଳିବାର କଥା ଆମେ ଚର୍ମ-ଚକ୍ଷୁରେ ଦେଖିଛୁ । ତାହାପରଠାରୁ ୟେରୱାଡା ବୋଲି ସେଇ ବନ୍ଦୀଶାଳଟି ଆମ କଳ୍ପଲୋକ କୁ ଆବୋରି ବସିଛି । ତାହାପରେ ଆମେ ଇତିହାସରୁ ପଢିଲୁ ଯେ ସେଇଠେ ଆଗରୁ ଅଟକ ହୋଇ ରହିଥିଲେ ଆମର ପ୍ରିୟ ମହାତ୍ମା ଗାନ୍ଧୀ, ଯେତେବେଳେ ଗୋରା ସରକାର ଅନୁଭବ କରୁଥିଲା ଯେ ମହାତ୍ମା ଗାନ୍ଧୀଙ୍କ ସ୍ୱାଭାବିକ ମୁକ୍ତ ବିଚରଣ ଭାରତସାରା ଦୁଷ୍ପ୍ରଭାବ ପକାଉଛି, ଠିକ୍ ସେତିକିବେଳେ ।
ଏଠାରେ ୟେରୱାଡାର ସେହି ପ୍ରସିଦ୍ଧ ବନ୍ଦୀଶାଳାର କଥା କୁହାହେଉ ନାହିଁ । କୁହା ହେବ ପୁନେର ପ୍ରସିଦ୍ଧ ଆଉ ଏକ ପ୍ରସିଦ୍ଧ ଐତିହାସିକ ବନ୍ଦୀଶାଳ ଆଗା ଖାନ୍ ପ୍ୟାଲେସ୍ ର କଥା।
ଆଗା ଖାନ୍ ପ୍ୟାଲେସ୍ ରେ ଅଟକ ହୋଇଥିଲେ ଗାନ୍ଧିଜୀଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି । ସନ ୧୯୪୨ ଖ୍ରୀ:ଅ: ରୁ ୧୯୪୪ ପର୍ଯ୍ୟନ୍ତ ଏଇଠାରେ ରହିବାକୁ ପଡିଥିଲା ଗାନ୍ଧିଜୀ, କସ୍ତୁରବା, ଭାରତର ନାଇଟିଙ୍ଗେଲ୍ ବୋଲି ଖ୍ୟାତ ସରୋଜିନୀ ନାଇଡୁ ଓ ଗାନ୍ଧିଜୀଙ୍କ ବ୍ୟକ୍ତିଗତ ସଚିବ ମହାଦେବ ଦେଶାଈଙ୍କୁ।
ଅଟକ ରହିଥିବା ଅବସ୍ଥାରେ ମହାଦେବ ଦେଶାଈ ଏଇଠାରେ ୧୫ ଅଗଷ୍ଟ ୧୯୪୨ରେ ପ୍ରାଣତ୍ୟାଗ କରିଥିଲେ। ତାଙ୍କରି ସମାଧୀ ଏଇଠେ ଅଛି।
ପରେ କସ୍ତୁରବା ଫେବୃଆରୀ ୨୨ ତାରିଖ ୧୯୪୪ ଏଇ ସ୍ଥାନରେ ପ୍ରାଣତ୍ୟାଗ କରିଥିଲେ । ତାଙ୍କର ସମାଧି ବି ଏଇଠେ ଅଛି ।
ଉଲ୍ଲେଖଯୋଗ୍ୟ କଥା ହେଲା ସଚିବ ମହାଦେବ ଦେଶାଇ ଓ କସ୍ତୁରବାଙ୍କ ସମାଧି ଏକାଠି ରହିଛି । ଦେଖିବାକୁ ଆମର ତୁଳସୀ ଚଉଁରା ଭଳି ଆଉ ଦୁଇଟି ଯାକ ଚଉଁରା ସମାନ ଉଚ୍ଚ ଆଉ ସମାନ ରଙ୍ଗ । ଖାଲି ସେଥିରେ ଲେଖା ହୋଇଥିବା ନାଁଆଟିମାନ ଅଲଗା । ଏହାଠାରୁ ଟିକିଏ ଦୂରରେ ଗାନ୍ଧିଜୀଙ୍କ ଦେହାବଶେ କୁ ରଖାଯାଇ ସେହିଭଳି ସମାନ ଉଚ୍ଚତାର ଚଉଁରାଟିରେ ତାଙ୍କର ସମାଧି ବି କରାଯାଇଛି ।
ଏଇ ପ୍ରସଙ୍ଗରେ ମନକୁ ଆସିଲା ରାଜଘାଟରେ ଗାନ୍ଧିଜୀଙ୍କ ସୁଦୃଶ୍ୟ ଓ ବହୁ ପରିଚିତ ଅଭିଜାତ ସମାଧି ମଣ୍ଡପ । ତାହା ତୁଳନାରେ କସ୍ତୁରବାଙ୍କ ସ୍ଵାତନ୍ତ୍ର୍ୟହୀନ ନୀରବ ଓ ମହାଦେବ ଦେଶାଇ ସହିତ ଭାଗ କରିଥିବା ସମାଧି ।
ପ୍ରତ୍ୟେକ ବିଶିଷ୍ଟ ବ୍ୟକ୍ତିଟି ପଛରେ ଯେଉଁ ନାରୀଟି ଥାଏ, ସେ ସବୁକାଳ ଅବହେଳିତା । ଇତିହାସ ସବୁ ସମୟରେ ବିଜୟୀର ପକ୍ଷଧର, ଆଉ ପୁରୁଷର ବି । ପୁରୁଷ ଦୃଷ୍ଟିରେ ଲେଖା ଇତିହାସ ଆମକୁ ପରଷା ଯାଇଛି ସବୁବେଳେ ।
ଏଇ ଦୁଇଟି ସମାଧିକୁ ତୁଳନା କରି ପରିବର୍ତ୍ତି ନିଷ୍କର୍ଷ ଆପଣ ମାନଙ୍କର ନିଜର।
ହଁ, ଶେଷ କଥାଟି ହେଉଛି ଶତକଡା ଅନେଶତ ଜାଣନ୍ତି ନାହିଁ ଯେ କସ୍ତୁରବାଙ୍କ ପ୍ରାକ୍-ଗାନ୍ଧୀକରଣ ଯୁଗର, ଅର୍ଥାତ୍ କିଶୋରୀ ଅବସ୍ଥାର, ନାମ କଅଣ ଥିଲା?

ସେ ଥିଲେ,କସ୍ତୁରବା କାପାଡିଆ।

No comments:

Post a Comment