Saturday, April 08, 2017

ବହି କଥା - ୨


ଜ୍ୟୋତି ନନ୍ଦ 


ସୁନ୍ ଶୁଙ୍କର ଯୁଦ୍ଧର କଳାର ବାଉଁଶରେ ତିଆରି ପ୍ରତି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

କଥାଟିକୁ ଏମିତି ଟିକିଏ ଭାବିଲେ କେମିତି ଲାଗିବ ?

ମାତ୍ର ପନ୍ଦର ଶହ ଖ୍ରୀଷ୍ଟାବ୍ଦ ପରର ବହି ଇତିହାସରେ ଯେଉଁ ବ୍ୟାପକ ଜୁଆରଟି ପୃଥିବୀରେ ଦେଖାଗଲା ତାହାର ଶ୍ରେୟାଂଶରେ ୟୋହାନ୍ ଗୁଟେନବର୍ଗ୍ ଓ ତାଙ୍କର "ଗୁଟେନବର୍ଗ୍ ସେନାବାହିନୀ"ର ଅବଦାନ ଏବଂ ଖ୍ରୀଷ୍ଟ ଧର୍ମର ପ୍ରଚାର ପ୍ରସାରର ବହୁଳତା ସହ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଲା । ଅବଶ୍ୟ ଏହା ଯୋଗୁଁ ବହିର ଉତ୍ପାଦନ ବଢିଲା, ଚାହିଦା ବଢିଲା ଆଉ ତାହା ସହିତ ତାଳ ଦେଇ ବହି ଉତ୍ପାଦନର ଖର୍ଚ୍ଚକୁ ବି କମାଯାଇ ପାରିଲା । ଆରମ୍ଭ ହେଲା ଗୋଟିଏ କାଗଜର ଦୁଇ ପଟେ ଛପା ଯିବାର ବ୍ୟବସ୍ଥା । ଆଗରୁ ଗୁଡେଇ କରି ରଖାଯାଉଥିବା ପୋଥିର କେବଳ ଗୋଟିଏ ପାଖରେ ଲେଖାଯାଉଥିଲା । ପୋଥିରୁ କୋଡେକ୍ସର ବିବର୍ତ୍ତନ ହେବାରେ ଏହିଭଳି ଦୁଇ ପାଖରେ ଲେଖାଯିବା ଏକ ଅର୍ଥନୈତିକ କାରଣ । ଏହା ଛଡା ପୃଷ୍ଠାକୁ ଭଲ ଭାବରେ ଚିହ୍ନିତ କରିବା, ଇଣ୍ଡେକ୍ସ, ତୁଳନାମୂଳକ ଅଧ୍ୟୟନ ଏବଂ ସବୁଠାରୁ ବଡ କଥା ହେଲା ଗୋଟିଏ ବହି ଭିତରେ ଅବାଧ ଓ ମୁକ୍ତ ବିଚରଣର ସୁଯୋଗ, ବହି ବା କୋଡେକ୍ସକୁ ତାହାରି ପୂର୍ବ ପ୍ରାରୂପ ଠାରୁ ଅଧିକ ଜନପ୍ରିୟ କରିପାରିଲା । ଆଗରୁ ପୋଥି ପଢିବା ପାଇଁ ଦୁଇଟି ଯାକ ହାତ ବ୍ୟବହାର ହେଉଥିବା ବେଳେ, ବହି ପଢିଲାବେଳେ ଗୋଟିଏ ହାତର ବ୍ୟବହାରର ସୁବିଧାକୁ ସମସ୍ତେ ଗ୍ରହଣ କରିବାକୁ ଲାଗିଲେ । ପ୍ରଥମରୁ ବହିର ଏହି ସବୁ ସଫଳତାର ଧାର୍ମିକ ଉପଯୋଗ ହୋଇଥିଲେ ବି, ପରେ ଏହାକୁ ସମସ୍ତେ ନିଜର କରିପାରିଥିଲେ ।

ଆମ ଜୀବନରେ ଯାହା ଘଟିଯାଇଛି ଏବଂ ଯାହା ଘଟିବାକୁ ଯାଉଛି, ସେଇ ସମସ୍ତ କଥା ସାକ୍ଷାତ ପରମେଶ୍ୱରଙ୍କୁ ଗୋଚର ବୋଲି ଆମର ବଦ୍ଧମୂଳ ଧାରଣା । ମୁଁ ସେଥିରେ ରକ୍ତବୀର୍ଯ୍ୟ ସାଜିବି ନାହିଁ । ଆମର କଥାବାର୍ତ୍ତା ସବୁ ଏଇଲେ ପୋଥି-ବାଇଗଣ କୈନ୍ଦ୍ରିକ । ବହୁ ଦିନ ତଳେ ଗୋଟିଏ ଦିମୁଣ୍ଡିଆ ବହି ପଢିଥିଲି ।

ବହିଟି ଇଂରାଜୀରେ । ସେ ବହିଟିର ସଠିକ ନାଆଁ ଆଉ ଲେଖକଙ୍କର ନାମ କିଛି କହିପାରିବି ନାହିଁ ଏଇଲେ । ଯଦି ବହିଟି ମୋ ବହି ଥାକରୁ କେତେବେଳେ ମିଳେ ତେବେ ସେ ବିଷୟରେ ଅଧିକ କିଛି କହିପାରିବି ପରେ । ସେହି ଦିମୁଣ୍ଡିଆ ଅଲଗା ପ୍ରକାରର ବହିଟିର ଗୋଟିଏ ମୁଣ୍ଡରେ ଭଗବାନଙ୍କର ଆତ୍ମଜୀବନୀ ଥିଲା ବେଳେ, ଅନ୍ୟ ମୁଣ୍ଡଟିରେ ସଇତାନର ଆତ୍ମକଥା ରହିଥିଲା । ଭଗବାନଙ୍କର ଆତ୍ମକଥା ଶେଷରେ ଅନ୍ୟ ସବୁ ଗବେଷଣାର ବହି ଭଳି "ଇଣ୍ଡେକ୍ସ"ବା "ସୂଚକ"ଟିଏ ଥିଲା । ସୂଚକରେ ଦେଖିବେ ଥିଲା ଗୋଟିଏ ବୋଲି ଶବ୍ଦ "ଗଡ୍", ତାହାର ବିସ୍ତାର । ଗଡ୍ ଙ୍କ ଆତ୍ମ କଥାରେ ତ ଗଡସେ ରହିବ ନାହିଁ । ଭଗବାନଙ୍କ ଆତ୍ମକାହାଣୀରେ କେବଳ ଗୋଟିଏ ମାତ୍ର ଶବ୍ଦ ଏକେଲା ରାଜୁତି କରିବାର ଅଧିକାର ପାଇଛି, ତାହା ଭଗବାନ । କେବଳ ଶବ୍ଦରେ ଯାହା ଲେଖାଯାଇପାରେ; ଆଗ ଭ, ତାହାପରେ ଗ, ତାହାପରେ ବା, ଶେଷରେ ନ । ଭଗବାନଙ୍କ ପରେ ଯେଉଁ ଶବ୍ଦଟି, ସେ ବହିଟିର ଇଣ୍ଡେକ୍ସ ରେ ଅଧିକ ଅଛି, ତାହା ପାପ ।

ବହିଟିର ଅନ୍ୟ ମୁଣ୍ଡରେ ଥିଲା ସଇତାନ । ସଇତାନ ନିଜ କଥା ଲେଖିଲା ବେଳେ ଯେହେତୁ ସେ ନିଜେ ସଇତାନ, ତେଣୁ ସେ ଲୋଭ ସମ୍ଭାଳି ନପାରି ନିଜର ବାହାଦୁରୀ ଦେଖାଇବାକୁ ଯାଇ ପ୍ରଥମ ପରିଚ୍ଛେଦ ପରେ ଲେଖିଥିଲା ସପ୍ତମ ପରିଚ୍ଛେଦ ଆଉ ତାହା ପରେ ଦଶମ ପରିଚ୍ଛେଦ; ଏଇଭଳି । ଆମ ଭିତରେ ଭଗବାନ ବେଶି ରାଜୁତି କରନ୍ତି ବୋଲି, ଆମେ ସଇତାନକୁ ସାବାଡ କରି ରଖିଛୁ । ଆଉ ଖାସ୍ ସେଇଥି ପାଇଁ ଅନ୍ୟ ଦଶ ଜଣଙ୍କ ପରି ଆମେ ପ୍ରଥମ ପରେ ଦ୍ୱିତୀୟ ଆଉ ତାହାପରେ ତୃତୀୟ ପରିଚ୍ଛେଦ ହିସାବରେ ଲେଖିଥାଉ ।ନହେଲେ କାହାର ବାହାଦୁରୀ ଦେଖାଇବାକୁ ଇଛା ନାହିଁ ଯେ ? ସାଧୁ ସନ୍ଥ ମାନଙ୍କୁ ବାଦ ଦିଆଯାଉ ଏଇ ଅଡୁଆରୁ । ହଁ, ସଇତାନର ବହିରେ ଆଶ୍ଚର୍ଯ୍ୟ, ଦେଖିବେ ପାପ ବୋଲି ଗୋଟିଏ ଶବ୍ଦ ଆଦୌ ନାହିଁ ।

କହିବାର କଥା ଥିଲା ଶବ୍ଦର; ଅକ୍ଷରର।

"ଆଦ୍ୟରେ ବାକ୍ୟ ଥିଲେ"। (ଯୋହନ ଲିଖିତ ମଙ୍ଗଳସମାଚାର)

ଏହିଭଳି ବିଚାର କରାଯାଉ । ଆମ ଜୀବନରେ ଯାହା ଘଟିଯାଇଛି, ବା ଘଟିଯିବ, ସେ ସମସ୍ତ କଥା ସମ୍ପର୍କରେ ପରମେଶ୍ୱରଙ୍କୁ ଟିକିଏ ଉହାଡରେ ରଖି ଦେଖିଲେ ଜାଣିବା ଯେ, ସେ ସବୁ ପ୍ରଥମେ କୌଣସି ଅକ୍ଷରର ଚିତ୍ର ଭାବରେ ବା କୌଣସି ଅକ୍ଷରର ଭିତରେ ଥିବା ଉଚ୍ଚାରଣ ଭାବରେ ଆମ ଦର୍ଶନ ଓ ଶ୍ରବଣ ଇନ୍ଦ୍ରୀୟ ଦ୍ୱାରା ଗୃହୀତ ହୋଇଥାଏ । ସରଳରେ କହିଲେ ସବୁକଥା ଅକ୍ଷର ମାତ୍ର । ଅକ୍ଷରର ରୂପ ମାତ୍ର । ଆହୁରି ସରଳରେ କହିଲେ ସମସ୍ତ ପୃଥିବୀ ମାଳ ମାଳ ଅକ୍ଷର ଆଉ ଆମେ ସବୁ ନିମିତ୍ତ ମାତ୍ର ପାଠକ ।

ତେଣୁ ଆମର ଶାସ୍ତ୍ରଜ୍ଞମାନେ ପରମେଶ୍ୱରଙ୍କର ଗୋଟିଏ ଶରୀର ଗଢିଲେ । ଦେହର ପ୍ରତିଟି ଅଂଶକୁ ଉଜ୍ଜଳ ଶୋଭାବନ୍ତ କଲେ ଗୋଟିଏ ଗୋଟିଏ ଅକ୍ଷରରେ । ସଜାସଜି ସରିବା ପରେ କୃତାଞ୍ଜଳୀପୁଟରେ ନମସ୍କାର କରି କହିଲେ,"ବର୍ଣ୍ଣରୂପଂ ତୁଭ୍ୟଂ ନମାମୀ"।

ପରମେଶ୍ୱର ଯେଉଁଠି ନିର୍ମିତ ବର୍ଣ୍ଣମାଳାରେ, ଯେଉଁଠି ମାନବର ପରିଚୟ ଏକ ପାଠକ, ସେହି ଭଳି ଏକ ବିଶ୍ୱରେ ବହି ଛଡା ପ୍ରାସଙ୍ଗିକ ହୋଇ ଆଉ କ'ଣ ରହି ପାରିବ ?
ଆମର ପ୍ରିୟ ଲେଖକ ହର୍ହେ ଲୁଇ ବର୍ହେସ୍ ସ୍ୱର୍ଗଲୋକକୁ ଏକ ପୁସ୍ତକାଗାର ବୋଲି କହିଛନ୍ତି ଯେଉଁଠି ସମସ୍ତେ ମରଣୋପରାନ୍ତେ ବହିଟିମାନ ହୋଇ ରହିଛନ୍ତି । ଏଇ କଥାଟିକୁ ଏବେଏବେ ମନେ ପକାଇ ଦେଇଥିଲେ ଆମର ପ୍ରିୟ କବି ରାଜେନ୍ଦ୍ର କିଶୋର ପଣ୍ଡା । ଆମର ସର୍ବଶେଷ ରୂପାନ୍ତର ଯେ ଏକ ବହି ,ଏଇ ଭଳି ଏକ ଚମତ୍କାର ଅମରତ୍ୱକୁ ନେଇ ଆଖି ବୁଜିବାଠାରୁ ଅଧିକ ପ୍ରିୟତମ କିଛି ହେବ କି ?
ଏହା ଗଲା ବହିର ଆଧ୍ୟାତ୍ମିକ ଦର୍ଶନ । ବହି କହିଲେ କ'ଣ ବୁଝାଯାଏ ସେହି କଥାକୁ ବୁଝିବାର କଥା।
ଏବେ ବହି କାହିଁକି?
ଇତିହାସ ଦୃଷ୍ଟିରୁ କୋଡେକ୍ସ ଓ କୋଡେକ୍ସ ପୂର୍ବର ଯେତେ ପ୍ରକାରର ସମସ୍ତ ପାଠ୍ୟ ପ୍ରକ୍ରିୟା ତିଆରି ହୋଇଥିଲା, ତଥା ଆରମ୍ଭରୁ ବହି ଭଳି ଯେତେ ଯାହା ତିଆରି ହୋଇଥିଲା, ସେ ସବୁର ଆବଶ୍ୟକତା କେବଳ ଗୋଟିଏ ଧାର୍ମିକ ପରିପ୍ରେକ୍ଷ୍ୟ ରହିଥିଲା । ସରଳରେ କହିଲେ, ବହିଟି ଏକ ଧାର୍ମିକ ଉପାଦାନ ରେ ନିର୍ମାଣ କରାଯାଇଥିଲା ।
ଆମ ଭାରତରେ ଋଗବୈଦିକ କାଳରେ "ପ୍ରଜା ତଥା ସନ୍ତାନାଦି ନିମନ୍ତେ ଆଉ ପଶୁ ତଥା ଜୀବନ ଧାରଣ ନିମନ୍ତେ" ସରଳ ପ୍ରାର୍ଥନା ଭିତ୍ତିକ ପୂଜାଚାରରେ ଦେବତାମାନଙ୍କର ତୋଷଣ ନିମନ୍ତେ ଶ୍ଲୋକ ରଚନା କରାଯାଇଥିଲା । ଏହାକୁ ତତ୍କାଳୀନ ପଣ୍ଡିତମାନେ ଲିଖିତ ବ୍ୟବସ୍ଥା ଭଳି ସଂରକ୍ଷଣ କରିବାର ଅଭାବ ଦୃଷ୍ଟିରୁ ମନେ ରଖୁଥିବାର ଯୋଗୁ ଶ୍ରୁତି ବୋଲି କୁହାଯାଉଥିଲା । ପରେ ଲିପି ଆସିଲା, ଆଉ ସବୁ ଲେଖା ହୋଇ ରହିଲା କାଳାନ୍ତର ପାଇଁ । ସେତେବେଳକୁ ଭାରତରେ ଉତ୍ତରବୈଦିକ କାଳ । ଗୋପାଳନ ବଦଳରେ ପ୍ରାୟତଃ ସମସ୍ତେ ନଈକୂଳରେ ସ୍ଥାୟୀ ବାସିନ୍ଦା ଓ ଚାଷୀ । ଖାଦ୍ୟ ସଙ୍ଗ୍ରହ ନୁହେଁ, ଖାଦ୍ୟ ଉତ୍ପାଦନ ମୂଖ୍ୟ ଜୀବନ ଧାରଣର ଲକ୍ଷ୍ୟ । 
ପୂଜାଚାର ସରଳ ବଦଳରେ ଜଟିଳ ହେବାକୁ ଲାଗିଲା । ରାଜା ଓ ପୁରୋହିତର ସାମାଜିକ ସଂସ୍ଥିତିର ପାରସ୍ପରିକ ଦ୍ୱନ୍ଦ୍ୱ ସମସ୍ତ ଲିପିବଦ୍ଧ ଉପକରଣକୁ ପ୍ରଭାବିତ କରିବାକୁ ଲାଗଲା । ରାଜା ନା ପୁରୋହିତ, ବ୍ରାହ୍ମଣ ନା କ୍ଷତ୍ରିୟ, ରାଜର୍ଷି ନା ବ୍ରହ୍ମର୍ଷି, ବଶିଷ୍ଠ ନା ବିଶ୍ୱାମିତ୍ର, ସମସ୍ତେ ନିଜକୁ ଜାହିର କରିବା ପାଇଁ ପୋଥିକୁ ନିଜର ମାଧ୍ୟମ କଲେ । ଏଥିରେ ଧର୍ମକୁ ଭିତ୍ତିକରି ସମସ୍ତେ ନିଜ ନିଜର କଥାକୁ ଦୃଢ ଭାବରେ କହିବାକୁ ଚାହିଁଲେ ପୂଜାଚାର ସହିତ । ସେତିକିବେଳେ ନୈମିଷାରଣ୍ୟରେ ଦଳେ ଋଷି ସମବେତ ହୋଇ ଗୋଟିଏ ଜଟିଳ ପ୍ରଶ୍ନ ଉପସ୍ଥାପନ କଲେ, "କସ୍ମୈ ଦେବାୟ" । ଏତେ ଦେବତାଙ୍କ ମଧ୍ୟରୁ କାହା ଉଦ୍ଦେଶ୍ୟରେ ହବି ଅର୍ଥାତ୍ ଅର୍ଘ୍ୟ ଆମେ ପ୍ରଥମେ ଅର୍ପଣ କରିବା ? ସେଇଠୁ ପୁଣି ଶ୍ରେଷ୍ଠତ୍ୱର ଟିକିନିଖି ବିଚାର । ଅନେକ ପୁରାଣ । ପ୍ରତି ପୁରାଣରେ ଜଣେ ଜଣେ ଦେବତାଙ୍କର ଅଧିବାସ । ତେଣୁ ପୂଜାଚାରର ଲିପିବଦ୍ଧକରଣ ଓ ଧାର୍ମିକ ଶ୍ରେଷ୍ଠତ୍ୱର ପ୍ରାସଙ୍ଗିକତା ଆମର ପୋଥିର ପ୍ରାରମ୍ଭିକ ପର୍ଯ୍ୟାୟ ।

ଠିକ୍ ସେହିଭଳି ଖ୍ରୀଷ୍ଟୋତ୍ତର ପ୍ରଥମ ଶତକ ପରଠାରୁ ପାଶ୍ଚାତ୍ୟ ଜଗତରେ ବହି ଯେଉଁ ରୂପ ଗ୍ରହଣ କରିଥାଉ ପଛକେ, ତାହା ଖ୍ରୀଷ୍ଟ ଧର୍ମର ସୁସମାଚାର ପ୍ରଚାର, ପୂଜା ଓ ପ୍ରାର୍ଥନା ନିମନ୍ତେ ନିୟୋଜିତ ହେଉଥିଲା । ବହିର ବେଶିଭାଗ ଖ୍ରୀଷ୍ଟ ଧର୍ମର ମଠ ଏବଂ ମଠର ସନ୍ୟାସୀ ମାନେ ଉତ୍ପାଦନ କରୁଥିଲେ ।
ପନ୍ଦରଶହ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ବହିର ବୟସ ବଢିବାର କାହାଣୀ ଏହିପରି । ବହିର ବିଶ୍ୱପ୍ରିୟତା ସହ ଯେଉଁ ଗୁରୁତ୍ଵପୂର୍ଣ୍ଣ ଘଟଣାଟିର କଥା କହିବାକୁ ଚାହୁଁଥିଲି, ଯାହା ପ୍ରକୃତରେ ଘଟିଗଲା, ତାହା ହେଲା ବହି ଆଉ ଜ୍ଞାନାର୍ଜନ ଏବଂ ଚାରିତ୍ରିକ ଶୁଦ୍ଧତା ଗଠନ ନିମନ୍ତେ କେବଳ ଏକ ଧାର୍ମିକ ଉପାଦାନ ହୋଇ ଆଉ ରହିଲା ନାହିଁ ।
ଏହାପରେ ବହି ବିନୋଦନର ବସ୍ତୁ ହେଲା । ଏହାପରେ ବହି ଧର୍ମ ନିରପେକ୍ଷ ହେଲା ।

No comments:

Post a Comment