Sunday, April 30, 2017

କାକ ପୁରାଣ


ଜ୍ୟୋତି ନନ୍ଦ


କଫିନ ଆକାରର ନାସଦାନୀ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍



କାଉର ରଙ୍ଗ ଧଳା । ଆରମ୍ଭର କଥା ଇଏ।

ଅନ୍ୟମାନଙ୍କୁ ବିଭ୍ରାନ୍ତ କରିବା ବୟସରେ ତମେ ଆଉ କ'ଣ ଅଛ ଯେ ଯାହାମନ ତାହା କହି ପାର ପାଇ ଯିବ ସମସ୍ତେ ପରା ସବୁଆଡେ ଯବକାଚ ଧରି ବସିଛନ୍ତି । ସେହି ଯବକାଚର ମେଘନାଦ ପାଚେରୀ ଭିତରେ ତମର ନିୟତି ହେଉଛି ଘେରାବନ୍ଦୀ ହୋଇ ରହିଥିବ ଅଦୃଶ୍ୟ ହୋଇଯିବା ଯାଏଁ ।  ହେଲେ ଅଦୃଶ୍ୟ ହୋଇଯିବା ଭଳି କଥା କାହା ହାତରେ କ'ଣ ଥାଏ ?

ନିଜ ଡେଙ୍ଗୁରା ନିଜେ ପିଟିବା ଭଳି ହେବ । ଏବେ କାହିଁକି କେଜାଣି ତମକୁ ଲାଗୁଛି ଯେ ତମେ ଦେହଠୁ ମୁଣ୍ଡ ଯାଏଁ ଖାଲି ଏକ ଅସଜଡା ଜିଗ୍-ସ ପଜଲ୍ । ଜୀବନରେ ପରିବାର ତମକୁ ସଜାଡି ପାରିଲା ନାହିଁ ବୋଲି ହାଲ ଛାଡିଦେଇସାରିଲାଣି । ଆଉ ଏବେ ତମେ ଆଶା ବାନ୍ଧି ବସିଛ ଯେ, ପଢା ଲେଖା ବୋଲି ଯଦି କିଛି କରୁଥାଅ, ତାହାହେଲେ ସେଥିରେ କିଏ କେଉଁଠୁ ନିଜ ସମୟ ବାହାର କରି ଉଭାନ ହୋଇ ତମକୁ ଖାଲି ସଂଶୋଧନ କରିବ । ଆଉ ତମେ ଗୋଡ ଉପରେ ଗୋଡ ଥୋଇ ଆରାମରେ ବାରଣ ଥିବା ଦୁଧିଆ ଚା କପ୍ ପରେ କପ୍ ପିଇଚାଲିଥିବ । ନିଶ୍ଚିନ୍ତ ରେ । ତମକୁ ସେଇ ସୁଯୋଗଟି କେହି ଦେବେ ନାହିଁ । ତମକୁ ନିଜ ଅସଜଡା ପଜଲ୍ ମାନଙ୍କୁ,ନିଜ ଅସଂଶୋଧିତ ତୃଟି ସବୁକୁ ବୋହି ଚାଲିବାକୁ ପଡିବ କ୍ରୁଶବିଦ୍ଧ ହେବାଯାଏଁ ।

ହଁଆରମ୍ଭକୁ ଫେରିବା । କାଉ ଯେତେବେଳେ ଧଳା ଥିଲା ସେଇ ସମୟକୁ ।

ସେତେବେଳେ ରଙ୍ଗ କହିଲେ ଥିଲା ଆଉ କ'ଣ କି ଆଗର ସିନେମା ଛବି ଭଳି କଳା ଆଉ ଧଳା । ଦୁଇଟି ବୋଲି ରଙ୍ଗ ।

ସୃଷ୍ଟିର ଆରମ୍ଭର କଥା । ପୁରୁଣାକାଳର କଥା ବୋଲି କାହା କାହାର ସ୍ମରଣରେ ରହିଥାଇ ପାରେ । ସେମିତି ଦେଖିଲେ ଯୁଗଯୁଗର ସ୍ମରଣ ଉପରେ କାହାର ଦଖଲ ଅଛି ଯେ ସେଇଥି ପାଇଁ କଥାଟି ଅବିକା ଅଭିଲା ଦିଶୁଛି । ଶୁଭୁଛି ।

ସେତେବେଳର ଆମର ଏଇ ଧୋବଧାଉଳା କାଉଟି ଆଜିକାଲିର କାଉ ମାନଙ୍କ ଭଳି ବି ଭାରି ଚାଲାକ ଥିଲା । ପହିଲେ ଅନ୍ଧାର ଆଉ ଆଲୁଅକୁ ଭାଗ ଭାଗ କରି ଦେଖାଗଲା କାରଖାନାଟିଏ । ଶୁଭିଲା ଖାଲି ଠକଠକ ଶବ୍ଦ । ଚାରିଆଡ ଶୂନଶାନ୍ ରେ ଲିପାପୋଛା ହୋଇ ଭାରି ପରିଷ୍କାର ବୋଲି ସେତେବେଳେ ଶବ୍ଦଟି ଭାରି ଗହନ ଶୁଭୁଥାଏ ।

ତାହାକୁ ବୁଝିବ ଏଇ ଇଲାକାର ପହିଲା ଶବ୍ଦ ।

'ଣ କିଛି ପାଖରେ ତିଆରି ହେଉଛି ବୋଲି ସିଧା ସଳଖ ନିଜେ ନଦେଖି ଯେମିତି ବିବାକ ଶବ୍ଦରୁ ଅନୁମାନ କରି ହୁଏ,ସେମିତି ଥିଲା ଏଇ ଶବ୍ଦ । ଶବ୍ଦ ଟି ଅବିରାମ । ଚାରିଆଡ ଆଉ ଟିକିଏ ଫର୍ଚ୍ଚା ହେଲାରୁ ଦେଖାଗଲା ନିହାଣ ବାରିସୀରେ କାମ ଚାଲିଛି । କାମଟି ପ୍ରକୃତରେ କେଉଁ ଲୋକଟି କରୁଛି ତାହା ସ୍ପଷ୍ଟ ନୁହଁ । ଆଜିକାଲିର ଜଣେ ବଢେଇ ଭଳି ଲାଗୁଥିବା ଲୋକଟି ଠକଠକ ଶବ୍ଦ ସହିତ ପୂରା ମିଶିଯାଇ ଏଇଲେ ରହିଛି ବୋଲି ପରତେ ହେଉଥିଲେ ବି, ତାହାର ସର୍ବାଙ୍ଗଟି କ'ଣ କାହାକୁ ଦୃଶ୍ୟ ହେଉଥାଏ ସବୁଠୁ ଆଶ୍ଚର୍ଯ୍ୟର କଥା, ସେଇ ଲୋକଟାର ମୁହଁ ବୋଲି ଯେଉଁ ଜାଗା ଖଣ୍ଡକ ବୁଝିବ ସେଇଠେ ରହିଛି ମେଞ୍ଚାଏ ବହଳିଆ ଅନ୍ଧାର ।

ଲୋକଟି ପ୍ରଥମରୁ ପୁରାପୁରି ପୋଷା ମନେଇ ରଖିଛି ସେଇ ଦୁଇ ଜଣଙ୍କୁଆମେମାନେ ଆଜି କାଲି ଘରେ ପୋଷିଥିବା କୁକୁର ବିଲେଇ ସହ ଆମର ଯେତେକ ପାପ ଆଉ ହାମବଡା ଭାବ ଭଳି । ସେ ଦୁଇ ଜଣ ହେଲେ ଆଲୁଅ ଓ ଅନ୍ଧାର । ଜଣେ ଧଳା ଆଉ ଜଣେ କଳା ।ସେ ଦୁଇ ଜଣ ଏମିତି ପୋଷା ମାନିଛନ୍ତି ଲୋକଟାର ଯେ, ଲୋକଟି ଯେତେବେଳେ ଯାହାକୁ କୁ ରଙ୍ଗେଇବା ପାଇଁ କହିବ, ସେମାନେ ପଦଟିଏ ଉତ୍ତର ନ ଫେରାଇ ନିଜ ନିଜର ପୋଚରା ଧରି ଆଗୁସାର ହୋଇଯିବେ । କେବଳ ଅନ୍ୟମାନଙ୍କୁ ନୁହଁ, ଲୋକଟା ନିଜକୁ ନିଜେ ବି ତାହାର ମନମୁତାବକ ଆଲୁଅ ଅନ୍ଧାରର ବେଶଭୂଷାରେ ଘଡିକି ଘଡି ସଜାଇ ହେଉଥାଏ।

ଲୋକଟି ପ୍ରକୃତରେ କ'ଣ ବଢେଇ ନା ରଙ୍ଗ ମିସ୍ତ୍ରୀ କିଏ ଜାଣେ ସବୁଠି ତ ଆଲୁଅ ଆଉ ଅନ୍ଧାରର ଖେଳ । କେବଳ ଯାହା ଠକଠକ ଶବ୍ଦ । ନିକଟରେ କିଛି ଗଢା ହେବାର ଶବ୍ଦ। ତାହା ହିଁ ଶୁଭେ । ଶୁଭୁଥାଏ ।

ସେଇ କାରଖାନାରୁବିଚିତ୍ର କହିବପୃଥିବୀ ତିଆରି ହେଲା । ଆକାଶ ତିଆରି ହେଲା । ମଣିଷ ତିଆରି ହେଲା । ସମସ୍ତେ ବଞ୍ଚିଥିବା ଭଳି ଦିଶିବା ପାଇଁ ଯାହା ଯାହା ଦରକାର ପଡିବ ବୋଲି ଲୋକଟି ଭାବିଲାସବୁ ତିଆରି କରି ପକାଇଲା । ଲୋକଟିର ଦୋଷ ଯଦି ଦେଖିବ, ତେବେ ଗୋଟିଏ । ଲୋକଟି ସବୁବେଳେ ଅସନ୍ତୁଷ୍ଟ । ଭୋକ ନଥିଲେ ଜଣେ ସନ୍ତୁଷ୍ଟ ରୁହନ୍ତା । କିନ୍ତୁ ଲୋକଟି ଭିତରେ ଯେ ମାଳମାଳ ଭୋକ । ତେଣୁ ସେ ସବୁ ଜିନିଷକୁ ଦରକାରୀ ଭାବେ ଆଉ ମେହନତ କରି ଗଢେ ।

ସେତେବେଳେ ଚାରିଆଡ ଫର୍ଚ୍ଚା ହୋଇନଥିଲା । ବେଶିଭାଗ ଅନ୍ଧାର । ଲୋକଟି ଆଲୁଅକୁ ପୂରା ନିଜ ଅକ୍ତିଆରରେ ରଖିଥାଏ । ଯେତିକି ଜାଗାକୁ ସେ ଚାହିଁବ, ଠିକ୍ ସେତିକି ଜାଗା ଆଲୁଅ ରେ ପୂରିଯାଏ ।

ମଣିଷମାନେ ଲୋକଟି ପାଖରେ ନେହୁରା ହେଲେ । କହିଲେ,ତମର ଏତେ ପରିଶ୍ରମ ସବୁ କ'ଣ ବେକାର ଯିବ ଜେଜେ ତମେ ମେହେନତ କରି କ'ଣ କ'ଣ ସବୁ ତିଆରିଛ, ତାହା ଆମେ ପ୍ରତ୍ୟକ୍ଷ କରିପାରିଲୁ ନାହିଁ । ସେମାନେ ଆମ ପଛରେ ଅଛନ୍ତି । ଆମ ପିଠିରେ ସେମାନଙ୍କର ନିଶ୍ୱାସ ବାଜୁଛି ଅବିକା । ହେଲେ ମୁହଁ ବୁଲାଇ କାହାକୁ ଜଣକୁ ଚିହ୍ନି ପାରିଲୁ ନାହିଁ । ଟିକିଏ ବିଚାର କର । ଆମେ ସମସ୍ତଙ୍କୁ ଚିହ୍ନନ୍ତୁଜେଜେ ?

ଲୋକଟି ମଣିଷମାନଙ୍କର କଥା ଠିକ୍ ବୁଝି ପାରିଥିଲା । କାରଣ ସେ ନିଜେ ସବୁଠୁ ବେଶି ବୁଦ୍ଧି ମଣିଷ ମୁଣ୍ଡରେ ଭର୍ତ୍ତି କରି ତାହାକୁ ତିଆରି କରିଛି । ଅବଶ୍ୟ ବୁଦ୍ଧିର ବସ୍ତାଟିକୁ ରଖି ସାରି ମଣିଷ ମୁଣ୍ଡଟିକୁ ସିଲେଇ କରିବା ପୂର୍ବରୁ, ତାହା ମନରେ ଟିକିଏ ଦ୍ୱନ୍ଦ୍ୱ ଉପୁଜି ଥିଲା । କାରଣ ଲୋକଟିକୁ ଲାଗୁଥିଲା ଯେ, ସେ ଏତେ ଦିନ ଖାଲି କଣ୍ଢେଇ ତିଆରି କରିଛି । କଣ୍ଢେଇ ମାନେ ତ କେବଳ ଶିଖିଛନ୍ତି ଆଣ୍ଠୁ ମାଡି ବସିବା ଆଉ ଆଦେଶକୁ ମନ ଦେଇ ଶୁଣିବା । ଏଇ କାମ କରି କରି ଲୋକଟିକୁ ଚିଟା ଲାଗିଗଲାଣି । ତେଣୁ ସୁଖ ଦୁଃଖ ହେବା ପାଇଁନିଜ ବଳକୁ ଥରେ ଅଧେ କଣ୍ଟିନେବା ପାଇଁ, ସେ ସବୁ ବୁଦ୍ଧିକୁ ଏକାଠି କରି ମଣିଷ ମୁଣ୍ଡରେ ଭର୍ତ୍ତି କରିବାକୁ ଚାହିଁଥିଲା ।

ଲୋକଟିର ସବୁ ଦ୍ୱନ୍ଦ୍ୱକୁ ସେତେବେଳେ ଦୂର କଲାଭଳି କହିଥିଲା କୁଆଟିଏତେ ଭାବିବାର କ'ଣ ଅଛି ଜେଜେ ତମ ପାଖରେ ପରା ସବୁଠୁ ବଡ ହତିଆର ଅଛି । ଖାଲି ଟିକିଏ ଶୋଷିବ । ପବନଟିକିଏ ଶୋଷିବା କ'ଣ ଏତେ ଜଟିଳ କଥା ?

ଲୋକଟି ତାହାପରେ ଖୁସି ହୋଇଯାଇଥିଲା । ଏମିତିରେ ଲୋକଟି ଖୁସି ହୋଇଗଲା ବୋଲି ଜାଣିବ ଚାରିଆଡ ଟିକିଏ ଫର୍ଚ୍ଚା ହୋଇଗଲେ । ସେଇ ଫର୍ଚ୍ଚା କହିଲେ ଗୋଟିଏ ବିଜୁଳି ମାରିଲେ ଚାରିଆଡ ଯେତିକି ଆଲୁଅ ହୁଏ ସେତିକି । ସେତିକି ସମୟ ବି ରହିଥାଏ ଆଲୁଅ । ମଣିଷକୁ ଆଗ ଗୋଟିଏ କଣ୍ଢେଇ ପରି ଗଢିସାରିବା ପରେ ଲୋକଟି ସେଇ କଣ୍ଢେଇର ମୁହଁକୁ ଫୁଙ୍କି ପବନ ଦେଇଥିଲା । ଆଉ ସେଇ ପବନରେ ମଣିଷଟି ଆଉ କଣ୍ଢେଇ ହୋଇ ରହିଲା ନାହିଁ । ହାତଗୋଡ ନାଡି କିରିକିରି ହୋଇ ହସିଉଠିଥିଲା । ତାହା ପରେ ନିଜକୁ ପରୀକ୍ଷା କଲାଭଳି ସେ ଲୋକଟି କିରି କିରି ହସୁଥିବା ମଣିଷର ମୁହଁରୁ ପବନ ଟିକକ ଶୋଷିନେଇଥିଲା । ତାହା ପରେ ମଣିଷ ଆଗ ଭଳି ଯେଉଁ କଣ୍ଢେଇକୁ ସେହି କଣ୍ଢେଇ । ପୂରା ନିଶ୍ଚଳ ।

ସେ ଲୋକଟି ପାଖରେ ନିହାତି ପୋଷା ମାନିଥିବା ଆଲୁଅ ଅନ୍ଧାର ଭଳି ପବନ ବି ବନ୍ଧା । ଆଉ ଲୋକଟି ପାଖରେ ପବନ ବନ୍ଧାଥିବା ଯାଏଁ ଏମିତିରେ ସମସ୍ତେ ଗୋଟିଏ ଗୋଟିଏ କଣ୍ଢେଇ । ଖୁସୀ ହୋଇଗଲା ସେ । କୁଆଟି ଆହୁରି ଧୋବ ଫରଫର ଦିଶିଥିଲା ତାହା ପରେ ।

ସେତେବେଳକୁ ଖାଲି କୁଆ ନୁହଁ, ସବୁ ପକ୍ଷୀ ତିଆରି ହୋଇ ସାରିଥିଲେ । ସମସ୍ତଙ୍କର ଦେଖିବ ଗୋଟିଏ ବୋଲି ରଙ୍ଗ, ତାହା ଧଳା ।ଆକାଶ ତିଆରି ସରିଲା ପରେ ସେଇଠି ଚାଲବୁଲ କରିବା ପାଇଁ ପକ୍ଷୀମାନେ ଆସିଲେ ଯେମିତି ପୃଥିବୀରେ ଚାଲିବା ପାଇଁ ମଣିଷ ଓ ସମୁଦ୍ରରେ ମାଛ । କେହି ଅନ୍ୟ କାହାର ଇଲାକା ମାଡିବେ ନାହିଁ ବୋଲି ବାରଣ କରାଯାଇଥିଲା । ସେ ଲୋକଟିର ଭାରି ସଉକି କିନ୍ତୁ ସେଇ ସବୁ ଧଳାରଙ୍ଗର ପକ୍ଷୀରେ । ସେମାନେ ଚାରିଆଡ ଉଡି ଉଡି ଅନ୍ଧାରରେ ଆତଜାତ ହେଉଥିବା ଲୋକଟିର ହାତ ତିଆରି ଜିନିଷ ସବୁକୁ ତଦାରଖ କରିଥାନ୍ତି । ତାହାର ବିବରଣୀ କହନ୍ତି ସେ ଲୋକକୁ । ଲୋକଟି ଖୁସୀ ହୁଏ ।

ପରେ କାଉ ସମେତ ସମସ୍ତ ପକ୍ଷୀଙ୍କ ରଙ୍ଗ ବଦଳିଗଲା । ପକ୍ଷୀ ମାନେ ନାନା ରଙ୍ଗରେ ରଙ୍ଗୀନ ହୋଇଗଲେ । ସେଇ ବିଚିତ୍ର ଘଟଣାଟି ଘଟିଥିଲା ପରେମଣିଷ ଯେତେବେଳେ ସବୁ କିଛିକୁ ଚିହ୍ନିବାକୁ ଆରମ୍ଭ କଲାତାହା ପରେ ।

ନ ଚିହ୍ନିବା ଯାଏଁ ତମର ସବୁ କିଛି ସୁରୁଖୁରୁରେ ଚାଲିଥାଏ । ଚିହ୍ନିବାକୁ ଆରମ୍ଭ କଲ ମାନେ, ତମର ନିଜ ଅଂଶୁପାରେ ବ୍ୟାପକ ନଈବଢି ।ସେଇଥି ପାଇଁ ମଣିଷ ମାନେ ଯେତେ ନେହୁରା ହେଲେବି ସେମାନଙ୍କର ଏଇ ନିଜ ନିଜକୁ ଚିହ୍ନିବା କଥାଟିକୁ ସେ ଲୋକଟି ନିଜ ମନରେ ଢେର୍ ହେଜୁଥିଲା । ରାଜି ହେଉନଥିଲା । ସବୁ କିଛିକୁ ଚିହ୍ନିବା ମାନେ, କାଳ ଆରମ୍ଭ ହୋଇଯିବ । କାଳ ଆରମ୍ଭ ହୋଇଗଲା ମାନେ, ନିଜ ନିଜ ମରଣକୁ ବି ସେମାନେ ଚିହ୍ନିବେ । ବେଶ୍ ଭଲ କଥା । କିଛି ଅସୁବିଧା ନାହିଁ । ସେ ଲୋକଟି ଭାବେ । ପରସ୍ପରକୁ ଚିହ୍ନିଗଲେ ଖାଲି କାଳ ଯେ ଆସିବ, ଏକେଲା ସେକଥା ନୁହଁ । କାଳ ସହିତ ଆହୁରି ଅନେକ ଜିନିଷ ଆସିବ । ଆସିବ ଦେଶ ସବୁସବୁ ପାତ୍ର ଓ ଯେତେ ସମ୍ଭବ ବିଭେଦ ସବୁ ।

ସେ ଲୋକଟି ଆଉ ଯାହା ହେଉ ପଛକେ, କୌଣସି ବିଭେଦକୁ ପସନ୍ଦ କରେନାହିଁ । ସେଇଥି ପାଇଁ ସେ ଆଲୁଅକୁ ଅନ୍ତତଃ ଛାଡିଦେବ ନାହିଁ ମଣିଷମାନଙ୍କ ଭିତରକୁ । ସେମାନେ ପରସ୍ପରର ଅଚିହ୍ନା ହୋଇ ଏମିତି ଆନନ୍ଦରେ ରହିଥାନ୍ତୁ । ଆଲୁଅ ହୁଳାଟିଏ ପଡିଲେ ସିନା ସେମାନଙ୍କର ଚିହ୍ନିବା କାମଟି ଆରମ୍ଭ ହେବ । ନ ହେଲେ ସେମାନେ ଯେମିତି ଥିଲେ ସେମିତି ।

ସେ ଲୋକଟି ଆଲୁଅକୁ ଗୋଟିଏ ବାକ୍ସରେ ବନ୍ଦ କରି ଅତି ହେପାଜତରେ ରଖିଥିଲା । ବାକ୍ସଟି ଦେଖିବାକୁ ଆମ ପଣ୍ଡିତମାନଙ୍କ ନାସଦାନୀ ଭଳି କୁଟିକମ କରା ଆୟତନରେ ଛୋଟ ବାକ୍ସଟିଏ । ଆଲୁଅକୁ ରଖିବା ପାଇଁ ବଡ ବାକୁସର କ'ଣ ଆଉ ପ୍ରୟୋଜନ ସେ ଲୋକଟି ଆଲୁଅ ରଖା ହୋଇଥିବା ବାକ୍ସ ଉପରେ ସବୁବେଳେ ନଜର ରଖିଥାଏ ।

ସେତେବେଳେ କାଉ ସମେତ ସବୁ ଧଳା ରଙ୍ଗର ପକ୍ଷୀମାନେ ଚାରିଆଡେ ମନଇଚ୍ଛା ବୁଲୁଥିଲେ । ଖବର କହୁଥିଲେ ସେ ଲୋକଟିକୁ ନିୟମିତ । ବୁଲିବୁଲି ଯାହା ମିଳୁଥିଲା ତାହା ଖାଉଥିଲେ ।

ଆଜି ଭଳିକା ଟାଣ ଖରା ଦିନଟିଏ କାଉର ଚତୁରପଣର ଉଦାହାରଣ ହୋଇ ରହିଛି ଆମ ପିଲାଦିନରୁ । କାଉ କିନ୍ତୁ ଚତୁର ଥିଲା ତାହାର ଆରମ୍ଭ ଦିନଠାରୁଧୋବଧାଉଳିଆ ଦିନ ଠାରୁ ।

ସେଦିନ ମଣିଷ ମାନେ ସ୍ପଷ୍ଟ କହିଥିଲେ କାଉକୁଠିକ୍ ମୁଲଚାଲ କଲାଭଳି । ତମେ ଆମ କାମ କରଆମେ ତମ କାମ କରିବୁ । ଆମର ଢେର୍ ସୁଆଦିଆ ଖାଦ୍ୟ ଅଛି, ଫଳମୂଳଠୁ ଆରମ୍ଭ କରି ପିଠା ପାୟସ୍ ଯାଏଁ । ଆମେ ତମକୁ ଆଗ ଦବୁ । ଆମର ସେହି ସୁନ୍ଦର ଆଲୁଅର ବାକ୍ସଟି ଦରକାର ।

ମଣିଷ ମାନେ କାହୁଁ ଜାଣନ୍ତେ ଏଇ କାଉ ହିଁ ମଣିଷମାନଙ୍କୁ କଥା ଲହସରେ କେବେ କହିଦେଇଥିଲା, ଏଇମିତି ଆଲୁଅ ବାକ୍ସର ଗୁମର । ତାହା ପରେ ଅଲୌକିକ ଜାଗତିକ ଦୃଶ୍ୟଟି ଘଟିଲା ଦିନେ ।

ସମଗ୍ର ପୃଥିବୀ ଆଉ ଆକାଶ ବ୍ୟାପୀ ଆଲୋକର ମହୋତ୍ସବ । ସମସ୍ତ ଦୃଶ୍ୟ ଏବେ ରଙ୍ଗୀନ । ସମସ୍ତେ ପରସ୍ପରକୁ ଚିହ୍ନିବାକୁ ଆରମ୍ଭ କଲେ । ଦୀର୍ଘଦିନର ନିଦରୁ ଉଠିବା ପରେ ସମସ୍ତେ ଯେମିତି ସତେଜ । ଖୁବ୍ ସତେଜ ।

କାଉର ଥଣ୍ଟରେ ଆସିଥିବା ଆଲୁଅର ବାକ୍ସରୁ ସସାଗରା ଧରାରେ ବିଛାଡି ହୋଇ ପଡିଛି ପ୍ରଥମ ସକାଳ ।

କାଉ ନିଜେ ଏଇ ଦୃଶ୍ୟରେ ବିହ୍ୱଳିତ ହୋଇଗଲା । ସେ ମଣିଷମାନଙ୍କୁ କହିଲାଦେଖକେତେ ସୁନ୍ଦର ଦୃଶ୍ୟ ମୁଁ ତମକୁ ଉପହାର ଦେଲି । ମଣିଷ ମାନେ କିଛି ବୁଝି ପାରିଲେ ନାହିଁ । ସେମାନଙ୍କୁ ଖାଲି ଶୁଭିଲା କାଆକାଆ ।

ତାହା ପରେ କାଉ ଦେଖିଲା ତାହାର ନିଜ ଦେହର ରଙ୍ଗ ପୂରାପୁରି ବଦଳି ଯାଇଛି ଏହା ଭିତରେ । ସେ ଏବେ ଗାଢ କଳା । ଅନ୍ଧାରରେ ମିଶିଗଲା ଭଳି କଳା । ସେ ଅତ୍ୟନ୍ତ ଦୁଃଖରେ କହିଲାତମମାନଙ୍କ ପାଇଁ ମୋର ଏପରି ଦଶା । ମଣିଷକୁ କେହି କେବେ ବିଶ୍ୱାସ କର ନାହିଁ । ମଣିଷମାନେ ଖାଲି ଶୁଣିପାରିଲେକାଆକାଆ । ଖାଇବାକୁ ମାଗୁଛି ବୋଲି ବଳକା ପିଠାକୁ ଛିଡାଇ ଫୋପାଡିଲେ ତାଆଡକୁ । କାଉ ତାହାକୁ ଛୁଇଁ ନଥିଲା।

ସେ ଲୋକଟି କିନ୍ତୁ ଚୁପ୍ ନଥିଲା । ସବୁ କ୍ଷୟକ୍ଷତିର ଆକଳନ କରି ସେ ଉପଯୁକ୍ତ ପଦକ୍ଷେପ ନେଇ ସାରିଥିଲା । ପଦକ୍ଷେପ ଭାରି ସରଳ । ଦିନ ଆଉ ରାତି ତିଆରି କରି ସେ ଦୁଇ ଜଣଙ୍କୁ ସୂର୍ଯ୍ୟ ବୋଲି ଜଣଙ୍କୁ ଗଢି ତାଙ୍କର ଜିମାରେ ଛାଡି ଦେଇଥିଲା । ଆଲୁଅ ଆଉ ଅନ୍ଧାର ଦି ଜଣଙ୍କ ପାଇଁ ନିର୍ଘଣ୍ଟ ଠିକ୍ କରି ଦେଇଥିଲା ।

ଖାଇବା ଲୋଭରେ ମୁଁ ଭୁଲ କରିଦେଲି ଜେଜେମୋତେ କ୍ଷମାକର । କହିଲା କାଉଟି । ତାହାର ସ୍ୱଚ୍ଛ ଆଖି ଲୁହ ଟଳମଳ । ମୁଁ ଆଉ ଆଗ ଭଳି ଦିଶିବିନି ?

ସେ ଲୋକଟି ଆଉ ଯାହା ହେଉ ପଛକେ କଦାପି ନିଷ୍ଠୁର ନୁହଁ । ବେଶ୍ ମୁଲାୟମ ଗଳାରେ କହିଥିଲା ସେଆଉ ସେପରି ହେବାର ନାହିଁ । ତୋ କୃତ କର୍ମ ପାଇଁ ତୁ ଅବଶିଷ୍ଟ କାଳ କଳା ହୋଇ ରହିବୁ । ରଙ୍ଗରେ ଏମିତିରେ କ'ଣ ଅଛିଯେ ଏଇ ଶୁଣ୍ । ତଳେ ଦଳେ କଳା ହିଁ ସୁନ୍ଦର ବୋଲି କହୁଛନ୍ତି,ଶୁଣ୍ । ଆଜିଠୁ ତୁ ଆସିଲେ ସକାଳ ହବ ପୃଥିବୀରେ । ତୁ ସେଠାରେ ଯେତେ ଯାହା ଆବର୍ଜନା ଅଛି ତାହାକୁ ସଫା କରିବୁ । ଏହା ତୋହର ପ୍ରାୟଶ୍ଚିତ । ସେଇଥି ପାଇଁ ମର୍ତ୍ତ୍ୟଲୋକର ମଣିଷମାନେ ତୋତେ ଖାଇବାକୁ ଦେବେ । ଖାଇବାକୁ ଦେବେ କ'ତୁ ହେବୁ ସେମାନଙ୍କ ପାଇଁ ପିତୃଲୋକର ପ୍ରତିନିଧି । ପିତୃପୁରୁଷଙ୍କୁ ଯେଉଁ ପିଣ୍ଡ ଯେତେବେଳେ ସେମାନେ ଦେବେ, ତୁ ତାହାର ବଳିଭାଗ ପାଇବୁ । ହେଲା ?

କାଉଟି କହିଲାକାଆକାଆ।

ସେ ଲୋକ ଜଣକ କହିଲେପରିଷ୍କାର ଭାବରେ କହ ।

କାଉଟି କହିଥିଲାଜେଜେ ତମକୁ କ'ଣ ଧନ୍ୟବାଦ ଦିଆଯାଏ ?

ଗଛରୁ ସେଉଟିଏ ପଡିବା ମାତ୍ରେ, ତମେ ସେଇ ସେଉଟିକୁ ଆପଣା ପୁତ୍ରର ମୁଣ୍ଡ ଉପରେ ଥୋଇ ଯୁକ୍ତିର ସଫଳ ଲକ୍ଷ୍ୟଭେଦ କରିବାକୁ ଚାହଁ । କିନ୍ତୁ କେବଳ ଯୁକ୍ତିରେ ପୃଥିବୀ ଚାଲେନାହିଁ, ଯେମିତି ଏଇ କାକପୁରାଣ କେବଳ ଯୁକ୍ତିରେ ପ୍ରତିଷ୍ଠିତ ହୋଇପାରିବ ନାହିଁ । ମଝିରେ ମଝିରେ ଫାଙ୍କ ଜାଗାରେ ବିଶ୍ୱାସ ଦରକାର ।

ଆଜି ଯେତେବେଳେ ଶ୍ରଦ୍ଧାର ସହ ପିତୃପୁରୁଷଙ୍କୁ ପିଣ୍ଡ ଦାନ ପରେ ତାହାର ବଳିଭାଗ ଧରି ନିଜ ଅଗଣାରେ ସୂର୍ଯ୍ୟଙ୍କ ଆଡକୁ ଚାହିଁ "କାକାୟ କାକପୁତ୍ରାୟବୋଲି ଉଚ୍ଚକଣ୍ଠରେ ନିବେଦନ କରିବା ମାତ୍ରକେ, ଆକାଶରୁ ଚକ୍କର କାଟି ସେମାନେ ଓହ୍ଲାଇ ଆସନ୍ତି ପୃଥ୍ୱୀକୁ ।

ସେମାନେ ଏବେ କଳାଆଗରୁ ଥିଲେ ପୂରା ଧଳା ।

ଯୁକ୍ତିରେ ସବୁକଥା ନିଧାର୍ଯ୍ୟ କରି କୁହାଯାଇ ପାରେ ନାହିଁ।


ମାଇକ୍ ୟିପ୍ ବୋଲି ଜଣେ ଫଟୋଗ୍ରାଫର୍ ଙ୍କ ପାଖରେ ପକା ଖବର ଥିଲା ସେମାନଙ୍କର ବିଷୟରେ । ସେମାନେ କହିଲେ ଧଳା ରଙ୍ଗର କାଉ।

ଖବର ଶୁଣିବା ପରେ ମାଇକ୍ ୟିପ୍ ବେଶ୍ ଉତ୍ସାହିତ ହୋଇ ପଡିଥିଲେ । ତାଙ୍କର ବନ୍ଧୁ ଜଣକ ମାଇକ୍ ଙ୍କ ଫଟୋ ଉଠାଇବା କଳାର ଜଣେ ନିଷ୍ଠାପର ପ୍ରଶଂସକ । ସେ ୟିପ୍ ଙ୍କୁ କହିଥିଲେଅଲବତ୍ ସେଇଠେ ଧଳା କାଉ ମାନେ ରହୁଛନ୍ତି । ମିଛ ନୁହଁ ।

ସ୍ଥାନଟି ହେଉଛି ଭାଙ୍କୁଭର୍ ଦ୍ୱୀପ,କାନାଡାର ବ୍ରିଟିଶ୍ କଲମ୍ବିଆ ।

ସେମାନଙ୍କୁ ଦେଖିବା ପରେ ମାଇକ୍ ୟିପ୍ ନିଜ ଆଖିକୁ ବିଶ୍ୱାସ କରିପାରି ନଥିଲେ । ତାଙ୍କୁ ଲାଗିଥିଲା ଯେ, ଏଗୁଡିକ ଅସଲ ଧଳା କାଉ ନୁହଁନ୍ତି । ଛଞ୍ଚାଣ ବା ଅନ୍ୟ କିଛି ଜାତୀୟ ପକ୍ଷୀ । ପରେ ସେ ନିଶ୍ଚିତ ହୋଇଥିଲେ, ଏଗୁଡ଼ିକ ଧଳା କାଉ ବୋଲି । ତାହା ପରେ ତାଙ୍କର କ୍ୟାମେରା କଥା କହିବାକୁ ଆରମ୍ଭ କରିଥିଲା।

ମାଇକ୍ ୟିପ୍ ଙ୍କ ଅନୁସାରେ ଏଇ ଧଳା କାଉଗୁଡିକ ଅତ୍ୟନ୍ତ ସହଜ ଆଉ ନିର୍ଭୟରେ ତାଙ୍କର ଏହି "ଫଟୋ ସେସନ୍"ରେ ଭାଗନେଇଥିଲେ ।

ସେହି ଫଟୋମାନଙ୍କ ମଧ୍ୟରୁ କେତୋଟି ଏଇଠି ।

ଧଳା କାଉ ମାନେ ଧଳା ବାଘ ଭଳି ଏକ ବଂଶାନୁଜନୀତ ବ୍ୟାଧି ପ୍ରକ୍ରିୟାର ଅଂଶବିଶେଷ । ସେହି ପ୍ରକାର ବ୍ୟାଧିକୁ ଇଂରେଜୀରେ "ଆଲବିନୋବୋଲି କହିଥାନ୍ତି ।

ଆମର ଗାଁଗହଳରେ ସେଇମିତି ଅନେକ ଧଳା ରଙ୍ଗର ଲୋକ ଅଛନ୍ତି, ଯେଉଁମାନଙ୍କର ଡାକ ନାଁ ହୋଇଥାଏ ସାହେବ ବା ସାହେବାଣୀ ।ମୋତେ କିଛି ବର୍ଷ ଓଡିଶାର ଗୋଟିଏ ବିଖ୍ୟାତ ମହିଳା ମହାବିଦ୍ୟାଳୟରେ କାମ କରିବାର ସୁଯୋଗ ମିଳିଥିଲା । ବର୍ଷେ ଦି ବର୍ଷ ଅନ୍ତରରେ ସେଇଠେ ଜଣେ ଅଧେ ସେମିତି ସାହେବାଣୀଙ୍କୁ ଦେଖିବାକୁ ମିଳେ ।

ସେମାନେ ଅନ୍ୟମାନଙ୍କ ସହ ସେମିତି ମିଶନ୍ତି ନାହିଁ ।

ଅନ୍ୟ ଯେତେ ସାହେବ ଅଛନ୍ତି, ସେମାନଙ୍କ କଥା କହିବି ନାହିଁ । କିନ୍ତୁ ଏଇ ସାହେବ ସାହେବାଣୀଙ୍କ ପ୍ରତି ମୋର ଯଥେଷ୍ଟ ଶ୍ରଦ୍ଧା ରହିଛି । ଶେଷରେ ଗୁରୁବଚନ ନୁହଁ ବେନି ନୟନରେ ପ୍ରତ୍ୟକ୍ଷ କରିବା ହୁଅନ୍ତୁ ଏଇ ଧଳା କାଉମାନଙ୍କୁ ।

ଚିତ୍ରୋତ୍ତୋଳକ - ମାଇକ୍ ୟିପ୍
ଫଟୋ କ୍ରେଡ଼ିଟ - www.reshareworthy.com

No comments:

Post a Comment