Tuesday, April 18, 2017

ରବି ରାୟଙ୍କ ରାଜନୀତି : ଏକ ପୁନର୍ମୂଲ୍ୟାୟନ

କେଦାର ମିଶ୍ର


ରବି ରାୟ (୧୯୨୬-୨୦୧୭)
ଫଟୋ କ୍ରେଡ଼ିଟ - http://speakerloksabha.nic.in

ରବି ରାୟ (୨୬ ନଭେମ୍ବର ୧୯୨୬ - ୬ ମାର୍ଚ୍ଚ ୨୦୧୭) ଭାରତୀୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଚରିତ୍ର  । ଷାଠିଏ ଦଶକରୁ ଅ।ଜି ପର୍ଯ୍ୟନ୍ତ ଭାରତର ରାଜନୀତିରେ ଏକ ବିକଳ୍ପ ଧାରାର ରାଜନୀତି ସହ ସମ୍ପୃକ୍ତ ରହି ସେ ଉଦାହରଣ ପ୍ରସ୍ତୁତ କରି ଯାଇଛନ୍ତି । ଭାରତୀୟ ସମାଜବାଦୀ ରାଜନୀତିରେ ରାମ ମନୋହର ଲୋହିଅ। ପରବର୍ତ୍ତୀ ପ୍ରଜନ୍ମର ସେଥିଲେ ଅନ୍ୟତମ ଶକ୍ତିଶାଳୀ ନେତା । ୧୯୬୭ରେ ଚତୁର୍ଥ ଲୋକସଭାକୁ ପ୍ରଥମଥର ପାଇଁ ନିର୍ବାଚିତ ହୋଇ ସେ ଲୋହିଅ।ଙ୍କର ସହଯୋଗୀ ଭାବରେ ଦଳର ଉପନେତା ଭାବରେ ନିଜର ସଂସଦୀୟ କାର୍ଯ୍ୟ ଅ।ରମ୍ଭ କରିଥିଲେ । 

ତାଙ୍କ ରାଜନୀତିକୁ ଅ।ଜିର ପୃଷ୍ଠଭୂମିରେ ଅ।ଉ ଥରେ ବିଶ୍ଲେଷଣ କଲେ, ଅ।ମକୁ ଅନେକାଂଶରେ ବିସ୍ମିତ ହେବାକୁ ପଡେ଼  । ତାଙ୍କର ଗୁରୁ ଅ।ର୍ଯ୍ୟ ରାମ ମନୋହର ଲୋହିଅ।ଙ୍କ ବିଚାର ଉପରେ ସେ ସାରାଜୀବନ ଏକନିଷ୍ଠ ସାଧନା ଅବ୍ୟାହତ ରଖିଛନ୍ତି  । ବହୁ ସାଥୀ ଅ।ସିଛନ୍ତି ଓ ଯାଇଛନ୍ତି । କିନ୍ତୁ ରବି ରାୟ ଅବିଚଳିତ ଭାବରେ ସମାଜବାଦର ତତ୍ତ୍ୱକୁ ନିଜ ଜୀବନର ଅଂଶ ଭାବରେ ଗ୍ରହଣ କରିନେଇଛନ୍ତି ।

ଓଡ଼ିଶାର ଯେଉଁ ଦୁଇଜଣ ସମାଜବାଦୀଙ୍କୁ ସାରା ଭାରତର ବୁଦ୍ଧିଜୀବୀ ସମ୍ମାନ କରନ୍ତି, ସେମାନେ ହେଲେ କିଶନ ପଟ୍ଟନାୟକ ଓ ରବି ରାୟ । ବୈଚାରିକ ଦୃଷ୍ଟିରୁ କିଶନ ବାବୁ ସମାଜବାଦର ନିରନ୍ତର ବିଶ୍ଲେଷଣ କରିଥିବାବେଳେ ରବିବାବୁ ସଂସଦୀୟ ରାଜନୀତିରେ ତା'ର ପ୍ରୟୋଗ କରିଛନ୍ତି । ଲୋକସଭା ଏବଂ ରାଜ୍ୟସଭାର ସଦସ୍ୟ, ଲୋକସଭାର ବାଚସ୍ପତି ଓ କେନ୍ଦ୍ରମନ୍ତ୍ରୀ ଭାବରେ ରାଜନୀତିରେ ସମାଜବାଦର ତତ୍ତ୍ୱକୁ ସେ ପ୍ରୟୋଗ କରିବାରେ ପ୍ରୟାସ କରିଛନ୍ତି  । ତାଙ୍କ ରାଜନୀତିର ଭିତ୍ତିରେ ଗାନ୍ଧିବାଦ ଓ ଲୋହିଅ।ବାଦର ଏକ ମିଶ୍ରଣ ରହିଥିଲା  । ତେବେ ଅ।ରମ୍ଭରୁ ନେହେରୁଙ୍କ ବିରୋଧୀ ଓ ଅଣକଙ୍ଗ୍ରେସ ରାଜନୀତିର ସୂତ୍ରଧର ଭାବରେ ସେ ନିଜର ରାଜନୈତିକ ଜୀବନ ଅ।ରମ୍ଭ କରିଥିଲେ  । 

ତାଙ୍କ ରାଜନୀତିର ଭିତ୍ତି ହେଉଛି ଲୋହିଅ।ଙ୍କ ସପ୍ତକ୍ରାନ୍ତି । ଅ।ଜିର ପିଢି ହୁଏତ ଏହି ସପ୍ତକ୍ରାନ୍ତି ବିଷୟରେ କିଛି ବି ଜାଣନ୍ତି ନାହିଁ । ଲୋହିଅ। କହିଥିଲେ, ଧନୀ, ଗରିବ ଭିତରେ ପାର୍ଥକ୍ୟ ଦୂର ହେବ । ନର ଓ ନାରୀଙ୍କ ଭିତରେ ରହିଥିବା ଅସମାନତା ଦୂର ହେବ । ବର୍ଣ୍ଣବୈଷମ୍ୟ ଦୂର ହେବ । ଦଳିତଙ୍କ ଉତ୍ଥାନ ପାଇଁ ସ୍ଥାନ ସଂରକ୍ଷଣ ସହିତ ଅ।ବଶ୍ୟକ ସ୍ଥଳେ ନିଷେଧାତ୍ମକ ନ୍ୟାୟର ବ୍ୟବସ୍ଥା କରିବାକୁ ପଡ଼ିବ । ଅଣୁ ଅସ୍ତ୍ର, ଏପରିକି ପାରମ୍ପରିକ ଯୁଦ୍ଧାସ୍ତ୍ରର ମଧ୍ୟ ବିଲୋପ ଘଟାଇବାକୁ ପଡ଼ିବ । ବ୍ୟକ୍ତି ସ୍ୱାଧୀନତା ପାଇଁ ଲଢିବାକୁ ପଡ଼ିବ । ବ୍ୟକ୍ତି ଜୀବନରେ ସରକାର ବା ରାଷ୍ଟ୍ରର ଅଯଥା ହସ୍ତକ୍ଷେପ ବିରୋଧରେ ଠିଅ। ହେବାକୁ ପଡ଼ିବ ଓ ଶେଷରେ ପୃଥିବୀରୁ ଧନୀ ଓ ଦରିଦ୍ର ରାଷ୍ଟ୍ରମାନଙ୍କ ମଧ୍ୟରେ ରହିଥିବା ପାର୍ଥକ୍ୟ ଦୂର କରିବାକୁ ପଡ଼ିବ ।

ଲୋହିଅ ।ଙ୍କର ଏହି ସ୍ୱପ୍ନ ଅ।ଜି ମଧ୍ୟ ସ୍ୱପ୍ନ ହୋଇ ରହିଛି  । ଲୋହିଅ।ଙ୍କ ଶିଷ୍ୟ ପ୍ରଶିଷ୍ୟମାନେ ଅ।ଜିକାଲି ଅ।ଉ ସପ୍ତକ୍ରାନ୍ତିର କଥା କହୁନାହାନ୍ତି  । ତେବେ ରବିରାୟ ତାଙ୍କର ଅ।ତ୍ମଜୀବନୀ "ଅନ୍ୱେଷାର ଅ।କାଶ'ରେ ଏହାକୁ ତାଙ୍କ ଜୀବନର ରାଜନୈତିକ ମଞ୍ଜ ବୋଲି ସ୍ୱୀକାର କରିଥିଲେ । ୧୯୬୫ରେ ଲୋହିଅ।ଙ୍କର ନେତୃତ୍ୱରେ ଦେଶରେ କଙ୍ଗ୍ରେସ ହଟାଓ ଅଭିଯାନ ଅ।ରମ୍ଭ ହେଲା  । କଙ୍ଗ୍ରେସ ଯେଉଁ ଅ।ଦର୍ଶକୁ ଅ।ଧାର କରି ଗଢାଯାଇଥିଲା, ତାହା ବିଫଳ ହୋଇଥିବାରୁ ସାରା ଦେଶରେ କଙ୍ଗ୍ରେସ ବିରୋଧରେ ଜନମତ ସୃଷ୍ଟି କରିବା ପାଇଁ ଲୋହିଅ। ଡାକରା ଦେଇଥିଲେ  । ତା'ର ପ୍ରତିଫଳନ ଓଡ଼ିଶାରେ ଘଟିଥିଲା ।

ତରୁଣ ରବି ରାୟଙ୍କ ଅ।ଗ୍ରହରେ କଙ୍ଗ୍ରେସ ହଟାଓ ଅଭିଯାନରେ ସେତେବେଳର ପ୍ରବୀଣ କଙ୍ଗ୍ରେସ ନେତା ନବକୃଷ୍ଣ ଚୌଧୁରୀ ସାମିଲ୍ ହୋଇଥିଲେ  । ଓଡ଼ିଶାରେ କଙ୍ଗ୍ରେସ ହଟାଅ ଅ।ନ୍ଦୋଳନରେ ସେତେବେଳେ କଙ୍ଗ୍ରେସର ବହୁ ତୁଙ୍ଗ ନେତା ସାମିଲ୍ ହୋଇଥିଲେ  । ସବୁଠୁ ମଜା କଥା ହେଉଛି, ଲୋହିଅ।ଙ୍କ କଙ୍ଗ୍ରେସ ହଟାଅ ଅଭିଯାନକୁ ଅ।ଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଅଗଣତାନ୍ତ୍ରିକ କଙ୍ଗ୍ରେସମୁକ୍ତ ଭାରତର ଅ।ଧାର ବୋଲି କହି ବୁଲୁଛନ୍ତି  । ଏଠି କହିରଖିବା ଉଚିତ ହେବ ଯେ, ଡକ୍ଟର ଲୋହିଆ ହୁଅନ୍ତୁ ବା ରବି ରାୟ ଏମାନେ ଯେତେ କଠୋର କଙ୍ଗ୍ରେସ ବିରୋଧୀ ହେଲେ ମଧ୍ୟ ଏମାନେ କେବେ ବି ଦକ୍ଷିଣପନ୍ଥୀ ରାଜନୀତିର ସମର୍ଥକ ନ ଥିଲେ  । ସମାଜବାଦର ଅ।ଦର୍ଶ ସହିତ ଦକ୍ଷିଣପନ୍ଥୀ ଫାଶୀବାଦୀ ଶକ୍ତିମାନଙ୍କର କୌଣସି ସମ୍ପର୍କ ନଥିଲା  ।

ତେଣୁ ସମାଜବାଦୀ ଆନ୍ଦୋଳନର ଲକ୍ଷ୍ୟ ଯଦିଓ କଙ୍ଗ୍ରେସ ବିରୋଧୀ, ଏହା ସମାନ୍ତରାଳରେ ଦକ୍ଷିଣପନ୍ଥୀ ରାଜନୀତିର ମଧ୍ୟ ଘୋର ବିରୋଧୀ । ରବି ରାୟ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଫାଶୀବାଦୀ ରାଜନୀତି ବିରୁଦ୍ଧରେ ଅତ୍ୟନ୍ତ ସ୍ପଷ୍ଟ ମତପୋଷଣ କରିଛନ୍ତି  । ତାଙ୍କର ଅ।ତ୍ମଜୀବନୀ "ଅନ୍ୱେଷାର ଅ।କାଶ'ରେ ସେ ଏକ ଘଟଣାର ଉଲ୍ଲେଖ କରି ଲେଖିଛନ୍ତି, "ଗାନ୍ଧିଜୀ ହତ୍ୟା ସମ୍ପର୍କିତ ଆଉ ଗୋଟେ ଘଟଣା ମନେପଡୁଛି । ନାଥୁରାମ୍ ଗଡ୍ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ସଭ୍ୟ ଥିଲା । ଏଣୁ ଗାନ୍ଧି ହତ୍ୟା ପରେ ଏ ସଙ୍ଘ ବଦନାମ ହୋଇଯାଇଥିଲା  । ଭାରତର ତତ୍କାଳୀନ ଗୃହ ମନ୍ତ୍ରୀ ସର୍ଦ୍ଧାର ପଟେଲ ଅ।ରଏସ୍ଏସ୍ ଉପରେ ନିଷୋଧାଜ୍ଞା ଜାରି କରିଥିଲେ  ।

ଏହି ସମୟରେ ଆମେ ଶୁଣିଲୁ, ରାମଚନ୍ଦ୍ର ଭବନରେ ଅ।ରଏସଏସ୍ ଗୋଟେ ସଭା କରିବ ଓ ସେଥିରେ ପଣ୍ଡିତ ନୀଳକଣ୍ଠ ଦାସ ଯୋଗଦେବେ । ସେଦିନ ରବିବାର । ଯୋଗକୁ ଅ।ମର ସାପ୍ତାହିକ ପାଠଚକ୍ର ରାସ୍ତା ଅ।ରପଟର ଟାଉନ ହଲରେ ହେବାର ଥାଏ  । ଅ।ମେ ବିଚାର କଲୁ ଯେ, ଆମର ଏତେ ପାଖରେ ଗାନ୍ଧି ହତ୍ୟାକାରୀମାନେ ସଭା କରି ଚାଲିଯିବେ, ଅଥଚ ଆମେ ନିରବ ରହିବୁ  । ଆମେ ସ୍ଥିର କଲୁ କି, ଆମେ ସେ ସଭା କରାଇ ଦେବୁ ନାହିଁ  । ଅଥଚ ଏହି ବିରୋଧ ସମ୍ପୂର୍ଣ୍ଣ ଅହିଂସକ ଉପାୟରେ କରାଯିବ  ।

ଆମ ପାଠଚକ୍ର ଦୁଇଟା ବେଳେ ଚାଲିଥାଏ  । ସେମାନଙ୍କ ମିଟିଂ  ପାଞ୍ଚଟା ବେଳେ  । ରାମଚନ୍ଦ୍ର ଭବନ ସାମ୍ନା ଓ ଦୁଇ ପଟେ ବୋଧେ ଛଅଟା କବାଟ  । ଆମେ ସ୍ଥିର କଲୁ ଯେ, ସେମାନଙ୍କ ସଭା ଅବ୍ୟବହିତ ପୂର୍ବରୁ ଆମର ସ୍ୱେଚ୍ଛାସେବକମାନେ ସେହି ସବୁ କବାଟ ସାମ୍ନାରେ ଶୋଇରହିବେ ଓ ସ୍ଲୋଗାନ ଦେବେ । ପଣ୍ଡିତ ନୀଳକଣ୍ଠଙ୍କ ସଦଳବଳେ ଯଥାସମୟରେ ଆସି ପହଞ୍ଚିଲେ । ସ୍ୱେଚ୍ଛାସେବକମାନଙ୍କର ସ୍ଲୋଗାନ ଚାଲିଲା ..., ଗାନ୍ଧିଜୀ ଜିନ୍ଦାବାଦ, ଗାନ୍ଧି ହତ୍ୟାକାରୀ ଆରଏସଏସ୍ ମୁର୍ଦ୍ଧାବାଦ୍ । ନୀଳକଣ୍ଠ ବାବୁ ଧର୍ମ ସଙ୍କଟରେ ପଡ଼ିଗଲେ  । ଯଦି ବି ସେ ସଭାସ୍ଥଳକୁ ଯିବା ପାଇଁ ଅଡ଼ି ବସନ୍ତି, ତେବେ ଆମ ସ୍ୱେଚ୍ଛାସେବକମାନଙ୍କ ଉପରେ ଚଢ଼ି କରି ଭିତରକୁ ଯିବେ  । ସେତେବେଳେ ଗାନ୍ଧି ହତ୍ୟାକାରୀ ଦଳ ଅ ।ରଏସ୍ଏସ୍ ଏତେ ବଦନାମ୍ ହୋଇଯାଇଥିଲା ଯେ, ଆମେ କରୁଥିବାର ବିରୋଧର ସେମାନେ କିଛି ଜବାବ ଦେଇପାରିଲେ ନାହିଁ  । ନୀଳକଣ୍ଠବାବୁ ସେ ସଭାରେ ଯୋଗ ଦେଇ ନପାରି ଚୁପ କରି ଫେରି ଚାଲିଗଲେ  ।'

ଏହି ଗୋଟିଏ ପ୍ରସଙ୍ଗ ରବିବାବୁଙ୍କର ଦକ୍ଷିଣପନ୍ଥୀ ବିରୋଧୀ ରାଜନୀତିକୁ ଅତି ସ୍ପଷ୍ଟ ଭାବରେ ରେଖାଙ୍କିତ କରୁଛି । ଏବେ ସାରା ଭାରତରେ ଯେତେବେଳେ କଙ୍ଗ୍ରେସ ବିରୋଧୀ ରାଜନୀତିକୁ ଦକ୍ଷିଣପନ୍ଥୀ ରାଜନୀତିର ସମାର୍ଥକ ବୋଲି ଯେଉଁ ଅପପ୍ରଚାର ଚାଲିଛି, ତାହା ବିରୋଧରେ ରବିବାବୁଙ୍କର ଏହି ମତ କିଛିଟା ଆଲୋକପାତ ନିଶ୍ଚୟ  କରିବ । ଦୁର୍ଭାଗ୍ୟକ୍ରମେ ପୁରୁଣା ଦିନର ଅନେକ ସମାଜବାଦୀ ପରବର୍ତ୍ତୀ ସମୟରେ କ୍ଷମତା ଲୋଭ ଯୋଗୁଁ ବିଜେପି ସରକାରରେ ଯୋଗଦେଲେ  । ଲୋହିଆଙ୍କର ଆତ୍ମା ଉପରେ ତାହା ବୋଧେ ଥିଲା ସବୁଠୁ ବଡ଼ ପ୍ରହାର  । ସୌଭାଗ୍ୟକ୍ରମେ ରବି ରାୟ କେବେ ବି ନିଜ ରାଜନୈତିକ ଅ ।ଦର୍ଶରୁ ବିଚ୍ୟୁତ ହୋଇନାହାନ୍ତି  ।

ଲୋକସଭାର ପ୍ରଥମ ଓଡ଼ିଆ ବାଚସ୍ପତି ଭାବରେ ନବମ ଲୋକସଭାରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ । ତାହା ଥିଲା ଭାରତର ସଂସଦୀୟ ଇତିହାସରେ ଏକ ଘଡ଼ିସନ୍ଧି ମୁହୂର୍ତ୍ତ  । ପ୍ରଥମଥର ପାଇଁ ଏକ ଝୁଲା ଲୋକସଭା ଗଠିତ ହୋଇଥିଲା ଓ ତା'ର ପରିଚାଳନା ଦାୟିତ୍ୱ ରବି ରାୟଙ୍କ ଉପରେ ନ୍ୟସ୍ତ ହୋଇଥିଲା  । ତାଙ୍କ ସମୟରେ ଅନ୍ତତଃ ଚାରୋଟି ଘଟଣା ଭାରତର ରାଜନୀତିକୁ ଦୀର୍ଘ ବର୍ଷ ଧରି ପ୍ରଭାବିତ କରୁଛି ଓ କରୁଥିବ  ।

ପ୍ରଥମ ଥର ପାଇଁ ଲୋକସଭାରେ ଜଣେ ବିଚାରପତିଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଗୃହିତ ହୋଇଥିଲା  । ବିରୋଧୀ ଦଳ ନେତା ରାଜୀବ ଗାନ୍ଧିଙ୍କ ସବୁପ୍ରକାର ବିରୋଧ ସତ୍ତ୍ୱେ ରବି ରାୟ ସେହି ପ୍ରସ୍ତାବକୁ ଗୃହିତ କରାଇଥିଲେ  । ପ୍ରଥମ ଥର ପାଇଁ ରବି ରାୟ ଦଳ ବଦଳ ନିରୋଧ ଆଇନକୁ କାର୍ଯ୍ୟକାରୀ କରି ଚନ୍ଦ୍ରଶେଖର ସରକାରର ଛଅ ଜଣ ମନ୍ତ୍ରୀଙ୍କର ସଭ୍ୟପଦ ରବ୍ଦ କରିଥିଲେ  । ପ୍ରଥମ ଥର ପାଇଁ ଦେଶର ଚଳନ୍ତି ସମସ୍ୟାର ଆଲୋଚନା ଲାଗି ଲୋକସଭାରେ ଶୂନ୍ୟକାଳର  ବ୍ୟବସ୍ଥା କରାଯାଇଥିଲା  । ଏବଂ ସବୁଠୁ ବଡ଼ କଥା ହେଉଛି, ସୁବ୍ରମଣ୍ୟମ୍ ସ୍ୱାମୀଙ୍କ ଭଳି ନିକୃଷ୍ଟ ରାଜନେତାଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଅ ।ଗତ ହେବା ସହ ସେ ବାଚସ୍ପତିଙ୍କୁ ଲୋକସଭାରେ କ୍ଷମାପ୍ରାର୍ଥନା କରିଥିଲେ  । ଦଳବଦଳ ନିରୋଧ ଅ।ଇନ ଲାଗୁ ନ କରିବା ପାଇଁ ଚନ୍ଦ୍ରଶେଖର ସରକାରର ଆଇନ ମନ୍ତ୍ରୀ ସୁବ୍ରମଣ୍ୟମ୍ ସ୍ୱାମୀ ସେତେବେଳେ ରବିରାୟଙ୍କୁ ତାଙ୍କ ପ୍ରକୋଷ୍ଠରେ ଖୋଲାଖୋଲି ଧମକ ଦେଇଥିଲେ  । ତାଙ୍କ ଧମକରେ ଦବି ନ ଯାଇ ରବିରାୟ ସ୍ୱାମୀଙ୍କୁ ଲୋକସଭାରେ ଅପଦସ୍ତ କରାଇଥିଲେ  । ରାଜନୀତିରେ ସ୍ୱଚ୍ଛତା ଓ ଦୃଢତାର ଫଳ ତାଙ୍କୁ ମିଳିଥିଲା  ।

ଦୀର୍ଘ ବର୍ଷ ଧରି ରାଜନୀତିରେ ସେ ରହିଥିଲେ  । ବହୁ ଉଚ୍ଚ ପଦ ପଦବୀ ସେ ହାସଲ କରିଥିଲେ  । ହେଲେ ତାଙ୍କୁ କ୍ଷମତାର କଳଙ୍କ ସ୍ପର୍ଶ କରିପାରିନଥିଲା  । ଏକ ଦାଗହୀନ ରାଜନୈତିକ ଜୀବନ ବଞ୍ଚିଥିବା ରବି ରାୟ ସରଳତା ଓ ସଚ୍ଚୋଟତାର ଅନନ୍ୟ ଉଦାହରଣ ପ୍ରସ୍ତୁତ କରିଯାଇଛନ୍ତି  । ତାଙ୍କ ରାଜନୈତିକ ଜୀବନରେ ଏମିତି ଅନେକ ମୁହୂର୍ତ୍ତ ଆସିଛି, ଯେଉଁଥିରେ ବହୁ ଉଚ୍ଚ ପଦକୁ ଯିବାର ସମ୍ଭାବନା ସୃଷ୍ଟି ହୋଇଛି । ତେବେ ଆଦର୍ଶ ସହ ସାଲିସ କରି ପଦବୀ ହାତେଇବାର ପ୍ରବୃତ୍ତି ତାଙ୍କର କେବେ ବି ନଥିଲା । ଯେତିକି ସମୟ ସେ କ୍ଷମତାରେ ରହିଛନ୍ତି, ସେତିକି ସମୟ ଭିତରେ ରାଜନୈତିକ ଆଦର୍ଶର ପ୍ରତି ଲାଗି ଏକନିଷ୍ଠ ଉଦ୍ୟମ କରିଛନ୍ତି । ଆଦର୍ଶ ଲାଗି ଅନେକ ପୁରୁଣା ସାଥୀଙ୍କୁ ସେ ସ୍ପଷ୍ଟ ଭାବରେ ସମାଲୋଚନା ମଧ୍ୟ କରିଛନ୍ତି  । ତେଣୁ ତାଙ୍କର ରାଜନୀତି ଆଜି ବି ଏକ ବିକଳ୍ପ ମାର୍ଗ ପ୍ରସ୍ତୁତ କରି ରଖିଛି । ସେ ମାର୍ଗ ସମାଜବାଦ ଓ ସପ୍ତକ୍ରାନ୍ତିର ମାର୍ଗ । ସେ ମାର୍ଗ ଗାନ୍ଧି ଓ ଲୋହିଆଙ୍କର ଦ୍ୱାରା ପ୍ରଦର୍ଶିତ ମାର୍ଗ । ସାମୟିକ ଭାବରେ ସେ ମାର୍ଗ କୁହୁଡ଼ିଆ ଲାଗୁଥିଲେ ମଧ୍ୟ ସେ ମାର୍ଗର ସମାପ୍ତି ନାହିଁ । ଦିନେ ନା ଦିନେ ସମାଜବାଦର ସ୍ୱପ୍ନ ସାର୍ଥକ ହେବ ଓ ସେ ସାର୍ଥକତାରେ ରବି ରାୟଙ୍କର ସ୍ମୃତି ଜାଜ୍ୱଲ୍ୟମାନ ରହିଥିବ ।

No comments:

Post a Comment