Sunday, April 02, 2017

ଏକଦା ଏକ ଦିନ


ଏପ୍ରିଲ୍ ମାସର ପ୍ରଥମ ଦିବସ: ଇତିହାସ


ଜ୍ୟୋତି ନନ୍ଦ



ବୋଷ୍ଟନ ନଗରର ଏକ ସାର୍ବଜନୀନ ଉଦ୍ୟାନରେ ଏପ୍ରିଲ ପହିଲାର ଟାହୁଲି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଏବେ ମୋର ବହୁତ ଡର ଏଇ 'ଟେଲ୍ ମି ହ୍ୱାଇ' ଭଳି ଲେଖା ଯାଉଥିବା ବହି-ଶୃଙ୍ଖଳାକୁ । ତୁମେ ଯାହା କହିବାକୁ ଚାହୁଁଚ ଆଉ ଯାହା ବୁଝିବାକୁ ଚାହୁଁଚ, ତାହାର ସବୁଠାରୁ ସରଳ ଆଉ ସମସ୍ତଙ୍କର ବୁଝିପାରିବା ଭଳି ପୂର୍ଣ୍ଣ ଶୁଦ୍ଧ ରୂପଟି ହେଉଛି ଏଇ ଭଳି ଲେଖା ।ଆଇନଷ୍ଟାଇନ୍ କହିଥିଲେ, ଯଦି ତମେ ପୃଥିବୀର ଜଟିଳତମ ତତ୍ତ୍ୱଟିକୁ ଗୋଟିଏ ପଞ୍ଚମ ଶ୍ରେଣୀ ପିଲାକୁ ବୁଝାଇ ପାରୁନାହଁ, ତେବେ ଧରିନେବାକୁ ହେବ ଯେ ତମେ ନିଜେ ସେଇ ତତ୍ତ୍ୱଟିକୁ ଠିକ୍ ରେ ବୁଝିପାରିନାହଁ । ଏଇ କଥାକୁ ଲେଖିଦେଲି ବୋଲି ଯେ ମୁଁ ସବୁକଥାକୁ ଠିକ୍ ରେ ବୁଝି ନେଇଛି ଆଉ ଲେଖି ଦେଉଛି ତାହା ସତ ବୋଲି ବିଚାରିବା ଠିକ୍ ନୁହଁ ।" ଭୀମ ବଳ କୋଏନ୍ତାଙ୍କୁ ଜଣା" ପରି ଆମ ସମସ୍ତଙ୍କର ବଳ ସମସ୍ତଙ୍କୁ ଗୋଚର ।

ପୃଥିବୀ ସାରା ଭର୍ତ୍ତି ଜଟିଳ ମଣିଷ । ସରଳ ମଣିଷକୁ ଡାୟୋଜେନିସଙ୍କ ଭଳି ଖୋଜିବାକୁ ପଡିବ । ସେହି ସରଳ ମଣିଷ ମାନେ ହିଁ ଆମର ପ୍ରଜ୍ଞାକୁ ବିକଶିତ କରିଥାନ୍ତି ।

ଆମେ ଯାହା ଲେଖୁଛୁ ତାହାକୁ ଯେତେ କୁଟିକମ କରି ସଜାଡି ଭବିଷ୍ୟତ ପାଇଁ ରଖିଲେ ବି ତାହାର ନିୟତି ହେଉଛି, ବ୍ୟବହାର କର ଆଉ ପରିତ୍ୟାଗ କର - ୟୁଜ୍ ଆଣ୍ଡ୍ ଥ୍ରୋ । ମୁଁ ପୃଥିବୀର ଜଣେ ପ୍ରସିଦ୍ଧ ଓ ସଶକ୍ତ କଥାକାରଙ୍କ ନାଁ ନେବି, ଯାହାଙ୍କର କାହାଣୀକୁ ଆପଣମାନେ ଫୋପାଡିବା ତ ଦୂରର କଥା, ନିଜଠାରୁ ଘଡିଏ ଅନ୍ତର ହେବାକୁ ବି ଦେବେ ନାହିଁ । ସେ ହେଉଛନ୍ତି ରାମକୃଷ୍ଣ ପରମହଂସ ଓ ତାଙ୍କର କାହାଣୀଟି ର ନାଁ ହେଉଛି "ରାମକୃଷ୍ଣ କଥାମୃତ" । ନିଜ କଥାକୁ ଅମୃତ କରିପାରିବାର ଦକ୍ଷତା ସେହି ବ୍ୟକ୍ତି ପାଖରେ ଥାଏ, ଯିଏ ସରଳ । ଈର୍ଷା କଲାଭଳି ସରଳ ।

ଟେଲ୍ ମି ହ୍ୱାଇ ରେ ସରଳତା ଜୟଯାତ୍ରା । ଆମ ପାଖରେ ସେମିତି ଦକ୍ଷତା ନ ଥିବାରୁ ଆମେ ସରଳକୁ ସେମିତି ସରଳ କରିପାରୁନାହୁଁ ।ସରଳକୁ ଜଟିଳ କରିବାରେ ଆମର ସଚରାଚର ପଳାୟନ ଓ ଆନନ୍ଦ । ଆମେ ଗୋଟିଏ କଥାକୁ ସତର୍କ ଥାଉ । କାଳେ ଆମକୁ କିଏ ଅତିସରଳୀକରଣ ଦୋଷରେ ଦୋଷୀ କରିଦେବ, କହିଦେବ ଏଇ ଲେଖାରେ ତତ୍ତ୍ୱ କାହିଁ ? ସେଇଥିପାଇଁ ବିଶିଷ୍ଟ ଲେଖା ଲେଖିବାକୁ ହେଲେ ନିଜ ଲେଖାରେ ଟିକିଏ "ଗୁଁ" ପୂରେଇବାକୁ ପଡେ । (ଏତେ କଥା ଆଜି କାହିଁକି ? ଏତେ ସରଳ ସରଳ ରଟନା ହେଉଛି କ'ଣ ନିଜ ଅପାରଗତାକୁ ଲୁଚାଇବା ପାଇଁ ? କୈଳାଶଶିଖରାସୀନ ଶଙ୍କରଙ୍କୁ ଗୌରୀ ପୃଚ୍ଛା କଲେ । ଶଙ୍କର କହିଲେ, ଶୁଣ ଦେବୀ ଏ ସରଳ ବୃତ୍ତାନ୍ତ ।)

ଆଜି ଏପ୍ରିଲ୍ ମାସର ପ୍ରଥମ ଦିନ । ଏହାକୁ ଏପ୍ରିଲର ନିର୍ବୋଧମାନଙ୍କ ଦିନ ବୋଲି କୁହାଯାଏ । ସମସ୍ତେ ଏହି ଦିନରେ ଥଟ୍ଟା ମଜା କରନ୍ତି । ଆଜିକାଲି ସାମାଜିକ ଗଣମାଧ୍ୟମରେ ମଜା କଥାର ଫୁଆରା ଛୁଟେ । ସବୁ ମଜାକଥାର ରସାୟନ ହେଉଛି କହିବାର ଭାଷା ଓ ଭଙ୍ଗୀକୁ ବାଦ୍ ଦେଇ ଉପସ୍ଥିତ ହେଉଥିବା ଦୁଇଟି ଚରିତ୍ର, ଗୋଟିଏ ବୁଦ୍ଧିମାନ ଯିଏ ମଜା କଥାର କର୍ତ୍ତା ଓ କଥକ ଓ ଅନ୍ୟଟି ନିର୍ବୋଧ ଯିଏ ମଜାକଥାଟିର କାରଣ ଓ ବାହକ । ଏହି ଦୁଇ "ଗୁପୀ ଗାଏନ୍ ଆଉ ବାଘା ବାଏନ୍"ଙ୍କୁ ନେଇ ଆମକୁ ମଜାକଥାର ହୀରକ ରାଜାର ଦେଶକୁ ଯିବାକୁ ହେଉଥାଏ ।

ମଜାକଥାର ଏଇ ଦୁଇ ଚରିତ୍ର ବୁଦ୍ଧିମାନ ଓ ନିର୍ବୋଧ କହିବାକୁ ଗଲେ ସମସ୍ତ ସରଳତାର ପ୍ରତିଭୂ । ସେମାନଙ୍କର ଉଦ୍ଦେଶ୍ୟ ଆନନ୍ଦ ବିତରଣ । ସେହିଦୃଷ୍ଟିରୁ ଆଜି ଏପ୍ରିଲ ମାସର ପ୍ରଥମ ଦିନ, ସରଳତାର ଜୟଗାନର ଦିନ ଓ ଆନନ୍ଦର ଦିନ । ଏପ୍ରିଲ ମାସର ପ୍ରଥମ ଦିନର ସରଳତା ଆଉ ଆନନ୍ଦର ଯାତ୍ରା ପୁରାଣରୁ ଇତିହାସ ଯାଏଁ ବିସ୍ତୃତ ।

ପୁରାଣରେ କିଛି ନିର୍ବୋଧ ସୁଲଭ କାର୍ଯ୍ୟକଳାପକୁ ଏପ୍ରିଲ୍ ମାସର ପ୍ରଥମ ଦିନର ନିର୍ବୋଧମାନଙ୍କ ସହ ଯୋଡାଯାଇଅଛି । ଏଇ ତାଲିକାରେ ପ୍ରଥମେ ଆସିବେ "ନୋଆ" । ନୋଆ ଈଶ୍ୱରଙ୍କ ପ୍ରିୟପାତ୍ର । ଈଶ୍ୱରଙ୍କର ଆଦେଶରେ ମହାପ୍ରଳୟରୁ ସମସ୍ତ ସ୍ଥାବର ଜଙ୍ଗମମାନଙ୍କୁ ସୁରକ୍ଷିତ କରି ପ୍ରଳୟୋପରାନ୍ତ ପୃଥ୍ୱୀର ନୂତନ ସୃଜନ କରିବା ଉଦ୍ଦେଶ୍ୟରେ ସେ ଏକ ସୁବୃହତ ନୌକା ନିର୍ମାଣ କରିଥିଲେ । ଆମେ ନିଜ ଘରେ ବିହନ ଯତ୍ନରେ ରଖିବା ଭଳି ପରବର୍ତ୍ତି ପୃଥ୍ୱୀର ସମସ୍ତ ସୃଜକମାନେ ତାହା ଭିତରେ ସୁରକ୍ଷିତ ରହି ମହାପ୍ରଳୟକୁ ଅତିକ୍ରମ କରୁଥିଲେ । ସେଇ ବିଖ୍ୟାତ ନୌକା-ନିର୍ମାଣକାରୀ ନୋଆ ମହାପ୍ରଳୟ ସମୟରେ ଗୋଟିଏ ମଜାକଥା ଭଳି ନିର୍ବୋଧ କାମ କରିଥିଲେ । ନୌକାରୁ ଗୋଟିଏ କପୋତକୁ ଉଡାଇଦେଇଥିଲେ । ସେତେବେଳେ ମହାପ୍ରଳୟ, ଚାରିଆଡେ ଜଳ ଆଉ ଜଳ । କପୋତଟି ଭୂମୀଖଣ୍ଡେ ପାଇବ କେଉଁଠୁ ? ସେ ଶେଷରେ ଫେରି ଆସିଥିଲା ନୌକାକୁ । ନୋଆଙ୍କ ନିର୍ବୋଧ ସୁଲଭ ଏଇ ହସ କଥାର ଏକ ମାତ୍ର ପ୍ରାପକ ହେଉଛନ୍ତି ସ୍ୱୟଂ ଈଶ୍ୱର । ଆମକୁ ହସ ମାଡୁ ବା ନମାଡୁ ଈଶ୍ୱର ହସି ପାରନ୍ତି ବୋଲି ଆମର ବିଶ୍ୱାସ ।

ପରବର୍ତ୍ତୀ ଦୈବିକ ନିର୍ବୋଧତା ହେଉଛି ରୋମାନମାନଙ୍କର କୃଷିର ଦେବୀ ସେରେସ୍ ଙ୍କୁ ନେଇ । ସେରେସ୍ ଙ୍କ କନ୍ୟାଙ୍କୁ ପାତାଳର ଦେବତା ପ୍ଲୁଟୋ ଅପହରଣ କରି ନେଇଥିଲେ । ନିଜ କନ୍ୟାକୁ ଖୋଜି ବାହାର କରିବା ପାଇଁ ସେରେସ୍ ପାତାଳକୁ ଯାତ୍ରା କରିଥିଲେ ।ପାତାଳ ଜଗତକୁ କୃଷିର ଦେବୀଙ୍କ ପ୍ରବେଶ ଏକ ପ୍ରକାର ନିର୍ବୋଧତା । ଏହା ଏପ୍ରିଲର ମଜାକଥା ସହିତ ବି ଯୋଡି ହୋଇଗଲା ।

ଏହା ବ୍ୟତୀତ ଯୀଶୁଙ୍କର କୃତ୍ରିମ-ବିଚାର କରାଯାଇ ତାହାକୁ ଏକ ପ୍ରହସନ ରୂପରେ ଖ୍ରୀଷ୍ଟିଆନ୍ ଜଗତରେ ଦେଖାଯାଉଥିଲା ଏଇ ସମୟରେ । ଯୀଶୁଙ୍କ ଯନ୍ତ୍ରଣାଦାୟକ ମୂହୁର୍ତ୍ତ ସମସ୍ତଙ୍କର ହୃଦୟରେ ଭକ୍ତିର ଆସ୍ଥାନ ନିର୍ମାଣ କରିବାରେ ସହାୟକ ହେଉଥିଲା ।

ଇତିହାସ ଦୃଷ୍ଟିରୁ ଏପ୍ରିଲର ଏଇ ନିର୍ବୋଧମାନଙ୍କର ଦିବସର ସୃଷ୍ଟି ପ୍ରାୟତଃ ଫ୍ରାନ୍ସରୁ ଆରମ୍ଭ ହୋଇଥିଲା । ଆରମ୍ଭ ସମୟ ଷୋଡଶ ଶତାବ୍ଦୀ, ଅର୍ଥାତ୍ ୧୫୦୦ ଖ୍ରୀଷ୍ଟାବ୍ଦ ପରେ । ଯେତେବେଳେ ଫ୍ରାନ୍ସରେ ପରିମାର୍ଜିତ ଗ୍ରେଗୋରୀୟ କାଲେଣ୍ଡରର ପ୍ରଚଳନ ଆରମ୍ଭ ହୋଇଥିଲା, ଠିକ୍ ସେତିକି ବେଳେ ଏଇ ବିଚିତ୍ର ଘଟଣା ଘଟିବାରେ ଲାଗିଥିଲା । ଗ୍ରେଗୋରୀୟ ପଞ୍ଜିିକା ଚାଲିବା ଫଳରେ ନୂଆବର୍ଷଟି ମାର୍ଚ୍ଚ ମାସ ପଚିଶ ତାରିଖ ବଦଳରେ ଜାନୁଆରୀ ଏକ ତାରିଖ ହୋଇଗଲା । ଉଦାହାରଣ ସ୍ୱରୂପ ଯଦି ଜଣକୁ କୁହାଯିବ ଯେ ଆସନ୍ତାକାଲି ଡ଼ିସେମ୍ବର ଛଅ ତାରିଖ, ଆଉ ସେଇ ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ଚାଲିବ, ତେବେ ପ୍ରଥମେ ସମସ୍ତଙ୍କୁ ତାରିଖ ଆଉ ଘଟଣା ମନେ ରଖିବାରେ ଅସୁବିଧା ନିଶ୍ଚୟ ହେବ । ଠିକ୍ ମାର୍ଚ୍ଚ ମାସ ପଚିଶ ତାରିଖକୁ ଜାନୁଆରୀ ମାସ ଏକ ତାରିଖ ବୋଲି ମାନିନେବାର ସ୍ୱାଭାବିକତା ସେତେବେଳେ ନଥିଲା ଫ୍ରାନ୍ସରେ ।

ଫ୍ରାନ୍ସର ସେହି କାଲେଣ୍ଡର ପରିବର୍ତ୍ତନ ଜନିତ ଅସୁବିଧା ଅନେକ ମଜା କଥାକୁ ଜନ୍ମ ଦେଲା । ଭୁଲବଶତଃ କେହି କେହି ମାର୍ଚ୍ଚ ପଚିଶ ଦିନ ବି ନବ ବର୍ଷ ପାଳନର ଆୟୋଜନ କରି ହାସ୍ୟାସ୍ପଦ ହେଉଥିଲେ । ସେମାନଙ୍କୁ "ଏପ୍ରିଲର ମାଛ" ବା ପୁଆସଁ ଦି ଆଭ୍ରିଲ୍ ବୋଲି କୁହାଯାଉଥିଲା । କାରଣ ମାଛଟିଏ ହେଉଛି ନିର୍ବୋଧ । ସେ ଅତି ସହଜରେ ବୁଦ୍ଧିମାନ ଲୋକର ଥୋପରେ ପଡିଥାଏ ।

କଥାରେ ଅଛି, ଫ୍ରାନ୍ସ ଛିଙ୍କିଲେ ସମଗ୍ର ଇଉରୋପକୁ ଜ୍ୱର ହୋଇଯାଏ । ଫ୍ରାନ୍ସରୁ ଏପ୍ରିଲର ନିର୍ବୋଧମାନେ ଇଂଲିଶ ଚାନେଲ୍ ଅତିକ୍ରମ କରି ଇଉରୋପକୁ ଏକ ଚଳଣୀ ହିସାବରେ ପହଞ୍ଚିବାକୁ ପାଖାପାଖି ଦୁଇ ଶହ ବର୍ଷ ଲାଗିଗଲା । ଅର୍ଥାତ ପ୍ରାୟ ଅଷ୍ଟାଦଶ ଶତାବ୍ଦୀ ବେଳକୁ ସମଗ୍ର ଇଉରୋପରେ ଏପ୍ରିଲ ପହିଲାର ନିର୍ବୋଧମାନେ ପହଞ୍ଚି ସାରିଥିଲେ । ଇଉରୋପରୁ ସେମାନେ ବିଶ୍ୱମୟ ହୋଇଗଲେ । ଇଉରୋପରେ ସେମାନେ ଆଉ ଏପ୍ରିଲର ନିର୍ବୋଧ ନ ଥିଲେ । ସେମାନେ ଏବେ ପୂରା ନିର୍ବୋଧ । ଦିନଟିକୁ କୁହାଗଲା ଏବେ, ଅଲ୍ ଫୁଲ୍ସ୍ ଡେ ଅର୍ଥାତ ମୂର୍ଖଙ୍କର ଦିବସ । ଏପ୍ରିଲର ଏହି ପ୍ରଥମ ଦିନର ନିର୍ବୋଧଙ୍କ ମାର୍ଫତରେ ଆମେ ସରଳତା ଓ ଆନନ୍ଦର ଜୟଗାନ କରିବା । ଏଇ ଦିନଟି ଆମକୁ ବିନମ୍ରତାର ସହ ବଞ୍ଚିବାକୁ ଶିକ୍ଷା ଦେଉଛି । ନିର୍ବୋଧ ବୋଲି ଆମେ ଯାହାକୁ କହୁ ସେ ପ୍ରକୃତରେ ବିନୟୀ । ଆବଶ୍ୟକତା ଠାରୁ ଅଧିକ ବିନୟୀ ।

1 comment:

  1. ଜ୍ୟୋତି ବାବୁ

    ପ୍ରତ୍ୟେକ ଚରିତ୍ର ସ୍ୱତନ୍ତ୍ର ଆଉ ସେମାନଙ୍କ ଅବବୋଧ ତତୋଽଧିକ।

    ଜଣେ ବିଜ୍ଞ ଆଉ କେତେ ନିର୍ବୋଧଙ୍କୁ କହିଯାଇଥିଲେ;
    "ଏଇ ଏପ୍ରିଲ ପହିଲା ମନେ ପକାଇ ଦିଏ ଯେ ଅନ୍ୟ ୩୬୪ ଦିନ ସେମାନେ କଣ ଥିଲେ"

    ସପ୍ରସଙ୍ଗ ଭାବାର୍ଥ ବିଶ୍ଲେଷଣ ସେମାନଙ୍କ ଉପରେ ହିଁ ଛାଡ଼ି ଦିଆଯାଉ।
    -ପ୍ରଭୂ

    ReplyDelete