ହଜିବାକୁ ଜାଗା ନାହିଁ
ସିଦ୍ଧାର୍ଥ ମହାପାତ୍ରଙ୍କର ସ୍ମୃତିରେ, ଯଦିଓ କବିତାଟି ତାଙ୍କ ମୃତ୍ୟୁର କିଛି ବର୍ଷ ପୂର୍ବରୁ ଲେଖାଯାଇଥିଲା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ତୁମ ସ୍ମୃତିର ପତଳା ବର୍ଷାରେ ଗାଧୋଇ ସାରିଲା ପରେ ଆଉ ହଜିବାକୁ ଜାଗା ନାହିଁ । ସବୁ ବଖରାରେ ତୋଟାମାନଙ୍କର ପ୍ରେତଙ୍କର ହଇଚଇ । ରାସ୍ତା ଉପରେ ନବଜାତ କାମନାମାନଙ୍କର କୋଳାହଳ । ଛାତ ଉପରେ ତାରାମାନଙ୍କର ଶବର ଗହଳି । ତେଣୁ ଆଉ ହଜିବାକୁ ଜାଗା ନାହିଁ ।
କଅଣ କରିବି ? ଆଜି ହଜିବାକୁ ବହୁତ ଇଚ୍ଛା । ନ ହଜିଲେ ଲାଗୁଛି କି କୁଆଖାଇ ଉଜାଣି ବହିବ । ଭୁବନେଶ୍ୱର ରାସ୍ତାରେ ରଙ୍ଗ୍-ସାଇଡ଼୍ ଗାଡ଼ି ଯିବା ବନ୍ଦ ହୋଇଯିବ । ତୋର ମୋ କଥା ମନେ ପଡ଼ିଯିବ । ଏଣୁ କରି ଆଜି ହଜିବାକୁ ହିଁ ପଡ଼ିବ । ହେଲେ ଆଉ ହଜିବାକୁ ଯାଗା ନାହିଁ ।
ତୁ ହଜିଗଲା ପରେ ମୁଁ ବି ହଜିବାକୁ ବହୁତ ଚେଷ୍ଟା କରିଛି । ସ୍ମୃତି ସବୁକୁ ଘୋରିଛି ସନ୍ଧ୍ୟାର ଦାଢ଼ୁଆ ଧାରରେ । ନିଜକୁ ଢାଳିଛି ରାତିର ସରୁଆ କଣାରେ । ସଜେଇ ହୋଇଛି ସହରମାନଙ୍କର ସ୍ୱପ୍ନର ଆକାଶରୁ ଚିପୁଡ଼ିଥିବା ରଙ୍ଗରେ । ହେଲେ ଲାଭ କିଛି ବି ହୋଇନି ।

ହଜିବା ପାଇଁ ଇଚ୍ଛା ଅଛି, ସମୟ ଅଛି, ଚେଷ୍ଟା ମଧ୍ୟ ଅଛି । ହେଲେ ତୁ ହଜିଗଲା ପରେ, ଆଉ ହଜିବାକୁ ଯାଗା ନାହିଁ ।
ବି.ଦ୍ର. : ଏହି ଲେଖାଟି ଦୈନିକ ସଞ୍ଚାରର ସାହିତ୍ୟ ପୃଷ୍ଠାର ନଅ ଅପ୍ରିଲ୍ ରେ ପ୍ରକାଶିତ ସଂସ୍କରଣରେ ଛପାଯାଇଥିଲା ।
No comments:
Post a Comment