ପିଲାଙ୍କ ଗୀତ - ଉଠ ସକାଳ ହେଲା
କବି - ଶ୍ରୀ ନଦୀୟା ବିହାରୀ ମହାନ୍ତି
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
କଳାକାହ୍ନୁ ଉଠ ସକାଳ ହେଲା ।
କମଳ ଆଖି ତୋ ଖୋଲ ଆରେ ବାବୁ
ଶୁକ ପିକ ଡାକ ଦେଲେଣି ପରା ।
ଆରେ ନନ୍ଦଚାଟ ନକର ତୁ ମଠ
ଗୋପାଳ ବାଳକ ହେଲେଣି ଠୁଳ ;
ଶିଙ୍ଗା ଶବଦରେ ଗୋପଦାଣ୍ଡ ପୂରେ
ଶେଯ ଛାଡ଼ ବେଗେ ମୋ ଗଳାମାଳା । ୧।
ଆରେ ବନମାଳୀ ମୋ ଜୀବଶଙ୍ଖାଳି
ସର ଲବଣି କି ନ ଦେବୁ ମୁଖେ,
ଅଳି ଲାଗି ତୋର ମନ କି ନ ବଳେ
ପଲଙ୍କେ ଲୋଟୁ ରେ ଦୁଃଖପାସୋରା ।୨।
ସୁଦାମ ସୁବଳ ସଖା ତୋ ସକଳ
ଧେନୁପଲ ସଙ୍ଗେ ହେଲେଣି ଉଭା,
ଶ୍ୟାମଳୀ ଧବଳୀ ଛାଡ଼ନ୍ତି ହମ୍ବାଳି
ଗୋଷ୍ଠବିହାରୀ ତୁ ନକର ହେଳା । ୩।
ମୂଳ ରଚନା ଆକାଶବାଣୀ ସୌଜନ୍ୟରୁ ସଂଗୃହିତ । ଗୀତଟିର ଏହି ପ୍ରତିଟି ଓଡିଶା ସାହିତ୍ୟ ଏକାଡେମୀ ଛାପିଥିବା ଶ୍ରୀ ରାମକୃଷ୍ଣ ନନ୍ଦ ସଙ୍କଳିତ 'ଓଡିଆ ଶିଶୁ ସଙ୍ଗୀତ ସଙ୍କଳନ' ରୁ ଆହୃତ ।
No comments:
Post a Comment