Wednesday, December 02, 2015

ପ୍ରତିବାଦର ପ୍ରତିବାଦୀଙ୍କ ପାଇଁ ଏକ ଅନୁରୋଧ



ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 


ପ୍ରିୟ ବନ୍ଧୁ, ଆମେ ଦେଖୁଛୁ କି କିଛି ଲେଖକ, କଳାକାର ବୈଜ୍ଞାନିକ ଇତ୍ୟାଦି ଲୋକେ ଦେଶରେ ଅସହିଷ୍ଣୁତାର ବାତାବରଣ ଅନୁଭବ କରି ନିଜର ସାହିତ୍ୟ ଏକାଡେମୀ ଓ ଅନ୍ୟାନ୍ୟ ପୁରସ୍କାର ଫେରାଇବାରୁ ଆପଣମାନେ ସେ ପ୍ରତିବାଦର ପ୍ରତିବାଦୀ ସାଜିଛନ୍ତି । ପ୍ରତିବାଦର ବିରୁଦ୍ଧରେ ଆପଣମାନଙ୍କର ପ୍ରତିବାଦ ଅନେକ ରୂପ ନେଇଛି । କିନ୍ତୁ ଆପଣଙ୍କର ବିରୋଧରେ ଆମକୁ କେତେକ ଭ୍ରାନ୍ତି ଦେଖାଯାଉଛି । ଆମେ ଏହି ପତ୍ରରେ ଆପଣଙ୍କୁ ଆପଣଙ୍କର ସେହି ଭ୍ରାନ୍ତି ଗୁଡିକୁ ଦେଖାଇବାକୁ ଚେଷ୍ଟା କରିବୁ । ଆମର ଉଦ୍ଦେଶ୍ୟ ଆପଣମାନଙ୍କୁ ଆଘାତ ପହଞ୍ଚାଇବା ନୁହେଁ । ତେଣୁ, ଏହି ଲେଖାଟିକୁ ଆପଣଙ୍କର ସହଜାତ, ଭାରତୀୟ, ଉଦାର ହୃଦୟରେ ପାଠ କରିବାକୁ ଅନୁରୋଧ ।

ବନ୍ଧୁ, ଶ୍ରୀ ବ୍ୟାସଦେବ କୃତ ମହାଭାରତର ସଭାପର୍ବରେ ପାଞ୍ଚାଳର ରାଜଜେମା ଦ୍ରୌପଦୀ ରାଜସଭାରେ ଗାନ୍ଧାରୀନନ୍ଦନ ରାଜକୁମାର ଦୁର୍ଯ୍ୟୋଧନଙ୍କ ଦ୍ୱାରା ଅପମାନିତ ହୁଅନ୍ତି । ସେହି ସଭାରେ ତାଙ୍କର ଦ୍ୱିତୀୟ ପତି ଭୀମ ଉପସ୍ଥିତ ଥିଲେ ମଧ୍ୟ ସେ ଏହି ଅପମାନର କିଛି ଉପଯୁକ୍ତ ତାତ୍କାଳିକ ପ୍ରତିବାଦ କରନ୍ତି ନାହିଁ । ମାତ୍ର ମହାପୁରାଣର ବିରାଟ ପର୍ବର କିଚକ ବଧ ଉପ-ପର୍ବରେ ସୈରନ୍ଧ୍ରୀ-ରୂପୀ କୃଷ୍ଣାଙ୍କୁ କିଚକର ଅନ୍ଧ କାମୁକତାର ତାଡ଼ନାରୁ ରକ୍ଷା କରିବା ପାଇଁ ଯାଇ ଭୀମ ନିଜର ପରିବାରର ଅଜ୍ଞାତବାସକୁ ବିପଦରେ ପକାଇ ମଧ୍ୟ କିଚକର ବଧ କରନ୍ତି । ଆପଣ ସେ ଭୀମଙ୍କୁ ଏପରି ପଚାରିବା ଉଚିତ ହୋଇ ଥାଆନ୍ତା କି ଯେ, ହେ ବାୟୁପୁତ୍ର, ଆପଣ ତ କୁରୁସଭାରେ ଦ୍ରୌପଦୀ ବସ୍ତ୍ରହରଣ ଅପରାଧର ଦଣ୍ଡ ଭାବରେ ଦୁର୍ଯ୍ୟୋଧନର ତକ୍ଷାଣତ୍ ବଧ କଲେ ନାହିଁ । କିନ୍ତୁ ବିରାଟଙ୍କର ସେନାପତି କିଚକ ଦ୍ୱାରା ପାଞ୍ଚାଳୀଙ୍କର ଧର୍ଷଣ ରୋକିବାକୁ ଯାଇ ତାଙ୍କର ବଧ କଲେ କାହିଁକି ?” ମୋର ହୀନ ବୁଦ୍ଧି କହୁଛି, ବୋଧେହୁଏ ଆପଣ ଏପରି ପଚାରିବା ଅନୁଚିତ ହୋଇଥାଆନ୍ତା ।

ଏହା ମୋର ବ୍ୟକ୍ତିଗତ ବିଚାର ନୁହେଁ । ଉପରୋକ୍ତ କଥନିକାରେ ଭୀମଙ୍କର କିଚକ ବଧର ଉପରୋକ୍ତ କାରଣ ଯୋଗୁଁ ସମାଲୋଚନାକୁ  ଲାଟିନ୍ ଭାଷାରେ ତୁ କ୍ୱୋଉକ୍ୱିବା ସଂସ୍କୃତରେ ତ୍ୱମ୍ ଏବପ୍ରକାରର ତାର୍କିକ ଭ୍ରାନ୍ତିର ଏକ ଉଦାହରଣ ଭାବରେ ଆମେ ନେଇ ପାରିବା । ଧରନ୍ତୁ ଆପଣ ଧୂମପାନ କରନ୍ତି । ଆଉ ମୁଁ ଆପଣଙ୍କର ମିତ୍ର । ଆପଣ ମୋତେ କହିଲେ ଯେ ଧୂମପାନ ଶରୀର ପକ୍ଷରେ ହାନିକାରକ । ଏଣୁ ତୁମେ ଧୂମପାନ ଛାଡିଦିଅ ମୁଁ ଯଦି ଏପରି ଯୁକ୍ତି କରେ ଯେ ଯେହେତୁ ଆପଣ ଧୂମପାନ କରି ଆସୁଛନ୍ତି, ଏଣୁ ଆପଣ ମୋତେ ଧୂମପାନ ବାରଣ କରି ପାରିବେ ନାହିଁ, ଏବଂ ଧୂମପାନ ସ୍ୱାସ୍ଥ୍ୟ ପକ୍ଷରେ ହିତକର, ତାହାହେଲେ ମୁଁ ତୁ କ୍ୱୋଉକ୍ୱି ନାମକ ତାର୍କିକ ଭ୍ରାନ୍ତିର ଶୀକାର ବୋଲି ଜଣା ପଡିବି, ଓ ମୋର ଯୁକ୍ତି ଭଦ୍ର ସମାଜରେ ଉଦ୍ଦେଶ୍ୟ ପ୍ରଣୋଦିତ ବିତଣ୍ଡା ତର୍କ ବୋଲି ଗୃହୀତ ହେବାର ଯୋଗ୍ୟ ହେବ । ତର୍କର ବୈଧତା ତର୍କ ପ୍ରଦାନ କରୁଥିବା ବ୍ୟକ୍ତିର ଚରିତ୍ର ଓ ଅତୀତ ଆଚରଣ ଉପରେ ନିର୍ଭର କରେ ନାହିଁ । ଅର୍ଥାତ୍, ୧୯୮୪ ମସିହାରେ ବୟପ୍ରାପ୍ତ ହୋଇ ସାରିଥିବା ଲେଖକମାନେ ସେତେବେଳେ ଶିଖି ସମୁଦାୟର ଗଣହତ୍ୟା ବିରୁଦ୍ଧରେ ପ୍ରତିବାଦ ନ କରିଥିଲେ ମଧ୍ୟ, ବଡ ଦେଉଳକୁ ଗଲାବେଳେ ଭିକାରୀ ମାନଙ୍କୁ ଅନ୍ନଦାନ ନ କରିଥିଲେ ମଧ୍ୟ, ଏକାଦଶୀରେ ଆମିଷ ଭକ୍ଷଣ କରିଥିଲେ ମଧ୍ୟ, ସେମାନଙ୍କର ଏବେ ଭାରତରେ ବଢୁଥିବା ଅସହିଷ୍ମୁତାର ବାତାବାରଣ ବିରୁଦ୍ଧରେ ପ୍ରତିବାଦ କରିବାର ଏକ ତର୍କସଙ୍ଗତ ଅଧିକାର ରହିଛି । ଯଦି ସୀତାହରଣ ପରେ ରାବଣଙ୍କ ଆଗରେ କେହି ମନ୍ଦୋଦରୀଙ୍କର ଅପହରଣ କରିବାର ଅପଚେଷ୍ଟା କରିଥାଆନ୍ତା , ତେବେ ମଧ୍ୟ ବିଶ୍ରବାନନ୍ଦନଙ୍କର ନିଜ ସ୍ତ୍ରୀଙ୍କର ବଳାତ୍କାରରେ ହରଣ ବିରୁଦ୍ଧରେ ପ୍ରତିବାଦ କରିବା ଉପଯୁକ୍ତ ଓ ନ୍ୟାୟସଙ୍ଗତ ହୋଇଥାଆନ୍ତା ଗୋଟିଏ ଅନ୍ୟାୟ, ସେ ଯେ କେହି କରୁନା କାହିଁକି, ଆଉ ଏକ ଅନ୍ୟାୟ ଅନ୍ୟ ଜଣେ କରିବା ପାଇଁ ଅନୁମତି ସୃଷ୍ଚି କରେ ନାହିଁ ।

ଦ୍ୱିତୀୟରେ, ଆପଣମାନେ କେତେ ଗୁଡିଏ ଅନ୍ୟ ଭ୍ରାନ୍ତିର ଶୀକାର ବୋଲି ମୋର ଧାରଣା । ପୁରସ୍କାର ଫେରାଇଥିବା ଶତାଧିକ ଉଦାହରଣ ମଧ୍ୟରୁ ଆମେ ଏଠାରେ ଯୋଡ଼ିଏର ଆଲୋଚନା କରିବୁ ସତର ବର୍ଷର କନ୍ନଡ ଲେଖକ ରିଆ ବିଥାଶା ପ୍ରତିବାଦ ଭାବରେ ନିଜର କର୍ଣ୍ଣାଟକ ସାହିତ୍ୟ ଏକାଡେମୀ ପୁରସ୍କାର ଫେରସ୍ତ ଦେଲେ । ଆପଣ ଯେତେ ବେଳେ ପଚାରୁଛନ୍ତି ଯେ ୧୯୮୪ ରେ ବର୍ତମାନ ପୁରସ୍କାର ଫେରାଉଥିବା ଲୋକେ କେଉଁଠି ଥିଲେ, ଆପଣମାନେ ଅତି ସହଜରେ ଭୁଲି ଯାଉଛନ୍ତି ଯେ ପ୍ରତିବାଦ କରୁଥିବା ଅନେକ ୧୯୮୪ ମସିହାରେ ଜନ୍ମ ହୋଇ ନଥିଲେ କିମ୍ବା ଶିଶୁ ମାତ୍ର ଥିଲେ । ଭିନ୍ନ ଭିନ୍ନ ଲୋକେ, ଯେଉଁମାନେ ପ୍ରତିବାଦ କରିବା ପାଇଁ ପୁରସ୍କାର ଫେରାଇଛନ୍ତି, ସେମାନେ ଗୋଟିଏ ସଙ୍ଗଠିତ ଗୋଷ୍ଠୀ ନୁହନ୍ତି । ଭିନ୍ନ ଭିନ୍ନ ଲୋକେ ସମସ୍ୟାଟିକୁ ବୋଧେହୁଏ ଭିନ୍ନ ଭାବରେ ଦେଖନ୍ତି, ଯଦିଓ ପ୍ରତିକ୍ରିୟାଟି ଏକା ଭଳି ଲାଗୁଛି । ଏଣୁ ଆପଣମାନଙ୍କୁ ବିନିତ ଅନୁରୋଧ ଯେ ଏହିପରି ଗୋଟିଏ ବିଜାତୀୟ, ବିବିଧତା-ପୂର୍ଣ୍ଣ ଗୋଷ୍ଠିକୁ ତୁମେ ୧୯୮୪ ମସିହାରେ କେଉଁଠି ଥିଲ ପରି ବିତଣ୍ଡା ଉଦ୍ରେକକାରୀ ଅସ୍ପଷ୍ଟ ପ୍ରଶ୍ନ ପଚାରନ୍ତୁ ନାହିଁ ।

କିନ୍ତୁ ପ୍ରତିବାଦର ପ୍ରତିବାଦି ସାଜିଥିବା ଆପଣ ଅନେକ ବରେଣ୍ୟମାନଙ୍କର ବୟସ ଅତି କମ୍ ରେ ୪୫-୫୦ରୁ ଉର୍ଦ୍ଧ । ଅର୍ଥାତ୍ ୧୯୮୪ ଶିଖ୍ ଗଣହତ୍ୟା ସମୟରେ ଆପଣମାନଙ୍କର ବୟସ ଅତି କମରେ ୧୫-୨୦ ବର୍ଷ ହୋଇଥିବ । ଆପଣମାନଙ୍କ ମଧ୍ୟରୁ ଅନେକ ପଚାରୁଛନ୍ତି ଯେ ଅସହିଷ୍ନୁତାର ବିରୋଧ କରି ସର୍ବପ୍ରଥମେ ଏ ବିଷୟରେ ଚର୍ଚ୍ଚାକୁ ଆସିଥିବା ଲେଖିକା ଶ୍ରୀମତି ନୟନତାରା ସହଗଲ ୧୯୮୪ର ଶିଖ୍ ଗଣହତ୍ୟା ସମୟରେ ଥିଲେ କୁଆଡେ । ଆପଣଙ୍କର ବୋଧେହୁଏ ମନେ ନାହିଁ ଯେ ୧୯୮୪ ମସିହାରେ ଶ୍ରୀମତି ସହଗଲ୍ ପିପୁଲସ୍ ୟୁନିଅନ୍ ଅଫ୍ ସିଭିଲ୍ ଲିବର୍ଟିଜ୍ (ପି.ୟୁ.ସି.ଏଲ୍.) ନାମକ ମାନବ ଅଧିକାର ସଙ୍ଗଠନର ଉପ-ସଭାନେତ୍ରୀ ଥିଲେ । ପି.ୟୁ.ସି.ଏଲ୍. ସଂସ୍ଥା ଶ୍ରୀମତି ସହଗଲ୍ ଙ୍କର ସାହସୀ ନେତୃତ୍ୱରେ ଶିଖ୍ ବିରୋଧି ଦଙ୍ଗା ଓ ଗଣହତ୍ୟା ବିରୁଦ୍ଧରେ ରିପୋର୍ଟ୍ ବାହାର କରିବାରେ ଅଗ୍ରଗଣ୍ୟ ଥିଲା । ଏଣୁ ଆପଣମାନଙ୍କ ମଧ୍ୟରୁ ଯେଉଁ ବିଜ୍ଞମାନେ  ନୟନତାରା ସହଗଲ ୧୯୮୪ ରେ କେଉଁଠି ଥିଲେ   ବୋଲି ପଚାରୁଛନ୍ତି,  ଆମକୁ ଲାଗୁଛି   କି ତିନୋଟି କଥା ମଧ୍ୟରୁ ଗୋଟିଏ ସତ୍ୟ ହୋଇପାରେ – କୌଣସି ଦୁର୍ଭାଗ୍ୟଜନକ କାରଣରୁ ଆପଣମାନଙ୍କର ସ୍ମୃତିନାଶ ଘଟିଛି ; କିମ୍ବା ଭାରତର ସମସାମୟିକ ଇତିହାସ ବିରୁଦ୍ଧରେ ଆପଣମାନେ ଅଜ୍ଞ (ଯାହା ଏକ ଅପରାଧ ନୁହେଁ ଅବଶ୍ୟ) ; କିମ୍ବା ଆପଣମାନେ ଶ୍ରୀମତି ସହଗଲ୍ ଙ୍କର ୧୯୮୪ରେ ସମ୍ମାନଜନକ ଭୂମିକା ବିଷୟରେ ଅବଗତ ହୋଇ ମଧ୍ୟ, ତାକୁ ନଭୁଲି ମଧ୍ୟ, ଜାଣିଶୁଣି ଜନମତକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଯଦି ତୃତୀୟ କଥାଟି ସତ୍ୟ ହୋଇଥାଏ, ତାହାହେଲେ ଲୋକମତ ଆପଣମାନଙ୍କୁ କ୍ଷମା କରିଦେଇପାରେ, କିନ୍ତୁ ସର୍ବଶକ୍ତିମାନ, ସର୍ବଜ୍ଞ, ଅନ୍ତର୍ଯ୍ୟାମୀ ଜଗନ୍ନାଥଙ୍କର ଆଖିରେ ଆପଣମାନେ ମହାପାପୀ ।

ଆପଣମାନେ ଅନେକ ଲେଖକ, କଳାକାର ଓ ବୈଜ୍ଞାନିକ ମାନଙ୍କ ବିରୁଦ୍ଧରେ ଏପରି ମଧ୍ୟ ଲେଖିଛନ୍ତି ଯେ ସେମାନେ ବାର୍ଦ୍ଧକ୍ୟଗ୍ରସ୍ତ ଓ ବିସ୍ମୃତ ହୋଇଯାଇଥିବାରୁ ଲୋକଲୋଚନକୁ ଆସିବା ପାଇଁ  ସେମାନେ ପୁରସ୍କାର ଫେରାଉଛନ୍ତି । ପୁରସ୍କାର ଫେରାଇଥିବା ପ୍ରଫେସର୍ ପି.ଏମ୍. ଭାର୍ଗବ ଜୀବବିଜ୍ଞାନରେ ନିଜ କାମ ପାଇଁ ବିଶ୍ୱବିଖ୍ୱାତ;  ଅନେକ ପୁରସ୍କାର ସହ ସେ ଫ୍ରାନ୍ସ ଦେଶର ସର୍ବୋଚ୍ଚ ସମ୍ମାନ ଦ୍ୱାରା ସମ୍ମାନିତ । ସେହିପରି, ଆଉଜଣେ ପୁରସ୍କାର ଫେରାଇଥିବା ବାୟୋକେମିଷ୍ଟ୍ ପ୍ରଫେସର୍ ପି.ବଲରାମ୍ ଭାରତର ସର୍ବୋତ୍ତମ ବୈଜ୍ଞାନିକ ଅନୁଷ୍ଠାନ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ୍ ର ନିର୍ଦ୍ଦେଶକ ଭାବରେ ଦକ୍ଷତାର ସହିତ ଦାୟିତ୍ତ୍ୱ ତୁଲାଇ ସାରିଛନ୍ତି ଓ ତାଙ୍କର ୪୦୦ ରୁ ଅଧିକ ସଂଖ୍ୟାର ମୌଳିକ ଗବେଷଣାତ୍ମକ ପ୍ରବନ୍ଧଟିମାନ ବାୟୋକେମେଷ୍ଟ୍ରିକୁ ଅମୁଲ୍ୟ ଦାନ ଅଟେ। ପୁରସ୍କାର ବା ସମ୍ମାନ ଫେରାଇବା ପୂର୍ବରୁ ମଧ୍ୟ ଏମାନେ ବିଶ୍ୱପ୍ରସିଦ୍ଧ ଥିଲେ । ଯଦି ବିରୋଧକୁ ବିରୋଧ କରୁଥିବା ଆପଣମାନଙ୍କ ମଧ୍ୟରୁ କିଛି ଲୋକ ପ୍ରଫେସର୍ ବଲରାମ୍ ଓ ଡକ୍ଟର୍ ଭାର୍ଗବ ସମ୍ମାନ ଫେରାଇବା ପର୍ଯ୍ୟନ୍ତ ସେମାନଙ୍କ ବିଷୟରେ ଜାଣି ନଥିଲେ, ତାହେଲେ ଏହା ଏ ଦେଶର ଦୁର୍ଭାଗ୍ୟ । ଗୁଣି ଲୋକମାନଙ୍କର ଗୁଣ ଜାଣିଲେ ଓ ସ୍ମରଣ କଲେ ନିଜର ଲାଭ ହୁଏ । ତେଣୁ ଭାରତର ବୈଜ୍ଞାନିକ (ସେମାନେ ପୁରସ୍କାର ଫେରାଇ ଥାଆନ୍ତୁ ବା ନ ଫେରାଇ ଥାଆନ୍ତୁ, ପୁରସ୍କାର ପାଇଥାଆନ୍ତୁ ବା ନ ପାଇ ଥାଆନ୍ତୁ ) ମାନଙ୍କର କୀର୍ତ୍ତୀ ବିଷୟରେ ଜାଣି ରଖିଲେ ଆପଣଙ୍କର ହିଁ ଲାଭ ହେବ । ଏହା ଛଡା ଆମର ସଂସ୍କୃତି ଗୁରୁଜନମାନଙ୍କର ସମ୍ମାନ କରିବା ଶିଖାଏ । ଆପଣମାନେ ଭଲ ପାଉଥିବା ଗୋଟିଏ ସରକାରର ନିଷ୍କ୍ରିୟତା ବିରୁଦ୍ଧରେ ପ୍ରତିବାଦ କରି କିଛି ଗୁରୁଜନମାନେ ପୁରସ୍କାର ଫେରାଉଛନ୍ତି ବୋଲି ତାଙ୍କର ବୟସ ଉପରେ ଶସ୍ତା ଆଲୋଚନା କରିବା ଆପଣମାନଙ୍କୁ ଶୋଭା ଦିଏ ନାହିଁ । 

ପୁରସ୍କାର ଫେରାଇବା ଏକ ଗର୍ହିତ ଅପରାଧ ବା ମୂଲ୍ୟହୀନ ବିରୋଧ ନୁହେଁ । ଜାଲିୱାନାୱାଲା କାଣ୍ଡ ବିରୁଦ୍ଧରେ ଗାନ୍ଧୀ କାଇଜାର୍-ଏ-ହିନ୍ଦ୍ ମେଡାଲ୍ ଓ ରବି ଠାକୁର୍ ନାଇଟ୍ ଉପାଧି ଫେରସ୍ତ କରିଥିଲେ । ଏଠାରେ ଆମେ ଆପଣମାନଙ୍କୁ ମନେ ପକାଇଦେବାକୁ ଚାହିଁବୁ ଯେ ସରକାର, ରାଷ୍ଟ୍ର ଓ ଦେଶ ମଧ୍ୟରେ ଅନେକ ଫରକ ରହିଛି । ଜଣେ ଦେଶଭକ୍ତ ଓ ରାଷ୍ଟ୍ରପ୍ରେମୀ ହୋଇ ମଧ୍ୟ ଗୋଟିଏ ବହୁମତରେ ନିର୍ବାଚିତ ସରକାରର ନ୍ୟାଯ୍ୟ ବିରୋଧ କରିପାରେ । ପୁରସ୍କାର ଫେରାଉଥିବା ଲୋକେ ଦେଶର ଅସମ୍ମାନ କରୁନାହାନ୍ତି । ବରଂ ସେମାନେ ବର୍ତ୍ତମାନର ସରକାରକୁ ଦେଶରେ ଧାର୍ମିକ ସଂହତି, ଧର୍ମନିରପେକ୍ଷତା ଓ ଭାଇଚାରା ବଜାୟ ରଖିବା ପାଇଁ ନିଜର ସାମ୍ବିଧାନିକ ଦାୟିତ୍ତ୍ୱ ବିଷୟରେ ସୂଚାଇ ଦେଉଛନ୍ତି ।  ଏଥିପାଇଁ ସେମାନେ, ଆପଣଙ୍କର ଓ ମୋର, ଆମର, ନମସ୍ୟ । କାରଣ ସେତୁବନ୍ଧନ ପୂର୍ବରୁ ଜାମ୍ବବାନ ହନୁମାନଙ୍କୁ ଆବାହନ କରି ତାଙ୍କୁ ନିଜର ଶକ୍ତି ବିଷୟରେ ସଚେତନ କରାଇବା ପରି, ପୁରସ୍କାର ଫେରାଇ ସେମାନେ ଦେଶର ବିବେକ ଉଦ୍ରେକ କରିବାର ଏକ ମହାନ କର୍ମ କରିଛନ୍ତି ।

ବି.ଦ୍ର. : ଏହି ଲେଖାର ଏକ କ୍ଷୁଦ୍ରତର ସଂସ୍କରଣ ଦୈନିକ ସମାଜର ସମ୍ପାଦକୀୟ ପୃଷ୍ଠାରେ ୦୧.୧୨.୨୦୧୫ ଦିନ ପ୍ରକାଶ ପାଇଥିଲା । 

No comments:

Post a Comment