Monday, December 14, 2015

ନମନୀୟ ସହର - ୩


ଲେଖକ - ଜନାଥନ୍ ରାବାନ୍

ଅନୁବାଦକ - ନିଗମାନନ୍ଦ ଷଡ଼ଙ୍ଗୀ

ସମ୍ପାଦକୀୟ ନୋଟ୍ - ସହରୀ ଜୀବନ, ବିଶେଷତଃ ମହାନଗରୀୟ ଜୀବନର, ଆଲୋଚ଼ନାରେ ବ୍ରିଟିଶ୍-ଆମେରିକୀୟ ଲେଖକ ଜନାଥନ୍ ରାବାନ୍ ଙ୍କର ବହି - ସଫ୍ଟ୍ ସିଟି ଏକ ଗୁରୁତ୍ତ୍ୱୁପୂର୍ଣ୍ଣ ଗ୍ରନ୍ଥ । ଉପନ୍ୟାସର ଭାଷାରେ ଲିଖିତ ଏହି ବହିଟିର ଢାଞ୍ଚାଟି, ଲେଖକଙ୍କର ଏକ ଛୋଟ ସହରରେ ଅବସ୍ଥିତ ବିଶ୍ୱବିଦ୍ୟାଳୟର ନିରୁପଦ୍ରବ ମାଷ୍ଟ୍ରାମୀ ଛାଡ଼ି, ଲଣ୍ଡନ୍ ମହାନଗରୀରେ ଜୀବନ ଗଢିବା ଓ ଜୀବିକା ସଙ୍ଗ୍ରହ କରିବାର ଲଢେଇର ଅନୁଭବର ଭିତ୍ତିରେ ଠିଆ ହୋଇଛି । ବହିଟିର ପ୍ରଥମ ଅଧ୍ୟାୟର ଅନୁବାଦ ଆପଣ ଆସନ୍ତା କେଇ ଦିନ ନିମନ୍ତେ ଏହି ବ୍ଲଗ୍ ରେ ପଢିବାକୁ ପାଇବେ । 



ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 


ମୁଁ ଏଠି ଲେଖିବା ବେଳକୁ ଚାରିଂ କ୍ରସ୍ ଷ୍ଟେସନ୍ ର ତୋରଣ ତଳେ ‘ଲିକୁଇଡ୍ ଥିଏଟର୍’ ତା’ର ନାଟକ ପରିବେଷଣ କରୁଛି । ଏହାକୁ କୁହାଯାଏ ସ୍ପର୍ଷ ଓ ଅନୁଭବର ‘ସହଭାଗୀ’ ଥିଏଟର । ଅର୍ଥାତ ଦର୍ଶକମାନଙ୍କୁ ଏମିତି ଏକ ଖେଳରେ ମତେଇ ଦିଆଯାଏ ଯେ ଯେଉଁଠି ପ୍ରତ୍ୟେକ ପ୍ରତ୍ୟେକଙ୍କର ଦେହକୁ ଆବିଷ୍କାର କରନ୍ତି । ସହରିମାନଙ୍କ ପାଇଁ ଏହା ଏକ ଆନନ୍ଦ ଦାୟକ, ଭଦ୍ର ତଥା ସ୍ୱଳ୍ପ ଖର୍ଚ୍ଚ ସମ୍ବଳିତ ନିଦାନ । ତଥାପି ଉପରୁ ଦେଖିଲେ ଏହା ବିଚିତ୍ର ଲାଗେ । ଯଦିବା  ଆମେ ଅମେର ବହୁ ସମୟ ଭିଡ ଭିତରେ ହିଁ କାଟୁ । ଆମର ଦିହ ଅନ୍ୟ ଜଣଙ୍କ ଦିହ ସହ ଘସିହୁଏ, ଧକ୍କା ଖାଏ; ଜଣକର ହାତ ଆର ଜଣଙ୍କର ହାତକୁ ଛୁଇଁ ଯାଏ । ଯେଉଁ ସମାଜରେ ଭୂମି ଓ ସ୍ଥାନର ମୂଲ୍ୟ ଭୟାନକ ଭାବେ ଲଗାତର ବଢି ଚାଲିଛି, ସେଠି ଆମର ଏକାନ୍ତ ପରିସରଟି ସଙ୍କୁଚିତ ହେବାରେ ଲାଗିଛି । ଆମର ସହରଗୁଡିକର ଗମନାଗମନ ବ୍ୟବସ୍ଥା ଯଥା ଟ୍ରେନ୍, ଫୁଟପାଥ୍, ଲିଫ୍ଟ, ସୁପରମାର୍କେଟ୍, ୱାକ୍ ୱେ ଏବଂ କୁନି କୁନି ଏପାର୍ଟମେଣ୍ଟ ଗୁଡିକ ଖୁନ୍ଦା ଖୁନ୍ଦି ହୋଇ ରହିଛି । ଏଠି ଜୀବନ ବୋଇଲେ ଖାଲି ଭିଡ଼ ଓ ଗହଳି । ଏମିତି ପରିବେଶରେ, ପରସ୍ପରକୁ ଛୁଇଁବାର କଳାକୁ ଆମକୁ ଆଉ ଥରେ ଶିଖିବାକୁ ହେବ ଯେମିତି କି ସେଥିରେ  ବନ୍ଧୁତ୍ୱର ଛାପ ରହିଥିବ । ଏହି ସରଳ ମାନବୀୟ କାର୍ଯ୍ୟଟି ପାଇଁ ଆମେ କିଛି ଅର୍ଥ ଖର୍ଚ୍ଚ କରିବା ଓ ରାତିଟିଏ ବାହାରେ କାଟିବା ପାଇଁ ପ୍ରସ୍ତୁତ ହବା କଥା । ଯୌନ ବାସନା ରହିତ ସ୍ପର୍ଷ ଓ ହିଂସା ବା ଘୃଣା ବିନା ସ୍ପର୍ଷ ପରି ଏକ ମାନବୀୟ ଗୁଣ ବିଲୁପ୍ତ ହବାର ଆଶଙ୍କାରେ ଆକ୍ରାନ୍ତ । ଏ ସହରୀ ମଧ୍ୟବିତ୍ତଙ୍କ ପାଇଁ ଅନୁୁଷ୍ଠିତ ପ୍ରୟୋଗାତ୍ମକ ନାଟକ କାର୍ଯ୍ୟକ୍ରମ ଓ ଗୋଷ୍ଠୀ ଜୀବନ ମିଳନ କେନ୍ଦ୍ରର ଗରମ ଆବହାୱାରେ ବଞ୍ଚି ରହିଛି ।  ଏସବୁ କରିବାକୁ ହେଲେ, ଆମକୁ ମୁଖା ପିନ୍ଧିବାକୁ ହେବ, ନାଟକ କରିବାକୁ ହେବ ଏବଂ ଛାତି-ମୁକୁଳା, କଳା-ମୁଣ୍ଡିଆ କଳାକାର-ପରିଚାଳକ ଓ ମନୋବିଜ୍ଞାନୀମାନଙ୍କ ଭୂଲାଣିଆ କଥାରେ ପଡ଼ିବାକୁ ହେବ ।

ଆମ ସହରରେ ଅପରିଚିତ ଲୋକଙ୍କ ଠାରୁ ଦୂରେଇ ରହିବାର ବଳିଷ୍ଠ  କାରଣମାନ ରହିଛି । ସହରରେ ହତ୍ୟା ଓ ଆକ୍ରମଣର  ଉଚ୍ଚ ହାର ସହରୀ ଭିଡ଼ର ଲକ୍ଷଣ ନୁହେଁ । ୱେଷ୍ଟ୍ ୱେଲ୍ସ୍ ର କାର୍ଟିଗନ୍ ସାୟର୍  ପରି  ଏକ ଅପହଞ୍ଚ  ସ୍ୱଳ୍ପ-ଘନ ଜନସଂଖ୍ୟା ବିଶିଷ୍ଟ ଗ୍ରାମାଞ୍ଚଳରେ ହତ୍ୟାର ହାର, ଲଣ୍ଡନ୍ ର ମୁଣ୍ଡ ପିଛା ହତ୍ୟାହାର ଠାରୁ ଅଧିକ । କିନ୍ତୁ ଗ୍ରାମାଞ୍ଚଳରେ ହିଂସ୍ତ୍ର ଅପରାଧର ଶୀକାର ହେଇଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ  ଅପରାଧିକୁ ଜାଣନ୍ତି, ସମ୍ଭବତଃ ସେମାନଙ୍କର ଘନିଷ୍ଠ ସଂପର୍କୀୟ ବି ହୋଇପାରନ୍ତି । ସହରରେ ହତ୍ୟାକାରୀ ଓ ଲୁଣ୍ଠନକାରୀମାନେ ଅଜଣା ଅନ୍ଧାରରୁ ବାହାରି ଆସନ୍ତି । ହୁଏତ ଜାଣିଥାଇ ପାରନ୍ତି, ତମକୁ ଇର୍ଷା ଓ ଘୃଣା କରିଥାଇ ପାରନ୍ତି । ତମେ ପୁଣି ନିଜେ ସେହିପରି ଅତିରଞିତ, ନାଟକୀୟ ଆବେଗକୁ ଅନୁଭବି ଥାଇପାର ଯାହା ସହର ତାହାର ବାସିନ୍ଦା ମାନଙ୍କ ଭିତରେ ଉଦ୍ରେକ କରାଏ । ଏନଭି, ଏଙ୍ଗି୍ର ବି୍ରଗେଡିୟର, ୱେଦରମ୍ୟାନ୍ ପରି ସହରୀ ଆତଙ୍କବାଦୀ ଦଳ କୌଣସି ଏକ ନାଟକର ଶେଷତମ କଦାକାର କଳାକାର । ଆଉ ସେ ନାଟକ ଆମ ମାନଙ୍କ ଭି୍ତରୁ ଅଧିକାଂଶ ପାଇଁ ସୌଭାଗ୍ୟବଶତଃ ଏକ ମାନସିକ ବ୍ୟାପାର । ତାହାର ସଂଳାପ ଗୁଡିକ ବି ଆମ ମଗଜରେ ଅଛି ଯାହାକୁ ପରିବେଷଣ କରିବା ପାଇଁ ଆମ ଭିତରୁ କେତେକ ପାଗଳ ବା ବ୍ୟାକୁଳ ।

ମୁଁ ଲଣ୍ଡନ୍ ର ଯେଉଁ ଘରେ ରହେ, ତାହା ଏକ ମଜଭୁତ, ପ୍ରାଚୁର୍ଯ୍ୟଭରା, ପାଞ୍ଚ  ମହଲା ବିଶିଷ୍ଟ କୋଠାଘର । ଯେତେବେଳେ ଭିକ୍ଟୋରିଆ ଯୁଗର ମଧ୍ୟବତ୍ତିତ୍ତ ପରିବାର ଥିଲା ବିଶ୍ୱର ସବୁଠୁଁ ଶକ୍ତିଶାଳୀ ଅନୁଷ୍ଠାନ, ଯେତେବେଳେ ତାହା ସାମ୍ରାଜ୍ୟର ସମ୍ପଦ ଓ ଐଶ୍ଚର୍ଯ୍ୟକୁ ପ୍ରତିବିମ୍ବିତ କରୁଥିଲା । ସେତିକି ବେଳେ ସ୍ଥାନର ଅଭାବ ନଥିଲା;  ଯେ ମନଇଛା ବ୍ୟବହୃତ ହେଉଥିଲା । ଘରର ବୈଶିଷ୍ଠ୍ୟ ଥିଲା ବଡ ବଡ ଛାତ, ବିଶାଳ ପ୍ରକୋଷ୍ଠ ଓ ପାହାଚ, ଶଙ୍ଖ ମର୍ମର ଖମ୍ବ ବିଶିଷ୍ଟ ପ୍ରବେଶ ପଥ । ଇଏ ପ୍ରତ୍ୟେକ ଗୋଟିଏ ଗୋଟିଏ ଆଧୁନିକ ଫ୍ଲାଟ୍ ର ଯାଗା ସହ ସମାନ । ସେତେବେଳେ ଘର ବୋଇଲେ ଗୋଟିଏ କର୍ମରତ ଗୋଷ୍ଠୀକୁ ବୁଝାଉଥିଲା । ଡକାହକା କରିବାକୁ ସାମନା ଦରଜାରେ ଜଗୁଆଳୀଥିଲେ; ରାସ୍ତାପାଖ ଦରଜା ପାଖରେ ଘଣ୍ଟି ବଜାଇବାକୁ ବି ଲୋକ ଥିଲେ । ଘରଟି ସମାମ୍ରାଜ୍ୟର ଏକ ନମୁନା ଥିଲା । ଏପରି ଘରମାନଙ୍କରେ ଚାକରବାକର ଦିନରାତି ଖଟୁଥିଲେ ଆଉ ଶିଡି ଘରେ ଶୋଉଥିଲେ । ସେମାନଙ୍କର ପରିଶ୍ରମର ଫଳକୁ ପରିବାରର ସଦସ୍ୟମାନେ ଉପଭୋଗ କରୁଥିଲେ ।  କିନ୍ତୁ ଘର କହିଲେ ଯେଉଁ ପୂର୍ଣ୍ଣ ଅବୟବ ସମ୍ପନ୍ନ ଢାଞ୍ଚା ଟିକୁ ବୁଝାଉଥିଲା ତାକୁ ବିଂଶ ଶତାଦ୍ଧୀ ଧ୍ୱଂସ କରିଦେଇଛି । ତାହାର କାରଣ ହେଲା ବିଂଶ ଶତାଦ୍ଧୀରେ ପରିବାରର ଆକାର ଛୋଟ ହୋଇଯାଇଛି । ବିପୁଳ ବ୍ୟକ୍ତିଗତ ସଂପତ୍ତି ଲାଗି ସୁଯୋଗ କମିଯାଇଛି । ସ୍ଥାନର ମୂଲ୍ୟ ବଢିଯାଇଛି । ଶ୍ରମର ମୂଲ୍ୟ  ବହୁତ ବଢି ଯାଇଛି । ଘରଗୁଡିକର ଦୈର୍ଘ୍ୟ ଓ ପ୍ରସ୍ଥ ଛୋଟ ହୋଇ ଯାଇଛି । ବାସସ୍ଥାନ କହିଲେ ଗଦାଏ ଅସଜଡା ଟୁକୁଡା ଖଣ୍ଡର ସମଷ୍ଟି । କେତେଗୁଡିଏ ଘରମାନଙ୍କରେ ଅନେକ କୋଠରୀ ଅଛି; ଆଉ କେତେକରେ କେଇ ହାତ ଚଟାଣ ଖଣ୍ଡେ ମାତ୍ର ଅଛି ଯେଉଠିଁ କି ଖାଲି ଶେଯଟିଏ ପାରିହେବ । ଆମ କାଳର ସେ ପ୍ରକାଣ୍ଡ ଘରମାନଙ୍କରେ ଆମେ କେହି ବି ବାସ କରୁନାହିଁ । ସେ ଘରମାନଙ୍କରେ ପ୍ରାଙ୍ଗଣ ଓ ପ୍ରବେଶ ପଥ ସହ ବି ଆମ ବାସସ୍ଥାନ ତୁଳନାଯୋଗ୍ୟ ନୁହେଁ । ଆଜି ଆମେ ଅପରିଚିତମାନଙ୍କୁ କେବଳ ରାସ୍ତାରେ ବା ଛକରେ ଭେଟୁ ନାହୁଁ ବରଂ ସେମାନେ ଆମ ପାଖ କୋଠରୀରେ ହିଁ ରହୁଛନ୍ତି, ଏପରିକି ଆପଣାର କୋଠରୀରେ ବି ଅପରିଚିତ ଲୋକ ରହିପାରନ୍ତି ।

No comments:

Post a Comment